Unknown

 

 

 

 

 

 

 

 

 

 

 

ପଙ୍କ ଚନ୍ଦନ

ରାଜକିଶୋର ରାୟ

 

 

 

 

 

 

 

 

 

ମାଳବିକା ମନସ୍ଵିନୀମହାଶ୍ଵେତାଓସିଦ୍ଧାର୍ଥଶଙ୍କରଙ୍କୁ “ପଙ୍କ ଚନ୍ଦନ” ଅର୍ପଣ କଲି ।

 

ପଙ୍କ–ବିମୁକ୍ତ ସେମାନଙ୍କର ଲଲାଟ ଚନ୍ଦନାକ୍ତ ହେଉ ।

 

ଆଶୀର୍ବାଦକ

ବାପା

 

ଶ୍ରୀକ୍ଷେତ୍ର,

୧୫ ଜୁଲାଇ, ୧୯୬୩

 

ଭୂମିକା

 

ଯଶସ୍ଵୀ ଗଳ୍ପଲେଖକ ଶ୍ରୀ ରାଜକିଶୋର ରାୟଙ୍କ ରଚନା ସହିତ ମୁଁ ପରିଚିତ ଥିଲି । ଏଥର ତାଙ୍କର ନୂତନ ଗଳ୍ପ ସଂଗ୍ରହ ‘ପଙ୍କ ଚନ୍ଦନ’ ପଢ଼ିବା ପରେ ସେ ପରିଚୟଦୃଢ଼ ହେଲା ।

 

ରାଜକିଶୋର ରାୟ ଜଣେ born story–teller । ଯେ କୌଣସି ବିଷୟରେ ସେ ଗଳ୍ପଟିଏ ଲେଖିବେ । ପଢ଼ିଲେ ମନେହେବ ସବୁ ସତ–ସବୁ ତାଙ୍କୁ ଜଣା । ତାଙ୍କର ଏଇ ଗୁଣ ସହିତ ଯୋଗ ଦେଇଛି ତାଙ୍କର ରୋମାଣ୍ଟିକ୍‍ ସ୍ଵଭାବ । ଅନ୍ତଃସଲିଳା ଫଲ୍‍ଗୁନଦୀ ଭଳି ତାଙ୍କର ଏଇ ରୋମାଣ୍ଟିକ୍‍ ସ୍ଵଭାବ ବାସ୍ତବଧର୍ମୀ ରଚନାର ବାଲି ତଳେ ପ୍ରଚ୍ଛନ୍ନ ରହିଛି ।

 

ଦେଶବ୍ୟାପୀ ଦୁର୍ନୀତି ଓ ବିଶୃଙ୍ଖଳା ବହୁତ ଲେଖକଙ୍କୁ ଅସ୍ଥିର କରିଛି । ଏଇ ଅସ୍ଥିରତାରୁ ରାଜକିଶୋର ରାୟ ମୁକ୍ତ ନୁହନ୍ତି । କିନ୍ତୁ ହେବା ଦରକାର । ନୋହିଲେ ଏ ରସଧାରା ମରୁଭୂମିରେ ହଜିଯିବ । ଲେଖକର ମୁକ୍ତି ଆଜି ସହଜସାଧ୍ୟ ନୁହେଁ । ତଥାପି ଅତ୍ୟାବଶ୍ୟକ । ଏ ମୁକ୍ତି ବାହାରୁ ଆସିବ ନାହିଁ; ଆସିବ ନିଜ ଭିତରୁ ।

 

ଶାନ୍ତିନିକେତନ

ଅନ୍ନଦାଶଙ୍କର ରାୟ

ଜୁଲାଇ, ୧୯୬୩

 

Image

 

ନିଜକଥା

 

“ପଙ୍କ ଚନ୍ଦନ” ନାମ ଦେଇ କେତେଗୁଡ଼ିଏ ଗଳ୍ପ ପୁସ୍ତିକାକାରରେ ପ୍ରକାଶ କଲି । ନାନା ସମୟରେ ବିବିଧ ପତ୍ର ପତ୍ରିକାରେ ଏଗୁଡ଼ିକ ଆଗରୁ ପ୍ରକାଶ ପାଇଯାଇଛି ।

 

ଗ୍ରୀଷ୍ମର ଏକ ଗୋଧୂଳି ଓ ସଂଧ୍ୟାର ଶାନ୍ତ ପବିତ୍ର ରୂପ ତଳେ ଅନ୍ନଦାଶଙ୍କର ରାୟଙ୍କୁ ମୁଁ ପାଇଥିଲି ଶ୍ରୀକ୍ଷେତ୍ରର ସାଗର ତୀର ଉପରେ । ସେହିଠାରେ ତାଙ୍କ ପାଖରେ ଆତ୍ମନିବେଦନ କରିଥିଲି ଓ ଜାଣିବାକୁ ଚାହିଁଥିଲି ଏ ଯୁଗ ଓ ଏ ଯୁଗର ମଣିଷକୁ ଘେନି ସେ କଅଣ ଚିନ୍ତା କରନ୍ତି ।

 

ସେ ମତେ କହିଥିଲେ ସେ ଯାହା ଚିନ୍ତା କରନ୍ତି । ଆତ୍ମଭିମାନଶୂନ୍ୟ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଏଇ ସରସିକ ଶିଳ୍ପୀ ମୋ ହୃଦୟର ଅସ୍ଥିରତାକୁ ସେତେବେଳେ ବୁଝିଥିଲେ ।

 

ସେଥିପାଇଁ ମୋ ନୂତନ ବହିର ଭୂମିକା ସେ ଲେଖି କହିଛନ୍ତି–“ଲେଖକର ମୁକ୍ତି ଆଜି ସହଜସାଧ୍ୟ ନୁହେଁ । ତଥାପି ଅତ୍ୟାବଶ୍ୟକ । ଏ ମୁକ୍ତି ବାହାରୁ ଆସିବ ନାହିଁ; ଆସିବ ନିଜ ଭିତରୁ ।”

 

ତାଙ୍କର ଏ କେତୋଟି ମହାମୂଲ୍ୟ ବଚନ ପାଇଁ ମୁଁ ତାଙ୍କ ପାଖରେ ଋଣୀ ରହିଲି ।

 

ଶ୍ରୀକ୍ଷେତ୍ର

ରାଜକିଶୋର ରାୟ

୧୫ ଜୁଲାଇ, ୧୯୬୩

 

Image

 

ସୂଚୀପତ୍ର

 

୧.

ପଙ୍କ-ଚନ୍ଦନ

୨.

ହେ ଅରଣ୍ୟ, ହେ ମହାସାଗର

୩.

ପର୍ବତର ନାମ ପାହାଡ଼

୪.

ପିତୃପୁରୁଷ ଜବାବ ଦିଅ

୫.

ଛାଗମାଂସ ଓ ମାଗୁର ମତ୍ସ୍ୟ

୬.

ପ୍ରେତଭୂମିର ପ୍ରତିମା

୭.

ଅମୃତର ଜୟ ହେଉ

୮.

ଖଣ୍ଡେ ନୀଳ କାଚ

୯.

ରାସ୍ତା କୁଆଡ଼େ

୧୦.

ମୃତ ନାଁ ଅମୃତ

୧୧.

ବେହେଲା

୧୨.

ଡାଉନ୍‍ ଟ୍ରେନ୍‍

୧୨.

ଅପୁଷ୍ପ–ପୁଷ୍ପିତା

୧୩.

ଅନେକ ଦୂରେ ଗ୍ରାମ୍ୟନଦୀର ତୀରେ

୧୪.

ଶିଳ୍ପୀ ସଂଗ୍ରହ

୧୫.

ତମାଳ ତାଳ ବନରାଜି ନୀଳା

୧୮.

ଦାନ ଭୁଃ

୧୯.

ଏ ନିଶା କାହିଁକି ?

୨୦.

ସହଯାତ୍ରିଣୀ

୨୧.

ଚଷମା

୨୨.

ମୁହୂର୍ତ୍ତକର ଭାଷ୍ୟ

୨୩.

ହେ ପଥ, ହେ ପାନ୍ଥ

୨୪.

ଯୁଗପୁରୁଷର କାହାଣୀ

୨୫.

କେରଳ କାକଳି

Image

 

ପଙ୍କ-ଚନ୍ଦନ

 

ଅସୁରିଆ ଝଙ୍କାଳ ବରଗଛଟାର ଉପରେ ଗୋଟାଏ ଶାଗୁଣା ବସିଥିଲା । ତଳେ କାଉଙ୍କର ମେଲନ । ସିଅଗୁଡ଼ାକ ଉପରକୁ ଶୂନ୍ୟରେ ରହିଛି । ତଳୁ ମାଟି ଅତଡ଼ା ଧୋଇଯାଇ ବିବର ଦେଖାଗଲାଣି । ପୁରୁଷା ପୁରୁଷା ଗାତ ।

 

ଏଇ ବିବରଗୁଡ଼ାକରେ ପାଣି ଭଉଁରି ନାଚୁଥିଲା । ଘରଘର ସରସର ପାଣିସୁଅ । ତଳେଇ ତଳେଇ ପାଣିସୁଅ ମାଟି କାଟି ବାସୁକୀର ଫଣା ଛୁଉଁଥିଲା । ଏବେ ପାଣି ନାହିଁ । ବିବରଗୁଡ଼ାକ ମହାକାଳର ଗ୍ରାସଭଳି ‘ଆଁ’ କରି ରହିଛି ।

 

ସେଇ ଗାତର ଗୋଟାଏ ପାଖ ତଟରେ ବସି ଖୁଁ–ଖୁଁ କାଶ କାଶୁଥିଲେ ବୁଢ଼ା ମାଧବ ଜେନା । ଜେନାଏ କଅଣ ଖୋଜିଲାଭଳି ସବୁଆଡ଼କୁ ଆଖି ପକାଉଥିଲେ । ମାଟି ଚକଟି ହାତ ପାପୁଲିକୁ ସେ ପରୀକ୍ଷା କରୁଥିଲେ ।

 

ଶାଗୁଣାଟା ଫଡ଼ଫଡ଼ ହୋଇ ଶୁନ୍ୟକୁ ଉଡ଼ିଗଲା । ଗୋଟାଏ ତୀବ୍ର ପୋଚା ଗନ୍ଧ ତାରି ପକ୍ଷ ଝଡ଼ାରେ ଜେନାଙ୍କର ନାକରେ ପଶିଗଲା ।

 

ଚାରିଆଡ଼େ ବାଉଁଶ, ଛଣ, ପତର ପଚା, ସଢ଼ା ଦୁର୍ଗନ୍ଧ । ମହାବଟ ଯୋଗୀଶ୍ୱର ନାଚି ଦେଇଯାଇଛି । ଅହିଫଣାର ଶତସତ କୁଣ୍ଡଳୀ ଖେଳିଯାଇଛି ଏଇ ମୂଳବସନ୍ତ ଗାଁରେ......

 

ବୁଢ଼ା ଜେନାଏ କାଦୁଅ ମୁଠାଏ ଚକଟି କେତୁଟା ପଚାପତର ଉପରେ ରଖିଲେ । ସେଥିରେ ଗୋବର ମିଶାଇଲେ । ଗୋବରମିଶା କାଦୁଅ ମେଞ୍ଚାକ ଆଖି ଉପରକୁ ଉଠାଇ କୁହାଟ ଛାଡ଼ିଲେ...

 

‘–ଆରେ, ମୁଁ ଦେବୀ ଗଢ଼ିବି ରେ...ମଙ୍ଗଳକ୍ଷଣ ଆସିଗଲା । ଶଙ୍ଖ ବଜାଅ, ହୁଳହୁଳି ଦିଅ-। କିଲୋ ଲବଣୀ, ତୋ’ ମାଆ କାଇଁ ରେ ? ସାଇର ଯୁଆନମାନେ କାହାନ୍ତି ? ଫି ବର୍ଷ ସେମାନେ ଏମିତି ଡେରି କରିବେ । କାହିଁ ଗଲା ? ମଙ୍ଗଳଘଟ ହାତକୁ ବଢ଼ାଅ ।’

 

କେହି ଶୁଣିଲେ ନାହିଁ । କେହି ନଥିଲେ । ଜେନାଙ୍କର କୁହାଟ ବରଗଛଟାର ପତ୍ର ଛୁଇଁ ଉପରକୁ ଉଠିଗଲା ।

 

ଜେନାଏ ଚାରିଆଡ଼କୁ ଚାହିଁଲେ । ଏଡ଼େ ଆସ୍ପର୍ଦ୍ଧା ଏମାନଙ୍କର । ଏ ବର୍ଷ ମାଆ ଆସିବା ଉପରେ । ଧାନ ଶିଁଷା ଆଉ ଛନଛନିଆ କଅଁଳ ଗଛପତ୍ର ଉପରେ ମାଆ ଆସୁଛନ୍ତି । କେହି କଅଣ ଏ କଥା ଜାଣୁନାହାନ୍ତି ?

 

ସତ, ଏ ବର୍ଷ ମାଆ ଆସୁଛନ୍ତି । ଦିଗନ୍ତ ଶ୍ୟାମଳ ରଥ ଉପରେ ଜନନୀ ସନ୍ତାନ ନିକଟକୁ ଆସୁଛନ୍ତି । କିନ୍ତୁ କାହିଁ ସେ ଶ୍ୟାମଳିମା ? ଚାରିଆଡ଼େ ମାଟି ତାଡ଼ି ବିବର ଫୁଟିଛି । ଗଛ ନଇଁଯାଇଛି । ଏଡ଼େ ବଡ଼ ଗାଁଟାରେ ଗୋଟିଏ ଚାଳ ବି ନାହିଁ ।

 

ପଦ୍ମପୋଖରୀର ଶୋଭା ନାହିଁ । ଦିନ ଥିଲା, ଏଠି ମୂଳବସନ୍ତର କୁଆଁରୀମାନେ ଝାମ୍ପ ଦେଉଥିଲେ ପୋଖରୀ ଭିତରୁ ପଦ୍ମ ତୋଳିବାକୁ । କେତେ ହସ, କେତେ ଉନ୍ନାଦ, କେତେ ରଙ୍ଗ !

 

ବିଚିତ୍ର ଏ ଜୀବନ, ବିଚିତ୍ର ଏ ମହାକାଳ । କାହିଁକି କଅଣ ସେ ଘଟାଏ, କେଉଁଆଡ଼େ ତଡ଼ିନିଏ, ପୁଣି କେଉଁଠି ଲଗାଇଦିଏ, ସେଇ ଜାଣେ ।

 

ଏତେ ବିଜ୍ଞାନର ବାହାଦୂରୀ, ଏତେ ପାରିବାପଣ, ଏତେ ଶକ୍ତି ମଣିଷ ଅର୍ଜନ କଲା ବୋଲି ନାଗର ଦୋଳାରେ ବସି ଖଣ୍ଡମଣ୍ଡଳର ପ୍ରଭୁ ବୋଲାଉଛି; ଅଥଚ ଗୋଟାଏ ମାତ୍ର କ୍ଷଣରେ ମହାକାଳ ମହାନୃତ୍ୟ ନାଚିଯାଏ । ସବୁ ଡଉଲ–ଡାଉଲ ଓଜନ, ପରିମାପ; ମଣିଷର ବିଧାନ ଛାରଖାର ହୋଇଯାଏ । ଏହା ହିଁ ଲୀଳା, ଏହା ହିଁ ବ୍ୟକ୍ତ ଅବ୍ୟକ୍ତ ମହାନଟର ବହୁ ବିଚିତ୍ର ଭଙ୍ଗୀ ।

 

ଜେନାଏ ଓଦା ସରସର ଲୁଗାରେ କାଦୁଅ ସାଉଁଳୁଥିଲେ । ଗୋଟାଏ କଅଣ ରୂପ ଫୁଟାଉଥିଲେ । ସବୁ ଚାଲିଗଲା, ହେଲେ ମାଆର ଆବାହନ ହେବ । ସେଥିପାଇଁ ଧାରେ ଅଶ୍ରୁ ବୁହାଇ ମାଧବ ବାୟାଙ୍କ ଭଳି ମାଟି ଚକଟୁଥିଲେ ।

 

ଏଠି ମହାମହିମ ସ୍ଵଚ୍ଛଳ ଖଣ୍ଡେ ଗାଁ ଥିଲା । ବୁଢ଼ା ଜେନାଙ୍କର ଷୋହଳ ବର୍ଷର ଝିଅ ଲବଣୀ ଅକାତ ପାଣିରେ ଭାସି ଯାଇ ପାଟିକଲା–ବାପା ବଞ୍ଚାଅ ! ତା’ପରେ ସବୁ ଶେଷ ।

 

କେଉଁଠି ତା’ ଶବ ଲାଗିଲା କିଏ ଜାଣିଲା ନାହିଁ । ପିଲାଦିନେ ଲବଣୀ ମାଆ ସାଙ୍ଗେ ପଦ୍ମପୋଖରୀ ତଟରେ ବସି ପାଣି ଚାବୁ ଚାବୁ କରୁଥିଲେ ମାଆ ପାଟିକରି ଉଠନ୍ତି–ଇଲୋ ପାଣିସୁଅରେ ଭାସିଯିବୁ ବା, ଏମିତି ହଉଚୁ । ଆ, ଉଠିଆ–

 

ଏବେ ସେଇ ଅଭିଶାପ ଫଳିଲା । ଲବଣୀ ଭାସିଗଲା ।

 

କେଡ଼େ ସହଜ ଏ କଥା–ଭାସିଗଲା, ସବୁ ଭାସିଗଲେ । କାଲି ଯାହାର ସଂସାର ପୁରିଥିଲା, ଆଜି ନାହିଁ । କାଲି ଯାହାର କ୍ଷେତରେ ସୁନାର ଲହରୀ ଖେଳୁଥିଲା, ଆଜି ସେଠି ଅକାତ ପାଣି । କାଲି ଯାହାର ଖଳାରେ ମେଳା । ମଉଚ୍ଛବ ହେଉଥିଲା, ଆଜି ତା’ ବଂଶରେ କେହି ନାହିଁ ।

 

ବୁଢ଼ାଙ୍କ ପାଖରେ ଆସି ଛିଡ଼ା ହେଲେ ଚାରିଜଣ ଲୋକ । ଅଧା ଖାକି ପ୍ୟାଣ୍ଟ, ଅଧା ଖାକି ସାର୍ଟ ପିନ୍ଧି ଏଇମାନେ......

 

ଏମାନେ ପାଣି ବୋତଲ କାନ୍ଧରେ ଝୁଲେଇଥିଲେ, ଅନ୍ୟ କାନ୍ଧରେ ଥଳି ଭିତରେ ରଖିଥିଲେ ବିସ୍କୁଟ, ଲଞେନସ, ଲହୁଣୀ ଟିଣ, ଫଳରସର ବୋତଲ, ସିଝା ଅଣ୍ଡା ଥୋଡ଼ାଏ, ରୁଟି ଚାରିପାଞ୍ଚଟା ।

 

ଏମାନେ ସୁବାସିତ ରୁମାଲ ମୁହଁରେ ଗୁଞ୍ଜୁଥିଲେ । ହାତରେ ଏମାନଙ୍କର ଭିଟାମିନ୍‍ ଟାବଲେଟର ଟିଣ ଆଉ ଇଞ୍ଜେକ୍ସନ ସିରିଞ୍ଜ ।

 

ପ୍ରତିବେଶୀ ପ୍ରଦେଶରୁ ଆସିଛନ୍ତି ଏଇ ଡାକ୍ତରମାନେ ବନ୍ୟାପୀଡ଼ିତ ଲୋକଙ୍କ ସେବାପାଇଁ–

 

ଆସିଲାବେଳେ ସଂପୃକ୍ତ ଶାସକମାନଙ୍କଠୁ ଚିଠି ଅଣିଥିଲେ । ସେଥିରେ ଲେଖାଥିଲା–ଏମାନଙ୍କୁ ଭଲରେ ରଖି ଭଲ ଖୁଆଇ ଏମାନଙ୍କ ସ୍ଵାସ୍ଥ୍ୟପ୍ରତି ଯତ୍ନନେଇ ଟିକିଏ ସେବା କରିବାକୁ ସୁଯୋଗ ଦେବେ ।

 

ବୁଢ଼ାଙ୍କୁ ଜଣେ କହିଲେ–ଆପଣ ହାତ ଦେଖାନ୍ତୁ, ଇଞ୍ଜେକ୍ସନ ଦିଆଯିବ । ଯେଉଁ ହାତ ବର୍ଷ–ବର୍ଷ ଧରି ଜଗତ୍‍ମାତାର ମୂର୍ତ୍ତି ଗଢ଼ିଥିଲା, ସେ ହାତରେ ଛୁଞ୍ଚି ଫୋଡ଼ାହେବ । ବୁଢ଼ା ଶିହରି ଉଠିଲେ ।

 

ବୁଢ଼ା ଉପରକୁ ଚାହିଁଲେ–କଅଣ ଭାବିଲେ । କହିଲେ–ଦରକାର ନାହିଁ ଏ ଗାଁରେ କେହି ବିଞ୍ଚନାହିଁ–ମୁଁ ବି ବଞ୍ଚିବି ନାହିଁ । ମାଆ ବୋଧହୁଏ ମତେ ରଖିଦେଇଗଲା ତା’ର ରୂପ ଶେଷଥରକ ଗଢ଼ି ମୁଁ ଚାଲିଯିବି । କିନ୍ତୁ ମାଟି କାହିଁ ? ଗୋବର କାହିଁ ? କୁଟା କାହିଁ ? ଜେନାଏ ପାଗଳ ଭଳି କଥାବାର୍ତ୍ତା କଲେ ।

 

ଡାକ୍ତରଦଳ ଭିତରେ ସେତେବେଳେ ଜଣେ ପାଟିକୁ ଲେମ୍ବୁଚୁସ୍ ପକାଉଥିଲେ । ଆଉ ଜଣେ ଗରମ୍ ଚା’ ଫାସ୍କରୁ ଢାଳିପିଇଲେ...ତାଙ୍କୁ ଭାରି ଶୋଷ ।

 

ଶେଷରେ ଜଣେ କହିଲେ–ଓଡ଼ିଶାଟା ଦରିଦ୍ର ଦେଶ । ଏବେ ଦରିଦ୍ରତର ହୋଇଗଲା । ଆମ ଚାଉଳ ଗଣ୍ଡାକ ଆମେ ପାଇଲେ ହେଲା । ପଟୁମାଟି ତ ପଡ଼ିଯାଇଛି; ଆର ବର୍ଷକୁ ଫସଲ ବଢ଼ିଆ ହେବ ।

 

ସେମାନେ ଆଉ ସେଠି ରହିଲେ ନାହିଁ; ଏଡ଼େ ବଡ଼ ଗାଁଟା ମହାକାଳର କୁକ୍ଷି ଭିତରେ ଲୁଚିଗଲା । ମାଧବ ଜେନାଏ ରହିଯାଇଥିଲେ କାଦୁଅ ଚକଟିବାକୁ ।

 

ସହରରେ କିଶୋର କିଶୋରୀ, ପ୍ରୌଢ଼ ପ୍ରୋଢ଼ା, ଯୁବକ ଯୁବତୀଙ୍କୁ କାମ ମିଳିଗଲା ।

 

ବିଗତଯୌବନା ନାରୀନେତ୍ରୀ ବାହାରିଲେ ରାଜପଥ ଉପରକୁ । ତାଙ୍କ କଣ୍ଠରେ କୀର୍ତ୍ତିନ ସ୍ଵର...

 

“ଆମର ସବୁ ସରିଗଲା,

ବଡ଼ ଆମକୁ ମାରିଦେଲା

ହେ ଦେଶଭାଇ...

ମୁଣିରେ ପୁରାଇ ହାତ

ଦେଖ ଏ କି ଅଦଭୁତ ।

ଟଙ୍କା ପଇସାରେ ଭରିଗଲା

ବଢ଼ ଆମକୁ ସାରିଦେଲା

ହେ ଦେଶଭାଇ...

ଯେ ଯାହା ପାଉଛ ଦିଅ,

ଆମ କଇଲାଣ ନିଅ ।

ଝିଅ ବାହାପାଇଁ ଟଙ୍କା ନ ଥିଲା,

ନୂଆ ଘର ତୋଳାଅଟକିଥିଲା,

ଏବେ ଏ ମୁଣିଟା ଭରିଗଲା,

ବଢ଼ି ଆମକୁ ମାରିଦେଲା,

ହେ ଦେଶଭାଇ...

 

ତାଙ୍କ ପଛରେ କିଶୋରୀମାନେ ଗୀତ ଗାଇଲେ । ନେତ୍ରୀଙ୍କର ଯୌବନ ଫେରି ଆସିଲା-। ଭଗବାନଙ୍କୁ ସେ ଶତକୋଟି ଜୁହାର ହେଲେ, ତାଙ୍କ ବଢ଼ିଲା ଝିଅ ବଢ଼ି ଯୋଗୁଁ ହାତକୁ ଦି’ହାତ ହୋଇଯିବ ।

 

ନାଚ ତାମସାର ସ୍ରୋତ ଛୁଟିଲା । ବହୁ ମନ୍ଦିର, ବହୁ ନାଟ୍ୟ ସଂସ୍ଥା ଗଜୁରି ଉଠିଲେ । ହେଲା ନାଟକ, ଭରିଲା ମୁଣି...

 

–କିଓ, ଏତେ କାର୍ଯ୍ୟବ୍ୟସ୍ତ, କାହିଁକି ?

 

ଉତ୍ତର–ନାଟକ...

 

–କିଓ, ଏତେ ଧଇଁସଇଁ ହେଉଚ କାହିଁକି ?

 

ଉତ୍ତର–ବିଚିତ୍ରାନୁଷ୍ଠାନ....

 

–କିଓ, ଏମିତି ଝାଳନାଳ କାହିଁକି ?

 

ଉତ୍ତର–ଗେଷ୍ଟ ହାଉସରେଚିତ୍ରତାରକା ସୁକାନ୍ତି ଦେବୀ ବନ୍ୟାପାଣ୍ଠି ପାଇଁ ଆସିଛନ୍ତି । ତାଙ୍କର ସୋ’ ଅଛି ।

 

–କିରେ ପିଲାଏ, ଏ’ କଅଣ ?

 

ଉତ୍ତର–ମ୍ୟାଜିକ ସାର, ଆପଣ ପାଞ୍ଚଟଙ୍କା ଟିକେଟ ନିଅନ୍ତୁ ।

 

ନିଶ ଉଠିନାହିଁ, ଜୁଳୁଜୁଳୁ ଚାହୁଁଛନ୍ତି । ବିଡ଼ି କଠାକୁ ଦଶ ପଇସା, ପାନ ଖିଲେକୁ ଦୁଇ ପଇସା, ପ୍ରାଇମେରୀ ପଢ଼ୁ ପଢ଼ୁ ବିଡ଼ି ଧରିଛନ୍ତି । ତାଙ୍କର ହୋବ୍ ଦେଖ, କହୁଛନ୍ତି ପାଞ୍ଚଟଙ୍କା ଟିକେଟ୍ ନିଅନ୍ତୁ ।

 

କେହି ଜଣେ ଟିକେଟ କିଣା ଚାପରେ ଚାପିତ ଅତ୍ୟାଚାରିତ ପଚାରିଲେ...

 

–ଆପଣମାନେ ଶେଷରେ ବାହାରିଲେ ?

 

ଓଢ଼ଣାତଳୁ ଥିରି ଥିରି ଭାଷ, ଆଖିପତା ତଳେ “ଏ କଅଣ ଗୋଟାଏ ସୁଆଙ୍ଗ ଲାଗିଛି”ର କୌତୁକ ନିର୍ଝର...

 

–ଆମେ ଚାନ୍ଦା ନେବାକୁ ଆସିଚୁଁ...

 

ଝିଅଟି ମାଈହାତୀଙ୍କ ଦ୍ଵାରା ଧରା ହୋଇ ଏବେ ନଗଦରେ ପଦାକୁ ବାହାରିଛି । ତା’ କଣ୍ଠ ଟାଣ ହୋଇନାହିଁ ।

 

–ଆପଣ ଦଶଟଙ୍କାର ଟିକିଟ କିଣନ୍ତୁ...

 

ନାକୀସ୍ଵର....

 

ଭଦ୍ରବ୍ୟକ୍ତି ପଚାରିଲେ–କିଛି ମନୋରଞ୍ଜନର ବ୍ୟବସ୍ଥା କରିଛନ୍ତି ?

 

–ହଁ–ଅଁ–ଅଁ

 

–କଅଣ ?

 

–ଆନନ୍ଦ ମେଳା...

 

ନିରାନନ୍ଦ ପଥିବ ଚାଲିଯାଏ ତା’ ରାସ୍ତାରେ...ମହାନନ୍ଦରେ ଥୋକେ ଏମିତି ମାତି ଉଠିଲେ ।

 

ଦଳ ଦଳ ପରପ୍ରାଣଚିହ୍ନାଳି ନାଟକ କରୁଛନ୍ତି । ଚିତ୍ରତାରକା ଆଣି ନଚାଉଛନ୍ତି । ପିଲାଏ ମୁଣି ଭର୍ତ୍ତିକରି ବୁଲୁଛନ୍ତି ।

 

ଟିକଟବିକା ଦୁଇଶ, ଫିମେଲ ଆର୍ଟିଷ୍ଟ ଭଡ଼ା ଶହେ ପଚାଶ, ନାୟକଙ୍କର ନୂଆ ହାୱନି ଓ ଜୋତାକିଣା ବାବଦ ତିରିଶ । ଆଉ ସବୁ ଖର୍ଚ୍ଚ ଯାଇ ବଳିଲା ନୂଆଁ ପଇସାଟିଏ.... ।

 

ମୂଳବସନ୍ତ ଗାଁର ମାଧବ ଜେନା ଯେପରି ଅନାଇଁ ବସିଥିଲା ଏକ ନୂଆ ପଇସାଟିଏ ପାଇଁ !

 

ଶହ ଶହ ମାଧବ ଜେନା, ଶହ ଶହ ଲବଣୀ, ଶହ ଶହ ପାଟ ଗାଈଙ୍କ ଆତ୍ମା କେଉଁଠି ଅଛି କେହି ଜାଣିଲେ ନାହିଁ ।

 

ସନ୍ଧ୍ୟା ନଇଁ ଆସେ । ଦେବାଳୟରେଆଳତି ନାହିଁ । ଈଶ୍ୱର କେଉଁଠି ଅଛନ୍ତି ବୋଲି ଖୋଜିଖୋଜିଲୋକ ଏବେ ବି ଖୋଜି ପାଉନି ।

 

ଏଇ ବୋଧହୁଏ ଈଶ୍ଵର...ଏଇ ଲୀଲାମୟ ଯେ କ୍ଷଣକ ଭିତରେ ସୃଷ୍ଟି କରନ୍ତି ମହାପ୍ଲାବନ...ମହାମୃତ୍ୟୁ... ପରମ ବିଲୟ; ଆଉ ସେଇଥିରେ ସେ ମହା ଆଶ୍ଵାସିତ ହୋଇ ସୃଷ୍ଟିର ଚକ ଘୂରାନ୍ତି ।

 

ଏତେ ଓଲଟପାଲଟ ପରେ, ଏତେ ବିଲୟ ପରେ ଗୋଟିଏ ଦରିଦ୍ର କୁଟୀରରେ ଦୁବଘାସ କେରାଏ, ଅକ୍ଷତ ତଣ୍ଡୁଳ ପୋଷେ, ଗୋଟିଏ ଘିଅଦୀପ ଧରିଉଭା ତରୁଣୀଟିଏ ମାଆର ଅଭ୍ୟର୍ଥନା ପାଇଁ ।

 

ମାଆ ଆସୁଛନ୍ତି । ଭଙ୍ଗାଗଢ଼ା, ସର୍ଜନ ବିସର୍ଜନ ପଥରେ ଜନନୀ ଆସୁଛନ୍ତି । ବରାଭୟକର ମୁଦ୍ରା ଧରି ।

 

ମାଧବ ଜେନା ନାହାନ୍ତି ସତ, ତାଙ୍କର ହାତ ସହସ୍ର ହାତ ହୋଇଛି । ଲବଣୀ ନାହିଁ ସତ; କିନ୍ତୁ ମାତୃପ୍ରତିମା ଆଗରେ ସର୍ବହରା ଓଡ଼ିଆ ପୁଣି ଲୋଟିଯାଇଛନ୍ତି ବେଦନାବିଦ୍ଧ ଅନ୍ତର ଓ ଅଶ୍ରୁସିକ୍ତ ଚକ୍ଷୁ ନେଇ ସେମାନଙ୍କ କଣ୍ଠରେ ଏଇ ପ୍ରାର୍ଥନା—କଲ୍ୟାଣ କର ମାଆ ! ତୁ ଯେତିକି ଭାଙ୍ଗୁଛୁ, ସେତିକି ଗଢ଼ିଦେ ମା ! ଆମେ ଅଧମ ସନ୍ତାନ ତୋର, ସୁଜନ ଓ ବିଲୟ ଭିତରେ ରହସ୍ୟ କଅଣ ଅଛି ଆମେ ବା କଅଣ ବୁଝିବୁ ?

 

ଶେଷରେ ଭଙ୍ଗା ଅଣ୍ଟା ଠିଆହେଲା । ଭଙ୍ଗା ଗୋଡ଼ ଚାଲିଲା । ଭଙ୍ଗା ମନ ଯୋଡ଼ିହେଲା-। ଭଙ୍ଗା ଘର ନୂଆ ସାଜିଲା ଭାଙ୍ଗି ଯାଇଥିବା ବିଶ୍ୱାସ ଫେରିଆସିଲା ।

 

ମାତ୍ର ଫେରିଲେ ନାହିଁ ସହସ୍ର ମାଧବ ଜେନା...ଶିଳ୍ପୀ ଓ ଗୃହସ୍ଥ ।

 

ଫେରିଲେ ନାହିଁ ସହସ୍ର ଲବଣୀ କନ୍ୟା, ମାଆ, ଗର୍ଭବତୀ ଜନନୀ ଓ ଆଗତ ଅନାଗତ ଶିଶୁସନ୍ତାନ ।

 

ମହାପ୍ଲାବନରେ ମହାଜୀବନର ଏଇ ଲୟ ପଙ୍କକୁ ଚନ୍ଦନ କରୁ...ସର୍ବହୃଦୟରେ ଆଶା ବିଶ୍ଵାସର ବନ୍ଦନ ରଚିତ ହେଉ ।

 

ମାଆର ଉଦୟୋତ୍ସବ ପରିପୂର୍ଣ୍ଣ ହେଉ।

Image

 

ହେ ଅରଣ୍ୟ, ହେ ମହାସାଗର

 

ସଂକଳ୍ପପାଠ ପରେ ହାତରେ ଡିଗ୍ରୀ–ପତ୍ରଖଣ୍ଡି ଧରି ମୁକୁଳ ଚାହିଁଲା ଚାରିଆଡ଼େ...ସମାବର୍ତ୍ତନ ଉତ୍ସବର ମଣ୍ଡପ, ଜନାକୀର୍ଣ୍ଣ ଭୂଖଣ୍ଡ । ବର୍ଷ–ବର୍ଷର ଅଧ୍ୟବସାୟ, ବର୍ଷ–ବର୍ଷର ଆଶା କାମନାର ବୃନ୍ତପୂର୍ଣ୍ଣ କୁସୁମଗୁଡ଼ିକ ଆଜି ସରସ ପ୍ରାଣମୟତାରେ ସ୍ପନ୍ଦିତ । ଆଗମୀକାଳର ଅନାଗତ ପଦସଞ୍ଚାର ଏଯାଏ ସମ୍ଭବ ହୋଇନାହିଁ । କିଏ ଜାଣେ କଅଣ ରହିଛି ଭବିଷ୍ୟତର କୁକ୍ଷି ଭିତରେ ।

 

ଶେଷ ହୋଇଛି ଉତ୍ସବ । କଳା ଚପକନ, କଳା ମଥାଭୂଷଣ ଧରି ଶତ ଶତ ତରୁଣୀ ଆଗକୁ ପାଦ ବଢ଼ାଇଛନ୍ତି । ପ୍ରତ୍ୟେକଟି ପଦକ୍ଷେପରେ ନିଶ୍ଚିତ ପୁରୁଷକାରର ବଜ୍ରଦୃଢ଼ ଭାବେ ହୁଏତ ଅଛି । ଫିଟିଯାଇଛି ଭାବୀ କଳ୍ପନାର ରଙ୍ଗମୟ ତୋରଣ । କିଏ କଅଣ କରିବ, କିଏ କଅଣ ହେବ, ଏସବୁର ବିଚାର ମନ ଭିତରେ କ୍ରମେ କୁଣ୍ଡଳୀ ପକାଉଛି ।

 

ମୁକୁଳ ସ୍ଥିର ନିଷ୍କମ୍ପ ଦୃଷ୍ଟିରେ ଚାହିଁଲା ଦୂରକୁ...ସେ ଦୂର କାହିଁ କେତେ ପ୍ରସାରୀ । ଆଉ ସେ ପଢ଼ିବ ? ନାଁ ରାଜନୀତି ? ନାଁ ବିବାହ ? ବୋଧହୁଏ ନାଁ; ତେବେ ଆଉ କ’ଣ ? ସର୍ଭିସ୍ ? ବାପା ବୋଉ ସେଇଆ ଚାହାନ୍ତି । ତା’ପରେ କୌଣସି ତରୁଣୀକୁ ଗୃହାଙ୍ଗନକୁ ଆଣି ପ୍ରତିବର୍ଷ ନବକଳେବରରେ ତା’ର ଶୋଣିତ ଶକ୍ତିକୁ ପରିସ୍ଫୁଟନ କରିବାକୁ ସେମାନେ ଚାହାନ୍ତି । କିନ୍ତୁ ?

 

–ନମସ୍କାର, ମୁକୁଳବାବୁ, ଅଭିନନ୍ଦନ ନିଅନ୍ତୁ ।

 

–ଓ, ସ୍ମୃତିରେଖା ! ଏ ବେଶରେ ତ ଖୁବ୍ ସୁନ୍ଦର ଦେଖାଯାଉଛ... ।

 

–ଆଉ ସୁନ୍ଦର କ’ଣ ମ ? ଛିଃ, ଉପର ତଳ ସବୁ କଳା–ଏଇ କଳାବେଶଧରି ଜୀବନଟାଯାକ କଳା ହୋଇଯିବ କି ?

 

ସ୍ମୃତିରେଖା ସତ କହିଛି । ଏ କଳା ଗାଉନ୍, ଏ କଳା ଶିରସ୍ତ୍ରାଣ ଜୀବନକୁ ସତେ କ’ଣ କଳା କରିଦେବ ?କାହିଁକି ଏ ଆଶଙ୍କା ସ୍ମୃତିରେଖାର ?

 

ବାପା ବିଭବଶାଳୀ ସଂଭ୍ରାନ୍ତ ଲୋକ; ଅଲିଅଳ ଝିଅ ସେ, ସୁବର୍ଣ୍ଣପୁରୀରସୁବର୍ଣ୍ଣ କନ୍ୟା । ଅପ୍ରାପ୍ତି ବୋଲି ତା’ର କିଛି ନାହିଁ । ହୁଏତ ତା’ର ମନର ମଣିଷ ତାକୁ ମିଳିଯିବ । ସ୍ମୃତି ସହିତ ପାଦ ମିଳାଇ ଜୀବନ–କୁଞ୍ଜ ଭିତରେ ଆଶ୍ରୟ ପାଇବାକୁ ମୁକୁଳ ଥରେ ଥରେ ଉତ୍ତପ୍ତ ହୋଇ ଉଠିଛି । ଆଜି କିନ୍ତୁ ତାକୁ ସମାବର୍ତ୍ତନର ସମାରୋହ ମଝିରେ ଶୁଭ୍ର–ଶଙ୍ଖ ଦେଖି ସେଥିରେ ଜଳଦାନ କରି ବିଶ୍ଵଦେବତା ଉଦ୍ଦେଶ୍ୟରେ ହାତ ଉଠାଇବା ପାଇଁ ସେ ଆତଙ୍କିତ ହୋଇପଡ଼ିଲା ।

 

–ମୁକୁଳବାବୁ, ଏତେ ନୀରବ ଯେ? କଅଣ ହୋଇଛି ?

 

–ନାଁ କିଛି ନୁହେଁ । ଭାବୁଛି, ଦରିଦ୍ର ବାପା–ମାଆଙ୍କ ପାଇଁ ଆଉ କି କର୍ତ୍ତବ୍ୟ ବାକି ରହିଲା । ଉଚ୍ଚଶିକ୍ଷା ପାଇଁ ସମ୍ବଳ ନାହିଁ । ବହୁକୁଟୁମ୍ବୀ ଘର । ହାତରେ ଏ ଡିଗ୍ରିପତ୍ରିକା ଝରାପତ୍ର ଭଳି ଲାଗୁଛି ।

 

–ଆସନ୍ତୁ, ଏକାଠି ଫଟ ଉଠାଇବା । ବାଃ, ଆଜି ଦିନର ସ୍ମୃତିକୁ ବାନ୍ଧିରଖିବାନି ? ଆସନ୍ତୁ ନା ?

 

ମୁକୁଳ ନିର୍ବାକ୍ । କହିଲା–ମୋ ସହିତ ତମେ ଫଟ ଉଠେଇବ ?

 

–ଆରେ ଆଚ୍ଛା ଲୋକ, ଆଉ କାହା ସଙ୍ଗେ ?

 

–କିନ୍ତୁ ସେଇଟା କଅଣ ସୁନ୍ଦର ହେବ ? ତୁମର ବାପା ମା’ ହୁଏତ କିଛି ମନ୍ତବ୍ୟ କରିପାରନ୍ତି । ମୁଁ ତାଙ୍କର ଅଜଣା ଅଶୁଣା ।

 

–ସୁବର୍ଣ୍ଣ ପଦକଟା ନେଲାବେଳେ ଆପଣଙ୍କୁ ବାପା ମାଆ ଦେଖିଛନ୍ତି । ତା’ପରେ ସେ ତାଙ୍କ ଭବିଷ୍ୟତ ଓ ମୋ ଭବିଷ୍ୟତ ଠିକ୍ କରିନେଇଛନ୍ତି ଏବଂ ତାଙ୍କରି ଇଙ୍ଗିତରେ ମୁଁ ଏ ମହତ୍ କାର୍ଯ୍ୟ ସାଧନ କରିବାକୁ ଯାଉଛି ।

 

–ମାନେ ?

 

–ମାନେ ଅତି ସ୍ପଷ୍ଟ । ଜାଣନ୍ତି, ଏ ଯେ ଜନତା କ୍ରମେ ମଉଳି ଯାଉଛି, ୟା’ ଭିତରେ ବାପା ମାଆ ବହୁତ ଅଛନ୍ତି । ସେମାନଙ୍କର ଆଖି ନଥିଲା ଉତ୍ସବ ଉପରେ, କାନ ଶୁଣୁ ନଥିଲା ବିଶିଷ୍ଟ ଅତିଥୀଙ୍କର ଭାଷଣ । ସେମାନେ କେବଳ ଖୋଜୁଥିଲେ କେତେଟା ଫାଷ୍ଟ କ୍ଳାସ ଏମ୍. ଏ. ଏବର୍ଷ ଉତୁରିଲେ । କେତୁଟା ଦ୍ଵିତୀୟ ଶ୍ରେଣୀ ଆଉ କେତେଜଣ ସୁନା ପଦକର ଅଧିକାରୀ । ତା’ଛଡ଼ା ତାଙ୍କ ଦେହ ବର୍ଣ୍ଣ ଯଦି କନକଶ୍ରୀ ଧରିଥାଏ, ତେବେ ତ ନଦୀ–ସାଗର ସଙ୍ଗମ ଘଟିଲା । ଗୋଟିଏ କଥାରେ ଏମାନେ ଝିଅଙ୍କ ପାଇଁ ଜ୍ୱାଇଁ ଖୋଜୁଥିଲେ । ଏଇ ଜାମାତା ଖୋଜିବା ବ୍ୟାପାରରେ ସମାବର୍ତ୍ତନ ଉତ୍ସବଟା ଗୋଟାଏ ପ୍ରଦର୍ଶନୀ ସ୍ଥଳ । ଆସନ୍ତୁନାଁ ଫଟଟାଏ ଉଠେଇନିଅ !

 

ମୁକୁଳ ଏ ତରୁଣୀର ପ୍ରେମହୀନ ହୃଦୟକୁ ଅବଲୋକନ କଲା । ସତେ କଅଣ ପ୍ରେମହୀନ ? ପିତାର ଆଜ୍ଞାବାହିନୀ ସ୍ମୃତିରେଖା ତା’ର କର୍ତ୍ତବ୍ୟ କରୁଛି ମାତ୍ର ।

 

ମୁକୁଳ ହସି କହିଲା–କିନ୍ତୁ ଏସବୁ କଥାରେ ତୁମ ମନର ଚଉଛକି ଉପରେ ଯାନବାହନ ଅତି ବେଶି ।

 

ସ୍ମୃତିରେଖା କଟାକ୍ଷ ହାଣି କହିଲା–ମୁକୁଳବାବୁ, ଏ ଜୀବନଟାକୁ ଠିକ୍ କହିଛନ୍ତି ଚଉଛକି-। ବାପା ମା କେବେ କେବେ ହାତ ଟେକି ଟ୍ରାଫିକ୍ ପୋଲିସ୍ ଭଳି ଯାନବାହନ ଅଟକାଇ ଦିଅନ୍ତି-। ଦେଖନ୍ତି ଝିଅପାଇଁ କେହି ଯାତ୍ରୀ ରହିଛି କି ନାହିଁ । ଟିକିଏ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ଝିଅର ଏ ବିଷୟରେ କିଛି ବକ୍ତବ୍ୟ ଅଛି ବୋଲି ।

 

ଦୁହେଁ ଚାଲୁଥିଲେ, କଥା କହୁଥିଲେ, ସମୟ ବି ତାଙ୍କ ସଙ୍ଗେ ସଙ୍ଗେ ଚାଲୁଥିଲା ।

 

ଭାରତବିଖ୍ୟାତ ବାରାଣସୀ ସହର । ତହିଁ ମଧ୍ୟରେ ବାବା ବିଶ୍ୱନାଥ ମନ୍ଦିର । ସେଦିନ ଥିଲା ମକର ସଂକ୍ରାନ୍ତି । ଧର୍ମପ୍ରାଣ ବ୍ୟକ୍ତିଙ୍କର ସମାଗମରେ ମନ୍ଦିରଟି ଉଛୁଳି ପଡ଼ୁଥିଲା । ଶିବଙ୍କର ଶକ୍ତିଲିଙ୍ଗ ଉପରେ ଅଜସ୍ର ବିଲ୍ଵଦଳମାଳା । ବଂ ବଂ ହରେ ହରେ ନାଦରେ ମୁଖରିତ ଏଇ ପୁରାଣପ୍ରସିଦ୍ଧ ଶିବ ନିଳୟର ପ୍ରବେଶପଥ ଉପରେ ଛିଡ଼ାହୋଇଥିଲେ ଜଣେ ମହିଳା । ହାତରେ ପୂଜାର ଡାଲା । ଅଳ୍ପ ଅବଗୁଣ୍ଠନବତୀ ଏଇ ରମଣୀ ଅଙ୍ଗରେ ଶୋଭା ପାଉଥିଲା ପୂଜାବସ୍ତୁ ।

 

ମନ୍ଦିର ପୂଜକ ଆଗରୁ ସତର୍କ କରିଥିଲେ, ସେଇ ଦିନଟିରେ ଶିବଦର୍ଶନ କରିବାକୁ ଭାରତବର୍ଷର ବହୁରାଜ୍ୟରୁ ଯାତ୍ରୀ ଆସୁଛନ୍ତି । ସ୍ଥାନୀୟ ଭକ୍ତମାନେ ଶୀଘ୍ର ପୂଜା ବଢ଼ାଇ ଚାଲିଯିବାକୁ ସେ ବାରମ୍ବାର ଅନୁରୋଧ କରିଥିଲେ ।

 

ଏହି ମହିଳାଟି ପୂଜକଙ୍କୁ ପୂଜାର ଥାଳି ବଢ଼ାଇ ଦେଇ ପଚାରିଲେ–

 

–ମହାରାଜ, ଏତେ ଲୋକ କାହିଁକି ଆସୁଛନ୍ତି ?

 

–ସରକାର ଏ ଦେଶର କେଉଁଠି କେଉଁଠି ଯୋଜନା ହେଉଛି ଜଣାଇବା ପାଇଁ ବହୁଆଡ଼ରୁ ଲୋକଙ୍କୁ ସ୍ୱତନ୍ତ୍ର ଟ୍ରେନରେଆଣୁଛନ୍ତି ।

 

ମହିଳା ସ୍ଥିର ହୋଇ ଦୁଇଦଣ୍ଡ କଅଣ ଭାବିଲେ । କହିଲେ–ମହାରାଜ, ଓଡ଼ିଶାରୁ କେହି ଆସିବେ ?

 

–ଓଡ଼ିଶା ? ଓ, ହାଁ…ଜଗନ୍ନାଥଧାମ…ନିଶ୍ଚୟ ଆସୁଥିବେ । କେତେ ଜଣ, ମୁଁ କହିପାରିବି ନାହିଁ ।

 

ଆଉ କିଛି ବୋଧହୁଏ ପଚାରିବାର ନଥିଲା । ଧୀରେ ଆଳତିଗନ୍ଧ ଆଘ୍ରାଣ କରି ମହିଳା ଜଣକ ଚାଲିଗଲେ ।

 

ପ୍ରାୟ ପାଞ୍ଚଶହ ଲୋକ ଦେବଦର୍ଶନ କରୁଛନ୍ତି । କାଶ୍ମୀର, ଆଣ୍ଡାମାନ, ସୌରାଷ୍ଟ୍ର, ବଙ୍ଗ, ଉତ୍କଳ–ସବୁଆଡ଼ୁ ଆସିଛନ୍ତି ଯାତ୍ରୀମାନେ ।

 

ଶିବଲିଙ୍ଗ ପାର୍ଶ୍ୱରୁ ଜନତା କ୍ରମେ ମଉଳିଆସିଲା ।

 

–ମୁକୁଳବାବୁ !

 

–କିଏ ?

 

ମୁକୁଳ ଦେଖିଲା ତା’ର ଚରଣଲଗ୍ନ ହୋଇ ଜଣେ ଅପରିଚିତା ରମଣୀ ବସିପଡ଼ିଛି । ସମସ୍ତଙ୍କ ଆଖି ଏଇ ଦୃଶ୍ୟ ଉପରେ–ଏ ନାରୀ କିଏ ?

 

ସହଯାତ୍ରୀ କେହି କହିଲେ–ଆଇୟେ କୃଷି–ପଣ୍ଡିତ୍ ମୁକୁଳ୍‍ବାବୁ, ହାମ୍ କୋ ବହୁତ୍ ବେଗେ ଘର୍ ଯାନେ ହୋଗା ।

 

ମୁକୁଳ ବିଚଳିତ ଭାବରେ ଉତର ଦେଲା–

 

–ହାଁ, ହାଁ, ଯାତା ହୁଁ, ଆପ୍ ଚଲିଏ । ମୁକୁଳ ମହିଳାକୁ ଉଠାଇ ଚମକି ପଡ଼ିଲା–ଏ ଯେ ସ୍ମୃତି !

 

–ସ୍ମୃତିରେଖା ! ତମେ ଏଠି ? ଦୁଇଧାର ପବିତ୍ର ଅଶ୍ରୁ ସ୍ମୃତିର ନେତ୍ରରୁ ଖସିପଡ଼ୁଥିଲା ସେତେବେଳେ ।

 

ସ୍ମୃତି ତା’ର ପ୍ରାର୍ଥନା ଜଣାଇଲା–ଟିକିଏ ନିରୋଳାକୁ ଆସ ।

 

ତା’ ପରେ ସେଇ କେତୋଟି କ୍ଷଣ ଭିତରେ ସ୍ମୃତିରେଖା ତା’ର ଜୀବନର ଆଦ୍ୟ ପ୍ରାନ୍ତ ଅଶ୍ରୁସ୍ରାବ ଭିତରେ ବର୍ଣ୍ଣନା କରିଗଲା । ବାରାଣାସୀରେ ତା’ର ସ୍ଥିତି ଶୋଭନୀୟ ନୁହେଁ–ଅନ୍ତତଃ ଲୋକେ ତାହା ଜାଣନ୍ତି । ତା’ର ଏତେ ଶିକ୍ଷା, ଏତେ ଆଶା ବିଶ୍ୱାସକୁ ଯେଉଁ ପୁରୁଷ ବିପର୍ଯ୍ୟସ୍ତ ଓ ଅଭିଶପ୍ତ କରିଦେଲା, ତାକୁ ସେ ଜୀବନାବଧି କ୍ଷମା କରିନାହିଁ । ଆଜି ସେ ପଥପ୍ରାନ୍ତର ଏକ ଶୁଷ୍କ ଦୁର୍ବା; ବୃନ୍ତଚ୍ୟୁତା...

 

ମୁକୁଳ ସ୍ତବଧ୍ । ଆଖି ଉପରେ ତା’ର ପ୍ରସାରିତ ହୋଇଗଲା ତାଅରି ହାତଗଢ଼ା ଦୁଇଶହ ଏକର ଜମି ଯେଉଁଥିରେ ସେ ଶସ୍ୟ ଫଳାଉଚି । କିନ୍ତୁ ଜୀବନରେ ସେ ଆଜି ନିଃସଙ୍ଗ । ଏଇ ଚରଣଲଗ୍ନା ଆଜି ତା’ର ସମସ୍ତ ସ୍ଵପ୍ନ ହରାଇଦେଇଛି । କି ବିଚିତ୍ର ସଂସାର ଏ...ସେ ଆଜି ଏକାକୀ । ନୀଡ଼ ରଚନା ତା’ର ଅପୂର୍ଣ୍ଣ । ଏଇ ସଦାହାସ୍ୟମୟୀ, ଲାସ୍ୟମୟୀ ସ୍ମୃତିରେଖା କେତେ ସୁବର୍ଣ୍ଣ ସ୍ୱପ୍ନରେ ବିଭୋର ହୋଇ ନ ଥିଲା । ଦେହ–ସର୍ବସ୍ଵ କୌଣସି ଆତତାୟୀ ପୁରୁଷ ନାରୀମନର ସହଜ ବିଶ୍ୱାସ ଭିତରେ ତାକୁ ଆଜି ବୃନ୍ତଚ୍ୟୁତ କରିଦେଇଛି; ଅଥଚ ଦେଇପାରିଲା ନାହିଁ ଆଉ କୌଣସି ସଙ୍ଗତି କି ମହାଦର୍ଶନ ।

 

ଯେଉଁ ଉଦାରବକ୍ଷା ଧରିତ୍ରୀକୁ ମୁକୁଳ ଆଲିଙ୍ଗନ କରି ସେଥିରୁ ରସ ସଞ୍ଚୟ କରୁଛି, ସେଇ ଧରିତ୍ରୀ ତାକୁ ଶିଖାଇଛି ଉଦାର ଓ କ୍ଷମାପ୍ରବଣ ହେବା ପାଇଁ ।

 

କ୍ଷଣକ ଭିତରେ ସେ ନିଷ୍ପତ୍ତି କରିଦେଲା । ବାପାଙ୍କୁ ପାଖକୁ ତାରବାର୍ତ୍ତା ଦେଲାସେ ବାରାଣସୀରୁ ବଧୂ ନେଇ ଘରକୁ ବାହୁଡ଼ିଯାଉଛି । ସବୁ ସମ୍ଭାରରେ ଶଙ୍ଖଧ୍ଵନି ଯେପରି ଉଛୁଳି ପଡ଼ିବ ତା’ର ଦ୍ୱାରଦେଶରେ ।

 

ମଧୁରାତ୍ରିର ପ୍ରାନ୍ତ ଯାମରେ ମୁକୁଳ ସ୍ମୃତିର ଗଣ୍ଡ ସ୍ପର୍ଶ କରି କହିଥିଲା “ମନେପଡ଼େ ଅତୀତଦିନର ସମାବର୍ତ୍ତନ ଉତ୍ସବ କଥା ? ତମେ କହିଥିଲ–ଛିଃ, ଉପର ତଳ ସବୁ କଳା । ଏଇ କଳା ବେଶ ଧରି ଜୀବନଟାଯାକ କଅଣ କଳା ହୋଇଯିବ କି ?

 

“କେତେ ଅଶୁଭ ଇଙ୍ଗିତ ସେଇ କଥାପଦକରେ ତୁମେ ସଞ୍ଚୟ କରି ନ ଥିଲ ! ଆଜି ତୁମର ସେ କଳଙ୍କିତ ଜୀବନକୁ ମୁଁ ଶୁଭ୍ର ପ୍ରେମଧାରାରେ ପୋଛିଦେଲି । ଏ ଜଗତରେ ମୁଁ କାହାକୁ ତୁଚ୍ଛ ଦେଖେ ନାହିଁ । ମୋ ଆଗରେ କେହି ପତିତ ପତିତା ନାହାନ୍ତି । ଏହା ବିଶ୍ଵବିଦ୍ୟାଳୟର ଶିକ୍ଷା ନୁହେଁ କି ସୁବର୍ଣ୍ଣ ପଦକର ଅଭିମାନ ଏଥିରେ ନାହିଁ । ଏହା ଜୀବନ–ଶିକ୍ଷା ।

 

“ନା–ନା, ମୋ ଗୋଡ଼ ଉପରେ ଢଳିପଡ଼ ନାହିଁ ସ୍ମୃତି । ଭାବ ନାହିଁ ମୁଁ କ୍ଷମାସାଗର, ଗୋଟାଏ ମହତ୍ କାର୍ଯ୍ୟ କରିବସିଲି । ମୁଁ ମଣିଷ, ମଣିଷଭାବରେ ମତେ ଗ୍ରହଣ କର । ଆସ, ମୋ ପ୍ରଶସ୍ତ ବକ୍ଷକୁ ଆସ । ତୁମର ଏଇଟା ହିଁ ନିରାପଦର ସ୍ଥାନ । ଭୁଲିଯାଅ ସେ କାଳ ଅତୀତକୁ । ଆଗାମୀ କାଳସ୍ରୋତରେ ପଦ୍ମ ଫୁଟାଇବାକୁ ସାହସ ରଖ ।

 

“ମୁଁ ଆଜି କୃଷି–ପଣ୍ଡିତ । ଦେଶ ଏହା ହିଁ ମତେ ନାମ ଦେଇଛି ବିଶ୍ଵବିଦ୍ୟାଳୟର ସ୍ଵର୍ଣ୍ଣପଦକଧାରୀ ମୁକୁଳ ଦାସ ନୁହେଁ । କୃଷିକୁ ଶେଷରେ ଜୀବନରେ ସାଧନା ଭାବରେ ଗ୍ରହଣ କରିଦେଲି । ମୁଁ ବଢ଼ାଇବି ଶସ୍ୟ, ତୁମେ ସେଥିରେ ବୁହାଇବ ରସଧାରା । ତୁମେ ବୃନ୍ତଚ୍ୟୁତ ନୁହଁ; ମୁଁ କରିଛି ଆହୁରି ମହିମାମୟଭାବରେ ତୁମକୁ ବୃନ୍ତଖଚିତ ।”

 

ସ୍ମୃତିରେଖା ଆଶ୍ରୟ ପାଇଥିଲା ମୁକୁଳର ପ୍ରଶସ୍ତ ବକ୍ଷ ଉପରେ ସେଇ ମୁହୂର୍ତ୍ତରେ... ।

Image

 

ପର୍ବତର ନାମ ପାହାଡ଼

 

ସରିତା ମତେ ଅପେକ୍ଷା କରି ରହିଥିଲା । ପ୍ରାୟାନ୍ଧକାର... ।

ତାଳବନ ଭିତର ସେଇ କ୍ୱାଟର । ରେଲୱେ ପ୍ଲାଟଫର୍ମର ଟିକିଏ ଦୂରରେ । ମୁଁ ଖୋଜି ଖୋଜି ଯାଇଥିଲି ।

ଅଖୋଜା ଜିନିଷ ସହଜେ ମିଳିଯାଏ । ଖୋଜିବା ଦୃଶ୍ୟ ଏତେ ଆୟାସହୀନ ଭାବରେ ପାଖକୁ ଆସେ ନାହିଁ ।

ଆଶ୍ଵିନର ରଙ୍ଗ ଲାଗିଛି ପତ୍ରକାନ୍ତିରେ । ଶ୍ୟାମ ଆଭାର ନରମ ବୈଦୂର୍ଯ୍ୟ ଦିଗନ୍ତରେ ଝରିଯାଉଛି ।

ଏକୁଟିଆ ସେ କ୍ୱାଟର । ମନେହେଉଥିଲା ତାଳବନଘେରା ସେଇ ଆବାସ ଅସମାପ୍ତ ରହସ୍ୟରେ ସତେ କି ବୁଡ଼ିରହିଛି ।

ଗୋଟିଏ ମାତ୍ର ଆଲୋକ ଜଳୁଥିଲା । କେଉଁଆଡ଼ୁ ରଶ୍ମି ଆସୁଥିଲା, ମୁଁ ଜାଣିପାରୁ ନ ଥିଲି । ସରିତା କହିଲା–ସେ ପ୍ରାୟ ଗବାକ୍ଷତଳେ ବସେ, ଆଲୋକ ସେଇଠି ଥାଏ ।

ଆଲୋକକୁ ଅନୁସରଣ କରିଯିବାର ମନୋବୃତ୍ତି ମୋର ନ ଥିଲା; ବରଂ ଅନ୍ଧକାରର ମସୀତଳେ ଯାହା ଆବିଷ୍କୃତ ହୁଏ, ସେଥିରେ ସତ୍ୟ ଥାଏ ବୋଲି ମୋର ହୃଦୟ ଜାଣେ–ଆଲୋକ ତ ସବୁବେଳେ ଆଲୋକିତ ।

 

ଏବେ ଦର୍ଶନ ବାଖାଣୁଛି । ସେତେବେଳେ କିନ୍ତୁ ମନପ୍ରାଣ ସରିତାକୁ ଆବିଷ୍କାର କରିବାକୁ ଦଉଡ଼ୁ ଥିଲା । ସରିତା କାହିଁକି ମତେ ଡାକୁଥିଲା, ମୁଁ ଜାଣି ନ ଥିଲି । ମାତ୍ର ସେ ଡାକିଥିଲା, ଆଖିରେ ଆଖି ନିମନ୍ତ୍ରଣ ଧରି । ମତେ ବୋଧହୁଏ ଡାକିଦେଇ ସରିତା ମନରେ ଅନାବନା ଭାବ ଆସିଥିବ । ହୁଏତ ଅନୁତାପ...

 

ଉତ୍ତାପ ଅନୁତାପ ବିଷୟରେ ମୁଁ ଭାବୁ ନ ଥିଲି । ଯାହା ଭାବୁଥିଲି ତାହା ସଂଖ୍ୟାର କଥା, ମୈତ୍ରୀର କଥା । ସରିତା, ତା’ର ବାପା, ମା, ଭାଇ, ଭଉଣୀ...

 

ଗେଟ୍ ବୋଲି କିଛି ନାହିଁ । ଗୋଟାଏ ସରୁ ରାସ୍ତା । ଦୁଇପଟେ ଯେତକ ଆବର୍ଜନା, ଗୁଳ୍ମଲତା । ତାଆରି ଭିତରେ ନିଃଶବ୍ଦରେ ପଥ ଦେଖି ଚାଲିଲି ।

 

ଏଇ କ୍ୱାଟର୍ ହୋଇଥିବ । ପାଖଆଖରେ ତ’ ଘର ନାହିଁ । ସରିତା କାଗଜଖଣ୍ଡକ ଉପରେ ଛକ କାଟି ଘରର ଅବସ୍ଥିତ ମତେ ବୁଝେଇ ଦେଇଥିଲା ।

 

ସେଇ ଆଲୋକ; ଠିକ୍ ଗବାକ୍ଷ ପାଖରେ ତାକୁ ଚାହିଁ ଚାହିଁ ମୁଁ ଟିକିଏ ଅନ୍ୟମନଷ୍କ ହୋଇଯାଇଥିଲି ।

 

–ଆସନ୍ତୁ !

 

ସରିତା ପ୍ରତୀକ୍ଷା କରି ଛିଡ଼ା ହୋଇଥିଲା ।

 

–ବାଟ ପାଇଲ ତ ? ଅନ୍ଧାର ଏତେ, ଟର୍ଚ୍ଚ ଖଣ୍ଡେ ବି ଆଣି ନାହାନ୍ତି ?

 

ସେ ଏକ ସଲ୍ଳଜ କୌତୁକରେ ଏ କ୍ୱାଟର୍‍ର ଗୋଟିଏ କରୁଣ ଅକଲ୍ୟାଣୀୟ ରୂପକୁ ଯେପରି ମନ୍ଥ ଦେବାକୁ ବସିଥିଲା ।

 

ଅକଲ୍ୟାଣୀୟ ରୂପ ? ବୋଧହୁଏ ତାହାହିଁ । ଗବାକ୍ଷତଳେ ଗୋଟିଏ ମାତ୍ର ରଶ୍ମିଦିପ୍ତ ଆଲୋକ ବ୍ୟତୀତ ଅନ୍ୟ କେଉଁଠି କିଛି ଜ୍ୟୋତି ନ ଥିଲା ।

 

ମୋ ମନ ଉଦାସ ହୋଇଗଲା । ବହୁ ଗୃହାଙ୍ଗନରେ ଅଭ୍ୟର୍ଥନାର ରଙ୍ଗ ଦେଖିଛି । କଳକାକଳିରେ ସମସ୍ତେ ଭାସିଆସନ୍ତି ଆଗନ୍ତୁକ ପାଖକୁ–ଶିଶୁ, ତରୁଣ, ତରୁଣୀ, ପିତା ଓ ଜନନୀ । ତା’ପରେ କାକଳି ସ୍ତିମିତ ହୋଇଆସେ । ଅତିଥି ହୁଏ ପୁରୁଣା ।

 

ବସିଲି ସେଇ ଗବାକ୍ଷତଳ ଆଲୋକ ପାଖରେ । ଗୃହଟି ଯଥାସମ୍ଭବ ପରିଷ୍କୃତ । ଶୀଢ଼ିଗୁଡ଼ିକ ବିନ୍ୟସ୍ତ ଭାବରେ ଲମ୍ବି ରହିଛି ଆଲନାରେ...ଗତିବିଧିରୁ ବୁଝିଲି ସବୁବେଳେ ପରିଧେୟର ଏ ଅଭ୍ୟାସ ନାହିଁ । ଆଜି ବ୍ୟତିକ୍ରମ ।

 

ଛୋଟ ଗୋଟିଏ ଟେବୁଲ୍ । ବହି ଖାତାପତ୍ର । ଟିକଟ କଲେକ୍ଟରର କଳା ପୋଷାକ ଓ ଟୋପି ଘର–କଣର ଗୋଟାଏ ଟ୍ରଙ୍କ ଉପରେ ପଡ଼ିରହିଛି । ଦୁଇଟା ଖେଳନା କାଚ–ଆଲମାରୀର କାଚ ସେପଟେ ରହିଛନ୍ତି । କେତେଟା କାଲେଣ୍ଡର–ପୁରୁଣା ନୂଆ ମିଶା । ଗୋଟାଏ ଦର୍ପଣ, ତା’ ଉପରେ ଶିଙ୍ଘପାନିଆ–କେତେଟା ଦାନ୍ତ ଭାଙ୍ଗିଗଲାଣି ।

 

ପାଣି ଗ୍ଲାସେ ଆଗରୁ ଥୁଆହୋଇଛି ଟେବୁଲ୍ ଉପରେ ।

 

ପାଖ ଘରୁ କିଏ ଜଣେ କାଶିଲେ । ସେ କାଶର ଲହରି ଅସରନ୍ତି । ସେ କାଶୁଥାନ୍ତି । ମନଟା ମୋର ବିକଳ ହୋଇଗଲା ।

 

ହଠାତ୍ ଦେଖିଲି ମୋ ପାଖକୁ ଘୁଷୁରି ଘୁଷୁରି ଗୋଟିଏ ନଅ ଦଶବର୍ଷର ପୁଅ ଆସୁଛି । ତା’ର ଗୋଡ଼ ଦୁଇଟି ଚଳତ୍‍ଶକ୍ତିହୀନ ।

 

“–କିରେ ଗୋପାଳ, ନମସ୍କାର କର ।”ମୁଁ ବସିବାଠାରୁ ଉଠିପଡ଼ିଲି । ମୋର କିମିତି ମନେହେଲା ସେଇ ବାତାୟନ ତଳ ଆଲୋକଟି ଥରିଉଠିଲା । ମୁଁ ଗୋପାଳକୁ ପ୍ରତିନମସ୍କାର କରି ତାକୁ ସ୍ପର୍ଶ କଲି ।

 

ସରିତା ଏ ଦୃଶ୍ୟ ପରେ ସହଜ ଭଙ୍ଗୀରେ କହିଲା–“ଗୋପାଳ” ଏମିତି ବସି ଘୁଷୁରି ଘୁଷରି ଯାଏ । ଆଗେ କଷ୍ଟ ହେଉଥିଲା, ଏବେ ଯନ୍ତ୍ରଣା ନାହିଁ । ତେବେ ସେ ଅବ୍‍ ନରମାଲ । କଥା କହେ; ମାତ୍ର ସ୍ପଷ୍ଟ ନୁହେଁ । ବୟସ ଦଶବର୍ଷ; ଦେଖୁଛନ୍ତି ତ ମଣିଷ ହୋଇ ବି ସେ ପଶୁ ଭଳି ଘୁଷୁରୁଛି ?”

 

ପଶୁ ?

 

ମୋର ଭିତରଟା ବେଦନାରେ ହାହାକାର କଲା ।

 

ସରିତା ଅବଲୀଳାକ୍ରମେ କହିଗଲା ତା’ର ଭାଇଟିର ଅବ୍‍ନରମାଲିଟିର କଥା । ମୋ ଭଳି ହଜାର ଜଣଙ୍କ ଆଗରେ ସେ ଏହି ପଶୁ ପରି ମଣିଷର କାହାଣୀ କହିଥିବ । ଦୁଃଖ ଏମିତି ସହନଶୀଳ ହୋଇଯାଏ, ହୁଏତ କେତେବେଳେ ବା କୌତୁକ ପର୍ଯ୍ୟାୟରେ ପଡ଼ିଯାଏ ।

 

ଜଣେ ଭଦ୍ରଲୋକ ଘର ଭିତରକୁ ଆସିଲେ । ମଇଳା ସାର୍ଟ । ପିନ୍ଧାଲୁଗା ଅପରିସ୍କୃତ । ମୁଣ୍ଡରେ ବୋଝେ ବାଳ ବିନ୍ୟସ୍ତ ଭାବରେ ରହି ନାହିଁ । ବ୍ୟକ୍ତି ଜଣକ ଭିତରକୁ ଆସି ମତେ ଦେଖି ସଙ୍କୋଚ କଲେ । ତାହା କ୍ଷଣକ ପାଇଁ ।

 

ସେ ସଙ୍କୋଚ ତୁଟିଗଲା । ସେ ହୋଃ...ହୋଃ...ହସି ସରିତାକୁ କହିଲେ–“ନାଃ, ହେଲା ନାହିଁ, ଆଉ ବି ହବ ନାହିଁ । ଏଣିକି ଟ୍ରେନ୍ ଚକତଳେ ଅବା ଝୁଲା ଦଉଡ଼ିରେ ।”

 

ସରିତା ଅସଂବୃତ ଭାବରେ ଯଥାଶକ୍ତି କଣ୍ଠକୁ ଉଚ୍ଚ କରି କହିଲା–“ମାମୁଁ, ଦେଖୁନ ଜଣେ ଭଦ୍ରଲୋକ ବସିଛନ୍ତି; କଅଣ ଏଣୁତେଣୁ ଗୁଡ଼ାଏ କହୁଛ ? ଯାଅ, ବୋଉ ଖୋଜୁଥିଲା । ଆଜି ଯଦି ନ ହୋଇଛି କାଲିକି ହେବ ।”

 

ମୁଁ କିଛି ବୁଝିପାରିଲି ନାହିଁ । ସରିତାକୁ ଅନାଇଁ ରହିଲି ।

 

ମାମୁଁ ଟିକିଏ ଉତ୍ତ୍ୟକ୍ତ ଭାବରେ କହିଲେ–“ହଁ, ସେ ଭଦ୍ରଲୋକ ମୁଁ ଜାଣେ; ମୁଁ ବି ଭଦ୍ରଲୋକ । ସେଥିପାଇଁ କହୁଛି ମୁଁ ଭଦ୍ରଭାବରେ ଜୀବନ ନେବି । ଏତେ ଚେଷ୍ଟା କଲି, ଚାକିରି ଖଣ୍ଡେ ମିଳିଲା ନାହିଁ । ସୁପାରିସ୍ ଜୋର୍ ମୋର ନାହିଁ, କପାଳର ବି ଜୋର୍ ନାହିଁ । ଚାକିରି ମିଳିବ କୁଆଡ଼ୁ ? ଏଇ ଘରେ–ଶୁଣୁଛନ୍ତି ଆଜ୍ଞା, ବର୍ଷ ବର୍ଷ କଟାଇଦେଇଛି, ଖାଉଛି ପିଉଛି; ଏମାନଙ୍କର ଗଳଗ୍ରହ ହୋଇଛି । ଆଉ କେତେ କାଳ ଏମିତି ନିର୍ଲ୍ଲଜ୍ଜ ଭାବରେ ଚଳିବି ? ତେଣୁ ମୁଁ କହୁଥିଲି...”

 

“ମାମୁଁ”....ସରିତା ଚିତ୍କାର କଲା । ତା’ର ଅଧର ଥରିଗଲା ।

 

ସରିତା ମୋ ପାଖେ ଆଉ ଗୋଟିଏ ଆସନରେ ବସିଯାଇ ମୋ ମନର ବିବ୍ରତ ଭାବକୁ ସ୍ନିଗ୍ଧ ଅରିବାକୁ ପ୍ରୟାସ କଲା ।

 

ମୋ ଆଗରେ ସେଇ ଆଲୋକ ଥିରି ଥିରି ଦୀପ୍ତି ଝରାଉଛି । ଦଶବର୍ଷର ପଙ୍ଗୁ କିଶୋର ବାଳକ ଘୁଷୁରି ଘୁଷୁରି ଚାଲିଗଲା । ଅଣ୍ଟାଠାରୁ ପାଦଯାଏ ନିର୍ଜିବ ନିରାସକ୍ତ ଶୁକ୍ଳ ମେଦାସ୍ଥ ମାଂସ ।

 

ଆଉ ସେଇ ଜ୍ୟେତି ତଳେ ଏଇ ମାମୁଁ–ରୂପକ ଜୀବ....ବେକାରର ଆତ୍ମପୀଡ଼ନ ଭାଷା ଓ ଭ୍ରାନ୍ତି ।

 

ସରିତା କହିଲା ଅଧରରେ ହସ ଟାଣି, “ଆପଣ କିଛି ଭାବନ୍ତୁ ନାହିଁ । ମାମୁଙ୍କର ଆବ୍‍ନରମାଲିଟି ପ୍ରାୟ ଏମିତି ରହିଛି । ଅବଶ୍ୟ ସେ ଚାକିରି ପାଉନାହାନ୍ତି; ତା’ ବୋଲି ଯେତେକ ଆଲକ୍ଷଣା କଥା...ମାନେ...”

 

ମୁଁ ସ୍ତବ୍‍ଧ । ମୋ ମୁହଁ ଉପରେ ଆଲୋକିତ ଅଂଶରେ ସରିତା ବୋଧହୁଏ କିଛି ଅଙ୍କନ ଖୋଜୁଥିଲା । କିଛି ଅଙ୍କନ ସେ ଦେଖିଥିଲେ ବିଚାରି ଆଶ୍ଵସ୍ତ ହୋଇଥାନ୍ତା; ମାତ୍ର ମୁଁ ନିରନ୍ଧ୍ର ଘନ ଏକ ପାଷାଣ ମୂର୍ତ୍ତି; ପ୍ରକାଶର ତରଙ୍ଗ ସେଠି ଆସିବ କୁଆଡ଼ୁ ?

 

କ୍ରମେ ସହଜ ଭାବ ଧରିଲି । ସରିତାକୁ ଚାହିଁଲି । ସ୍ଵାଭାବିକ, ସହଜ ସରିତା ସୁନ୍ଦରୀ ପର୍ଯ୍ୟାୟରେ ପଡ଼ିବ ନାହିଁ; ମାତ୍ର ତା’ର ବ୍ୟକ୍ତିତ୍ଵରେ ପାଛୋଟି ଆଣି ପୁଣି ନିରାସକ୍ତଭାବରେ ଫେରାଇଦେବାର ଗୋଟିଏ ଅବ୍ୟକ୍ତ ମାଧୁରୀ ଦେଖିଲି ।

 

ଜଣେ କିଏ ଦୂରରୁ ପାଟିକରି ଆସିଲା–“କମଳି ଅପା, ଗାଈଟାକୁ ବିକ୍ରି କରିଦେଲି । ଓଃ, ବାବାରେ...ଏତେ ଦିନେ ଗରାଖଟାଏ ଜୁଟିଲା । ନିଅ ରଖ ସତୁରୀଟଙ୍କା । ବାଛୁରୀଟାକୁ ବି ନେଲା । ନେଉ, ଜଞ୍ଜାଳ ତୁଟିଲା, ତା’ ସଙ୍ଗେ ବି’ ଟଙ୍କା ହାତକୁ ଆସିଲା । ଯାଏଁ, ଏକ୍ସ୍‍ପ୍ରେସ୍‍ ବେଳ ହେଲା ।”

 

କମଳି ଅପା କିଏସେ ମୁଁ ଜଣେନି । ସରିତା ଉଠିଗଲା । ଲୋକଟାକୁ ଚାହିଁ ଦେଖିଲି ରେଳ ଖଲାସୀ ଶ୍ରେଣୀର ଲୋକ । କଳାକନା ଚାଦର ମୁଣ୍ଡରେ ଠେକା କରିଛି ।

 

ସରିତା ଫେରିଆସିଲା । ମୁହଁରେ ତା’ର ଟିକିଏ କେମିତି ତୃପ୍ତିର ଆଭା ଖେଳିଗଲା ।

 

କହିଲା–“ଆମରି ଗାଈ ବିକିବାକୁ ପଡ଼ିଲା; କିନ୍ତୁ ଏଇସବୁ ଦୃଶ୍ୟ ସେ ଆଜି ଏଇ ମୁହୂର୍ତ୍ତରେ ଆପଣଙ୍କ ଆଖିରେ ପଡ଼ିବ, ମୁଁ ଜାଣି ନ ଥିଲି । ମାମୁ, ଗୋପାଳ, ଆଉ ଏ ଗାଈବିକା ।

 

ଟିକିଏ ପରେ ସେ ଆତ୍ମଚିନ୍ତନ କରି କହିଲା–“ଗାଈଟାର ବି ଆବନରମାଲିଟି ଥିଲା । ଓଲେଇ, କନ୍ଥାବାଡ଼ ଡେଇଁ ଏଣେତେଣେ ପଶେ, ତେବେ ବାନ୍ଧି ରଖିଥିଲେ ରହିଥାନ୍ତା–ଛାଡ଼ନ୍ତୁ ।”

 

–ସରି, ଇମିତ କଅଣ ଗପୁଥିବୁ ? ସେତେବେଳୁ ପୁଅ ବସିଛନ୍ତି, ମୁହିଁ ଧୋଇବାକୁ କହ-

 

ସବୁ ଜନନୀଙ୍କର ଏଇ ଆମୃତୋପମ ଭାଷା । ଏଇ ବୋଧହୁଏ ସରିତାର ମାଆ । ମୁଁ ଅଦୃଶ୍ୟ ରମଣୀର ମୁର୍ତ୍ତିକୁ ନମସ୍କାର କରି ।

 

ସରିତା ନେଇଆସିଲା ଗୋଟାଏ ଭରା ପ୍ଲେଟ୍‍ । ପ୍ଲେଟ୍‍ ସାଙ୍ଗେ ଘୁଷୁରି ଘୁଷୁରି ଆସିଲା ଗୋପାଳ । ମୁଁ ଆନନ୍ଦରେ ପ୍ଲେଟ୍‍ ରୁ ଗୋଟାଏ ମିଠା ଗୋପାଳକୁ ଖୁଆଇଦେଲି ।

 

କାଶର ଲହରୀ ପୁଣି ତେଜି ଉଠିଲା ! ଯନ୍ତ୍ରଣାଦାୟକ କାତରୋକ୍ତି ‘ମାଆ ସରି ।’ ମୁଁ ପଚାରିଲି–’କିଏ ?’ ସରିତା କହିଲା–“ବାପାଙ୍କର ବୋଉ, ବହୁ ଦିନରୁ ରୋଗରେ ପଡ଼ଛନ୍ତି–ଉଠିବସି ପରାନ୍ତି ନି ।”

 

ଖାଇବାର ସ୍ପୃହା ନ ଥିଲା । ମୁଁ ଫେରନ୍ତା ପଥ ଧରିଲି ।

 

ସେଇ ଗବାକ୍ଷ ତଳେ ଆଲୋକଟି ଜଳୁଥିଲା । ସରିତା ସରୁ ପଥ ଉପରେ ମୋ ପାଖେ ପାଖେ ଚାଲୁଥାଏ । ଥରେ ଛିଡ଼ା ହୋଇ ଯାଇ ପଚାରିଲା...

 

–“ଆଉ କେବେ ଆସିବେ ?”

 

ମୁଁ ନିରାସକ୍ତ ଭାବରେ କହିଲି–“ଆସିବ ।”

 

–“ମୁଁ ଯେ କିଛି ଆପଣଙ୍କ ସଙ୍ଗେ କଥାବାର୍ତ୍ତା କରିନି ।”

 

ମୁଁ କହିଲି–“ଆସିବ ଆଉ ଥରେ ।”

 

କିଛଦିନ ବିତିଯାଇଛି । ଘନ ନୀଳ ଆଶ୍ଵିନ ଦେଖାଦେଇଛି ଗଗନ ପଥରେ । ଖଣ୍ଡେ ଖଣ୍ଡେ ବାଦଲ ଭାସିଯାଉଛି ।

 

ଧରିଲି ସେଇ ଚିହ୍ନା ପଥ । ସେଇ ଆଲୋକ । ସରିତା ପ୍ରଥମଥର ଭଳି ପ୍ରତୀକ୍ଷା କରି ନ ଥିଲା । ସେଇ ଘରେ ବସିଲା ।

 

ସରିତାର ଦେଖା ନାହିଁ । ଦୁଇଖଣ୍ଡ ବହି ପଡ଼ିରହିଛି ଟେବୁଲ ଉପରେ ।

 

ଅବଗୁଣ୍ଠନବତି ଜଣେ ପ୍ରୌଢ଼ା ଭଦ୍ରମହିଳା ଆସିଲେ ଘର ଭିତରକୁ । ମୁଁ ତାଙ୍କୁ ପ୍ରଣାମ କଲି । ସେ ବୋଧହୁଏ ସରିତାର ମାଆ ।

 

ସେ କହିଲେ–

 

–“ସରିତା ଯାଇଛି ଟିଉସନ କରିବାକୁ । ଏଇକ୍ଷଣି ପହଞ୍ଚିଯିବ । ବସ ।”ସରିତା ଯେ ଟିଉସନ୍‍ କରେ ମୁଁ ଜାଣି ନ ଥିଲି । ମୋର ପ୍ରଥମଥର ଆସିବା ପରେ ବୋଧହୁଏ ସେ ଟିଉସନ୍‍ ଧରିଛି । ମନଟା ଉଦାସ ହୋଇଗଲା । ସରିତା ତାହାହେଲେ ଏ କଥା ମତେ ଲୁଚେଇଛି । କି ଦୁଃଖରେ ଏ ଟିଉସନ ?

 

କାନ୍ଥବାଡ଼ ଦରାଣ୍ଡି ଦରାଣ୍ଡି ଗୋଟିଏ ନାରୀ ସେଇ ଘର ଭିତରକୁ ପଶି ଆସିଲେ । ସରିତାର ମାଆ ତାଙ୍କୁ ଧରିପକାଇ କହିଲେ–

 

“ତମେ ପଡ଼ିଯିବ, ତମେ ଏଠିକି କାହିଁକି ଆସିଲ ? ହଉ, ଆସିଲ ଯଦି ବସ ।”

 

ଏ କିଏ ? ଚାହିଁ ଦେଖିଲି ଏକ ଯୁବତୀ । ଅଙ୍ଗର ସୌଷ୍ଠବ ଅନିନ୍ଦ୍ୟ । ମାତ୍ର ଏ କ’ଣ ? ଦୁଇଟିଯାକ ଆଖି ଅନ୍ଧ ।

 

ଅନ୍ଧ ତରୁଣୀ ଚଉକି ବାଡ଼ ଅଣ୍ଡାଳି ବସିପଡ଼ିଲେ । ସୁଗଠିତ କାନ୍ତି; କେବଳ ନେତ୍ରଦୁଇଟି ବ୍ୟତୀତ ପ୍ରତ୍ୟେକଟି ଅଙ୍ଗ ନିଟୋଳ । ଝଲମଲ ଯୌବନକାନ୍ତି ପରିପୂରର୍ଣ୍ଣତାରେ ଯେମିତ ଅସ୍ଥିର ।

 

ସେ ପ୍ରୌଢ଼ା ମହିଳା ମତେ ଇଙ୍ଗିତରେ ବୁଝାଇଲେ–“ମୋ ନଣନ୍ଦ, ଅନ୍ଧ । ଏବେ ଆସିଛନ୍ତି, ଏଇଠି ରହିବେ ।”ମୁଁ ବସିରହିଲି ସରିତାର ପଥକୁ ଚାହିଁ । ସରିତାର ମାଆ ଅନ୍ୟ ଘରକୁ ଚାଲିଗଲେ ।

 

ଏଇ ଅନ୍ଧୁଣୀ ଯୁବତୀଟି ବସି ରହିଲେ । ସମସ୍ତ ପରିମଣ୍ଡଳଟି ମତେ ଦୂର୍ବହ ବୋଧ ହେଲା । ଏ ଆବାସ କଅଣ ତେବେ ସର୍ବମୟ ପୀଡ଼ାର ଗୋଟାଏ ଅଭିଶପ୍ତ ସ୍ଥଳ ?

 

ଘୁଷୁରି ଘୁଷୁରି ଆସିଲା ଗୋପାଳ । ଚାହାଣିରେ ତା’ର ମୋ ପ୍ରତି ସ୍ନେହକମ୍ପନ; ମାତ୍ର ମୁଁ ଅନ୍ୟମନସ୍କ ରହିଥାଏ । କାହିଁ ଏପର୍ଯ୍ୟନ୍ତ ସରିତା ଫେରିଲା ନାହିଁ ? ମୁଁ ଚଞ୍ଚଳ ହୋଇଉଠିଲି ।

 

ଚକ୍ଷୁହୀନାର ବୋଧଶକ୍ତିରେ ମୋର ଚଞ୍ଚଳତା ବୋଧହୁଏ ଧରାପଡ଼ି ଯାଇଥିଲା । ସେ କହିଲେ–“ଆପଣଙ୍କୁ ସରିତା ଭାରି ଶ୍ରଦ୍ଧା କରେ; କିନ୍ତୁ ମୁଁହ ଖୋଲି କିଛି କହିପାରେନି ।”

 

ଆଶ୍ଚର୍ଯ୍ୟ ହେଲି । ବାହାରେ ଘନ ତମିସ୍ରା । ତା’ରି ଭିତରେ ଆଲୋକଦୀପ୍ତ ଅଦୁର ଷ୍ଟେସନ ପ୍ଲାଟଫର୍ମ । କେତେ ଲୋକଙ୍କର ଗମନାଗମନ । କିଏ ଦୂରକୁ ଯାଉଛି, କିଏ ପାଖକୁ ଆସୁଛି । ମିଳନ ବିରହର ଏ ସନାତନ ଦୃଶ୍ୟ...ସେଇଆଡ଼େ ଚାହିଁ ରହିଲି ।

 

ଉତ୍ସାହ, ପ୍ରୀତି ଓ ସଂଘର୍ଷକୁ ଭ୍ରୂକ୍ଷେପ ନ କରୁଥିବା ଭଙ୍ଗୀ ଘେନି ପଶି ଆସିଲା ସରିତା । ମତେ ଦେଖି ସେ ତଟସ୍ଥ ରହିଗଲା ।

 

–“ଆପଣ ?”

 

–“ହଁ ସରିତା, ମୁଁ କେତେବେଳୁ ଆସିଛି । କହିଥିଲି ଆସିବାକୁ । ୟାଙ୍କ ସାଙ୍ଗରେ ଦୁଇପଦ କଥାବାର୍ତ୍ତା ହୋଇଛି ।”

 

ଅଲକ୍ଷ୍ୟରେ ଦେଖିନେଲା ସରିତା–ମୋର ଜାଣିବାରେ ଆଉ କିଛି ବାକୀ ନାହିଁ ।

 

ମୁଁ କହିଲି–“ସରିତା, ତମେ ନିଜେ ପଢ଼ି ଟିଉସନ୍‍ କରୁଛ ! ଭଲ ପଢ଼ିପାରିବ ତ ?”

 

ଅଧୋବଦନା ସରିତାକୁ ଚାହିଁଲି; ସେ ଝାଉଁଳି ପଡ଼ିଛି । ବୁଝିଲି ସେ କାହିଁକି ତା’ର ଟିଉସନ୍‍ କରିବା କଥା ମୋ ପାଖରେ ଗୋପନ ରଖିଛି ।

 

କଥାର ମୋଡ଼ ଫେରାଇ ମୁଁ ଆରମ୍ଭ କଲି–“ଦେଖ ସରିତା, ଲାଜ କଥା ନୁହେଁ, ଟିଉସନ କରି କିଛି ଅର୍ଥ ଉପାର୍ଜ୍ଜନ କରିବା ଭଲ କଥା; ମାତ୍ର...”

 

ଅନ୍ୟ ଘରୁ ଚିତ୍କାର ଶୁଣିଲି...“କେହି କଅଣ ଡାକ୍ତର ଡାକିବ ନାହିଁ ? ମୁଁ ଏମିତି ମରିଯିବି-? ମୁଁ ମରିବାକୁ ଭୟ କରୁଛି । ସରିତା, ଡାକ୍ତର ଡାକି ଆଣିଲୁ ?”

 

ଏଇ ସେଇ ମାମୁ । ଜ୍ଵରରେ ବିଶେଷ କଷ୍ଟ ପାଉଛନ୍ତି । ଏ ଦୁଃଖାର୍ଣ୍ଣବ ଭିତରେ ସରିତା ବୋଧହୁଏ ଏକମାତ୍ର ନୌକା ଆରୋହିଣୀ ।

 

ନଅ ନମ୍ବର ସିଟ୍ ରେ ଆପତତଃ ବସିରହିଲି ।

 

ଟ୍ରେନ୍‍ ଖଡ଼ଗପୁର ଷ୍ଟେସନ୍‍ ଛାଡ଼ିଦେଲା । ଆଖି ଦୁଇଟି କ୍ଳାନ୍ତ ଓ କିଛିଦିନ ଯାବତ୍‍ ଅନିୟମ ଯୋଗୁଁ ଅବଶତାରେ ମୁଦି ହୋଇ ଆସୁଥାଏ; ମାତ୍ର ଦୁଇ ବିପୁଳକାୟ ମାରୁଆଡ଼ିଙ୍କର ମୃଦୁ ଅଙ୍ଗ ମଡ଼ାମଡ଼ିରେ ମୁଁ ମଧ୍ୟସ୍ଥଳରେ ରହି ଈଶ୍ୱରଙ୍କୁ ଡାକୁଥାଏ ‘ତ୍ରାହି ମଧୁସୂଦନମ୍‍ !’

 

ମୋ ଆଗରେ ସେଇ ଦେବଦୂତ ଉଭା ହୋଇ ମତେ ସଙ୍କେତ ଦେଲେ, ତାଙ୍କ ପଛରେ ଯିବାପାଇଁ; କହିଲେ–“ଚଉଦ ନମ୍ବର ଅପର ବର୍ଥ ଫାଙ୍କା ଅଛି, ଶୋଇପଡ଼ନ୍ତୁ । ପାହାନ୍ତାରେ ଦେଖା ସାକ୍ଷାତ୍‍-। ହଁ, ଶୋଇବା ପୂର୍ବରୁ ଟିକେଟ୍‍ ଭଡ଼ାଟା, ମାନେ ଏଇ ସ୍ଲିପିଂ ସୁବିଧା ପାଇଁ ଦେଇ ଦିଅନ୍ତୁ । ମୁଁ ସକାଳେ କାଟିଦେବି ।”

 

ମୁଁ ପରମ ପରିତୋଷ ସହକାରେ ବର୍ଥ ଉପରକୁ ଉଠିଗଲି ।

 

ଟିକେଟ୍ କଲେକ୍ଟର ମୋ ମୁହଁକୁ ଚାହିଁ ହସିଲେ । ଏଇ ଆଦର୍ଶ ଓ ପରୋପକାରୀ କର୍ମଚାରୀଙ୍କୁ ନୀରବରେ ମୁଁ କୃତଜ୍ଞତା ଜଣାଇଲି ।

 

ପ୍ରାଭାତିକ ଅରୁଣିମାନେ ଦିଗନ୍ତି ଉଜଳି ଉଠିଲା । ଜଣେ ବୈଷ୍ଣବ ଯାତ୍ରୀ ଭଜନ ଗାନ କଲେ ।

 

ମୁଁ ଚାହିଁ ଦେଖିଲି ଦୂରଦିଗନ୍ତକୁ । ବର୍ଥରୁ ଓହ୍ଲାଇ ଆସି ଗବାକ୍ଷ ନିକଟରେ ବସି ଦେବତାଙ୍କର ଅପୂର୍ବ ସୃଷ୍ଟିକୁ ନିରୀକ୍ଷଣ କଲି ।

 

କେତେ ଶ୍ୟାମ ଧାନ୍ୟ–ଶୀର୍ଷ ପ୍ରାନ୍ତର–କେତେ ପଲ୍ଲୀ, କେତେ ଧେନୁପଲ, କେତେ ଶାନ୍ତ ଶ୍ରୀମଣ୍ଡିତ...

 

–ଶୁଣନ୍ତୁ ।

 

–ଓ, ଆପଣ, ତିନିଟଙ୍କା ପଞ୍ଚସ୍ତରୀ ପଇସା ତ ଭଡ଼ା...ଟିକେଟ୍ କାଟି ଦିଅନ୍ତୁ । ଷ୍ଟେସନରେ ଓହ୍ଲାଇଲାବେଳେ ଦରକାର ହେବ । ଆପଣାଙ୍କୁ ଅଶେଷ ଧନ୍ୟବାଦ । କାଲି ରାତ୍ରିରେ ମୁଁ ତ ଟଙ୍କା ଦେଇଛି !

 

–ହିଁ ଦେଇଛନ୍ତି ।

 

–ବେଶ୍ ଟିକେଟ୍‍ କାଟନ୍ତୁ ।

 

ଟିକେଟ୍‍ କଲେକ୍ଟର ମୋ ଆଗରେ ଛିଡ଼ାହୋଇ ଦୁଇଥର ଢୋକ ଗିଳି ଗୋଟାଏ ବିଷର୍ଣ୍ଣତାର ଚାହାଣି ଢାଳି କହିଲେ...

 

–ଆପଣ ତ ବସିବା ପାଇଁ ରିଜର୍ଭ ସିଟ୍ କରି ଆଣିଛନ୍ତି ?

 

ମୁଁ କହିଲି–ହଁ...

 

–ସେଇଟାକୁ ଦେଖାଇ ଦେଲେ ଆପଣ ଷ୍ଟେସନରେ ଛାଡ଼ ପାଇଯିବେ ।

 

–କିନ୍ତୁ ମୁଁ ଯେ ଅଧିକା ଟଙ୍କା ଦେଲି ?

 

ଟିକେଟ କଲେକ୍ଟରଙ୍କ ମୁହଁରେ ବିଭୀଷିକାର ଛାୟା । ତଥାପି ବୋଧହୁଏ ଅଭ୍ୟାସ ବଶରୁ ଟିକିଏ ସତେଜ ଭାବ ଦେଖାଇ କହିଲେ...

 

–ଏଇ ଦେଖନ୍ତୁ, ମିଛରେ ଆଉ ଟିକେଟ୍ କାଟିବେ କାହିଁକି । ମୁଁ ବରଂ ସେ ତିନିଟଙ୍କା ପଞ୍ଚସ୍ତରୀ ପଇସାରୁ ପଞ୍ଚସ୍ତରୀ ପଇସା ଫେରାଇ ଦେଉଛି ।

 

ମୁଁ ଦୃଢ଼କଣ୍ଠରେ କହିଲି–ଏହାର ଅର୍ଥ ?

 

ସେ କହିଲେ–ଅର୍ଥ ଆଉ କଅଣ ? ଆପଣ ତ ଶୋଇକରି ଆସିଛନ୍ତି ଆରାମରେ...

 

ମୁଁ ବୁଝିଗଲି । ମୁଁ ସହସା ଚିତ୍କାର କଲି–“ତା ମାନେ ଆପଣ ତିନୋଟି ଟଙ୍କା ଆତ୍ମସାତ୍; ଏ ଦୁର୍ନୀତି...ଦୁର୍ନୀତି...”

 

ପାହାନ୍ତି ନିଦରେ ଘାରି ହୋଇ ଯାଇଥିବା କେତେଜଣ ଯାତ୍ରୀ ମୋ ଚିତ୍କାରରେ ଉଠିପଡ଼ିଲେ... । ବ୍ୟାପାରଟା ସେମାନଙ୍କୁ ବୁଝିବା ପାଇଁ ବିଳମ୍ବ ହେଲା ନାହିଁ; ଯେମିତି ଏଇଟା ତାଙ୍କର ଅତି ପରିଚିତ ଦୃଶ୍ୟ ।

 

ଜଣେ କେହି କହିଲେ–“ଓ ମଶାଏ, ସାହୁ ବାବୁ ଟିକେଟ୍‍ କଲେକ୍ଟର, ଓନାର ଏଟା ପେଶା–ଛେଡ଼େଦିନ୍‍ ମଶାଏ, କତଟା ବା ଟାକା...ବେଚାରା ବଡ଼ ଅଭାବଗ୍ରସ୍ତ...ଆପନି ଚଲେଯାନ୍‍...ଓ ହମେସାଇ ହୁଏ.... ।”

 

ମୋ ଭିତରର ଗୋଟାଏ ନୀତିବୋଧ ମତେ ପାଗଳ କରିଦେଇଥାଏ । ସାହୁବାବୁ ? ଅଭାବଗ୍ରସ୍ତ ? ମାତ୍ର ଏ ଯେ ଅନ୍ୟାୟ ! ନୀରବରେ ଅନ୍ୟାୟକୁ ମଥା ପୋତିଦେବା ଆହୁରି ସାଂଘାତିକ ଅନ୍ୟାୟ !

 

ଟିକେଟ କଲେକ୍ଟର୍‍ ବାଥ୍‍ରୁମ୍‍ ଭିତରେ ସେତେବେଳକୁ ପଶିଯାଇଥିଲେ ।

 

ବ୍ୟାଗ୍‍ରୁ ଖଣ୍ଡେ କାଗଜ କାଢ଼ି ମୁଁ ଲେଖିବସିଲି, ଏଇ ଦୁର୍ନୀତିପରାୟଣ ରେଲୱେ କର୍ମଚାରୀ ବିରୁଦ୍ଧରେ ଅଭିଯୋଗ । ଏଭଳି କର୍ମଚାରୀକୁ ତୁରନ୍ତ କାର୍ଯ୍ୟରୁ ବରଖାସ୍ତ କରିବାକୁ ମୁଁ ପ୍ରାର୍ଥନା କଲି ମୋ ଦରଖାସ୍ତରେ ।

 

ଖୋରଧାରୋଡ଼ ଷ୍ଟେସନ...ବେଶ୍‍ ଖରା ପଡ଼ିଆସିଛି । ମୁଁ ପ୍ରସ୍ତୁତ ହୋଇଗଲି ପୋଲିସ୍‍ ଷ୍ଟେସନ୍‍ କୁ ଯିବାପାଇଁ । ଅନ୍ତର ଭିତରେ ଆହ୍ଲାଦର ବେଗ ମୁଁ ଅନୁଭବ କରୁଥାଏ, କିଛି ଗୋଟିଏ ବିହିତ କାର୍ଯ୍ୟ କରୁଛି ବୋଲି ।

 

ହଠାତ୍‍ କେଉଁଠୁ ଆସି ମୋ ବାଟ ଓଗାଳି ଛିଡ଼ା ହୋଇଗଲେ ସେଇ ମିଷ୍ଟର ସାହୁ ଟିକେଟ କଲେକ୍ଟର । ଧୀରେ ହସି ସେ କହିଲେ–

 

“ଆପଣ ଖୁବ୍‍ ରାଗିଯାଇଛନ୍ତି ନାଁ ? ଚାଲନ୍ତୁ ଭିତରକୁ ସେଇ କଣ ସିଟ୍‍ କୁ, ଚିକିଏ ଆଳାପ କରିବା । ଏଠି ମୁହଁ ଧୋଇବେନି ? ଚାହା ମଗାଇ ଦେଉଛି...”

 

ମୁଁ କ୍ରୋଧରେ ଫେରିଆସିଲି ସେଇ କ’ଣ ସିଟ୍‍ କୁ ଏବଂ କହିଲି...

 

–ଏ ଘୋର ଅନ୍ୟାୟ ।

 

ଟିକେଟ୍‍ କଲେକ୍ଟରଙ୍କର ମୁହଁ ଶୁଷ୍କ, ପାଣ୍ଡୁର ବର୍ଣ୍ଣ । ସେ ହସ ଆଉ ନାହିଁ, ଯେଉଁ ହସରେ ସେ ଇଚ୍ଛା କରିଥିଲେ ମତେ ବଶୀଭୂତ କରି କଥାଟାକୁ ଲଘୁ କରିଦେବେ ।

 

ସେ ଗୋଟିଏ ଟଙ୍କା ମୋ ହାତକୁ ବଢ଼ାଇଦେଲେ ଏବଂ ଧୀର କଣ୍ଠରେ କହିଲେ–“ଆଉ ଦୁଇଟିଟଙ୍କା ମୁଁ ଭିକ୍ଷା ମାଗି ନେଉଛି ।”

 

ଭିକ୍ଷା ? ମୁଁ ସ୍ତବ୍ଧ ହୋଇଗଲି ।

 

ମୁଁ ପୁଣି ଦୃଢ଼କଣ୍ଠରେ କହିଲି–“ମିଷ୍ଟର ସାହୁ ! ମୁଁ ଜଣେ ଗେଜେଟେଡ଼୍‍ ଅଫିସର । ଏଇ ରିପୋର୍ଟରେ ମୁଁ ଆପଣଙ୍କ ବିରୁଦ୍ଧରେ ଦୁର୍ନୀତିର ଅଭିଯୋଗ ଲେଖି ପୋଲିସ୍‍ ଷ୍ଟେସନକୁ ଯାଉଛି । ଏହାର ଫଳ କ’ଣ ହେବ ଆପଣ ଅନୁମାନ କରିପାରୁଛନ୍ତି କି ?”

 

ମୁଁ ରାଗରେ ଥରୁଥାଏ ।

 

ପୌଢ଼ ଟିକେଟ୍‍ କଲେକ୍ଟର ଥକ୍କା ହୋଇ ବସିପଡ଼ିଲେ ମୋ ପାଖରେ...ଜୀବନର ସମସ୍ତ କାଳିମା ତାଙ୍କର ଯିମିତ ଏଇ ମୁହୂର୍ତ୍ତରେ ତାଙ୍କ ମୁହଁ ଉପରେ ବୋଳି ହୋଇଗଲା ।

 

ମୋ ହାତ ଦୁଇଟିକୁ ଧରି କହିଲେ–“ମୁଁ ବଡ଼ ଅଭାବଗ୍ରସ୍ତ ସାର୍‍...ନିଅନ୍ତୁ ଆପଣଙ୍କ ଦୁଇଟିଟଙ୍କା । ମତେ କ୍ଷମା କରିବେ ।”

 

ସେତେବେଳକୁ ତାଙ୍କ ଆଖି ଦୁଇଟିରେ ଲୋତକ ଜମି ଆସିଥିଲା । ସେ ପୁଣି ଅନୁନୟ କରି କହିଲେ–“ୟେସ୍‍, ପନିଶ୍‍ ମି (Yes, punish me) । ମାତ୍ର ଏଇ ଦୁଇଟି ଟଙ୍କାରୁ ମୁଁ ଆଠଅଣା ସଞ୍ଚୟ କରି ରଖିଥାନ୍ତି ମୋର ଅନ୍ଧ ଭଉଣୀର ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ; ଆଉ ଆଠଅଣା ବ୍ୟୟ କରିଥାନ୍ତି ବୁଢ଼ୀ ମାଆର କାଶ ଆଉ ଶ୍ଵାସ ବେମାରି ପାଇଁ ଔଷଧ କିଣିବାରେ; ଆଉ ଆଠଅଣାରେ ମୋର ପଙ୍ଗୁ ପୁଅକୁ ଆନନ୍ଦ ଦେବା ପାଇଁ କିଛି ଜିନିଷ କିଣି ଦେଇଥାନ୍ତି; ବାକୀ ଆଠଅଣାରେ...”

 

ମୁଁ ଗଦ୍‍ ଗଦ୍‍ କଣ୍ଠରେ ଅଶ୍ରୁସିକ୍ତ କୋହ ମିଶ୍ରିତ ଭାଷାରେ ପଚାରିଲି...

 

–“ଅବଶିଷ୍ଟ ଆଠଅଣାରେ କେତେଦୂର ଆପଣ ସରିତାର ବେକାର ମାମୁର ଭରଣପୋଷଣ କରିବେ ? ଆଉ ସେ ପଇସାର କେତେ ଅଂଶରେ ସରିତା ଯେ ନିଜକୁ ଅନ୍ୟର ଦ୍ଵାରରେ ବିକିଦେଇଛି–ଟିଉସନ କରୁଛି–କେତେ ମାତ୍ରାରେ ତାକୁ ଶାନ୍ତି ଦେବେ କହନ୍ତୁ ?”

 

ସେ ସ୍ତବ୍ଧ ବିସ୍ମୟରେ ମୋ ଆଡ଼କୁ ଚାହିଁ ରହିଗଲେ । ତାଙ୍କର ନେତ୍ର ପଲକହୀନ ।

 

ମୋ ଆଖି ଜଳଭରା ।

 

ତାଙ୍କ ଆଖି ବିସ୍ମୟ ଭୀତିରେ ପଥହରା । ଭୀତିମିଶ୍ରିତ କଣ୍ଠରେ ସେ କେବଳ କହିଲେ...

 

–“ଆପଣ ?”

 

ବକୁଳବନ ଛାୟା ପାଖଦେଇ ଟ୍ରେନ୍‍ ଗତି କରୁଥାଏ ସେତେବେଳେ...ସାକ୍ଷିଗୋପାଳ । ଏଇଠି ଦିନେ ମୁକ ସାକ୍ଷୀରୂପେ ଛିଡ଼ା ହୋଇଗଲେ ପ୍ରଭୁ ବଂଶୀଧର ଗୋଟାଏ ଦୁଃସ୍ଥ ବ୍ରାହ୍ମଣର ଭ୍ରାନ୍ତିବିଳାସ ଦେଖି ।

 

ଭ୍ରାନ୍ତି...ଭ୍ରାନ୍ତି...ଭ୍ରାନ୍ତି !

 

ସରିତାର ସେଇ ନିଷ୍ଠାନିବିଷ୍ଟ ରୂପଟି ମୋର ଜଳସ୍ନାତ ନେତ୍ର ଦେଇ ଭାସି ଚାଲିଗଲା ।

 

ମୁଁ ମର୍ମଦଗ୍‍ଧ ଓ ଆହତ ଅବସ୍ଥାରେ ସେଇ ଅବିଚାର ଓ ଅଭିଯୋଗର ରିପୋର୍ଟଟିକୁ ଟିକି ଟିକି କରି ଚିରି ସକାଳର ଶୀତଳ ପବନ ଭିତରକୁ ଉଡ଼ାଇଦେଲି ।

 

ଭାବି ଆଶ୍ଚର୍ଯ୍ୟ ହେଲି ପର୍ବତ ଓ ପାହାଡ଼ ଭିନ୍ନ ଥିଲେ ବି ପର୍ବତର ନାମ ପାହାଡ଼ । ଏ ସତ୍ୟ କଅଣ ସନାତନ ନୁହେଁ ।

Image

 

ପିତୃପୁରୁଷ ଜବାବ ଦିଅ

 

ମଝି ରାତିରେ ପଦ୍ମଚରଣଙ୍କର ନିଦ ଭାଙ୍ଗିଗଲା । ସେ ଦୁଃସ୍ଵପ୍ନ ଦେଖୁଥିଲେ । ପ୍ରଦୀପ ଜଳେଇଲେ । ମୁହଁରେ ଥଣ୍ଡା ପାଣି ଛାଟିଲେ । ହରିନାମ ସ୍ମରଣ କଲେ ।

 

ପଦ୍ମଚରଣ ଏକ ଗ୍ରାମର ଗ୍ରାମବାସୀ । ଏତେ ସେତେ କିଛି ସେ ବୁଝନ୍ତି ନାହିଁ । ବିଲ ଅଛି, ହଳ ଅଛି, ଚଳିଯାନ୍ତି ଦୁଃଖେ କଷ୍ଟେ ।

 

ମାତ୍ର ସେ ସୁଖୀ ନୁହନ୍ତି । କିଏ ବା ଏକାଳେ ସୁଖୀ ଅଛି ? ନାଁ, କଥାଟା ତା’ ନୁହେଁ । ସେ ଥିଲେ ଗାନ୍ଧିବାଦର ଲୋକ । ଅହିଂସା ଅସହଯୋଗ ଆନ୍ଦୋଳନରେ ନୀରବ ସୈନିକ ଭାବରେ ସେ ଯୋଗ ଦେଇଥିଲେ ।

 

ଏ ଦେଶରେ ଜନସୁମାରି ଚାଲିଛି । ଭାରି ଅଟୋପରେ ଏ କାମ ହୁଏ । ପୁରୁଷ ଗଣାଯାଆନ୍ତି, ନାରୀ ଗଣାଯାଆନ୍ତି । ନିଷ୍କର୍ମା, ଅକର୍ମା, ଭିକାରି, ପଙ୍ଗୁ, ବାଚାଳ କେହି ଗଣନାରୁ ବାଦ୍‍ ଯାଆନ୍ତି ନାହିଁ ।

 

ମାତ୍ର ବାଦ୍‍ ଯାଆନ୍ତି ଗୋଟାଏ ଶ୍ରେଣୀର ଲୋକ । ସେମାନେ ସ୍ୱରାଜ ରଥ–ଦଉଡ଼ିରେ ପ୍ରଥମେ ହାତ ଦେଇ ଚକ ଗଡ଼େଇଥିଲେ । ତାଙ୍କ ହାତ ଫୋଟକାର କଳା ଚିହ୍ନ ଏବେ ବି ଛାଡ଼ିଯାଇନି । ତାଙ୍କ ଗୋଡ଼ ଓଡ଼ିଶାର ନଈ, ନାଳ, କେଦାର, ହାଟ, ଘାଟ ସର୍ବତ୍ର ପଡ଼ିଛି । ସେହିଭଳି ଲୋକ ଭିତରୁ ପଦ୍ମଚରଣ ବଞ୍ଚିରହିଛନ୍ତି ସ୍ଵାଧୀନ ଦେଶରେ ଘିଅ, ମହୁ ଚାଷ ଦେଖିବାକୁ-

 

ଏ ଚାଷ ହେଉଛି । ପରିପୂର୍ଣ୍ଣ ଭାବରେ ଏ ଚାଷ ହେଉଛି । କିନ୍ତୁ କେତେବେଳେ ଘିଅ ମହୁ କେଉଁଠି ବୋହି ଆସୁଛି, ତାହା ପଦ୍ମଚରଣ ଜାଣିପାରୁ ନାହାନ୍ତି ।

 

ଦୁଃସ୍ୱପ୍ନର ବିଭୋର ଭାବ ଏ ଯାଏ କଟିନାହିଁ । ନୀଳାଭ ଆକାଶତଳେ ସିନ୍ଦୂରା ଫାଟି ଆସିବାକୁ ବେଶି ବିଳମ୍ୱ ନାହିଁ । ପଦ୍ମଚରଣ ଚକ୍ଷୁ ମୁଦ୍ରିତ କରି ପ୍ରାର୍ଥନା କଲେ ।

 

ତାଙ୍କ ଜୀବନକୁ ମୃତ୍ୟୁ ଆଘ୍ରାଣ କରି ଯାଇଛି । ସ୍ଵାଧୀନ ଦେଶର ସ୍ଵାଧୀନ ମୃତ୍ୟୁ । ମନେପଡ଼େ ସେଇ ଏକ ବର୍ଷାମୁଖର ସନ୍ଧ୍ୟାର କଥା ।

 

କଥାବାର୍ତ୍ତା ହେଉଥିଲେ ଦୁହେଁ । ଟିପି ଟିପି ବର୍ଷାର ରାଗିଣୀ ତଳେ କେତେ ପାସୋରା ଅପାସୋରା ସ୍ମୃତିର ଝଲକ ରତ୍ନା ଓ ପଦ୍ମଚରଣଙ୍କ ହୃଦୟକୁ ବିମଥିତ କରୁଥିଲା ।

 

ସେ ସନ୍ଧ୍ୟା ଗତ ହୋଇଯାଇଛି । ମାତ୍ର ବଞ୍ଚିରହିଛନ୍ତି ପଦ୍ମଚରଣ ସେ ବିପୁଳ କ୍ଷତକୁ ଆଉଁସି ତାରି ଉପରେ ଅଶ୍ରୁ ଝରାଇବାପାଇଁ ।

 

–ହଇଓ ଶୁଣୁଛ, ପେଟଟା କାହିଁକି ଓଲଟି ପଡ଼ୁଛି; ମୁଁ ବାରିଆଡ଼ୁ ଆସେ ।

 

–ମୁଁ ତମ ସଙ୍ଗରେ ଯାଏ । ଅନ୍ଧାର ହୋଇଛି । ଲଣ୍ଠନଟା ନେଇ ଯାଉଛି ଚାଲ ।

 

–ନାଇଁ ମ, ଆଲୁଅଟା କଅଣ ନେଇଯିବ ? ମୁଁ ଏକା ଯିବି । ତମେ ପୁଅ ପାଖରେ ଥାଅ-

ପାରିବାରିକ ଏକ ସାଧାରଣ ଚିତ୍ର । ରତ୍ନା ଚାଲିଗଲା ବାରିଆଡ଼କୁ ।

ପଦ୍ମଚରଣ ପୁଅ ପାଖରେ ବସି ରହିଲେ । କୋଳର ପୁଅ; କିନ୍ତୁ ଅସ୍ଵାଭାବିକ ଭାବରେ ରତ୍ନା ବାରିଆଡ଼ୁ ଆସିବାକୁ ଡେରି କଲା ।

ପଦ୍ମଚରଣ ଉଠିଗଲେ, ଫେରି ଆସିଲେ ରତ୍ନାକୁ ଧରି । ରତ୍ନାର ସଂଜ୍ଞା ନାହିଁ ।

ସହର ପାଖ ଗାଁ । ଶଗଡ଼ ସଜିଲ କରି ରୋଗିଣୀକୁ ଆଣିଲେ ପଦ୍ମଚରଣ ବଡ଼ ଡାକ୍ତରଖାନାକୁ ।

ଡାକ୍ତର ଦେଖିଲେ, ହସିଲେ, କହିଲେ–“କେଉଁ ଜାଗାକୁ କାହାକୁ ଆଣୁଛ ? ନର୍ସ ଜ୍ୟୋତ୍ସ୍ନା ଦେଖିଲ, କେବେ ଏ ଲୋକଗୁଡ଼ାଙ୍କର ଅକଲ ହେବ ? ଆହେ ବାବୁ ୟାକୁ କଲେରା ଧରିଛି । କଲେରା ହାସପାତାଳକୁ ଯାଅ । ସରକାର କଲେରା ରୋଗୀପାଇଁ ସ୍ଵତନ୍ତ୍ର ଡାକ୍ତରଖାନା କରିଛନ୍ତି । ସେଇଠି ଆଡ଼ମିଶନ୍‍ କରିଦିଅ । ଚାଲ ଜ୍ୟୋତ୍ସ୍ନା, କଫି ଥଣ୍ଡା ହୋଇଗଲା । କି ଦୁର୍ଯ୍ୟୋଗ-!”

ପଦ୍ମଚରଣ ମାଇଲିଏ ବାଟରେ ସହରରେ ଉପାନ୍ତରେ ଥିବା ଡାକ୍ତରଖାନାକୁ ରତ୍ନାକୁ ଶଗଡ଼ରେ ପକାଇ ନେଲେ ।

ସେଠାର ଡାକ୍ତର ଏକ ତରୁଣ । ପୂର୍ବ ଡାକ୍ତର କେବଳ ହସିଥିଲେ, ଏ ଡାକ୍ତର ଅଟ୍ଟହାସ୍ୟ କରି ଗଗନ ପବନ କମ୍ପାଇ ଦେଲେ । ସେତେବେଳେ ସେ ବନ୍ଧୁମେଳରେ ଥିଲେ ।

ପଦ୍ମଚରଣ ମିନତି କଲେ । ଖଦଡ଼ ଚାଦର ତଳୁ ଦୁଇଟି ଶିରାଳ ହାତ ତାଙ୍କର ବାହାରି ଆସି ସ୍ଵାଧୀନ ଦେଶର ସ୍ଵାଧୀନ ଚିକିତ୍ସକଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲା ।

–କଅଣ ହୋଇଛି ?

–ମୋର ସ୍ତ୍ରୀର ଝାଡ଼ାବାନ୍ତି...

–ଦେଖେ ।

ଡାକ୍ତର ଦେଖିଲେ । କଅଣ ସେ ଦେଖିଲେ ସେ ଜାଣନ୍ତି । ପାଞ୍ଚ ହାତ ଦୂରରୁ ଶଗଡ଼ ସହିତ ରତ୍ନାର ପିଣ୍ଡଟାକୁ ସେ ଦେଖିନେଲେ । ତା’ ପରେ ହୋ’ ହୋ’ ହସିଲେ ।

ସ୍ଵାଧୀନ ଦେଶରେ ସ୍ଵାଧୀନ ହସ ଏତେ ଚିତ୍ତହର, ସେ କଥା ପଦ୍ମଚରଣ ଅବାକ୍‍ ହୋଇ ସେଇ ଦିନ ଅନୁଭବ କଲେ ।

“–କିରେ ମଧୁଆ, ଅଣ୍ଡାଭଜା ଆସିଲା ? ଆପଣ ଛିଡ଼ା ହେଲେ କାହିଁକି ? ଏ ରୋଗୀର ତ ଏଠି ଆଡ଼ମିଶନ୍‍ ହେବନି, ଏହାର ଡାଇରିଆ ହୋଇଛି । ବଡ଼ ଡାକ୍ତରଖାନାକୁ ନେଇ ଯାଆନ୍ତୁ । ସରକାର ପ୍ରତ୍ୟେକ ରୋଗପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।”ଏତକ କହି ତରୁଣ ଡାକ୍ତର ବନ୍ଧୁମେଳକୁ ଫେରିଗଲେ ।

 

ପଦ୍ମଚରଣଙ୍କ ଖଦଡ଼ ଉତ୍ତରୀୟ ଥରି ଉଠିଲା । ଏଇଭଳି ଉତ୍ତରୀୟକୁ ପାଣିରେ ଓଦା କରି ସେ ହଇଜା ମଳୁ ମୁହଁରେ ଚିପୁଡ଼ିଛନ୍ତି । କେବେ କେବେ ଚାଦର ଖଣ୍ଡିକ ଦେହ ଉପରୁ ଅପସରେଇ ଆଣି ରୋଗୀ ଉପରେ ଘୋଡ଼ାଇ ଦେଇଛନ୍ତି । ସେ ଅତୀତର ଘଟଣା ।

 

ଅନୁକମ୍ପାର କମ୍ପନ ସେତେବେଳେ କଂଗ୍ରେସକର୍ମୀ ପଦ୍ମଚରଣଙ୍କର ନଖରୁ ଶିଖା ପର୍ଯ୍ୟନ୍ତ ଥରାଇ ଦେଇଥିଲା । ତା’ଛଡ଼ା ଆଦର୍ଶ ଥିଲେ ଗୋପବନ୍ଧୁ ଓ ଆଚାର୍ଯ୍ୟ ହରିହର ।

 

ପଦ୍ମଚରଣ ବୁଝିପାରିଲେ ନାହିଁ ସେ ଏ ପରିସ୍ଥିତିରେ କଅଣ କରିବେ । ପୁଣି ମାଇଲିଏ ବାଟ ଯାଉ ଯାଉ ରତ୍ନା କଅଣ ବଞ୍ଚିବ ?

 

ମାତ୍ର ସରକାରୀ ବିଧାନରେ ଏ ହାସପାତାଳରେ ରତ୍ନାର ସ୍ଥାନ ନାହିଁ ।

 

ପଦ୍ମଚରଣ ଫେରିଯାଇ ପୂର୍ବର ବଡ଼ ଡାକ୍ତରଖାନାର ଡାକ୍ତରଙ୍କୁ ନିବେଦନ କଲେ, “ରତ୍ନାର ଜୀବନ ରଖ–ଡାଇରିଆ ହେଉ ବା କଲେରା ହେଉ, ଗୋଟିଏ ସ୍ଥାନ ଠିକ୍‍ କରିଦିଅ–ଯେଉଁଠି ଟିକିଏ ଶାନ୍ତିରେ, ଯେଉଁଠି ମଣିଷର ମରଣ ଭଳି ମରଣରେ ରତ୍ନା ସ୍ଵର୍ଗକୁ ଚାଲିଯିବ ।”

 

ନ ହେଲା । ଡାକ୍ତର କହିଲେ ଏପରି ଅନିୟମ କାମ କଲେ ତାଙ୍କର ଚାକିରି ଓ ଉନ୍ନତି ଉପରେ ବାଧା ଆସିବ । ଅତଏବ ଏ ରୋଗିଣୀ ହଇଜାରେ ଆକ୍ରାନ୍ତ ହୋଇଥିବାରୁ ତାର ଚିକିତ୍ସା ହଇଜା ଡାକ୍ତରଖାନାରେ ହେବା ନିୟମସିଦ୍ଧି ।

 

–ମାତ୍ର...

 

–ମାତ୍ରଫାତ୍ର କିଛି ନାହିଁ । ଆପଣ ତାକୁ ନେଇଯାଆନ୍ତୁ ହଇଜା ଡାକ୍ତରଖାନାକୁ ।

 

–ନେଇଥିଲି ।

 

–ଆଉ ଥରେ ନେଇଯାନ୍ତୁ, till she dies.

 

ଶଗଡ଼ ଯେତେବେଳେ କଲେରା ଚିକିତ୍ସାଳୟକୁ ପୁଣି ଆସେ, ତା’ ଉପରେ ପ୍ରାଣହୀନ ରତ୍ନାର ପିଣ୍ଡ ପଡ଼ି ରହିଥିଲା । ଦୁଇଟା ଡାକ୍ତର ତା’ର ଜୀବନକୁ ଗୋଟାଏ ମାଟିର ଖେଳଣା ଭଳି ଖେଳି ଖେଳି ଶେଷରେ ଭାଙ୍ଗିଦେଲେ ।

 

ସେଇ ସନ୍ଧ୍ୟାର କଥା ମନେ ପଡ଼େ ପଦ୍ମଚରଣଙ୍କର । ତାଙ୍କର ମଇଳା ଖବଡ଼ ଧୋତି ଅଗ କୁଞ୍ଚରେ ସେ ପୋଛି ଆଣିଲେ ତାଙ୍କ ଆଖି ଦୁଇଟିକୁ ।

 

ଆଜି ଶାସନ ପରିଷଦ ରହିଛି । ଦୂରକୁ ଭାରି ସମ୍ଭ୍ରାନ୍ତ; ଭାରି ନିର୍ମଳ । ମଣିଷର ହୃଦୟ ପରିବର୍ତ୍ତନ ପାଇଁ ଏ ଦେଶରେ ଏପର୍ଯ୍ୟନ୍ତ ଘାସ ବି ସଫା ହୋଇନାହିଁ । ସେଠାରେ ଜାତୀୟତାବୋଧର ପ୍ରାସାଦ ତିଆରି ହେବ କେବେ ?

 

ମଣିଷର ଜୀବନକୁ ସମ୍ମାନ କରିବାର ବେଦମନ୍ତ୍ର ଏ ଯାଏଁ ଯେଉଁଠି ଓକାରି ଉଠିନାହିଁ; ସେଠି ମଣିଷକୁ ଗୋଟାଏ ସାମ୍ରାଜ୍ୟ ଦେଇଦେଲେ ବି ସେ ଦୁର୍ଦ୍ଧର୍ଷପ୍ରଭୁ ଦେବ ସିନା; ଶାନ୍ତ ସୁକୋମଳ ମିତ୍ର ମାନବ ତ ହୋଇ ପାରିବ ନାହିଁ ?

 

ରତ୍ନା ଛାଡ଼ିଯାଇଥିବା କୋଳର ପୁଅକୁ ବକ୍ଷ ଉପରେ ତୋଳି ଧରି ପଦ୍ମଚରଣ ଗାନ୍ଧିବାଦର ସମର୍ଥକ ଓ ସାଧକ ପଦ୍ମଚରଣ ପୁଣି ଅଣ୍ଟା ସଳଖ କରି ଛିଡ଼ାହେଲେ । ଭାବିଲେ ଆଗ ଦେଶ, ପଛେ ବ୍ୟକ୍ତି । ବ୍ୟକ୍ତିର ଦୁଃଖ ଆଗରେ ଦେଶର ସମୃଦ୍ଧି ବେଶୀ ପ୍ରୟୋଜନ ।

 

ଗୁଡ଼ାଏ ଆଦର୍ଶର ବୋଲି ଅଭ୍ୟାସଗତ ଓ ରୁଚିଗତ ହୋଇ ଯାଇଥିବାରୁ ପଦ୍ମଚରଣ ଯୌବନ କାଳର ଦେଶାତ୍ମବୋଧକୁ ପୁଞ୍ଜି କରି ପଡ଼ି ରହିଲେ ସେଇ ତିମିରେ । ସେ ଅନ୍ଧକାର ଅପସୃତ ହେଲା ନାହିଁ । ସେ ଖୋଜିଲେ ନାହିଁ ସିମେଣ୍ଟ, ସେ ଖୋଜିଲେ ନାହିଁ ବ୍ୟବସ୍ଥାପକ ସଭା, ସେ ଖୋଜିଲେ ନାହିଁ ଲୁହାର ଏକଚାଟିଆ ବ୍ୟବସାୟ, ସେ ଦଉଡ଼ିଲେ ନାହିଁ ତୀର୍ଥସ୍ଥଳକୁ ଯେଉଁଠି ବହୁ ତୀର୍ଥଳାକ ମୁକ୍ତି ପାଉଛନ୍ତି କେବଳ ସ୍ତୁତି, ସ୍ତବ ଓ ବାକ୍ୟରେ ।

 

ପୁଅ ବଢ଼ିଲା । ମା, ଛେଉଣ୍ଡ ପୁଅର ସମସ୍ତ ବିକଳତା ସତ୍ତ୍ଵେ ସୁଶାନ୍ତ ବଢ଼ିଲା । ପଦ୍ମଚରଣ ତା’ର ଭବିଷ୍ୟତ କଥା କିଛି ଭାବିଲେ ନାହିଁ । ରତ୍ନା ଥିଲେ ଭାବିଥାନ୍ତା । ସେ ତ’ ନାହିଁ । ନିରଙ୍କୁଶ ନିର୍ଭାବନାରେ ପଦ୍ମଚରଣ କେବଳ ସୁଶାନ୍ତ ଆଡ଼େ ଅନାଇଁ ଦୃଷ୍ଟିକୁ ଅଶ୍ରୁସ୍ନାତ କରୁଥିଲେ ।

 

ମନେପଡ଼େ ସେଇଦିନ ସକାଳୁ ସକାଳୁ ମେଘୁଆ ଆକାଶ ଗୋଟାଏ ଭୀତଗ୍ରସ୍ତ ଲୋମଶ ପଶୁ ଭଳି ଶୋଇ ରହିଥାଏ । ସୂର୍ଯ୍ୟ ଉଠି ନ ଥିଲେ । ଗୋଟାଏ କିମିତି ଅପରିଷ୍କୃତ ଉଦାସ ଭାବ ପଦ୍ମଚରଣଙ୍କୁ ଜଡ଼ କରି ଦେଇଥିଲା ସେଦିନ ।

 

ସପ୍ତମ ଶ୍ରେଣୀର ଛାତ୍ର ସୁଶାନ୍ତ । ସ୍ତ୍ରୀଙ୍କର ଦେହାନ୍ତ ଦିବସ । ପଦ୍ମଚରଣ ଏଇ ଦିନଟିକୁ ପ୍ରତିବର୍ଷ ଶ୍ରଦ୍ଧାର ସହିତ ପାଳି ଆସୁଛନ୍ତି ।

 

ବିଶେଷ କିଛି ନାହିଁ । କେବଳ ଜନନୀର ଚିନ୍ତନ, ପତ୍ନୀର ସ୍ମୃତି । ସୁଶାନ୍ତ ହାତ ଯୋଡ଼ି ବସେ, ମାଆକୁ ସ୍ମରଣ କରେ । ଠିକ୍‍ ସ୍ପଷ୍ଟ ଭାବରେ ସେ କିଛି ଦେଖିପାରେ ନାହିଁ । ବାପାଙ୍କଠାରୁ ଶୁଣେ, ଲବଣ ସତ୍ୟାଗ୍ରହର କଥା । ଦାଣ୍ଡି ପଦଯାତ୍ରା ପରେ ବାପାଙ୍କର କାରାବରଣ । ଅସହନୀୟ ଅତ୍ୟାଚାରରେ ସୁଦ୍ଧା ବାପାଙ୍କର ଅଚଳ ଓ ଅଟଳ ଦେଶପ୍ରୀତିର କଥା । ଏସବୁ ଶୁଣେ–ଶ୍ରଦ୍ଧା ଓ ଭକ୍ତିର ସହିତ ବାପାଙ୍କୁ ନମସ୍କାର କରେ ।

 

ଆଜି ସେଇ ଅଶ୍ରୁପୂତ ଦିନଟି ଆସିଛି । ରତ୍ନାର ସାମ୍ବତ୍ସରିକ ଶ୍ରାଦ୍ଧ ଦିବସ । “ସୁଶାନ୍ତ, ଚଞ୍ଚଳ ଚାଲିଆସିବୁ ଶିକ୍ଷକଙ୍କୁ କହି, ଆଜି ତୋ’ ମାଆର ଶ୍ରାଦ୍ଧ ଦିନ ।”ପଦ୍ମଚରଣ ପୁଅର ମଥା ସ୍ପର୍ଶ କରି ଏତକ କହିଲେ ।

 

ଯଥାରୀତି ସୁଶାନ୍ତ ଚାଲିଗଲା ସ୍କୁଲକୁ । ଯଥାରୀତି ବିଦ୍ୟାଳୟରେ ପାଠ ଆରମ୍ଭ ହେଲା-

 

ମୃତା ପତ୍ନୀର ଶ୍ରାଦ୍ଧ ପାଇଁ ଉପକରଣ ସଜାଉଥିଲେ ପଦ୍ମଚରଣ । ଖଣ୍ଡିଏ ନୂଆ ଖଦଡ଼ ଲୁଗା ସେ ପିନ୍ଧିଛନ୍ତି । ପୁଅ ପାଇଁ ରଖିଛନ୍ତି ଆଉ ଖଣ୍ଡେ ।

 

ଅକସ୍ମାତ ମନ ତାଙ୍କର କାହିଁକି ଅଶାନ୍ତି ହୋଇ ଉଠିଲା–ସେ ସ୍ଥିର ରହିପାରିଲେ ନାହିଁ । ପୁଅକୁ ଡାକି ଆଣିବାକୁ ନିଜେ ଚାଲିଆସିଲେ ସ୍କୁଲଆଡ଼େ ।

 

ସ୍କୁଲ ଲୋକାରଣ୍ୟ । ଛାତି ଫଟାଇ ଲୋକେ ଚିତ୍କାର କରୁଛନ୍ତି । ଚାହୁଁ ଚାହୁଁ ଆଠଗୋଟି ଶିଶୁର ଶବ, ଆଠଗୋଟି ସ୍ତବକିତ ପୁଷ୍ପ, ଆଠଗୋଟି ସମ୍ଭାବନାପୂର୍ଣ୍ଣ ଜୀବନର ହଠାତ୍‍ ସମାପ୍ତି...କେହି କିଛି ବୁଝି ପାରିଲେ ନାହିଁ । ଦର୍ଶକ ଭିତରୁ ଅନେକେ ପାଗଳ ଭଳି ହୋଇଗଲେ ।

 

ହସି ହସି ଜାତିର ଏଇ ନିଷ୍ପାପ ସନ୍ତାନମାନେ ଶିକ୍ଷକଙ୍କ ହାତରୁ ଗ୍ରହଣ କରିଥିଲେ ଖାଦ୍ୟ,–ଦୁଧ !

 

ପଦ୍ମଚରଣ ସୁଶାନ୍ତକୁ ଚିତାରେ ଶୁଆଇ ଦେଇ କେବଳ ଚିତ୍କାର କରୁଥିଲେ–“ହେ ପିତୃପୁରୁଷ, ଏ ସବୁ ମୃତ୍ୟୁର ଜବାବ ଦିଅ । ସୁଶାନ୍ତ ମଲା, ତା’ର ଜବାବ ଦିଅ । ରତ୍ନା ଚାଲିଗଲା, ତା’ର ଜବାବ ଦିଅ । ସ୍ୱାଧୀନ ଦେଶରେ ଅପକର୍ମ ପ୍ରବଳ ହେଉଛି । କାହିଁକି ହେଉଛି ତା’ର ଜବାବ ଦିଅ । ଏ ଜବାବ ତୁମକୁ ଦେବାକୁ ପଡ଼ିବ । କାରଣ ତୁମେ ଯେଉଁ କାର୍ଯ୍ୟ କରି ଅମର ହୋଇଗଲ, ସେହି କାର୍ଯ୍ୟ କରିବା ବାହାନାରେ ତୁମରି ବଂଶଧର କଅଣ କରୁଛନ୍ତି ? ପିତୃପୁରୁଷ, ତୁମକୁ ଉତ୍ତର ଦେବାକୁ ପଡ଼ିବ–ଜବାବ ଦେବାକୁ ପଡ଼ିବ ।”

 

ପ୍ରତିବେଶୀ ଶ୍ୟାମାଚରଣ ଦୁର୍ଗତ ପଦ୍ମଚରଣକୁ ଧରି ବାଟ ଦେଖାଇ ଆଣିଲେ ଜାତୀୟ ତ୍ରିରଙ୍ଗା ପତାକାର ସ୍ତମ୍ଭତଳକୁ । ସେଠି ପଦ୍ମଚରଣ ଛିଡ଼ା ହେଲେ ।

 

ମନକୁ ମନ ପଚାରିଲେ–ପତାକା ଠିକ୍‍ ବନ୍ଧା ହୋଇଛି ତ ? ଠିକ୍‍ ଉଡ଼ୁଛିତ ? ତଳକୁ କେଉଁ ରଙ୍ଗ ରହିଛି ?

 

ପ୍ରତିବର୍ଷ ଏଇ ଶୋଭା ଚାଲିଛି । ଆନ୍ତରିକତାହୀନ ବାଣୀ–ବିନ୍ୟାସରେ ମହାସ୍ଵାର୍ଥପରବ୍ୟକ୍ତି ବି ଆଜି ଗଦ୍ ଗଦ୍ କଣ୍ଠରେ ‘ବନ୍ଦେ–ମାତରଂ’ କହୁଛି ।

 

ପାରାବତ ଉଡ଼ି ଯାଉଛନ୍ତି ପୋଷା ପାରାବତ । ସୁନୀଳ ଆକାଶରେ ସ୍ୱଚ୍ଛ ସୁନ୍ଦର ତେଜୀୟାନ ସୂର୍ଯ୍ୟ କ୍ରମେ ଦିକ୍‍ମେଖଳା ଛାଡ଼ି ଉଠିଆସୁଛନ୍ତି ।

 

ସବୁ ହୁଏତ ପରିଷ୍କାର, ସବୁ ନିର୍ମଳ; ମାତ୍ର ମଣିଷର ଅନ୍ତର ? ଯାହାକୁ ଘେନି ମଣିଷ ଗର୍ବ କରେ, ତା’ର କି ଅବସ୍ଥା ? କିଏ ଜବାବ ଦେବ ତା’ର, କି ଅବସ୍ଥା ?

 

ଯେଉଁମାନେ ଗତାୟୁ ସେଇ ପିତୃପୁରୁଷମାନେ ଏହାର ଜବାବ ଦିଅନ୍ତୁ ।

 

ପଦ୍ମଚରଣ ଚାହିଁ ରହିଲେ ଧୀର ସ୍ଥିର ଭାବରେ ଦୂର ଭବିଷ୍ୟତକୁ–ସେ ଯେ କେତେ ଦୂର, କେଉଁ ଦିଗନ୍ତ... ।

Image

 

Unknown

ଛାଗମାଂସ ଓ ମାଗୁର ମତ୍ସ୍ୟ

 

ନା ଆପଣାମାନେ ଏଥିରୁ ବୁଝନ୍ତୁ ନାହିଁ ଯେ ଜଗଦ୍ଧାତ୍ରୀ ଜନନୀ ଦୁର୍ଗାଙ୍କର ଆଗମନୀ ଉତ୍ସବ ପାଇଁ ମୁଁ ଛାଗମାଂସ ଓ ମାଗୁର ମତ୍ସ୍ୟର ବଳିଭୋଗ ଆୟୋଜନରେ ବ୍ୟସ୍ତ ରହିଛି ।

 

ମାଆ ଆସୁଛନ୍ତି ସତ; ଦିଗ୍‍ଦିଗନ୍ତରେ ତାଙ୍କର ସ୍ଵର୍ଣ୍ଣ ଚେକାଞ୍ଚଳର ଲହରୀ ଖେଳିଯାଉଛି-। ଆଉ ତାଙ୍କ ଆସିବାପୂର୍ବରୁ କଟକ ସହର, ଯେଉଁଠି ତାଙ୍କର ମୃଣ୍ମୟ ବିଗ୍ରହକୁ ଶିଳ୍ପୀ କେତେ ଆୟାସରେ ସୁନ୍ଦର କରି ଫୁଟେଇଥାଏ, ସେହି ସହରରେ ଏ ବର୍ଷ ବହୁତ ପଙ୍କ, କାଦୁଅ, ପାଣି ଜମିରହିଛି । ମାଆ ବୋଧହୁଏ ଭାବିଲେ, ଏଥର ହଜାର ହଜାର ମୂର୍ତ୍ତି ଆବାହନ ଭିତରେ ସେ ଆସିବେ । ପାଣି, କାଦୁଅ, ପଙ୍କର ଯିମିତି ଅଭାବ ନ ପଡ଼େ, ତାଆରି ବ୍ୟବସ୍ଥା କରିଦେଲେ-। ଜନନୀ ତ ସବୁ ଜାଣିପାରନ୍ତି । ସନ୍ତାନମାନଙ୍କର ଦୁଃଖ ବୁଝିଲେ । କଟକ ସହରକୁ ସିନ୍ଧୁରେ ପରିଣତ କଲେ ।

 

ନାଁ, ମୁଁ ସେ କଥା କହୁନାହିଁ । ବର୍ଷକ ପରେ ଦଶଭୁଜା ଦେବୀ ମଙ୍ଗଳବେଦୀକୁ ଆସୁଛନ୍ତି-। ଆମେ ପ୍ରଣତ ହୃଦୟରେ ତାଙ୍କୁ ଆବାହନ କରୁଛୁ । ସେ ଆସନ୍ତୁ ।

 

ଅତିମାତ୍ରାରେ ସଂବିଧାନ–ସଚେତନ ଓ ସୁସ୍ଥ ନାଗରିକତାବିଳାସୀ ହୋଇଥିବାରୁ ନ୍ୟାୟ ଅନ୍ୟାୟ ପ୍ରତି ମୋର ତୀକ୍ଷ୍ଣ ଦୃଷ୍ଟି ଥାଏ । କିଏ କେଉଁଠି ଠକି ନେଇଗଲା, କିଏ ଲାଞ୍ଚ ଦେଲା, କିଏ କମିଶନି ଦେଲା, କିଏ ଅନ୍ୟାୟକୁ ପ୍ରଶ୍ରୟ ଦେଇ ନ୍ୟାୟ ବେକମୂଳରେ ସବାର ହେଲା–ଏସବୁ ବିଷୟରେ ମୁଁ ସତର୍କ ଥାଏ ।

 

ମାତ୍ର ମୋର ପାୱାର ଅର୍ଥାତ୍‍ କ୍ଷମତା କିଛି ନାହିଁ । ଘଣ୍ଟା ବାଜିଲେ ରେଜିଷ୍ଟ୍ରି ଖାତା ବୁହାଇ କେତେଗୁଡ଼ାଏ ଲୋକଙ୍କ ମୁହଁରେ ଆକାର ବିକାର ଫଳୁନଥିବା ମୁଖମଣ୍ଡଳକୁ ଚାହିଁ କିଛି ବଖାଣି ଆସିବା କାମ । ସେଥିରେ ପାୱାର କଥା କୁଆଡ଼ୁ ଆସିବ ? ତେବେ ସଭାସମିତିରେ ଆମ ଦଳଙ୍କ ପାଇଁ ଭଲ ଭଲ କଥା ଶୁଣାଯାଏ । ସ୍ୱସ୍ତି ଆପ୍ୟାୟନ କରାଯାଏ ଯେ ଆମେ ଜାତିନିର୍ମାତା, ଚରିତ୍ର–ସଂଗଠକ, ଆମରି ଉପରେ ନିର୍ଭର କରୁଛି ରାମରାଜ୍ୟ ପ୍ରତିଷ୍ଠା କରିବା ଦାୟିତ୍ଵ ଇତ୍ୟାଦି ।

 

ଯେଉଁ ସହରରେ ମୁଁ ଜୀବିକା ଅର୍ଜନ କରେ, ସେଥିରେ ଗୋଟିଏ ମ୍ୟୁନିସିପାଲିଟି ଅଛି । ମଣିଷକୁ ଜୀଅନ୍ତା ପୋତି ରଖିବା ଭଳି ଗର୍ତ୍ତବହୁଳ ମାର୍ଗଗୁଡ଼ିଏ ବି ସେ ସହରରେ ଅଛି । ଏଇ ସଂସ୍ଥାକୁ ପୌରସଭା କୁହାଯାଏ । ଏହାର ସଭାପତିଙ୍କୁ ପ୍ରଥମ ନାଗରିକ କୁହାଯାଏ–ଏମିତି ଅନେକ ଭଲ ଭଲ ଗୁଣ ବହୁଥିବା ଓ ହୃଦୟରେ ଧରିଥିବା ବହୁ ସେବାପରାୟଣ ବ୍ୟକ୍ତି ଏଇ ଅନୁଷ୍ଠାନରେ ଅଛନ୍ତି । ସେମାନେ ନମସ୍ୟ ।

 

ମୁଁ ମାଛମାଂସ ଭୋଜି । ସେଥିରୁ ଟିକିଏ ପତ୍ରରେ ନ ପଡ଼ିଲେ ମନଟା ଚିଡ଼ି ଚିଡ଼ି ହୋଇଯାଏ । ମୋ ଭଳି ଅନେକ ଏଇ ଗୁଣ ଘେନି ସଂସାରରେ ଅଛନ୍ତି । ମୋର ଏଇ ପ୍ରବୃତ୍ତି ଘେନି ମାଛମାଂସ କିଣିବାବେଳେ ଟିକିଏ କଠୋର ବ୍ୟକ୍ତିତ୍ଵ ମୁଁ ପ୍ରୟୋଗ କରିଥାଏ ।

 

ଜିନିଷ ଯେଉଁଆଡ଼େ ସେଆଡ଼କୁ ଦଣ୍ଡି ତରାଜୁ ଓହଳା କରି ଆଜି କେହି ଜିନିଷ ବିକୁନାହାନ୍ତି । କହିଲେ, ଦେଖଣାହାରିଏ ମନ୍ତବ୍ୟ ଦିଅନ୍ତି, “ଏଡ଼େ ବଡ଼ ଚାକିରୀ କରନ୍ତି, ଏମିତି ଅଳ୍ପକିଆ କଥାରେ ରାଗୁଛନ୍ତି ?”

 

ମାତ୍ର ଚଢ଼ାଦରରେ ଜିନିଷ କିଣି ସାତ ପ୍ରାଣୀ କୁଟମ୍ବଙ୍କୁ ଆହାର ଦେବା କେଡ଼େ ଯେ ନରକ ଯନ୍ତ୍ରଣା, ତାହା ଅନୁଭବୀ ଜାଣେ । କଥା କ’ଣ କି, ସେମାନେ ଉଘେଇ ହୁଅନ୍ତି, ମାଛ ମାଉଁସ ବିକାଳିକୁ ଆଡ଼ ଆଖିରେ ଚାହିଁ ଟିକିଏ ତା’ ପଟିଆ ହୋଇ ସହାନୁଭୂତି ଦେଖାନ୍ତି । ମୁଁ ଚାଲିଆସିବା ପରେ ସେମାନେ ବେଶ୍‍ ଓହଳା କରି ଜିନିଷ କିଣନ୍ତି । ଏଇ ତ ସଂସାର ବେଭାର ।

 

ଅନେକ ଦିନ ହେଲା ସେକ୍‍ ମୁନି ଖାଁର ଔରତ୍‍ ଉପରେ ମୋର ରାଗ ରହିଛି । ଲୋକଟା ସିନା ଔରତ୍‍, କିନ୍ତୁ ସାତଟା ମରଦଙ୍କର କୁଟକାପଟ୍ୟ ଜାଣେ । ମହା ଓସ୍ତାଦ୍‍ ଛେଳି ମେଣ୍ଢାକୁ କହେ ହୀରା ଜହରତ୍‍ । ନିଜ ସ୍ୱାମୀକୁ କହେ ରାଜା । ତା’ ପରେ ଆଗରେ ଶହ ଶହ ଛେଳି ମେଣ୍ଟା ପରସ୍ପରକୁ ଆଲିଙ୍ଗନ କରି ଦଉଡ଼ିଛନ୍ଦା ବେକରେ ଯେତେବେଳେ ମେଁ ମେଁ ହେଉଥାନ୍ତି ଆସନ୍ନ କବାଇ ପାଇଁ, ସେତେବେଳେ ସେ ଔରତ୍‍ ଜଣକ ସାକ୍ଷାତ୍‍ ଖରଖର୍ପର ଧାରିଣୀ ତ୍ରିମୁଣ୍ଡମାଳିନୀ କାଳୀ ଭଳି ସେମାନଙ୍କୁ ଛୁଇଁଯାଏ ଆଉ କହେ “ଏଇ ମୋର ରାଜ୍ୟ, ଏଇ ମୋର ସିନା, ମାଣିକ, ହୀରା, ମୋତି...”

 

ବିନା ଲାଇସେନ୍ସରେ ତା’ର ଦୋକାନ, ଘରପଛ ମୁତଖାନା ପାଖେ । ତା’ର ଅବଶ୍ୟ ଆଉ ଗୋଟାଏ ଦୋକାନ ଅଛି ମ୍ୟୁନିସିପାଲିଟି ମାର୍କେଟରେ । ସକାଳ ହେଲେ ବୁଢ଼ା ମୁନି ଖାଁ ଛୋଟେଇ ଛୋଟେଇ ଚାଲିଯାଏ ମ୍ୟୁନିସିପାଲିଟି ମାର୍କେଟକୁ । ଏଣେ ଘର ମୁତଖାନା ପାଖେ ବିନା ଲାଇସେନ୍ସରେ କଟା ହୁଅନ୍ତି ଛେଳି ମେଣ୍ଢା–ବଛା ବଛା ଟି. ବି., କାନ୍ସର ଓ ବାତୁଆ ରୋଗୀ । ମଝିରେ ମଝିରେ ଅବଶ୍ୟ ଖଣ୍ଡେଅଧେ କଅଁଳ ଛନ୍‍ଛନ୍ ଖାସି ସେ ଖୋସିଦିଏ । ହାଙ୍କେ, ପାଞ୍ଚ ରୁପେୟା ଏକ ସେର ।

 

ଘର ପାଖ ଦୋକାନ ବୋଲି ସାକିନା ବିବିଠୁ ମାଂସ ମୁଁ କିଣେ । ମାତ୍ର ଅତିମାତ୍ରାରେ ସମ୍ବିଧାନ–ସଚେତନ ଓ ସୁସ୍ଥ ନାଗରିକତାର ବିଳାସ ମୋ ଚିତ୍ତରେ ବିଦ୍ରୋହ ସୃଷ୍ଟି କରେ । ଏ ମହା ଅନ୍ୟାୟ । ପାଞ୍ଚଟଙ୍କା ସେରରେ ସାଇକିନା ମାଉଁସ ବିକିବ ? ଆମେ କିଛି ନ କହି ଟଙ୍କା ଗଣିଦେଇ ଆସିବୁ ?

 

ସକାଳ ହେଲେ ସାକିନା ବିବିର ମୂତଖାନା ପାଖେ ସହରର ଗଣ୍ୟମାନ୍ୟ ଅଫିସରଙ୍କର ପିଅନ, ଚପରାଶି ମେଳା ବାନ୍ଧନ୍ତି । ମୁଁ ଲକ୍ଷ୍ୟ କଲି, କେବଳ ପିଅନ, ଚପରାଶି, ଚାକର, ଡ୍ରାଇଭର, ଖାନସାମା ଏଇମାନେ ଏଠାକୁ ଆସନ୍ତି । ମୁଁ ବୋଧହୁଏ ଏକମାତ୍ର ବ୍ୟତିକ୍ରମ ।

 

କ୍ରମେ କ୍ରମେ ଏ ଅନ୍ୟାୟ ବିରୁଦ୍ଧରେ ମୋ ମନରେ ଜାଗ୍ରତ ହେଲା ଗୋଟାଏ କିଛି କରିବା ପାଇଁ । ଇୟେ ମାନେ ଗୋଟାଏ ପ୍ରତିବାଦ, ଗୋଟାଏ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଲାଇସେନସ୍‍ ନାହିଁ, ପୁଣି ଅତିରିକ୍ତ ଦାମ; ତା’ଛଡ଼ା ଟି. ବି., କାନସର, ବାତୁଆ ରୋଗୀଙ୍କର ମାଉଁସ ବିକା ।

 

କି ରହସ୍ୟ ରହିଚି ସାକିନା ବିବିର ମୁଠାତଳେ, ବୁଝିବାକୁ ଚେଷ୍ଟାକଲି । ଇମିତି ବେଧଡ଼କ ଅପରାଜେୟ ରମଣୀ ଭୂମିକାରେ ଏ ନାରୀ ଏଯାବତ୍‍ ସହରବାସୀଙ୍କୁ ଠକଉଛି; ଅଥଚ କେହି ଟିକିଏ ହେଲେ ଉଁ ଚୁଁ ହଉନାହାନ୍ତି ।

 

ସେଦିନ ଘରକୁ ଅଖୋଜା ଅଲୋଡ଼ା ଭାବରେ କୁଣିଆ ଆସିଥିଲେ । କହିଲେ ମାଉଁସ ଖାଇବେ । ମୋର ମନେହୁଏ, ଆଣବିକ ବୋମା ଫୁଟି କାହାର କଅଣ କ୍ଷତି କରୁଥିବ କେଜାଣି, ଏ ଯେଉଁ ଅଲୋଡ଼ା କୁଣିଆ ହାଣ୍ଡି ପିଛୁଳା ପାଣି ନିଗିଡ଼ି ବୋହିଯିବା ପରେ ଆସି ନିର୍ଲଜ ହସ ହସି–“ହେଁ ହେଁ, ଆମେ ଆସିଗଲୁ” କହି ଗୃହସ୍ଥର ତତ୍‍କ୍ଷଣାତ୍‍ ଶ୍ରାଦ୍ଧ କରିବସନ୍ତି, ବୋମାଫୁଟାଠାରୁ ତାଙ୍କ ଫୁଟିବା ଆହୁରି ମାରାତ୍ମକ ।

 

ପୁଣି କ’ଣ ନାଁ, ପିଲାଠୁ ମାଇପିଯାଏ କହନ୍ତି ଆଜି ଆମେ ମାଉଁସ ଖାଇବୁ । ଭାଗ୍ୟକୁ ସେଦିନ ଗୁରୁବାର ପଡ଼ିଥିଲେ ବି ମାଇପିଗୁଡ଼ାକ ବାହାଡ଼ାଦାନ୍ତ ଦେଖାଇ କହିବେ–“ମଲା, ପୁରସ୍ତମରେ ଗୁରୁବାର କ’ଣ ବା ? କିଛି ବାଛବିଚାର ନାଇଁମ ଅପା, ଆମେ ଗୁରୁବାର ମାଉଁସ ଖାଇବୁ । ଏଠି ପରା କଇବଲ ଖାଆନ୍ତି ବ୍ରାହ୍ମଣ, ହାଡ଼ି ଏକ ପତ୍ରରେ... ।”

 

ଶୁଣ, କେଉଁ କଥାକୁ କୋଉ କଥା । ଅଗତ୍ୟ ମାଂସ ପାଇଁ ଗଲି ସାକିନା ବିବିର ମୁତଖାନା ପାଖକୁ । କାରଣ, ଘରପାଖ ଦୋକାନ । ମତେ ଦେଖି ମୁହଁ ବଙ୍କେଇ କହିଲା ସାକିନା–“ବାବୁ ଆଇଲେ ! ଲେକିନ୍‍ ବାବୁ ତୁମ ସାଥିରେ ଆମର ଦରଦାମ୍‍ ପଟୁନି ଆଜି ଛେ’ ରୂପିୟା–ଏକ୍‍ ସେର ଗୋସ୍‍ ।”

 

ମୋ ଇଚ୍ଛା ହେଲା ଗୋଟାଏ ଢେଲା ଉଠାଇ...ଛି, ଛି, ଯେତେ ବାଧୁ ପଛକେ, ଢେଲା ଉଠାଇବା ଠିକ୍‍ ହେବନି । ମୁଁ ଧୀରେ କହିଲି–“ଦୁଇ ସେର ଗୋସ ।”

 

ଦୁଇ ସେର ଗୋସ୍‍ ଧଇଲି । ତିନିଟଙ୍କା ହିସାବରେ ଟଙ୍କା ବଢ଼େଇଲି । ସାକିନା ବିବିର ମୁହଁଟା ଦପ୍‍ କିନା ଜଳିଉଠିଲା । କହିଲା, “କ୍ୟା–”

 

ମୁଁ କହିଲି–ରୂପୟା ।

 

–ଆପ୍‍ ଗୋସ୍‍ ଫେରସ୍ତ ଦୋ ।

 

–ନେହିଁ ଦେଙ୍ଗା ।

 

–ଆଲ୍‍ବତ୍‍ ଦେଙ୍ଗା

 

–ନେହିଁ

 

ସାକିନା ଛିଡ଼ାହେଲା । ଏଇ ଘଟୋତ୍‍କଚରୂପେଣୀ ସାକିନାକୁ ଦେଖି ମତେ ଡରମାଡ଼ିଲା । ମାତ୍ର ଅତିମାତ୍ରାରେ ମୋର ସମ୍ବିଧାନ–ସଚେତନ ମନରେ ବିଦ୍ରୋହ ନିଆଁ ଜଳି ଉଠିଲା । ମୁଁ ପାଟିକଲି । ଏତେ ଦିନର ସଞ୍ଚିତ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଶକ୍ତି କ୍ଷରିତ ହେଲା ।

 

କହିଲି–“ସାକିନା ବିବି, ତମର ଲାଇସେନ୍ସ ନାହିଁ । ଛେଳି, ମେଣ୍ଢା କାଟି ଲୁଚେଇ ବିକୁଛ-। ଚଢ଼ାଦାମ୍ ନଉଚ । ମୁଁ ଏଇକ୍ଷଣି ଜିଲା ମାଜିଷ୍ଟ୍ରେଟ ପୁଲିସ ସାହେବ, ମ୍ୟୁନିସିପାଲିଟି ଚେୟାରମ୍ୟାନଙ୍କ ପାଖରେ ଫେରାଦି ହେବି; ଆଉ ଦେଖିବି କେତେଦିନ ଏ ଘର, ଏ ଦୋକାନ ଏଠି ଥିବ । ମୁଁ ଏଯାଏ କିଛି କହୁ ନ ଥିଲି । ଆଜି ଶେଷ । ମୁଁ ଚାଲିଲି ।”

 

ସାକିନା ତା’ର ସ୍ଵରରେ ଚିତ୍କାର କଲା–ହଃ ହେ ବାବୁ, ବହୁତ ଦେଖିଚି । ମତେ କଅଣ ଧମକ ଦେଉଚ ? ଏ ଜବାନ୍‍ରେ ବହୁତ ମାଜିଷ୍ଟ୍ରେଟ୍‍, ପୁଲିସ ସାହେବ, ଚେୟାରମ୍ୟାନ ଦେଖିଲିଣି-। ଲାଇସେନ୍ସ ନାହିଁ ତବ୍‍ବି ଦୋକାନ ଚାଲିଚି । ମାଜିଷ୍ଟ୍ରେଟ୍‍ ପୁଅର ବାହାଘରେ ପାଞ୍ଚଟା ଖାସି ମୋଫତ୍‍ ଦେଇଚି । ପୋଲିସବାଲା ତିନି ମାସରେ ଥରେ ଫିଷ୍ଟ କରନ୍ତି । ଦୁଇଟା ଖାସି ସାକିନା ଦେଇଦିଏ–ଇସ୍‍ସେ ବୋଲା ମୋହାବାତ୍‍ । ଚେୟାରମ୍ୟାନ ପଠେଇ ଦିଅନ୍ତି ପିଅନକୁ, ଯା ସାକିନା ପାଖରୁ ମାଉଁସ ଆଣ୍‍ । ମୁଁ କଥା ବୁଝେ ବାବୁ ! ଅସଲି ଫାଷ୍ଟ କିଲାସ୍‍ ମାଲ ପଠେଇଦିଏ । ସାକିନା ବିବି ଆଜି ଏଇ ଦୋକାନ ବନ୍ଦ କରିଦେଲେ କାଲି ମାଜିଷ୍ଟ୍ରେଟ୍‍, ପୁଲିସ, ମୁନିସିପାଲିଟିର ଲୋକ ମୋ ଘରେ ଛିଡ଼ା ହୋଇ ମାଉଁସ କାହିଁ ବୋଲି ହଲ୍ଲା କରିବେ । ଦୁଆର ଖୋଲିବେ । ହାମକୋ ବାବୁ କହୁଛ, ବିନା ଲାଇସେନ୍ସ ? ବହୁତ ଆଚ୍ଛା, ଆପ୍‍ ଯାଇୟେ । ଏଇ ତିନ୍‍ ରୂପିୟାମେଁ ହୋଙ୍ଗା, ଯାଇୟେ ।

 

ନିଷ୍ଫଳ କ୍ରୋଧ, ଅତିମାନ୍ତ୍ରାରେ ସଂବିଧାନ–ସଚେତନ ମନର ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବାର ଶକ୍ତି ଏକମୁହୂର୍ତ୍ତରେ ପାଣି ଫାଟିଗଲା । ତେବେ ଏତେ ରହସ୍ୟ ୟା ଭିତରେ ରହିଛି !

 

ମୁଣ୍ଡ ଭିତରେ ଗରମ । ଅନ୍ୟାୟ ! ଅନ୍ୟାୟ ! କଅଣ କରାଯିବ ! ଗୋଟାଏ ସୁସ୍ଥ ନାଗରିକ କଅଣ କରିପାରେ ଏ ଅବସ୍ଥାରେ ?

 

ପୁଣି ଅତିମତ୍ରାରେ ସଂବିଧାନ–ସଚେତନ ମନ ଆବିଷ୍କାର କଲା ଗୋଟିଏ ବାଟ ଦରଖାସ୍ତ । ଦରଖାସ୍ତ ଦେବାକୁ ହେବ ।

 

ମାଉଁସ ଥାଳୀଟା ରାଗରେ ଘରେ ଫୋପାଡ଼ି ଦେଇ ଟାଇପ୍‍ ରାଇଟର ଧରି ଟାଇପ୍‍ କଲି ଦରଖାସ୍ତ–ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦର ଦରଖାସ୍ତ ।

 

ନିଜେ ଗଲି ମ୍ୟୁନିସ୍‍ପାଲିଟି ଅଫିସକୁ । ଭାଗ୍ୟକୁ ନଗରପାଲକ, ତାଙ୍କର ଅଧସ୍ତନ ନଗରପାଳମାନେ ସଶରୀରରେ ବିଦ୍ୟମାନ ଥିଲେ । ସଂଭ୍ରମ ଦେଖାଇଲେ, ଆସନ ଦେଲେ, ପାନ ଚାହାର ବ୍ୟବସ୍ଥା କଲେ ଏବଂ କହିଲେ–ଏଡ଼େ ଭାଗ୍ୟ ଆପଣ ଆସିଛନ୍ତି ! କଅଣ ଅସୁବିଧା ଘଟିଥିଲେ, ଟେଲିଫୋନ କରିଥିଲେ ଆମେ ହାଜର ହୋଇଥାନ୍ତୁ ।

 

ମୁଁ ଦରଖାସ୍ତ ନଗରପାଳକଙ୍କ ହାତକୁ ବଢ଼ାଇଦେଲି । ସେ ପଢ଼ିଲେ । ମୁଁ ସିଗାରେଟ୍‍ ଖାଉଥାଏ । ମୁଁ କଣେଇ ଦେଖିଲି ଦୁଇଜଣ ନଗରପାଳକଙ୍କର ଦୃଷ୍ଟି ବିନିମୟ ହେଲା; ସ୍ମିତହାସ୍ୟ ସେମାନଙ୍କ ଅଧରରେ ଫୁଟିଲା ।

 

ନଗରପାଲକ କହିଲେ–ସେ ମିଆଁ ବଦମାସ୍‍ ।

 

ମୁଁ କହିଲି–ତା’ର ଭିଟାମାଟି ସବୁ ଉଠେଇ ଦିଅ । ତା’ର ଔରତ୍‍ ମତେ କହୁଛି, ଆପଣମାନେ ତା’ଠାରୁ ମାଉଁସ ମାଗଣାରେ ଖାଆନ୍ତି; ସେ କାହାକୁ ପରବାଏ କରେନି ।

 

ଏକଜିକ୍ୟୁଟିଭ ଅଫିସର କହିଲେ–କଅଣ କହିଲା ? ଏ କଥା କହିଲା ?

 

ମୁଁ କହିଲି–ଦେଖ, ମତେ ବଡ଼ କଷ୍ଟ ହେଲା ବ୍ରଦର୍‍ ଅଫିସରଙ୍କ ନାଁରେ... ।

 

ନଗରପାଲକ ଟେଲିଫୋନ୍‍ ଉଠାଇଲେ–ହାଲୋ, ହେଲ୍‍ଥ ଅଫିସର ? ମୁଁ କହୁଛି ଚେୟାରମ୍ୟାନ । ସେ ମିନୁ ମିଆଁର ମାର୍କେଟ ଦୋକାନର ଲାଇସେନ୍ସ କାଟିଦିଅ । ତା’ ବିରୁଦ୍ଧରେ ଜଣେ ସମ୍ମାନାସ୍ପଦ ବ୍ୟକ୍ତି ଅଭିଯୋଗ କରିଛନ୍ତି । ଅତଏବ ଆଉ କିଛି ବିଚାର ନାହିଁ । ହାଲୋ... ହଁ ଠିକ୍‍ ।

 

ମତେ ଚାହିଁ କହିଲେ–ଆପଣ ନିଶ୍ଚିନ୍ତ ଥାଆନ୍ତୁ ତା’ର ଲାଇସେନ୍ସ କଟିଲା ।

 

ମୁଁ ଫେରିଆସିଲି । ଗୋଟାଏ ବିଜୟଦୀପ୍ତ ସମ୍ମାନବୋଧରେ ମୁଁ ଘରକୁ ଚାଲିଆସିଲି । ଅନ୍ୟାୟର ଅବସାନ ଘଟିଲା । ସାକିନା ବିବି ଜବତ୍‍ ହେଲା ।

 

ତହଁଆରଦିନ ସକାଳ । ପ୍ରାତଃଭ୍ରମଣ ଉଦ୍ଦେଶ୍ୟରେ ବାହାରିଯାଇଥାଏ । ଫେରୁ ଫେରୁ ଟିକିଏ ବିଳମ୍ବ ହୋଇଯାଇଛି । ସିଧା ରନ୍ଧନଶାଳା ଆଡ଼କୁ ଗଲି । କାରଣ ବଜାର ସଉଦା କରି ଆଣିବା ପୂର୍ବରୁ ଗୃହିଣୀଙ୍କଠାରୁ ତାଲିକାଟା ଦରକାର ।

 

ଦେଖିଲି କଅଣ ଜାଣନ୍ତି ? ଆଃ, କଳା ମିଚିମିଚି ଅଧାସେରିଆ ଚାରିଗୋଟି ମାଗୁର ମାଛ ହଲ ହଲ ହୋଇ ଖେଳୁଛନ୍ତି ରନ୍ଧନସାଳାର ଚତ୍ୱର ଉପରେ ।

 

ଅଭାବନୀୟ ଦୃଶ୍ୟ । ମାଗୁର ମାଛର ଝୋଲ୍‍ ! ଏ ଦିବ୍ୟ ପଦାର୍ଥ ଆସିଲା କୁଆଡ଼ୁ ? ମନଟା ଆନନ୍ଦରେ ଝରିଆସିଲା । ମାତ୍ର ଦେଲା କିଏ ? ମୁଁ ତ ଆଣିନି !

 

ପୁଣି ସଂବିଧାନ–ସଚେତନ ମନ ଆଶଙ୍କାରେ ଜର୍ଜରିତ ହେଲା । କିଛି କାହାକୁ ପଚାରିବ ପୂର୍ବରୁ ଗୃହଣୀ କହିଲେ କେଉଁ ପ୍ରକାର ତରକାରି ତମର ଲୋଡ଼ା ? ଝୋଲ୍‍ ନା ଭଜା, ବେଶୀ ମସଲା ନା କେବଳ ସିଝା–ପରେ ଗୋଲମରିଚ ଢାଳି ଖାଇବ ? ଯିମିତି କହିବ ତିଆରି କରିଦେବି । ରକ୍ତିଆ ମାଛ, କେଉଁ ଦିନରୁ ମନ ଚାହୁଁଥିଲା । ହେଇଟି ଫକୀରା ବଡ଼ ଡରି ଡରି ପିଣ୍ଡାତଳେ ବସିଛି । ତମେ ଆସିଲାବେଳେ ଦେଖିଲଟିକି ? ସେଇ ଆଣିଛି,କହିଲା–ବଡ଼ କଷ୍ଟରେ ପୋଖରୀରୁ ରାତିଯାକ ବନ୍‍ଶୀ ପକେଇ ଧରିଛି ।

 

ମୁଁ ଚିତ୍କାର କଲି–ଏ ଫକୀରା କିଏ ?

 

ଗୃହିଣୀ ଭୟରେ କହିଲେ–ମଲା, ଏମିତି କାହିଁକି ହେଉଛ ? ସେ ପରା ମିନୁ ଖାଁ ପୁଅ ! ମାଉଁସ ଦୋକାନୀ । ତା’ର ଲାଇସେନ୍ସ କଟିଛି । ତମେ ଦରଖାସ୍ତ କରିଥିଲ ?

 

ମୁଁ ପାଟିକଲି–ମାଛ କାହିଁକି ଆଣିଲା ? ଫୋପାଡ଼ ସେ ମାଛକୁ । ଏ ଲାଞ୍ଚ ତାକୁ ଫେରେଇ ଦିଅ ।

 

ମୁଁ ରାଗରେ ଚିତ୍କାର କରୁଥାଏ । କଳା ଛନ୍‍ ଛନ୍‍ ମାଗୁର ମାଛ ଚାରିଟାକୁ ଚାକର ଫେରାଇଦେଇ ଆସିଲା ।

 

ଫକୀରା ପିଣ୍ଡାତଳେ ବସିଥିଲା । ମତେ ଦେଖି କାନ୍ଦିପକାଇଲା । କହିଲା–ଆମେ ସରିଗଲୁ ବାବୁ ! ସେ ଡାହାଣୀ ମାଆ ଯୋଗୁ ଆମେ ମରିଗଲୁ । ଲାଇସେନ୍ସ କଟିଗଲା । ଟିକିଏ ସୁପାରିସ କରନ୍ତୁ ବାବୁ !

 

ମୁଁ ପଚାରିଲି–ମାଛ କାହିଁକି କିଣିଥିଲୁ ?

 

ଫକୀରା କହିଲା–ଖାଲି ହାତରେ କିମିତି ଆସିଥାନ୍ତି ? କିଣି କରି ଆଣିନି ବନ୍‍ଶୀ ମାଛ; ରଖନ୍ତୁ ଆଜ୍ଞା !

 

ମୋର ଅତିମାତ୍ରାରେ ସଂବିଧାନ–ସଚେତନ ମନ ଏ ଲାଞ୍ଚ ନେବାରେ ଅନ୍ତରାୟ ହେଲା-। ତା’ ଛଡ଼ା ମୁଁ ଆଉ କି ସୁପାରିସ କରିବି ?

 

ଫକୀରା ମାଛ ସହିତ ଫେରିଗଲା । ମୁଁ ଖୁବ୍ ଖୁସି ହେଲି ଯେ, ମାଛରୂପୀ ପ୍ରଲୋଭନକୁ ମୁଁ ଏଡ଼ାଇ ପାରିଲି, ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରି ମୁଁ ସଫଳ ହେଲି । କିଏ କହେ ଯେ ଆମରି ଦେଶ ଲୋକେ ଆମର ଶତ୍ରୁ ? ଅଭିଯୋଗ କଲେ ସେମାନେ ନ ଶୁଣିବେ କାହିଁକି ? ସ୍ଵାଧୀନ ଦେଶରେ ଅନ୍ୟାୟ ଚଳିପାରିବ କି ? ଆମେ ସବୁ ଅନ୍ୟାୟ ଅନୀତି ସହିଯାଉଥିବାରୁ ଦୁର୍ନୀତି ବଢ଼ୁଛି । ଜୀବନରେ ତ ବଡ଼ କଥା କିଛି କରିହେଉନି । ଏଇତକ ଯେ ହୋଇପାରିଲା, ଯଥେଷ୍ଟ । ଅନ୍ୟାୟ ବିରୁଦ୍ଧରେ ଗୋଟାଏ ସାଫଲ୍ୟ ଅର୍ଜ୍ଜନ କରାଗଲା ।

 

ଦୁଇଦିନ ପରେ ମାର୍କେଟକୁ ଗଲି ମାଉଁସ କିଣିବାକୁ । ଆହା, ବିଚାରୀ ମିନୁ ମିଆଁ ତା’ ବସିବା ଜାଗାରେ ଆଉ ଚର୍ମହୀନ ଛାଗ ମେଷକୁ ଝୁଲାଇ ଗରାଖକୁ କହୁ ନ ଥିବ–ଆଇୟେ ସାହେବ, ଫାଷ୍ଟ କିଲାସ୍‍ ମାଲ୍‍ ।

 

ପୁଣି ଦମକାଏ ସନ୍ତୋଷର ବାତ୍ୟା ହୃଦୟ ଭିତରେ ରହିଗଲା ।

 

ହଁ ଠିକ୍‍ କଥା, ସବୁ କୋଠରିରେ ଛେଳି ମେଣ୍ଢା ଦଉଡ଼ିରେ ଝଲୁଛନ୍ତି । କେବଳ...

 

ଏ କଅଣ ?

 

କିଏ ଏ ? ମିନୁ ମିଆଁ ତ !

 

ହଁ, ମିନୁ ମିଆଁ । ଆଜି ତା ଦୋକାନକୁ ଛେଳି ମେଣ୍ଢାରେ ଭରା ରଖିଛି । ମତେ ହିଁ ଯେମିତି ବିଦ୍ରୂପ କରିବାପାଇଁ, ମୋର ତଥାକଥିତ ଅତିମାତ୍ରାର ସଂବିଧାନସଚେତନ ମନକୁ ଆଉ ଥରେ ନ୍ୟାୟ ଅନ୍ୟାୟର ଶିକ୍ଷା ଦେବାପାଇଁ ମିନୁମିଆଁ ଆଜି ତା’ ବିପଣୀକୁ ବେଶୀ ରଙ୍ଗରେ ସଜେଇଛି ।

 

ମତେ ଦୂରରୁ ଦେଖି ଗଳା ଖଁକାରି, ଗୋଟାଏ ଆଖିରେ ଚାହିଁ, ନିଶରେ ହାତ ବୁଲେଇ ଖରିଦ୍‍ଦାରକୁ କହିଲା–ଆଇୟେ ସାହେବ, ନୂଆ ଲାଇସେନ୍‍ସର ନୂଆ ମାଲ–ଫାଷ୍ଟକିଲାସ ଖାସି–ଆଉ ଘରେ ବିବି ଚଲାଇଚି ତା’ର ବେବସା–ସାକିନା ବିବି ସେ–ଯାହା କହ, ଦମ୍‍ ଅଛି ବିବିର ।

 

ମୁଁ ଲଜ୍ଜା, କ୍ରୋଧ ଓ ନିଷ୍ଫଳ ବ୍ୟଥା ଘେନି ସେଠାରୁ ମୁହଁକୁ ତଳକୁ କରି ସେରେ ବାଇଗଣ କିଣି ଘରକୁ ଫେରିଆସିଲି । ରକ୍ଷକ ଯଦି ଭକ୍ଷକ ହୁଅନ୍ତି, ତେବେ ମଣିଷ ନିରୂପାୟ । ଅତିମାତ୍ରାରେ ସଂବିଧାନ–ସଚେତନ ମନ ଓ ନ୍ୟାୟ–ଅନ୍ୟାୟର କଥାକୁ ଘେନି ବିଚାରଶୀଳ ମଣିଷ ଆଜି ନୀରବ ନ ରହି କରିବ ବା କଅଣ ?

 

ମୁଁ ନୀରବ ରହିଗଲି । ଏ ମହାକାଳ ଶକ୍ତି ବିରୁଦ୍ଧରେ ଲଢ଼ିବାକୁ ମୋର ଶକ୍ତି ରହିଲା ନାହିଁ ।

Image

 

ପ୍ରେତଭୂମିର ପ୍ରତିମା

 

ପ୍ରେତଗୁଡ଼ାକ ବିକଟାଳ ହସ ହସି ଆଗକୁ ମାଡ଼ିଆସିଲେ । ସେମାନେ ହସୁଥିଲେ ଆଉ ସମସ୍ତଙ୍କୁ ଚାହିଁ ଚାହିଁ ଇଙ୍ଗିତରେ କଅଣ କହୁଥିଲେ ।

 

ପ୍ରେତଭୂମିର ବେଢ଼ାଜାଲ ଆଜି ଫିଟିଯାଇଛି । ଏମାନଙ୍କୁ ଆଉ କେହି ବାଧା ଦେଇନାହାନ୍ତି । ଏମାନେ ସିଧା ଚାଲିଆସିଛନ୍ତି ଉତ୍ସବ ପ୍ରାଙ୍ଗଣକୁ ।

 

କେଉଁ ଉତ୍ସବ ? ଦେଶରେ କଅଣ ଉତ୍ସବର ଅଭାବ ଅଛି ? ପ୍ରମୋଦ କାର୍ଯ୍ୟର ଅଭାବ ଅଛି ? ସବୁ ଉତ୍ସବରେ ଭାଷଣ ହେଉଛି । ସମସ୍ତେ ଶୁଣୁଛନ୍ତି । ଉଦ୍‍ବୋଧିତ ହେଉଛନ୍ତି ।

 

ଜୀବନ୍ତ ପ୍ରାଣୀ ଶ୍ରୋତାମାନଙ୍କ ଭିତରେ ଆଜି ରୁଣ୍ଡ ହୋଇଛନ୍ତି ପ୍ରେତମାନେ । ଏଇ ଅଶରୀରୀ ପ୍ରାଣୀଗୁଡ଼ିକ ଦିନେ ଆମରି ପୁର୍ବଜ ଥିଲେ । ଆମ ପୂର୍ବୁରୁ ପରପାରକୁ ଚାଲିଯାଇଛନ୍ତି । ହେଲେ ମମତା ଛାଡ଼ି ନାହାନ୍ତି । ଉତ୍ସବମୁଖରିତ ମଧ୍ୟାହ୍ନ ଓ ସନ୍ଧ୍ୟାରେ ଏମାନେ ଭାସିଆସନ୍ତି ଆମରି ପାଖକୁ ।

 

ଭାଷଣରେ ଥାଏ–‘‘ହେବ, ହେବା ଉଚିତ, କରିବା ଆବଶ୍ୟକ, ନିତାନ୍ତ ପ୍ରୟୋଜନୀୟ, ଉଚିତ, ସର୍ବବାଦିସମ୍ମତ, ନ ହେଲେ ଚଳିବ ନାହିଁ, ଏହା ହେବ ବାଞ୍ଛନୀୟ” ଇତ୍ୟାଦି ବହୁ ବାଣୀ, ଅନେକ ପ୍ରଚାର ।

 

ସବୁଆଡ଼େ ଏଇ ‘ହବା ଉଚିତ’ର ଚହଳ ଭିତରେ କେତେଟା କଅଣ ହେଲା ବା ହେଉଛିର ଅନୁସନ୍ଧାନ ନାହିଁ । ଯେତେବେଳେ ଅନୁସନ୍ଧାନ ହେଉଛି, ଦେଖାଯାଉଛି ଯାହା ହୋଇଛି ସେଥିରେ ତ୍ରୁଟି ରହିଛି । କେତେକ ଫାଟିବାକୁ ଲାଗିଲାଣି, କେତେକ ଫୁଟିବାକୁ ଲାଗିଲାଣି, ଅବଶ୍ୟ ପ୍ରସ୍ପୂଟନ ଅର୍ଥରେ ନୁହେଁ । କେତେକର ବ୍ୟବସ୍ଥା ପରିତ୍ୟକ୍ତ ହେଲାଣି କେତେକ କାର୍ଯ୍ୟ ଆଉଥରେ ହେଉଛି; କାରଣ ୟା ଭିତରେ ଦୃଷ୍ଟିର ଭିନ୍ନତା ଆସିଯାଇଛି ।

 

ଭାଷଣବେଳେ ଲୋକମାନେ ତନ୍ମୟ ହୋଇ ଶୁଣୁଥାନ୍ତି । ଅଶରୀରୀମାନେ ତନ୍ମୟ ହୁଅନ୍ତି ନାହିଁ । ସେମାନେ ଜାଣନ୍ତି ତାଙ୍କର ଆଉ ଲିପ୍ସା କିଛି ନାହିଁ, ପ୍ରବୃତ୍ତି ନାହିଁ, ଭୋଗ ସ୍ପୃହା ନାହିଁ । ତେବେ ଆସୁଛନ୍ତି କାହିଁକି ? ପ୍ରେତଭୂମି ଛାଡ଼ି ଏମିତି ମେଘପଟଳ ଦେଇ, ସୂର୍ଯ୍ୟରଶ୍ମି ଧାରାରେ ଅବା ଶିଶିର ବିନ୍ଦୁର ହେମାଳ ଅଶ୍ୱସ୍ତି ଭିତରେ ଆସିଛନ୍ତି କାହିଁକି ?

 

ସେମାନେ ଆସିଛନ୍ତି ଦେଖିବାକୁ ଯେଉଁମାନଙ୍କୁ ଛାଡ଼ିଦେଇ ଗଲେ ସେମାନେ ଅବା କିପରି ଧର୍ମକୁ ସାକ୍ଷୀ ରଖି, ଈଶ୍ୱରଙ୍କୁ ଆଗରେ ଥୋଇ, ଧର୍ମଶାସ୍ତ୍ର ଛୁଇଁ, ଊର୍ଦ୍ଧ୍ୱ ଆକାଶକୁ ଚାହିଁ, ଦେଶର ପ୍ରାକ୍ତନ ସଂସ୍କୃତି ଓ ସେଥିରେ ଯାହା ମହତ୍‍ ଓ ଉଦାର ତାକୁ ମନେପକାଇ ଗଦ୍‍ ଗଦ୍‍ କଣ୍ଠରେ କହୁଛନ୍ତି–ଆମେ ଭଲ ହେବୁ ।

 

–ଆମେ ମଣିଷ ହେବୁ ।

 

–ଦେଶ କଥା ଭାବିବୁ ।

 

–ଅନ୍ୟାୟକୁ ବିରୋଧ କରିବୁ ।

–ଦେଶ ଓ ବିଶ୍ଵବିଦ୍ୟାଳୟର ସୁନାମ ରଖିବୁ ।

–ପବିତ୍ର ଜୀବନ–ମାର୍ଗରେ ଗତି କରିବୁ ।

ବାସ୍ତବରେ ଉତ୍ସବ ପ୍ରାଙ୍ଗଣଟା କେମିତି ଗୋଟାଏ ପାରମାର୍ଥିକ, ସାତ୍ତ୍ୱିକ ଭାବାବେଶରେ ଥନ୍‍ ଥନ୍‍ ହୋଇଉଠିଲା ।

ଏଇ ଆମର ପୁଷ୍ପସ୍ତବକଗୁଡ଼ିକ ସତେ କେତେ ମହତ୍‍ କାମନାରେ କାମୀ ହୋଇ ଆଜି ମାତୃପୀଠ ଓ ଜ୍ଞାନ–ବିଜ୍ଞାନର ମନ୍ଦିର ବିଶ୍ଵବିଦ୍ୟାଳୟକୁ ଛାଡ଼ି ଜୀବନର ରୁକ୍ଷ କଠୋର ମାର୍ଗ ଉପରକୁ ଚାଲି ଆସିବେ ! ଏଇମାନେ ଦିଗ ଦେଖାଇବେ ଆସନ୍ତାକାଲିର ମଣିଷକୁ । କୋଣାର୍କ ୟାଙ୍କର କରଣୀ ଦେଖି ଲଜ୍ଜା ପାଇବ । ଗୋପବନ୍ଧୁ ସମାଧି ଭିତରେ କର ଓଲଟାଇବେ । ଗଙ୍ଗାଧର ଆଉଥରେ ‘ତପସ୍ୱିନୀ’ ପୃଷ୍ଠା ଓଲଟାଇବେ । କୃପାସିନ୍ଧୁ ଇତିହାସ ଲେଖିବାକୁ ଆଉଥରେ ଲେଖନୀ ଧରିବେ । ଶ୍ରୀଧର ମହାପାତ୍ର ପୁଣି ସମାଧିରୁ ଉଠିଆସି ପଥର ଉପରେ ଜାତୀୟ କଳା ଫୁଟାଇବେ ।

ଏଗୁଡ଼ାକ ସବୁ ହବ । ସେମିତି ଜଣାପଡ଼ୁଛି । ମାତ୍ର ପ୍ରେତଗୁଡ଼ାକ କାହିଁକି ହସିବାରେ ଲାଗିଛନ୍ତି ? ମଧୁରିଆ ହସ ନୁହେଁ ବିକଟାଳ । ପରସ୍ପର ଭିତରେ କଥା କହୁଛନ୍ତି ।

ଜଣେ କହୁଛି–ମୁଁ ଏମିତି ଦିନେ ଉତ୍ସବରେ ଶପଥ ନେଇଥିଲି, ଭଲ ହେବାପାଇଁ, ମଣିଷପଣିଆ ଦେଖାଇବା ପାଇଁ । ମାତ୍ର ଜୀବନ–ମାର୍ଗରେ ଯାଉ ଯାଉ କଅଣ ସବୁ ଗୋଳମାଳ ହୋଇଗଲା । ମୁଁ ଲୋଭୀ ହୋଇପଡ଼ିଲି । ଖାଲି ଲୋଭ–ଲୋଭ–ଲୋଭ ।

 

ମତେ ମୋ ସ୍ତ୍ରୀ ସାହାଯ୍ୟ କଲା । ମୋ ସନ୍ତାନମାନେ କହିଲେ ମୋ ଉପାର୍ଜ୍ଜନଠାରୁ ଆହୁରି ବେଶି ଉପାର୍ଜ୍ଜନ କରିବାକୁ । ସେମାନେ ଚାହିଁଲେ ଆରିଷ୍ଟୋକ୍ରାଟ ହେବାପାଇଁ । ସ୍ତ୍ରୀ ଚାହିଁଲେ ଘରବାଡ଼ି, ବଗିଚା ଓ ଭୂଷଣ ।

 

ମୁଁ ଝାସ ଦେଲି ଦୁର୍ନୀତି ତରଙ୍ଗିଣୀରେ...ଆସିଲା ଅର୍ଥ ଆଗ ପଛ ଚତୁର୍ଦ୍ଦିଗ ଖୋଲା ପଥରେ । ଆଜି ମୁଁ ବଞ୍ଚିନାହିଁ; ମାତ୍ର ମୁଁ ଦେଖୁଛି ମୋରିଭଳି ଏମାନେ ଶପଥ ନେଉଛନ୍ତି ଭଲ ହେବାପାଇଁ । ମତେ ହସ ମାଡ଼ୁଛି ।

 

ଏହା କହି ସେ ପ୍ରେତ ଆଉ ଥରେ ବିକଟାଳ ହସ ହସିଲା । ସେ ହସ କେହିଶୁଣିପାରିଲେ ନାହିଁ ।

 

ପୁଣି ସେ କହିଲା–ଭଲ ହେଲେ ଲୋକ ଦୁଃଖ ପାଇବ, ଏ ସତ୍ୟଟା ଏବେ ବି ବହୁ ଦୂରରେ ରହିଯାଇଛି । ଭଲପଣିଆ ସାଙ୍ଗରେ କ୍ଷତବିକ୍ଷତ ହେବାର ସହସ୍ର ଚିହ୍ନ ବହନ କରିବ ଭଲଲୋକ । କିନ୍ତୁ କାହିଁକି ? ମୁଁ ଏବେ ମରିଛି । କାଁ ଭାଁ ଯଦି କେହି ଭଲଲୋକ ଆମ ସମୟର ଥିବ, ସେ ବି ମରିଛି । ମାତ୍ର ସଂସାରରେ ମୁଁ ରଖିଗଲି ପ୍ରତି ସହରରେ କୋଠଘର; ଆଉ ସେ କୋଠଘର ସାମନା ଗେଟ୍‍ ସ୍ତମ୍ଭରେ ମୋର ନାମାଙ୍କନ । ବଡ଼ ମଜବୁତ୍‍ ସେ ଗାନ୍ଥିନି–ସହଜରେ ହଲିବ ନାହିଁ ।

 

ପରମିଟ୍‍, ଲାଇସେନ୍ସ, ତୋଷାମୋଦ, ମୂକ ଜନତାକୁ ଫୁସୁଲାଇ କାର୍ଯ୍ୟ ସିଦ୍ଧି–ଏଇ ଥିଲା ମୋର କୌଶଳ ।

 

ଯେ ଭଲଲୋକ ଥିଲା, ସେ କେଉଁଠି କିଛି ରଖିଯାଇନାହିଁ । ସେ ମରି ଯାଇଛି । ତା’ର ଆସିବାଟା ଯେମିତି ନିରର୍ଥକ ଓ ନିରାଭରଣ, ଯିବାଟା ବି ସେମିତି ଠିକ୍‍ ଅଭୂଷିତ ଓ ଅକାରଣ ।

 

ଏମାନେ ମୋରିଭଳି ଆଜି ଶପଥ କରୁଛନ୍ତି–ଭଲ ହେବେ । ମାତ୍ର ସଂସାରର ଗତି ଯେମିତି, ମୁଁ କହୁଛି, ମୁଁ ଜଣେ ପ୍ରେତ; ସର୍ବଭୁବନଚାରୀ ଜଣେ ପ୍ରେତ କହୁଛି, ସେମାନେ ଭଲ ହୋଇପାରିବେ ନାହିଁ । କାରଣ ଭଲ ହେବା ସାଙ୍ଗରେ ଯେ ଦୁଃଖ, ବେଦନା, ଯନ୍ତ୍ରଣା ରହିଛି ତାକୁ ସେମାନେ ହସି ହସି ଗ୍ରହଣ କରି ପାରିବେ ନାହିଁ ।

 

ଆଉ ଜଣେ ପ୍ରେତ ବିକଟାଳ ହସି କହିଲା–ରଖ ଭାଇ, କେତେ ବକ୍‍ ବକ୍‍ କରୁଛ ? ଦେଖ୍‍ କେମିତି ଝିଅଟା ସାର୍ଟିଫିକେଟ ନେଉଛି । ମାତୃଜାତିକୁ ଟିକିଏ ଦେଖ୍‍ ।

 

ଏ ପ୍ରେତ ନାରୀ । ଅଳ୍ପ ବୟସରୁ ପ୍ରେତର ଭୂମିକା ତାକୁ ନେବାକୁ ପଡ଼ିଛି । ମରଣ ତା’ ପାଖକୁ ସହଜ ଓ ସ୍ୱାଭାବିକ ଭାବରେ ଆସି ନ ଥିଲା । ଚିକିତ୍ସାଳୟର ଟେବୁଲ ଉପରେ ସଂଜ୍ଞାହୀନ ଅବସ୍ଥାରେ ସେ ଚାଲିଗଲା ।

 

ତା’ର ବି ମନେପଡ଼ୁଛି ସେଇ ଦିନ ଉତ୍ସବର କଥା । କେତେ ଆଶା, କେତେ ସ୍ଵପ୍ନ, ବଧୂର ସ୍ୱପ୍ନ, ଜନନୀର ସ୍ୱପ୍ନ, ସେବିକାର ସ୍ୱପ୍ନ, ପ୍ରେୟସୀର ସ୍ଵପ୍ନ ଧରି ସେ ଆଣିଥିଲା ଏଇ ବାଂଛିତ ପତ୍ରଖଣ୍ଡିକ । ତା’ର ବିଳାପ ହିଁ ସାର ହେଲା । ପୁରୁଷ ତାକୁ ବିଶ୍ୱାସ ଦେଇଥିଲା । ପୁରୁଷର କାନ୍ଧ ଉପରେ ଭାରା ରଖି ସେ ଚାହିଁଥିଲା ପଥ ନିର୍ଦ୍ଦେଶ; କିନ୍ତୁ ସେ ପଥ ହୁଡ଼ିଲା । ଏଇ ଯେ ତରୁଣୀମାନେ ଆଜିର ଉତ୍ସବରେ ନୂଆ ଜଗତ ଭିତରକୁ ଯାଉଛନ୍ତି, ସେମାନେ କଅଣ ଜାଣନ୍ତି ସେଠି କେତେ ଆନନ୍ଦ କେତେ ବେଦନାର ଲୀଳା ରହିଛି ?

 

ଅତିଥି ଭାଷଣ ଦେଉଥିଲେ–’ହେବା ଉଚିତ’ ବାଣୀରେ ଭାଷଣଟି ପରିପୂର୍ଣ୍ଣ । ଖାଲି ଜାଗୃତିର କଥା–ଦେଶକୁ ଚିହ୍ନ, ଭାଷାକୁ ଚିହ୍ନ, ଭାବକୁ ଚିହ୍ନ, ସଂସ୍କୃତିକୁ ଚିହ୍ନ, ଭଲ ମଣିଷ ହୁଅ ।

 

ଆଉ ଜଣେ ପ୍ରେତ ଜୀବନର ଅଭ୍ୟାସ ନେଇ ମୁଣି ଖଣ୍ଡିଏ ଧରି ବସିଥାନ୍ତି । ସେ ଜାଣନ୍ତି, ସେ ମୁଣି ତାଙ୍କୁ ଦେଇଥିଲା କଅଣ । ମୁଣି ଦେଖାଇ ସେ ନିଜପାଇଁ, କେବଳ ନିଜପାଇଁ ନୁହେଁ ତାଙ୍କର ବହୁ ସ୍ତରର ବଂଶଜମାନଙ୍କପାଇଁ ରଖିଗଲେ ଐଶ୍ୱର୍ଯ୍ୟ ।

 

ସେ ପ୍ରତିନିଧି । ପ୍ରେତ–ସଂସାରରେ କେହି କାହାର ପ୍ରତିନିଧିତ୍ୱ କରନ୍ତି ନାହିଁ । ତେଣୁ ତାଙ୍କର ଭୂମିକା ନାହିଁ; ମାତ୍ର ମୁଣିଟି ଅଛି । ଜୀବନରେ ପ୍ରତିନିଧିତ୍ୱ କଲାବେଳେ ମୃତ୍ୟୁ ଯେ ଆସିବ, ସେ କଥା ସେ ଭାବି ନ ଥିଲେ । ମାତ୍ର ପାଞ୍ଚବର୍ଷ ପାଇଁ ସେ ଜନତାର ପ୍ରତିନିଧି ଥିଲେ । ସେଥିରେ ବହୁ ଡାକ୍ତରଖାନା, ବହୁ କୂପ ଖନନ, ବହୁ ସେବାଶ୍ରମ, ବହୁ ଲୋକହିତକର ଅନୁଷ୍ଠାନ କରିବାକୁ ଅର୍ଥ ଉପଯୋଗ କଲେ ।

 

ଉପଯୋଗ ଆତ୍ମଯୋଗରେ ରହିଗଲା । ପ୍ରେତ ଜଣକ ବିମର୍ଷ ଦିଶୁଥିଲେ । ଏଇ ଯୁବକମାନେ ତାଙ୍କ ଆଖିରେ ସମସ୍ତେ ମୁଣିଧରାବୋଲି ଜଣାପଡ଼ୁ ଥିଲେ । ଅଶରୀରୀ ଭାବୁଥିଲେ, ୟାଙ୍କର ମୁଣିଗୁଡ଼ିକ ତାଙ୍କ ମୁଣି ଅପେକ୍ଷା ବେଶୀ ଗଭୀର ହେବ କି ? ବେଶୀ ଟାଣ ହେବ କି ? ଯେତେ ଲମ୍ବାଉଥିଲେ ସେତିକି ବଢ଼ୁଥିବ କି ? ଉତ୍ତର ତାଙ୍କ ମନକୁ ଆପେ ଆସୁଥିବ ।

 

ଆଉ ଜଣେ ପ୍ରେତଙ୍କର ଆଖି ଛଳଛଳ ହେଉଥିଲା । ସେ ଭାବୁଥିଲେ, ସେ କଅଣ କରି ଅସ୍ତମିତ ହୋଇଗଲେ । ସେ ଥିଲେ ଶିକ୍ଷକ । ଭଲ ଚାକିରୀ ନ ମିଳିବାରୁ ସେ ଆସିଲେ ସହଜ ପନ୍ଥାକୁ । ହୃଦୟରେ କେବେହେଲେ ଜ୍ଞାନର ପିପାସା ନ ଥିଲା, କେବେହେଲେ ପ୍ରାଣରେ ବିଶ୍ୱବୋଧ ନ ଥିଲା; ତିଳେ ମାତ୍ର ନ ଥିଲା ତାଙ୍କ ଆଶ୍ରୟରେ ସଂଗୃହୀତ ହୋଇଥିବା ତରୁଣମାନଙ୍କୁ ଉଦ୍‍ବୋଧନ କରିବାପାଇଁ ମମତା ।

 

ସେ ଆସିଲେ । ନିଜେ ଜ୍ଞାନଦୀପ୍ତ ନ ଥିବାରୁ ପିଲାଙ୍କୁ ସନ୍ତୁଷ୍ଟ କଲେ ଅନ୍ୟ ଉପାୟରେ-। ଦଳ ବାନ୍ଧିଲେ, ଛାତ୍ରଙ୍କୁ ହୋଟେଲକୁ ଡାକିଲେ, ପ୍ରିୟ ଓ ଅପ୍ରିୟ ବ୍ୟବଧାନ ସୃଷ୍ଟି କଲେ-। ଯାହା ନୁହଁନ୍ତି ତାହା ପ୍ରଚାର କଲେ । ଦଣ୍ଡିଧରି ତୁଳିବାକୁ ତାଙ୍କର ଯୋଗ୍ୟତା ନ ଥିଲା-। ସେ ହେଲେ ପ୍ରିୟପାତ୍ର, ଶସ୍ତା ନେତୃତ୍ୱ ନେଇ ଦିନକାଳ କଟେଇଲେ ।

 

ମୃତ୍ୟୁ ଆସିଲା । ସେ ଖୋଜିବସିଲେ ଜୀବନ–ଗ୍ରନ୍ଥ । ସେଥିରେ ଗୋଟିଏ ବି ଗାର ପଡ଼ି ନ ଥିଲା । ଆଜି ଏ ଉତ୍ସବ ପ୍ରାଙ୍ଗଣରେ ବି ସିଗାରେଟ୍ ଖୋଳର ସ୍ତୁପ ଓ ହୋଟେଲରେ ଭୋଜ୍ୟ ପଦାର୍ଥଶୂନ୍ୟ ଖାଲି ପ୍ଲେଟ୍‍ ତାଙ୍କ ଆଡ଼କୁ ଚାହିଁ ରହିଛନ୍ତି । ସେ ବୋଧହୁଏ ବିଗତ ଜୀବନକୁ ଚାହିଁ ଦୁଃଖ କରୁଥିଲେ ।

 

ପାଖକୁ ପାଖ ବସିଥିଲେ ପ୍ରେତ ପ୍ରେତିନୀ । ଜୀବନରେ ଥରେ ଯଦି ଏମିତି ବସିଥାନ୍ତେ, ଆଉ ବସାବସିର ମୈତ୍ରୀ ନେଇ ଶିଶୁଟି ସହଜରେ ଭୂମିଷ୍ଠ ହୋଇପାରିଥାନ୍ତା,

 

ତେବେ ପ୍ରେତିନୀଟି ଆଜି ବି ସଂସାର ଆବର୍ତ୍ତରେ ସୁଖଦୁଃଖରେ ରହିଥାନ୍ତା ।

 

ପ୍ରେତିନୀ ପଚାରିଲା–ଚିହ୍ନି ପାରୁଛନ୍ତି ?

 

ପ୍ରେତଭୂମିରେ ଚିହ୍ନା ଅଚିହ୍ନା କଅଣ ? ତେବେ ଖାଲି ଖୁଞ୍ଚା ଦେବାପାଇଁ ପ୍ରେତିନୀ ଡାକିଲା ପ୍ରେତ–ଡାକ୍ତରଙ୍କୁ ।

 

ବିଶାଳପଡ଼ାର ହରି ବିଶ୍ଵାଳର ସ୍ତ୍ରୀ କନକ । ପହିଲି ପ୍ରସବ । ହରି ଦୁଇ ମାଇଲ ଦୂରରେ ରହିଥିବା ଡାକ୍ତରଙ୍କୁ ଡାକିଥିଲା ତା’ର ସ୍ତ୍ରୀକୁ ଉଦ୍ଧାର କରିବା ପାଇଁ । ଦେଶର ତହବିଲରୁ ଡାକ୍ତରୀ ପାଠ ପଢ଼ିଥିଲେ । ଏମିତି ଏକ ଉତ୍ସବରେ ସେ ସ୍ଵର୍ଣ୍ଣ ପଦକ ପାଇଥିଲେ । ସରର୍ଜରୀରେ ସୁନାମ ଥିଲା । ନିଜେ ଇଚ୍ଛା କରି ଗାଁଗହଳକୁ ଯାଇଥିଲେ ଜନସେବା କରିବାପାଇଁ । ସ୍ଵର୍ଣ୍ଣ ପଦକ ପାଇବା ପରେ ପରେ ଏ ଇଛା ଜନ୍ମିଥିଲା । ତା’ପରେ ଖାଇଲା ଅର୍ଥମୋହ । ତା’ ପାଖରେ ତରୁଣୀର ପ୍ରସବ–ଯନ୍ତ୍ରଣା, ପୁରୁଷର ଲୁହ, ଗାଁବାଲାଙ୍କର କାକୁତି ବିନତି କିଛି ରହିଲା ନାହିଁ ।

 

ଗୋଟାଏ ଡେଲିଭରି କେସ୍ପାଇଁ ‘ଦୁଇଶ’ ଟଙ୍କା ନ ହେଲେ ନ ଚଳେ ଡାକ୍ତର ସାରାକଥା ଶୁଣାଇଦେଲେ । ଗରିବ ହରି ଯେତେବେଳେ ହରିବୋଲ ଦେଇ କନକର ମଡ଼ା ଉଠାଏ, ସେତେବେଳେ ପିଲାଟିର ମୁଣ୍ଡ ଅଧା ବାହାରି ଆସିଥିଲା । ଟିକିଏ ଯନ୍ତ୍ରଚାଳନା,ଟିକିଏ ଚିକିତ୍ସା, ଟିକିଏ ସ୍ନେହବାଣୀ ଦରକାର କରୁଥିଲା ପ୍ରକୃତି । ସେତକର ଅଭାବରେ ହରିର ସଂସାର ଜଳିଗଲା-

 

‘‘କଅଣ ଚିହ୍ନି ପାରୁଛନ୍ତି ?’’ ପଚାରିଲା କନକ ପ୍ରେତିନୀ । ହାକ୍ତର-ପ୍ରେତ ତାକୁ ଚିହ୍ନିଥିଲେ । ସେତିକିବେଳେ ମେଡ଼ିକାଲ କଲେଜର କୃତୀ ଛାତ୍ର ସୁବର୍ଣ୍ଣ ପଦକ ନେଉଥିଲେ । କନକ ଏଇ ଦୃଶ୍ୟ ଦେଖି ପ୍ରେତ-ଡାକ୍ତରଙ୍କୁ ଡାକିଥିଲା ।

 

କନକ ଜାଣିଥିଲା ଏ ବି ସେଇବାଟେ ଜିବେ । ଗୋଟାଏ ଡେଲିଭରି କେଶକୁ ଦୁଇଶ ଟଙ୍କା । ଯେଉଁ ପିଲାଟା ତା ଗର୍ଭରୁ ଜନ୍ମିଥାନ୍ତା, କ’ଣ କରିଥାନ୍ତା କେହି ଜାଣିଲେ ନାହିଁ ।

 

ମାଗଣାରେ ଚିକିତ୍ସା ପାଆନ୍ତି ନର୍ସିଂ ହୋମ୍‍ରେ ସେଇ ଲୋକଗୁଡ଼ାକ—ଯାହାଙ୍କର ବିଶ୍ୱାଳପଡ଼ାରେ ଘର ନାହିଁ, ଯେଉଁମାନଙ୍କ ହାତରେ ବିଣ୍ଡି ବସିନାହିଁ ଲଙ୍ଗଳ ଧରି, ଯାହାଙ୍କର କନକଭଳି ଗ୍ରାମ୍ୟ ସ୍ତ୍ରୀ ନାହିଁ ।

 

ଏହି କଥା କନକ ଚେତାଇଦେଲା ପ୍ରେତ-ଡାକ୍ତରଙ୍କୁ । ଡାକ୍ତରଙ୍କର ଆଖିରୁ ଲୁହ ଝରୁଥିଲା । ବୋଧହୁଏ ମନେ ମନେ ଭାବୁଥିଲେ, ଆଉଥରେ କିଏ ତାଙ୍କୁ ମଣିଷ ଜୀବନ ଦିଅନ୍ତା କି ସେ କନକର ଦୁଃଖ ଦୂର କରନ୍ତେ । ମାତ୍ର ଆଉ କଅଣ ଆସିବ ଏ ଦୁର୍ଲଭ ମଣିଷ ଜୀବନ ? ଆଉ କ’ଣ ଥରେ ଏଇ ପ୍ରତ-ଡାକ୍ତରର ଅଭିଳାଷପାଇଁ କନକ ସନ୍ତାନସମ୍ଭବା ହେବ ?

 

ଛୁରି, ପିସ୍ତଲ, ଠେଙ୍ଗାରେ ଶୋଭିତ ଏକ ଛାୟାମୂର୍ତ୍ତି ବସିଥଲା ଉତ୍ସବ ପ୍ରାଙ୍ଗଣରେ ଭଲଲୋକର ଏ ହନ୍ତାର ପଛୁଆ ସାଧନା । ମୁହଁରେ ହସ, ନିର୍ଲଜ ହସ । ମୈତ୍ରୀ ହସ ଝରି ଯାଉଥାଏ; ମାତ୍ର ଶରଶଯ୍ୟାରେ ସଜ୍ଜିତ ୟାଙ୍କର କଳେବର । ଏ ପ୍ରଥମେ ପଠାନ୍ତି କୁତ୍ସା ସହଚରକୁ-। ଭଲଲୋକର ସମ୍ମାନ ନଷ୍ଟ କରିବାକୁ, ତାକୁ ହୀନବଳ କରିବାକୁ ଆଗ କୁତ୍ସା ଓ ନିନ୍ଦା ସହଚରଙ୍କୁ ପଠାଇ ଦିଅନ୍ତି । ଶୂନ୍ୟଗର୍ଭ, ବିଚାରହୀନ କେତେ ଲୋକ ସ୍ନାୟୁଚଟକ ଏଇ କୁତ୍ସାକୁ ବିଶ୍ୱାସ କରି ନିଜର ସତୀଧର୍ମ ଦେଖାନ୍ତି । ତା’ ପରେ ଛୁରା-ଛୁରିରେ ପିଠି ପଛକୁ ଆଘାତ କରି ତା’ର ଭୂଲୁଣ୍ଠିତ ଦେହ ଉପରେ ନିଶୁଣି ବସାଇ ପାହାଚ ପରେ ପାହାଚ ଉପରକୁ ଚଢ଼ନ୍ତି ଏଇ ନରାଧମମାନେ-

 

ଏ ସେଇ ଲୋକ । ଦିନେ ସେ ବି ଜୀବନକାଳରେ ଏମିତି ସମାବର୍ତ୍ତନ ଉତ୍ସବରେ ଭଲ ମଣିଷ ହେବା ପାଇଁ ଶପଥ ନେଇଥିଲା; ଆଜି ସେ ଶପଥ କାହିଁ ।

 

ଉତ୍ସବ ଶେଷ ହୋଇ ଆସିଲା । ତା’ ସଙ୍ଗେ ସଙ୍ଗେ ଅନ୍ଧାର ସ୍ପର୍ଶ କଲା ଦିଗନ୍ତକୁ । ପ୍ରେତ-ପ୍ରେତିନୀମାନେ ଜୀବନ୍ତ ପ୍ରାଣବନ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଇ ସଞ୍ଜ ଛାଇ ଭିତରେ କ୍ରମେ ମଉଳିଗଲେ ଦିଗନ୍ତ ପରପାରେ । କି ବାର୍ତ୍ତା ନେଇ ଗଲେ ସେମାନେ ଜାଣନ୍ତି ।

 

ନା, ବାର୍ତ୍ତା ଆଉ କଅଣ ? ଆରବର୍ଷ ବି ଏଇ ଉତ୍ସବ ଆସିବ । ଆରବର୍ଷବେଳକୁ ଏ ଉତ୍ସବରେ ଆଜିର ଦର୍ଶକ ପ୍ରେତ-ପ୍ରେତିପୀଙ୍କ ସଂଖ୍ୟା ଆହୁରି ବେଶି ହୋଇଥିବ ।

 

ଯେଝା ବାଟରେ ଯେ ଚାଲିଗଲେଣି । ହାତରେ ପ୍ରମାଣପତ୍ର ଯେ ସେମାନେ ଶିକ୍ଷିତ, ଗୋଡ଼ରେ ଦୃପ୍ତ ଭଙ୍ଗୀ ଯେ ସେମାନେ ଦୃଢ଼ଚେତା, ଆଖିରେ ତୀକ୍ଷ୍‍ଣ ଅବଲୋକନ ଯେ ସେମାନେ ଆଗାମୀ ଯୁଗର ସାର୍ଥକ ପଥଚାରୀ । ଏଇ ପ୍ରମାଣ, ଭଙ୍ଗୀ,ଚେତନା, ଅବଲୋକନ ଓ ପ୍ରତିଭାକୁ କିଏ ବା ସ୍ୱାଗତ ନ କରିବ ?

 

ପ୍ରେତାତ୍ମାଗୁଡ଼ାକ ମଉଳିଯାଇଛନ୍ତି—ଭଲ ହୋଇଛି । ସେମାନେ କେବଳ ପ୍ରାଣକୁ ଅବସାଦ ଦେଉଥିଲେ, ନୁହେଁ ? ସେଗୁଡ଼ାକ ଦୂରରେ ରହନ୍ତୁ ।

Image

 

ଅମୃତର ଜୟ ହେଉ

 

ଅରଣ୍ୟକୁ ପରିଷ୍କୃତ କରାଯାଇ ସେଠାରେ ନୂତନ ସୌଧ ତୋଳାଯାଇଛି । ଏଇ ସୌଧର ନାମକରଣ କରାଯାଇଛି–

 

“ଚନ୍ଦନା ମାତୃମଙ୍ଗଳ ଓ ଚିକିତ୍ସାଳୟ ।”

 

ଦେଶରେ ବହୁ କେନ୍ଦ୍ର ଏମିତି ପ୍ରତିଷ୍ଠିତ ହେଉଛି । ବିଶେଷରେ ରୋଗବ୍ୟାଧିର ଚିକିତ୍ସାପାଇଁ ଏବଂ ମାତୃଗର୍ଭରୁ ନବଜାତକକୁ ଏ ଧରା ଉପରକୁ ଆଣିବାପାଇଁ ଚିକିତ୍ସା କେନ୍ଦ୍ର ଓ ମାତୃମଙ୍ଗଳ କେନ୍ଦ୍ର, ସ୍ଥାପନ କରାଯାଉଛି ।

 

ଏଗୁଡ଼ିକ ମହତ୍‍ କର୍ମ । ଯେଉଁମାନେ ଏଥିରେ ଉଦ୍ୟୋକ୍ତା, ଏ ନିର୍ମାଣ କର୍ମର ବିନ୍ଧାଣୀ, ସେମାନଙ୍କୁ ଏ ଜାତି ମନେରଖିବ; ସେମାନଙ୍କ କୀର୍ତ୍ତିକୁ ଭାବୀ କାଳର ଆଗାମୀ ମଣିଷ ମନେରଖିବ ।

 

ଚନ୍ଦନା କିଏ ? ଯାହାଙ୍କ ନାଆଁରେ ଏ କଲ୍ୟାଣକର ଅନୁଷ୍ଠାନଟି ଗଢ଼ାଗଲା, ସେ କିଏ-? ଆଜି ଏ କଥାର ପ୍ରତିଧ୍ଵନି ହୁଏତ ସେଇ ଅରଣ୍ୟର ପତ୍ରପଟରୁ ବାହାରିଆସିବ ବା ସେ ନଦୀଟି ଆଶ୍ରମକୁ ଘେରିଯାଇ ବହିଯାଉଥିଲା, ଆଜି ତା’ର ଚିହ୍ନବର୍ଣ୍ଣ ନାହିଁ, ସେ ହୁଏତ କହିପାରିବ-। ମାତ୍ର ଅରଣ୍ୟ, ଆଶ୍ରମ ବା ନଦୀ ବାକ୍‍ଶକ୍ତିହୀନ ପ୍ରକୃତି । ସେମାନେ କିଛି କହି ପାରିବେ ନାହିଁ କି ତାଙ୍କ କଥା କେହି ଶୁଣି ପାରିବେ ନାହିଁ ।

 

ଏବେ ଦଶ କୋଡ଼ିଏ ଧୁନିକୁ ପୋତିପକାଇ ସେଗୁଡ଼ିକ ଉପରେ କୋଠା ତିଆରି କରାଯାଇଛି । ରାଜମିସ୍ତ୍ରୀମାନେ ଏଡ଼େ ବଡ଼ ବଡ଼ ଗର୍ତ୍ତକୁ ପୋତିବାରେ କମ୍‍ ଘର୍ମାକ୍ତ ହୋଇନାହାନ୍ତି-। ବଡ଼ ବଡ଼ ଗର୍ତ୍ତର ଧୂନି, ଯେଉଁଠି ଦିନେ ସୁବର୍ଣ୍ଣ ଅଳଙ୍କାର, ପାଟଶାଢ଼ୀ, ଗରାଏ ଗରାଏ ଘିଅ, ମହୁ ଓ ବସ୍ତା ବସ୍ତା ଅକ୍ଷତ ତଣ୍ଡୁଳ ସର୍ବଭୁକ୍ ଅଗ୍ନି କ୍ଷଣକେ ଭୋଜନ କରି ଦେଇଥିଲା, ସେଠି ଏବେ ଷାଠିଏ, ସତୁରି, ଅଶୀନମ୍ବର ଜନ୍ମ ପ୍ରକୋଷ୍ଠ, କେବିନ୍‍ ଛିଡ଼ା ହୋଇଛି । ସେଠି ନବ ପ୍ରାଣୀ ଜନ୍ମନେଉଛି ।

 

ଡାକ୍ତରଖାନାର ବୁଢ଼ା ବେହେରା ହାଡ଼ୁ ଦାସ ସେଦିନ ମାଟି ଖୋଳୁ ଖୋଳୁ ପାଇଲା ଗୋଟାଏ ରକ୍ତଚନ୍ଦନବୋଳା ତ୍ରିଶୂଳ । ଯେଉଁ ମାଟିତଳୁ ତ୍ରିଶୂଳ ବାହାରେ ଏବଂ ତାହା ଚନ୍ଦନଚର୍ଚ୍ଚିତ ଥାଏ, ସେ ମାଟି ଯେ କେତେ ପବିତ୍ର ତାହା କାହାକୁ ଜଣାଇବାକୁ ପଡ଼ିବ ନାହିଁ ।

 

ସେତିକି ଆବିଷ୍କାରରେ କିଛି ଆଶ୍ଚର୍ଯ୍ୟ ହେବାର ନ ଥିଲା । ପ୍ରତ୍ନତତ୍ତ୍ଵ ବିଭାଗ ସେ କଥା ପରୀକ୍ଷା କରିଥାନ୍ତା ବା ଯାହା କିଛି ଗୋଟାଏ ବ୍ୟବସ୍ଥା ହୋଇଥାନ୍ତା–ମାତ୍ର ସେତିକିରେ କିଛି ସରିଗଲା ନାହିଁ ।

 

ଧାଈ ସେବତୀ ଏବେ ସେଦିନ ଖରାବେଳେଟାରେ ପ୍ରସୂତିର ଫୁଲନାଡ଼ୀ ପୋତିବାକୁ ଯାଇ ସେଇ ମାଟି ଗର୍ତ୍ତରୁ କେତେ ଖଣ୍ଡ କୌପୀନବସ୍ତ୍ର ପାଇଗଲା । ଆଶ୍ଚର୍ଯ୍ୟ କଥା, ସେ କୌପୀନଗୁଡ଼ିକର କି ଜୀବନୀଶକ୍ତି ସତେ, କି ପରମାୟୁ ଯେ ସେଗୁଡ଼ାକ ମାଟିତଳେ ରହି ବି ଖୁବ୍ ସତେଜ ଦେଖାଯାଉଥିଲେ ।

 

ଅବଶ୍ୟ ଧାଈ ତାହା ସ୍ପର୍ଶ କଲା ନାହିଁ । ବିଚିତ୍ର କଥା ! ଯେଉଁ ଧାଈ ଚବିଶ ପ୍ରହର ରକ୍ତ ପୂଯ ଫୁଲନାଡ଼କୁ ଦିବ୍ୟ ଆନନ୍ଦରେ ଏ ହାତ ସେ ହାତ କରେ ସେ ପୁଣି ଏଇ କୌପୀନ କନାକୁ ଘୃଣା କଲା !!

 

ଫୁଲନାଡ଼ ସହିତ ସେଗୁଡ଼ିକୁ ସେବତୀ ପୋତିଦେଲା ମାଟି ଭିତରେ ଆହୁରି ଗହୀରା କରି ।

 

ଅଲକ୍ଷଣା କୁଆଟାଏ ସେତିକିବେଳେ ରାବିଦେଲା । ଭୟ ପାଇଲା ସେବତୀ । ଛାଟିପିଟି ପଳାଇ ଆସିଲା ଡାକ୍ତରଖାନା ଭିତରକୁ ।

 

କଥାଟାକୁ କେହି ସେମିତି ଗୁରୁତ୍ୱ ଦେଲେ ନାହିଁ । କଅଣ ବା ଏଥିରେ ଅଛି ? ମା’ ଧରିତ୍ରୀ ଏମିତି କେତେ ଐଶ୍ୱର୍ଯ୍ୟ ସଂପାଦି ରଖିଛି ।

 

କଥାଟା କିନ୍ତୁ ବଡ଼ ହୋଇଗଲା ଯେତେବେଳେ ଡାକ୍ତରବାବୁ ନିଜ କ୍ୱାଟର ଚାରିପଟେ ବାଡ଼ ବାନ୍ଧୁ ବାନ୍ଧୁ ମାଟି ଖୋଳିବା ସମୟରେ ପାଖକୁ ପାଖ ଲାଗି ଶୋଇରହିଥିବା ଯମଜ ସନ୍ତାନ ଭଳି ଦୁଇଟି ଆପାଦମସ୍ତକ ସୁନାଛାଉଣି ଚିଲାମ ପାଇଗଲେ । ଖୁବ୍ ଦୀର୍ଘାକୃତି ଚିଲାମ, ଜାତିର ସଂଗ୍ରାହାଳୟରେ ରହିବା ଭଳି ପଦାର୍ଥ ।

 

ଡାକ୍ତରବାବୁ ଚିଲମ ଦୁଇଟିକୁ ପରିଷ୍କାର କରି ପୋଛି ହାତ ଉପରେ ଗଡ଼େଇଲେ, ଧରିଲେ, ସୁନାକୁ ପରୀକ୍ଷା କଲେ । ବୋଧହୁଏ ଭାବିଲେ, ଏହାର ଗହ୍ୱରରେ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ୱ ମହଣ ମହଣ ଗଞ୍ଜେଇ ଶୋଷିତ ହୋଇଥିବ ଏବଂ ଯେଉଁମାନେ ତାକୁ ଶୋଷିଥିବେ ସେମାନେ ଏଇ ଗଞ୍ଜାନିଶାରେ ଏକପ୍ରକାର ତୁରୀୟ ଅବସ୍ଥାକୁ ଯାଇ କେତେ କୀର୍ତ୍ତି କରିଥିବେ ।

 

ମନ୍ତ୍ରପାଠ ଯେଉଁ ତୁଣ୍ଡରୁ ବାହାରେ, ଯେଉଁ ଶ୍ରୀମୁଖର ବାଣୀକୁ ଶୁଣିବା ପାଇଁ ହଜାର ହଜାର ନରନାରୀ ବାବାଙ୍କ ପାଦ ପାଖରେ ବସିଥାନ୍ତି, ସେଇ ଶ୍ରୀମୁଖର ସ୍ପର୍ଶକାତର ଚିଲମଗୁଡ଼ିକ ଏତେ କାଳ ରହିଯାଇଥିଲେ ।

 

ସମସ୍ତଙ୍କୁ ଏବଂ ସର୍ବ ପଦାର୍ଥକୁ ମାଟି ଯେ ଏମିତି ଆତ୍ମସାତ୍‍ କରିଦିଏ ଓ ଶେଷରେ ତା’ର ସତ୍ତା ବି ରଖେ ନାହିଁ, ଏ କଥା ଭାବିଲାବେଳକୁ ପ୍ରାଣରେ ଚମକ ଲାଗେ ।

 

କୌତୁହଳୀ ଡାକ୍ତର ସେଗୁଡ଼ିକୁ ଆଣ୍ଟି–ସେପ୍ଟିକ୍‍ରେ ଧୋଇ ଡାକ୍ତରଖାନାର ଟେବୁଲ ଉପରେ ସଜାଇ ରଖିଛନ୍ତି ।

 

ଆହା, ଧାଈଟାର ଟିକିଏ ବୁଦ୍ଧି ଥିଲେ ସେ ହୁଏତ କୌପୀନ ବସନଗୁଡ଼ିକୁ ଆଉ ଟିକିଏ କଡ଼ା ଲୋସନରେ ଧୋଇ, ଶୁଖେଇ, କ୍ରମ–ଅପସୃତ–ଯୁଗର ଉପଢ଼ୌକନ ଭାବରେ ରଖିଦେଇଥାନ୍ତା ସେଇ ଟେବୁଲ ଉପରେ । ଭାବୀ କାଳର ଐତିହାସିକଙ୍କ ପାଇଁ ଏସବୁ ଦ୍ରବ୍ୟ ଅତି ମୂଲ୍ୟବାନ୍‍ ହୋଇଥାନ୍ତା ।

 

ଗଭୀର ରାନ୍ତ୍ରିରେ, ବିଶେଷରେ ବର୍ଷଣମୁଖର ରଜନୀରେ କେହି ଜଣେ ନାରୀ ଡାକ୍ତରଖାନାର ପ୍ରାଚୀର ମୂଳରେ କଇଁ କଇଁ କାନ୍ଦୁଥିବା ଶୁଣାଯାଏ । ହୁଏତ କେହି ରୋଗୀ; କିନ୍ତୁ ତାହା ନୁହେଁ ।

 

କାନ୍ଦଟା ବାସ୍ତବିକ୍‍ ମର୍ମଫଟା । ବର୍ଷାର ଗୁଞ୍ଜନ ସହିତ ନାରୀଟିର ଏଇ ଯେ ବିଳାପ ବହୁ ସମୟଯାଏ ପ୍ରସରିଯାଏ କେତେ ଦୂରକୁ...... ।

 

କ୍ରମେ ଘଟଣାଟା ଦେହସୁହା ହୋଇଗଲା । ତା’ ଛଡା ଡାକ୍ତରୀ ବିଜ୍ଞାନରେ ଭୂତପ୍ରେତ ଦେଖିବାଭଳି କୁସଂସ୍କାର ପାଠ କିଛି ନାହିଁ । ତେଣୁ ଏ ଚିକିତ୍ସାଳୟର କର୍ମଚାରୀମାନେ ଏ ଘଟଣାକୁ ବେଶୀ ଗୁରୁତ୍ୱ ଦେଲେ ନାହିଁ–କିନ୍ତୁ ସେ କାନ୍ଦ ଅବ୍ୟାହତ ରହିଲା ।

 

କାହିଁକି କେଜାଣି କଅଣ ମନେକରି ସବୁ କର୍ମଚାରୀ ଗୋଟାଏ ବର୍ଷ ଅଗିଜଳା ପୁନିଆଁର ଧୂନି ରଚନକଲେ । ବଡ଼ ବଡ଼ କାଠଗଡ଼ ଆଣି ନିଆଁ ଲଗେଇଲେ । ସେଠାର ପୁଅ ଝିଅ ନିଆଁ ଚାରିପଟେ ନାଚିଲେ । ନଡ଼ିଆଗୁଡ଼ିକ ଫାଟିଲା–ଚାରିଦିଗ ଉଜଳି ଉଠିଲା ।

 

ଆରମ୍ଭ ହେଲା ଏ ଉତ୍ସବ ପୁଅଝିଅଙ୍କର ଆନନ୍ଦରୁ; ମାତ୍ର ବୟସ୍କମାନେ ବି ମାତିଗଲେ । ରାତି ବଢ଼ିଲା । କୁହୁଳା ନିଆଁରେ କିଛି ପରିମାଣ ଘିଅ ବି ସେମାନେ ଢାଳିଲେ ।

 

ମନହେଲା ଯେମିତି ଗୋଟାଏ ଯଜ୍ଞ ହେଉଛି ।

 

ହଠାତ୍‍ ସେଇ ଅଗ୍ନି ବଳୟ ପାଖରେ ଦେଖାଗଲା ଗୋଟାଏ ନାରୀ ଛାୟାମୂର୍ତ୍ତୀ । ବିଲମ୍ୱିତ କେଣପାଶ, ରକ୍ତାତ ଚକ୍ଷୁ, ତା’ର ଉଦର ଭେଦକରି ଏପଟ ସେପଟ ଫୁଟିଆସିଛି ଗୋଟାଏ ନ୍ତ୍ରିଶୂଳ, ଆଉ ସେଇ ବିଦୀର୍ଣ୍ଣ ଫାଟ ପାଖରୁ ଗଡ଼ି ଆସୁଛି ରକ୍ତଧାର ପ୍ରବଳ ବେଗରେ । ଏଇ ଛାୟାମୂର୍ତ୍ତୀ ନାରୀର ମୁହଁ ଉପରେ ଅଧରକୁ ମାଡ଼ି ଗୋଟାଏ କଅଣ ଲାଗିରହିଛି । ହଁ ସ୍ପଷ୍ଟ ଦେଖାଯାଉଛି, ତା’ର ପାଟି ଭିତରେ ଗୁଡ଼ାଏ କୌପୀନ ବସ୍ତ୍ର ଗୁଞ୍ଜି ଦିଆଯାଇଛି ।

 

ଦୃଶ୍ୟଟା ମଣିଷର ହାଡ଼କୁ ହିମଶୀତଳ କରିବାର ଦୃଶ୍ୟ ।

 

ଡାକ୍ତରବାବୁ ପ୍ରଥମେ ଚମକିପଡ଼ିଲେ । ଅଗ୍ନିଶିଖାରେ ସେ ମୂର୍ତ୍ତି ବେଶ୍‍ ଆଲୋକିତ । ସେ ପୁଣି ଦେଖିଲେ ସେଇ ନାରୀର ଗର୍ଭ ଭିତରୁ ନ୍ତ୍ରିଶୂଳଟଣା ଖଣ୍ଡବିଖଣ୍ଡ ଏକ ଭ୍ରୁଣର ମେଦ ମାଂସ ଖସିଆସୁଛି ।

 

ସେ ଚିତ୍କାର କରିଉଠିଲେ ଏବଂ କହିଲେ–ଲିଭାଅ, ସେ ନିଆ କୁ ଲିଭାଅ ପରେ ସେ ମୂର୍ଚ୍ଛାଗଲେ ।

 

କଥାଟା ପ୍ରଘଟ ହେଲା । କାନକୁ କାନ ପ୍ରସରିଲା ।

 

ଗଭର୍ଣ୍ଣର ଯେଉଁଦିନ ଏହି ମାତୃମଙ୍ଗଳ ଓ ଚିକିତ୍ସା କେନ୍ଦ୍ର କୁ ଉଦ୍‍ଘାଟନ କଲେ, ସବୁ ବ୍ୟବସ୍ଥା ପୂର୍ଣ୍ଣ ଯାଜ୍ଞିକ ଓ ବୈଦିକ ରୀତିରେ ସମାହିତ ହେଉଥିଲା । ବ୍ରାହ୍ମଣ ବେଦ ପାଠ କଲେ । ସ୍ରୁବରୁ ଘିଅ ଢାଳିଲେ ଏକ ଛୋଟ ହୋମପୀଠ ଉପରେ । ନିଆଁ ନ୍ତ୍ରମେ ତେଜିଉଠିଲା ଓ ତା’ ସଙ୍ଗେ ସଙ୍ଗେ ଗଭର୍ଣ୍ଣରଙ୍କର ଲଲାଟ ଉପରେ ଚନ୍ଦନ ବିନ୍ଦୁଟି ଝଲସିଗଲା ।

 

ସେ ସଭାସ୍ଥଳରେ ଜଣେ ବୃଦ୍ଧ ଶୁଳ୍କ ଶ୍ମଶ୍ରୁ ଉପରେ ଧାର ଛୁଟାଇ କାନ୍ଦୁଥିଲେ । ସେ ଅତି ବୃଦ୍ଧ ଥିଲେ ଓ ତାଙ୍କର ମେରୁହାଡ଼ ନଇଁଆସିଥିଲା । କୋଟରଗତି ଚକ୍ଷୁରୁ ଅଶ୍ରୁ ଝରିଆସୁଥିଲା ।

 

ଜଣେ କିଏ ପ୍ରସ୍ତାବ କଲେ–ଆମର ଲୋକପ୍ରିୟ ଗଭର୍ଣ୍ଣରଙ୍କର ନାମନୁସାରେ ଏ ପବିନ୍ତ୍ର ଜନକଲ୍ୟାଣ ଚିକିତ୍ସାଳୟ ନାମିତ ହେଉ ।

 

ସମସ୍ତେ କରତାଳି ଦେଇ ସମର୍ଥନ କଲେ । ପୂଜକ ଆଉଥରେ ଘିଅ ଢାଳି ସ୍ଵସ୍ତି ବାଚନ କଲେ । ତାଙ୍କର ସ୍ଵଗତୋକ୍ତି ଜଣେ ଉନ୍ନତ୍ତ ପାଗଳର ସହସା ଭୟଙ୍କର କାଣ୍ଡରେ କେଉଁଆଡ଼େ ମିଲେଇଗଲା ।

 

ଏ ଉନ୍ନତ୍ତ ଆଉ ଏକ ବୃଦ୍ଧ । ସେ କିଏ ? କେଉଁଠୁ ଆସିଲେ ? ସେ ଦୌଡ଼ିଆସି ଗୋଡ଼ରେ ହୋମଗ୍ନିକୁ ଲିଭାଇ ସବୁ ପଦାର୍ଥ ବିକ୍ଷିପ୍ତ କରି ପ୍ରମତ୍ତ ଅଟ୍ଟହାସରେ ଚିତ୍କାର କଲେ–”ନାଁ, ତା’ ହୋଇ ପାରିବ ନାହିଁ । ମୋ ଝିଅ ଚନ୍ଦନା ନାଆଁ ରେ ଏ ଡାକ୍ତରଖାନାର ନାଁ ରହିବ ।”

 

ଗଭର୍ଣ୍ଣର ହାତ ଉଠାଇଲେ । ସମସ୍ତେ ନୀରବ ହେଲେ ।

 

ଗଭର୍ଣ୍ଣର ପଚାରିଲେ–“ଆପଣ କଅଣ କହିବାକୁ ଚାହୁଁଛନ୍ତି ? ଏମିତି ଫୋପଡ଼ା–ଫୋପାଡ଼ି କାହିଁକି କଲେ ?”

 

ପାଗଳ ସ୍ଥିରନେନ୍ତ୍ରରେ ତାଙ୍କୁ ଚାହିଁ କହିଲେ–

 

“ମୋ ଝିଅ ନାଁରେ ଏ ଡାକ୍ତରଖାନାର ନାମ ରହୁ, ନ ହେଲେ ସେ ଏଇଠି ଘୁରିବୁଲୁଛି ଆଉ କାନ୍ଦୁଛି । କିଓ ସମୁଦୀ କହୁନ, କିଏ କେମିତି ତାକୁ ମାଇଲା କହୁନ ?”

 

ସମସ୍ତେ ଚାହିଁଲେ । ସମୁଦୀ ଆଉ କେହି ନୁହନ୍ତି, ସେଇ ମେରୁଦଣ୍ଡବଙ୍କା ବୁଦ୍ଧ, ଯେ ଅନବରତ ଆଖିରୁ ଲୁହ ଝରାଇ ବସିଥିଲେ ।

 

ସେ ଗଭର୍ଣ୍ଣରଙ୍କ ପାଖକୁ ଅତି କଷ୍ଟରେ ଆସି କହିଲେ–“ମହାଶୟ, ବସିକରି କହୁଛି, କ୍ଷମା କରିବେ । ଚନ୍ଦନା ମୋର ପୁନ୍ତ୍ରବଧୂ ହୋଇଥାନ୍ତା । ମାତ୍ର ଏଇ ପୀଠ ଉପରେ ଯେଉଁ ବାବାମାନେ ଲୋକଦେଖାଣିଆ ଆଶ୍ରମ କରି ଏଠାରେ ନିରୁଙ୍କୁଶ ରାଜତ୍ଵ କରୁଥିଲେ, ସେମାନେ ଚନ୍ଦନାକୁ ନଷ୍ଟ ଭଷ୍ଟ କରିଦେଲେ । ତାକୁ ମାରି କୁକୁରମୁହଁକୁ ଫୋପାଡ଼ିଦେଲେ ।

 

“ସରଳା ବାଳିକା ଯଜ୍ଞ ଦେଖିବାକୁ କେତେଥର ଆସିଛି । ସେ ଭାବିଥିଲା ଯେଉଁମାନେ ଧର୍ମକୁ ଚିଲମ୍‍, ତ୍ରିଶୂଳ, ଖଣ୍ଡା ତରବାରିରେ ଧରିରଖିଛନ୍ତି ସେମାନେ ପ୍ରକୃତ ସାଧକ । ସେମାନଙ୍କ ପାଖରେ ନଇଁପଡ଼ିଲେ କିଛି କ୍ଷତି ହେବନାହିଁ ।

 

“ମାତ୍ର ମହାଶୟ, ତା’ର ଯେତେବେଳେ ଭୁଲ ଭାଙ୍ଗିଗଲା, ସେ ଆଉ ସଜାଡ଼ି ହୋଇ ପୁଣି ଥରେ ହୋଇ ପରିଲାନାହିଁ । କିଓ ସମୁଦୀ କହୁନ ? କିପରି ତା’ର ଗର୍ଭକୁ ତ୍ରିଶୂଳରେ ଫଟେଇ ତାଙ୍କରି ଅପକିର୍ତିର ଭ୍ରୁଣକୁ ହତ୍ୟା କରିଥିଲେ, କହୁନ ? ହଁ, ମହାଶୟ, ଗୋଟାଏ ବର୍ଷା ରାତ୍ରୀରେ ସେହିଭଳି ଅବସ୍ଥାରେ ଚନ୍ଦନାର ଶବ ମିଳିଥିଲା ଗୋଟାଏ ଗଛମୂଳରେ ।

 

“କୁହନ୍ତୁ ଚାନ୍ଦନାଠାରୁ ଆଉ କିଏ ବେଶୀ ସତୀ ସାଧ୍ୱୀ ରହିଛି ? ସେ ଯେଉଁ ସ୍ପର୍ଶ ପାଇଥିଲା, ତାହା ଯଜ୍ଞର ସ୍ପର୍ଶ, ଧର୍ମର ସ୍ପର୍ଶ ନୁହେଁ କି ?”

 

ଦୁଇ ସମୁଦୀ କୋଳାକୋଳି ହେଲେ । ଦୁଇ ବୃଦ୍ଧ ନାଚିଗଲେ ଯେତେବେଳେ ଲାଟସାହେବ୍‍ ସେହିଠାରେ ଏତିକି ମାତ୍ର ପୋଷଣ କଲେ–ଏ ଅନୁଷ୍ଠାନର ନାମ ରହିଲା ‘ଚନ୍ଦନା ମାତୃମଙ୍ଗଳ କେନ୍ଦ୍ର’।

 

କେତେ ଲାଟସାହେବ ଆସିଲେ, କେତେ ଗଲେ, ମାତ୍ର ସେ ନଥିଟା ସମସ୍ତଙ୍କ ଆଖିରେ ପଡ଼ିଲା । ସମସ୍ତେ ପଢ଼ିଲେ ନଥିଟା ଯେମିତି କାଳଜୟୀ ହୋଇଗଲା ।

 

ନଥିରେ ଲେଖାଥିଲା–‘କେତେଜଣ ତରୁଣ ଛାତ୍ରଙ୍କର ଆନ୍ଦୋଳନ ଫଳରେ ଅସାମାଜିକ, ଧର୍ମଧ୍ଵଜାଧାରୀ ଅଦ୍ଧୁକ୍ଷିତ ଏଇ ମଠର ସମସ୍ତ ସମ୍ପତ୍ତି ଓ ଭୂମି ସରକାର ବାଜ୍ୟାପ୍ତ କରିନେଇ ସେଇ ହତ୍ୟା, ଲୁଣ୍ଠନ ଓ ଅସାମାଜିକ କ୍ରୀୟାର ପୀଠ ଉପରେ ତୋଳିଦେଲେ ଏକ ଜନକଲ୍ୟାଣର ତୀର୍ଥଭୂମି–ନବଜାତକମାନଙ୍କର ଜନ୍ମସ୍ଥାନ । ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ ‘ଏ ଗୋଟାଏ କଳଙ୍କମୟ ପୀଠର ମାଟି ଉପରେ ଆଜି ଶତ ଶତ ଶିଶୁ ଜନ୍ମନେଇ ପ୍ରତ୍ୟକ୍ଷ କରୁଛନ୍ତି ନୂତନ ସୂର୍ଯ୍ୟକୁ । ଧର୍ମ ସେମାନଙ୍କର ବାହାରେ ଅବସ୍ଥିତ ନୁହେଁ–ଭିତରେ, ବହୁ ପ୍ରାଣୀର ପ୍ରାଣ ଭିତରେ । ଚନ୍ଦନାର ମୃତ୍ୟୁ ଏଇ ଅମୃତ ଆଣିଛି । ସେ ଅମୃତର ଚିରକାଳକୁ ଜୟ ହେଉ ।

 

ଖଣ୍ଡେ ନୀଳ କାଚ

 

ସେଦିନ ବସୁଟି କାହିଁକି ମତେ ଖୁବ୍ ଭଲଲାଗିଲା । ଯନ୍ତ୍ର ସତ, ମାତ୍ର ମଣିଷର ଆୟତ୍ତରେ ରହିଥାଏ । ପରିଚ୍ଛନ୍ନ ଦେହ, ଓଦାଳିଆ; ସାମନା କାଚ ଉପରେ ଶିଶିରବିନ୍ଦୁ । ତା’ ଉପରେ ରବିରଶ୍ମି ର ଝଲକ୍‍ । କ୍ରମେ ବସ୍‍ ଛାତ ଉପରେ ଧାଡ଼ି ବାନ୍ଧି ବସିଗଲେ କାଉପଲ ।

ଟିକିଏ ଦୂରରେ ଜଗନ୍ନାଥବଲ୍ଲଭର ଚୁଡ଼ା ଉପରେ ପକ୍ଷ ବିସ୍ତାର ଖେଳିଗଲେ କେତେ ପକ୍ଷୀ । ଗୁଞ୍ଜନ ଉଠିଲା ନୀଳ ନାରିକେଳ ବନ ଭେଦ କରି । ଉପରେ ପ୍ରଶାନ୍ତ ଆକାଶ । ଏପଟେ ଧ୍ଵଜା ଉଡ଼ୁଛି–ରକ୍ତ ବେତନ, ଦେବତାର ମନ୍ଦିର...ତାରି ଚୁଡ଼ା ସ୍ପର୍ଶ କରି ଖେଳିଜାଇଛି ନିବୋଦିତ ସୂର୍ଯ୍ୟର କିରଣ ସମ୍ଭାର ।

ତଟସ୍ଥ ମୁଁ । ଏ ସହର କ୍ରମେ ସୁଷୁପ୍ତିରୁ ଜାଗୃତିକୁ ପହଁରି ଆସୁଛି । ସମୟ ଯେତିକି ଆଖର ହେବ, ଲୋକର ଏହି ପ୍ରଭାତୀ ପ୍ରସନ୍ନତା ଆଉ ରହିବ ନାହିଁ । ସେ ଜଞ୍ଜାଳରୁ ଗତି କରିବ, ସଂଗ୍ରାମ କରିବ; ଶଠତା, କପଟତା ଆଚରଣ କରିବ । ପୁଣି ଶୋଇ ନ ପଡ଼ିବାଯାଏ, ପୁଣି ତା’ର ଚେତନା ଅବଲୁପ୍ତ ନ ହେବାଯାଏ ସେ ଥିବ ପ୍ରମତ୍ତ ଅବସ୍ଥାରେ । କେତେବେଳେ ସେ ସଂହାର କରିବାକୁ ଉଦ୍ୟତ ହେବ, କେତେବେଳେ ସେ ବିପନ୍ନ ବୋଧ କରିବ; କିନ୍ତୁ ପ୍ରଶାନ୍ତ ଆସିବ ନାହିଁ ।

ଡ୍ରାଇଭର ବେଶ୍‍ ସୁସ୍ଥ । ଯାତ୍ରାର ମୋହ ଯେପରି ତାଙ୍କର ସଂବାଙ୍ଗରେ ଲେପି ହୋଇଯାଇଛି । ମୁଁ ଭାବିପାରେନା ଏକା ପଥ ଉପରେ, ଏକା ଯାନର ଚକ୍ର ଚଲେଇନେଇ ଯେଉଁ ଚାଲକ ନିର୍ଦ୍ଧିଷ୍ଟ ସଂଖ୍ୟକ ମାଇଲ ଅତିକ୍ରମ କରେ, ପୁଣି ଫେରିଆସେ, ସେ ପ୍ରତିଥର ଯାତ୍ରା ପୂର୍ବରୁ ଏତେ ସତେଜ ଥାଏ କିପରି ?

 

ବୋଧହୁଏ ପଥର ଗୋଟାଏ ମୋହନ ମନ୍ତ୍ର ଅଛି । ସବୁ ଏକା ହୋଇପାରେ; ମାତ୍ର ପଥ ଉପର ଯାତ୍ରା ଏକା ହୋଇପାରେନା । ଦୁଇପାର୍ଶ୍ଵର ବୃକ୍ଷ, ପାହାଡ଼, ନଦୀ, ଭୂମି ସବୁ ଏକ ରଙ୍ଗରେ ରଙ୍ଗାୟିତ ଥାଏ ସତ୍ୟ; ମାତ୍ର ଏଇ ରଙ୍ଗ ଭିତରେ ସୁରଙ୍ଗର ବୈଚିତ୍ର ଆଉ କିଛି ଥାଏ, ଯାହାର କଳନା କରି ହୁଏ ନାହିଁ ।

 

ସେଥିପାଇଁ ଚାଲକ ପ୍ରତି ଥରର ଯାତ୍ରା ଆରମ୍ଭରେ ଏତେ ସୁସ୍ଥ । ସେଥିପାଇଁ ପରିବହନକାରୀ କର୍ମଚାରୀ ଏତେ ଶାନ୍ତ ଓ ସମାହିତ ।

 

ଲୋକେ ଆସୁଥିଲେ–ଯାତ୍ରାର ସୁଗନ୍ଧ ଘେନି ଆସୁଥିଲେ । ମାତ୍ର ସବୁ ବାଟଚଲାର ଗୋଟିଏ ରସ ନାହିଁ । ଏ ରସ ଭିନ୍ନ ହୋଇଯାଏ ଜିବନର ବିଚିତ୍ର ଭୂମିକା ଘେନି ।

 

ଯାତ୍ରୀ ବସିଥାଏ ନିବିଷ୍ଟ ମନରେ–ଅଥଚ ପୁତ୍ର ପଡ଼ିଛି ଦୂରସ୍ଥ ଚିକିତ୍ସାଳୟରେ ଜୀବନ ମରଣର ସନ୍ଧିସ୍ଥଳରେ–ମକଦ୍ଦମାର ହାରଜିତ ଘେନି କାହାର ପ୍ରାଣ ଉଦ୍‍ବେଳିତ । କିଏ ବା ନବ–ବିବାହିତ ନବବଧୂକୁ ଦେଖିବାପାଇଁ ଆଖିରେ ଅଞ୍ଜନ ଭରିଛି । ଲେଖିଯାଉଛି କେତେ କଥା ମନ ଭିତରେ ଅପୂର୍ବ ଚିତ୍ର ବିନ୍ୟାସରେ ।

 

ମଣିଷ ଏହିପରି ହୁଏ, ପ୍ରକୃତି ତାକୁ ଏହିପରି କରାଏ । ଶିଶୁଟିଏ କାନ୍ଦିବାକୁ ଆରମ୍ଭ କଲାଣି । ମାଆ ତାକୁ ତୁନି କରାଉଛି–ଭୟ, କାଳେ କିଏ ବିରକ୍ତ ହେବ । ସଭ୍ୟ ଲୋକମାନେ ପିଲାକାନ୍ଦଣାକୁ ବିରକ୍ତ ହୁଅନ୍ତି ।

 

ମୋ ଉପରେ ବସ୍‍ର ଝରକା ଦେଇ ସୂର୍ଯ୍ୟକିରଣ ପଡ଼ୁଥିଲା । ଏତେ ସକାଳୁ ବି ବଢ଼େଇମାନେ ନୂଆ ରଥର କାଠ ଉପରେ ହଣାହଣି ଆରମ୍ଭ କରିଦେଇଅଛନ୍ତି । ରାଜନବର ଦିଶୁଥାଏ...ସେଇଠି ରଥଚକ୍ର ତିଆରି ହେଉଛି ।

 

ସହସା ଗୋଟାଏ ଶବ୍ଦ ଶୁଣିବାକୁ ପାଇଲି । କେତେ ଶବ୍ଦ ଏ ଜୀବନରେ ଶୁଣିଛି–ଶବ୍ଦ ଅଶବ୍ଦ କେତେ–ମାତ୍ର ଏ ଧ୍ଵନିକୁ ବିଳାପ କହିହେବ ନାହିଁ କି ସରସ ହାସ କହିହେବ ନାହିଁ ।

 

ଏ ଏକପ୍ରକାର ବିଚିତ୍ର ଧ୍ଵନି ବା ଧ୍ଵନିର ସମବାୟ । ରାଜପଥ ମୁଖରିତ ହୋଇଗଲା ଏ ଧ୍ଵନିରେ । ସମସ୍ତେ ଚାହିଁଲେ ସେଆଡ଼େ...ହଁ...ଦେଖିଲି...

 

ଏ ଜୀବନରେ ପଦ୍ମ ଫୁଟେ, ବିଷ ବି ଚହଟେ । ଏହି ଜୀବନକୁ ଗ୍ରାସ କରେ, ପୁଣି ଏ ଜୀବନରେ ଆସେ ଦେବବିଭୂତି । ଶ୍ମଶାନ ସିନା ସବୁ ବୈଚିତ୍ର୍ୟର, ସବୁ ବିଭିନ୍ନତାର ଏକ ସମାପ୍ତ ସମନ୍ୱୟ କ୍ଷେତ୍ର; ମାତ୍ର ଜୀବନ ଥିବାଯାଏ ଏ ବିଭିନ୍ନ ଆସ୍ଵାଦନକୁ ଲୋକ ଗ୍ରହଣ କରିଥାଏ ।

 

ସହଯାତ୍ରୀମାନଙ୍କୁ ପଚାରେ ମନେଅଛି କି ସେ ଦୃଶ୍ୟ ? ମନେପଡ଼ୁଛି କି ସେଇ ଜୀବଟି-? ନା ୟାରି ଭିତରେ, ଜଞ୍ଜାଳର ସ୍ତୂପାକାର ସୁଖଦୁଃଖ ଭିତରେ ୨୫ ତାରିଖ ସକାଳର ସେଇ ଦୃଶ୍ୟଟି ହଜି ଯାଇଛି ଏକାବେଳକେ ।

 

ମୁଁ ଲକ୍ଷ୍ୟ କରିଥିଲି–କାହାର ସେ ଦିଗକୁ ତନ୍ମୟତା ନଥିଲା । ଥିବ କିପରି ? ସେ ତ ଆତ୍ମସଙ୍ଗୀତ ନୁହେଁ ଯେ ତା’ର ମୂର୍ଚ୍ଚନା ମନପ୍ରାଣ ଭରି ରଖିଥିବ ? ବରଂ ଦେଖିଲି ଘୃଣା...ଘୃଣାବୋଧ...ଛି, ମାଇପିଟା ଏମିତି ନାଚୁଛି, ଏମିତି କଥା କହୁଛି ? ଏମିତି ଲଙ୍ଗଳା !

 

ଆମେ ସୁସ୍ଥ, ଆମର କୌଣସି ଅଙ୍ଗ ବିକଳ ହୋଇନାହିଁ । ଜୀବନର ଧାରା ଅବ୍ୟାହତ ରହିଛି । ସେଥିପାଇଁ ସେ ସକାଳର ସେଇ ନାରୀଟି ପ୍ରତି–ଯାହାର ପ୍ରତ୍ୟେକଟି କାର୍ଯ୍ୟ, ପ୍ରତ୍ୟେକଟି କଥା, ପ୍ରତ୍ୟେକଟି ଆଚରଣ ସଭ୍ୟସମାଜର, ସଭ୍ୟ ବୁଦ୍ଧିର ବହିର୍ଭୂତ, ତାକୁ ଆମେ ବାଟର ମାଟି ମୁଠାଏ ଭାବି ଭୁଲିଯାଇଛୁ । ତା’ର ଅସଂଗତ ସ୍ୱଭାବକୁ ବୁଝିବାକୁ ଆମର ତନ୍ମୟତା ଆସିବ ନାହିଁ ।

 

ସମସ୍ତେ ବୁଝୁଥିବେ ମୁଁ ଜଣେ ଅର୍ଦ୍ଧଉଲଗ୍ନା ବିକୃତମସ୍ତିଷ୍କା ଉନ୍ମାଦିନୀ ନାରୀର କଥା କହିବାକୁ ଯାଉଛି । ମାତ୍ର ଏଭଳି ଅପାଙ୍‍କ୍ତେୟ ଜୀବର ଏଇ ଦୁର୍ଗତ ଜୀବନକୁ ଲେଖି ଜଣାଇବାର କି ପ୍ରାସଙ୍ଗିକତା ଅଛି ?

 

ନାଁ, ନାହିଁ । ଅଥଚ ଶାଶ୍ଵତ ମହାକାଳର ପ୍ରବାହ ଭିତରେ ଏ ଦୃଶ୍ୟର, ଏ ଜୀବନର ସ୍ଥାନ ଅଛି । ସେ ନାରୀ ହସୁଥାଏ, କାନ୍ଦୁଥାଏ, ନାଚୁଥାଏ, କଣ୍ଠ ତା’ର ଛିଣ୍ଡିଯାଉଥାଏ ଚିତ୍କାର କରି ।

 

ବସ୍‍ ପାଖର ପ୍ରତ୍ୟେକଟି ଝରକା ପାଖକୁ ସେ ଆସୁଥାଏ । ଶକ୍ତ ଓ ଦୃଢ଼ ଚକ୍ଷୁରେ ଚାହୁଁଥାଏ–ଖୋଜୁଥାଏ ସେ କାହାକୁ–ଯାହାରି ଯୋଗୁଁ ଆଜି ସେ ରାଜପଥ ଉପରେ ନାଚି ନାଚି ସମସ୍ତଙ୍କର ଘୃଣିତ ଚକ୍ଷୁପତା ତଳେ ବୀଭତ୍ସ ରୂପ ଧରିଛି । ସେହି ଲୋକ ବା ଲୋକମାନଙ୍କୁ ସେ ଖୋଜୁଥାଏ କି ?

 

ସେ ଏକ କ୍ଷଣ ସ୍ଥିର ଭାବରେ ଛିଡ଼ାହୋଇଥାଏ–ପୁଣି ଫେଁ କିନା ହସେ–ହସର ଫୁଆର ଉଠେ–ହସି ହସି ମାଟିକୁ ଚାହେଁ ଓ ମାଟି ଚାହେଁ ତାକୁ ।

 

ସମସ୍ତେ, ଯେଉଁମାନେ ଝରକା ପାଖରେ ବସିଥାନ୍ତି, ଥରିଉଠନ୍ତି–ଛୁଇଁଦେଲା କି ? ହାତ ବଢ଼ାଇଦେଲା କି ? ଭାରି ଭୟ ।

 

ସାୟା ଖଣ୍ଡେ ପିନ୍ଧିଥିଲା ସେ । ବକ୍ଷ ଉପରେ ଖଣ୍ଡିଏ ମଇଳା କନା । ଏହି ତ ତା’ର ଆଭରଣ ! ଲଜ୍ଜାବୋଧ ତା’ର ନ ଥାଏ । ଜନତାର ଲଜ୍ଜାକୁ ଯେ ସର୍ବାଙ୍ଗରେ ଆବୋରି ରଖିଛି, ତା’ର ପୁଣି ଲାଜ ଘୋଡ଼ାଇବାର ଆଭରଣ ଦରକାର ହେବ କାହିଁକି ?

 

ଗୋଟାଏ ତୁଚ୍ଛ ବାୟାଣୀଟାର କଥା ଲେଖୁଛି ବୋଲି କେହି କେହି ଅସନ୍ତୁଷ୍ଟ ହେବେଣି । ମୋ ସଂସାରରେ ବାୟା ବାୟାଣୀଙ୍କ ଚଳାଚଳ ବେଶି । ସଂସାର ଯେଉଁମାନଙ୍କୁ ବାୟା ବାୟାଣୀ ବେଶରେ ସଜେଇଛି, ସେଇମାନେ ମୋର ଅତି ପ୍ରିୟ । ଏମାନଙ୍କ ସାଙ୍ଗରେ କଥା କହିବାକୁ ମୋର ଭୟ ନ ଥାଏ, କାରଣ ତାଙ୍କ ମନ ଓ ଶରୀରର ଉଲଗ୍ନତା ଏଇ ସଭ୍ୟ, ବୁଦ୍ଧିଦୀପ୍ତ, ରକ୍ତହୀନ, ଦୁର୍ବୋଧ୍ୟ ମଣିଷଙ୍କର ଯତ୍ନସାଧିତ ବସନଭୂଷଣ ପରିପାଟୀ ଅପେକ୍ଷା ଅଧିକ ବିଶ୍ୱସ୍ତ ଓ ଅଧିକ ଆକୃତ୍ରିମ । ଛାଡ଼ ସେ କଥା ।

 

କଅଣ ସେ କହୁଥାଏ, କି ଅଭିଯୋଗ ସେ ବାଢୁଥାଏ ବୁଝିବା ଶକ୍ତ । ତେବେ ସେ ଯେ ଆହତ, ତା’ର ନାରୀତ୍ଵ ପଶୁ କବଳରେ ଯେ ଛନ୍ନଭିନ୍ନ, ତା’ର ଅତୀତ ରକ୍ତଝରରେ ଯେ ଲୋହିତ, ସେ ଯେ ଝରା ପତ୍ର–ବିଶୁଷ୍କ ଓ ସହସ୍ର ପଦପ୍ରାନ୍ତରେ ଦଳିତ; ଏହାର ସାର୍ଥକ ପ୍ରତିଲିପି ତା’ର ପ୍ରତି ଲେମକୂପରେ ଚିହ୍ନିତ ରହିଥାଏ ।

 

କେଜାଣି କାହିଁକି ତା’ର ନାଚିବା, ହସିବା, କୁଦାମାରିବା ଆଉ ବଜାବଜି ଭିତରେ ମୋ ଆଡ଼କୁ ତା’ର ଦୃଷ୍ଟି ପ୍ରସାରିତ ରହିଥିଲା ।

 

ଗୋଟିଏ ଉନ୍ମାଦିନୀର ଦୃଷ୍ଟି ପ୍ରସାରଣର ଅର୍ଥ କିଛି ନାହିଁ । ତଥାପି ଅସ୍ଵାଭାବିକ ମନେହେଲେ ବି ତା’ର ଚାହାଣି ମୋ ଉପରେ ବେଶି ପଡ଼ିଥିଲା ।

 

ସହଯାତ୍ରୀମାନେ ଆତଙ୍କିତ ଅବଲୋକନରେ ମତେ ସତର୍କ କରୁଥାନ୍ତି । ତାଙ୍କ ମନୋଭାବରୁ ଜଣାପଡ଼ୁଥାଏ, ମୁଁ ଅବିଲମ୍ଭେ ସେଇ ପାଗଳିନୀଦ୍ଵାରା ଆଘାତ ପାଇବି ।

 

ଲୋକେ ହସାହସି କରୁଥାନ୍ତି । ଗୋଟାଏ ଉଲଗ୍ନା ନାରୀର ଦେହସୌଷ୍ଠବ କିଛି ନ ଥିଲେ ବି ତାହା ଯେ ନାରୀ ଦେହ ଏଇଟା ହିଁ ଯଥେଷ୍ଟ–ଅବଚେତନ ମନର କାମନାକୁ ପ୍ରଜ୍ଜ୍ୱଳିତ କରିବାପାଇଁ । ତା’ଛଡ଼ା ମାଇପିଟି ଅଧାବୟସୀ ବି ନୁହେଁ । ଖରା ବର୍ଷା ଅଭୋଜନରେ ସେ କଳଙ୍କ–କୃଷ୍ଣ ହେଲେ ବି ନାରୀ ଦେହର ଗଠନଭଙ୍ଗୀ ତ ଅଛି । ଦୋକାନ ବଜାରର ଲୋକେ ଜମା ହୋଇ ବେଶ୍‍ ଗୋଟାଏ ମଉଜ ଦେଖୁଥାନ୍ତି ।

 

ବସ୍‍ ଛାଡ଼ିବା ସମୟ ହୋଇ ଆସିଲା । ମୁଁ ଚନ୍ତାରେ ବୁଡ଼ି ରହିଥିଲି । ଏ କାହାର ଝିଅ, କାହାର ବଧୂ, ଏହାର ଜନ୍ମର ପ୍ରୟୋଜନ କଅଣ ବା ଥିଲା ? ଜଞ୍ଜାଳ ସହି ନ ପାରି ବୋଧହୁଏ କୂଳଲୋକେ ଏଇଠାରେ ତାକୁ ଆଣି ଛାଡ଼ି ଦେଇଗଲେ ଜଗନ୍ନାଥ ଆଶ୍ରୟ ତଳେ । ଏକ ପୂଣ୍ୟ କାମ କଲେ ବୋଧହୁଏ !

 

ଅଳ୍ପ ଦିନରେ ଯେ ସେ ଶୁଖି ଶୁଖି ମରିଯିବ, ତା’ର ଭଲପଟରେ ସେଇ କଥା ଜକ୍‍ ଜକ୍‍ ଜଳୁଥାଏ । ମୋ ପଛ ସିଟ୍‍ର ଜଣେ ଭଦ୍ରଲୋକ ମତେ ଡାକି କହିଲେ–”ଆପଣଙ୍କ ଆଡ଼େ ତା’ର ବେଶୀ ନଜର । ଭଲ ମଣିଷ ଭଳି ଆପଣଙ୍କୁ ଚାହିଁ ହସୁଛି ।”

 

ମୁଁ କଅଣ ବା ଉତ୍ତର ଦେବି ? ମନକୁ ଆସୁଥିଲା କହିଦେବାପାଇଁ, ବୋଧହୁଏ ମୋ ଆଖିରେ ସେ ଦେଖିଛି ଏକ ବୃନ୍ତଚ୍ୟୁତ, ପ୍ରହୃତ, କବଳିତ ଜୀବନପାଇଁ କଣାମାତ୍ର ସହାନୁଭୂତି, ଟିକିଏ ସ୍ନେହ । ଆଉ ଆପଣଙ୍କ ନେତ୍ରରୁ ଝରିପଡ଼ୁଛି କେବଳ ଘୃଣା...ଘୃଣା...ଘୃଣା !

 

କିନ୍ତୁ ସେ ସବୁ ତ କହିବାର କଥା ନୁହେଁ । ଅଗତ୍ୟା ନୀରବ ହେଲି ।

 

ତା’ପରେ ଏକ ଅଭୁତ ଘଟଣା ଘଟିଗଲା, ଯାହା ଏପରି ଅଚିନ୍ତନୀୟ ଯେ ମନରୁ ପୋଛି ହୋଇ ପାରିବ ନାହିଁ ।

 

ସେ ବସିପଡ଼ିଲା ମୋର ଝରକା ତଳକୁ, ମାଟି ଉପରେ । କ’ଣ ଗୋଟିଏ ପଦାର୍ଥ ଧରି ସେଇ ଉନ୍ମାଦିନୀ ଲେଖିଲା କେତୁଟା ଅକ୍ଷର ।

 

ଟିକିଏ ଦୂରରୁ ଭାସି ଆସିଲା କଣ୍ଠସ୍ୱର–ମଲା ଯାଆ, ପାଠଶାଠ ପଢ଼ିଛି ନା କ’ଣ ?

 

ଯେ ଏ କଥା କହିଲେ, ସେ ବୋଧହୁଏ ଭାବିଥିଲେ ସତରେ ସେ କିଛି ଲେଖୁନାହିଁ–ପେଖନା କରୁଛି; ବାୟାଣୀଟାର ଉନ୍ମତ୍ତତା ମାତ୍ର । ତେଣୁ ତା’ ଆଡ଼କୁ ଦୃଷ୍ଟି ନ ଦେଇ ଯିଏ ଯେଉଁଆଡ଼େ ଚାହିଁଲେ ।

 

କଣ୍ଡକ୍ଟର ଧୀରେ ପଚାରିଲେ–’ଆଉ କାହାର ଟିକେଟ ହେବ ? ଗାଡ଼ି ଛାଡ଼ିବ ।’ ଏ କଥା ଶୁଣି ସମସ୍ତେ ନିଶ୍ଚିନ୍ତ ହେଲେ ।

 

ମୁଁ ଚାହିଁ ରହିଥାଏ ସେଇ ଉନ୍ମାଦିନୀ ଆଡ଼େ । ଆହା, ବିଚାରୀ ଯେଉଁ ମାଟି ଉପରେ ବସିପଡ଼ିଛି ସେଇ ମାଟି ଶତ ସହସ୍ର ଆଲିଙ୍ଗନ ଚୁମ୍ବନରେ ଡାକିନେବ ତାକୁ...ଆଉ ଅଳ୍ପ ସମୟ ରହିଲା । ଆସିବ ସେ ଶେଷ ମୂହୁର୍ତ୍ତ ।

 

ଗୋପ...

 

‘ଗ’ରେ ଓକାର, ପ...ବେଶ୍‍ ଗୋଲ୍‍ ଗାଲ୍‍ ଦୁଇଟି ଅକ୍ଷର ।

 

ଏତକ ଲେଖିଦେଇ ବାୟାଣୀ ମୋରିଆଡ଼କୁ ଚାହିଁ ହସି ହସି କହିଲା–”ତାକୁ ଦେଖିଚୁ–ସେ ଚାଲିଯାଇଚି । ନେ–ରଖ୍‍ ପାଖରେ–ରଖିଥା–ଏଁ !”ଏତକ କହି ମୋର ବସିଥିବା ଝରକା ପାଖକୁ ଆସି କଅଣ ଗୋଟାଏ ଜିନିଷ ମୋ ଉପରକୁ ପକାଇଦେଲା ।

 

ମୁଁ ସେତେବେଳକୁ ସେଇ ଦୁଇଟି ମାଟି–ଖୋଳା–ଅକ୍ଷର ‘ଗୋପ’ ଆଡ଼କୁ ଚାହିଁଥାଏ । ବିଶ୍ଵାସ ହେଉନାହିଁ ସହଯାତ୍ରୀମାନଙ୍କର ? ଆପଣମାନେ ଅନ୍ୟମନସ୍କ ହୋଇ ବି ଦେଖିଛନ୍ତି, ମାତ୍ର ବୁଝିପାରିନାହାନ୍ତି ।

 

ସେଇ ପଦାର୍ଥଟି ଠିକ୍‍ କରି ମୋର ବାଁ ପକେଟ୍‍ ମନିବ୍ୟାଗରେ ବାଜି ଆଶ୍ରୟ ନେଲା ପକେଟ୍‍ ଭିତରେ । ମୁଁ ସବୁ ଜାଣୁଥାଏ, ମାତ୍ର ରହିଗଲି ନିର୍ବିକଳ୍ପ ସମାଧିରେ ।

 

ମୋ ପାଖ ସିଟ୍‍ରେ ଭଦ୍ରଲୋକ ଆତଙ୍କିତ ହୋଇ ପାଟି କଲେ–ଏଁ, କଅଣ କଲା ? କଅଣଟାଏ ପକେଇ ଦେଲା ? ଦେଖନ୍ତୁନା !

 

ମୁଁ ସ୍ଥିରଭାବରେ ବସିଥାଏ । ଭାବୁଥାଏ ଉନ୍ମାଦିନୀ କଅଣ ଲେଖିଲା ? ‘ଗୋପ’ ?

 

ଭଦ୍ରଲୋକ ବ୍ୟସ୍ତ ହୋଇ ପଚାରିଲେ–କ’ଣ ବିଡ଼ିଖଣ୍ଡେ, ପୋଡ଼ା ବିଡ଼ି ?

 

ମୁଁ ଅତି ଧୀର ଭାବରେ କହିଲି–ନାଁ, ମୁଁ ଜାଣିନି ।

 

–ତେବେ କଅଣ ଗୋଡ଼ିଟାଏ ?

 

–ନାଁ, ତା ବି ଜାଣିନି ।

 

–ଅଚ୍ଛା ଲୋକ ଆପଣ ? ଦେଖିନେବି ସେ କଅଣ ପକେଇଲା ?

 

ମୁଁ ତାଙ୍କ ଆଡ଼କୁ ମୁହଁ ଫେରାଇ ଉତ୍ତର ଦେଲି–ମୁଁ ଦେଖିସାରିଛି, ଯାହା ଆପଣମାନେ ଦେଖି ପାରିବେ ନାହିଁ । ଏଇ ମାଟି ତଳେ ଯାହାର ହାଡ଼ ମାଂସ ପୋତା ରହିଛି ଏବଂ ଯାହାର ଦେହ ଉପରେ ଦେଶବାସୀ ଚାଲିଯାଆନ୍ତୁ ବୋଲି ଯେଉଁ ଲୋକ ପ୍ରାର୍ଥନା କରିଥିଲା, ସେଇ ଲୋକକୁ ମୁଁ ଦେଖିପାରିଛି ।

 

ମୁଁ ବୋଧହୁଏ ଆଉ ଏକ ବୃଦ୍ଧପାଗଳ ଭାବି ଭଦ୍ରଲୋକ ଚୁପ୍‍ ରହିଲେ ।

 

‘ଗୋପ’ ଚାଲିଯାଇଛି । ଉନ୍ମାଦିନୀ ସେଇ ରମଣୀ ଭୂଇଁ ଉପରେ ରେଖା କାଟି ବର୍ଣ୍ଣ ପରିଚୟ ଦେଇଗଲା–ଗୋ–ପ !

 

କାହିଁକି କେଜାଣି ଚମକିଉଠିଲି । କ୍ରମେ ସମସ୍ତ ଘଟଣାଟା ଅର୍ଥସମୃଦ୍ଧ ହୋଇଗଲା । କିଏ ଏହି ଗୋପ ? ସେ ନାରୀର କଅଣ ସ୍ଵାମୀ ? ପୁତ୍ର ? କିଏ ସେ ?

 

ହୋଇପାରେ କେହି ଜଣେ । ମାତ୍ର ମୋ ହୃଦୟରେ ଦୁଇଟି ମାଟି–ଖୋଳା ଅକ୍ଷର ଏକ ଅସ୍ପଷ୍ଟ ପ୍ରଜ୍ଞାରେ ଛିଡ଼ା କରାଇଦେଲା ସେହି ଦେବମୂର୍ତ୍ତି ଉତ୍କଳମଣି ଗୋପବନ୍ଧୁଙ୍କୁ ।

 

ହୋଇପାରେ ମୋ ମନର ସେ ଏକ ଭୂତ । ଗୋଟାଏ ଉଲଗ୍ନା ଉନ୍ମାଦଗ୍ରସ୍ତା ମୃତ୍ୟୁକୁ ଅପେକ୍ଷାମାଣା ନାରୀର ହାତ ଲେଖା ଭିତରେ ମୁଁ ସେହି ମୁହୂର୍ତ୍ତରେ ବରଣ କରିନେଲି ଆଜନ୍ମ ସାଧକ ମହାମାନବ ଗୋପବନ୍ଧୁଙ୍କୁ । ସେ ହଜିଯାଇଛନ୍ତି । ତାଙ୍କୁ ସେ ବାୟାଣୀ ଖୋଜୁଛି, ମୁଁ ଖୋଜୁଛି, ଆପଣ ଖୋଜୁଛନ୍ତି, ସମସ୍ତେ ଖୋଜୁଛନ୍ତି । ଏ ଯୁଗସନ୍ଧି ବେଳେ ସର୍ବତ୍ର ତାଙ୍କର ଖୋଜାପଡ଼ିଛି ।

 

ଯାନ ସାକ୍ଷିଗୋପାଳ ଡେଇଁ ଆସିବା ପରେ ମୋର ସଂବିତ୍‍ ଫେରିଆସିଲା । କ’ଣ ଗୋଟାଏ ପଦାର୍ଥ ବାୟାଣୀ ମୋ ପକେଟ୍‍ ଭିତରେ ରଖି ଦେଇଥିଲା, ଦେଖେଁ !

 

ଦେଖିଲି ଖଣ୍ଡେ ନୀଳ ଛୋଟ କାଚ । ତାହାରି ସାହାଯ୍ୟରେ କେଉଁ ପଲ୍ଲୀ ଚାଟଶାଳୀରେ ଅ, ଆ, କ, ଖ ଶିଖିଥିବା ସେତେବେଳର ବାଳିକା ଏଇ ବାୟାଣୀ କେତେ ମୁହୂର୍ତ୍ତ ପୂର୍ବରୁ ଶ୍ରୀକ୍ଷେତ୍ରରେ ପଥ ଉପର ବାଲି ଉପରେ ଲେଖିଥିଲା ‘ଗୋପ’ ।

 

ମୁଁ ଉନ୍ମାଦିନୀର ଦାନ ଓ ଉପହାର ସେଇ ଛୋଟ ନୀଳ କାଚଖଣ୍ଡିକୁ ସାଇତି ରଖିଛି । ମୋର ବହୁ ସ୍ମୃତି ଓ ଉପହାରର ଏକ ମିଉଜିୟମ୍‍ରେ ଏଇ ନୀଳ କାଚଖଣ୍ଡିକ ଅକ୍ଷୟ ରହିବ କାଳକାଳକୁ ।

 

ମୁଁ ନ ଥିବି, ନ ରହିପାରେ; ମାତ୍ର ମୋର ବିଶ୍ୱାସ, ମୋ ଯିବା ପୂର୍ବରୁ ଯାହା ହାତକୁ ମୁଁ ଏ ସମସ୍ତ ସ୍ମୃତିମୟ ପଦାର୍ଥ ବଢ଼ାଇଦେଇ ଯିବି, ସେ ନିଜେ ଏକ ଶିଳ୍ପୀ, ମୋ ଶିଳ୍ପୀ ମାନସର ପ୍ରକୃତିକୁ ବୁଝି ସେ ରକ୍ଷଣାବେକ୍ଷଣ କରିବ–କେବଳ କରିବ ନାହିଁ, ଅଶ୍ରୁ ସଜଳ ଆଖିର ଧାରାରେ ସେଗୁଡ଼ିକୁ ନିର୍ମଳ କରିଦେଉଥିବ ।

 

ଏଇ ଲେଖାଟି ଲେଖିସାରି ମୋ ହାତରେ ନୀଳ କାଚଖଣ୍ଡିକ ମୁଁ ପରୀକ୍ଷା କରୁଛି, ଆଉ ଦେଖୁଛି ତା’ର ନୀଳବର୍ଣ୍ଣ ବିଭାକୁ ।

 

ମନେପଡ଼ୁଛି ଦୁଇଜଣଙ୍କୁ...ମନେରହିବ ଚିରକାଳକୁ । ମୃତ୍ୟୁର ନିବିଡ଼ ଆଶ୍ରୟକୁ ଭାସିଯାଇଥିବା ବିଚାରୀ ସେଇ ଉନ୍ମାଦିନୀକୁ...

 

ଆଉ ମହାମୃତ୍ୟୁର ଅଶ୍ରୁମାଳୀ ଭିତରେ ଅବଲୁପ୍ତ ରହି ଚିର ଉଜ୍ଜ୍ୱଳ ଗୋପବନ୍ଧୁଙ୍କୁ ।

 

ଦୁହେଁ ନମସ୍ୟ, କାରଣ ଦୁହେଁ ମଣିଷ...ଏବଂ ଦୁଇଜଣଯାକ ମଣିଷଦ୍ୱାରା ହିଁ ନିଗୃହୀତ–ସେଥିପାଇଁ ଆହୁରି ପ୍ରଣମ୍ୟ ।

Image

 

ରାସ୍ତା କୁଆଡ଼େ ?

 

ରାସ୍ତା କୁଆଡ଼େ ? ଏ କି କଥା ? ଯୋଜନାମୟ ଦେଶରେ ରାସ୍ତାର ଅଭାବ ଅଛି କି ? ସବୁଆଡ଼େ ଲମ୍ବି ଯାଇଛି ରାସ୍ତା । କେବଳ ପଥ ନୁହେଁ, ପଥିକ ବି ଅଜସ୍ର । ଯାଉଛନ୍ତି, ଆସୁଛନ୍ତି; ଯେତେ ଫେରୁଛନ୍ତି, ତାହାଠାରୁ ବହୁଗୁଣ ଯାତ୍ରୀ ଯାଉଛନ୍ତି ।

 

ଏ ଯିବାଆସିବା ରହସ୍ୟରେ ରାସ୍ତା ପଡ଼ିରହିଛି । ରାସ୍ତା ତଳେ ସଡ଼କ ଯାଇଛି । ଭୂଗର୍ଭ ଭିତରେ ପଥ, ପୁଣି ଉପରେ ଶଙ୍ଖ । ଏମିତି ଦେଖିବସିଲେ ଚାରିଆଡ଼େ ରାସ୍ତା ।

 

ନୀଳମାଧବପୁଗର ଶଙ୍କର ଜେନା ରାସ୍ତା ଖୋଜି ବୁଲୁଛନ୍ତି । ତାଙ୍କୁ ସଡ଼କଟା ଦେଖାଯାଉନାହିଁ । ନାଁ, ସେ ଅନ୍ଧ ନୁହନ୍ତି । ତାଙ୍କୁ ଅନ୍ଧ କରିଦେଇଛି ଏଇ କାଳିଆଦେବତାଟା ଯେ ବର୍ଷକରେ ଥରେ ଗୋଟାଏ ଛଇଛୋପରା ହୋଇ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ରାସ୍ତା ଉପରେ ବସିରହିଛି ।

 

ଦେବତା ବି ଆଜି ରାସ୍ତା ଉପରେ । ଶଙ୍କର ଜେନା ଘରୁ ବାହାରିଲେ ଦଣ୍ଡ ପ୍ରଣାମ କରି-। ସାଙ୍ଗରେ ପରିବାର । କେବେ ପିଲା ବୟସରେ ମହାପ୍ରଭୁଙ୍କୁ ଦେଖିଥିଲେ । ଆଉଥରେ ପାପନେତ୍ର ପତିତପାବନଙ୍କୁ ଦେଖି ମୁକ୍ତିପାଇବ ।

 

ଶଙ୍କର ଜେନା ପ୍ରଥମେ ନାଁ ଲେଖାଇଲେ ଲିଷ୍ଟ୍‍ରେ । ଏ ଲିଷ୍ଟ୍‍ କଅଣ ? ନୀଳମାଧବପୁରର ବିଖ୍ୟାତ ଟାଉଟର ନାରଣ ମିଶ୍ରେ ଲିଷ୍ଟ୍‍ ତିଆରି କଲେ । ପୁରୀ ଯିବାକୁ ହେଲେ ଆଗ ଗାଁ ଠାକୁରାଣୀଙ୍କ ପାଖରେ ଚାନ୍ଦା ଦେବାକୁ ହେବ ପାଞ୍ଚଟଙ୍କା । ଶଙ୍କର ଜେନା ଟଙ୍କା ଦେଲେ-

 

ପୁଣି ଏକ ଲିଷ୍ଟ୍‍–ମଟର ଭଡ଼ାଠାରୁ ଆଉ ତିନିଟଙ୍କା ପ୍ରତ୍ୟେକଙ୍କୁ ବେଶି ପଡ଼ିବ । ନାରଣ ମିଶ୍ରେ ଯେତେବେଳେ କହୁଛନ୍ତି, ପୁଣି ସେ ପଞ୍ଚାୟତର ସଭ୍ୟ; ସେଥିରେ ମୁଣ୍ଡପୋତିଦେଲେ ଶଙ୍କର ଜେନା ।

 

ଯାତ୍ରୀବାହୀ ବସ୍‍ରେ ଶଙ୍କର ଜେନା ଚକ ଉପରେ ବସିଲେ । ତାଙ୍କର ପରିବାର କାକୁର୍ତ୍ତି ହୋଇ ସେଇ ଚକ ଉପରେ ରହିଲେ । ବସ୍‍ଟା ଯେତେବେଳେ ଯୋଜନାମୟ ଦେଶର ମରଣାବର୍ତ୍ତ ଭିତରେ ଗତି କରୁଥିଲା, ଜେନାଙ୍କ ପରିବାର ଚକ ଉପରେ ନାଚୁଥିଲେ । ଜେନାଏ ଦାନ୍ତ କାମୁଡ଼ି ରହିଗଲେ ।

 

ପୁଣି ଚାନ୍ଦା–ଏ କି ଚାନ୍ଦା ? ଟଙ୍କାଟିଏ । ଯେଉଁବାଟେ ବସ୍‍ ଯାଉଛି ତାକୁ ଲାଗି ଗୋଟାଏ ନିର୍ଦ୍ଦିଷ୍ଟ ଜାଗାରେ ସାଇନବୋର୍ଡ଼ ଟଙ୍ଗାଯାଇଛି । ଲେଖାଯାଇଛି–ଏଠି କଲେଜ ହେବ । ପ୍ରତ୍ୟେକେ ଟଙ୍କାଟିଏ ଦେବାକୁ ବାଧ୍ୟ !

 

ବାଧ୍ୟ ? ଓଡ଼ିଆ ସବୁଠି ବାଧ୍ୟ–ବିଶେଷରେ ଓଡ଼ିଶା ଦେଶରେ । କାରଣ ଏଠି ଖାଲି ତ୍ୟାଗର ବାନା ଉଡ଼ୁଛି । ମାଛ ସେର ଛ’ଟଙ୍କା ଦେବାକୁ ବାଧ୍ୟ । ସିମେଣ୍ଟ ମିଳୁନାହିଁ, କିଳାପୋତେଇ ବାଧ୍ୟ । ଟ୍ରେନରେ ଜାଗା ନାହିଁ, ଜାଗା ଟିକିଏ କରିଦେଲେ ବକସିସ୍‍ ଦେବାକୁ ବାଧ୍ୟ । ଏମିତି କେତେ କଅଣ ବାଧ୍ୟ ସାଧ୍ୟ ଭିତରେ ଓଡ଼ିଆ ଜୀବନଟା ଶ୍ରୀ ଫେରିପାଇଛି ।

 

ଶଙ୍କର ଜେନାଏ ଅନାଗତ ଅଦୃଶ୍ୟ ମହାବିଦ୍ୟାମନ୍ଦିର ପାଇଁ ଟଙ୍କାଟିଏ ଦେଲେ । ରସିଦ ନାହିଁ କି ସାଇନ୍‍ବୋର୍ଡ଼ ପାଖରେ କେହି ଲୋକ ନାହିଁ । କଣ୍ଡକ୍‍ଟର ଟଙ୍କା ନେଲେ ।

 

ତା’ପରେ ଟ୍ରେନଯାତ୍ରା ଆରମ୍ଭ । ଶଙ୍କର ଜେନା ଅଣ୍ଟାଟାକୁ ସଳଖ କରି ପରିବାର ଧରି ଟିକଟ କରିବାକୁ ଗଲେ; ମାତ୍ର ଧାଡ଼ିବନ୍ଧା ଲୋକଙ୍କୁ ଦେଖି ସେ ହତ ଚକିତ ହେଲେ । ତାଙ୍କର ଚକିତ ଭାବ ବେଶୀ ସମୟ ରହିଲା ନାହିଁ ।

 

ଶରଣପଞ୍ଜର କେତେ ହାତ ତାଙ୍କ ପାଖକୁ ବଢ଼ିଆସିଲା । ସମସ୍ତେ ମିତ୍ର,ମୁହଁରେ ହସ । ଜେନାଙ୍କର ଅସୁବିଧା ହେଉଛି କି ? ନାଁ, ଅସୁବିଧା କଅଣ ? ଟିକଟ ଦାମ ଟଙ୍କାଏ ତେରଣା, ସାହାଯ୍ୟକାରୀ ଲୋକର ପାରିଶ୍ରମିକ ଆଠଅଣା ମାତ୍ର । ଶଙ୍କର ଜେନା ସେତିକ ଦେଲେ । ଚାହିଁ ରହିଲେ ବିରାଟ ଷ୍ଟେସନର ଜନସମାଗମକୁ ।

 

ଜନ ଗଲେ, ଆସିଲେ । ଦୁଇଘଣ୍ଟା ପରେ ଶଙ୍କର ଜେନା ପରିବାରଙ୍କ ମୁହଁକୁ ପାଣି ଛାଟିଲେ ପାଣି ପାଇପ୍‍ ସ୍ତମ୍ଭରୁ । ସାହାଯ୍ୟକାରୀ ଆଉ କାହାକୁ ସାହାଯ୍ୟ ଦେବାପାଇଁ ବୋଧ ହୁଏ ବ୍ୟସ୍ତ ଥିଲା ।

 

ଟିକଟ କଲେକଟର ଆସିଲେ । ଯାତ୍ରୀଙ୍କର ସୁଖଦୁଃଖର ମିତ୍ର । କାନ ପାଖରେ ଫୁସ୍‍ଫୁସ୍‍ ହେଲେ ମୋଟରୁ ଚାରିଅଣା ପଇସା ବେଶି ନେବେ । ନିଅନ୍ତୁ । ଜେନାଏ ଗାଡ଼ିରେ ବସିଲେ ।

 

ପରିବାରଙ୍କୁ ଶୋଷ ହେଉଛି । ସେ ଟିକିଏ ଚାହାପାଣି ଚାହିଁଲେ । ଚା’ବାଲା ତା’ର ବ୍ୟବସାୟ ବୁଦ୍ଧିରେ ଜାଣିନେଲା, ଏ ଓଡ଼ିଆ ଜଣକ ଓଡ଼ିଶା ଦେଶରେ ବି ପ୍ରତାରିତ ହୋଇଛି ବହୁବାର । ସେ କାହୁଁ ଛାଡ଼ିବ ।

 

ସେ ମାଟି କପ୍‍ରେ ଚାହାନାମକ ଏକ ତରଳ ପଦାର୍ଥ ଦେଇ, ଇସ୍ପେସିଆଲି କହି, ରଥଯାତ୍ରା ପାଇଁ ଦାମ ବଢ଼ିଛି ବୋଲି ଜଣାଇ, ଅଣାଏ ଜାଗାରେ ଚାରିଅଣା ନେଲା । ଶଙ୍କର ଜେନାଙ୍କର ତାଳୁରୁ ତଳିପାଯାଏ ଥରିଲାଣି । କିନ୍ତୁ ଧର୍ମଭାବ ଖୁବ୍‍ ବେଶି । ସେ ଜାଣନ୍ତି ନାହିଁ ଯେ ଓଡ଼ିଶା ଦେଶଟା ଯେତେ କ୍ଷିପ୍ର ଗତିରେ ଶିଳ୍ପସମୃଦ୍ଧ ହେଉଛି, ସେତିକି ଏ କୋଠକି ବ୍ୟାପାର ବଢ଼ୁଛି-

 

ଜେନାଏ ପୁରୀ ଷ୍ଟେସନରେ ଓହ୍ଲାଇଲେ । ପରିବାର ତାଙ୍କର ପଛେ ପଛେ ।

 

–ଆସୁନ୍‍ ବିଖ୍ୟାତ ବାଙ୍ଗାଲୀ ହୋଟେଲ ।

 

–ବଡ଼ପଣ୍ଡା ଚକ୍ର ଖୁଣ୍ଟଆ, ମାହାର୍ଜେ ଆସିବା ହେଉ । ଖାଲି ଚକ୍ର ଖୁଣ୍ଟିଆ କହିବେ । ବାପ ଅଜା କାଳରୁ ଆମେ ତମର ପଣ୍ଡା–(ସ୍ୱଗତ ଶଳା ଅନାଉଚି କିମିତି ? ପାଖରେ ପଇସା ନାହିଁ,ଏଇଟାକୁ କାହିଁକି ନେବି ? ହଉ ଆସୁ ।)

 

–ଧର୍ମଶାଳା, ବିଖ୍ୟାତ ଠୁନ୍‍ ଠୁନ୍‍ ଠକ୍‍ କର ଧର୍ମଶାଳା ।

 

ଏ ଶବ୍ଦ, ଏ ଟଣାଓଟରା ଭିତରେ ଜେନାଏ କ’ଣ କରିବେ କିଛି ଠିକ୍‍ କରି ପାରିଲେନି । ଶେଷରେ ଚକ୍ର ଖୁଣ୍ଟିଆଙ୍କ ଶରଣାପନ୍ନ ହେଲେ ।

 

ଦେବତାମାନେ ଦାଣ୍ଡକୁ ଆସିଲେଣି । ଶଙ୍କର ଜେନାଏ ଏଯାଏ କିଛି ତୁଣ୍ଡରେ ଦେଇନାହାନ୍ତି । ପଣ୍ଡା ଲଜିଂ ହାଉସ୍‍ ରେ ଛାଡ଼ିଦେଇ ଚାଲିଗଲାଣି ।

 

ଆଗରେ ପୁରି ତରକାରି ଦୋକାନ । ସେଇଠି ଶଙ୍କର ଛିଡ଼ାହେଲେ । ଖଣ୍ଡିଏ ପୁରିକୁ ଦୁଇଅଣା । ତରକାରୀ ନେଲେ ଆଉ ଅଣାଏ । ଶଙ୍କର ଖଣ୍ଡେ ପୁରି ପାଟିକୁ ନେଇ ଥୁ–ଥୁ କଲେ । ପରିବାର ଖାଲି ଚାହିଁଥାନ୍ତି । ସେଇବାଟେ ସ୍ୱାସ୍ଥ୍ୟରକ୍ଷକ କର୍ମଚାରୀ ଡାହାଣ ବାହା ଉପରେ ରକ୍ତବସନ ଗୁଡ଼େଇ ଯାଉଥିଲେ । ସେ ହୁଁକାର ଦେଲେ–କିରେ ଦୋକାନୀ ! ଏ ଥୁ–ଥୁ କରୁଛି ? ଖରାପ ଘିଅ ନାଁ ବାସି ପୁରି ? ଦୋକାନୀ ହସି ହସି କହିଲା–ଆଜ୍ଞା ଭିତରକୁ ଆସନ୍ତୁ ।

 

ସ୍ୱାସ୍ଥ୍ୟରକ୍ଷକ ଭିତରକୁ ଗଲେ । ବାହାରକୁ ଆସିଲାବେଳକୁ ମାତ୍ର ପାଞ୍ଚଟି ଟଙ୍କାରେ ସହରର ସ୍ୱାସ୍ଥ୍ୟରକ୍ଷା କରିଦେଇ ସେ ଚାଲିଗଲେ ।

 

ଜେନାଏ ରାସ୍ତା ଖୋଜିଲେ ଫେରିବାକୁ । ଦେବତା ଏବେ ବି ଯାତ୍ରା କରି ନାହାନ୍ତି । କିନ୍ତୁ ଜେନାଏ ଆଉ ରହିପାରିବେ ନାହିଁ ବୋଲି ଭାବିଲେ । ଗହଳି ବଢ଼ିଲା । ପରିବାର ଝାଉଁଳିଲେଣି । ଠେଲାପେଲାରେ ସମସ୍ତେ ହତ ଚକିତ । କେବଳ ମଟରରେ ଯାଉଥିବା ଲୋକ ଚାଲିଯାଉଛନ୍ତି । ତାଙ୍କୁ ବାଟ ଛାଡ଼ିଦିଆଯାଉଛି । କିଏ ଜଣେ ଆସି କହିଲା–ବେପ୍‍–ପ, ଦିଅଁ ଦେଖିବୁ,ରଥ ଉପରକୁ ଆ–ଘେର ଦଉଡ଼ି ଭିତରକୁ ଆ–ଆଠଅଣା ପଇସା ଦେ–ମୁଁ ସୁବିଧା କରିଦେବି !

 

ଏତେ ବାଟରୁ ଆସି ଗୋଟାଏ ସୁବିଧାରେ ସୁଯୋଗ ନ ନେବାଟା ଠିକ୍‍ ହେବ ନାହିଁ ଭାବି ଶଙ୍କର ପଇସା ଦେଲେ । ଏତେ ପୁଲିସି ଘେରିରହିଛନ୍ତି, ଅଥଚ ପଚାଶ ପଚାଶ ଭାଗରେ କାମଟା ହେଲା । ମାତ୍ର ପରିବାର ଉଠିପାରିଲେ ନାହିଁ । ରଥ ଉପରକୁ ଉଠିବାର ପାହାଚ ନାହିଁ । ଜେନାଏ ନିଜେ ଧର୍ମପୁଣ୍ୟ କରି ତାଙ୍କୁ ଛାଡ଼ିବେ କିମିତି ? ସେ ପରିବାରଙ୍କୁ ଉଠାଇଲେ । ମୁଠା ଖସିଯିବାରୁ ପରିବାର ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନାକୁ ଗଲେ ।

 

ଡାକ୍ତରଖାନାର ବାରଣ୍ଡାରେ ବସି ଶଙ୍କର ଏତେବେଳକୁ ଦୁଇବୁନ୍ଦା ଲୁହ ଢାଳିଲେ । ଡାକ୍ତରମାନେ ସେବିକାଙ୍କ ସହିତ ଡାକ୍ତରଖାନା ଛାତ ଉପରେ ହସି ଖେଳି ଫଟ ଉଠାଉଛନ୍ତି । ଧୋତି କୁର୍ତ୍ତାର ଓଡ଼ିଆକୁ କିଏ କାହିଁକି ପଚାରିବ ? କେତେବେଳକୁ କିଏଆସି ଦି’ତିନିଟା ପଟି ବାନ୍ଧି ଦେଇଗଲା । ପରିବାରଙ୍କୁ ଧରି ଶଙ୍କର ଜେନା ରାସ୍ତା ଉପରକୁ ଆସିଲେ । ରାସ୍ତା କୁଆଡ଼େ ? ଓଡ଼ିଶାରେ ଦୁଇଟା ରାସ୍ତା । ଗୋଟିଏ ଭୋଟ ରାସ୍ତା, ଆଉ ଗୋଟାଏ ଭାଟ ରାସ୍ତା; ମାତ୍ର ଶଙ୍କରଙ୍କୁ ଏ ଦୁଇଟା ଯାକ ରାସ୍ତା ଅଚିହ୍ନା ।

 

ପତିତପାବନଙ୍କୁ ଟାଣି ନେଉଛନ୍ତି ଭକ୍ତବୃନ୍ଦ । ଖାଲି ଗଦ୍‍ଗଦ୍‍ ଉତ୍ତାପରେ ଟାଣି ନେଉଛନ୍ତି ।

 

ଶଙ୍କରଙ୍କର ସୁଟ୍‍କେଶ ଉପରେ ଏ ଉତ୍ତାପ ଜମିଲା । ତାଙ୍କ ହାତରୁ କିଏ ଜଣେ ସୁଟ୍‍କେଶ ଟାଣିନେଲା । ଦିନ ଦି’ପହରେ ଏ ଟଣାଟଣି ! ମନେହେଲା ଦେଶଟା ବାସ୍ତବିକ ଶକ୍ତିଶାଳୀ ହୋଇଛି, ସମୃଦ୍ଧ ହୋଇଛି । ଏ ଯେ ଶକ୍ତିର ଖେଳ; ୟାକୁ ତ’ ନିଜେ ସର୍ବଶକ୍ତିମାନ୍‍ ଈଶ୍ଵର ବି କଳ୍ପନା କରିପାରିବେ ନାହିଁ–ବିବେକାନନ୍ଦ ତ’ ଛାରଛିକର ! ସୁଟ୍‍କେଶ ହରେଇ ଶଙ୍କର ଫେରନ୍ତା ରାସ୍ତାକୁ ଅନାଇଁଲେ । ସବୁ ରାସ୍ତା ବନ୍ଦ । କେବଳ ଡାଇଭର୍ସନ ରାସ୍ତାଗୁଡ଼ାଏ ଦେଖାଯାଉଛି । ଅସଲି ରାସ୍ତା, ମାନବିକତା ରାସ୍ତା, ସହଯୋଗର ରାସ୍ତା, ବନ୍ଧୁତ୍ଵର ରାସ୍ତା କେଉଁଦିନରୁ କଙ୍କରମୟ ହୋଇଯାଇଛି । ଶଙ୍କର ଦେଖିଲେ ସ୍ଵେଚ୍ଛାସେବକମାନେ ଯାଉଛନ୍ତି, ଆସୁଛନ୍ତି । ରଥତଳୁ ପଇଡ଼ ଆଉ ବରଫ ଆଣି ସାଙ୍ଗସାଥୀଙ୍କୁ ବାଣ୍ଟୁଛନ୍ତି । ଶଙ୍କର ଡ଼ାକିଲେ–ହଇଏ ବାବୁ ! ଆମକୁ ଟିକିଏ ସାହାଯ୍ୟ କରିବ ?

 

ଉତ୍ତର ଆସିଲା–ରଖ ହୋ, ଆମର ପୁରି ତରକାରି ଖାଇବା ବେଳ ଆସିଲାଣି ।

 

ରାସ୍ତା କୁଆଡ଼େ ? ବୋଧହୁଏ ନାହିଁ । ରାସ୍ତାଟାର ଆରମ୍ଭ ଅଛି,ଶେଷ ନାହିଁ ।

 

ଷ୍ଟେସନକୁ ଆସି ଶଙ୍କର ଜାଣିଲେ–ସବୁ ରିଜର୍ଭଡ଼, ସବୁ ଇସ୍ପେସିଆଲ୍‍ଶଙ୍କରଭଳି ଲୋକଙ୍କୁ କୌଣସି ଜାଗାରେ ଠାବ ନାହିଁ । ପଣତକାନିରେ ବାନ୍ଧି ଆଣିଥିଲେ ଶଙ୍କରଙ୍କ ପରିବାର ପାଞ୍ଚଟି ଟଙ୍କା, ବିପଦ ଆପଦରେ ସାହାଯ୍ୟ ହେବ । ସେଇଆ ହେଲା । ତିନିଦିନ ଦିନରାତି ଷ୍ଟେସନରେ ପଡ଼ି ଶଙ୍କର ଘରପିଣ୍ଡା ଉପରକୁ ଚଢ଼ିଗଲାବେଳେ ଓଡ଼ିଶାର ପ୍ରକୃତ ରୂପ ଦେଖିଲେ । ଚାଷୀ ସେ–ମୁର୍ଖ, ଅର୍ଥାତ୍‍ ଆଜିକାର ପାଠ ସେ ପଢ଼ି ନାହାନ୍ତି । ପୁରୁଣାକାଳିଆ ପାଠ–ଭାଗବତ ପଢ଼ା; ତା’ ସାଙ୍ଗକୁ ଜିଲ୍ଲାପରିଷଦ, ପଞ୍ଚାୟତର କଥା ଟିକିଏ ଟିକିଏ ଜାଣନ୍ତି ।

 

ମାତ୍ର ଯେଉଁ ପତିତପାବନଦେଖା ପର୍ବ ସେ ଶେଷ କଲେ, ସେଥିରୁ ସେ ଜାଣିଲେ ରାସ୍ତା ନାହିଁ । କିଏ କୁଆଡ଼େ ଯାଉଛନ୍ତି କେହି ଜାଣନ୍ତି ନାହିଁ । ରାସ୍ତା କୁଆଡ଼େ ? ମଣିଷର ମଣିଷକୁ ହାତ ବଢ଼େଇବାର ରାସ୍ତା ହୁଏତ ଚିରଦିନପାଇଁ ତିମିରିତ ହୋଇଗଲା । ରାସ୍ତା ନାହିଁ ।

Image

 

ମୃତ ନା ଅମୃତ

 

ଷ୍ଟେସନ ମାଷ୍ଟର ଆପ୍ପା ରାଓ ସାନବାବୁ ସାହାଣୀଙ୍କୁ କହିଲେ ସେଇ ସନ୍ଧ୍ୟାର ଏକ୍‍ସପ୍ରେସ ଟ୍ରେନକୁ ‘ଇନ୍‍’ ସିଗନାଲ୍‍ ଦେବାପାଇଁ । ଯଥାରୀତି ସାହାଣୀବାବୁ ଲାଇନ୍‍ କ୍କିଅର ଦେଲେ ।

 

ଛୋଟ ଷ୍ଟେସନ । କଳଗୁଞ୍ଜନ ନାହିଁ । ପୁଣି ରାତି । ଦି’ଚାରିଟା ଲୋକ ପ୍ଲାଟଫର୍ମ ଉପରେ ଏପଟ ସେପଟ ହେଉଥାନ୍ତି । ସେମାନେ ଯାତ୍ରୀ ନୁହନ୍ତି । ଗାଁ ଫେରନ୍ତା କେହି ପ୍ଳାଟଫର୍ମ ଉପରେ ବନ୍ଧୁବାନ୍ଧବ କୁଲି ଖଲାସୀଙ୍କୁ ସଙ୍ଖୋଳି ଦେଇଯାଆନ୍ତି ।

 

ଏ ଷ୍ଟେସନରେ ଏକ୍‍ସପ୍ରେସ ଟ୍ରେନ୍‍ ରହେ ନାହିଁ । ନ ରହିଲେ କଅଣ ହେବ, ତା’ର ପ୍ରକୋପ ଏଠି ବେଶି । ବରଂ ରହୁଥିଲେ ସମ୍ଭଳା ପଡ଼ନ୍ତା । ନ ରହିବାରୁ ଘଣ୍ଟାକ ଆଗରୁ ତା’ର ଟଣାଓଟରା, ପଏଣ୍ଟେ ଠିକ୍‍ ଅଛି କି ନାହିଁ ପରୀକ୍ଷା, ଆଉ କୋଉ ଗାଡ଼ି ସେତେବେଳେ କଣ୍ଟ୍ରୋଲର ଛାଡ଼ୁଛି କି ନାହିଁ ତା’ର ତଦାରଖ, ନେଳି, ନାଲି ଆଲୁଅ ସଫା ଅଛି କି ନାହିଁ, ପ୍ଲାଟଫର୍ମ ଉପର ବତିଗୁଡ଼ାକ ଭଲ ଜଳୁଛି କି ନାହିଁ, ଶେଷରେ ଲାଇନ କ୍ଲିଅର ଚକ୍ର ନେବା ପାଇଁ ଡ୍ରାଇଭରକୁ ପରିଷ୍କାର ଦେଖିବାଭଳି ମଶାଲ ଜଳୁଛି କି ନାହିଁ, ଏଇସବୁ ସହସ୍ର ଚିନ୍ତାରେ ଧନ୍ଦି ହୋଇଯାନ୍ତି ଷ୍ଟେସନ ମାଷ୍ଟର ଅପ୍ପା ରାଓ ।

 

ଏ ଧନ୍ଦି ହେବା କାମରେ ସେ ପୋଖତ ହୋଇଗଲେଣି । ଷ୍ଟେସନ–ମାଷ୍ଟର ଚାକିରି । କେତେ ଖଣ୍ଡିଆ ଖାବରା ଛେଳି କୁକୁର ଗାଈ ମେଣ୍ଢା ସେ ଦେଖି ଆସିଲେ ତାଙ୍କ ଚାକିରି ଭିତରେ ।

 

ଦୈତ୍ୟ ଦାନବ ଲୌହ ଇଂଜିନ ଗଡ଼ିଯାଏ । କାହାକୁ କାଟେ, କାହାକୁ ଫୋପାଡ଼େ, କାହାର ପ୍ରାଣ ନିଏ, କିଏ ବା ଅଧାମରା ହୋଇ ପଙ୍ଗୁ ହୋଇଯାଏ । ଅପ୍ପା ରାଓଙ୍କ ଜୀବନରେ ଏଇ କଟା ମରା ଆଘାତ ସେ ବହୁତ ଦେଖିଛନ୍ତି । ନୂଆ ଚାକିରି କଲାବେଳେ ଥରେ ଥରେ ଶିହରି ଉଠନ୍ତି–ଉଃ, କୁକୁରଟା କଟିଗଲା ।

 

ସତେ କୁକୁରଟା କଟିଗଲା ! ଦିଖଣ୍ଡ ହୋଇ ଚିପି ହୋଇ ରହିଯାଇଛି ରକ୍ତିଆ ପୁଳାଏ ମାଟିଧରି ସେ ଜୀବଟା । ତେବେ ବି ଜୀବନ ଯାଇନି । ଲାଞ୍ଜଟା ଥରି ଥରି ପୁଣି ତଳକୁ ନଇଁଆସିଲା ।

 

ଏବେ ଆଉ ବିକାର ନାହିଁ । କୁକୁର କଅଣ, ମଣିଷ ବି ଚିପି ହୋଇଯାଁଏ ଲୁହାଧାରଣା ଉପରେ । ଆଃ, କଟି ତ ଗଲା, କିଏ କ’ଣ କରିବ ? ଦିଅ ଡାକ ପୁଲିସକୁ । ଲାସ୍‍ ଉଠେଇ ନିଏ ଷ୍ଟେସନ୍‍ ମେହେନ୍ତର । ରିପୋର୍ଟ ଉପରକୁ ଯାଏ....ଆକ୍ସିଡ଼େଣ୍ଟ ।

 

ଆପ୍ପା ରାଓ ଜାଣନ୍ତି ତାଙ୍କର ଚାକିରିଟା ଆକ୍ସିଡ଼େଣ୍ଟ । ତେଲୁଗୁ ରାମାୟଣ ବହି ଓଲଟାଇ ସେ ଯେତେବେଳେ ‘ଓଁ ରାମଚନ୍ଦ୍ର’ କହି ମୁଣ୍ଡ ନୁଆନ୍ତି, ସେତେବେଳେ ସେ ଭାବି ନିଅନ୍ତି–ମଣିଷ ଜୀବନଟା ଆକ୍ସିଡ଼େଣ୍ଟ ଭିତରେ ତିଆରି । ତା’ର ସମାପ୍ତି ବି ଏଇ ଆକ୍ସିଡ଼େଣ୍ଟକୁ ଘେନି ।

 

ଡିଷ୍ଟାଣ୍ଟ ସିଗ୍‍ନାଲ ଦୁଇଟାଯାକରେ ଏକାବେଳକେ ନାଲି ଆଉ ନେଳୀ ଆଲୁଅ ଜଳିଉଠିଲା । ଗୋଟାଏ ପଟ ନାଲି । ପରଖ କରିନେଲେ ଆପପା ରାଓ ଲାଇନ ଉପରେ କିଛି ବିଘ୍ନ ଅଛି କି ? ନାଁ, ବିଘ୍ନ ଆଉ କଅଣ ?

 

ସେଇଟା ବି ମୂହୁର୍ତ୍ତକ ପରେ ନେଳୀ ହୋଇଗଲା । ପ୍ରସ୍ତୁତି ପର୍ବ ଶେଷ ହେଲା । ଏକ୍ସପ୍ରେସ୍‍ ଟ୍ରେନ୍‍ ଆସିଯିବ । ଗତିର ମହିମା ଦେଖାଇ, ମଣିଶଗୁଡ଼ାକୁ ତୁଚ୍ଛ କରି, ଭୂ ଥରାଇ ଏକସ୍ପ୍ରେସ୍‍ ଆସିଯିବ ।

 

–ହେଃ...ହେଃ, ମୋର ଚାରିଟା କୋଠା । ଗୋଟାଏ ପୁରୀରେ, ଗୋଟାଏ କଟକରେ, ଗୋଟାଏ ଚଉଦ୍ଵାରରେ, ଆଉ ଗୋଟାଏ ଏବେ କରିଛି ରାଉରକେଲାରେ । ପୁଣି ଭୁବନେଶ୍ୱରରେ ଦଶ ଏକର ଜମି ନେଇଛି ।

 

ଯାତ୍ରୀଗୁଡ଼ାକ ଖାଲି ଆଁ କରି ବକ୍ତା ହୋମିଓପାଥି ଡାକ୍ତରଙ୍କ ଏ କୋଠା ନିର୍ମାଣ ଖବର ପିଇଯାଉଥିଲେ । ବ୍ୟବସାୟ ମାତ୍ର ହୋମିଓପାଥି, ସେଥିରେ ପୁଣି ଏତେ କୋଠା ?

 

–ହେଃ...ହେଃ ଆଜି ଯାଇଥିଲି ପୁରୀ, ରାତିରେ ଫେରିଲି । ସକାଳେ ଯିବି ଚଉଦ୍ୱାର–ଖରାବେଳକୁ ଯାଜପୁର–ଫେରିବି ସନ୍ଧ୍ୟାରେ–ଧରିବି ଏକସ୍ପ୍ରେସ, ଚାଲିବି କଲିକତା । ତା’ପର ଦିନ ଫେରିବି ମାଡ଼୍ରାସ ସେଦିନ ଧରିବି ଏରୋପ୍ଲେନ୍‍... ।

 

ଜଣେ କିଏ କାଶି ଆରମ୍ଭ କଲେ–ବୋମ୍ବାଇ !

 

ଏ କଅଣ ମନପବନ ଡଙ୍ଗାର ମାଲିକ ?

 

ଏ କ’ଣ ଯାଦୁଗର ?

 

ଏ କିଏ ?

 

ସୁବେଶା ତରୁଣୀଟି ଟିକିଏ ଦୂର ସିଟ୍‍ରେ ବସି ମହିଳା ମାଗାଜିନ୍‍ ଦେଖୁ ଦେଖୁ ଏଇ ଯାଦୁକରଙ୍କୁ ଅନାଇଁ ମୃଦୁ ହସୁଥିଲେ । ରିଟାୟାର୍ଡ଼ ହେଲଥ୍‍ ଅଫିସର ଗଞ୍ଜାମୀ ଢଙ୍ଗର କଥା କହି ହୋମିଓପାଥି ଡାକ୍ତରଙ୍କର କୋଠା ନିର୍ମାଣ କୃତିରେ ସାବାସ୍‍ ସାବାସ୍‍ କରୁଥିଲେ ।

 

ଏକସ୍ପ୍ରେସ ଟ୍ରେନ୍‍ ଚାଲିଛି । ମୋ ପାଖରେ ମୋର ଜଣେ ଭୂତପୂର୍ବ ଛାତ୍ର ବସି ଆରାମରେ ସିଗାରେଟ ଟାଣୁଛି । ଅବଶ୍ୟ ପ୍ରଥମେ ମତେ ନମସ୍କାର କରି ତା’ପରେ ଧରିଛି ସିଗାରେଟ । ଗୋଡ଼ଟା ଲମ୍ବାଇ ଦେଇଛି ସାମନା ବର୍ଥକୁ ଯେଉଁଠି କୋଠାନିର୍ମାତା ହୋମିଓପାଥି ଡାକ୍ତର ସେଇ ଗୋଡ଼ଟାକୁ ଦେଖି ଦେଖି ଅନର୍ଗଳ ବକ୍ତୃତା ଦେଇ ଯାଉଛନ୍ତି ।

 

ଆରପାଖ ବର୍ଥରେ ଦୁଇଜଣ ଲୋକ ଡିନର ଖାଉଛନ୍ତି । ଭଜା, କଟ୍ଲେଟ୍‍ ସହିତ ବିଲାତି ବାଇଗଣ ଚେକା ଚେକା–ତା’ ସଙ୍ଗେ ପାଉଁରୁଟି ।

 

ଅସହ୍ୟ ହେବାରୁ ସିଗାରେଟ ଗନ୍ଧରୁ ନିଷ୍କୃତି ପାଇବାପାଇଁ ଭୂତପୂର୍ବ ଛାତ୍ର ସହିତ କଥା ମୁଁ ଆରମ୍ଭ କଲି । କେଜାଣି ବା ସେ ଅଧାପୋଡ଼ା ସିଗାରେଟ ଫୋପାଡ଼ି ଦେଇ, ମୋ ସଙ୍ଗେ କଥା କହି, ଟିକିଏ ମାନ୍ୟଥାନ୍ୟ ଦେଖେଇବ ।

 

–ତମେ ପରା ପ୍ରାକ୍ଟିସ୍‍ କରୁଥିଲ ?

 

–ହଁ ସାର୍‍, ଭଲ ପ୍ରାକ୍ଟିସ୍‍ କରୁଛି ।

 

ତେଣେ ବେଶି ଜୋରରେ ଛାତ୍ରର ବର୍ଥ ଉପରେ ଗଡ଼ୁଥିବା ଗୋଡ଼ ଆହୁରି ଗଡ଼ିଲା । ସିଗାରେଟ ବି ଅଧରଲଗ୍ନ ହୋଇ କଥା ଭିତରେ ପାଉଁଶ ଝରାଇଲା । ସେ ପାଉଁଶର କିଛି ଅଂଶ ପବନ ନେଇଗଲା, ବାକିତକ ମୋ ଉପରେ ପଡ଼ିଲା ।

 

ଗାଡ଼ି ଗୋଟାଏ ଷ୍ଟେସନ ଡେଇଁଗଲା । ଲୁହା ଧାରଣା ଉପରେ କେତେ ସମୟ ଲୁହାର ବଜ୍ରଧ୍ଵନି । ତା’ପରେ ଅନ୍ଧକାର ଭିତରେ ଛୁଟିଲା ଏକସ୍ପ୍ରେସ ।

 

ଆପ୍ପା ରାଓ ବିରକ୍ତ ହୋଇ କହିଲେ–ଯା, ଆମ୍ମା ପାଖକୁ ଯା । କିରେ, ଟିଉସନ୍‍ ମାଷ୍ଟର ଆସି ନାହିଁକି ? ସବୁବେଳେ ଆସି ଷ୍ଟେସନ ଭିତରେ ଏଣେ ତେଣେ ଦଉଡ଼ୁଥିବୁ । ଆରେ ରାଜୁଲୁ, ଟୋକାଟାକୁ ଘରେ ଛାଡ଼ି ଦେଇ ଆସିଲୁ ।

 

ଆପ୍ପା ରାଓଙ୍କର ରାମସ୍ୱାମୀ ରାଓ ଆଠବର୍ଷର ସନ୍ତାନ । ସେ ଜନ୍ମିଛି ଷ୍ଟେସନ କ୍ୱାଟରରେ; ପ୍ରଥମ କାନ୍ଦଣା କାନ୍ଦିଲାବେଳେ ସେ ଶୁଣିଛି ଇଞ୍ଜିନ୍‍ର କ୍ରନ୍ଦନ । ପ୍ରଥମ ହସିଲାବେଳେ ସେ ଶୁଣିଛି ପ୍ଲାଟଫର୍ମ ଯାତ୍ରୀଙ୍କର ହସ ଓ କାନ୍ଦ ।

 

ସେ କାହିଁକି ଡରିବ–ହେଉ ଅନ୍ଧାର ସେପଟ ଟିକିଏ । କେତେ ମଜାରେ ଥୁଆ ହୋଇଛି ଚାଉଳ ଅଖା ଗୋଟାକ ଉପରେ ଗୋଟାଏ । ତା’ ଉପରେ ଚଢ଼ିଗଲେ ସ୍ୱର୍ଗକୁ ହାତ ଛୁଇଁବ । କେତେ ମଜା ସତେ ।

 

ସ୍ଵର୍ଗ ? ହଁ ସ୍ଵର୍ଗ ସେଇ ଉପରେ ଅଛି । ରାମସ୍ଵାମୀ ସ୍ୱର୍ଗକୁ ଛୁଇଁବ ବୋଲି ମାଟି ଉପରେ ରହିବାକୁ ତା’ର ମନ ନାହିଁ । ବାପା ଆପ୍ପା ରାଓ ଘଣ୍ଟା ଉପରେ ଦୃଷ୍ଟି ଦେଇ ଛିଡ଼ା ହୋଇଛନ୍ତି–କେତେବେଳେ ଏକସ୍ପ୍ରେସ୍‍ ‘ଇନ୍‍’ କରିବ । ବଡ଼ ଜଞ୍ଜାଳ ଏ ଡାକଗାଡ଼ିଗୁଡ଼ାକର ‘ଇନ୍‍’ ଆଉ ‘ଆଉଟ୍‍’ । ପାସେଞ୍ଜର ଗାଡ଼ି ହେଲେ ଏତେ ଚିନ୍ତା ନ ଥାନ୍ତା । ଗତି ଅଛି ବୋଲି ଏତେ ଖାତିର ଏମାନଙ୍କୁ ।

 

–ହେଃ...ହେଃ ମୋର ପରା ସବୁଦିନ ଖବର କାଗଜରେ ନାଁ ବାହାରେ !

 

ଜଣେ କିଏ ଉତ୍ସୁକ ଶ୍ରୋତା କହିଲେ–କାହିଁକି ଆଜ୍ଞା ?

 

–ମୁଁ ପରା ସହରଯାକର ସମିତିର ସମ୍ପାଦକ, ସଭାପତି । କଅଣ ଟିକିଏ କହିଲେ ନାଁ ବାହାରିବ ନିଶ୍ଚୟ । ପଙ୍କ ଚନ୍ଦନ

 

ସମସ୍ତେ ଅବାକ୍‍ ହେଲେ, ଅଥଚ ବିଦ୍ୟାଗାରିମା ହୋମିଓପ୍ୟାଥି ପର୍ଯ୍ୟନ୍ତ । ମଣିଷ ହୁଏ ତ ଭଲ, ଜନନାୟକ, ବ୍ୟକ୍ତିତ୍ଵ ଅଛି...ନ ହେଲେ ଏମିତି ମୁଖ୍ୟ କେମିତି ସେ ହୁଅନ୍ତେ ?

 

ଛାତ୍ରଟି ଚେନ ସ୍ମୋକର, ଅର୍ଥାତ୍‍ ଅଧ୍ୟବସାୟ ସହିତ ସେ ଧୂଆଁ ପିଉଛି ଅଧାପୋଡ଼ା ସିଗାରେଟ ସହିତ ତା’ର ବାଁ ହାତ ଯେତେବେଳେ ମୋ ପଛପଟକୁ ବୁଲି ଆସୁଛି...ମୋର ଆତଙ୍କ ଜନ୍ମୁଛି । କାରଣ ମୋ ଜାମାରେ ନିଆଁ ଲାଗିଯାଇପାରେ ! ଦୁର୍ଘଟଣା... !

 

ନିଆଁ, ଦୁର୍ଘଟଣା...ନାଁ, ନାଁ, ସରସ ସୁନ୍ଦର ମଣିଷ ଜୀବନରେ ନିଆଁ କାହିଁକି ଲାଗିବ ? ଲାଗିଲେ କଅଣ ଏଠି ଯେତେକ ବସିଛନ୍ତି ସହୃଦୟ ବ୍ୟକ୍ତି, ସଙ୍ଗେ ସଙ୍ଗେ ସେ ଜ୍ୱାଳାକୁ ଲିଭେଇ ଦେବେ ନାହିଁ ? ମଣିଷ ହୋଇ ମଣିଷର ଦହନକୁ କିଏ ସହିବ ?

 

ଦୂରକୁ ଚାହିଁଲି । କେତେ ସୁନ୍ଦର ଏଇ ଦିଗନ୍ତଘେରା ତମିସ୍ରା । ଅନ୍ଧକାରର ବି ଏକ ଅପରୂପ ଅଛି । ଆଲୋକ ଭିତରେ ଯେମିତି ବିଶ୍ୱାସ ଅଛି, ତିମିର ଭିତରେ ସେମିତି ବିଶ୍ୱାସ ଅଛି । ବରଂ ଅନ୍ଧକାରକୁ ଯେ ବିଶ୍ୱାସ କରେ ସେ ବିଶ୍ୱାସୀମାନଙ୍କ ଭିତରେ ବିଶ୍ୱାସୀ । ଆଲୋକ ତ ବିଶ୍ୱାସ ସଂଚାର କରେ–ବଡ଼ କଥା କଅଣ ?

 

ଏକ୍ସପ୍ରେସ୍‍ ଛୁଟିଛି । ଏଇ ତ ଦୂରରେ ଆଲୋକ ଦେଖାଯାଉଛି । ଛୋଟ ଷ୍ଟେସନ–ପାର ହୋଇଯିବ ଏକ୍ସପ୍ରେସ୍‍ ।

 

ପାରଉତ୍ତର ଯେ କରନ୍ତି ସେ ପ୍ରଭୁ ଜାଣନ୍ତି ଧୀରେ ଧୀରେ କାହିଁକି ଏକ୍ସପ୍ରେସ୍‍ର ଗତି କମି ଆସିଲା । ଷ୍ଟେସନରେ ରହିବ ନାଁ କଅଣ ?

 

ଯାତ୍ରୀମାନେ ଉଚ୍ଛନ୍ନ ନିଜ ନିଜ ଆବାସକୁ ଫେରିବାପାଇଁ । କାହିଁକି ଗତିର ଏ ଶିଥିଳତା-?

 

ଅବଶେଷରେ ଏକ୍ସପ୍ରେସ୍‍ ରହିଯାଇ ଫୁତ୍କାର କଲା । କିଏ କହିଲା ଏଠି କ୍ରସିଂ ହେବ, କିଏ ହୁଏତ ବିପଦ ଶିକୁଳି ଟାଣିଛି...ହୁଏତ...ସାହାଣୀବାବୁ ରକ୍ତାକ୍ତ ରାମସ୍ୱାମୀକୁ ବକ୍ଷରେ ଧରି ପାଗଳଭଳି କହୁଥିଲେ–ଅପ୍ପା ରାଓ, ପୁଅର ଜୀବନ ଅଛି । ମୁଁ ସେଥିପାଇଁ ଗାଡ଼ି ବନ୍ଦ କରିଛି । ମୁଁ ନେଇଯାଉଛି ଟ୍ରେନ୍‍ରେ ଜେନେରାଲ ହାସ୍ପାତାଲକୁ । ଆର ଷ୍ଟେସନରେ ପହଞ୍ଚିବା ମାତ୍ରେ ଫୋନ୍‍ କରି ଆସୁଲେନ୍ସ ମଗାଇବି ।

 

ଆପ୍ପା ରାଓ......

 

ରାଓ ସ୍ତବ୍ଧ–କିନ୍ତୁ ତାହା ମୁହୂର୍ତ୍ତକ ପାଇଁ । ତାଙ୍କର ଆଖିରୁ ଗୋଟିଏ ବିନ୍ଦୁ ଖସି ଆସିଲା ମାତ୍ର । ସେ କହିଲେ,”ସାହାଣୀ, ତୁମେ ଡିଉଟିରେ ଖିଲାପ କଲ । ଏ ଷ୍ଟେସନରେ ଏକ୍ସପ୍ରେସ ରହେ ନାହିଁ । ତମେ ମୋ ବିନାନୁମତିରେ ବିପଦ ସଙ୍କେତ ଦେଇ ହଜାର ହଜାର ଯାତ୍ରୀଙ୍କର ଅସୁବିଧା ଘଟାଇଲ । ଆଉ ପୁଅ, ସେ ତ ଆକ୍ସିଡ଼େଣ୍ଟ–ଚାଉଳ ବସ୍ତା ଉପରେ ଚଢ଼ି ଖେଳୁଥିଲା, ଖସି ପଡିଲା-। ବାସ୍‍, ଆକ୍ସିଡ଼େଣ୍ଟ–ଯେମିତି କୁକୁରଟାଏ କଟିଯାଏ । ତମେ ତ ସାହାଣୀ କହିଛି କେତେଥର, ଫୋପାଡ଼ି ଦିଅ ସେ ଜୀବଟାକୁ । ଆଉ ଏ ରାମସ୍ଵାମୀ...ମୋ ପୁଅ... ।”

 

ନୀଳ ଆଲୋକ ଦେଖାଇଲେ ଆପ୍ପା ରାଓ । ଧୀର, ନିସ୍ପନ୍ଦ, ଅବିଚଳିତ–ଧ୍ୟାନସ୍ଥ ମୂର୍ତ୍ତି...-

 

ଏକ୍ସପ୍ରେସ୍‍ ଛାଡ଼ିଲା । ତା’ର ବଂଶୀ ଧ୍ଵନିରେ କିଛି ମାତ୍ର କାରୁଣ୍ୟ ନ ଥିଲା । ଯଥାରୀତି ତା’ର ପ୍ରଚଣ୍ଡ ନିନାଦ ଖେଳିଗଲା ।

 

ରାମସ୍ଵାମୀ ବାପାର ବକ୍ଷରେ ନୁହେଁ ସାହାଣୀଙ୍କର ବକ୍ଷରେ ଝାଉଁଳିଗଲା ଚିରଦିନ–ପାଇଁ । ଆପ୍ପା ରାଓ ଡିଉଟିରେ ଥିଲେ । ହଜାର ହଜାର ଯାତ୍ରୀଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ଦେଖିବା ତାଙ୍କର ପ୍ରଧାନ କର୍ତ୍ତବ୍ୟ । ସେ ଦେଖିଲେ, ଛୋଟ ଷ୍ଟେସନର ଛୋଟ ମାଷ୍ଟରଟିଏ... ।

 

ଖବର ଆସିଲା ଆମ ଡବା ଭିତରକୁ–ଡିନର୍‍ ଖାଇଥିବା ଭଦ୍ର ବ୍ୟକ୍ତି ବାହାରୁ ଖବର ଆଣି ଆମ ଆଗରେ ଏମିତି ଭାବରେ ପରସିଲେ...ଏଇ ଷ୍ଟେସନର ଷ୍ଟେସନ–ମାଷ୍ଟର ପୁଅଟା ଏକ୍ଷଣି ମରିଗଲା । ତାକୁ ହସ୍ପିଟାଲକୁ ନେବାପାଇଁ ଗାଡ଼ି ଅଟକିଲା । କେତେ ବେଆଇନ କାମ ସତେ ? ପିଲାଟା ଖେଳୁଥିଲା, ପଡ଼ିଗଲା, ମୁଣ୍ଡ ଫ୍ରାକଚର–ମରିଗଲା । ରକ୍ଷା ହେଇଛି ଗାଡ଼ି ଛାଡିଛି, ନ ହେଲେ ମୁଁ କମ୍ପ୍ଲେନ କରିଥାନ୍ତି ।

 

ହୋମିଓପ୍ୟାଥି ଡାକ୍ତର ଏଇଭଳି ମୁଣ୍ଡ ଫ୍ରାକଚର କିମିତି ଭଲ କରିଛନ୍ତି ସେ ବିଷୟ ଚିତ୍କାର କରି କହିବାକୁ ଲାଗିଲେ ।

 

ରିଟାର୍ଡ ହେଲ୍‍ଥ ଅଫିସର ସେତେବେଳକୁ ଶୋଇ ପଡ଼ିଥିଲେ । ଚେତନା ପାଇ କହିଲେ–କିଏ ମରିଗଲା ? ହଉ, ମଲା ତ ଆଉ କ’ଣ କରିବା ? ଏ ଡବାରେ ଲାର୍ଜ ମସକୁଇଟୋ ଗୁଡ଼ାକ ହଇରାଣ କରୁଛନ୍ତି ।

 

ମୋର ଭୂତପୂର୍ବ ଛାତ୍ର ଅଧା ଶୋଇ ମୋ ଉପରକୁ ଆଉଜି ଆସିଲାଣି । ମଲା ଖବର ଶୁଣି ସେ ଆଉ ଖଣ୍ଡେ ନୂଆ ସିଗାରେଟ୍‍ ଲଗାଇ ଏମିତି ଫୁଙ୍କି ଦେଲା ଯେ ସେ ଖଣ୍ଡମଣ୍ଡଳ ଧୂଆଁ ରେ ଛାଇ ହୋଇଗଲା ।

 

ରାମସ୍ୱାମୀ କ୍ଷଣକରେ ହଜିଗଲା । କାହାକୁ କିଛି ଲାଗିଲା ନାହିଁ, ବାଧିଲା ନାହିଁ ।

 

ସୁବେଶା ତରୁଣୀ ପିଲାଟିର ମୃତ୍ୟୁ ଖବର ଶୁଣି ଆମ ଆଡ଼କୁ ଟିକିଏ ଚାହିଁଲେ ପୁଣି ଫିସ୍‍ କରି ହସିଦେଇ ଦେବାନନ୍ଦର ଚେହେରା ଉପରେ ଚିବୁକ ବୁଲାଇଆଣିଲେ ।

 

ଗାଡ଼ି ଜଙ୍କସନ୍‍ରେ ରହିଲା । ଛାତ୍ର ମୋର ତରତରରେ ଉଠିଗଲା ସୁଟ୍‍କେଶ ଧରି । କବାଟ ପାଖରେ ମନେପଡ଼ିଲା ସେ ଦିଆସିଲି ଓ ସିଗାରେଟ୍‍ ଟିଣ ମୋ ପାଖରେ ଛାଡ଼ିଯାଇଛି । ଟିକିଏ ବି ନ ବାଧିବା ଭଳି ସେ ମତେ କହିଲା...ସାର୍‍, ବଢ଼େଇ ଦେବେଟି ମୋ ଦିଆସିଲି ଆଉ ସିଗାରେଟ୍‍ ଟିଣକୁ !

 

ମୁଁ କମ୍ପିତ ଅଙ୍ଗୁଳିରେ ତା’ର ଉପଭୋଗର ସାମଗ୍ରୀ ସିଗାରେଟ୍‍ ଟିଣ ତାକୁ ବଢ଼ାଇଦେଲି-

 

ଏପର୍ଯ୍ୟନ୍ତ ଦେଖି ନ ଥିଲି ମୋ ଉପର ଆଲୁଅ କାଚଟା ଭାଙ୍ଗି ଯାଇଛି । ସେଠି ଆଲୁଅ ନାହିଁ । ଯେଉଁ ଆଲୁଅତକ ମୋ ଉପରେ ପଡ଼ୁଛି ସେ ଆସୁଛି ଟିକିଏ ଦୂରର ଅନ୍ୟ କାଚରୁ । ମୋ ଉପର କାଚ ଓ ଆଲୋକ ଭାଙ୍ଗି ଯାଇଛି, ରିକ୍ତ ହୋଇଯାଇଛି । ଯେଉଁ ଆଲୋକ ଦୂରରୁ ଆସୁଥିଲା ତାହାର ଉତ୍ସ କେଉଁଠି ମୁଁ ଜାଣିପାରୁ ନ ଥିଲି; କିନ୍ତୁ ତା’ର ଯେ ଗୋଟାଏ ଉତ୍ସ ଅଛି ଏବଂ ତା’ର ରଶ୍ମି ପ୍ରବାହିତ ହୋଇଆସୁଛି, ଏତିକି ମୋର ଥିଲା ସାନ୍ତ୍ଵନା ଓ ବିଶ୍ଵାସ ।

Image

 

Unknown

ବେହେଲା

 

ଜୀବନର ଯେତେବେଳେ ସବୁ ସୁଗନ୍ଧ ଉଡ଼ିଯାଉଛି, ସବୁ ପ୍ରଜାପତି ଫୁଲଗଛ ଛାଡ଼ି ଝୁରୁ ଝୁରୁ ହୋଇ ଉପରକୁ ଭାସି ଯାଉଛନ୍ତି, ସେତେବେଳେ ମୁଁ ଧରିଲି ବେହେଲା ଖଣ୍ଡିଏ ।

 

ଏହି ବେହେଲାଟି ମୋର ପ୍ରାଣର ସର୍ବସ୍ଵ ହୋଇଗଲାଣି । ଛୋଟ ଘରଟି ଭିତରେ କାନ୍ଧ ଉପରେ ବେହେଲାଟିକୁ ଥୋଇ ମୁଁ ଯେତେବେଳେ ତାର ଉପରେ ଛଡ଼ି ଚଳାଏ, ମୁଁ ଆଘ୍ରାଣ କରେ ଯନ୍ତ୍ରଟିର ତନୁ ଉପରେ ବୋଳାହୋଇଥିବା ବାର୍ଣ୍ଣିସ୍‍ ରଙ୍ଗର ଗନ୍ଧକୁ...ଆଃ, ବଡ଼ ମିଠା ଗନ୍ଧ !

 

ତା’ପରେ ସବୁ ତାରକୁ ପରୀକ୍ଷା କରିନିଏ, ସା’ ପା’ରେ ବନ୍ଧା ହୋଇଛନ୍ତି କି ନାହିଁ । ବେସୁରା ଥିଲେ ସ୍ଵର ଠିକ୍‍ କରିନିଏ । ଗୁଞ୍ଜନ ଉଠେ–ମଧୁ ଗୁଞ୍ଜନ ।

 

ଏଇ ଝଙ୍କାରରେ ପ୍ରାଣ ମୋର ମୋ’ପାଇଁ ପ୍ରିୟତମ ହୋଇଉଠେ । ସା’ ପା’ ର ମଝିରେ ଆଉ କେତେ ସ୍ଵର ଲୁଚିଛନ୍ତି । ଟିକିସ ଆଙ୍ଗୁଠି ଟିପକୁ ଏପଟ ସେପଟ ଖସାଇ ଦେଲେ କୋମଳ କଡ଼ା, ବେସୁର ସ୍ଵର କେତେ ବାହାରିଆସିବେ ।

 

ବେହେଲାଟି ଧରି ମୁଁ ଘଣ୍ଟା ଘଣ୍ଟା ଦେହଟାକୁ ଆରାମଚୌକିରେ ମେଲାଇ ଦେଇ ବସିଥାଏ । ସପ୍ତସ୍ୱରର ଆରୋହଣ ଅବରୋହଣ କେତେ ସ୍ଵପ୍ନ ମଧୁର ସ୍ମୃତି ସୃଷ୍ଟି କରେ ।

 

ଆଖି ଆଗରେ ମୋର ଛବି ଝୁଲୁଛି । ଯୌବନ କାଳରେ ଉଠାଇଥିଲି–ଭରା ଯୌବନର ଖରସୁଅ ଭିତରେ ମୋ ରୂପକୁ ମୁଁ ଚିତ୍ରାୟିତ କରିଥିଲି–ଗାଲଭରା ଯୌବନ, ଦେହଭରା ସ୍ଵାସ୍ଥ୍ୟ, ମନଭରା ଆନନ୍ଦ । ତା’ର ପ୍ରତିଲେପ ଏବେ ବି ସେଇ ଛବିଟାରେ ସିମିତି ରହିଛି । ଅକ୍ଷତ ଅବିନଶ୍ଵର; କିନ୍ତୁ ମୁଁ ବହୁ ଦୂରକୁ ଭାସି ଆସିଲିଣି । ତା’ ପାଖକୁ ପାରଳାଖେମଣ୍ଡି ର ପ୍ରସିଦ୍ଧ ଶିଙ୍ଘକାମର ଗୋଟିଏ ବଗମୂର୍ତ୍ତି । ସେ ଝୁଲୁଛି ବୃକ୍ଷ ଶାଖା ଉପରେ । ଟିକିଏ ପବନ ହେଲେ ସେ ଝୁଲିବା କାମ ଆରମ୍ଭ କରିଦିଏ ।

 

ମୁଁ ଯେତେବେଳେ ବେହେଲାରେ ସ୍ଵର ସର୍ଜନା କରୁଥାଏ, ବଗଟା କେଡ଼େ ବଜ୍ଜାତ୍‍ ସତେ, ଦୋହଲୁଥାଏ ମତେ ଉପହାସ କରି ବୋଧହୁଏ ।

 

ମୋର ବୁଝେଇଦେବାକୁ ମନ ଚାହେଁ...ଆରେ ମୁର୍ଖ ବଗ, ତୁ ଦୋହଲୁଚୁ ସ୍ଵଭାବିକ ଛନ୍ଦରେ; ମୁଁ ଦୋହଲୁଛି ଗଛର ଶେଷ ପତ୍ର ଝଡ଼ିଯିବା ଆଗରୁ ଯେଉଁ ପଙ୍କ–ଚନ୍ଦନ ଦୋହଲାଟାକୁ ଗଛ ସମ୍ଭାଳିନିଏ, ସେହିଭଳି ।

 

ବଗ ପାଖକୁ ଦୁଇଟି ଆଦିବାସୀ ନର ଓ ନାରୀ । ଅଳ୍ପ ବସନରେ ତାଙ୍କର ଶରୀର ମଣ୍ଡିତ । ମୁଁ ସେମାନଙ୍କୁ ଦୀର୍ଘକାଳଯାଏଁ ଚାହିଁରହିଥାଏ । ବଳିଲା ବଳିଲା ଅଙ୍ଗ, ଛାତି ଉପର ମାଂସପେଶୀ ସୁଦୃଢ଼ ତନ୍ତୁରେ ତିଆରି । ଧନୁହାତରେ ଆଦିବାସୀ, ଆଉ ତୀର ଧରିଛି ତା’ର ସ୍ତ୍ରୀ । ଏ ଦୁଇଟି ଖେଳଣା କିଣି ଆଣିଥିଲା ଚନ୍ଦନଯାତରୁ ।

 

ସେପଟକୁ ମୋର ସ୍ତ୍ରୀ ଓ ମୁଁ । ବାଟ ଚାଲୁଛୁ । ଅସରନ୍ତି ବାଟ । ବାମପଟରେ ଦୁଇଟା ନଡ଼ିଆ ଗଛ । ଆମ ଦୁଇପାଖରେ କେତେ ବୃକ୍ଷ, କେତେ ଲତା । ସ୍ତ୍ରୀ ଭୟ ପାଇ ବୋଧହୁଏ ମୋ ହାତ ଧରିବାକୁ ଇଚ୍ଛା କରିଛନ୍ତି; କିନ୍ତୁ ଧରି ପାରି ନାହାନ୍ତି ।

 

ଭୟ ? ବୋଧହୁଏ ମୋ ସାଙ୍ଗରେ ଏତେ ବାଟ ଚାଲିଯିବାପାଇଁ ତାଙ୍କର ସାହାସ ନାହିଁ-

 

ବେହେଲାରେ ସା’ ସ୍ୱର ଉପରୁ ମା’ କୁ ଯିବାବେଳେ ମୁଁ ସ୍ତ୍ରୀଙ୍କ ଆଡ଼େ ଚାହେଁ । ସେ ପଛକୁ ଫେରିବାକୁ ଚାହୁଛନ୍ତି, ମୁଁ ଆଗକୁ ପଦକ୍ଷେପ କରିବାକୁ ଚାହୁଥିଲି ।

 

ଛବିଟି ମତେ ମୁଗ୍ଧ କରେ । କାନ୍ଥ ଉପରେ ରହିଥିଲେ ବି ଆମ ଜୀବନ–ଛନ୍ଦରେ ତାହା ଛନ୍ଦସ୍ନିଗ୍ଧ । ଏବେ ଘରେ ଘରେ ପିଲା । ଜଞ୍ଜାଳ ଅମାପ–କୁକୁରଠାରୁ ମୂଷା ପଯ୍ୟନ୍ତ । ତଥାପି ଏ ଲମ୍ବା ଦଉଡ଼ି ଭିତରେ ସମସ୍ତେ ହାତ ଟାଣ କରିବାକୁ ଅଭ୍ୟାସ କରୁଛନ୍ତି । ଦଉଡ଼ିକୁ ଛାଡ଼ି କେହି କାହାର ଅସ୍ତିତ୍ଵ ଯେପରି ଜାଣିପାରୁ ନାହାନ୍ତି ।

 

ଏହି ମହାରଜ୍ଜୁ–ଟାଣି ଟାଣି ତାକୁ ଆମେ ଜୀର୍ଣ୍ଣ କରିସାରିଲୁଣି; କିନ୍ତୁ ସେ ଛିଣ୍ଡି ନାହିଁ । କେଉଁଠି ହେଲେ ଖିଅ ପରିମାପରେ ଆପେ ବାନ୍ଧି ରହିଛି ।

 

ସ୍ତ୍ରୀଙ୍କ ପାଦ ପାଖରେ ପଥଟା ଲମ୍ବି ଯାଇଛି । ସେ ପଥ ଉପରେ ପଛ କଥା, ପଛ ସ୍ମୃତି, ପଛ ମାନ, ଅଭିମାନ ପଛରେ ପଡ଼ିଯାଇଛି । ଆଗକୁ ରହିଛି ବିଶ୍ୱାସ, ଆଶା ଓ ସ୍ୱପ୍ନ ।

 

କାନ୍ଥ ଆଲମାରୀରେ ଦୁଇଟା ତିନିଟା ବୋତଲ ରହିଛି । ଏ ବୋତଲଗୁଡ଼ାକ ମୁଁ ସହିପାରେ ନାହିଁ । ଏଥିରେ କ’ଣ ଅଛି କହିପାରିବେ ? ନା, କହିପାରିବେ ନାହିଁ । ସ୍ତ୍ରୀଙ୍କର ଏ ଏକପ୍ରକାର ଅଳି । ଏଗୁଡ଼ାକ ସେଇଠି ରହିବ । ହଉ ବାବୁ, ରଖ !

 

କିନ୍ତୁ କେତେ ଲୋକ କେତେ ବିଭିନ୍ନ ମନ ଘେନି ଏ ଘରକୁ ଆସୁଛନ୍ତି । ସେମାନଙ୍କ ଦୃଷ୍ଟି ପଡ଼ିଛି ଏ ବୋତଲଗୁଡ଼ାକ ଉପରେ । ସେମାନେ କଅଣ ଭାବୁଥିବେ ?

 

ଭାବୁଥିବେ ଯାହା ମୁଁ ବୁଝି ପାରୁଛି । ସେମାନେ ଭାବୁଥିବେ–ଏ ଲୋକଟା ସତେ କେଡ଼େ ଦେଖାକପିଳା !

 

ଦେଖାକପିଳା ଅର୍ଥ ? ଦେଖେଇହେବା ଗୁଣ ସମସ୍ତଙ୍କର ଅଛି–ଆଦିମ ପ୍ରବୃତ୍ତି; କିନ୍ତୁ ସତରେ କଅଣ ମୁଁ ଦେଖାଇହେଉଛି ? ସ୍ତ୍ରୀଙ୍କର ଏଭଳି ପରିପାଟୀରୁ ମୁଁ ଏତେ କଥା ଶୁଣିଲି ସିନା !

 

ଘର ସଜା ଭିତରେ ଏ ଶିଶି ବୋତଲଗୁଡ଼ାକର ସ୍ଥାନ ନଥିଲେ ଚଳିଥାନ୍ତା । ମୁଁ ବହୁବାର ବୁଝେଇଛି ଧରିତ୍ରୀକୁ–“ଦେଖ, ଆଗର ସମାଜ ଭଳି ଏ ସେ ସମାଜ ନୁହେଁ, କି ଲୋକଗୁଡ଼ାକ ସାଧା, ସହଜ ଓ ସାବଲୀଳ ନୁହନ୍ତି । ସଜ ମାଛରେ ପୋକ ପକେଇ ଦେଉଛନ୍ତି । ଅନ୍ଧାରୁଆ ସରୀସୃପଭଳି ଏଗୁଡ଼ାକ ଯିବା ଆସିବା କରୁଛନ୍ତି ।

 

“ତୁମେ ତ ଜାଣ ଧରିତ୍ରୀ, ଝିଅମାନେ ମୋ ସଙ୍ଗେ ଲଗେଇଲେ ଥିଏଟର କରିବେ, ତାଙ୍କୁ ଖଣ୍ଡିଏ ଲେଖା ଦେବାକୁ ହେବ । ଦେଲି । ଏଇ ଅଳ୍ପ ଦିନର କଥା ତ ! କ’ଣ ହେଲା ଫଳ ? ଅସହିଷ୍ଣୁ ଭାଇ ଭଗାରି ମାତିଉଠିଲେ । ଶିଳ୍ପୀ ମନ ଘେନି ମୁଁ ଝିଅଙ୍କ ପାଖକୁ ଗଲି । କଥା ରଟିଲା କ’ଣ ନା, ମୁଁ ସେମାନଙ୍କର ସାନ୍ମିଧ୍ୟ ଲାଭ କରିବା ମାନସରେ ଏଇ ଆୟୋଜନ କରିଥିଲି ।

 

“ଭେଦୁଆ ପଶିଲେ, ଭାଙ୍ଗିଲେ–ଝିଅଗୁଡ଼ାକ କାନ୍ଦ କାନ୍ଦ ହୋଇ ରହିଲେ । ଏଇ ହେଲା ସମାଜ, ଏଇ ହେଲା ଲୋକଚରିତ୍ର !”

 

ସେଇ ମୁହୂର୍ତ୍ତରେ ବେହେଲାଟା ମୋର ବେସୁରା ଶୁଣାଗଲା । ଛଡ଼ିଟା ତା’ର ଛାଡ଼ି ଅବାଟକୁ ଚାଲିଗଲା । ଥରେ ଥରେ ବେସୁର ଗୀତ ଶୁଣିବାକୁ ହେବ, ତାହା ନ ହେଲେ ଶୁଦ୍ଧସ୍ୱର ମୁର୍ଚ୍ଛନାରେ ମୋହ ଆସିବ କୁଆଡୁ ?

 

ସେ ବୋତଲଗୁଡ଼ିକରେ ଆଉ କିଛି ନ ଥିଲା, ଥିଲା କର୍ପୁର ମାଳ ଗୁଡ଼ାଏ । ମୁଣ୍ଡ ନୁଆଇଁ ଏଗୁଡ଼ିକ ମୁଁ ଗ୍ରହଣ କରିଥିଲି ବହୁ ସଜ୍ଜନଙ୍କଠାରୁ । ସେମାନଙ୍କର ପ୍ରାଣର ଶ୍ରଦ୍ଧା ଏଇ ମାଳଗୁଡ଼ିକରେ ଜୀବନ୍ତ ରହିଛି ।

 

ଯେଉଁମାନେ ଅମୃତରେ ନର୍ଦ୍ଦମାଜଳ ଆବିଷ୍କାର କରୁଛନ୍ତି, ସେମାନେ ଏହି ସୁଗନ୍ଧ କର୍ପୁରମାଳଗୁଡ଼ିକରେ ମୋର ପ୍ରୌଢ଼ି ଦେଖିବେ, ମୋର ଦେଖାଇବାପଣ ବାରିବେଏଥିରେ ବୈଚିତ୍ର୍ୟ କଅଣ ଅଛି ?

 

ତେଣୁ ଧରିତ୍ରୀକୁ ବାରଣ କରିଥିଲି ସେ ଘରେ ଏ ସବୁ ନ ରଖିବାକୁ । ସେ ଶୁଣିଲା ନାହିଁ ।

 

ବୋତଲ ପାଖକୁ ଗୋଟାଏ ପାତଲାବାଳିଆ, ପାଚିଲା ଦାଢ଼ିଆ ବୁଢ଼ା ବସିଛି । ମୁଁ ଜାଣିଶୁଣି ଏଇ ବୁଢ଼ା ଆଡ଼କୁ ପିଠିକରି ବେହେଲା ବଜାଏ । ବୁଢ଼ାଟା ବଡ଼ ଖିଟ୍‍ ଖିଟ୍‍ ମିଞ୍ଜାସର । ବେହେଲାରେ ସୁର ସଞ୍ଚାର କରିବାବେଳେ ଏଇ ବୁଢ଼ା କଥା ମନେ ପଡ଼ିଯାଏ । ପିଠିକରି ବସିଛି ବୋଲି ଯେ ସେ ମତେ ଚାହୁଁ ନାହିଁ କି ନିରେଖୁ ନାହିଁ ଏପରି ନୁହେଁ ।

 

ବୁଢ଼ା ଚାହିଁ ରହିଥାଏ । ଥରେ ଥରେ ମୁଣ୍ଡ ହଲାଏ । ପ୍ରଥମେ ଧୀରେ, ତା’ ପରେ ବଡ଼ ବେଗରେ । ସେତେବେଳେ ତା’ର ଦାଢ଼ି ଝୁରୁଝୁରୁ ଥରିଯାଏ, ବେକ ଆଗକୁ ଟିକିଏ ଲମ୍ବି ଆସେ ।

 

ଇସ୍, ଏତେ ପାଚଲା ବାଳ ଆଉ ଏପରି ଘନ ଓ ଧଳା, ମୁଁ କେଉଁଠି ଦେଖିନାହିଁ । ଅଥଚ ଦେହର ବର୍ଣ୍ଣ ଭାରି ଗୋରା–ହଳଦି ଗରଗର ।

 

ସେ ମୋତେ ଖତେଇ ହୁଏ–ମୁଁ ବୁଝିପାରେ । ମୁଁ ପିଠିକରି ବସିଛି ବୋଲି ତା’ର ରାଗ ବେଶୀ । ପଛୁଆ କରି ବାର୍ଦ୍ଧକ୍ୟକୁ ମୁଁ କଅଣ ଏଡ଼ି ପାରିବି ? ମୃତ୍ୟୁକୁ କଅଣ ଲାଞ୍ଚ ଦେଇ ଫାଇଲ୍‍ ହଜିଯାଇଛି ବୋଲି କହିବି ?

 

ସେ ଆସିବ–ସ୍ଥିର ନିଶ୍ଚିତ ଭାବରେ ଆସିବ । ତେବେ ବି ମୁଁ ପିଠିକରି ବସିଛି । ବେହେଲାରେ ସ୍ୱର ସୃଷ୍ଟି କରୁଛି ।

 

ବୁଢ଼ା ଥରେ ଥରେ ବେଗରେ ମୁଣ୍ଡ ହଲାଏ । କଅଣ ବୋଧହୁଏ କହେ । ତା’ର ହାତରେ ସେ ଧରିଛି ସୁଡ଼ୁ ସୁଡ଼ୁ ନଳୀ–ଗୁଡ଼ାଖୁ ନଳୀ; କିନ୍ତୁ ଖାଇ ପାରୁନାହିଁ । ବୋଧହୁଏ କାଶ ଆସୁଛି ।

 

ଏ ବୁଢ଼ା ମରିବ ନାହିଁ କି ମତେ ନିସ୍ତାର ଦେବ ନାହିଁ–ବୁଢ଼ା ମୃତ୍ୟୁଞ୍ଜୟ । ମୋର ବେହେଲା ବାଦନରେ ଇଏ କେବେ ତ ଖୁସି ହେଲା ନାହିଁ ? ଖୁସି ହେବ କିପରି ?

 

ମୁଁ ଯାହା କରୁଛି କିଏ କେବେ ଖୁସି ହୋଇଛି ? ବରଂ ଜଳିଛନ୍ତି । ଚୁଲାରେ ନିଆଁ ଧରିଲା ଭଳି ନିଜକୁ ପୋଡ଼ିଛନ୍ତି ।

 

ସବୁ ଦେଖେ, ଧରିତ୍ରୀକୁ କହେ, ବେହେଲାକୁ ଶୁଣାଏ । ଏଇ ଯନ୍ତ୍ରଖଣ୍ଡିକ ଧରି ମୁଁ ଶ୍ମଶାନକୁ ଯିବି–ଏ କଥା ଧରିତ୍ରୀକୁ କହିଦେଇଛି ।

 

ଧରିତ୍ରୀ ଶିହରି ଉଠେ । ସେ କଅଣ ବୁଝେ କିଛି ? ସବୁଠାରେ ଅସଙ୍ଗତ ଅସଙ୍ଗତି ଦେଖିଲି । ଶେଷରେ ସ୍ଥିର କଲି ସଙ୍ଗୀତ ଘେନି ଶେଷଯାତ୍ରା ଆଚରିବି ।

 

ସା’ ଠାରୁ ପା’ ଯାଏ ଛଡ଼ି ଚଳେଇ ଆଣି କୋମଳ ଗାନ୍ଧାରରେ ଅଟକି ଗଲେ ପ୍ରାଣଟା କେତେ ଶାନ୍ତ ହୋଇଯାଏ ? ଏଇ ଶାନ୍ତି ମୁଁ ଏତେଦିନେ ସଙ୍ଗୀତରେ ଆବିଷ୍କାର କଲି ।

 

ବୁଢ଼ା ପାଖକୁ–ହସ ମାଡ଼େ କହିବାକୁ–ଦୁଇଟା କୁକୁର ରଖିଛି । ପରସ୍ପରକୁ ଚାହିଁ ସେମାନେ ବସିଛନ୍ତି । ଆହା କୁକୁର ! ଏ ପୃଥିବୀର ସର୍ବଶ୍ରେଷ୍ଠ ଜୀବ ! ! ମଣିଷ ? ଛିଃ ଛିଃ, ମଣିଷ ନିଜେ କହି ବୁଲୁଛି ଯେ ସେ ପରମାତ୍ମା ପରମେଶ୍ୱରଙ୍କ ସୃଷ୍ଟିରେ ଶ୍ରେଷ୍ଠ ଜୀବ । ଏହାଠାରୁ ଝୁଟାବାତ୍‍ ଆଉ କିଛି ଅଛି ? କୁକୁର ବେନାମୀ ଚିଠି ଲେଖେ ନାହିଁ । ସେ ନାମି ବେନାମୀ କିଛି ଜାଣେ ନାହିଁ । ସେ ବିଶ୍ଵସ୍ତ, ପ୍ରଭୁପାଇଁ ପ୍ରେମମୟ ତା’ର ଅନ୍ତର ସବୁବେଳେ ଉନ୍ମୁକ୍ତ । ହୀନ, ଚୋର, ଦସ୍ୟୁ ଓ ପ୍ରତାରକକୁ ସେ ଚିହ୍ନେ ।

 

ଯେଉଁମାନେ ଅନ୍ୟର ଶ୍ରୀ ଦେଖି ଜଳୁଥାନ୍ତି, ସେ ଲୋକକୁ ଗ୍ରାସ କରିବାକୁ ରାତି ଅଧରେ କନ୍‍ଫରେନ୍ସ କରନ୍ତି, ସେମାନେ ଏଇ କୁକୁରଠାରୁ ହୀନ । କୁକୁର ଭୁକେ ପୁଣି ଦେହ ଚାଟେ, ମୁଖ ଚୁମ୍ବନ କରେ । ଶତ୍ରୁକୁ ଭୁକେ, ମିତ୍ରକୁ ଆଦର କରେ । ମଣିଷ ଶତ୍ରୁକୁ ମୁହଁରେ ଚୁମ୍ବନ ଦିଏ, ପଛରେ ଛୁରା ଭୁଷେ । ଏ କଥା ଶ୍ୱାନ କରିବ ନାହିଁ ।

 

ଦଶହରାର ସକାଳ । ଜ୍ୟୋତି ଓ ସୁବାସର ସ୍ନିଗ୍ଧ ପରିବେଶ । ଆଲୁଅ ଉପରେ ଛାଇ ଖେଳିଯାଉଛି, ପୁଣି ଛାଇ ଉପରେ ଆଲୁଅ ନାଚିଯାଉଛି । ସ୍ତରେ ସ୍ତରେ ଆରାମ, ଶୋଭା । ମନେ ମନେ କେତେ ଗୁଞ୍ଜରଣ ! ଦେହେ ଦେହେ ଶୀକାର !!

 

ବେହେଲା ଆଜି ବେଶୀ ଉଷତ । ସ୍ଵର ଝରାଉଛି ଆବେଗମୟ ଭାଷାରେ I

 

ଦେଖିଲି ନୀଳାଭ ଆକାଶରେ ସପ୍ତପର୍ଣ୍ଣୀ ମେଘର ବିଚିତ୍ର ଲୀଳା । ଜନନୀ ଆସୁଛନ୍ତି । କୋଟି କୋଟି ସନ୍ତାନ ଲୋଟିଯାଉଛନ୍ତି ତାଙ୍କରି ଚରଣର ତଳେ ।

 

ସେଇ ଫଟଟି ଆଡ଼େ ଚାହିଁଲି । ଧରିତ୍ରୀ ବୋଧହୁଏ କ୍ଲାନ୍ତ । ସେଇ ବୁଢ଼ାକୁ ଚାହିଁଲି । ତା’ର ମୁଣ୍ଡହଲା ବୋଧହୁଏ ଆଉ ବେଶୀଦିନ ନୁହେଁ । କୃଷ୍ଣ ବଗକୁ ଚାହିଁଲି । ସେ ଯେପରି ଆଉ ବୃକ୍ଷ ଶାଖା ଉପରେ ରହିବାକୁ ଚାହୁଁ ନାହିଁ । ଆଉ କର୍ପୂରମାଳା । ବାସ ଫିଟିଯାଇଛି ଅଣୁରେ ଅଣୁରେ । କର୍ପୂର ଚାଲିଯିବ, କେବଳ ସୂତା ଖଣ୍ଡିକ ପଡ଼ିରହିବ ।

 

ପଡ଼ିରହିବ ଏଇ ପୃଥିବୀ । ମାନ, ଅଭିମାନ, ହାସ, ଅଶ୍ରୁ, ବେଦନାମୟ ଏଇ ଶୂନ୍ୟ ପୃଥିବୀ ।

 

ଉଦାସ ବାଜଣା ବାଜୁଥିଲା ବେହେଲାର ତାର ତରଙ୍ଗରେ । ମୁଁ କରିପାରୁ ନ ଥିଲି ସୁଖମୟ ଆନନ୍ଦର ଝଙ୍କାର ସୃଷ୍ଟି ।

 

ପ୍ରାଣ ଉଦାସ, ମନ ଅସ୍ଥିର । ଠିକ୍‍ ଏତିକିବେଳେ ଶୁଭିଲା ଅନ୍ତର–ଫଟା ଚିତ୍କାର,”–ତମେ ମରିଗଲ, ମତେ ଛାଡ଼ି ସେ ପୂରକୁ ଚାଲିଗଲ ।”

 

ଘର ଆଗର ଡାକ୍ତରଖାନାରୁ ଏଇ ବାର୍ତ୍ତା ଭାସିଆସିଲା । ଛଡ଼ିଟା ସେତେବେଳେ ଆରୋହଣ କରିଥିଲା ତାରର ସା’ପଦରେ । ଖସି ଆସିଲି ଖୁବ୍‍ ତଳକୁ ।

 

ମୋ ପଛର ବୁଢ଼ା ଆଉ ମୁଣ୍ଡ ହଲାଉ ନାହିଁ । କୃଷ୍ଣଚୂଡ଼ାର କେତୋଟି କଳି ନବଯୌବନ ଧରିଛି । ପଡ଼ିଶା ଘରର ନବଜାତ ସନ୍ତାନ କାନ୍ଦୁଛି ମାଆର ସ୍ତନ ମୁହଁରେ ଦେବାପାଇଁ ।

 

ଝଡ଼ବେଗରେ ରମେଶ ପଶିଆସିଲା । କହିଲା–ଏହାର ଜବାବ ଆମେ ଦେବୁ ।

 

ମୁଁ ଜାଣେ ତରୁଣ ପ୍ରାଣ ଆଘାତ ପାଇଲେ ଏମିତି ବଜ୍ରଦଣ୍ଡ ଧରେ । ମୁଁ ତାକୁ ଆଶ୍ୱାସନା ଦେଇ ପାଖରେ ବସାଇଲି ।

 

ରମେଶ ପାଟି କଲା–”ସେମାନେ ଜାଣିଶୁଣି ଭାଙ୍ଗି ଦେଲେ । ’ ମୁଁ ହସି ହସି କହିଲି–ଅଭଙ୍ଗା ଜିନିଷ ସଂସାରରେ କିଛି ନାହିଁ । ଏଇ ମୁହୂର୍ତ୍ତକ ପୂର୍ବରୁ ଗୋଟାଏ ମହାଜୀବନ ଭାଙ୍ଗି ପଡ଼ିଲା । ମୋ ଆଗରେ ଏଇ ଯେଉଁ ପୁଷ୍ପିତ କୃଷ୍ଣଚୁଡ଼ା ଲତା ଦେଖୁଛ, କେତେ ସୁନ୍ଦର ଫୁଲରେ ତାହା ସର୍ବାଙ୍ଗ ମଣ୍ଡଣି ମାରିଛି । ସେ ବି ଭାଙ୍ଗିଯିବ । ତେଣୁ ଏତେ ଚିନ୍ତା କାହିଁକି ?

 

ରମେଶ ଉତ୍‍କ୍ଷିପ୍ତ । ସେ ସହଜରେ ମୋ କଥା ବୁଝୁନାହିଁ । କହିଲା–”ଆପଣଙ୍କର ଏ ଦର୍ଶନ ମୁଁ ମାନିବି ନାହିଁ । ଏ ସବୁ ଏମିତି ଆମ ଆଗରେ ଭାଙ୍ଗି ଦେଉଥିବେ, ଆମେ ସହିବୁ ? ନିରୀହ କଳାଚର୍ଚ୍ଚାରେ ଏତେ ହିଂସା ?”

 

ରମେଶ ଜୁବକ । ପ୍ରାଣ ତା’ର ବହୁ ରଙ୍ଗରେ ବର୍ଣ୍ଣମୟ । କିଏ ବାସ୍ତବରେ ଭାଙ୍ଗେ ଅବା କିଏ ଗଢ଼େ, ସେ ଜାଣେ ନାହିଁ ।

 

ରମେଶକୁ ଶାନ୍ତ କରି ବିଦାୟ ଦେଲି । ବେହେଲା ଆଉ ରାଗିଣୀ ଝରାଇଲା ନାହିଁ । ମୋ ହାତ ପଥର ହୋଇଆସିଲା ।

 

ହାତ ପଥର ହେଉ ବା ହୃଦୟ ପଥର ହେଉ, ଏ ସଂସାରରେ ବାଟ ଚାଲିବାକୁ ହେବ । ଧରିତ୍ରୀ ବି କହେ–ହଁ ବାଟ ଚାଲିବାକୁ ହେବ ।

 

ବାଟ ତ ଅସରନ୍ତି । କଳସୀର ଜଳଧାରା ଅନନ୍ତ ନୁହେଁ । ଛିଦ୍ରପଥରେ ଝରିଆସୁଥିବା ବିନ୍ଦୁ ବିନ୍ଦୁ ହୋଇ ।

 

କେତେ ସ୍ନେହମୟ ଈକ୍ଷଣ ମୋ ଜୀବନ ଭୋଗିଛି, କେତେ ସ୍ପର୍ଶ ଏ ହୃଦୟ ଜାଣିଛି । ଏତେ ଚାହାଣି, ଏତେ ସ୍ପର୍ଶ ସବୁ ମୁଣ୍ଡ ଉପରେ ଆକାଶ ନାଗର ଦୋଳାରେ ଭାସି ଭାସି ଆସେ । ଶିଳ୍ପୀର ପ୍ରାଣକୁ ସମ୍ମୋହିତ କରେ । ଏହାହିଁ ଜୀବନ ।

 

‘ଢାଳେ ପାଣି ପିଆଇ ଦେଲୁ’, ‘ଭଙ୍ଗିଦେଲୁ’ ଏପରି କହିବାର ପୁରୁଷକାର ସେଇମାନଙ୍କୁ ଶୋହାଏ, ଯେଉଁମାନେ ଅତି ଦରିଦ୍ର......ବହୁ ବିଷୟରେ ଅତି ଦୀନ ।

 

ରଙ୍ଗ ବେରଙ୍ଗ ଢଙ୍ଗରେ ଢଳେ ଶାରଦୀୟ ମହିମା ଉଜ୍ଜ୍ୱଳ ରୂପ ଧରୁଛି । ମୋ ଆଖି ଅଗରେ ପ୍ରାଣ–ପୁଲକିତ ଶୋଭା ସମ୍ଭାର । ଏ ସବୁ ଦେଖିଲେ, ଅନୁଭବ କଲେ ପ୍ରାଣ ତ ମହାପ୍ରାଣ ହୋଇଯିବ, ଦ୍ରୁମ ମହାଦ୍ରୁମ ହେବ, ସାଗର ମହାସାଗର ହୋଇଯିବ । ଏତେ ସଂକୀର୍ଣ୍ଣ ଭାବ କାହିଁକି-?

 

ସୁରରିତା ଚିଠି ଲେଖିଥିଲା, ସେ ଭାଙ୍ଗି ପଡ଼ିବାବେଳେ ମୁଁ ତାକୁ ସାହସ ଦେଇଥିଲି, ତେଣୁ ସେ ମୋ ପାଖରେ କୃତଜ୍ଞ । ଶଙ୍କର ଜଣାଇଛି, ତା’ର ବିପଦବେଳେ ମୋର ସେଇ ପଦକ କଥା ତାକୁ ସଂଗ୍ରାମରେ ଜୟୀ କରିଛି । ସେ କୃତଜ୍ଞ ।

 

ନାଁ, ନାଁ, ମୁଁ କୃତଜ୍ଞତା କାହାଠାରୁ ଆଶା କରୁନାହିଁ । ମୋ ପଛରେ ଦୀର୍ଘଜୀବୀ ଏଇ ବୃଦ୍ଧ । ମୋ ଅଗରେ ଅନନ୍ତ ନିଳିମାରେ ପକ୍ଷ ପିଟି ଭାସିବାପାଇଁ ଉଚ୍ଛନ୍ନ ବଗପକ୍ଷୀ ।

 

ବେହେଲାର ତାର ଉପରେ ରାଗ ବିସ୍ତାର ଚାଲିଛି ।

 

ଜଗତ୍‍ମାତା ଆସିଛନ୍ତି । ସେ ଭାଙ୍ଗିବାକୁ ଆସି ନାହାନ୍ତି । ତେବେ ତାଙ୍କ ସନ୍ତାନମାନେ ଭାଙ୍ଗିବେ କାହିଁକି ?

 

କାଶତଣ୍ଡୀ ଫୁଲର ମଧୁର ଶ୍ଵେତ ଶୋଭା ନଦୀରେ ବାଲିଶଯ୍ୟା ଉପରେ ନିରହଙ୍କାର ଆକାଶର ପ୍ରଣମିତ ଢଙ୍ଗ ଅଧା ଦୁବଘାସ ଅଧା କଙ୍କରିତ ପଥ ଉପରେ ପଥିକର ଚଳନଭଙ୍ଗି.....ଆଃ, କେତେ ସୁନ୍ଦର......କେତେ ଅପାର୍ଥବ !

 

ବେହେଲାଟିକୁ କାନ୍ଧ ଉପରୁ ଖସାଇ ଚାହିଁଲି ଦୂର ଦିଗନ୍ତକୁ । ସେଠି ଖଚିତ ହୋଇଛି ଅନେକ ସୌନ୍ଦର୍ଯ୍ୟ, ଶାନ୍ତି ଓ ସୁଷମା ।

 

ଆଦରରେ ଯନ୍ତ୍ରଟିକୁ ପୋଛିଦେଲି । ଚୁମ୍ବନ କଲି । କହିଲି....କେତେ ଖଣ୍ଡି କାଠ, କେତୋଟି ତାରରେ ତୋର ହୃଦୟ ଓ ତୋର କଣ୍ଠ ତିଆରି । ଅଥଚ ତୁ ଯାହା ସୃଷ୍ଟି କରୁ ତାହା ଅନିର୍ବଚନୀୟ, ଅପୂର୍ବ.... !

 

ଧୀରେ ତା’ର ଆଶ୍ରୟ ଭିତରେ ବେହେଲାଟି ରଖିଲି । ସେ ସେଠାରେ ଶାନ୍ତ ହୋଇ ପଡ଼ି ରହିଲା । ଚାରିଆଡ଼େ ମୁଁ ଚାହିଁ ଦେଖିଲି, କେଉଁଠି କିଛି ଭାଙ୍ଗୁ ନାହିଁ, ସର୍ବତ୍ର ନିର୍ମାଣର ପ୍ରସ୍ତୁତି । କିନ୍ତୁ ମଣିଷ ? ସେ ଏତେ ଛୋଟ କାହିଁକି ? ପୁଷ୍ପିତ କୃଷ୍ଣଚୁଡ଼ା ଉପରେ ସେତେବେଳେ ଥୋପି ଥୋପି ଆକାଶର ନୀଳ ଖସି ପଡ଼ୁଥିଲା–ପ୍ରାଚୀନ......ଆଦିମ ଓ ସ୍ୱଚ୍ଛ ସେ ନିଳିମା....ସେହି ଆଡ଼କୁ ଚାହିଁରହିଥିଲି ।

Image

 

ଡାଉନ୍‍ ଟ୍ରେନ୍‍

 

ଡାଉନ୍‍ ଟ୍ରେନ୍‍...

 

ତା’ର ଗତିପଥ ପୁରୀଠାରୁ ହାବୁଡ଼ା ପର୍ଯ୍ୟନ୍ତ ପ୍ରସାରିତ ।

 

ଚୈତ୍ରର ଗୋଟିଏ ଉଦାସ ସକାଳ । ସିନ୍ଧୁ ତୀରରୁ ବହିଆସୁଥାଏ ସୈକତସ୍ପର୍ଶୀ ବାୟୁପ୍ରବାହ ପ୍ଲାଟଫର୍ମ ପରିପୂର୍ଣ୍ଣ କରି ।

 

ସେଇ ପ୍ଲାଟଫର୍ମ ଭିତରେ ଛିଡ଼ା ହୋଇଥାଏ ଫାଇଭ୍‍ ଡାଉନ୍‍ ପାସେଞ୍ଜର ଟ୍ରେନ୍‍ ।

 

ପ୍ଲାଟଫର୍ମର ଏପଟୁ ସେପଟୁ ଅନେକ କିଛି ଦେଖିବାକୁ ମିଳେ । ଅତି ପରିଚିତ ସେଇ ସବୁ ଭେଣ୍ଡର୍‍, ବୁକ୍‍ଷ୍ଟଲ, କଳା ହାପ୍ପ୍ୟାଣ୍ଟ୍‍–ପିନ୍ଧାଳୀ ରେଲଓୟେ ଶ୍ରମିକ ଆଉ ପଏଣ୍ଟସ୍‍ମ୍ୟାନ ।

 

ଦୂରକୁ ସଦା ଜାଗ୍ରତ ପ୍ରହରୀଭଳି ଛିଡ଼ା ହୋଇଥାନ୍ତି ସିଗ୍‍ନାଲ ଶ୍ରେଣୀ । ସେଥିରୁ ଗୋଟାକର ଠିକ୍ ତଳେ ଚକିଦେଇ ଶୋଇଥିଲା ରେଳ ଚକ ତଳେ କେବେ କଟିଯାଇଥିବା ଖଣ୍ଡି ଆଗୋଡ଼ୀ କୁକୁରୀ ।

 

ଦୁଇ ତିନିଟା କାଉ ଥଣ୍ଟ ମାରୁଥିଲେ ପାଣି ପାଇପ କୁଣ୍ଡ ଧାରରେ । ଝାଡ଼ୁ ଧରି ଚାଲିଛି ହରିଜନ ସେବକଭାଇ । ଲୁହା ହାତୁଡ଼ି ପିଟି ପରୀକ୍ଷା କରୁଥିଲା କେହି ଜଣେ କର୍ମଚାରୀ ଚକର ଅକ୍ଷଗୁଡ଼ାକୁ ।

 

ଡାଉନ୍‍ ଟ୍ରେନ୍‍...

 

ସେହି ଟ୍ରେନ୍‍ରେ ମୁଁ ଥିଲି ଆରୋହୀ । ଦ୍ୱିତୀୟ ଶ୍ରେଣୀ କକ୍ଷଟିଏ ବାଛି ନେଇଥିଲି ।

 

ସେଇଟି ମୋତେ ନୀରବ ଓ ନିରୁପଦ୍ରୁତ ମନେହେଲା । କେହି ନ ଥିଲେ ସେ ଡବା ଭିତରେ । ମୋର ବି ଲଗେଜ୍‍ କିଛି ନ ଥିଲା, ଯାହା ଥିଲା ତାହା ବହୁ ବ୍ୟବହାରରୁ ଛିଣ୍ଡି ଆସୁଥିବା ଖଣ୍ଡିଏ ହାତବ୍ୟାଗ୍‍ । ତେବେ ସାଥୀ ଭାବରେ ମୋ ସାଙ୍ଗରେ ମୁଁ ନେଇଥିଲି ଖଣ୍ଡିଏ ରାଧାନାଥ ଗ୍ରନ୍ଥାବଳୀ । ସେ କଥା ମୁଁ ପରେ କହିବି ।

 

ବାସ ନିର୍ଦ୍ୱନ୍ଦ୍ଵ...ବିରକ୍ତ କରିବାକୁ ପାଖରେ କେହି ନାହାନ୍ତି । ଯେଉଁମାନେ ପ୍ରାୟ ବିରକ୍ତ କରନ୍ତି “ବାପା ୟା ଦିଅ ତା’ ଦିଅ”, ନ ଦେଲେ ନାକକାନ୍ଦଣା କେଁ ଭେଁ କ୍ରନ୍ଦନରୋଳ ଉଠାଇବାପାଇଁ ସେଇ ଆତ୍ମଜମାନେ ପାଖରେ ନଥିଲେ, କି ମଧୁର ବିରକ୍ତିରେ ସାରା ଶରୀରକୁ ରୋମାଞ୍ଚ କରିବାପାଇଁ ସ୍ତ୍ରୀ ନ ଥିଲେ, ରହସ୍ୟରୋମାଞ୍ଚକର ପତ୍ରିକା ଅବା ଡିଟେକ୍ଟିଭ୍‍ କିଣିବାରେ ଅକାରଣେ ଅର୍ଥ ଶ୍ରାଦ୍ଧ ପାଇଁ ।

 

ସବୁଆଡ଼ୁ ନିର୍ଜଞାଳ ।

 

ଅନୁଭବୀ ଜାଣେ ଏ ତନ୍ଦ୍ରାସକ୍ତ ନିର୍ଜନତା କେତେ କାମ୍ୟ ! ପରମ ଶାନ୍ତି ଓ ସନ୍ତୋଷରେ ଆଖି ବୁଜି ହୋଇ ଆସୁଥାଏ । ଆଖି ବୁଜିଦେଲି, ଆଉ ସେଇ ପ୍ରଶାନ୍ତ ଭିତରେ ଟାଣିନେଲି ଦମକାଏ ସିନ୍ଧୁ ପବନ ।

 

ଆଃ, ପରମ ରହସ୍ୟମୟ ଏହି ପାରାବାର !

 

ପୁଣି ପରମ ସ୍ନିଗ୍ଧ ଶୀତଳ ଏଇ ବାୟୁସ୍ରୋତ !

 

ଆଖି ଖୋଲିବାକୁ ଇଚ୍ଛା ହେଉ ନ ଥାଏ । ସେଇତକ ସୁଷୁପ୍ତି ଭିତରେ ପୃଥିବୀ ମତେ ବଡ଼ ଭଲ ଲାଗୁଥାଏ । ଆଖି ଫିଟାଇଦେଲେ ଯେତେକ ଜଞ୍ଚାଳ ସିନା !

 

ଠୁକ୍‍...

 

କବାଟ ଖୋଲିବାର ଆବାଜ୍‍ ହେଲା ।

 

ଠାକ୍‍...

 

କଅଣ ଗୋଟାଏ ଓଜନଦାର ଜିନିଷ ତଳେ ଫୋପଡ଼ା ହେବାର ଶବ୍ଦ ଶୁଣିଲି ।

 

ମୁଁ ଆଖି ବୁଜି ବସିରହିଥାଏ । ମାତ୍ର ଅନୁଭବ କରୁଥାଏ ଗୋଟିକ ପରେ ଗୋଟିଏ ଏଇ ଶବ୍ଦମାଳକୁ ।

 

–ଓରେ ବାବୁଆ, ଲେ ଆଓ ସମାନ୍‍, ଲେ ଆଓ !

 

ବୁଝିନେଲି ଏ କଣ୍ଠସ୍ୱର କେଉଁ ସଂପ୍ରଦାୟର । ଆଖି ଫିଟାଇ ଦେଖିବାକୁ ଇଚ୍ଛା ହେଉ ନ ଥାଏ । ଏ ମହାଜନମାନେ କେତେ ବିସ୍ତାର ସମାନ୍‍ ଧରି, କେତେ ପ୍ରାଣୀ କୁଟୁମ୍ବ ସହିତ କୋଠରିରେ ଭର୍ତ୍ତି ହେଲେ କିଏ ଜାଣେ ?

 

ଦେଖିବା ଇଚ୍ଛାକୁ ଦମନ କରି ମୁଁ ବସିରହିଲି ଆଖି ନ ଖୋଲି ଜଣେ ମୌନୀ ବାବା ମୂର୍ତ୍ତି ଧରି ।

 

ସଣ୍ଟିଂ ଇଂଜିନ୍‍ ଦୁଇଥର କିଳିକିଳା ଚିତ୍କାର କରି ପାଖ ରେଳପଥ ଦେଇ ଚାଲିଗଲା । ମୁଁ ସେମିତି ଆଖିବୁଜି ବସିଥାଏ ।

 

ଝରକା ପାଖ ସିଟ୍‍ ।

 

ପବନ–ସ୍ରୋତରେ ମୋର ଗହଳ କେଶଗୁଚ୍ଛ ଉଡ଼ୁଥାଏ, ଆଉ କାନ୍ତାର ସୁଗନ୍ଧ ସେଣ୍ଟରେ ଓଦା ହୋଇଥିବା ମୋ ହାତଧରା ରୁମାଲର ଭୁରୁଭୁରୁ ଗନ୍ଧ ମୋ ପ୍ରାଣକୁ ମତାଇ ଦେଉଥାଏ ।

 

–ଓଗୋ, ଓଇଖାନେ ବସ୍‍ବ ଗୋ...ଓରେ ଦାମା, ଦାମଚରନ୍‍, ତୁଇ ଆମାର ହାତ ବାକ୍ସଟା ଧରିଛିସ୍‍ ତ ? ଆମର ଅମୂଲ୍ୟଧନ୍‍ ଓରି ଭେତରେ ଆଛେ । ବୁଝିସ୍‍ ତ ? ଶିଗିରି ଆଏ, ମୁଖପୋଡ଼ା !

 

ମୁଁ ତ ଆଖି ବୁଜିଛି, କିଛି ଦେଖିପାରୁନାହିଁ । କାହିଁକି ମୁଁ ଏମିତି ଆଖି ବନ୍ଦ କରିଛି ? କାହିଁକି ଥରେ ଥରେ ମଣିଷ ଏମିତି ପ୍ରବୃତ୍ତି ଦେଖାଏ ? ପ୍ରଥମେ ଗୋଟାଏ ସ୍ନିଗ୍ଧ ଶୀତଳ ମୋହାବେଶରେ ଆଖି ବୁଜି ବସି ରହିବାପାଇଁ ପ୍ରବୃତ୍ତି ପାଇଲି, ଅଥଚ ସେଇ ବୁଜିବା ପ୍ରକ୍ରିୟାଟାକୁ ଆଉ ଭାଙ୍ଗିବାକୁ ଇଚ୍ଛା ହେଉ ନାହିଁ । ଯେମିତି ଗୋଟାଏ ଅଳସ ଅବସ ଭାବ–ଗୋଟାଏ ଜଡ଼ୀଭୂତ ସ୍ଵପ୍ନ ଛାୟାର ରୋମାନ୍ସ ଆଖି ପତା ଉପରେ ସଞ୍ଚରୁଛି ! ସତେ କି ଅପୂର୍ବ ଏଇ ମନୋମୟ ଭାବାଳୁତା !

 

କେତେଗୁଡ଼ିଏ ଲବଙ୍ଗଲତା ଧୂପ୍‍ ଧାପ୍‍ ହୋଇ ଡବା ଭିତରକୁ ପଶିଆସିଲେ । ସେମାନଙ୍କ ଚପଲ୍‍ ଗୁଡ଼ିକର ଧୀର ଶବ୍ଦ, ତାଙ୍କ ନିଃଶ୍ୱାସ ପ୍ରଶ୍ୱାସର ସ୍ୱଚ୍ଛନ୍ଦ ପ୍ରବାହ ଏବଂ ସେମାନଙ୍କର ଆରୋହଣ ଛନ୍ଦରୁ ମୁଁ ବୁଝିନେଲି ସେମାନେ କୋମଳ କାନ୍ତ ଲବଙ୍ଗଲତାଗୁଡ଼ିଏ–ଆଜି ଏଇ ଉଦାସ ଚୈତ୍ର ସକାଳରେ ଯାତ୍ରାପଥ ବାଛିନେଇଛନ୍ତି ।

 

ଡାଉନ୍‍ ଟ୍ରେନ୍‍–

 

ତା’ର ଯାତ୍ରାକାଳୀନ ପ୍ରଥମ ଘଣ୍ଟା ବାଜିଲା ।

 

ମୋ ବସିଥିବା ଝରକା ପଥ ଦେଇ ଚାଲିଯାଉଥିଲା ଖବରକାଗଜର ହକର୍‍ କେତେ କିସମର ପତ୍ରିକାର ନାଁ ଡାକି ଡାକି । ଖଣ୍ଡିଏ ନାମଯାଦା ସିନେମା ପତ୍ରିକା ପାଇଁ ହାତ ବଢ଼ାଇଦେଲି-। ଆଖି ଦୁଇଟି କିନ୍ତୁ ମୋର ଠିକ୍‍ ନିବୁଜ୍‍ ଥାଏ ।

 

ହକର୍‍ ଏ ଦୃଶ୍ୟ ଦେଖି ବିମୁଢ଼ ହୋଇଯାଇଥିଲା ବୋଧହୁଏ । ତା’ ଆଗରେ ପଇସା ସହିତ ମୋ ପ୍ରସାରିତ ପାଣିକୁ ସେ ପତ୍ରିକାଟି ବଢ଼ାଇ ଦେଇଥିଲା । ପଇସାତକ ସେ ନେଇଯାଇଥିଲା ଯଥାରୀତି ।

 

ଶୁଣିଲି ଲବଙ୍ଗଲତାଗୁଡ଼ିକ ମୋର ଅନ୍ଧତ୍ୱ ଘେନି ଟିପ୍ପଣୀ କରୁଛନ୍ତି ।

 

ରୂପପାୟୀ ମନ ମୋର ସେମାନଙ୍କର ରୂପ ଖୋଜୁଥିଲା ମୁଦ୍ରିତ ମୋର ନେତ୍ରପଲ୍ଲବ ଭିତରେ । କିନ୍ତୁ କି ଅର୍ଥ ସେ ଅଭିମାନର, ଆଉ କାହା ପ୍ରତି ବି ଅଭିମାନ ? ମୁଁ ନିଶ୍ଚଳ ହୋଇ ବସିରହିଲି...ଅନ୍ଧ !

 

ଦ୍ଵିତୀୟ ଘଣ୍ଟା ବାଜିଲା–

 

ଡାଉନ୍‍ ଟ୍ରେନ୍‍ ବର୍ତ୍ତମାନ ପ୍ରସ୍ତୁତ ।

 

–ଇଲୋ ବାଜିଆମା, ଧପଡ଼ି ଆ ଭଲା ! ଆରେ ସବୁ ଧପଡ଼ି ଆସିଲ ?

 

ଝନ୍‍ ଝନ୍‍ ଝନତ୍‍କାର ତୋଳି ଗୁଡ଼ାଏ ରୁପାଗହଣାର ବାଜେଣି–ସୁଅ ଭାସିଆସିଲା ।

 

–ଆରେ ରଥିଆ, ମଲା, ମଲା, ଏଇଟା ଦେଢ଼ା–ଗାଡ଼ିରେ...ଆଗକୁ ଚାଲରେ, ଆଗକୁ ଚାଲ୍‍ । ଟିକିଟି ଗାମୁଛାରେ ବାନ୍ଧିଛୁ ତ ?

 

ନୀରବ ରହିଯାଇଥିବା ରୁପାଳଙ୍କାରର ଝନତ୍‍କାର ପୁଣି ଝନ୍‍ ଝନ୍‍ ହୋଇ ଖେଳେଇ ହୋଇଗଲା ପ୍ଲାଟଫର୍ମ ଗୋଟାକଯାକ ।

 

ଆଗରୁ କହିଛି ରାଧାନାଥ–ଗ୍ରନ୍ଥାବଳୀ ଧରି ମୁଁ ଗାଡ଼ି ଚଢ଼ିଥିଲି । କବିବର ରାଧାନାଥଙ୍କର ଜନ୍ମସ୍ଥାନ ଉପରେ ଛିଡ଼ା ହୋଇ ଶ୍ରଦ୍ଧାଞ୍ଜଳି ନିବେଦନ କରିବା ସଙ୍ଗେ ସଙ୍ଗେ ଶ୍ରୋତାମାନଙ୍କୁ ଚନ୍ଦ୍ରଭାଗା, ନନ୍ଦିକେଶ୍ଵରୀ, ଉଷା, ପାର୍ବତୀରୁ କିଛି କିଛି ଉଦ୍ଧୃତି ଶୁଣାଇବି ।

 

ମୋର ତୃତୀୟ ନେତ୍ର ନଥିଲା । ଥିଲେ ଦେଖିଥାନ୍ତି କିପରି କଂପାର୍ଟମେଣ୍ଟ ଗୋଟାକଯାକ ଭରିଯାଇଛି ।

 

ଆଖି ଦୁଇଟି ଅଧଘଣ୍ଟା ହେବ ବନ୍ଦ ରଖିଥିବାରୁ କଷ୍ଟ ବି ଅନୁଭବ କଲିଣି । କାହିଁକି ଆଉ ବେଶି କାଳ ସେଗୁଡ଼ିକୁ ସ୍ଵର୍ଗର ଜ୍ୟୋତିଧାରାରୁ ବଞ୍ଚିତ ରଖିବି ? ଭାବିଲି ଏବେ ଆଖି ଖୋଲି ଚଳମାନ ଜନସ୍ରୋତକୁ ଦେଖେ । ବୈଚିତ୍ର୍ୟମୟ ଏଇ ବିପଣିରେ ଲାଭ ଲୋକସାନ୍‍ ଆଡ଼େ ଦଉଡ଼ୁଥିବା ଲୋକଙ୍କୁ ଦେଖି ଟିକିଏ ଦାର୍ଶନିକ ପାଲଟେ...କ୍ଷତି କଅଣ ?

 

ଆଖି ଖୋଲିଦେଲି ।

 

ରୂପାନ୍ଵିତ ଯାହା ଥିଲା ଅପରୂପ ଦେଖାଗଲା । ବର୍ଣ୍ଣ, ବାର୍ଣ୍ଣିସ୍‍ ଓ ପାଲିସ୍‍ ବିବର୍ଣ୍ଣତାରେ ରୂପର ହାଟ ଚକ୍‍ମକ୍‍ କଲା ।

 

ତୃତୀୟ ଘଣ୍ଟା ବାଜିଲା–

 

ଡାଉନ୍‍ ଟ୍ରେନ୍‍ ସାମାନ୍ୟ ଦୋହଲିଯାଇ ଯାତ୍ରା ଆରମ୍ଭ କରିଦେଲା...ଦୂରନ୍ତ ଓ ଦୁର୍ବାର ।

 

ମୋର ଆଖି ଫିଟା ଦେଖି ତିନୋଟି ତରୁଣୀ, ଯାହାଙ୍କୁ ମୋର ଅନ୍ଧ ଅବସ୍ଥାରେ ମୁଁ ଲବଙ୍ଗଲତା ଆଖ୍ୟା ଦେଇଥିଲି, ସେମାନେ ମତେ ଚକ୍ଷୁଷ୍ମାନ୍‍ ଦେଖି ଆବାକାବା ହୋଇଗଲେ । ମୁଖଭାବରୁ ତାଙ୍କର ଜଣାଗଲା ମୁଁ ଜଣେ ଭଲଲୋକ ନୁହେଁ–ସିନେମାର ଜନି କି ଆଗା ପର୍ଯ୍ୟାୟର ଲୋକ ।

 

ତାଙ୍କ ପାଖରେ ବସିଥିଲେ ଜଣେ ବର୍ଷିୟସୀ ବିଧବା ସ୍ତ୍ରୀ । ଅନ୍ୟ ଧାର ସିଟ୍‍ ଉପରେ ଆଉ ଦୁଇଜଣ ପ୍ରଗତିଶୀଳା ନାରୀ–ବୋଧହୁଏ କୌଣସି ଶିକ୍ଷାୟତନର ଛାତ୍ରୀ ।

 

ନିତମ୍ୱିନୀଗୁଡ଼ିକଙ୍କର ଆଖିରେ ଦେଖିଲି ଲାଗିଛି ସୁନା ସୋରିଷିଆ ଚୈତ୍ରର ଚୈତାଳୀ ସ୍ପର୍ଶ ।

 

ସେପଟର ଦୁଇଟି ତଳ ବର୍ଥରେ ମାରୁଆଡ଼ୀ ପରିବାର ପୌଷମାସିଆ ଧୂଳିଆଜନ୍ଦାର ଲାଇନ୍‍ ଭଳି ବିସ୍ତୃତ ହୋଇଯାଇଛନ୍ତି । ପୁରୀ ଷ୍ଟେସନରୁ ସେମାନେ ବିଛାୟମାନ ଅବସ୍ଥାରେ ବିଛଣା ଧରିଥିଲେ ।

 

ଗୋଟିଏ କଣକୁ ଚଉଖଣ୍ଡିଆ ବହିଟିଏ ଧରି ଜଣେ ଗୈରିକବସନ ଭଦ୍ରଲୋକ ନାଗରୀ ଲିପି ପଢ଼ୁଥିଲେ–ବୋଧହୁଏ ଗୀତା ବା ରାମଚରିତମାନସର କିଛି ଅଂଶ ।

 

ତାଙ୍କ ମୁହଁରେ ଅଳ୍ପ ଦାଢ଼ି, କିନ୍ତୁ କଞ୍ଚା ଓ ଘନ । ଗୃହସ୍ଥ ଓ ସାଧୁ–ଏଇ ମଝି ମଝିଆ ଅବସ୍ଥାକୁ ଭଦ୍ରଲୋକ ଏବେ ଅବତରଣକରିଛନ୍ତି ।

 

ତଳେ ବସିଯାଇଛି ବିଚାରା ପୃଥିବୀର ସର୍ବହରା ।

 

ବିନାଟିକିଟର ପଳାତକ ଯାତ୍ରୀ, ବୋଧହୁଏ ଦକ୍ଷଣୀ ହରିଜନ ।

 

ଏଇ ଅଦ୍ଭୁତ ସଂସାର ଘେନି ମୋ କମ୍ପାର୍ଟମେଣ୍ଟ ପୂର୍ଣ୍ଣ ଥିଲା । ଚୈତ୍ର ସକାଳର ଛାୟାଲୋକ ଭିତରେ ଏମାନଙ୍କ ମନର ଦୋଦୁଲ୍ୟଶୋଭା ଅକଳନୀୟ ବୋଲି ମନେହେଲା ।

 

ଡାଉନ୍‍ ଟେନ୍‍...

 

ସୁତରାଂ ତା’ର ରହି ରହି ଯିବାର ଅବସର ବେଶି ।

 

ହଠାତ୍ ଦେଖିଲି ଆରପାଖ କଣରେ ଅଧ୍ୟୟନରତ ଥିବା ବୈରାଗୀ ମୋତେ ଘନ ଘନ ଚାହୁଁଛନ୍ତି । ତାଙ୍କୁ ଦେଖି ଏ ବିଚିତ୍ର ଜନଗୋଷ୍ଠୀ ଭିତରେ ବୈଚିତ୍ର୍ୟତର ଏକ ମହାପୁରୁଷଙ୍କ ସହିତ ଆଳାପ କରିବାକୁ ମୋର ଇଚ୍ଛା ହେଲା ।

 

ରାଷ୍ଟ୍ରଭାଷାରେ ପଚାରିଲି–ଆପ କାହାଁ ଯାଏଙ୍ଗେ ?

 

ବୈରାଗୀ ବାବା ସହାସ ବଦନରେ ମତେ ଲାଜ ଦେଇ କହିଲେ–ମୁଁ ଓଡ଼ିଶା ତୀର୍ଥବାସୀ, ହୁଷୀକେଶ ଯାଉଛି । ଓଡ଼ିଆ ମୋର ମାତୃଭାଷା । ଆପଣଙ୍କ ହାତରେ ଦେଖୁଛି ରାଧାନାଥ ଗ୍ରନ୍ଥାବଳୀ । ମୋ ହାତରେ ରାମଚରିତ–ମାନସ । ତୁଳସୀସ୍ତବକ ତ ଉଣା ଅଧିକେ ରାମଚରିତର ବର୍ଷା ବର୍ଣ୍ଣନା !

ମୁଁ କ୍ଷମା ମାଗିଲି ହିନ୍ଦୁସ୍ଥାନୀରେ ତାଙ୍କୁ ଜିଜ୍ଞାସାବାଦ କରିଥିବାରୁ ।

ସେ ଟିକିଏ କଅଣ ଭାବି ମୋ ଆଡ଼କୁ ଅନାଇଁ ପଚାରିଲେ–ଆପଣ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ଅଶ୍ଳୀଳତା କିଛି ଦେଖନ୍ତି କି ?

ପ୍ରଶ୍ନ ପ୍ରାସଙ୍ଗିକତା ନ ହେଲେ ବି ସାହିତ୍ୟ ଚର୍ଚ୍ଚାର ଆରମ୍ଭ ଦେଖି କହିଲି–ନାଁ ତାଙ୍କର କାବ୍ୟ ଅବଶ୍ୟ କ୍ଷେତ୍ରବିଶେଷରେ କାମଚିତ୍ର ଦେଇଥାଏ, ଏହା ବୋଲି ସେ ସବୁକୁ ଅଶ୍ଳୀଳ କହି ହେବ ନାହିଁ । ତା’ ଛଡ଼ା ମଣିଷର ମନ ଏମିତି ତିଆରି ହୋଇଛି, ଆପଣ କି ଜାଣିଥିବେ ଯେ ସେ ମନ ତଥାକଥିତ ଅଶ୍ଳୀଳଭାବ ବା ଚିତ୍ରାଙ୍କନ ପ୍ରତି ବେଶି ଆକୃଷ୍ଟ ହୋଇଥାଏ । ନୁହେଁ କି ?

‘ସତ କହିଲେ’–କହି ବୈରାଗୀ ତାଙ୍କ ଘନକୃଷ୍ଣ ଦାଢ଼ିକୁ ଆଉଁସିଲେ ।

ଖୋରଧାରୋଡ଼–

କେହି ଡବା ଭିତରକୁ ଉଠିଲେ ନାହିଁ ।

ତରୁଣୀ ଗୋଷ୍ଠୀ ଭିତରୁ କେହି କେହି କେଶବାସ ସଜାଡ଼ିନେଲେ, ମୁଣ୍ଡରେ ପାଣି ମାରିଲେ । କେହି ଖଣ୍ଡେ ଖଣ୍ଡେ ବିସ୍କୁଟ୍‍ ପାଟିକୁ ପକେଇଲେ । ଓଠରେ ରକ୍ତଦାଗ ଦେଲେ ଭ୍ରୁ ସାଉଁଳିଲେ ।

 

କାହାର ବା ପୂର୍ବରାଗର ବନ୍ଧୁ ଆସିଥିଲେ ପ୍ଲାଟଫର୍ମ ଉପରକୁ । କେହି ବଗପକ୍ଷୀଭଳି ବେକ ବଢ଼ାଇ ସେମାନଙ୍କ ସଙ୍ଗେ ଆଳାପ ରତି ରହିଲେ ।

 

ହଟ୍ଟଗୋଲ ଜଞ୍ଜାଳ । ଟ୍ରଙ୍କ୍ ସୁଟ୍କେଶ ବିଛଣା, ଶିଶୁମାନଙ୍କର କେଁ କାଁ ବିଳାପ, ଜଳଖିଆ ଠେଲା ଗାଡ଼ିପାଖ ଲୋକ ଭିଡ଼, ଛେପ ଖଙ୍କାର, ପାନପିକର ପିଚ୍ ପିଚ୍ ଶବ୍ଦ, ଚା କପ୍ର ଟୁଂ ଟାଂ ଆବଜ, ତା ସହିତ ବହୁ ଲୌହଚତ୍ରର ଇସ୍ପାତୀୟ ଧ୍ଵନି !

 

ଟ୍ରେନ୍‍ ଛାଡ଼ିଦେଲା ।

 

ଡାଉନ୍‍ ଟ୍ରେନ୍‍–

 

ଦେଖିଲି, ତରୁଣୀ ମେଳ ଭିତରୁ ଜଣେ ଝିଅ ଆଖି ଠାରିଲା ସଙ୍ଗିନୀ ଆଡ଼େ । ମୁଁ ପଞ୍ଚେନ୍ଦିୟକୁ ଏକ କରି କେବଳ କର୍ଣ୍ଣେନ୍ଦ୍ରିୟକୁ ପ୍ରଖର କରିନେଲି ।

 

ହଇଲୋ, ଇଏ କିଏ କି ? ଭଦ୍ରଲୋକ ଗ୍ରନ୍ଥାବଳୀ ଧରିଛନ୍ତି ?

 

ସଙ୍ଗିନୀଟି ଚପଳ ଛନ୍ଦରେ ବକ୍ଷବାସ ଆକର୍ଷି କହିଲା–

 

ମାଷ୍ଟ୍ର ଫାଷ୍ଟ୍ର ହୋଇଥିବ । ବହି ଘୋଷୁଛି, ପ୍ରିପେୟାର କରୁଛି । ଓଡ଼ିଆରେ ଏମ୍‍. ଏ. ପରୀକ୍ଷା ଦେବ କି କଅଣ ?

 

ପ୍ରଥମା ପଚାରିଲା–ଉପେନ୍ଦ୍ରଙ୍କର ଶ୍ଳୀଳ ଅଶ୍ଳୀଳ କଥା ଚର୍ଚ୍ଚା କରୁଚି ? ବଡ଼ ରସିକ ଜଣାପଡ଼ୁଚି । ଦେଖୁନୁ ରୁମାଲ ଧରା ଢଙ୍ଗରୁ ? ସତେ ଲୋ ଶାନ୍ତି, ଠାବେ ଠାବେ ଭଞ୍ଜେ ଏମିତି ଅଶ୍ଳୀଳ କଥା ଲେଖିଛନ୍ତି ଯେ ସେଇ ଭାବକୁ ମନ ଭିତରେ ଚିତ୍ର କଲେ ତୁ ଲାଜ ସରମରେ ମରିଯିବୁ, ଆଉ ତୋ ସର୍ବାଙ୍ଗ ଥରିଯିବ । ମାନେ, ତୁ କଅଣ ବୋଲି କଅଣ ହୋଇଯିବୁ ।

 

ସଙ୍ଗିନୀ ଟିକିଏ ଚପଳ ଆଖିରେ ହସ ଝରେଇଲେ କହିଲା–ଦେଖିବୁ ଲୋ ଦେଖିବୁ, ଆଉ ଦି’ଟା ମାସ ଯାଉ । ମେ’ ମାସ ଆସୁ ଦେଖିବୁ–ପେଡ଼ିଲୁଗା କାଢ଼ି ଗାଅଣ ବାଅଣ ଭଞ୍ଜବକ୍ତାଗଣ ସଜବାଜ ହୋଇ ଯିବେ ବୁରୁଲାଠାରୁ ପାରଳା ଯାଏ ପରସ୍ତେ ନାଚିଯିବାପାଇଁ । ହଉ ନାଚ, ଖୁବ୍‍ ନାଚ, କିନ୍ତୁ ସେଇ ଖଡ଼ା ବଡ଼ି ଥୋଡ଼, ଥୋଡ଼୍‍ ବଡ଼ି ଖଡ଼ା ।

 

ମୋର ପ୍ରଖର କର୍ଣ୍ଣେନ୍ଦ୍ରିୟ ଆହୁରି ସତେଜ ହେଲା । କିନ୍ତୁ ଦୁର୍ଭାଗ୍ୟ, ଠିକ୍‍ ସେତିକି ବେଳକୁ ମାରୁଆଡ଼ୀ ମହାଶୟ ଚେଇଁ ଉଠି ଚିତ୍କାର କଲେ–ବାବୁଆ, ଭଗବାନ୍‍ ଜୀ ଔର୍‍ ସୁଭଦ୍ରା ମାଈକୋଁ ଯୋ ଫଟୋ ହାମେ ଅନେଥା, ତୁମ୍‍ କହାଁ ରଖ୍‍ ଦିଆ ? ହୋମ୍‍ କୋ ଦୋ, ପତିତପାବନକୋଁ ଏକବାରେ ଦେଖୁଁ ।

 

ବାବୁଆ ପ୍ରଦର୍ଶିତ ଭଗବାନ୍‍ଜୀଙ୍କ ଚାରିପାଇସାର ଚିତ୍ରପଟକୁ ସେ ମୁଣ୍ଡରେ ମାରି କହିଲେ–ଆଃ, ମୁକ୍ତି ହୋଗୈ !

 

ଏକା ଅବିମୁକ୍ତ ମୁଁ ଏଇ ହରରଙ୍ଗୀ ଗୋଲକଧନ୍ଦାରେ ପଥ ଖୋଜୁଥାଏ । ମଣିଷ ସତେ କେଡ଼େ ବିଚିତ୍ର !!

 

ସଁଡ଼ାସ–

 

ଆମେ ଯାହାକୁ ପାଇଖାନା କହୁ, ଇଂରାଜି ଭାଷାରେ ଯାହା ଲାଭେଟରୀ, ରାଷ୍ଟ୍ରଭାଷାରେ ତାହା– ସଁଡ଼ାସ୍‍ । ପଢ଼ିବାରେ ଭୁଲ୍‍ ହେଲେ ସଁଡ଼ାସ୍‍ ଥରେ ଥରେ ସନ୍ଦେଶ ବୋଲି ପଢ଼ି ହୋଇଯାଏ ।

 

ଜଣେ ତରୁଣୀ ସେଇ ସଁଡ଼ାସ, ଅର୍ଥାତ୍‍ ଲଭେଟରି, ଅର୍ଥାତ୍‍ ପାଇଖାନାଦ୍ଵାର ଖୋଲି ଭିତରକୁ ଗଲେ ।

 

ସମସ୍ତଙ୍କ ଆଖି ସେଇଆଡ଼କୁ ଢଳିଗଲା । ମାରୁଆଡ଼ିଜୀ ବି ଦେହକୁ ବଙ୍କେଇ ଟିକିଏ କଷ୍ଟ ପାଇଲା ଭଳି ମୁହଁ ବିକୃତ କରି ଚାହିଁଲେ ।

 

ଟ୍ରେନ୍‍ର ଗତି ବଢ଼ିଛି–

 

ଡାଉନ୍‍ ଟ୍ରେନ–

 

ସେକ୍ରେଟେରୀଏଟ୍‍ର ଚୁଡ଼ା ଦେଖାଗଲାଣି । ଅଶୋକ, ଖାରବେଳ, ଗଙ୍ଗନଗର–ଗୁଡ଼ିକ ତା’ ତଳେ ବହୁଶତାବ୍ଦୀର ସ୍ଵପ୍ନ ଦେଖୁଥିଲେ, ଆଉ ଭାବୁଥିଲେ–ସତେ କଅଣ ନ ହେଲା ?

 

ଖଟ୍‍କିନା ଶବ୍ଦରେ ପୁଣି ସମସ୍ତେ ଫେରି ଚାହିଁଲେ । ତରୁଣୀଟି ଦ୍ଵାର ଖୋଲି ଲାଭେଟରୀରୁ ବାହାରିଆସୁଛନ୍ତି ।

 

ମୁଁ ତାଙ୍କୁ ଖୁବ୍‍ ନିବିଡ଼ ଭାବରେ ଚାହିଁ ରହିଲି ଏକ ମୁହୂର୍ତ୍ତ ପାଇଁ ।

 

ଦେଖିଲି, ଏଇ ନାରୀଟି ଲାଭେଟରିକୁ ଯିବାବେଳେ ଯେଉଁ ଅବସ୍ଥାରେ, ଅର୍ଥାତ୍‍ ଯେଉଁ ମାନସିକ ଅବସ୍ଥାରେ ଯାଇଥିଲେ, ଫେରିଲାବେଳେ ତାଙ୍କର ସେ ଅବସ୍ଥା ନାହିଁ ।

 

କଥାଟାକୁ ଆଉ ଟିକିଏ ପରିଷ୍କାର ଭାବରେ କହିଦିଏ ।

 

ତାଙ୍କର ଦୁଇ ଅଧର ଫୁଟାଇ ଗୋଟାଏ ଚାପା ହସର ମନୋରମ ଭଙ୍ଗୀ ଯେପରି ତାଙ୍କର ସର୍ବାଙ୍ଗରେ ଲହରୀ ଖେଲାଇଥିଲା ।

 

ବକ୍ଷପ୍ରାନ୍ତର ଘନ ଘନ ଶ୍ୱାସ, ଅଧରର ସ୍ପଷ୍ଟ ରୁମାଲର କମ୍ପନ–ଆଖିରେ ଫାଟିପଡ଼ୁଥିଲା ଅଫୁରନ୍ତ କୌତୁକ–ଜୁଆର । ସେ ଦିଶୁଥିଲେ ମନୋମୟୀ ରହସ୍ୟାୟିତ ଏକ ଛନ୍ଦର ଛନ୍ଦମୂର୍ତ୍ତି !!

 

ସେ ଆସି ବସିଲେ ତାଙ୍କ ସ୍ଥାନରେ ।

 

ସଙ୍ଗିନୀର କାନ ପାଖରେ କହିଲେ–“ଉପେନ୍ଦ୍ର ଭଞ୍ଜ ।”

 

ତାଙ୍କର ଇଚ୍ଛା ସେ ଧିରେ ଏ କଥା କହିବେ; କିନ୍ତୁ ହୃଦୟର ବିସ୍ଫାରିତ ଆବେଗ ତାଙ୍କ କଣ୍ଠକୁ ମୃଦୁ କରି ପାରିଲା ନାହିଁ ।

 

ମୁଁ ଶୁଣିପାରିଲି–‘ଉପେନ୍ଦ୍ର ଭଞ୍ଜ’ ।

 

ଦୁଇ ମିନିଟ୍‍ ପରେ ସଁଡ଼ାସ ଦ୍ଵାର ଖୋଲିଲା । ତା’ ଭିତରକୁ ଗଲେ ଅନ୍ୟ ଏକ ତରୁଣୀ–ସେଇ ସେ ପ୍ରଥମାର ସଙ୍ଗିନୀ ।

 

ବାବାଜୀ ରାମଚରିତ–ମାନସ ଉପରେ ମାନସ ଢାଳିଥାନ୍ତି । ମୁଁ ଦିଗନ୍ତ ଦେଖୁଥାଏ ।

 

ଯେତେ ସମୟ ଲଭେଟରିରେ ରହିବା ସ୍ଵାଭାବିକ, ତହିଁରୁ ଅଧିକା ସମୟ କଟାଇ ତରୁଣୀ ବାହାରିଆସିଲେ ।

 

ଆଶ୍ଚର୍ଯ୍ୟ ! ୟାଙ୍କର ବି ଦେଖିଲି ସେଇ ଆଖିଝରା ଓଠାଚିପା ହସ ।

 

ବର୍ଷୀୟସୀ ବିଧବା ଆଖି ଟେକି ପଚାରିଲେ–କଅଣ କିଲୋ ଝିଅ ?

 

ମୁଁ ତେଣିକି ଆଉ କିଛି ଶୁଣି ପାରିଲି ନାହିଁ ।

 

ହଠାତ୍‍ ଦେଖିଲି ବିଧବା ଲାଭେଟରି ଖୋଲି ଭିତରକୁ ଗଲେ ।

 

ସାଧୁ ବୈରାଗୀ ହୃଷୀକେଶ–ଯାତ୍ରୀ ସେତେବେଳକୁ ଚଞ୍ଚଳ ହେଲେଣି । ତାଙ୍କର ସ୍ଫୁରିତ ଅଧରରୁ ବୁଝିଲି କେମିତି ଗୋଟାଏ ମଧୁର ଉତ୍ତାପ ତାଙ୍କ ମନ ଓ ଶରୀରରେ ଅଶ୍ୱସ୍ତି ଆଣିଦେଇଛି-

 

ଡାଉନ୍‍ ଟ୍ରେନ୍‍ ଚାଲିଥାଏ । ସୂର୍ଯ୍ୟ ତେଜରେ ଦିଗନ୍ତ ଧରିଥାଏ ଅପୂର୍ବ ନିର୍ମଳତା ।

 

ବିଧବା ବହାରିଆସିଲେ । ଲକ୍ଷ୍ୟ କଲି ତାଙ୍କ ମୁହଁଟି ବଡ଼ ପାଂଶୁଳ । ଲଥ୍‍କିନା ତାଙ୍କ ଜାଗାରେ ବସିପଡ଼ି ସେ କକ୍ଷ ବାହାରକୁ ଦୃଷ୍ଟି ଦେଲେ । ଅଜାଣତରେ ବୋଧହୁଏ ସେ ଦୀର୍ଘଶ୍ୱାସ ପକାଇ ଦୂର ଚିତ୍ରବାଳକୁ ଅନାଇଁ ରହିଲେ ।

 

ଏତିକିବେଳେ ମାରୁଆଡ଼ୀ ମହାଶୟ ହାଉ ହାଉ ଚିତ୍କାର କଲେ–ଏତନା ବାର ସଁଡ଼ାସ କା ଦରଜା କିଉଁ ଖଟ୍‍ ଖଟ୍‍ କର ରହେ ହୋ ?

 

ତାଙ୍କର ସେଇ ଯେ ସହଧର୍ମିଣୀ ଏଯାଏ ଲମ୍ବ ହୋଇ ଶୋଇ ରହିଥିଲେ, ସେ ଉଠି ସିଂହିନୀ ଭଳି ଗର୍ଜି ଉଠିଲେ–ତୁମ୍‍ ସେ କ୍ୟା ? ଓ ଲୋଗୋଁକୋ ବେଗ୍‍ ଲଗାତା ହୈ । ଯାନେ ଆନେ ତୋ ହୋଗା; ତୁମ୍‍ ସେ କ୍ୟା ?

 

ୟା ଭିତରେ ଆଉ ଜଣେ ମହିଳା ଲାଭେଟରି ଭିତରକୁ ଯାଇଥିଲେ । ସେ ଫେରିଲେ । ଦେଖିଲି ଏଇ ଲବଙ୍ଗଲତାର ଲାବଣ୍ୟ ଉପରେ ଯୋଡ଼ାଏ ଗଙ୍ଗଶିଉଳି ଝରିଯାଉଥିଲା । ଲାଜ, ହସ, ରୋମାଞ୍ଚ–କେଳି–କଲ୍ଲୋଳିତ ମଦିରାଭାଣ୍ଡ ଯେପରି ଫାଟିପଡ଼ି ସୁଭଗାର ସର୍ବଂ ଶରୀର ଉପରେ ରସାଧାରା ବର୍ଷଣ କରୁଥିଲା ।

 

ରାମଚରିତ–ମାନସ–ପାଠକ ସାଧୁ ବାବା ମୋରି ଭଳି ନାରୀରୂପ ଦର୍ଶନ କରୁଥିଲେ । ସେ ଉଠି ପଡ଼ିଲେ–ଖଡ଼ମ୍‍ ଦୁଇଟା ଖଟ୍‍ ଖଟ୍‍ ଶବ୍ଦ ହେଲା । ସେ ଶବ୍ଦ ଧୀରେ ବହିଗଲା ଲାଭେଟରି ଦ୍ଵାରଆଡ଼େ ।

 

ଶବ୍ଦ ହେଲା ଧଡ଼ାସ୍‍ । ବିଚାରା ନିଦ୍ରାପ୍ରିୟ ମାରୁଆଡ଼ିଜୀଙ୍କର ବୋଧହୁଏ ଧୃତି–ବନ୍ଧ ଭାଙ୍ଗିଗଲା ।

 

ସେ ଚିତ୍କାର କଲେ–

 

–ଆରେ ୱାଃ, ଆପ୍‍ କ୍ୟା ସବ୍‍ ପାଗଲ ବନ ଗୈ ? ସବକୋ କ୍ୟା ବହୁମୁତର ବ୍ୟାଧି ଆକରମଣ୍‍ କରଲିୟା ?

 

ଦୀର୍ଘକାଳ କଟାଇ ଗୈରିକ ସନ୍ନ୍ୟାସୀ ସଡ଼ାସଦ୍ୱାର ଠେଲି ବାହାରିଲେ । ତାଙ୍କର ଦକ୍ଷିଣ ହସ୍ତ ରହିଥିଲା ନିଜର କଳା ଘଞ୍ଚ ଶୁଶ୍ରୁକୁ ସାଉଁଳିବାରେ । ଆଖି ଦୁଇଟି ଲୋହିତ ଓ ସ୍ତିମିତ । କିମିତି ଏକପ୍ରକାର ଟଳ ଟଳ ଭଙ୍ଗୀରେ ସେ ଯାଇଥିଲେ ନିଜର ଆସ୍ଥାନଆଡ଼କୁ ।

 

ଦେଖିଲି, ସେ ଅତି ଗମ୍ଭୀର ଓ ନିସ୍ତେଜ ।

 

ଶେଷରେ ‘ଓଃ’ କହି ଶରୀର ନଚାଇ, ମେଦନିଃସୃତ ଘର୍ମ ପୋଛି ପୋଛି ଆଗକୁ ପାଦ ବଢ଼ାଇଲେ ମାରୁଆଡ଼ୀକୁ । ଲକ୍ଷ୍ୟ ସେହି ସଁଡାସଦ୍ୱାର ।

 

ତାଙ୍କ ସହଧର୍ମିଣୀ ପାଟି ଶୁଣାଇଲେ–ଶୁନୋ, ଜଲ୍‍ଦି ଆନା । ମୈଂ ଯାଉଙ୍ଗି ।

 

ଚୈତ୍ରର ମଧ୍ୟାହ୍ନ କ୍ରମେ ତେଜୀୟାନ ହୋଇଆସୁଥିଲା ।

 

ଡାଉନ ଟ୍ରେନ୍‍ ଛୁଟିଛି । ତା’ ସହିତ ବଳୟିତ ଦିଗନ୍ତ ନାଚି ନାଚି ମେଘମାଳା ସାଥିରେ ଭାସିଯାଉଥିଲା ।

 

ଥରେ ଥରେ ସବୁ ତରୁଣୀଙ୍କ ପୁଷ୍ପିତ ଆନନକୁ ଚାହିଁଗଲି । ଦେଖିଲି, ସେହି ମୁହଁଗୁଡ଼ିକରେ ଲାଜ ଓ ପ୍ରୀତିର ଝଲକ । ସଁଡ଼ାସଦ୍ୱାରଟା ଯେପରି ସମସ୍ତଙ୍କପାଇଁ ସ୍ଵର୍ଗର ଦ୍ଵାର ଭଳି ଉନ୍ମୁକ୍ତ ହୋଇଯାଇଛି । ପାପୀ, ପାପିନୀ ଯାଉଛନ୍ତି–ଫେରୁଛନ୍ତି ପୁଣ୍ୟବାନ୍‍ ଓ ପୁଣ୍ୟବତୀ ହୋଇ ।

 

ମାରୁଆଡ଼ି ମହାଶୟ ପାଇଖାନା ଭିତରୁ ଗଳ ଗଳ କରି ଗାଲେ ଗାଲେ ପାଣି ପୂରାଇ ହସି ହସି ମେଦ ନଚାଇ ବାହାରିଆସିଲେ ଆଉ ଝରକା ଭିତରେ ମୁହଁ ବଢ଼ାଇ ପାଣିତକ ‘ଅଗ୍‍’ ଶବ୍ଦରେ ପିଚ୍‍ କରିଦେଲେ ।

 

କହିଲେ–କ୍ୟା ବାତ୍‍, କ୍ୟା ବାତ୍‍ !

 

ଅବଶିଷ୍ଟ ମହିଳାମାନେ ଗୋଟିଏ ପରେ ଗୋଟିଏ ଉଠିଆସି ଲାଭେଟରୀ ଆଡ଼େ ଚାଲିଲେ । ଦେବଦର୍ଶନ ପାଇଁ ସାହାଣମେଲା ମନେହେଲା ।

 

ବୁଝିବାକୁ ବାକୀ ରହିଲା ନାଇଁ ଯେ ମୁହୂର୍ତ୍ତରେ ଫାଇଭ୍‍ ଡାଉନ୍‍ ପାସେଞ୍ଜର ଟ୍ରେନ, ଯାହାର ଗତିପଥ ପୁରୀରୁ ହାବଡ଼ାଯାଏ ପ୍ରସାରିତ, ତା’ରି ଗୋଟାଏ ସେକେଣ୍ଡ କ୍ଲାସ ଡବା ଭିତରେ ଲାଭେଟରୀଟି ଅନନୁମେୟ ରହସ୍ୟରେ ଆଛନ୍ନ ରହିଛି ।

 

ଯେଉଁ ଅଭିମାନ ଅବା ଜିଦ୍‍ରେ ମୁଁ ଅଧଘଣ୍ଟାକାଳ ଆଖି ବୁଜି ବସିଥିଲି, ଠିକ୍‍ ସେଇ ପ୍ରବୃତ୍ତି ମତେ ଅନ୍ୟ ସମସ୍ତଙ୍କ ଭଳି ଲାଭେଟରୀ ଆଡ଼େ ଚଳାଇ ନେଇ ପାରିଲା ନାହିଁ ।

 

କାହାର ସ୍ଥିତି ଓ ଉପସ୍ଥିତିକୁ ନ ମାନି ଲାଜର ପ୍ରାଚୀର ଭାଙ୍ଗି ହସି ହସି ଲୋଟି ଆସିଲେ ଦୁଇ କିଶୋର ମୃଗିଣୀ । ସ୍ଵର୍ଗର ମଧୁକଣା ଯେପରି ତାଙ୍କ ରକ୍ତରେ ମୂର୍ଚ୍ଛନା ତୋଳୁଥିଲା ।

 

ବିଧବାଙ୍କ ମୁହଁରେ ବି ହସର ଗୋଟିଏ ସ୍ନିଗ୍ଧ କଳି ଫୁଟିଯାଇଥିବାର ଦେଖିଲି । ଏହି ଉଦାସିନୀ ନାରୀକୁ ଦେଖିଆସିଛି ସ୍ଥିର, ସଂଯତ ଓ ସାବଲୀଳ; କିନ୍ତୁ ଏଇ ମୁହୂର୍ତ୍ତରେ ତାଙ୍କ ଭିତରେ ନାରୀତ୍ଵ ସତେ କି ଗୁଞ୍ଜନ ତୋଳିଲା ଅପସୃୟମାନ ଜୀବନ ଦିଗନ୍ତଆଡ଼େ ?

 

କେଜାଣି କାହିଁକି ବୈରାଗୀ ହୃଷୀକେଶ ଯାତ୍ରୀ ହଜିଲା ସଂପତ୍ତି ପାଇଲା ଭଳି ମତି ଦେଖାଇଲେ ଆଉ ରାମଚରିତ–ମାଳା ତାଙ୍କୁ ବାନ୍ଧି ରଖି ପାରିଲା ନାହିଁ ।

 

ସେ ଚାହୁଁ ଥିଲେ...ଠିକ୍‍ ଚାହିଁବା ନୁହେଁ...ଜୀବନର ଅନେକଗୁଡ଼ାଏ ଦିନ ନିଷ୍ଫଳ ସାଧନା ଓ ଅଧ୍ୟୟନର ଯାପନ କରିଛନ୍ତି ବୋଲି ଗୋଟାଏ ଅବଶୋଷ ଭାବ ଯେପରି ତାଙ୍କ ଦୃଷ୍ଟିଧାରାରୁ ସଞ୍ଚରି ଫୁଟିଲା ଫୁଲର ସୁରଭି ଓ ଯୌବନ ଧରି ଉଭା ହୋଇଥିବା ତରୁଣୀମାନଙ୍କ ମୁଖ, ବକ୍ଷ, କେଶବନ୍ଧକ ଉପରେ କ୍ଷଣେ କ୍ଷଣେ ସ୍ଥିର ରହିଯାଉଥିଲା ।

 

ବିଚଳିତ ହୃଦୟ, ବିଚଳିତ ଦୃଷ୍ଟି, ଅଭିଭୂତ–ଯୌବନ !!

 

କେତେ ସମୟ ପାଇଁ ଆମେ ଏହି କକ୍ଷ ଭିତରେ ମିଳିତ ହୋଇଥିଲୁ । ପୁଣି ଯାତ୍ରାପଥରେ ଭିନ୍ନ ସ୍ଥାନରେ ବିଦାୟ ଘେନି ଚାଲିଯିବୁ–ଏହି କଥା ମୁଁ ଭାବୁଥିଲି ।

 

ମୋ କକ୍ଷ ଭିତରେ ଯାତ୍ରୀମାନେ ଓହ୍ଲାଇ ଗଲେ ଡାଉନ୍‍ ଟ୍ରେନ୍‍ରୁ ନିଜ ନିଜର ଗନ୍ତବ୍ୟ ପଥରେ ।

 

ହୃଷିକେଶ ବାବା ଯାଜପୁର ତୀର୍ଥ ଦେଖିବାପାଇଁ ଅବତରଣ କଲେ । ତାଙ୍କ ପୁର୍ବରୁ ରୁକ୍ଷ କକ୍ଷ ଭିତରେ ଏପର୍ଯ୍ୟନ୍ତ ସମ୍ମୋହିତ କରୁଥିବା ପ୍ରାଣୀମାନେ ଓହ୍ଲାଇ ଯାଇଥିଲେ ।

 

ସୋର ଷ୍ଟେସନ ଅନତିଦୂରରେ । ଏହିଠାରେ ମୋ ଯାତ୍ରାର ଅନ୍ତିମ ପର୍ବର ଉଦ୍‍ଯାପନ-। ମୁଁ କିଛି କ୍ଷଣ ପରେ ଗୋଡ଼ ଦେବି କବିର ପବିତ୍ର ଜନ୍ମଭୂମି ଉପରେ, ସାଧନାପୀଠ ଉପରେ ।

 

ସିଗ୍ନାଲ୍‍ ଦେଖାଗଲାଣି । ଭାବିଲି ମୁହଁ ହାତ ଟିକିଏ ଧୋଇ ନେବି ଆଉ ବିସ୍ରସ୍ତ କେଶରାଜିରେ ଚିରିଣୀ ଜଳାଇଦେବି ।

 

ମୁଁ ଲାଭେଟରୀ ଫିଟାଇ ଭିତରକୁ ଗଲି ।

 

ଏହିଠାରେ ଏ କାହାଣୀଟି ଶେଷ କରିଥିଲେ ଗୋଟାଏ ଯାତ୍ରାର ସ୍ନିଗଧ ଓ ରୁକ୍ଷ ଭାବର ସମ୍ମିଳିତ ଆବେଗ ସୃଷ୍ଟି ହୁଅନ୍ତା–କେତେଗୁଡ଼ିଏ ଜନମେଳାରେ କେତୋଟି ମୁହୂର୍ତ୍ତର ବିକାଶ ଓ ସମାପ୍ତି ଯେପରି ଘଟିଥିଲା, ତାହାହିଁ ଯଥେଷ୍ଟ ହୋଇଥାନ୍ତା ।

 

କିନ୍ତୁ ଆହୁରି ବାକୀ ଅଛି ।

 

ଲାଭେଟରୀ ଭିତରକୁ ଯାଇ ଟ୍ୟାପ୍‍ ରୁ ଚଳେ ପାଣି ମୁହଁରେ ଛାଟି ଦେବା ମାତ୍ରେ ଦର ଦର ଓଦା ଆଖିପତା ଭିତର ମୋ ଚକ୍ଷୁ–ତାରକାର ଜ୍ୟୋତିରେ ମୁଁ ଦେଖିଲି...

 

ଦେଖିଲି ଗୋଟିଏ ଚିତ୍ରାଙ୍କନ ପ୍ରତିବିମ୍ବିତ ହୋଇ ମୋର ସାମ୍ନା ଦର୍ପଣ ଉପରେ ଝଲସି ଉଠୁଛି ।

 

ଚଟ୍‍କିନା ବୁଲିପଡ଼ି ଯାହା ଦେଖିଲି ସେଥିରେ ମନ ମୋର ସ୍ଥିର ହୋଇଗଲା । ଆଖି ଦୁଇଟି ବି ସେ ରୂପକୁ ଦେଖିବାରେ ଲାଗିଲା ଲୋଭାସକ୍ତ ହୋଇ ।

 

ଦେଖିଲି ଗୋଟିଏ ବିଶିଷ୍ଟ ଉଭାନ ଭଙ୍ଗୀରେ ଦୁଇଟି ନରନାରୀ, ଖୁବ୍ ବୃଷାଳ ଓ ସୁସ୍ଥଦେହୀ, ଚଉଷଠି ବନ୍ଧରୁ ଗୋଟିଏ ରତିକ୍ରିୟା ବନ୍ଧକୁ ସମ୍ଭୋଗ କରୁଛନ୍ତି ।

 

ତାହା ଚିତ୍ରାଙ୍କନ ମାତ୍ର । ଲାଭେଟରୀ କାନ୍ଥରେ ଏହି ଅଙ୍କନ !

 

କିନ୍ତୁ ସେ କି ଅଙ୍କନ ! ପରସ୍ପର ଆଲିଙ୍ଗିତ ଏଇ ଦୁଇ ମହାପ୍ରାଣୀ ଯେଉଁ ପରିଶୋଭିତ ଏବଂ ଆଦିମ ନଗ୍ନତାରେ ଜଣେ ଜଣକୁ ଉପଭୋଗ କରୁଥିଲା, ସେହି ଉପଭୋଗରୁ, ସେଇ ରସାନୁଭୂତିରୁ କୋଟି କୋଟି ଜୀବ, ପ୍ରାଣୀ ପୁଣି ଅମୃତର ପୁତ୍ର ଏଇ ମଣିଷ ପ୍ରଥମ ମୁହୂର୍ତ୍ତରୁ ସୃଷ୍ଟି ହୋଇ ଆସୁଛି । ଅବ୍ୟାହତ ଏଇ ଧାରାର ଏଯାଏ ମଳିନତା ଆସିନାହିଁ ।

 

ନାଁ, ମୁଁ ସେ କଥା କହୁ ନାହିଁ–ଏ ବିଚାର ଦାର୍ଶନିକର । କିନ୍ତୁ ମୁଁ ଭାବୁଛି କିଏ ସେ ଅଖ୍ୟାତ ଆଟିଷ୍ଟି, କ’ଣ ବା ତା’ର ପ୍ରେରଣା ? କି ବା ତା’ର ଅନୁଭବ ଯାହା ଅପରିଷ୍କୃତ ଲାଭେଟରୀ କାନ୍ଥକୁ ବାଛି ନେଲା ତା’ର କାନଭ୍ୟାସରୂପେ ଆଉ ବାଛିନେଲା ତା’ର ହାୱାନି ସାର୍ଟ ପକେଟର ଫାଉଣ୍ଟେନ ପେନକୁ ତୁଳୀଭାବରେ ଶେଷରେ ରଙ୍ଗ ପରିବର୍ତ୍ତେ ବାଛିନେଲା ଫାଉଣ୍ଟେନପେନ୍‍ କାଳି !

 

ବିଶ୍ଵାସ ହେଲା ଏଇ ଆତ୍ମଗୋପନକାରୀ ଅଦୃଶ୍ୟ ଚିତ୍ରଶିଳ୍ପୀର ଦକ୍ଷତା ଅଛି । ସର୍ବତ୍ର–ଶିଳା, କାନଭ୍ୟାସ ଅବା ମାଟି ଯେଉଁଠି ହେଉ ପଛକେ ସେ ରୂପ ଫୁଟାଇ ପାରିବ । ରସମୟ ହେବ ସେଇ ରୂପର ଆବେଦନ । ପୁଣି ତାହା ଜୀବନକୁ ଦେବ ମଧୁର ସଙ୍ଗୀତ । ଆଉ ଅପସ୍ରୁତ ଜୀବନରେ “କରିପାରିଥିଲେ କେତେ ରଙ୍ଗମୟ ହୋଇପାରିଥାନ୍ତା” ଏହି ଭାବର ସ୍ନିଗ୍ଧ ନୈରାଶ୍ୟକୁ ବି ତାହା ଚେତାଇ ଦେବ ।

 

ଆଜି ବି ସେଇ ଫାଇଭ ଡାଉନ୍‍ ପାସେଞ୍ଜର ଟ୍ରେନ ପୁରୀ ଯାତ୍ରା କରୁଛି ପ୍ରତି ସକାଳେ । ତା’ ସହିତ ଗଡ଼ି ଚାଲିଛି ସେହି ନିର୍ଦ୍ଦିଷ୍ଟ ସଡ଼ାସ କକ୍ଷ ଆଉ ତାରି ସହିତ ଚାଲିଛନ୍ତି ସେଇ ଦୁଇଟି ଉଲଙ୍ଗ ରତିକ୍ରିୟା–ପ୍ରବୀଣ ନରନାରୀ...ଆମରି ଆଦି ଓ ଅକୃତ୍ରିମ ପୂର୍ବଜ...କିମ୍ବା ଚିର ନୂତନ ସହୃଦୟ ସାଥୀ ଚିରକାଳର ।

Image

 

ଅପୁଷ୍ପ–ପୁଷ୍ପିତା

 

ଛନଛନିଆ କଅଁଳ ସବୁଜ ପତର ଉପରେ ମେଘ ବରଷୁଥିଲା ଟପର ଟପର । ଅଧା ଜ୍ୟେଷ୍ଠିଆ ଅସରା ଛୋଟ ଛୋଟ ଧାରାରେ ବହିଯାଉଥିଲା ଗାଁ ପଥ ଉପରେ । ଆମ୍ବଗଛର ଆକାଶିଆ ଫାଙ୍କାରେ ମଥାନ ଗର୍ଜୁଥିଲା ।

 

ସକାଳ ପହର । ଧେନୁ ଫିଟିଗଲେଣି । ଖଳା ବାଡ଼ିର ସଜନା ଲଟାରୁ ଫଳ ଓହଳିଛି । ସନ୍ତସନ୍ତିଆ ଗୋବର ଗାତ, ପାଳଗଦା ଆଉ ଘର ମଥାନ ଘେରି କୁଣ୍ତଳୀ ଧୁଆଁ ସାରି ସାରି ଅଡ଼ୁଆ ସୁତା ଭଳି ଉଠିଯାଇ ନେଳୀ ଆକାଶକୁ ଭେଦିଗଲାଣି । ଶାଶୁମାନେ ଭଣ୍ଡାରଘରୁ ଦିଅଣ ନିଅଣ ଆରମ୍ଭ କରିଛନ୍ତି ।

 

ଗାଁ ତରୁଣୀ ପାହାନ୍ତି ଶୀତୁଆ ନିଦରେ ଢ଼ଳିଯାଇଛି ଶେଯ ଉପରେ । ଭାରି ଅଳସ । ହାତ ଗୋଡ଼ ନିତମ୍ଭରେ ଯେପରି ଅଳସ ଖୁନ୍ଦି ହୋଇ ରହିଛି । ସେଥିପାଇଁ ନିତମ୍ଭ ଭାରି, ଆଖିପତା ଭାରି । ମନଟା ବି ଫୁଲଫୁଲିଆ ନାହିଁ । ଶ୍ଳଥ କବରୀରୁ ମହକ ଝରିଆସି ଓଲଟା ଦିଗକୁ ଚାଲିଗଲାଣି ।

 

ଖାଲି ଅଳସ କ୍ଳାନ୍ତି ! କାନ ପାତି ପୃଥିବୀର ସମସ୍ତ ବିଚିତ୍ର ଗୁଞ୍ଜନ ଶୁଣିବା ପାଇଁ ଉପାସିଆ ମନ ଉସୁକି ରହିଛି । ମନ କହୁଚି ଆଉ ଟିକିଏ ଗଡ଼ିପଡ଼ିବି–ସବୁଦିନେ ତ ପାହାନ୍ତାରୁ ଉଠେ, ଆଜି ଏବେ ଆଉ ଟିକିଏ ବେଳଯାଏ ଦେହଟାକୁ ଅସଜଡ଼ା ଭାବରେ ଗଡ଼େଇଦିଏଁ । ଗଡ଼ିଯାଉ ଏ ଦେହଟା ଏପଟୁ ସେପଟୁ । ଚିପି ହୋଇଯାଉ ତାତିଲା ଗଣ୍ଡ ଉରୁ । କୁଞ୍ଚୁ କୁଞ୍ଚିଆ ବିଛଣା ଚାଦର ତଳ ଉଷୁମ ସାଙ୍ଗକୁ ମନର ତାତିଲା ତାଉ ଧରି ରଖିଛି ଦେହଟାକୁ ।

 

ଚଢ଼େଇଟାଏ କିଚିରି ମିଚିରି କଲା–ଅତି ପାଖ–କାନ ପାଖରେ । ଦାଣ୍ଡପଟରୁ ଶୁଭିଲା ହଳିଆ ଡାକ । ଦର ଆଉଜା କବାଟ ମୁକୁଳା କରିବାକୁ ମନ ହେଉନି । ପିଲାଏ କାନ୍ଦିଲେଣି । ବଳଦ ଖାଇବା କୁଣ୍ତକୁ ମାଠିଆ ପାଣି ଗଡ଼ିଯିବାର ଶବ୍ଦ । ନାପିତୁଣୀ ଡାକିଲାଣି...ଆସଲୋ ଆସ...ଜେମାମାନେ, ଏତେବେଳଯାଏ ପହଡ଼ ଭାଙ୍ଗିନାହିଁ କି ? ବାରଘର ବୁଲି କାମ ସାରି ଯାଉ ଯାଉ ସଞ୍ଜବତି ଜଳିବ–ଆସ ଗୋ !

 

ଦର ଆଉଜା ଦୁଆର ଆଉ ଟିକିଏ ମୁକୁଳା ହେଲା । ମୁକୁଳି ଗଲା ମନର ପକ୍ଷୀ । ଝର ଝର ଡେଣା ପିଟି ଉଡ଼ିଯିବ...ବନସ୍ତ...ପର୍ବତ...ନଈ...ନାଳ ପୁଣି ଆଉ କେତେ ରାଜ୍ୟ ।

 

ମୁକୁଳା ଦୁଆର । ରଜୋବତୀ ଭୁଇଁର ଓଦା ମାଟି, ଶିଶିର ବିନ୍ଦୁ, ସୁରଭି, ଚଆ, କଜ୍ଜଳ, ମେଥି, କପୁର ଗନ୍ଧ ବହି ଆସିଲା ଲବଣୀ ମନ ଭିତରକୁ । ଟୁପୁ ଟୁପୁ ବରଷା, କୁତୁ କୁତୁ କେତେ କଥା, ଅଗାମୀ ଦିନର ସପନମାଳାର ଇନ୍ଦ୍ରଧନୁ ସବୁ ଆଜି ଲବଣୀ ମନ ଗହୀରରେ ଲୀଳା ରଚିଲେଣି ।

 

ଚାଉଁ ଚାଉଁ ଚକିତ ଭାବ । ଷୋହଳ ପୁରି ସତର ଚାଲିଲା । ଗଭା ବଡ଼ ହୋଇ ଆସିଲାଣି । ତନୁ ଭାର ଅସମ୍ଭାଳ । ଏତେ ଗୁରୁ ଭାରକୁ ମନ ଗରୁ ନୁହେଁ । ବାଇଗବା ଗଛ କ୍ଷୀରଧରା ଫୋଟକା ଭଳି ଉପରକୁ ଉଠିଯାଉଛି । ନିର୍ମଳ ଆଉ ଉଶ୍ୱାସିଆ ସେ ମନ । ସସ୍ତରଙ୍ଗୀ ସୂର୍ଯ୍ୟ କିରଣ ସେଥିରେ ଥୋପ ଥୋପ ପଡ଼ୁଛି । କେଡ଼େ ସୁନ୍ଦର ସେ ମନ ।

 

ବର୍ଷ ବର୍ଷ ହୋଇ ଭୁଇଁ ରଜୋବତୀ ହୋଇଛି । ବର୍ଷ ବର୍ଷ ଧରି ଓଦା ମାଟିରୁ ଗନ୍ଧ ବାହାରିଛି । ସେ ଗନ୍ଧ ଭିତରେ କେତେ ସପନ, କେତେ କାମନା, କେତେ ଅଭିଳାଷ, ନାରଙ୍ଗ ଗାଁ ଅଭିଆଡ଼ୀ ତରୁଣୀଙ୍କୁ ମତେଇ ଦେଇଛି । ଆରବର୍ଷ ଯେ କୁନ୍ଦିଲା ଭଳି ଦେହ ଧରି ମନର ମଣିଷ ସାଙ୍ଗେ ତରୀ ବାହି ଅକୁଳ ସାଗରରେ ଭାସିଗଲା, ଆଜି ତା’ର ଦେଖାନାହିଁ । ଆରବର୍ଷ ଯେ ତୁଠ ପଥର ଉପରେ ଗୋଡ଼ ଘଷି, ଓଦା ପଣତରେ ମୀନ ଧରି ଚାକୁଳୁ ଚାକୁଳୁ କରି ଗାଲଭରା ପାଣି ଉପରକୁ ଛାଟି ଦେଇଥିଲା, ଆଜି ଏ ବର୍ଷ ସେ ମାଟିରେ ମିଶିଗଲାଣି । ନାରଙ୍ଗ ଗାଁ ପଡ଼ିରହିଛି । ଗାଁ ପାଖ ପାଟବତୀ ଛୋଟ ନଈଟି ବହି ଚାଲିଛି । ସେଇ ଯେଉଁ ତୁଠ–ପଥରଟା ସେଠି ଆଉ ଜଣେ କିଏ ରୂପଧନୀ ଗୋଡ଼ ଘଷି ସଫା ହେଉଛି ।

 

ପାଟବତୀ ଏଇ ସଫାସୁତୁରା ଝିଅଙ୍କୁ ନିର୍ମଳ ଜଳ ଦେଇ ଆହୁରି ସଫା କରୁଥିଲା ।

 

ସାବ ଆପ ଡାକ ଛାଡ଼ିଲା–ଲବଣୀ ଲୋ, ଲବଣୀ, ନିଦ ଭାଙ୍ଗୁନାହିଁ କି ?

 

ଏଇ ସାବ ଅପା । ସାବ ଅପା ଭଳି ରଜ ଦୋଳିରେ କେହି ଏମିତି ଝୁଲୁ ନ ଥିଲେ । ଗୋଟାଏ ଠେଲାରେ ଆମ୍ବ ଗଛ ଉପରକୁ ଉଠିଯାନ୍ତି–ନେଳିଆ ଆମ୍ବପତର ଗହଳି । କୋଇଲି ଚକିତରେ ସ୍ୱନ ତୋଳେ...କୁଉ...କୁଉ...କୁଉ । ସାବ ଅପା ଆକାଶ ନୀଳକୁ ଭେଦ କରିବାବେଳେ ଖତେଇ ହୋଇ କହିନ୍ତି–କୁଉ...କୁଉ...କୁଉ !

 

ଦୁଇ ‘କୁଉ’ ମିଶିଯାଏ, ଯିମିତ ମିଶିଯାଏ ନେଳୀ ଆମ୍ବପତର ସାଙ୍ଗେ ନୀଳ ଅଙ୍କୁରିତି ରଜଭୁଇଁର ଶ୍ୟାମ ଶୋଭା । ସେ ଶବ୍ଦ...ଏ ବର୍ଣ୍ଣ ।

 

ଖସିଆସିବାବେଳେ ସାବ ଅପା କରି କରି ହସି ମେଘ ମେଦୁର ଆକାଶ ବକ୍ଷ ଉପର ବଳାକା ଭଳି ଖସି ଆସି ଧରାଛୁଅଁନ୍ତି । ପେଣ୍ଡା ଉପରୁ ଲୁଗା ଉଠିଯାଏ । ଛାତି ବସ୍ତ୍ର ଧରେ ନାହିଁ । ପବନ ସୁଅରେ କାଳିନ୍ଦୀ କଳା କେଶ ଚାରିଆଡ଼େ ଝରୁ ଝୁରୁ ଖସିପଡ଼େ ।

 

ଲବଣୀ ତଳେ ଠିଆ ହୋଇ ପାଟିକରେ–ଏ...ଏ...

 

ସାବ ଅପା ଶ୍ଵାସ ଉଠାଇ ଦାନ୍ତରେ ପଣତ ଚିପି କହନ୍ତି–କଅଣ ଏ ? ଏଠି କିଏ ଅଛି କି-?

 

ସତେ, ସେଠି କେହିନଥାନ୍ତି । ବନଭୂମି ନିଥର । ଚାରିଆଡ଼େ ନିସ୍ତବ୍ଧ ଆମ୍ରବୃକ୍ଷର ନୀଳ ରେଖା । ତଳେ ଅଜସ୍ର ଦୁର୍ବାଙ୍କୁର । ସାବର ଅଲତାଲେଖା ପାଦ ଦୁଇଟି ଶୂନ୍ୟରେ ଛାଟି ହୋଇଯାଇଥାଏ । ଟୁପୁ ଟୁପୁ ବର୍ଷଣ ଆକାଶ ଭିତରକୁ ସାବର ଅଲକ୍ତକ ପାଦ ମୁହଁଟି ଉପରେ ଚନ୍ଦନ ଚର୍ଚା, ଅଣ୍ଟା ଉପରେ ପଣତବନ୍ଧର ଆଭା, ଘନକୃଷ୍ଣ ଭ୍ରୁରେ ଆଗାମୀ ଜୀବନର କାମନା–ନୃତ୍ୟ ! ଲବଣୀ ଥରଯାଏ । ସେ ପୁରୁଷ ହୋଇଥାନ୍ତା କି ?

 

ନାରଙ୍ଗ ଗାଆଁର ରଜ ଚାରିଦିନରେ ଛନଛନିଆ ଟୋକାଗୁଡ଼ାକଙ୍କର ରକ୍ତ ତାତିଯାଏ । ଯାହା ପାଖକୁ ଶତ ଚେଷ୍ଟା ଓ ସହସ୍ର କୌଶଳରେ ପଶି ପାରୁ ନ ଥିଲେ ସିଏ ଆଜି ପାନ ଧରି ହାତ ବଢ଼େଇଦେଇଛି । ଖାଲି ବଢ଼େଇ ଦେଇ ନାହିଁ. ଅଙ୍ଗୁଳି ଅଙ୍ଗୁଳିକୁ ଛୁଇଛି, ଆଖି ତଳକୁ ନଇଛି, ଓଠ ଥରିଯାଇଛି ।

 

ବୋଉ ଡାକ ଦିଅନ୍ତି–ଚମ୍ପା, ରଞ୍ଜୁ ଭାଇକୁ ପାନ ଦେଲୁ ? ତାକୁ କହ ସାଞ୍ଜବେଳକୁ ଆସିବ । ପୋଡ଼ପିଠା ଖାଇବ ।

 

ଚଟ୍‍କିନା ଚମ୍ପା ବୁଲିପଡ଼େ । ହଳଦି ଗରଗର, କଜଳ ସାଲୁବାଲୁ, ସୁରସ ପାନରସ ବିମ୍ବିତ ମୁହଁଟି ଘୂରିଯାଏ । ନିଃଶ୍ୱାସରୁ ଶବ୍ଦ ବାହାରେ ଫୁସ୍‍ ଫୁସ୍‍ ଧ୍ୱନି କରେ..ଆସିବ, ନିଶ୍ଚେ ଆସିବ, ନିଛାଟିଆ ପୋଖରୀ କୂଳ । ସେଇଠି ବସିବା...କଥାଭାଷା ହେବା ।

 

ମାଟ୍ରିକ୍‍ ପାଶ ରଞ୍ଜୁଭାଇ ମାଟି ଉପରକୁ ଥରେ ଚାହିଁଦେଇ ବୁଲିପଡ଼ନ୍ତି । ପାଞ୍ଚମାଇଲ୍‍ ଦୂର ଆୟୁର୍ବେଦ ହାସପାତାଳରେ ସେ କମ୍ପାଉଣ୍ଡରୀ କାମ କରନ୍ତି । ଅର୍କ, କ୍ୱାଥ, ତୈଳ ତିଆରି କରିବାବେଳେ ଚମ୍ପାର ମୁହଁଟି ଭାସିଉଠେ । ସେ ମୁହୁର୍ତ୍ତେ ସ୍ଥିର ରହିଯାଆନ୍ତି । କେଉଁ ଚେର ସଙ୍ଗେ କେଉଁ ଚେର ଗୁଣ୍ଡ ହୋଇ ମିଶିବ ଭୁଲିଯାଆନ୍ତି ।

 

ଆସେଂବ୍ଲି ଏମ୍‍. ଏଲ୍‍. ଏ. ଏହି ରଜ ଚାରିଦିନ ନିଜ ରାଜ୍ୟରେ ବୁଲି ବାହାରନ୍ତି । ଅବିବାହିତ ଲୋକ–ପ୍ରତିନିଧି । ହାତରେ ଖଦଡ଼ ମୁଣି, ପକେଟରେ ଚାରମିନାର ସିଗାରେଟ୍‍ ପ୍ୟାକେଟ, ମୁଣ୍ଡ ଉପରେ ରାଜ୍ୟର ଭଲମନ୍ଦର ବୋଝ, ଓଠରେ ସବୁ ହସର ଲହର, କାହା କଥା ଶୁଣିବାବେଳେ ଅମନୋଯୋଗ ସହିତ ସବୁ କରିଦେଇ ପାରିବା ଭଳି ଚକ୍ଷୁ ତରଙ୍ଗର ନିଶ୍ଚିତ ନର୍ତ୍ତନ-

 

ସେ ସମସ୍ତଙ୍କର ଭାଇ । ‘ଏମେଲି’ ଭାଇ ବୋଲି ତାଙ୍କର ନାଁଟା ସକ୍ଷିପ୍ତସାର ହୋଇ ନାରଙ୍ଗ ଗାଁର ବାଟହାଟରେ ଶୁଣାଯାଏ । ଏମେଲି ଭାରି ବହୁମାନ୍ୟ ପାଆନ୍ତି । ଆସନରେ ବସନ୍ତୁ । ପାଣି ଢାଳକରେ ଗୋଡ଼ ଧୁଅନ୍ତି । ଦିଆସିଲି ମାଗିଆଣି ଭୁଲରେ ଫେରାଇ ପାରନ୍ତି ନାହିଁ ।

 

ଏହି ସମ୍ମାନିତ ବ୍ୟକ୍ତିଙ୍କର ନଖଦର୍ପଣରେ ରହିଛି । କେଉଁଠି ନଇଁ ଉପରେ ପୋଲହେବ, କେଉଁ ଗଡ଼ିଆରେ ମାଛ ଜାଆଁଳ କେତେ ପଡ଼ିଛି, କେଉଁ ଟ୍ରକରେ କେତେ ଧାନ ଗଲା, କେଉଁ ଦୋସାମିଲ ଜମି ଉପରେ କେତେ ଦଫା ମକଦ୍ଦମା ହୋଇଛି ।

 

ଏମେଲି ଭାଇ ଆଜି ନାରଙ୍ଗ ଗାଁର ରଜକୁମାରୀପରିବୃତ୍ତ ହୋଇ ଧୂମପାନ କରି ବସିଛନ୍ତି । ଖଣ୍ଡିଏ ପୁରୁଣା ଖବରକାଗଜ ଧରି ସେ ଦେଖାଇଲେ ଯେ ତାଙ୍କ ବକ୍ତୃତା ସେଠି ଛପା ହୋଇଛି । ବକ୍ତୃତାର ବିଷୟ ‘ବିବାହ ଓ ଜନ୍ମନିୟନ୍ତ୍ରଣ’ । ଏମେଲି ଭାଇ ଏ ବିଷୟରେ କମିଟିର ମେମ୍ବର ଓ ବିଶେଷଜ୍ଞ ।

 

ସୁବାସୀ ଝିଅଟି ପ୍ରଗତିଶୀଳା । ଅନେକ ଉପନ୍ୟାସ ପଢ଼ିଛି । ଅନେକ ଖବର ରଖେ । ଖର ଖର ବଚନ । ଟୋକାଗୁଡ଼ାଙ୍କୁ ହରକତ କରି ତାଙ୍କ ମୁହଁ ଉପରେ ସେମାନଙ୍କର ଅପୌରୁଷ ଛଡ଼ା ଆଉ କିଛି ନାହିଁ ବୋଲି ଖୁଣିଦିଏ ।

 

ସୁବାସୀ କହିଲା–ଏମେଲି ଭାଇ, ତମେ କାଇଁକି ବାହା ହଉନ, ଆଉ ବାହା ନ ହୋଇ ଜନ୍ମନିୟନ୍ତ୍ରଣ କଥା ଅନ୍ୟକୁ କେମିତି ବୁଝଉଚ ?

 

ସମସ୍ତେ ଖିଲି ଖିଲି ହସିଉଠିଲେ । ଏମେଲି ଭାଇ ରୁକ୍ଷ ଗଳାରେ କହିଲେ–ବାହା ନ ହୋଇ କଅଣ ଜନ୍ମ...

 

ସୁବାସୀ କଥାଟାକୁ ଛଡ଼ାଇ ନେଇ ଶାଣ ଦେଇ କହିଲା–ଆଉ ନୁହେଁ କଅଣ ? ବାହା ନ ହୋଇ ଜନ୍ମ କରୁ ନାହାନ୍ତି ବା କରଉ ନାହାନ୍ତି ?

 

ସମସ୍ତେ ପୁଣି ଠୋ ଠୋ ହସି ଉଠିଲେ । ଆରତି ବାହାରିପଡ଼ି କହିଲା–ଏମେଲି ଭାଇ, ତମେ କୁଆଡ଼େ ଜଣେ ମାଷ୍ଟରାଣୀଙ୍କୁ ବାହା ହେବ–ତା’ ବୟସ ଚାଳିଶ ପାଖାପାଖି ?

 

ସୁବାସୀ କଟାକ୍ଷ ଢାଳି କହିଲା–ୟାଙ୍କ ବୟସ ଆଉ କେତେ କି–ପଇଁଚାଳିଶି ପରା ? ଦେଖୁନ, ଆଖି ତଳେ କିମିତି କଳା ଦାଗ ! ଆଲୋ ବୟସ ଖସିଲାଣି ଲୋ ବୟସ ଖସିଲାଣି ।

 

ଏଇ ପଦକ କଥା, ହରେ କୃଷ୍ଣ ହରେ ରାମ ନିତାଇ ଗୌର ରାଧେ ଶ୍ୟାମ, ଭଳି କୀର୍ତ୍ତନିଆଙ୍କ ପାଟିରୁ ଝରିଲା–ଆଲୋ ବୟସ ଖସିଲାଣି ଲୋ ବୟସ ଖସିଲାଣି ।

 

ଗୀତର ଲହରୀ ତାଳେ ତାଳେ ପୁରିଲା ବୟସର ରଜୋବତୀମାନଙ୍କର ଆନନ୍ଦ ଉଜ୍ଜ୍ୱଳ ମୁହଁ ଦେଖି ଏମେଲି ଭାଇ ‘ଥ’ ହୋଇ ରହିଗଲେ । ଏମାନେ, ଏଇ ତରୁଣୀମାନେ ଭରା ନଈର ଜଳପ୍ଳାବନ–ଆଉ ସେ ଶୁଷ୍କ କାଷ୍ଠର ଅଗ୍ରେ ତିଷ୍ଠିଥିବା ଖୁଣ୍ଟା ମାତ୍ର ।

 

ସତେ ଚାହୁଁ ଚାହୁଁ ବୟସ ଖସିଗଲା । ମନର ହରିଣୀ ମିଳିବ ବୋଲି କେହି ଏମେଲି ଭାଇଙ୍କୁ ମନ ଦେଲେ ନାହିଁ । ସେ ବୈଷ୍ଣବ ପାଲଟିଲେ; ରାଜନୀତିଜ୍ଞ ହେଲେ । ହୁଏତ ୟା ପରେ ଟ୍ରକ୍‍ ଚଲେଇବେ ବା ଶେଷରେ ରୁଗ୍‍ଣ ମନ ଆଉ ରୁଗ୍‍ଣ ଦେହ ଧରି ଆଶ୍ରମ ରଚିବେ ।

 

କ୍ଷଣକପାଇଁ ନିସ୍ତେଜ ଭାବକୁ ଘଉଡ଼ାଇ ଦେଇ ଏମେଲି ଭାଇ କହିଲେ–ନାଃ ଆଉ ଅପେକ୍ଷା କରିବି ନାହିଁ । ତମ ଭିତରୁ ଜଣକୁ ଛଞ୍ଚାଣ ଭଳି ଛୁ କରି ଉଡ଼େଇ ନେବି–ଅବଶ୍ୟ ଟିକିଏ ବେଶୀ ବୟସୀ ଦେଖି ।

 

ସୁବାସୀ କହିଲା–ଆହା ହା, ଛୁ କରି ଉଡ଼େଇ ନେବେ କାହିଁକି ? ମତେ ତ ଚୁ ଚୁ କରି ଡାକିଲେ ପୋଷା ମିଉଁ ଭଳି ମୁଁ ତମ ଖଦଡ଼ ଜାମା ତଳେ ଲୁଚି ଗୁମୁରି ଉଠିବି । ମତେ ଡାକୁନ ?

 

ଏମେଲି ଭାଇ ଏଇ ଝିଅଟିକୁ ବେଶୀ ପସନ୍ଦ କରନ୍ତି । ଜଣେ ଏମ୍‍. ଏଲ. ଏ. ର ସ୍ତ୍ରୀ ହେବାପାଇଁ ଏ ଖୁବ୍‍ ଉପଯୁକ୍ତା । କଥା କହିପାରେ, ଯୁକ୍ତି ବାଢ଼ିପାରେ, ତା’ ଛଡ଼ା ବହିପତ୍ର ପଢ଼ିଛି । ରସାଳ କଥା କହେ । ମାତ୍ର ଏମ୍‍. ଏଲ୍‍. ଏ. ପୋଷ୍ଟ ତ ପରମାନେଣ୍ଟ ନୁହଁ । ସେତକ ଗଲେ ପୁଣି ସେହି ଚାଷବାସ, ପୁଣି ସେହି ଧନ୍ଦା, ପୁଣି ସେହି ଦରିଦ୍ର ଜୀବନ । ସେତେବେଳେ ସୁବାସୀ ଯଦି ମୁହଁ ଫେରାଇ ଦିଏ ? ଯେ ଉପନ୍ୟାସର ସ୍ଵାଦ ଜାଣେ, ବହି ପଢ଼ ନାରୀର ତୃଷ୍ଣା ବିଷୟରେ ଗୋଟାଏ ଧାରଣ କରିଛି, ସେଇ ତୃଷ୍ଣାତକ ଯଦି ସୁବାସୀର ଅପୂର୍ଣ୍ଣ ରହିଯାଏ–ତେବେ ?

 

ବୋଉ ଡାକଛାଡ଼ିଲା–ସୁବାସୀ, ପତୁଭାଇ ସାଙ୍ଗରେ ଗୁଡ଼ାଏ ନଗଉଚ କି ତାକୁ ପିଠା ଖାଇବାକୁ ଦେଉଚ ? ହଇଲୋ, ସେ ଦେଶ କାମ କରୁଛି–ତାକୁ ମାନ୍ୟ କରି ଚଳିବୁ ନାଁ ମୁହଁ ଉପରେ ଏମିତି କହିବୁ ? ହଇଲୋ ଆରତୀ, ତୁ ବି ଆଜିକାଲି ଲାଜ ସରମ ପୋଡ଼ି ଖାଇଲୁଣି । ପତୁଭାଇକୁ ଖାଇବାକୁ ଦେ । ହଁ, ପଚାରିଲୁ ସୁବାସୀ, ରାଜୁଆଟାର ଚାକିରୀ କଅଣ ଠିକ୍‍ କଲେ ? ଗାଁ ଯାକ ଆମେ ଅନେଇଁ ବସିଛୁ ଆମକୁ କିଛି ଦବ । ଗାଁର ହାନିଲାଭ ତାଆରି ହାତରେ । ହଇଲୋ ସୁବାସୀ–ଏ ଗାଁ ରାସ୍ତାଟା–ବର୍ଷାଦିନ ତ ଆସିଲା–ବାଟ ମାଟି କାଦୁଅରେ ଭରି ଉଠିବ । ପତୁ ପରା କଅଣ ପକ୍କା ରାସ୍ତା କରିବ ବୋଲି କହୁଥିଲା ? କାଇଁ ? କେବେ ହେବ ?

 

କାଇଁ–କେବେ ହେବ–ଏଇ କଥାଗୁଡ଼କୁସବୁ ଏମେଲି ଭାଇ ଡରନ୍ତି । ଅଥଚ ମାଉସୀ ଆଜି ରଜପର୍ବରେ ‘କାଇଁ...କେବେ ହେବ’ କଥାଗୁଡ଼ାକ ପକାଇ ସବୁ ମାଟି କରି ଦେଉଛନ୍ତି । ପତୁବାବୁ ରସଭଙ୍ଗ ହେବାର ଦାରୁଣ ଦୁଃଖକୁ ହୃଦୟରେ ଧରି ସୁବାସୀ ସହିତ ଜାତକ ମିଳେଇଲେ କିମିତି ହେବ ଭାବନାରେ ଦିଗଦିଗନ୍ତ ଜ୍ୟୋତି ଦେଖିଲେ ।

 

ଏଇଠି ଅଛି–ଏଇଠି ନାହିଁ ଭଳି କଥାଟା ସେୟା । ବର୍ଷ ବର୍ଷ ଧରି ସେ ସୁବାସୀକୁ ଦେଖି ଆସିଛନ୍ତି । ତା’ ଦେହର ନିଟୋଳ ଯୌବନଶ୍ରୀ ଆଡ଼େ ଅନାଇଁଛନ୍ତି–ସ୍ଵପ୍ନ ଦେଖିଛନ୍ତି । କିନ୍ତୁ କଞ୍ଚାବୟସୀ ଏଇ ଝିଅ ସହିତ ତାଙ୍କ ଭଳି ପ୍ରୌଢ଼ର ଶୁଭ ପରିଣୟ ।

 

କାହିଁକି ସେ ଏମିତି ବସିରହିଲେ ? କାହିଁକି କାହା ପାଖକୁ ହାତ ନ ବଢ଼ାଇଲେ ? ବୋଧହୁଏ ହାତ ବଢ଼ାଇଛନ୍ତି । ସେ ହାତ ଅଗ୍ରହଣୀୟ ହୋଇ ରହିଯାଇଛି ।

 

ମନଟା ବେଦନାର୍ତ୍ତ ହୋଇଗଲା । ଶତମାର୍ଗ ଆନ୍ଦୋଳନ, ଭୂଦାନ, ଜୀବନଦାନ ସବୁ ଆନ୍ଦୋଳନ ଓ ସ୍ପନ୍ଦନ ଭିତରେ ନାରୀ–ହୃଦୟ–ମାର୍ଗ–ଉପରେ ପାଦ ପକେଇ ଚାଲିଯିବା ସମସ୍ତଙ୍କର ସୌଭାଗ୍ୟ ନ ଥାଏ ।

 

ଝୁପୁ ଝୁପୁ ବର୍ଷା । ଦୁଇ ଗ୍ରାମ ସୀମାନ୍ତ ଆଡ଼ୁ ଦୋଳିଗୀତ, ପୋଖରୀ ହୁଡ଼ା ଉପରେ ଦଉଡ଼ା ଦଉଡ଼ି ଛନ୍ଦ ଭାସି ଆସୁଛି ନାରଙ୍ଗ ଗାଁ ଭୂଇଁ ଉପରେ ।

 

ଏତେ ଆନନ୍ଦ ଭିତରେ ଅହ୍ୟ ଡେଙ୍ଗୁରା ବାଜି ଉଠିଲା । ଦିନ ଦିପହର ଶିଆଳ ଭୁକିଲା-

 

ନେତିବୁଢ଼ୀ ଆଗେଇ ଆସିଲା ବାଡ଼ି ଠୁକୁ ଠୁକୁ କରି ।

 

ସୌଦାମିନୀ ଶୁଣି ସାରିଛି । କନକ ବି ଶୁଣି ନେଇଛି । ରାମ ନାମ ସତ୍ୟ...ରାମ ନାମ ସତ୍ୟ ରାମ ନାମ ସତ୍ୟ ।

 

ଶ୍ମଶାନକୁ ଚାଲିଲା କୋକେଇ । ପଦ୍ମା ଆଜି ଚାଲିଗଲା । ନେତବୁଢ଼ୀ କହିଲା–ଆଲୋ, ମାଇପିଟା କେତେ ସହିବ ? ମରଦଟା ରାଉରକେଲା ଯାଇଚି ତ ଫେରିବାର ନାଁ ନାଇଁ । ଚିଠିଗଲା ଯେ ବେଉରା ନାଇଁ । ଅଖିଆ ଅପିଆ କୋଳର ଛୁଆଟାକୁ ଚାହିଁ ଚାହିଁ ପଦ୍ମା ଚାଲିଗଲା । ଗୋଟିଏ ସାଆନ୍ତାଳୀକୁ ଧରି ଘର କରି ରହିଲା; ପଦ୍ମାକୁ ପଚାରିଲା ନାହିଁ । ମରିଯାଇଚି ତିରିଯାଇଚି ।

 

ସପନବିଭୋରା ତରୁଣୀଙ୍କ ମନମନ୍ଦିରରେ ଚିତାଗ୍ନି ଝଲସି ଗଲା । ତେବେ ଏମିତି ହୁଏ-? ପୁରୁଷ ଅନ୍ୟ ନାରୀ ଧରୀ ସ୍ତ୍ରୀକୁ ଭୁଲିଯାଏ ? ଲୁହାର ସହର, ସୁନାର ସହର, ବିଜୁଳି ସହର–ସେଇଠି ପୁରୁଷ ମେଣ୍ଢା ହୋଇଯାଆନ୍ତି ।

 

ଏତେ ଅଳତା ଏତେ ସିନ୍ଦୂର, ଏତେ କଜଳ ସବୁ କଅଣ ବୃଥା ? ଦୋଳି ଉପରେ ଝିଅ ଖସିପଡ଼ୁଛି । ସାହା ଭରସା କେହି ନାହିଁ । ପଦ୍ମା ଆଜି ମାଟିରେ ମିଶିଗଲା । ଜୀବନ ଓ ମୃତ୍ୟୁ ଏତେ ପାଖାପାଖି ! ସ୍ୱପ୍ନ ଓ ଆଶାଭଙ୍ଗ ଏତେ ପାଖାପାଖି !

 

“ଆଲୋ ଶୁଣୁଚୁ, ରାଉରକେଲା ସହରରେ ମାଇପିଗୁଡ଼ାକ ଭେଳା ଭେଳା । କେଉଁ ଛଟକରେ ମରଦଗୁଡ଼ାକୁ କାବୁ କରାଦିଅନ୍ତି ଯେ ଅଣାୟତ୍ତ ହୋଇଯାଆନ୍ତି । ଆହା ବିଚାରୀ ପଦ୍ମା, ଆମରି ସାଥିରେ ଦି ବର୍ଷ ତଳେ ରଜ ପାଳିଥିଲା । ଦୋଳିରେ ଆକାଶକୁ ଉଠିଥିଲା–ଆଜି ନାହିଁ ?” ରାଧା ଏତିକି କହି ଗୁମ୍ମାରି ବସିରହିଲା ।

 

ସାଙ୍ଗେ ସାଙ୍ଗେ ଦମକାଏ ପବନ ଭାସି ଆସିଲା । ଉଚ୍ଛ୍ୱସିତ ଆନନ୍ଦ ଓ ପ୍ରେମର ପବନ-। ଆଶା ଓ ଆକାଙ୍‍କ୍ଷାର ବାୟୁପ୍ରବାହ ।

 

ନାରଙ୍ଗ ଗାଁର ଦଳେ ସ୍କୁଲ ଝିଅ ନଈ ମଝିରେ ଭାସନ୍ତା ଫୁଲତୋଡ଼ା ଭଳି ବହି ଆସିଲେ–“ଉଠଲୋ, ରଜଗୀତ ଗାଇ ନାଚିବା । ସାଆନ୍ତଙ୍କ ଘର ପିଣ୍ଡା ଉପରେ ସିନ୍‍ ଦିଆହୋଇଛି-। ନଟୁ ଭାଇ କେତେବେଳୁ ପ୍ରୋଗ୍ରାମ୍‍ ତିଆରିକରି ଛିଡ଼ା ହୋଇଛନ୍ତି । ଆସ ଗୋ, ମୋ ପାର୍ଟ ମୁଁ ମୁଖସ୍ଥ କରିଛି । ଜନକ–ହରିଣୀ ଡ୍ରାମା ହେବ ।”

 

ପଦ୍ମାର ମୃତ୍ୟୁଶୋକ ଅଳ୍ପକ୍ଷଣ ଭିତରେ ବିସ୍ମୃତ ହୋଇଗଲା । କାହିଁ କେଉଁଠି ଗୋଟାଏ ଆଦିବାସୀ ଝିଅ ଗୋଟାଏ ଶ୍ରମିକକୁ ମୁଗ୍ଧ କରି ନେଇଯାଇଛି । ସେଥିପାଇଁ ସବୁ ପୁରୁଷ କଅଣ ଏକାଭଳି କି ?

 

ସଞ୍ଜବତିର ଶିଖାଏ ‘ଜନକ ହରିଣୀ’ ନାଟିକା ଅଭିନୀତ ହେଉଥିଲା । ହରିଣୀ ସୁନାର–ରାମ ବି ସୁବର୍ଣ୍ଣ–ସୀତା ସୁବର୍ଣ୍ଣ ସୁନ୍ଦରୀ ।

 

ଏଇ ସୁନାର ସ୍ୱପ୍ନ ଦେଖି ଦେଖି ଶେଷ ଯାମ ଆଡ଼କୁ ନାରଙ୍ଗ ଗାଁର ତରୁଣୀ ଶୋଇପଡ଼ିଲେ । କାହାର ମୁକୁଳା କବରୀରେ ଚୁମ୍ବନ ଲାଗିଛି, କାହାର ଅଧରରେ ଆଙ୍ଗୁଳି ସ୍ପର୍ଶ ରହିଛି । ଜୀବନର ସହସ୍ର ରୂପାୟନରେ ଏଇତିକ ବର୍ଣ୍ଣଶୋଭା, ଆଶାର ଏଇତକ ପ୍ରସାରିତ ଚାହିଁବା ଓ ପାଇବା ଜୀବନ ମଧୁର–ଜୀବନ ସୁନ୍ଦର !

 

ଲବଙ୍ଗ, ସାବଅପା, ସୁବାସ, ଆରତୀ ଏମେଲି ଭାଇ ରଜ ଭୂଇଁର ଜର୍ଜରିତ ପ୍ରାଣୀର–ଏମିତି କେତେ କେତେ ହୃଦୟ–କେତେ ମନର ଆନନ୍ଦ ନିରାନନ୍ଦ ରୂପ ଓ ଶେଷରେ ପଦ୍ମାର ଆତ୍ମାର–ସବୁ ଯେପରି ଏକ ମହାନ ଜୀବନର ମହା ବିସ୍ତୁତି ।

 

ଏଇ ବିସ୍ତୃତି ନମସ୍ୟ ।

 

ଏଇ ଧ୍ୟାନଦୃଷ୍ଟ ପ୍ରଣାମ୍ୟ ।

Image

 

ଅନେକ ଦୂରେ ଗ୍ରାମ୍ୟ ନଦୀର ତୀରେ

 

ଅନେକ ଦୂରେ ଗ୍ରାମ୍ୟ ନଦୀର ତୀରେ ସେଇ ପ୍ରଦୀପର ଶେଷ ସଳିତାଟି ଜଳିଯାଇ ଚିରଦିନ ପାଇଁ ନିର୍ବାପିତ ହୋଇଗଲା, ଯାର ବାଷ୍ପସୁରଭି ଶରତର ଶ୍ୟାମଦୁର୍ବା ଶୀର୍ଷେ ଶୀର୍ଷେ ସଂଚରି ଉଡ଼ିବୁଲୁଥିଲା ଅତି ସଗୋପନେ, ସେଇ ପ୍ରଦୀପର ବହ୍ନିତଳେ ଦଗ୍ଧ ହୋଇଥିଲା ଗୋଟିଏ ସାଧାରଣ ଜୀବନର ଲୀଳାଖେଳା–ମାତ୍ର କେତୋଟି ବର୍ଷର ଆଗମନ ପ୍ରତ୍ୟାଗମନର କରୁଣ କାହାଣୀ ।

 

ସେ ସନ୍ଧ୍ୟା ଥିଲା ଅତି ବାଂଛିତ, ଅତି ଆକାଂକ୍ଷତ । ପଲ୍ଲୀର ଘନ ସବୁଜ ଶ୍ୟାମକ୍ଷେତ, ଦିଗନ୍ତବିସ୍ତାରୀ ଶରତର ଶ୍ୟାମଳିମା, ମନୋହର ସୂର୍ଯ୍ୟାସ୍ତର ସ୍ୱଚ୍ଛ ଭଙ୍ଗୀର ଐନ୍ଦ୍ରଜାଲିକ ଆବେଗ ତା’ର ପ୍ରାଣରେ ତୋଳୁଥିଲା ତରଙ୍ଗ ପରେ ତରଙ୍ଗ । ଉଦ୍‍ବେଳିତ ହୃଦୟରେ ସେ ଚାହୁଁଥିଲା ଚାରିଆଡ଼େ । ଅସୀମ ପୁଲକ । ସେ ପୁଲକରେ ପୃଥିବୀ ସୁନ୍ଦର ଦିଶୁଥିଲା । ଜୀବନ, ତା’ର ନିଜର ଜୀବନ, କେତୋଟି ମାତ୍ର ବର୍ଷା ବସନ୍ତରେ ପରିପୂର୍ଣ୍ଣ ତା’ର ଜୀବନ । ନାଚି କୁଦି ବୁଲିବା ବୟସ ତା’ର । ଉଚ୍ଛନ୍ନ ଗିରିସ୍ରୋତ–ନିର୍ବାଧାରେ ପ୍ରବାହିତ ହୋଇଯିବାର ସଂକଳ୍ପ । ବାଧା ବିଘ୍ନକୁ ସେ ଭ୍ରୁକ୍ଷେପ କରିନାହିଁ । ଭିତରର ଐଶ୍ୱର୍ଯ୍ୟ, ବାହାରର ରଙ୍ଗ ବେରଙ୍ଗ ବର୍ଣ୍ଣସବୁ ଯେପରି ତାକୁ ଦେଖାଇଥିଲା ଅମରାବତୀର ସ୍ଵପ୍ନ । ସେ ଥିଲା କିଶୋରୀ, କଳିର ଅର୍ଦ୍ଧ ପ୍ରସ୍ପୁଟ ଆରୁଣାୟିତ ଅଭା । ସେ ଥିଲା କଳତାନ । କୁଳୁକୁଳୁ ସ୍ରୋତସ୍ଵିନୀର ଥିଲା ସେ ପ୍ରତି ସ୍ୱାକ୍ଷର । ଏତେ ମନମତାଣିଆ ପ୍ରବାହ ତା’ର ? ଝରିଯାଉଥିଲା, କେଉଁଆଡ଼େ ଝରିଯାଉଥିଲା, ନାଚୁଥିଲା ବିଶ୍ଵର ସୋନ୍ଦର୍ଯ୍ୟ ଚୈତନ୍ୟ । ପ୍ରଖର ବିସ୍ତୃତିରେ ପ୍ରକଟିତ ହେଉଥିଲା ଯାହା କିଛି ସୁନ୍ଦର ଓ ଆବୃତ ।

 

ଦିନେ ସେ ଧରାଦେଲା ଜଣକର ଚିରପଥରେ । ବହୁ ନଗଣ୍ୟ ଭିତରେ ସେ ଜଣକ ଥିଲା ଅଧମତମ ନଗଣ୍ୟ । ଯଶ ନାହିଁ, ସମ୍ମାନ ନାହିଁ, ତାହାର କିଛି ନାହିଁ । ସେଇ ଯେ ଗ୍ରାମ୍ୟ ନଦୀ, ଯାର ତୀରେ ତୀରେ ଲୋଟିଯାଏ ଅଜସ୍ର ପୁଷ୍ପରେଣୁ, ଯାର ଜଳ ସ୍ପର୍ଶ କରି ଭାସୁଥାନ୍ତି ଅସଂଖ୍ୟ ବିହଙ୍ଗ ବିହଙ୍ଗୀ, ଯାର ତୁଠ ପଥର ଉପରେ ଘଷି ମାଜି ନିର୍ମଳ ହୁଏ କେତେ କାହାର ପାଦ ଭୂଷଣ, ସେଇ ନଦୀ ତୀର ପଥ ଦେଇ ଦୟିତର ବଦନ ସୁଷମାକୁ ଅପାଙ୍ଗରେ ଚାହିଁ ଚାହିଁ ସେଦିନ ସେ ଚାଲିଥିଲା ଅସରନ୍ତି ପଥ । ବଳାର ବାଜେଣୀ ବାଜି ସ୍ୱନିତ ହୋଉଥିଲା ବାଲିଚର ବେଣାପାଟ-। ଗଭୀର ଚଉତାଳ ତୋଳୁଥିଲ ଆଷାଢ଼ର ନବ ମେଘମାଳା । ଥରେ ଥରେ ଚମକିପଡ଼ି ସେ ଆଉଜି ଆସୁଥିଲା ସହଯାତ୍ରୀ ପାଖକୁ ।

 

ସେ ତ କେଉଁଦିନ କେଉଁ ଅତୀତର କର୍ପୁରବାସ ! ସୁଗନ୍ଧ ଉଡ଼ିଯାଇଛି । ଛୋଟ ଗାଁର ଛୋଟ ଝିଅ–ବଡ଼ କୁଳର ସନମାନ ତା’ର ନଥିଲା । ଭାଗ୍ୟ ଦେଇଥିଲା ତାକୁ ଠିକ୍‍ ସମୟରେ ପରିପୂର୍ଣ୍ଣ ଯୌବନ, ମନ ଦେଇଥିଲା ଶୋହାଗଭରା ଅମୀୟ ପ୍ରୀତି ।

 

ସେ ନଦୀ ଆଜି ବି ଜଳଭରା, ଆଜିବି ବିହଙ୍ଗ–ମୁଖରା । ତା’ର ତୁଠ ପଥର ଆଜି ବି ଡାକିଆଣେ କେତେ ଅବଗୁଣ୍ଠନବତୀର ଚରଣ ଯୁଗଳକୁ । ଗ୍ରାମ୍ୟ ନଦୀପାଖେ ଅଶ୍ଵତ୍‍ଥ ଓ ପାଖେ ବିସ୍ତୃତ ଚକ୍ରବାଳସ୍ପର୍ଶୀ ପଟ୍ଟ ଗୋହରୀ ଗୋଧନ ଖେଳିବୁଲେ । ସେଇ ଅଶ୍ଵତ୍‍ଥ ତଳେ ବସିଥାଏ ଗ୍ରାମର ଗୋପାଳ ବାଳକ । ଅନାଏଁ ଦୂର ପାଖ ସବୁଆଡ଼େ । ସେଇ ତା’ର ପାଟପତନୀ, ସେଇ ତା’ର ଚମ୍ପା । ଶରତର ନୀଳ ଜ୍ୟୋତି ତଳେ ନୀଲମ ହୋଇ ଉଠେ ତା’ର ଧେନୁପଲ ।

 

ହଃ...ହଃ କରି ଦିଥର ସେ ହକାରେ । ବାଉଟିଆ ଲାଞ୍ଜ ଟିପି ଗୁମରି ଉଠେ । ନେତ ହମ୍ବା ଦିଏ । ମୟୂର ଦୂରରେ ରହି ଖୁରା ଘଷେ । ଆଶ୍ୱିନର ଖରା ଧୀରେ ନଇଁଆସେ । ହୁଡ଼ା ଉପରେ ଚକ୍ରଧାରୀ ଗୋଡ଼ ଥୋଇ ଡାକେ–କୌଶଲ୍ୟା, ଚାଲ ଯିବା ।

 

ଏଇ କୌଶଲ୍ୟା ଚକ୍ରଧରୀକୁ ତତାଏ । ଚକ୍ରଧାରୀ ସେଇ ଉତ୍ତାପକୁ ଫେରସ୍ତ ଦିଏ । ଗାଁର ନଈଟି ହସିଉଠେ, ବଣବୁଦାରୁ ଡାହୁକ ଡାକେ ।

 

ଦୁହେଁ ଡକାଡକି ହୋଇ ଚାଲିଥାନ୍ତି । ଧରିତ୍ରୀ ନିସ୍ତବ୍ଧ ହୁଏ । ଦିନ ବେଳର ହୁଡ଼ା ତଳ ଭେଟ ଭୋକ ମାରି ନଥାଏ । ସଞ୍ଜ ପାହଡ଼ରେ ପୁଣି ଦେଖା–କୌଶଲ୍ୟା ଆଉ ଚକ୍ରଧାରୀ ।

 

ଦିନ କେତୁଟାରେ ସେଇ ଗାଁକୁ କେନ୍ଦ୍ର କରି ଗଢ଼ାହେଲା ବ୍ଲକ୍‍ ଉନ୍ନୟନ । ନବ–ପରିଣତ ଚକ୍ର ଓ କୌଶଲ୍ୟାଙ୍କୁ ଘଟଣାଟି ବେଶ୍‍ ଭଲ ଲାଗିଲା ।

 

ସହରରୁ ଆସିଲେ ଅଭୁତ ଜୀବ । ବେଶ୍‍ ଟୋକାଟାକରା ସୁସ୍ଥ ଜୀବଗୁଡ଼ିଏ । ଭୁଇଁକୁ ନ ଅନେଇଁ ସେମାନେ ଚାହିଁଲେ ସବୁଆଡ଼େ । ସଡ଼କ ତିଆରି, ପୋଖରୀ ଖୋଳା, ସଞ୍ଜବେଳେ ସଭା, ସଭା ଶେଷରେ ଆମୋଦ ପ୍ରମୋଦ ।

 

ତା’ପରେ ଆସିଲା ମ୍ୟାଲେରିଆ ଇଉନିଟ୍‍ । ଡାକ୍ତର, ମଟରଗାଡ଼ି, ବଡ଼ ବଡ଼ ମଶାଙ୍କ ରଙ୍ଗୀନ ଛବି–କିମିତି ମଣିଷ ଦେହରେ ମଶା କାମୁଡ଼ିଲେ ମ୍ୟାଲେରିଆ ରୋଗ ହୁଏ–ଏଇସବୁ ରୋଗ, ପ୍ରଚାର ଆଡ଼ମ୍ବର ।

 

ଆସିଲେ ସମାଜ ସଂଗଠନ, ପୌଢ଼–ଶିକ୍ଷା ଅଫିସର, କୃଷି କର୍ମଚାରୀ, ଗୋରୁଙ୍କର ଫାଟୁଆ ରୋଗର ବିଶେଷଜ୍ଞ । ଆସିଲା ପୋକ ମାରିବା ପାଇଁ ଗାମାକ୍‍ସିନ୍‍ ଔଷଧ । ଟିଣ ଟିଣ ଜମା ହେଲା ରୋଗୀ ପିଲାଙ୍କ ପାଇଁ ଆମେରିକାନ ଦୁଧ ଓ ଘିଅ । ସେମାନେ ଖାଇଲେ–ବାନ୍ତି କଲେ । ପୁଣି ଖାଇଲେ । ବାନ୍ତି କଲେ; ହଜମ ହେଲା ନାଇଁ ।

 

ଚାରିଆଡ଼େ ଉନ୍ନତିର ସଂକେତ । ଘର କରିବାକୁ ଟଙ୍କା ମିଳିବ ବୋଲି ପ୍ରଚାର ହେଲା । ସମସ୍ତେ ଶୁଣିଲେ । କୌଶଲ୍ୟା ଶୁଣିଲା । ଚକ୍ର ଭାବିଲା, ଘରତୋଳା ଟଙ୍କା ଆଣି ମଣିଷ ରହିଲା ଭଳି ଖଣ୍ଡେ ଘର ସେ କରିବ । କୌଶଲ୍ୟା ନାଚିଗଲା–ତା’ର ଖଣ୍ଡେ ଘର ହେବ । ଫର୍ମ ଖଣ୍ଡେ ଦେଖି ପ୍ରଥମେ ଚକ୍ର କିଛି ବୁଝିପାରିଲା ନାହିଁ । ତା’ର ବୁଝିବା ଦରକାର ନାହିଁ । ସବୁ ବୁଝେଇବା ପାଇଁ ପ୍ରତିନିଧି ଅଛନ୍ତି । ଶାଗୁଣା ଦୁର୍ଗନ୍ଧ ମାଂସ ଶୁଙ୍ଘିଲା ଭଳି ମୁଣିହସ୍ତେ ପ୍ରତିନିଧି ହଠାତ୍‍ ପହଞ୍ଚିଗଲେ । ସେ ଖୋଜିଲେ ପାରିଶ୍ରମିକ–ଦଶଅଣା ଛଅଣା । ନ ହେଲେ ଏତେ ବଡ଼ ଦେଶ କାମ ସେ କିପରି କରିବେ ? ଇଞ୍ଜିନିୟର ତାଙ୍କର ପାବାରରେ ଅଛି–ହାକିମକୁ ସେ ନଚାନ୍ତି ଉଠାନ୍ତି-

 

କାମ ହୋଇଯିବ । ତେବେ ଘର ତୋଳାକୁ ଚୁକ୍ତି ହେବ ନଅ ଅଣା ଛଅଣା । ସେ କିଛି ଫିକରରେ ମାରିନେବେ ।

 

ଦିନେ ଚକ୍ର ହଳକାମ ସାରି ତୋରାଣି ପିଉ ପିଉ ଥରିଗଲା । ସେ ଥରା ଆଣିଲା ମ୍ୟାଲେରିଆ । ଇଉନିଟ୍‍ର ବାବୁ ଆସିଲେ । କୌଶଲ୍ୟା ଏତେଗୁଡ଼ାଏ ଲୋକଙ୍କୁ ଏକାଠି କେବେ ଦେଖିନଥିଲା । ଚକ୍ର ଦେହରୁ ରକ୍ତ ନିଆଗଲା । ରୀତିମତ ଗବେଷଣା ଚାଲିଲା । ଚକ୍ର ଔଷଧ ଖାଇଲା ।

 

ସାନ୍ତ୍ଵନା ଦେବାକୁ ନିତି ସନ୍ଧ୍ୟାରେ ଆସନ୍ତି ଜଣେ ଯୁବକ ବାବୁ । ଔଷଧ ଦିଅନ୍ତି । ଆଉ ଜଣେ ଘର ତୋଳିବାକୁ ପରାମର୍ଶ ଦେବାକୁ ଆସନ୍ତି । ଗୋରୁର ଫାଟୁଆ ରୋଗ ଚିହ୍ନିବାକୁ ଆସିଲେ ଯୁବକ ପଶୁଡ଼ାକ୍ତର । ଧାନ ଗଛରେ ପୋକ ମାରିବାକୁ ଗାମାକ୍‍ସିନ୍‍ ଧରି ଆସନ୍ତି ଆଉ ଜଣେ ସୁଶ୍ରୀ ଯୁବକ ।

 

ଏ ଏକପ୍ରକାର ଯୁବ ସମ୍ମେଳନ । କୌଶଲ୍ୟାର କୁଡ଼ିଆଟି ମହାତୀର୍ଥରେ ପରିଣତ ହେଲା । ବହୁ ଛନଛନ ଯୁବକଙ୍କର ପଦରଜ ପଡ଼ିଲା ।

 

ବେଶିଦିନ ଲାଗିଲା ନାହିଁ । ଏକ ନିର୍ଜ୍ଜନ ସନ୍ଧ୍ୟାରେ ମ୍ୟାଲେରିଆ ବାବୁ କୌଶଲ୍ୟାର ହାତକୁ ଛାତି ଉପରେ ରଖି ସଁ ସଁ ହୋଇ କହିଲେ, “ହେଇ ନେ ଦୁଇଟଙ୍କା–ମଙ୍ଗିଲୁ ତ ? ଆଉରି ବେଶି ଦେବି ।”

 

କୌଶଲ୍ୟା ଛାଟିପିଟିହେଇ ଖସି ଆସି ଚକ୍ରର ଛାତି ଉପରେ ଲୋଟିପଡ଼ି କହିଲା–”ତମେ ଭଲ ହୋଇଯିବ, ମନରେ ଦମ୍ଭ ଧର । ତମେ ବେହୋସ ହୁଅନାହିଁ । ତମେ ଭଲ ହୋଇଯିବ । ନଇଲେ ଏମାନେ...” I ଆଖିରୁ ବାରି ଝରାଇ କୌଶଲ୍ୟା ଦେବତାକୁ ହାତ ଯୋଡ଼ିଲା-

 

ଆଉ ଦିନେ–ଯୁବକ କୃଷି ଓଭରସିଅର କୌଶଲ୍ୟାକୁ ବଢ଼ନ୍ତା ଧାନଗଛ ପାଖେ ମିନତି ଜଣାଇଲେ, “ଏତେ ସୁନ୍ଦର ଦେହ ! ହେଇଟି ତିନୋଟି ଟଙ୍କା–ଆଉରି ଦେବି ଖୁବ୍‍ ସୁବିଧା ଏଠି କୌଶଲ୍ୟା ।”

 

କୌଶଲ୍ୟା ଶୂନ୍ୟରେ ପହଁରି ଆସି ଛିଡ଼ାହେଲା ଚକ୍ରର ମୃତ୍ୟୁ ପାଣ୍ଡୁର ମୁହଁ ପାଖେ–“ଶୁଣ, ତମେ ଉଠ । ସେମାନେ ମତେ ଧରିବାକୁ ଗୋଡ଼େଇଚନ୍ତି । ତମେ ଭଲ ହୁଅ । ମୁଁ ଆଉ କେତେ ଲଢ଼ିବି ? ଶୁଣୁଛ ? ଉଠ...ଉଠ... ।”

 

ଦୁଇଦିନ ପରେ ପ୍ରତିନିଧି ଆସିଲେ । ମୁଣାରେ ହାତ ପୁରାଇ ବାସନା ତେଲ ବୋତଲ ବାହାର କରି କହିଲେ–“କୌଶଲ୍ୟା, ମୁଣ୍ଡ ଲୁଖୁରା କରି ପଡ଼ି ରହିଛି ? ଟିକିଏ ଚକ୍‍ମକ ହ । ଘର ନିଅଁ ପଡ଼ିଲା ଭଳି ମନେକର । ପ୍ଲାନ୍‍ ହୋଇଯାଇଛି । ପ୍ଲାନ୍‍ ଏଷ୍ଟିମେଟ୍‍ ସବୁ ଠିକ୍‍ । ନୂଆ ଘର ଭିତରେ ତୁ ରାଜରାଣୀ ହୋଇ ବସିବୁ । ମୁଁ ଥିବି ତୋ ପାଖେ ପାଖେ । ଚକରା ଆଉ କେତେ ଦିନ-?”

 

“ନା, ନା, ଚକରା ଭଲ ହୋଇଯିବ, ତମେ ଯାଅ । ଯାଅ, ଘର–ଲୋଡ଼ା ନାହିଁ”–କହି କୌଶଲ୍ୟା ଛିଡ଼ା ହୋଇଗଲା ନିର୍ଜ୍ଜୀବ କଙ୍କାଳସାର ଚକ୍ରଧର ପାଖରେ–“ତମେ ତେବେ ଶୁଣିନାହଁ-? ତମେ ଏମିତି ପଡ଼ିରହିବ ? ମୁଁ ଏତେ ଦମ୍ଭ ଦେଲି, ଶୁଣିଲନାଇଁ ? ଘରେ ଆଉ କାଣି କଉଡ଼ି ନାହିଁ । ତମେ ଉଠ । ପୁଣି ଆମେ ଯୁଝିବା–ମୁଁ ତମ ପଛେ ପଛେ ରହିଛି । ତମେ ଉଠ, ନହେଲେ ଏମାନେ ହଁ ଏମାନେ ମତେ ଖାଇଯିବେ, ମୋର ସବୁ ଲୁଟି ନେଇଯିବେ । ତମେ ଉଠ...-।”

 

ଅନେକ ଦୂରେ ଗ୍ରାମ୍ୟ ନଦୀର ତୀରେ ଏକ ବିଷର୍ଣ୍ଣ ସନ୍ଧ୍ୟାରେ ଜଳିଲା ଚକ୍ରଧରର ଚିତାଗ୍ନି... ସମାପ୍ତି ଉତ୍ସବ ।

 

ସବୁ ଦେଶସେବୀ ଯୁବକଙ୍କର ମୁହଁରୁ ବାହାରିଲା–

 

‘ଏଥର ?’

 

‘ଏଥର ?’

 

‘ଏଥର କୌଶଲ୍ୟା ?’

 

‘ଏଥର କୁଆଡ଼େ ଯିବ ?’

 

କୌଶଲ୍ୟାର କିଛି ଭୟ ନ ଥିଲା । ଏତେ ମ୍ୟାଲେରିଆ ଜୀବାଣୁ ଯେଉଁଠି ସାଲୁବାଲୁ ଗହନ ମନ ତଳେ, ସେଇ ମନର ମାନବିକ ବାବୁମାନେ ପୁଣି ଆସିଛନ୍ତି ଅନ୍ୟର ରୋଗ କୀଟ ନିର୍ମୂଳ କରିବା ପାଇଁ ? କୌଶଲ୍ୟା ହସିଲା ।

 

ଧୀରେ ଗ୍ରାମର ନଦୀଟି ଡାକିଲା–ଆ କୌଶଲ୍ୟା, ସେପଟେ ଅସ୍ତବର୍ଣ୍ଣର ସମାରୋହ ସଙ୍ଗେ ଚକ୍ରଧାରୀ ଚିତାରଙ୍ଗ ମିଶିଯିବା ପୂର୍ବରୁ ତୁ ମୋ ଶୀତଳ ବାରିଧାରାରେ ମିଶି ଯା । ଦୁଃଖର ଜୀବନ ତୋର ଅସ୍ତ ହୋଇଯାଉ ।

 

ଫେରି ଚାହିଁଲା କୌଶଲ୍ୟା । ଦୂରେ ଗ୍ରାମ୍ୟ ନଦୀର ତୀର ଉପର ଆକାଶରେ ଫୁଟି ପଡ଼ୁଥିଲା ଗୋଟି ଗୋଟି ନକ୍ଷତ୍ର–ଜ୍ୟୋତି ଅଭିମାନୀ ନକ୍ଷତ୍ର–ସେ ଜ୍ୟୋତିକୁ ଦେଖି ଦେଖି ପାଦ ବଢ଼ାଇଲା ଅଭାଗିନୀ କୌଶଲ୍ୟା ।

Image

 

ଶିଳ୍ପୀ ସଂଗ୍ରହ

 

ବହି ଦୋକାନରେ ମିଳୁଥିବା ‘ପାଠ ସଂଗ୍ରହ’ ଭଳି ଶିଳ୍ପୀ ସଂଗ୍ରହ ଖଣ୍ଡିଏ ବହି ନୁହେଁ । ଗାଆଣ, ବଜାଣ ଓ ନାଚରେ ମତୁଆଲୀ ହୋଇ ରହିଥିବା ବଡ଼ ବଡ଼ ଝିଅଙ୍କୁ ସଂଗ୍ରହ କରିବାକୁ ପଡ଼େ ଜୟନ୍ତବାବୁଙ୍କୁ । ଏଇଆ ତାଙ୍କର କାମ । ଏଇଥିରୁ ପେଟ ପୋଷିବାକୁ ତାଙ୍କୁ ଅର୍ଥ ମିଳେ ।

 

ଦେଶରେ ସଂସ୍କୃତି ନାମରେ ନାଚ ଗାନ ବାଜଣାର ବେଶ୍‍ ଚଳଣି ଚାଲିଛି । ଜୟନ୍ତବାବୁ ସୁଶ୍ରୀ ଯୁବକ, ନାକଟି ଖଣ୍ଡାଧାର । କାନ ଉପରେ କଳା ମଚମଚ ବହଳା କେଶ ଝୁଲୁଥାଏ । ସମଗ୍ର ମୁହଁଟିରେ ଶିଳ୍ପୀଭାବ । ହସିଲେ, ବସିଲେ, କହିଲେ, ଠାଣିମାଣିରେ ଗୋଟାଏ ଶ୍ରୀ ଝରିପଡ଼େ ।

 

ଜୟନ୍ତ ନୟାନ୍ତ ହୋଇଯାଆନ୍ତି । ଥରେ ଥରେ ସେ ଭାବନ୍ତି, ଚାକିରି ଛାଡ଼ିଦେବେ । ନୟାନ୍ତ ହେବାର କାରଣ–ଦର୍ଶକ ଶ୍ରୋତା ଆଉ ଛୋଟ ଝିଅଙ୍କୁ ଚାହୁଁନାହାନ୍ତି । ପାଦପ୍ରଦୀପ ପାଖରେ ଛୋଟ ଝିଅଗୁଡ଼ିକ ବଡ଼ ନିରୀହ ନିରାମିଷାଶୀ ଭଳି ଦେଖାଯାଆନ୍ତି ।

 

ବକ୍ତୃତା ପରେ ଭୋଜି, ଭୋଜି ପରେ ନୃତ୍ୟଗୀତ, ସଭା ମଉଳିଲେ ଫୁଟିଉଠେ ଓଡ଼ିଶୀ ନାଚ–ଜଣେ, ଦୁଇଜଣ ଓ ଥରେ ଥରେ ତିନିଜଣଙ୍କର ଏକତ୍ର ତ୍ରି ତାଳ ଭଙ୍ଗିମା ।

 

ମୁଗ୍‍ଧ କରନ୍ତି ଏମାନେ । ଦୀପ ମୂଳରେ ଶ୍ରୀକୃଷ୍ଣଙ୍କୁ ଛିଡ଼ା ନ କଲେ, କିମ୍ବା ଚନ୍ଦ୍ରାବତୀ କୁଞ୍ଜରେ ତାଙ୍କୁ ବିଜେକରି ପାଞ୍ଚଜଣ ସଖୀଙ୍କୁ ସେଠାରେ ଠାବ କରିବାକୁ ନ ଛାଡ଼ିଲେ ଆମ ଧର୍ମପ୍ରାଣ ଦଶକମାନେ ଥୟ ଧରନ୍ତି ନାହିଁ । ଧୋଇ ଶୁଖେଇ ‘ମାନ–ଭଞ୍ଜନ’, ‘ଭଞ୍ଜନ–ମାନ’, ‘ଭଞ୍ଜ–ନମାନ’ ସେଇ ଏକା କଥାକୁ ଓ ଏକ ବେଲ୍‍କୁ ଟିକିଏ ଭିନ୍ନ ରୀତିରେ ଦେଖେଇ ବ୍ୟବସାୟୀ କଳାବିତ୍‍ ଡିଣ୍ଡିମ ପିଟନ୍ତି ସେମାନେ ଅସାଧ୍ୟ ସାଧନ କଲେ ବୋଲି । ମୁହଁ ଉପରେ ଭାବ ଖେଳୁନି । ଶ୍ରୀକୃଷ୍ଣଙ୍କର ଦୁଇଦିନ ପରେ ପରୀକ୍ଷା ଅଛି–ତର୍କ ଶାସ୍ତ୍ର ଭଲ ପଢ଼ା ହୋଇନାହିଁ ମନେପଡ଼ିଯାଉଛି । ପ୍ରେମ ଗଦ୍‍ଗଦ୍‍ ଭାବ ପରିବର୍ତ୍ତେ ଆସୁଛି ଆଶଙ୍କା, ଖେଳିଯାଇଛି ସେଇ ଭଙ୍ଗୀ । ଜୟନ୍ତ ଦେଖନ୍ତି, ହସନ୍ତି । ଥରେ ନୁହେଁ ବହୁବାର ଦେଶର ଏ ପ୍ରାନ୍ତରୁ ସେ ପ୍ରାନ୍ତ ଯାଏ ନୃତ୍ୟ କଲ୍ଲୋଳିତ ହେଉଛି । ସେଇ କଳ ତାନରେ ସମସ୍ତେ ବିକଳ ହେଉଥିଲେ ବି ସବୁ ସହିଯାନ୍ତି ।

 

ଆଦେଶ ଆସିଲା–ଜୟନ୍ତବାବୁଙ୍କୁ ଚାରିଦିନ ଭିତରେ ହାଇଡ୍ରୋଜେନ ବୋମା ତିଆରି କରିବାରେ ଲିପ୍ତ ଥିବା ବୈଜ୍ଞାନିକମାନଙ୍କର ସମ୍ମିଳନୀରେ ନାଚ ଗୀତର ଆସର ଜମାଇବାକୁ ହେବ-। ଜୟନ୍ତବାବୁଙ୍କର ନଖ–ଦର୍ପଣରେ ଅଛି ଏଇ ଆୟୋଜନ ପଦ୍ଧତି ।

 

ଦଉଡ଼ିଲେ ବାଉଁଶ ବିକ୍ରେତା ପାଖକୁ–ରଙ୍ଗମଞ୍ଚ ବନ୍ଧା ହେବ । ବାଉଁଶ, ଦଉଡ଼ି, କାଠପଟା, ଲୁହାକଣ୍ଟା, ସାଲୁକନା ଖୋଜି ଆଣୁ ଆଣୁ ମନେପଡ଼ିଲା–ଆରେ ଯାଃ–ଅସଲ ତ ଲାଇଟ୍‍ ମ୍ୟାନକୁ ଅନୁରୋଧ କରାଯାଇନି ।

 

ଜୟନ୍ତ ଦଉଡ଼ିଲେ ଫୋକସ୍‍ କରିବାରେ ଅଭ୍ୟସ୍ତ ଓ ବିଶେଷଜ୍ଞ ଶ୍ରୀଗୋପାଳ ନିକଟକୁ । ଶ୍ରୀଗୋପାଳ ବିଶେଷଜ୍ଞ । ଓଡ଼ିଶାରେ ସେହିଭଳି ଲୋକ ଜଣେ ଅଛନ୍ତି–ଅଦ୍ୱିତୀୟ । ଏକା ଫୋକସ୍‍ ବାବୁ କାହିଁକି, ସବୁ କ୍ଷେତ୍ରରେ ଜଣେ ଜଣେ ବିଶେଷଜ୍ଞ ରହିଛନ୍ତି । ଦ୍ୱିତୀୟ ଜଣକ ଉଧେଇ ପାରନ୍ତି ନାହିଁ । ଶ୍ରୀଗୋପାଳ ସବୁଦିନେ ରହିଥିବେ–ରହିବା ଭଳି ସେ କାର୍ଯ୍ୟ କରୁଛନ୍ତି ମଧ୍ୟ । ଶିଳ୍ପୀମାନେ ବି କହିବେ, ସେ ନ ରହିଲେ ଆଲୋକପାତ ଭଲ ହୋଇପାରିବ ନାହିଁ । କେତେବେଳେ ଗ୍ରୀବା, କେତେବେଳେ କଟି, କେତେବେଳେ ନିତମ୍ବ ଉପରେ ଲୋହିତ, ପୀତ, ଶୁଭ୍ର ଆଲୋକ ପଡ଼ିବ ତାହା ଶ୍ରୀଗୋପାଳ ଜାଣନ୍ତି । ଏପରିକି ତନ୍ଦ୍ରାଚ୍ଛନ୍ନ ଅବସ୍ଥାରେ ମଧ୍ୟ ତାଙ୍କ ହାତ ବିଭିନ୍ନ ସୁଇଚକୁ ଚାଲିଯାଏ; କମନୀୟ ଆଲୋକଝରଣା ଝରିପଡ଼େ ।

 

ଜୟନ୍ତ ଏମ୍‍. ଏ. ପାସ୍‍ କରିଛନ୍ତି । ସଙ୍ଗୀତ ଶାସ୍ତ୍ର ଓ ନୃତ୍ୟ ବିଷୟରେ ସମଧିକ ଜ୍ଞାନ ଅର୍ଜନ କରିଛନ୍ତି । ସେ ଛିଡ଼ା ହୁଅନ୍ତି ପ୍ରସିଦ୍ଧ ସଙ୍ଗୀତଭବନର ଫାଟକ ପାଖରେ ଶିଳ୍ପୀସଂଗ୍ରହ ପାଇଁ । ଚାରିଦିନ ସମୟ ଭିତରେ ତାଙ୍କୁ ଦେଖାଇବାକୁହେବ ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ ।

 

ପାଞ୍ଚ ମିନିଟ୍‍ ଛିଡ଼ା ହେବା ପରେ ସେ ଦେଖିଲେ ତାଙ୍କଆଡ଼କୁ ଅନାଇଁ ପାଞ୍ଚଜଣ ଯୁବକ ନିର୍ଲ୍ଲଜଭାବରେ ହସୁଛନ୍ତି । ଜୟନ୍ତ ଭାବିଲେ, ତାଙ୍କ ବେଶଭୁଷାରେ ହୁଏତ କିଛି ଗୋଳମାଳ ଥିବା–ନହେଲେ ସୁସ୍ଥ ମସ୍ତିଷ୍କ, କଳାପ୍ରେମୀ, ଏତେଗୁଡ଼ିଏ ଯୁବକ ହସନ୍ତେ କାହିଁକି ? ସେ ନିଜ ଆଡ଼କୁ ଚାହିଁଲେ । ନାଁ ତ, ସବୁଦିନର ସାଧାରଣ ପୋଷକ ସେ ପିନ୍ଧିଛନ୍ତି ।

 

ସେଥିରୁ ତିନିଜଣ କାପସଟାନ୍‍ ଖୋଳ ଭିତରୁ ତିନିଖଣ୍ଡ ବିଡ଼ି ଭିଡ଼ିଆଣି ନିର୍ଲିପ୍ତ ଭାବରେ ନିଆଁ ଲଗାଇଲେ । ଆଉ ଦୁଇଜଣ ପ୍ରକୃତରେ ସିଗାରେଟ୍‍ ଖାଇଲେ ଓଡ଼ିଶୀ ଠାଣିରେ ।

 

ଚପା ଗଳାରେ ଜଣେ କହିଲେ–ଆଇୟେ !

 

ଆଉ ଜଣେ ସୁରସ ଉତ୍ତର ଦେଲେ–ହଁ, ବନ୍ଧୁ !

 

ଅପର ଜଣେ କହିଲେ–ମତଲବ ?

 

ଚତୁର୍ଥ ବିଡ଼ିଧାରୀ କହିଲେ–ସିଏ ପଠେଇଚି ।

 

ପଞ୍ଚମ ହସିଲେ, କାଶିଲେ ଓ ଶବ୍ଦ କରି କହିଲେ–ଆସନ୍ତୁ, ଆସନ୍ତୁ, ଜୟନ୍ତବାବୁ ! କ’ଣ ଆଉ ଗୋଟାଏ ଆସର ? ନୃତ୍ୟ ଗୀତ ମେଳା ? ସବୁବେଳେ ମନେ ରଖିଥିବେ ଏକମାତ୍ର ସଙ୍ଗୀତ ଭବନ । ହୁଏତ ଆଉ ଦୁଇ ତିନିଟା ଏଇପରି ରହିଛି; କିନ୍ତୁ ସେମାନେ ଶିଳ୍ପୀ ଗୋଟାଇ ଆଣନ୍ତି । ଆମେ ତ କରୁନା । ଆମର ରେଜିଷ୍ଟରରେ ଗୋଟାଗୋଟି ମାମଲା ନାହିଁ । ଆସନ୍ତୁ, କଅଣ ଦରକାର ? କହନ୍ତୁ ବାଦ୍ୟ କେତେ ପର୍ସେଣ୍ଟ ? ସୋଲୋ ଗୀତ କେତେ ପର୍ସେଣ୍ଟ ? ଗ୍ରୁପ୍‍ ଡାନ୍ସ କେତେ ପର୍ସେଣ୍ଟ ? ଉତ୍ତେଜନା ଶତକରା କେତେ ? ସବୁ ଟୋଟାଲ କରିଦେଲେ ଆମେ ଯଥାରୀତ ଗୋଟାଏ ପ୍ରୋଗ୍ରାମ୍‍ ଦେଇଦେବୁ ।

 

ଜୟନ୍ତ ଦେଖିଲେ ସଂସ୍କୃତିର ଶବକୁ ଏମାନେ କେବଳ ବହନ କରୁନାହାନ୍ତି, ତାକୁ ଦିନଦିନ ଧରି ପକେଇ ରଖି ତା’ ଉପରେ ଜୀବାଣୁ ସୃଷ୍ଟି କରୁଛନ୍ତି । ଶିଳ୍ପର ସାଧନା ମୂଳରେ ଯେ ଶାନ୍ତ ସ୍ନିଗ୍‍ଧ ଅଧ୍ୟାତ୍ମିକତାର ବିକାଶ ଥାଏ, ଗୁରୁଗମ୍ଭୀର ଆଦର୍ଶର ରୂପାୟନ ଥାଏ, ତାହା ଏମାନେ ପାଇବେ କେଉଁଠୁ ? ମୂର୍ଖ ଦେଶବାସୀଙ୍କୁ ଧୁର୍ତ୍ତ ଜମ୍ବୁକଗୁଡ଼ାକ ବେଶ୍‍ ପ୍ରତାରଣା କରୁଛନ୍ତି । କିନ୍ତୁ ଏମାନଙ୍କୁ ନ ଧରିଲେ ତାଙ୍କର କାମ ହେବନାହିଁ ।

 

ସେ ଆଗକୁ ଗଲେ । କାନରେ ପଡ଼ିଲା–କେବଳ ନିଟ୍‍ ପ୍ରଫିଟ୍‍ ହଜାରେ ମନେହେଉଛି । ଆକାଶରେ ପଡ଼ିଛି । ଏତିକିବେଳେ ଭିଡ଼ି ଆଣିଲେ ହେବ ।

 

ଭବନ ଭିତରୁ ଭବାନୀ ଗତି କରି ଆସିଲେ । ସେ ଖେୟାଲ୍‍ ଗାଆନ୍ତି । ଗାନରେ ଖେୟାଲ୍‍, ନିଜେ ବି ଏକ ଖିଆଲୀ ଶିଳ୍ପୀ ।

 

ଜୟନ୍ତ ତାଙ୍କୁ ଅନୁରୋଧ କଲେ–’ଆପଣଙ୍କ ପ୍ରୋଗ୍ରାମ୍‍ ରହିଲା ।’

 

ଭବାନୀ ହାଣ୍ଡବ୍ୟାଗ୍‍ଟାକୁ ଉର୍ଦ୍ଧ୍ୱକୁ ଉଠାଇ ତାକୁ ତଳକୁ ଆଣିବା ଭିତରେ କହିଲେ–

 

“ମୁଁ ତ ପ୍ରଫେସନାଲ୍‍ ହୋଇଗଲିଣି ଜୟନ୍ତବାବୁ ! ବାପା ମାଆ ପ୍ରଥମେ ପ୍ରଥମେ ମନା କରୁଥିଲେ । ମୁଁ ଜିଦ୍‍ ଧରିଲି, ମୁଁ ପ୍ରଫେସନାଲ ହେବି ଏବଂ ହୋଇଛି; ଅର୍ଥାତ୍‍ ଗୋଟାଏ ପ୍ରୋଗ୍ରାମକୁ ସାତଶହଟଙ୍କା ଓଡ଼ିଶା ଭିତରେ; ଆଉ ଓଡ଼ିଶା ବାହାରେ ଦୁଇହଜାର । ଏଇଥିରୁ କଅଣ ବୁଝୁନାହାନ୍ତି ଜୟନ୍ତବାବୁ ମୁଁ କେତେ ବିଚାର କରି କଥା କହେ ? କେବଳ ଓଡ଼ଆଝିଅ ବୋଲି ମୁଁ ଏପରି ପାଟ୍ରିଅଟିକ୍‍ ହୋଇପାରିଛି ।”

 

ଜୟନ୍ତ ପାଖରେ ଏତେ ଟଙ୍କା ଖର୍ଚ୍ଚ କରିବାର ବ୍ୟବସ୍ଥା ନାହିଁ । ସେ ପ୍ରାର୍ଥନା ସ୍ୱରରେ କହିଲା–ଟିକିଏ ବିଚାର କରନ୍ତୁ–ଆଉ କମାନ୍ତୁ । ଯେଉଁ ଅନୁଷ୍ଠାନ ଆପଣଙ୍କୁ ଅର୍ଥ ସାହାଯ୍ୟ କରି ଏତେ ବଡ଼ ସମ୍ମାନନୀୟ ଶିଳ୍ପୀ କଲା, ତାରି ଏକ ଆୟୋଜନରେ ଆପଣ ଜିଦ୍‍ ଧରିଲେ ହେବ ?

 

ଭବାନୀ ହସିଉଠିଲେ । କହିଲେ–ଅର୍ଥ ଆଉ ଆର୍ଟର ସୁନ୍ଦର ସମନ୍ଵୟ ମୁଁ ରଖିଛି । ଅର୍ଥ ମୋର ଦରକାର । ଆପଣ ଆର୍ଟିଷ୍ଟ ଦେଖନ୍ତୁ ।

 

ବିମୂଢ଼ ଜୟନ୍ତ ବୁଝିପାରିଲେ ସେ ଇତିମଧ୍ୟରେ ସର୍କସର ମସ୍ତବଡ଼ ରିଙ୍ଗ୍‍ମାଷ୍ଟର ହୋଇପାରିଛନ୍ତି । ଦ୍ଵାର ଦ୍ଵାର ବୁଲି ଶିଳ୍ପୀ ସଂଗ୍ରହ କରି ସେମାନଙ୍କ ସାହାଯ୍ୟରେ ଅନାନ୍ତରିକ ଗୋଟାଏ ଗୋଟାଏ ପ୍ରଦର୍ଶନୀ ଦେଖାଇବା ପାଇଁ ସେ ଗୋଲାମ ହୋଇଛନ୍ତି ।

ଯବନିକା ଉଠଲା ଯେମିତି ସବୁବେଳେ ଉଠେ ଓ ପଡ଼େ–ପଡ଼ିଲା ମଧ୍ୟ । ଜୟନ୍ତ ବହୁବାର ଯବନିକା ଉଠିବାର ଦେଖିଛନ୍ତି ।

“ଓ ମାଆ, ସେଫ୍‍ଟିପିନ୍‍ଟା ଦେହରେ ଫୁଟିଗଲା ।”କି ଚିତ୍କାର ! ଆର୍ଟିଷ୍ଟର ଚିତ୍କାର ! ସମସ୍ତ ସାଜଘରଟା ଯେପରି ସଂନ୍ତ୍ରସ୍ତ ହୋଇଉଠିଲା । ତାବଲା ବାଦକ ଧାଇଁ ଆସିଲେ । ବେହେଲା ବାଦକ ଟୁଂ ଟଂ କରି ଦଉଡ଼ି ଆସିଲେ । ସମସ୍ତେ ଯେପରି ଆଗଭର ସାହାଯ୍ୟ କରିବା ପାଇଁ ।

ନର୍ତ୍ତକୀ ହସିଲେ–ହିଃ–ହିଃ–ହିଃ । ‘ସମସ୍ତଙ୍କୁ କେମିତି ଜବତ୍‍ କଲି’ ବୋଲି କହି ସେ ଚଟୁଳ କଟାକ୍ଷ ଢାଳିଲେ । ଜୟନ୍ତ ଦେଖୁଥିଲେ ନାଗରିକାର ନାଗରୀ ରୀତି । ଅତ୍ୟଧିକ ନୃତ୍ୟ ବ୍ୟସନରେ ଉଦ୍ଧତା କିଶୋରୀମାନେ ଯେ ତିଳେମାତ୍ର ସଂଭ୍ରମ ରକ୍ଷା କରୁନାହାନ୍ତି ସେ ଉପଲବ୍ଧି କଲେ ।

“ଆରେ, ମଣିଷ ଦିଶୁନାହାନ୍ତି ? ଦୁରେଇ ହୋଇ ଯାଆନ୍ତୁ ।”ଜଣକର କଳକଣ୍ଠ । ବିଚରା ଭଦ୍ରଲୋକ ଆକାଶରୁ ଖସିପଡ଼ିଲେ । ଦୁହିଁଙ୍କ ଚଲାବାଟ ଭିନ୍ନ, ଅଥଚ ଅଭିଯୋଗ !

ନାଁ–ଏ ଏକ ପ୍ରକାର ଫେସନ୍‍ । ଦୃଷ୍ଟି ଆକର୍ଷଣ କରିବାର ଗୋଟାଏ ପନ୍ଥା ମାତ୍ର । ଯବନିକା ଅନ୍ତରାଳରେ ସଂସ୍କୃତି ନାମରେ ଏଭଳି ଚିତ୍କାର, ଏଭଳି ଆମନ୍ତ୍ରଣର ବାଣୀ ସମସ୍ତେ ବୁଝି ପାରିବେ ନାହିଁ ।

 

ଦୃଶ୍ୟ ଶେଷ ହେଲା । ଲୋକେ ଯିବାପାଇଁ ଉଠିଲେ । ଜୟନ୍ତ କାନ ଡେରି ରହିଲେ ମନ୍ତବ୍ୟଟା କିପରି ହେବ । ହାୟ, ଭଗବାନ୍‍ ! ମନ୍ତବ୍ୟ ଝରି ଆସିଲା–“ନାଃ, ଭଲ ହେଲା ନାହିଁ । ଅତି ଛୋଟ ପିଲା । ଯାହା ବା ଖଣ୍ଡେ ଅଧେ ବଡ଼ ଅଛନ୍ତି ସେମାନଙ୍କର ଅନେକ କିଛି ଅଭାବ ଅଛି-।”ଜୟନ୍ତ ବୁଝିଲେ, ସ୍ନାୟୁଚମକ ଉତ୍ତେଜନାର ଅଭାବ ରହିଗଲା । ଏଇ ହେଲା ରୁଚି ଓ ସଂସ୍କୃତି-

 

ସକାଳୁ କେତେ ଖଣ୍ଡ ବାଉଁଶ ରହିଲା । ହିସାବ ରଖୁ ରଖୁ ଜୟନ୍ତବାବୁ ଦେଖିଲେ ରାଧିକାଙ୍କର ପୂର୍ବରାତ୍ରର କଣ୍ଠ–ବିଲମ୍ବିତ ବାସି ଫୁଲହାର ତଳେ ଲୋଟୁଛି ।

 

ହଠାତ୍‍ ତାଙ୍କର ମନେହେଲା, ଏ ଦେଶରେ ସବୁ ଯେପରି ବାସି ହୋଇଗଲାଣି । ସଦ୍ୟ ସୁନ୍ଦର ଶାନ୍ତ ଜୀବନ କେତେବେଳେ ବିକଶିତ ହେବ ?

 

ସେଇଠି ବସି ରହି ଶଗଡ଼ିଆଭାଇକୁ ପାଉଣା ଦେଉ ଦେଉ ସେ ଆଦେଶନାମା ପାଇଲେ–’କୋରାପୁଟରେ ନୃତ୍ୟ ଗୀତ ଆୟୋଜନ କର । ସେଠାରେ ଓଡ଼ିଶାର ସଂସ୍କୃତି ଓ ବୈଶିଷ୍ଟ୍ୟ ଦେଖାଅ–ପ୍ରଚୁର ନୃତ୍ୟ, ଗୀତ କମ୍‍ ।’

 

ଜୟନ୍ତ ଚମକି ଉଠି ଭାବି ବସିଲେ–ଗତିମୁକ୍ତିଦାତା ସେଇ ପାଞ୍ଚଜଣ ବିଡ଼ି ଓ ସିଗାରେଟ୍‍ଧାରୀ ଅସୁଜନ ଯୁବକଙ୍କ ପାଖକୁ ଯିବାକୁ ହେବ–କାହିଁକି ନାଁ, ସେଇମାନେ ଓଡ଼ିଶାର କଳା ସଂସ୍କୃତି ଭଣ୍ଡାରର ଚାବି ଧରି ରଖିଛନ୍ତି ।

 

ହତାଶଦଗ୍ଧ ସ୍ଵରରେ ଜୟନ୍ତ କହିଲେ–ହଉ, ଚାକିରି ତ କରିଛି !!

Image

 

ତମାଳ ତାଳ ବାନରାଜି ନୀଳା

 

ଲଘୁ ଟ୍ରେନ୍‍ ।

 

ଲଘୁ ପଥ ।

 

ଇଞ୍ଜିନ୍‍ ନାଁ ହନୁମାନ ।

 

ବିଶଲ୍ୟକରଣୀ ଔଷଧ ଘେନି ଗନ୍ଧମାର୍ଦନ ପର୍ବତକୁ ବୋହିଆଣିଲାଭଳି, ନଉପଡ଼ା ଷ୍ଟେସନରୁ ଗୁଣୁପୁର ଯାଏ ଏହି ହନୁମାନ ରେଳଗାଡ଼ି କୋଡ଼ିଏ ପଚିଶଜଣ ଲୋକ ଆଉ ମାଲ ମହଣେ ଖଣ୍ଡେ ଧରି ଦିନରେ ଥରେ ରାତିରେ ଥରେ ଯିବା ଆସିବା କରେ ।

 

ହନୁମାନ ବଡ଼ ଦର୍ଶନୀୟ ଯନ୍ତ୍ରଘର । ଷ୍ଟିଭେନ୍‍ସନ ସାହେବର ବୁଦ୍ଧି ଚାତୁରୀର ଆଦ୍ୟ ନକ୍ସା ଓ ନମୁନା ଏହାଠାରେ ଅଛି । ଶତାବ୍ଦୀ ତଳର ନକ୍ସା । ପିଲାଙ୍କର କଣ୍ଢେଇ–ରେଳଇଞ୍ଜିନ୍‍ ଭଳି ଲାଗେ । ଧୂଆଁ ବାହାରେ ଉପରମୁହାଁ ପାଇପ୍‍ ନଳୀ ଭିତରେ । ଶବ୍ଦଟା ଫୁସ୍‍ଫୁସ୍‍ । କଳା ସୂତାଗୁଡ଼ାଏ ଉପରକୁ ଲମ୍ବି ଯାଉଥିବାର ଦେଖାଯାଏ ।

 

ଯେଉଁ ଲୋକ ହନୁମାନକୁ ଚଳାଏ, ସେ ଯନ୍ତ୍ର ଚଳାଇ ଦେଇ ପାନ ଖଣ୍ଡିଏ କି ପିକାଟାଏ ପାଇଁ ତଳକୁ ଓହ୍ଲାଇ ଆସି ଜିନିଷ କିଣି ପୁଣି ଇଞ୍ଜିନ୍‍ ଘରକୁ ଚାଲିଯାଏ । ଲୋକେ ରେଳପଥ କରେ ଚିହ୍ନା ସାଙ୍ଗ ସାଥୀଙ୍କୁ ଦେଖି ଭିତରୁ ତଳକୁ ଖସି ଦି’ପଦ ସୁଖ ଦୁଃଖ ହୋଇ ପୁଣି କୋଠରି ଭିତରକୁ ପଶିଯାଆନ୍ତି ।

 

ରେଳଟି ଗାଁ ଭିତର, ସବୁଜ କେଦାର, ମଇଁଷିପଲ, ପିଲାଙ୍କ ଧୁଳିଘର, କୂଅ, ଚଉତରା ପାଖ ଦେଇ ଖର୍‍ ଖର୍‍ ହୋଇ ଚାଲିଯାଏ । ପିଲାଏ ଚାହିଁ ଦିଅନ୍ତି । ସେଇ ସଦାଦିନିଆ ପରିଚିତ ହନୁମାନକୁ ଦେଖି ମୁହଁ ବୁଲେଇ ଆଣି ପୁଣି ଧୂଳିଖେଳରେ ମନ ଦିଅନ୍ତି । ମଇଁଷିଗୁଡ଼ାକ ଟିକିଏ ରେଳପଥ ତଳକୁ ଖସି ଆସି ଶିଙ୍ଗ ହଲେଇ ଦେଇ ହନୁମାନ ଚାଲିଗଲେ ପୁଣି ଲାଇନ ଉପରକୁ ଚଢ଼ିଯାଆନ୍ତି ।

 

ସକାଳ ପହର ନିଦମଳା ଆଖିରେ ଯେଉଁ ଦକ୍ଷିଣୀ ଭୁଆସୁଣୀଗୁଡ଼ିକ କେଶ–ଅଟକା ମଉଳା ଫୁଲ ଗୁଚ୍ଛକୁ ଦେଖେଇ ଗାଁ କୂଅରୁ ଗଗରି ଭସାଇ ପାଣି ଟାଣୁଥାନ୍ତି, ସେଇମାନେ ବାଙ୍କ ଚାହାଣିରେ ଚାଳକକୁ ଆଉ ଗାର୍ଡ଼ ସାହେବକୁ ଚାହିଁ ନିଅନ୍ତି । ଚାଳକ ହନୁମାନର ବେଗ କମାଇଦିଏ-। ତାହା ଆଉରି ଶୋଇଯାଏ, ଧିମେଇ ଚାଲେ, କ୍ଳାନ୍ତିର ନିଶ୍ଵାସ ଛାଡ଼େ ।

 

ଗାର୍ଡ଼ କୋଠରିଟା ନିତମ୍ବିନୀଙ୍କର ସମ୍ମୁଖା ହେଲାବେଳକୁ ମନେହୁଏ ଗାଡ଼ିଟା ଆଉ ନାହିଁ-। ଗାର୍ଡ଼ ସାହେବ ନିଶ ଉପରେ ହାତ ପକେଇ, ଛାତିର ଚମଡ଼ାପଟିକୁ ହଲେଇ ଦିଅନ୍ତି-। ଅଣ୍ଟା ତଳକୁ କିମ୍ବା ପକେଟ ଭିତରେ ରହିଥିବା ହ୍ଵିସିଲ୍‍କୁ ଟେକିନେଇ ମୁହଁରେ ଗୁଞ୍ଜି ଦିଅନ୍ତି, ମାତ୍ର ସିଟି ମାରନ୍ତି ନାହିଁ । ସେଇ ଭଙ୍ଗିରେ ମୂରଲୀଧାରୀ ବନବିହାରୀ ଗୋପୀମୋହନଙ୍କ ଭଳି ଦଣ୍ଡେ ସେ ଛିଡ଼ା ହୋଇଯାଆନ୍ତି ।

 

ଲାଜ ମିଶା ଥରା ଅପାଙ୍ଗରେ ଗୋପୀମାନେ ହସ ହସ ହୁଅନ୍ତି ମୂରଲୀ ବାଜି ଉଠେ–ପଛଆଡ଼ ନୀପ ମୂଳରୁ ନୁହେଁ, ଆଗ ଆଡ଼ୁ–ଯେଉଁଠି ହନୁମାନ ଛନ୍ଦ ତୋଳିଛି । ବଡ଼ କର୍କଶ ଝିଇଁ ଝିଇଁ ସେ ରାବ । ସମଗ୍ର ବନଭୂମି ଥରିଯାଏ । ଚାଳକ ସେଇ ତୀବ୍ର ଧ୍ୱନିର ଉତ୍ପତ୍ତି ସ୍ଥଳକୁ ଅନାଇଁ ରହିଥାଏ । ମୁହଁରେ ଦର୍ପ, ଠାଣିରେ ରସିକତା ।

 

ଗୋଟି ଗୋଟି ହୋଇ କଟି ଉପରେ କଳସୀ ଥୁଆ ହେଲାଣି । କୂଅ ମୂଳର ନୀରବୁହାଳୀ କାମିନୀ ଅଣ୍ଟା ହଲେଇ ଡାହାଣେ ନଇଁ ଚାଲିବାକୁ ଆରମ୍ଭ କଲେଣି ।

 

ଶରତ୍‍ର ଶ୍ୟାମ କାନ୍ତିଉଛୁଳା ନୀଳ ତରଙ୍ଗ । ହିଲ୍ଲୋଳ ପରେ ହିଲ୍ଲୋଳ ଭାସିଯାଏ କେଦାରଣୀ ଧାନ୍ୟ ଶୀର୍ଷ ଉପରେ । କ୍ଷିତିକ ତଳ ଶାଦ୍‍ବଳ ଆଭା ଭିତରେ ପ୍ରକୃତି ପରାଗ ବିଞ୍ଚେ । ଅପୂର୍ବ ସେ ବିଭୂତି !

 

ହନୁମାନର ଗାର୍ଡ଼ସାହେବ ବେଶୀ ଥର ପତାକା ହଲାନ୍ତି–ବେଶୀ ସିଟି ମାରନ୍ତି–ବହୁଥର ବିପଦ ସଙ୍କେତ ଦିଅନ୍ତି । ଯାତ୍ରୀମାନଙ୍କର ସୁଖ ସ୍ୱାଛନ୍ଦ୍ୟ ବେଶୀମାତ୍ରାରେ ବୁଝନ୍ତି । ଥରେ ଥରେ ତୃତୀୟଶ୍ରେଣୀ ଯାତ୍ରୀଙ୍କୁ ମଧ୍ୟମ, ମଧ୍ୟମକୁ ଦ୍ଵିତୀୟ ଶ୍ରେଣୀକୁ ଉଠାଇ ଦିଅନ୍ତି ।

 

ତାଙ୍କର ସବୁବେଳେ ବ୍ୟସ୍ତଭାବ । ଘଣ୍ଟାକେ ଚାରିମାଇଲ ଯିବା ଗାଡ଼ିକୁ ଏପରି ଅଯତ୍ନରେ ବେପରୁଆ ଭାବରେ ସେ ଛାଡ଼ି ପାରିବେ କି ? କାହାର ପାଣି ଦରକାର, କିଏ କଫି ଚାହେଁ, କାହାର ସୁପୁଲି ଭଜା ଦରକାର, କିଏ କେଉଁ ଅସୁବିଧାରେ ପଡ଼ିଛି–ସବୁକଥା ସେ ବୁଝିବାକୁ ଆଗଭର ହୋଇ ଯାଆନ୍ତି । ପୁରୁଷ ହେଉ ବା ନାରୀ ହେଉ, କେବଳ ତାଙ୍କୁ ସମ୍ଭାଷଣ କରି ଯନ୍ତ୍ରୀମାନେ ଯଦି ହସି ଦିଅନ୍ତି, ତେବେ ଗାର୍ଡ଼ସାହେବ ବୁଝି ନିଅନ୍ତି ଯେ ସେମାନେ ପାରଳାଖେମୁଣ୍ଡିକି ଗୁଣୁପୁର କି ପଥପତ୍ତନ ଯାଉନାହାନ୍ତି । ସେମାନେ ତାଙ୍କର ପରମ ଆସ୍ତ୍ରୀୟ ହନୁମାନ ପିଠି ଉପରେ ବସି ସାତ ସମୁଦ୍ର ତେର ନଦୀ ଓ ବିସ୍ତୀର୍ଣ୍ଣ ଭୂଭାଗ ପାର ହୋଇ ଯାଉଛନ୍ତି-

 

ସେ କହନ୍ତି, ବିଶେଷ ଅଭିଜ୍ଞତା ନ ଥିଲେ ହନୁମାନ ରେଳ ତତ୍ତ୍ୱାବଧାରକ ଭାବରେ କାହାକୁ ନିଯୁକ୍ତି ଦିଆଯାଏ ନାହିଁ । କଥାଟା ସତ । ଯନ୍ତ୍ରୀମାନେ ଦେଖନ୍ତି ସେ କେଉଁ ଛଟକରେ ଆସି କୋଠରିର ଫିଟିଲା ଦ୍ଵାରକୁ ବନ୍ଦ କରି ଦିଅନ୍ତି, ବୁଜା ଦରଜାକୁ ପବନର ଯାତାୟାତ ପାଇଁ ଖୋଲିଦିଅନ୍ତି ।

 

କାହାର କଅଁଳା ପିଲା ଯଦି କାନ୍ଦୁଥାଏ, ତା’ର ମାଆ–ଆଡ଼େ ସ୍ନେହସିକ୍ତ ଆଖି ଢାଳି ପୁଅର କାନ୍ଦିବା କାରଣ ସେ ପଚାରନ୍ତି । ଜନନୀ ବକ୍ଷ–ବାସ ଉନ୍ମୋଚନ କରିବା ପୂର୍ବରୁ ସେ ଘଟଣା ବୁଝିପାରି ଚାଲିଯାଆନ୍ତି, ମାତ୍ର ବେଶୀ ଦୂର ନୁହେଁ । ସେଇ କୋଠରିର ଗବକ୍ଷ ଭିତରେ ମୁଁହ ଦେଖାଇ ବାହାରକୁ ଚାହିଥାଆନ୍ତି ।

 

କେତେବେଳେ ପିଲାଟା ବେଶୀ ଆଝଟିଆ ହେଲେ ତା’କାନରେ ଦି’ଥର ହୁଇସିଲ ଫୁଙ୍କି ଦିଅନ୍ତି । ପିଲାଟି ଚମକି ପଡ଼େ । ଦେଖେ, କଲାପୋଷକରେ କଳା ମଚ ମଚ ଲୋକଟାଏ ତାକୁ ଅନେଇଁ ହସୁଚି–ଚୁ ଚୁ କରୁଚି । ସେତିକିରେ ସେ ମାଆ ଛାତି ଉପରେ ଲେପଟି ପଡ଼େ । ଅପୂର୍ବ ବାତ୍ସଲ୍ୟ ମମତାରେ ମାଆ ତାକୁ ଆଲିଙ୍ଗନ କରି ଆଣେ । ଏକ ସାର୍ଥକ ହସ ଓ ଅର୍ଥକ ବାହାଦୂରୀ ଦେଖାଇ ଗାର୍ଡ଼ ସାହେବ ସେଠାରୁ ବିଦାୟ ନିଅନ୍ତି ।

 

ତାଙ୍କର ସ୍ଵତନ୍ତ୍ର ଡବା ନାହିଁ । ଗୋଟିଏ ଅବଶ୍ୟ ଥାଏ; ମାତ୍ର ସେ ସେଠାରେ ରହନ୍ତି ନାହିଁ । ସେଥିପାଇଁ ପ୍ରାୟ ଦେଖିଯାଏ ଥରେ ଇଞ୍ଜନ୍‍ ଘରୁ ନୀଳ ପତାକା ଉଇଁଲାଣି ତ ଥରେ ପଛ ମାଲ ଡବା ଭିତରୁ ଲୋହିତ ପତାକା ଦେଖାଗଲାଣି, ଆଉ କେବେ ଦ୍ଵିତୀୟ ଶ୍ରେଣୀ କୋଠରୀ ଭିତରୁ ଦେଖାଗଲାଣି ତ ପୁଣି ଥରେ ଗାଁ ସଡ଼କ ଉପରୁ ।

 

ଯାତ୍ରୀମାନେ ବିସ୍ମିତ ହୋଇଯାଅନ୍ତି । ଗାଁ ରାସ୍ତା ଉପରେ ପତାକା ହଲିବା ଦେଖାଗଲା କେମିତି ? ହନୁମାନ ବା କିପରି ଏକଥା ଜାଣିଲା ଯେ ତାହା ଧୀରେ ଚାଲିବାକୁ ଆରମ୍ଭ କଲା ?

 

ସମସ୍ତେ ଦେଖନ୍ତି, ଗାର୍ଡ଼ସାହେବ ଗାଁ ବାଟ ଉପରେ ପଠାଣ ମିଆଁଠୁ କୁକୁଡ଼ା କେତୁଟା କିଣୁଥିଲେ । ସେଇଠୁ ସେ ପତାକା ହଲେଇଦେଲେ । ତାଙ୍କର ଅର୍ଡ଼ରରେ ହନୁମାନ ଚାଲିଲା । କଥାଟା ବୁଝିବାକୁ ଯାତ୍ରୀମାନଙ୍କୁ ସମୟ ଲାଗିଲା । ଅତି ବୁଦ୍ଧିମାନ ନ ହେଲେ ଏହାକୁ ହୃଦୟଙ୍ଗମ କରିବା ସମ୍ଭବ ନୁହେଁ । ଉପଲବ୍‍ଧ ପରେ ଆସେ ବିସ୍ମୟ । କେଡ଼େ କରାମତି ସତେ ଏଇ ଗାର୍ଡ଼ ସାହେବର !! ଏହିପରି ସେମାନେ କଥାଭାଷା ହୁଅନ୍ତି–ହନୁମାନ ଚାଲୁଥାଏ ।

 

ସେଇ ରେଳପଥ ଉପରେ ଗୋଟିଏ ଛୋଟ ଷ୍ଟେସନ । ଆଭିଜାତ୍ୟ ନାହିଁ କି ବଡ଼ ଷ୍ଟେସନର ଗୌରବ ନାହିଁ । ଖୁବ୍‍ ବେଶୀ ହେଲେ ଦୁଇ ଚାରିଟା ଲୋକ ଅବତରଣ କରନ୍ତି, ଆରୋହଣ କରନ୍ତି, ତା’ର ବାଡ଼ ଦିଆହୋଇଥିବା ଖଣ୍ଡିଏ ପରିଷ୍କୃତ ଅଥଚ ଶ୍ୟାମଳ ଭୂମି ଉପରେ ଏଇ ଷ୍ଟେସନଟି ହନୁମାନ ରେଳଗାଡ଼ିକୁ ସ୍ଵାଗତ ଜଣାଏ ପୁଣି ସମୟ ହେଲେ ବିଦାୟ ଦିଏ ।

 

ଅଶ୍ରୁ ଆଚ୍ଛନ୍ନ ମୁଖରେ ଜଣେ ଅବଗୁଣ୍ଠନବତୀ ତରୁଣୀ ଦିନେ ଅପରାହ୍ନର ସ୍ଵର୍ଣ୍ଣ କାନ୍ତି ଭିତରେ ହନୁମାନର ଏକ କୋଠରୀରେ ଚଢ଼ିଲେ । ସାଙ୍ଗରେ ଜଣେ ସୁନ୍ଦର ତରୁଣ । ରୁଚିକର ପରିପାଟୀ ଓ ସଂଭ୍ରମରୁ ପୁରୁଷଟି ବିଦ୍ୱାନ ଓ ସରସ ବୋଲି ଜଣା ପଡ଼ୁଥିଲେ । ମାତ୍ର ତାଙ୍କର ମୁହଁଟି ମେଘଡ଼ମ୍ବରରେ କୃଷ୍ଣବର୍ଣ୍ଣ–ଯେପରିକି ତାଙ୍କର ସମସ୍ତ ଆନନ୍ଦର ଆଶ୍ରୟ ଆଜି ଶୁଷ୍କ ।

 

ଗାର୍ଡ଼ ସାହେବ ଆସିଲେ–ଏକପ୍ରକାର ପାଛୋଟି ନେଲେ । ଏଭଳି ଗୋଟିଏ ବିଜନ ଷ୍ଟେସନରେ ସୁନ୍ଦର ପୁରୁଷ ଓ ସ୍ଵାସ୍ଥ୍ୟବତୀ ମନୋହର–କାନ୍ତି ନାରୀ ସେ ହନୁମାନର କୋଠରୀକୁ ପାଦ ଦେବେ, ଏକଥା ଗାର୍ଡ଼ ସାହେବଙ୍କର ବିସ୍ମୟ ସୃଷ୍ଟି କରିଥିଲା ।

 

ଦୁହିଁଙ୍କ ଆଖିରୁ ଲୋତକ ଧାରା ବହି ଯାଉଥିଲା । ପକ୍ଷୀ ପକ୍ଷିଣୀ ଦୁଇଟିରୁ ବୋଧହୁଏ ଗୋଟିଏ ନୀଡ଼କୁ ଫେରିଯିବ, ଆଉ ଗୋଟିଏ ଶୂନ୍ୟକୁ ପକ୍ଷ ପିଟି ଚାଲିଯିବ–ଏଇଭଳି ଏକ କରୁଣ ପରିବେଶର କ୍ଲାନ୍ତିମୟ ଭାବ ମୁହୂର୍ତ୍ତଟିକୁ ଆଚ୍ଛନ୍ନ କରି ରଖିଥିଲା ।

 

“–ନିଜର ଯତ୍ନ ନେବ । ଅନ୍ଧାରକୁ ଯିବ ନାହିଁ । ଗଲେ ସାଙ୍ଗରେ କାହାକୁ ନେବ । ମୋ ପ୍ରସ୍ତାବ ତ ତମ ବାପ ମା ମାନିଲେ ନାହିଁ । ମୋ ପାଖରେ ଥିଲେ ମୁଁ କଅଣ ଡାକ୍ତର, ଧାଇଙ୍କୁ ଦେଖାଇ ସବୁ ବନ୍ଦୋବସ୍ତ କରନ୍ତି ନାଇଁ । ହଉ ଯାଅ । ଟନିକ ସବୁ ନେଇଛ ତ ? ବଡ଼ ଉପକାର ମିଳୁଚି । ଆଗଥର ଷଠୀ ଯେଉଁ ଦଗା ଦେଲା ପସୋରି ଯାଇନାହିଁ । ଏଥର ଭଗବାନ ଜାଣନ୍ତି । ଭଲ ଖାଇବ । ଏତେବେଳେ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର । ଟାଉନ୍‍ ଜାଗାକୁ ଯାଉଚ, ସବୁ ସୁବିଧା ଶଶୁରଙ୍କୁ କହି କରିନେବ । ତମ ଚିଠି ନ ପାଇବା ଯାଏ ମୋ ଆତ୍ମା ଉପରେ ଉପରେ ଉଡ଼ୁଥିବ । ସାଙ୍ଗେ ସାଙ୍ଗେ ଖଣ୍ଡେ ଚିଠି ଦେବାକୁ ଡେରି କରିବ ନାଇଁ । ଛିଁ, କାନ୍ଦ ନାଇଁ । ହଁ, ଅଟ୍ଟାରେ ଯେ ସେ ଦିନ ତମକୁ କହିଥିଲି ଝିଅ ହେଲେ ତମ ସୁନ୍ଦର ମୁହଁକୁ ଚାହିଁବିନି, ସେ କଥାକୁ ମନରେ ଥାନ ଦେବ ନାଇଁ । ପୁଅ ଝିଅ କାହାର ? ମୋର ତ ଇଛା ଝିଅଟିଏ ହେଲେ ତାକୁ ପୁଅଭଳି ବହୁତ ପାଠ ପଢ଼େଇ ବିଲାତ ପଠେଇବି । ସେଇ କଅଣ ବାପ ନାଁ ରଖିବ ନାଇଁ ଯେ ପୁଅ ଝିଅର ବିଚାର ଚାଲିଛି ? ଟଙ୍କା ଯାହା ନେଇଚ ନ ଅଣ୍ଟିଲେ ପୁଣି ମଗାଇ ପଠାଇବ । ଧାର ଉଧାର କରି ପଠାଇବି । ଧାଈଟିଏ ଆଗରୁ ଠିକ୍‍ କରିଥିବ । ମୁଁ ପୁଣି ଚିଠିରେ ଅନ୍ୟାନ୍ୟ କଥା ସବୁ ଲେଖିବି । ଏକ୍ଷଣି କିଛି ମନେପଡ଼ୁନି । ତମେ ଆଉ କାନ୍ଦନି । ସବୁ ଭଲରେ ଭଲରେ ହୋଇଗଲା ପୁଣି ଫେରି ଆସିବ । ସେତେବେଳୁ କୋଳରେ କୁଆଁ...କୁଆଁ...କେମିତି ? ଯାଅ, ଗାଡ଼ି ଛାଡ଼ିବା ବେଳ ହେଲା....”

 

ତରୁଣୀ ଯୁବକଙ୍କର ପାଦ ଛୁଇଁ ପ୍ରଣାମ କଲେ । କେବଳ ଏତିକି କହିଲେ “ନିଜର ଖାଇବା ପିଇବା ନିଜେ ବୁଝିବ । ସବୁ କଥା ପୂଜାରୀ ହାତରେ ଛାଡ଼ିଦେବ ନାଇଁ । ସକାଳେ ମିଶିରି ପଣା ପିଇବାକୁ ଭୁଲିବ ନାଇଁ । ବେଶୀ କଫ ଖାଇବ ନାହିଁ । ସେ କ୍ଷୀର ସେରକ ପିଇଦେଉଥିବ–ନଇଲେ ସେତକ ବ୍ରାହ୍ମଣ ଟୋକା ତୁଣ୍ଡରେ ଯିବ । ମୁଁ ନାଇଁ ବୋଲି ଡଇଁ ଡଇଁ ହୋଇ ବଜାର ହାଟ ବୁଲିବ ନାଇଁ । ତମ ଦେହ ଘେନି ମୋର ଅସୁମାରି ଚିନ୍ତା । ଯାଅ...ଦିନେ ଛଡ଼ା ଦିନେ ଚିଠି ଦେବ । ମନେ ରଖିଥିବ ।”

 

ଦୁଇଟି ଚକୋର ଚକୋରୀଙ୍କର ଗୁଞ୍ଜରଣ ଶେଷ ହୋଇଗଲା । ହନୁମାନ ଡାକ ଦେଲା-। ସୁରେନ୍ଦ୍ର ପଛରେ ରହିଗଲେ । ହନୁମାନ ହିମାନୀକୁ ଘେନି ଆଗକୁ ଚାଲିଲା ।

 

ବନ୍ଧ ତୁଟିଗଲେ ବନ୍ୟା ବହିଯାଏ–ରୁଦ୍ଧ ଜଳରାଶି ବାଧା ମାନେ ନାଇଁ । କ୍ରମେ ସୁରେନ୍ଦ୍ର ବୁଝିଲେ ତାଙ୍କର ଆତ୍ମଭୂତା ସ୍ତ୍ରୀ ହିମାନୀ ପାଖରେ ସେ ଯାହା ପାଇବାକୁ ଆଶା କରୁଥିଲେ, ତାହା ସକଳ ପାଇ ନାହାନ୍ତି–ଆଉ କିଛି ରହିଯାଇଛି । ଅପୂର୍ଣ୍ଣତା ତାଙ୍କୁ ଏତେ ଦିନେ ପୀଡ଼ା ଦେବାକୁ ଆରମ୍ଭ କଲା ।

 

ସେ ଟିକିଏ ବେଶୀ ଚଲାବୁଲା କଲେ । ନିଜକୁ ବେଶୀ ପରିପାଟୀରେ ମଣ୍ଡିଲେ । ଦର୍ପଣରେ ମୁହଁ ବେଶୀ ଥର ଦେଖିଲେ । କେଶ ପ୍ରସାଧନରେ ସମୟ ଅତିବାହିତ କଲେ । ନୂଆ ପୋଷାକରେ ନିଜକୁ ନବୀନ ଭାବରେ ସଜାଇଲେ । ଖଣ୍ଡେ ଖଣ୍ଡେ ପାନ ଖାଇଲେ । ଆଖିରେ କଳା ଦେଲେ । ସୁସମାହିତ ସୁସମ୍ପନ୍ନ ବ୍ୟକ୍ତିତ୍ଵ ତାଙ୍କର ଆଜି ଘନ କିଶଳୟ କୁଞ୍ଜରେ ପଲ୍ଲବିତ, ମୁଖରିତ ।

 

ହିମାନୀଙ୍କ ପାଖରୁ ଚିଠି ଆସେ–ପ୍ରେମାଭିମାନର ଚିଠି–ନାରୀ ହୃଦୟର ସଂଗୋପନ କଥା–”ମୁଁ ନାଇଁ ବୋଲି ନିଜକୁ ଉଜାଡ଼ି ଦେବନି । ମୁଁ ଜାଣେ ତମେ ତାହା କରିବନି । ତୁମକୁ ବହୁବାର ପରୀକ୍ଷା କରିଛି, ତମେ ସେ ଦରର ଲୋକ ନୁହଁ । ତମର ଏଇ ଗୁଣଟିକୁ ମୋର ଏଠାରେ କେତେ ସାଙ୍ଗ ସାଥୀଙ୍କୁ କହିଛି । କହିଲାବେଳେ ତାଙ୍କ ଆଖିରେ ଚକିତ ଭାବ ଦେଖିଛି–ଯେମିତିକି ସେମାନେ ମୋ କଥା ବିଶ୍ଵାସ କରୁ ନାହାନ୍ତି । ଦେହ ଭାରିଭାରି ଲାଗୁଛି । ଡାକ୍ତରାଣୀ ଦେଖି କହିଛି କଅଣ ସବୁ ଗୋଳମାଳ ଅଛି । ଇନ୍‍ଜେକସନ୍‍ ନେଉଛି । ରକ୍ତଶୂନ୍ୟ ହୋଇଛି ବୋଲି ଡାକ୍ତରାଣୀର ବେଶୀ ଚିନ୍ତା । ଯାହା ଖାଉଛି ହଜମ ହେଉନି । ମନ ଭଲ ରହୁନି । ତମଠୁ ଦି’ପଦ କଥା ନ ଶୁଣୁଛି ବୋଲି ପାଗଳ ଭଳି ଲାଗୁଛି–“ଏଇଭଲି କେତେ କଥା–ଶେଷରେ ଥାଏ ମିଶିରିପାଣି, କ୍ଷୀର । “ଏଦିନେ ବେଶୀ ଭେଣ୍ଡି ମିଳୁଥିବ । ଖାଇଲେ ବଡ଼ ହିତ, ଖାଇବ….ମୋ ରାଣ, ଶୁଣି ହସିବ, ବୋଉ ଆଉ ଅପା ଏବେଠୁଁ ପିଲା ପାଇଁ ନାଆଁ ବାଛିଲେଣି । ଗୋଟାଏ ତାଲିକା କରୁଛନ୍ତି ଯେତେକ ଭଲ ଭଲ ପୁଅ ନାଁର, ଆଉ ଗୋଟିଏ ତାଲିକା ଝିଅ ନାଁର । ଆଗତ ଭବିଷ୍ୟତକୁ କାହାର ହାତ ? ତାଙ୍କ ମନ ବୁଝିବା ପାଇଁ ସେମାନେ କରୁଛନ୍ତି, ମୁଁ କାହିଁକି ବାଧା ଦେବି ? ଦେହର ଯତ୍ନ ନେବ । ଭଲ ଖାଇବ, ଶୋଇବ…”

 

ଚିଠିର ଶେଷରେ ଥାଏ ତମର ପ୍ରେମାଧିକାରିଣୀ ହିମାନୀ । ସୁରେନ୍ଦ୍ର ଖଟ ଉପରେ ଶୋଇ ରହି ହିମାନୀର ଚିଠି ପଢ଼ନ୍ତି । ଥରକଲେ ସନ୍ତୋଷ ଆସିଯାଏ । ହଁ ସେଇ କଥା ତ–ଖାଲି ଭଲ ଖାଇବ, ଶୋଇବ, ଭେଣ୍ଡି, କ୍ଷୀର, ଛେନା, ଗୁଡ଼...

 

ସହସା ଏପରି ବିରକ୍ତ କାହିଁକି ଜନ୍ମିଲା ନିଜେ ସୁରେନ୍ଦ୍ର ବୁଝିପାରିଲେ ନାହିଁ । ଅଥଚ ସେ ଦିନ ଅପରାହଣରେ ହିମାନୀକୁ ଗାଡ଼ିରେ ଉଠାଇ ଦେଇ ଆସି ସେ ଅଶ୍ରୁ କାତର ହୋଇ କେବଳ ଦିନ ରାତି ଶୋଇରହିଥିଲେ ।

 

ହଠାତ୍‍ ଘଣ୍ଟାରେ ବାଜିଲା ସଞ୍ଜ ପାଞ୍ଚଟା । ସୁରେନ୍ଦ୍ର ଚାହିଁଲେ...ଘଣ୍ଟାକଣ୍ଟାଟି ପାଞ୍ଚ ସଂଖ୍ୟା ଉପରେ ରହିଛି । କି ସୁନ୍ଦର ଏ ଟାଇମପିସ୍‍ ! ସଂଖ୍ୟାଗୁଡ଼ିକ ଗାଢ଼ କଳା ବର୍ଣ୍ଣରେ ଲେଖା । ସବୁ ଅଙ୍କ ଭିତରେ ଏଇ ପାଞ୍ଚ ଅଙ୍କଟି ଆହୁରି ସୁନ୍ଦର–ନାଃ, ଆଉ ଡେରି କଲେ ଚଳିବ ନାଇଁ ।

 

ଦର୍ପଣ, ପାନିଆ, ମୁଖଚୂର୍ଣ୍ଣ, ତଉଲିଆ–ଚାହୁଁ ଚାହୁଁ କ୍ଷିପ୍ର ଅଭ୍ୟସ୍ତ ହସ୍ତରେ ବହୁବାର ବ୍ୟବହୃତ ହେଲା । ତଥାପି ଅମାନିଆ କେଶ କେତୋଟି ସାଉଁଳି ରହୁନି–ଛଡ଼ା ହୋଇଯାଉଛି ।

 

ସମସ୍ୟା ହେଲା–କ’ଣ ପିନ୍ଧିବେ ? ଟ୍ରଙ୍କଯାକର ଲୁଗାପଟା ବିପର୍ଯ୍ୟସ୍ତ ଭାବରେ ଖଟଗୋଟାକ ଯାକ ପଡ଼ିଛି । ଖଣ୍ଡିଏ ଧୋତି ଉଠାଇ ସୁରେନ୍ଦ୍ର ଧ୍ୟାନମଗ୍ନ ବଗ ଭଳି ଦଣ୍ଡେ ନତ ଦୃଷ୍ଟିରେ ରହିଲେ । ତା’ପରେ ସେଇଟିକୁ ଛାଡ଼ି ଧରିଲେ କାମିଜ ଖଣ୍ଡିଏ । ଦୁଇଖଣ୍ତ ପରେ ତାକୁ ଫୋପାଡ଼ି ଦେଲେ–ପୁଣି ଧରିଲେ ଖଣ୍ଡିଏ ପାନ୍ତଲୁନ୍‍ । ଖୋଲି ଦେଖନ୍ତି ତ ଅଣ୍ଟା ପାଖରେ ମସ୍ତବଡ଼ ଏକ ଚିରା । ମୁଣ୍ଡକୁ ରକ୍ତ ଧାଇଁଲା । ନିର୍ଜନ ଘର ଭିତରେ ସୁରେନ୍ଦ୍ର ଚିତ୍କାର କଲେ–ଛେନାଗୁଡ଼ ସ୍ତ୍ରୀ ହେଉଛି, କିଛି ଦେଖିବ ନାଇଁ – କେଉଁ ପୋଷାକ କେଉଁଠି ରହିଛି ଚିରିଛି କି ଭଲ ଅଛି । ଖାଲି ସ୍ଵାମୀ ଉପରେ ଯେତେକ କର୍ତ୍ତୃତ୍ୱ–ୟା ଖା, ତା’ ଖା, ଭେଣ୍ଡି ଖା, କ୍ଷୀର ପି, ବେଆଡ଼ା ହ ନାଇଁ ! କିଓ ତମ ପାଖେ କଅଣ ସବୁ ଇମିତି ଅଛି ଯେ, ମୁଁ ସବୁ ସୁଖରୁ ମୁହଁ ଫେରାଇ ତମକୁ ଖାଲି ଚାହିଁ ରହିଥିବି ?

 

ଆତ୍ମଗତ କଥା । କେହି ଶୁଣିଲେ ନାଇଁ । ଚିତ୍କାରରେ ଧ୍ଵନି ନ ଥିଲା । ନୀରବ ଭାଷା । ଆଖିରେ ବିରକ୍ତି, ହାତରେ ଚିରା ପାନ୍ତଲୁନ୍‍, କପାଳରେ କର୍କଶ ଶିରା ଦୁଇଟାର ନେଳିଆ ରକ୍ତଧାରା-

 

ଶୁଣୁଥିଲେ ହିମାନୀ । ଶାନ୍ତ ମୁଖମଣ୍ଡଳ । ଗୋଟିଏ ହାତ ତାଙ୍କର ପଣତଟିକୁ କଟି ଉପରେ ଗୁଡ଼ାଇ ଆଣିଲାବେଳକୁ କୁଶଳୀ ଫଟୋଗ୍ରାଫର୍‍ ଚିତ୍ର ତୋଳି ନେଇଛନ୍ତି । ଢଙ୍ଗଟି ବେଶ୍‍ ମନୋରମ । ସେଇ ଶୁଣୁଥିଲେ ସୁରେନ୍ଦ୍ରଙ୍କର ଜୀବନରେ ସହଧର୍ମିଣୀ ପ୍ରତି ପ୍ରଥମ ଥର ଅସହିଷ୍ଣୁ ଭାବର ନିର୍ଝର ଶବ୍ଦ ।

 

କିନ୍ତୁ ସେ ତ ନିର୍ବାକ୍‍ ଚିତ୍ର–ଉତ୍ତର ଦେବେ କାହୁଁ ? ଅପମାନର ତାପ ବା ତାଙ୍କୁ କେତେ ତପ୍ତ କରିବ ?

 

ସୁରେନ୍ଦ୍ର ଠିକ୍‍ ପାଞ୍ଚଘଣ୍ଟା ତିରିଶ ମିନିଟରେ ନିରୂପିତ ସ୍ଥାନରେ ଉଭା ହୋଇଗଲେ । ନିଜର ଦେହକୁ ସହସ୍ର ଥର ଚାହିଁଛନ୍ତି–ମନକୁ ବି ସଙ୍ଖୋଳିଛନ୍ତି । ସର୍ବତ୍ର ଦେବସଭାର ସୁଷମା । ରମ୍ଭା, ମେନକାଙ୍କର ନୃତ୍ୟ ମୁର୍ଚ୍ଛନା ସ୍ଵର୍ଗର ବାୟୁପ୍ରବାହରେ ଖେଳି ଯାଉଛି । କେତେ ଗନ୍ଧର୍ବ କିନ୍ନର ଗଳା ଫଟାଇ ସଙ୍ଗୀତ ଗାଉଛନ୍ତି । ସବୁଆଡ଼େ ମାଧୁରୀ, ପ୍ରେମାଙ୍କନ ଓ ପ୍ରଣୟ ।

 

ସୁରେନ୍ଦ୍ର ଉପରକୁ ଚାହିଁଲେ । ଖଣ୍ଡିଏ ଆକାଶୀ ରଙ୍ଗର ଶାଢ଼ିରେ ତନୁଟିକୁ ସଜେଇ ଅପୁର୍ବ ନେତ୍ରକ୍ଷେପରେ ସେ ତାଙ୍କୁଇ ଚାହିଁ ଅଧେ ଅଧୋବଦନା ହୋଇଛି । ଏଇ ‘ସେ’ଟି ସୁରେନ୍ଦ୍ରଙ୍କର ନବଜୀବନର ନବୀନ ସରୋଜ–ଉଜ୍ଜ୍ଵଳବର୍ଣ୍ଣା । ନାରୀର ଯେତେକ ଛଟକ, ଛଇଳ ଓ ଛଇ ଗୁଣ ଥିଲେ ନାରୀ ହୃଦୟଗ୍ରାହିଣୀ ହୋଇପାରେ ସେ ସମସ୍ତ ତା’ର ଅଛି ।

 

ଆଜି ସୁରେନ୍ଦ୍ର ତା’ଠାରୁ ଉପହାର ପାଇଲେ ଗୋଟିଏ ଚମ୍ପାଫୁଲ । ସେଇଟି ଦ୍ଵିତଳ ପ୍ରାସାଦରୁ କକ୍ଷଭ୍ରଷ୍ଟ ତାରକା ଭଳି ଘୂରି ଘୂରି ଖସି ଆସିଲା । ସୁରେନ୍ଦ୍ର ଫୁଲଟିକୁ ଧୂଳିରେ ପଡ଼ିବାକୁ ଦେଲେ ନାହିଁ । ତାଙ୍କର ଅଞ୍ଜଳି ଭିତରେ ତାହା ଆସି ପଡ଼ିଲା ।

 

ବାଟରେ ଲୋକ ଗତାଗତ ହେଉଥିଲେ । ସେମାନଙ୍କର ତ ନଗ୍ନ କୋଠର ଜୀବନ । ଜୀବନ ସମସ୍ୟାରେ ସମସ୍ତେ ପରିପିଷ୍ଟ । କିଏ ବା କାହିଁକି ଏଇ ପ୍ରଣୟର ଖବର ରଖିବ ?

 

ସୁରେନ୍ଦ୍ର ଚାଲିଗଲେ । ଆକାଶୀ ରଙ୍ଗର ଶାଢ଼ି ବି ଲୁଚିଗଲା ।

 

ହିମାନୀ ଲେଖିଛନ୍ତି–ସେ ଦିନ ଗାର୍ଡ଼ ସାହେବ ବଡ଼ ଉପକାର କଲେ । ଚାହା ଆଣି ଦେଲେ । ମୁଁ ଶୋଇବାକୁ ଚାହିଁବାରୁ କେଉଁଠୁ ଖଣ୍ଡିଏ ତକିଆ ଆଣିଦେଲେ । ବାକି ଯାହା ମୋର ସୁବିଧା ଅସୁବିଧା ବୁଝୁଥିଲେ । ବଡ଼ ଭଳ ଲୋକ । ଡାକ୍ତରାଣୀ ପରୀକ୍ଷା କରିଥିଲେ । କହିଲା, ପୂର୍ବପରି ଗୋଲମାଳ ରହିଛି । ବିଶ୍ରାମ ନେବାକୁ ଉପଦେଶ ଦେଇଛି । ମୁଁ ବଡ଼ ଶେତା ଦିଶିଲିଣି । ଇଞ୍ଜେକ୍‍ସନ ନେଉଛି । ଭାଇ ଗୋଟିଏ କାଠର ଛୋଟ ଦୋଳନା ଖଟ ବଢ଼େଇବାକୁ ବରାଦ ଦେଇଛନ୍ତି । ତା’ର ଦି’ପଟ ଖୋଲା ରହିବ–ପୁଣି ଇଚ୍ଛା କଲେ ବାଡ଼ ବନ୍ଦ ହୋଇଯିବ । ପିଲା ଗଡ଼ି ଆସିଲେ ବି ପଡ଼ିବ ନାହିଁ । ଅପା ଫ୍ରକ୍‍ କରିବ କି ପୁଅ ଜାମା ତିଆରି କରିବ କିଛି ବୁଝି ପାରୁନି । ଖରାବେଳେ ଯାହା ଖାଲି ରାମ, ଲକ୍ଷ୍ମଣ, ସୀତା ପକଉଚି । ମୁଁ କହିଲି, ଲକ୍ଷ୍ମଣ ପଡ଼ିଲେ ତତ୍‍କ୍ଷଣ ଆସିଯିବ କି ? ଅପା ହସିଲା ।

 

–ଦି’ଦିନ ତଳେ ପେଟ ବଡ଼ ମୋଡ଼ିହେଲା । ବଡ଼ କଷ୍ଟ । ଡାକ୍ତରାଣୀ ଆସିଲା । ମୁହଁଟା କାହିଁକି ଶୁଖାଇଦେଲା । ତାକୁ ଦେଖିଲେ ମତେ ଚିଡ଼ି ଚିଡ଼ି ଲାଗୁଛି । ସବୁବେଳେ ଖାଳି ପରୀକ୍ଷା । ଦେହ ମୁଣ୍ଡ ଯେମିତି ତା’ ପାଖରେ ମୁଁ ସମର୍ପି ଦେଇଚି । ସେ ଆମରି ମାଇପି ଲୋକ । ହେଲେ କଅଣ ହେବ ମତେ ବଡ଼ ଲାଜ ମାଡ଼ୁଛି ।

 

–ତମେ ବେଶ୍‍ ଖୁସିରେ ଥିବ ! ହେଇଟି, ଚିଠି ଲେଖୁ ଲେଖୁ ପେଟ ଓଲଟି ପଡ଼ିଲା ଭଳି ଲାଗୁଛି । ଆଉ ଲେଖିପାରିବନି । ବଡ଼ କଷ୍ଟ...

 

ସୁରେନ୍ଦ୍ର ଚିଠି ପଢ଼ୁ ପଢ଼ୁ ଘଣ୍ଟାରେ ପାଞ୍ଚଟା ବାଜିଲା । ଚିଠି ପଢ଼ା ଶେଷ ହୋଇନାହିଁ । ତକିଆ ତଳେ ତାକୁ ଗୁଞ୍ଜି ଦେଲେ । କୋଠା ଉପରୁ ହସ ଓ ଚାହାଣିତକ ସାଉଁଟି ଆଣିବା ପାଇଁ ସେ ସଜବାଜ ହେଲେ । ମିନିଟି ଏପଟ ସେପଟ ହେଲେ ଆଉ ଦେଖା ମିଳିବ ନାହିଁ । ତେଣିକି ଅଭିମାନ, ରାଗ, ରୁଷା ।

 

ମାସକ ପରେ–

 

ପାଞ୍ଚଘଣ୍ଟା ତିରିଶ ମିନିଟ ବାଜିବାକୁ ପାଞ୍ଚ ମୁହୂର୍ତ୍ତ ବାକୀ ।

 

ସୁରେନ୍ଦ୍ର ଶ୍ରୀଘ୍ର ଶ୍ରୀଘ୍ର ଚାଳିଯାଉଥାନ୍ତି । ଘର ବାରଣ୍ଡା ଉପରେ ଛିଡ଼ା ହୋଇ ସୁରନ୍ଦ୍ରଙ୍କର ହିତୈଷୀ ବନ୍ଧୁ ରାମନାରାୟଣ ବାବୁ ଡାକିଲେ ।

 

ସୁରେନ୍ଦ୍ର ପିଣ୍ଡା ଉପରକୁ ଆସିଲେ । ମନ ଉଚ୍ଛନ୍ନ । ଆଖିରେ ଆବେଗର ସ୍ଫୁଟତର ସ୍ପନ୍ଦନ ।

 

ରାମନାରାୟଣ ଛଳ ଛଳ ଆଖିରେ ଶୋକାର୍ତ୍ତ ହୋଇ କହିଲେ–ସୁର, ତିନିଦିନ ହେଲା ତମର ଦେଖାପାଉନି । ତମ ଘରକୁ ଯାଇ ଫେରି ଆସିଛି । ମାଆ ହିମାନୀର ପିଲାଟି ନଷ୍ଟ ହୋଇଯିବାର ଖବର ପାଇ ମୁଁ ତମ ପାଖକୁ ଦଉଡ଼ି ଯାଇଥିଲି ସାନ୍ତ୍ଵନା ଦେବାପାଇଁ । କିଛି ମନ କଷ୍ଟ କର ନାହିଁ । କାଲିକି କାଲି ଭଗବାନ ପୁଣି କୋଳ ପୂର୍ଣ୍ଣ କରିଦେବ । ମାଆ ମୋର ବଡ଼ ବ୍ୟସ୍ତ ହେଉଥିବ । ତାକୁ ଖଣ୍ଡେ ଚିଠି ଲେଖିଦେବି । ଲେଖିବି, ଫଲିଲା ଗଛ କେତେ ଫୋପଡ଼ ସହେ ।

 

ସୁରେନ୍ଦ୍ରଙ୍କର ଆଖିର ଚଳନ ଅବାରିତ ଗତିରେ ସେତେବେଳେ ଚଳୁଥିଲା ଶହେ ଗଜ ଦୂର କୋଠା ଉପରକୁ । ରାମନାରାୟଣଙ୍କର ଆଲିଙ୍ଗନରେ ସୁରେନ୍ଦ୍ରର ଶରୀରଟି ଆବଦ୍ଧ ଥିଲେ ବି ମନ ତାଙ୍କର ଛୁଟିଥିଲା ସେଇ ଆକାଶୀ ରଙ୍ଗର ଶାଢ଼ି ପରିହିତା ତରୁଣୀ ପାଖକୁ ।

 

ସାଢ଼େ ପାଞ୍ଚଟା ବାଜିବାକୁ ମିନିଟିଏ ବାକୀ ।

 

‘ହଁ–ସେମିତି ତ ହୋଇଗଲା’ ସୁରେନ୍ଦ୍ର ତର ତର କରି ଏତିକି କହି ଚାଳିଆସିବାକୁ ବସିଲେ ।

 

ରାମନାରାୟଣ ଜାବୁଡ଼ି ଧରି କହିଲେ–ତମ ମନରେ କେତେ ଦୁଃଖ ହୋଇଥିବ ? ଥର ଥର ହୋଇ ଦି’ଥର ନଷ୍ଟ ହୋଇଗଲା !

 

ସୁରେନ୍ଦ୍ର ଉଦ୍‍ବିଗ୍ନ । ଅଧ ମିନିଟିଏ ବାକୀ–

 

ହଁ ।

 

କଅଣ ହଁ ତମ ମନରେ କଅଣ ଦୁଃଖ ହଉନି ?

 

ହଁ–ହଉଚି । ମୋର କାମ ଅଛି–ମୁଁ ଯାଉଚି ।

 

ହିମାନୀ ଭଲ ଅଛି ତ ?

 

ହୁଁ ଥିବ । ଡେରି ହୋଇଗଲାଣି–ମୁଁ ଯିବି ।

 

ଥିବ କଅଣ ମ ? ତମର ଥରେ ଯିବା ଉଚିତ । ସେ ତମକୁ ଚାହୁଁଥିବ । ଏତେବେଳେ ତା’ ପାଖରେ ଦି’ଦିନ ରହି ଆସ ।

 

ମୁଁ ତ ଏକ୍ଷଣି ଯାଇପାରିବିନି ।

 

ଯାହା ଦେଖୁଛି ତମ ମନ ତ ବେଶ୍‍ ଭଲ ଅଛି !

 

ହଁ ଅଛି । ନାଁ, ରହିଲା ଆଉ କିମିତି ? ଆପଣଙ୍କ ଘଣ୍ଟାରେ କେତେ ?

 

ସାଢ଼େ ପାଞ୍ଚ ବାଜିଗଲାଣି ।

 

ବାଜିଗଲା ? ମୁଁ ଯାଉଛି–ଖୁବ୍‍ ଡେରି ହୋଇଗଲା । ପରେ ଦେଖା ।

 

ଟିକିଏ ଚା ଖାଇ ଯାଅ ।

 

ଅସମ୍ଭବ, ଆଉ କେବେ ।

 

ସୁରେନ୍ଦ୍ର ଦଉଡ଼ି ପଳେଇଲେ । ପୌଢ଼ ରାମନାରାୟଣ ବୁଝିଲେ ଜନ୍ମ ମୃତ୍ୟୁ ଜରାକଷ୍ଟକୁ ଆଜିକାଲି ଯୁବକମାନେ ଦାର୍ଶନିକ ଦୃଷ୍ଟି ଭଙ୍ଗୀରେ ଗ୍ରହଣ କରୁଛନ୍ତି । ବଡ଼ ଭଲ କଥା । ସେଥିପାଇଁ ତାଙ୍କୁ କିଛି ବାଧୁ ନାହିଁ । କିନ୍ତୁ ମାଆ ହିମାନୀର କଷ୍ଟ କିଏ ବୁଝିବ ?

 

ଆକାଶୀ ରଙ୍ଗର ଶାଢ଼ିଟିର ପଣତ ଗୋଧୂଳିର ମନ୍ଦ ପବନରେ ସେତେବେଳେ ଧୀରେ ଉଡ଼ୁଥିଲା । ଉର୍ଦ୍ଧ୍ଵଶ୍ୱାସରେ ଛୁଟି ଯାଉଥିବା ସୁରେନ୍ଦ୍ରଙ୍କ ମନରେ ରୁଣୁଝୁଣୁ ହୋଇ ସେତିକି ବେଳେହିଁ ବାଜୁଥିଲା କବିଗୁରୁ କାଳିଦାସଙ୍କର ଅମରବାଣୀ ନିକ୍ୱଣ–

 

ତମାଳ ତାଳ ବନରାଜି ନୀଳା......

Image

 

ଦାନ ଭୂଃ

 

ରେଳ ଷ୍ଟେସନ ପାଖ ଚାଳିଶ ଏକର ବାଲିଆ ଜମିକୁ ଅନାଇ ବିପ୍ରଚରଣ ଛିଡ଼ା ହୋଇଛନ୍ତି । ଉଦୁଉଦିଆ ଦିପହର । ମୁଣ୍ଡ ଉପରେ ନିଆଁ ଝରୁଛି–ବୈଶାଖୀ ତାପ । ତାଙ୍କର କେଶହୀନ ଠାକର ମୁଣ୍ଡ ଚାହୁଁ ଚାହୁଁ ଚୁଲି ଉପର ହାଣ୍ଡି ତଳ ଭଳି ନିଆଁ ଧରିଲାଣି ।

 

ପଲକହୀନ ଆଖିରେ ବିପ୍ରଚରଣ ଚାହିଁ ରହିଛନ୍ତି । ସେ ଦୃଷ୍ଟି ଆଗକୁ ଯେତେ ପ୍ରସାରିତ ନ ହେଉଛି ପଛକୁ ବେଶୀ ସଞ୍ଚରି ଯାଉଛି । ଟିକିଏ ବାଲିମିଶା ଜମି ହେଲେ କଅଣ ହେବ, ଯେଉଁ ଦିନ ସେଇ ଅରାକ ସେ ଦଖଲ କଲେ ସେ ରାତିରେ ଗୋଟିଏ ମହୋତ୍ସବ କରିଥିଲେ ।

 

ଉତ୍ସବ ଭିତରେ ଜୟ–ରାଧା–ହରି–କୀର୍ତ୍ତନ ଥିଲା; ଆଉ ଥିଲା ଦାସକାଠିଆଙ୍କର ପତିତପାବନ ଜଣାଣ । ଦୀନ ଦରିଦ୍ରନାଥ ଜଗନ୍ନାଥଙ୍କର ଜଣାଣ ଗାଇଲାବେଳେ ବିପ୍ରଚଚରଣ କାନ୍ଦିପକାଉଥିଲେ । ଉତ୍ସବ ଶେଷରେ ଦଶଗୋଟି ଛାଗର ମାଂସରେ ନିମନ୍ତ୍ରିତ ବ୍ୟକ୍ତିମାନେ ଅର୍ଚ୍ଚିତ ହେବା ପରେ ବାକୀ କେତେକ ବିଶିଷ୍ଟ ଜାତୀୟ ନରମାନଙ୍କର ମିଳନରେ ନିଭୃତରେ ସୁରାପାନ ଚାଲିଥିଲା । ପାନୀୟ ଦାନ ଗ୍ରହଣବେଳେ କରାଙ୍ଗୁଳିରେ ଫୁଟନ୍ତା ପଦ୍ମଫୁଲ ତିଆରି କରି ଷୋଡ଼ଶୀ ନର୍ତ୍ତକୀ ଯେତେବେଳେ ବିପ୍ରଚରଣଙ୍କର ଆଣ୍ଠୁ ଉପରେ ଆଣ୍ଠୁ ଥୋଇ ତାଙ୍କର ପଦ୍ମମୁଖକୁ ବର୍ଣ୍ଣନା କରୁଥିଲା, ସେତେବେଳେ ଗୋଟିଏ ସଂଭ୍ରାନ୍ତବଂଶୀୟ । ବିଧବା ଯେ ଲୁହ ନୁହେଁ, ଲହୁ ଢାଳୁଥିଲା, ତା’ର ଇତିହାସ ଏଠାରେ ବଖାଣିବାର କୌଣସି ତାତ୍ପର୍ଯ୍ୟ ନାହିଁ !

 

ସାମନ୍ତବାଦୀ ଆଭିଜାତ୍ୟ ତଳେ ଏହିଭଳି କେତେ ନିରାଶ୍ରୟା ନାରୀ ସମ୍ପତ୍ତି ହରାଇ ଦାଣ୍ଡର ଭିଖାରୁଣୀ ସାଜିଛନ୍ତି । ଯେଉଁମାନେ ବାଟରେ ଘାଟରେ, ସଭା ସମିତି ଅଗଣାରେ, ମନ୍ଦିର ମସ୍‍ଜିଦରେ, ଧର୍ମପୁଣ୍ୟ କାମରେ କେତେଗୁଡ଼ାଏ ଲୋକଙ୍କୁ ଆଗୁଆ ହୋଇ ଦଉଡ଼ିଯିବାର ଦେଖିବାକୁ ପାଉଥିବେ, ଯାହାଙ୍କର ଉଦାର ଓ ବଦନଶ୍ରୀରେ ଅତୀତ ଜୀବନର କାମନାର ପରିପୂର୍ତ୍ତି ଘଟିଛି ବୋଲି ଗୋଟାଏ ଆରାମଦାୟକ ପ୍ରସନ୍ନତା ଦେଖୁଥିବେ, ସେମାନେ ସେଇ ଲୋକଙ୍କୁ ଆଉ ଟିକିଏ ନିରେଖି ଦେଖନ୍ତୁ । ଦେଖିବେ, କେତେ ସଂସାରକୁ ଉଚ୍ଛନ୍ନ କରିବାରେ ରାଜକୀୟ କ୍ଷମତା ଓ ଅସଦ୍ଉପାୟ ଅବଲମ୍ୱିତ ସ୍ଵାର୍ଥ–ସାଧନା କିପରି ସେମାନଙ୍କୁ ନିର୍ଲ୍ଲଜ ଓ ନିଉଛୁଣା କରି ସଜାଇ ଧରିଛି ।

 

ଏଇଭଳି ଗୋଟିଏ ଲୋକ ବିପ୍ରଚରଣ । ସେତେବେଳର ଗଗନ ବକ୍ଷରେ ସେ ଗୋଟିଏ ତାରା । ଆଜି ବି ମିଞ୍ଜି ମିଞ୍ଜି ହୋଇ ବିପ୍ରଚରଣ ଜଳୁଛନ୍ତି ।

 

ଅବସର ପାଇଲା ପରେ ଚାଳିଶି ଏକର ଜମି ବଡ଼ ସମସ୍ୟାରେ ପକାଇଛି । ଯେତେବେଳେ ସେ କ୍ଷମତାରେ ଥିଲେ, ସେତେବେଳେ ନିଜର ଏ ଭୂଭାଗକୁ ସେ ଦୃଷ୍ଟି ଦେଇ ନ ଥିଲେ । ମାଆ ବସୁମତୀ ପଡ଼ିଛି ତ ପଡ଼ିଛି । ଏକ୍ଷଣି ପଡ଼ିଥାଉ । ଅର୍ଥାତ୍‍ ଚାରିପଟେ ସୁଅ ଛୁଟେଇ ଆସୁଛି । ଜମିଟା ଉପରେ କିଛି ଖର୍ଚ୍ଚ ନ କଲେ ତ ଆବାଦ ହେବ ନାଇଁ । ଅତଏବ ଅବସର ଗ୍ରହଣ କରିବା ପରେ ଯେତେବେଳେ ଲୋକଦେଖା ମନ୍ଦିର ଦର୍ଶନ ଓ ଲକ୍ଷ୍ମୀ ଦେଉଳ ଭିତରେ ପୁରାଣ ବାକ୍ୟ ଶ୍ରବଣ ଚାଲୁଥିବ, ମନର ସେଇ ଅମନୋଯୋଗ ସନ୍ଧି ଭିତରେ ଜମିଟାର ଭବିଷ୍ୟତ କଅଣ ହେବ ସେ ବିଷୟରେ ସେ ଚିନ୍ତା କରିପାରିବେ ।

 

ବିପ୍ରଚରଣ ସ୍ୱାର୍ଥ ଜିନିଷଟା କଅଣ ଖୁବ୍‍ ଭଲ ଚିହ୍ନନ୍ତି । ଯେତେବେଳେ ଛାତ୍ର ଅବସ୍ଥାରେ ଛାତ୍ରାବାସରେ ପଙ୍‍କ୍ତି ଭୋଜନରେ ବସୁଥିଲେ, ପ୍ରତିବେଶୀ ଭାଇର ଥାଳିଟି ଉପରେ ବିଜୁଳି ମାରିଲାଭଳି ଆଖି ଚଳେଇ କେତେ ଖଣ୍ଡି ମାଂସ ରହିଛି ଗଣି ଦେଉଥିଲେ । ଦେଖିଲେ ଯଦି ତାଙ୍କର ସଂଖ୍ୟାଠାରୁ ତା’ର ସଂଖ୍ୟା ଏକରେ ଅଧିକ, ତେବେ କୌଶଳରେ ଏମିତି ହାତଛେଉକାପଣ ଦେଖାଉଥିଲେ ଯେ ପ୍ରତିବେଶୀର ଗିନାର ଅର୍ଦ୍ଧେକ ସମ୍ପଦ ୟାଙ୍କର ଥାଳିକୁ ଚାଲିଆସୁଥିଲା । ଏଥିରେ ବିପ୍ରଚରଣ ଦିଗ୍‍ବିଜୟୀର ଗୌରବ ଭୋଗୁଥିଲେ ।

 

ଏ ପ୍ରବୃତ୍ତି ବଢ଼ିଲା । ଫଳରେ ଅଫିସ୍‍ର ପିନ୍‍କଣ୍ଟା, ପେନ୍‍ସିଲ, କାଗଜ ଘରକୁ ଆସିଲା-। ପୁଅ ଝିଅ ବାପାଙ୍କର ଏତେ ବଡ଼ ସାମ୍ରାଜ୍ୟ ଜାଣିପାରି ଏମିତି ବାପର ଚରଣ ତଳେ କୃତଜ୍ଞ ହୋଇ ଲୋଟି ଯାଉଥିଲେ । ଗୃହିଣୀଙ୍କ କଥା ଛାଡ଼ । ସେ ତ ଦେବତା ଜ୍ଞାନରେ ବିପ୍ରଚରଣଙ୍କୁ ପୂଜା କରୁଥିଲେ । ହ୍ୟାଣ୍ଡନୋଟ୍‍ ପରେ ହ୍ୟାଣ୍ଡନୋଟ୍‍ ଟ୍ରଙ୍କ ଭିତରକୁ ଆସିବା ଦୃଶ୍ୟରେ ସ୍ତ୍ରୀ ଯେତେବେଳେ ସ୍ଵାମୀଙ୍କର ପୌରୁଷର ଜିନ୍ଦାବାଦ କରିବସନ୍ତି ଓ ଅନ୍ୟ ମହିଳାମାନଙ୍କ ପାଖରେ ତାଙ୍କର ଗୁଣ ଗାୟନ କରନ୍ତି, ସେତେବେଳେ ଥରେ ଥରେ ଚୁଲି ଉପରକୁ ହାଣ୍ଡି ଚଢ଼ଉ ନ ଥିବା ସାଇପଡ଼ିଶାର ଦୁଃଖିନୀ ସ୍ତ୍ରୀମାନେ ଏକା ମଣିଷ ଭିତରେ ଜଣେ ଗରିବ ବିଧାତା କିଆଁ ସର୍ଜିଲା ବୋଲି ଭାବି ଅଦୃଷ୍ଟକୁ ଦୋଷ ଦେଉଥିଲେ ।

 

ଗାଁର ଉପାନ୍ତରେ ରେଳ ଲାଇନ୍‍ ଚାଲିଯାଇଛି । ଦୁଇପଟରେ ତାଳ ବନ । କେତେ ସୁନ୍ଦର ସେ ବନ–ନୀଳିମା । ଗାଡ଼ି ଯାଏ ଆସେ । ତା’ର ଗଗନବିଦାରୀ ଶବ୍ଦରେ ବାୟାବସାର ଦମ୍ପତି ଉଡ଼ିଯାଆନ୍ତି ଚାରିଆଡ଼େ । ପୁଣି ଟିକକ ସମୟ ପରେ କାକଳି ତୋଳି ଫେରିଆସନ୍ତି କୁଲାୟକୁ ।

ବିପରୀତ ଦିଗରୁ ଆସୁଥିଲେ ଆଉ ଜଣେ ବାହାଦୂର । ରାୟ କି ଦେବାନ୍‍ କହିବାରେ ତାଙ୍କର ବିଶେଷ ପରିଚୟ ଦେଇ ହେବ ନାହିଁ । ସମଗୋତ୍ରୀୟ ଜୀବ । ତେବେ ଏତିକି, ଏ କ୍ଷୁଦ୍ର ସର୍ପ; ଅଜଗର ଭଳି ୟାଙ୍କର ବିସ୍ତୃତି ନାହିଁ ।

“–କିହେ ଶ୍ୟାମସୁନ୍ଦର, ଖରାବେଳଟାରେ ଏଣିକି ଧସେଇଛ ? ତମର ରିଟାୟାର୍ଡ଼ ଜୀବନ କିମିତି କଟଉଛ ? ଗାଁରେ ନ ଥିଲ କି ?” କହି କହି ବିପ୍ରଚରଣ ଆଗେଇଗଲେ ।

ଶ୍ୟାମସୁନ୍ଦର ଲୋକଟି ବିନୟୀ–ଅର୍ଥାତ୍‍ ମୁଣ୍ଡଟି ତଳକୁ ପୋତି ଚାଲିବାର ଅଭ୍ୟାସ ଅଛି-। ସେ ଧୀରେ ମୁଣ୍ଡ ଉଠାଇଲେ; କହିଲେ–”ଆପଣ ତ ଜାଣିଥିବେ, ଆମର ରିଟାୟାର୍ଡ଼ ଲୋକଙ୍କର ଗୋଟାଏ ଅନୁଷ୍ଠାନ ହେଲାଣି । ଦେଶସେବା ହେଉଛି ଲକ୍ଷ୍ୟ । ଆପଣ କ’ଣ ମେମ୍ବର ହୋଇନାହାନ୍ତି ?”

ବିପ୍ରଚରଣ ହସିଲେ । ଲଙ୍କାରେ ହରି ଶବ୍ଦ ଭଳି ଗାନ୍ଧି ନାମ ଉଚ୍ଚାରଣ କରି ସେ କହିଲେ–”ଦେଖ, ଶ୍ୟାମସୁନ୍ଦର, ମେଳି ହୋଇ ଗୋଟାଏ ଅନୁଷ୍ଠାନ ଗଢ଼ି ଦେଲେ ଯେ ଦେଶସେବା ହୋଇଯିବ ଏପରି ନୁହେଁ । ଗାନ୍ଧି ଏ କଥା କହି ନ ଥିଲେ । ମୁଁ ନିଜେ ନିଜ ପନ୍ଥାରେ ଦେଶସେବା କରୁଛି । ଆଚ୍ଛା କହିଲ, ତୁମେ କେବେ ଦେଶ ବିଷୟରେ ଚିନ୍ତା କର ମିନିଟିଏ ? କଅଣ ଚିନ୍ତା କରୁଛ ? ଯଦି କରୁଥାଅ, ତେବେ ମୁଁ ପରୀକ୍ଷା କରିବି । ଚିନ୍ତା କରିବାର ଅଭ୍ୟାସ ତୁମର ଅଛି କି ନାହିଁ ସେଇଥିରୁ ଜଣାପଡ଼ିଯିବ । କୁହ, ଏଇ ଯେଉଁ ଭୂମି ଉପରେ ତୁମେ ଗୋଡ଼ ଦେଇ ଛିଡ଼ା ହୋଇଚ, ଏ ତ ପବିତ୍ର ଭୂମି । କିନ୍ତୁ ଏ ଭୂମି ମୋର । ମୁଁ ତାକୁ ଆହୁରି ପବିତ୍ର କରିବାକୁ ଇଚ୍ଛା କରୁଛି । କିମିତି କରିବି ? କହି ପାରିବ ?”

ଶ୍ୟାମସୁନ୍ଦରଙ୍କର ଚିନ୍ତା କରିବାର ଅଭ୍ୟାସ ପରୀକ୍ଷିତ ହେଉଛି ଜାଣି ସେ ବିକଳ ହୋଇ ଉଠିଲେଣି । କିଛି ତ ଗୋଟାଏ କହିବାକୁ ହେବ । ସେ ହଠାତ୍‍ କହିପକାଇଲେ–“ଦେଇ ଦିଅନ୍ତୁ ।”

“କ’ଣ କହିଲ, ଦେଇ ଦେବି ? ମାଗଣାରେ ?”

“ହଁ ଦେଇଦିଅନ୍ତୁ । ଆଜିକାଲି ଭୂମି ସବୁ ଦିଆହେଉଛି । ସେ ଏକ ପ୍ରକାର ଯଜ୍ଞ । ସେଇ ଯଜ୍ଞରେ ଘିଅ ଢାଳିଲା ଭଳି ଏତକ ସ୍ୱାହା କରି ଦିଅନ୍ତୁ । ପବିତ୍ରତର ହୋଇଯିବ ।”

“ତୁମେ କେତେ ଦେଲଣି ଶ୍ୟାମସୁନ୍ଦର ?”

“ସେ ପ୍ରଶ୍ନ ଉଠୁନାଇଁ ।”

“ଅର୍ଥାତ୍‍ ?”

“ମୋ ଜମି ଓ ଧନ ସମ୍ପତ୍ତିକୁ ମୁଁ ପବିତ୍ର କରିବାକୁ ଇଚ୍ଛା କରୁନାଇଁ । ଅପବିତ୍ର ମାର୍ଗରେ ମୁଁ ତାକୁ ଆଣିଛି । ସେଗୁଡ଼ାକ ଅପବିତ୍ର ରହିଥାଉ ।”

ବିପ୍ରଚରଣ ହସିଲେ । ହସ ମାଉଳିଯିବା ପରେ କହିଲେ–“ହାଁ, ଏବେ ମାନିଗଲା, ନାଁ ? ମୁଁ କଅଣ ଜାଣେନି କେଡ଼େ ଅପବିତ୍ର ଭାବରେ ତୁମେ ସମ୍ପତ୍ତି କରିଛ ! କେତେ ବିଧବାଙ୍କୁ ବଡ଼ଦାଣ୍ଡ ପେଜ ନଳା ପାଖରେ ବସେଇଛ, କେତେ କୁଳବୋହୂଙ୍କୁ ଟଙ୍କା ଲୋଭ ଦେଖାଇ କଲିକତା ସହରରେ ବିକିଛ ଆଉ ମୁନାଫା ପାଇଛ । ପୁଲିସ୍‍ ସାଙ୍ଗେ ସଲା ହୋଇ କାହାର କେତେ ଘର ବାଡ଼ି ନିଜର କରିଛ । ତମପାଇଁ ନରକ ଅଛି ହେ ଶ୍ୟାମସୁନ୍ଦର, ନରକ ଅଛି ! ଦେଖିଲ, ମୋ ସମ୍ପତ୍ତିରେ ଧୂଳିମଳି ଅଛି ? କାହାର ଲୁହ ଟୋପାଏ ଖସିଛି ? ସବୁ ଜଗନ୍ନାଥଙ୍କର ମହିମା । ଆସିବାର ଥିଲା, ଆସିଛି । ତେବେ କାଳେ କିଏ କଅଣ କହିବ ଏଇଥିପାଇଁ ମୁଁ ଅନ୍ତତଃ ଏଇ ଜମିତକ ପବିତ୍ର କରିବାକୁ ଚାହୁଁଛି ।’’

 

ଶ୍ୟାମସୁନ୍ଦରଙ୍କୁ ଖରା କାଟିଲାଣି । ଭିତର ଖରା ବି ବିନ୍ଧିଲାଣି । ବିପ୍ରଚରଣଙ୍କର ଭାଳେଣି ପଡ଼ିଲାଣି କାଳେ ଶ୍ୟାମ ଲେଉଟିପଡ଼ି ନାହୁଡ଼ ଖେଳେଇବ । କିନ୍ତୁ ଶ୍ୟାମ ସ୍ଥିତିପ୍ରଜ୍ଞ ଲୋକ-। ସଂଯମୀ । କେବଳ ସେ ଏତିକି କହିଲେ–“ଆଉ ଗୁଡ଼ାଏ ଖୋଳାଖୋଳି କାହିଁକି ହେବା-? ଆପଣ ଜାଣନ୍ତି ମୋ କଥା, ମୁଁ ବି ଜାଣେ ଆପଣଙ୍କ କଥା । ଆପଣ କହିଲେ ଜମିକୁ ପବିତ୍ର କରିବାର ଉପାୟ ବତାଅ–ମୁଁ କହିଲି ଦେଇ ଦିଅନ୍ତୁ–ରକ୍ଷାପାଇବେ । ବାଲିଆ ଜମି, ଘର ତୋଳିଲେ ଲୋକସାନ । ପାଣି ପାଖରେ ନାଇଁ । ପୋଖରୀ ଖୋଳେଇଲେ ଆପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ-। ରାସ୍ତା କରିବାକୁ ଗଲେ କେତେ ଖର୍ଚ୍ଚ ହେବ । କିଏ ବା ସେ ଘରେ ରହିବ ? ନାନାଦି ଅସୁବିଧା-। ତେଣୁ ଆଜିକାଲି ତ କେତେକ ବିବାଦୀୟ, ବାଲିଆ, ତେବୋତ୍ତର ଜମି ଅକାମୀ ହୋଇ ପଡ଼ିଛି–ସେଇତକ ଦାନ ଦିଆଯାଉଛ । ଏହାର ନାମ ସାଧନା, ମାନବନିଷ୍ଠ କଳ୍ପନା, କ୍ରାନ୍ତି, କେତେ କଅଣ ! ଓହୋ, ଆମେ ନାଁ’ରୁ କଅଣ ପାଇବା ? ଭୂଦାନ ଯଜ୍ଞକୁ ଦେଇଦିଅନ୍ତୁ । ମିଛରେ ଖରା ତାତିରେ ଜମିଟାକୁ ଅନେଇ ଅନେଇ କିପରି ଏଠି ସୁନା ଫଳିବ ବୋଲି ସ୍ୱପ୍ନ ଦେଖୁଥିବେ ଯଦି ଶେଷକୁ ସବୁ ଅଙ୍ଗାର ହୋଇଯିବ ।’’

 

ବିପ୍ରଚରଣ ସେତେବେଳେକୁ ରାଗିଗଲେଣି । କହିଲେ–“ଭୂଦାନ ? ଦାନ ? ଦାନ ଭୂଃ-?’’ ଏଇ ଭୂ କଥାଟା କହି କହି ସେ ଛେପ ନେଣ୍ଡାଏ ତଳକୁ ପକାଇଦେଲେ । ତାତ୍ସଲ୍ୟମିଶା କଥାଟା-!

 

ଶ୍ୟାମସୁନ୍ଦର ଆମକୁ ଚାଲିଲେ । ବିପ୍ରଚରଣଙ୍କୁ ଏଇଟା ବାଧିଲା । ତାଙ୍କର କ୍ରୋଧ ଶାନ୍ତ ହୋଇନାହିଁ । ତାଙ୍କ ପିନ୍ଧା କୁଞ୍ଚକୁ ଧରି ସେ ଗଣ୍ଠି ପକାଇ ପକାଇ କହିଲେ–“ ଶ୍ୟାମସୁନ୍ଦର, ମୋ କଥା ମିଛ ହେବ ନାଇଁ । ମୁଁ ଏ ଜମିକୁ ପବିତ୍ର କରିବି, ଏଥିରେ ସୁନା ଫଳେଇବି । ମୁଁ ଗାଡ଼ିଗାଡ଼ି ଗଙ୍ଗୋଦକ ଏହା ଉପରେ ଆଣି ଢାଳିବି କି ଏଠି ତୁଳସୀ ଗଛ ଲଗାଇ ପବିତ୍ର କରିବି, ସେ କଥା ବିପ୍ରଚରଣ ଦୁନିଆକୁ ଜଣାଇଦେବ । ମୁଁ ପୁଣି ଦାନ କରିଦେବି ? ଦେଖ ହେ, ଯେଉଁଦିନ ଏ ଜମିତକ ମୋର ହେଲା ସେ ଦିନ ଭୋଜିର ଦଶଗୋଟା ଖାସିର ଖର୍ଚ୍ଚ ଏଯାଏଁ ଏ ଭୂଇଁରୁ ଉଠିନାଇଁ-। ତମେ କହୁଛ ଦାନ କରିଦେବି ? ଭୂଃ...... I’’

 

ଦୁଇଟା ଧୂର୍ତ୍ତ ଏଣ୍ଡୁଅ ମୁଣ୍ଡ ଟୁଙ୍ଗାରି ବିପରୀତ ଦିଗକୁ ଚାଲିଗଲେ । ବିସ୍ତୀର୍ଣ୍ଣ ଜମି ପୂର୍ବପରି ପଡ଼ିରହିଲା–ନିଶ୍ଚଳ–ତା’ ଉପରେ ଅଧିକାର କାହାର ନାଇଁ । କିଏ ଏ କଥା ବୁଝିଲା ନାହିଁ-। କିଏ ବା ବୁଝିବ ?

 

ଯିଏ ସେ କଥା ବୁଝୁଛନ୍ତି, ବୁଝାଉଛନ୍ତି, ପାଦରେ ଚାଲି ଚାଲି ଗାଁକୁ ଗାଁ ଭୂଦାନ ଓ ନୂତନ ସମାଜର ବାର୍ତ୍ତା ବାଢ଼ୁଛନ୍ତି, ତାଙ୍କର କଥା ବଜାର ବାଟଘାଟରେ ପଡ଼ିଛି । ଲୋକ କାନ ଡେରି ଶୁଣୁଛନ୍ତି । ଜମି ଉପରେ ମାଲିକାନା ସ୍ୱତ୍ୱ କାହାର ନାହିଁ–ଖରା, ବର୍ଷା, ପବନ ଭଳି ଜମି ଉପରେ ଅଧିକାର ନାହିଁ–ଭୂମିହୀନ କୁ ଭୂମି ଦିଅ, ଯଜ୍ଞ କର–ଏଇପରି କେତେ କଥା ।

 

ସେଦିନ ସ୍ତ୍ରୀ ରାଜରାଣୀ ବିପ୍ରଚରଙ୍କୁ ଏଇ କଥା କହୁଥିଲେ । ସେବିକା ସଂପ୍ରଦାୟ ଗଢ଼ାଯାଇଛ । ରାଜରାଣୀ ସେ ସଂସ୍ଥାର ନେତ୍ରୀ । ବିପ୍ରଚରଣଙ୍କୁ ଏ କଥା ଭଲ ଲାଗି ନାହିଁ । ତଥାପି ଗାଁ ଗହଳରେ, ସହର ବଜାରରେ ସ୍ତ୍ରୀଙ୍କର ନାଁ ପଡ଼ିବ । ଲୋକେ ପ୍ରଶଂସା କରିବେ । କେଉଁ ରିଟାୟାର୍ଡ଼ ସ୍ଵାମୀ ଏ କଥା ନ ଚାହେଁ ? ପୁଣି ରାଜରାଣୀଙ୍କର ବୟସ ଖସିଛି । ତାଙ୍କୁ ଆଖି ଠାରି କେହି ନଓଯୱାନ୍‍ ରାସ୍ତା ଉପରେ ଇଙ୍ଗିତ ଦେବେ ନାହିଁ–ଏଇ ବିଶ୍ୱାସରେ ରିଟାୟାର୍ଡ଼ ସ୍ୱାମୀ ପରଦା ବାହାରକୁ ଦେଶସେବା କରିବାପାଇଁ ସ୍ତ୍ରୀଙ୍କୁ ଛାଡ଼ିଦେଇଛନ୍ତି ।

 

ଲାଭ ବି ହେଉଛି । ଲାଭ ନ ଥାଇ ଦେଶସେବା ବଣିଜ ବି ଚଳିବ ନାହିଁ । ଆମେରିକାନ୍‍ ଦୁଧ ପିମ୍ପା ରାଜରାଣୀଙ୍କର ମାରଫତରେ ଅଛି । ଭାଗ୍ୟକୁ ଦୁଧିଆଳି ଗାଈ ଛଡ଼େଇ ଯାଇଚି । ଆମେରିକାନ୍‍ ଦୁଗ୍ଧରେ ଅର୍ଦ୍ଧେକ ବିପ୍ରଚରଣଙ୍କ ପିଲାପିଲି ସେବା ମାତ୍ର କରୁଛନ୍ତି । ଯେଉଁ ସହୃଦୟ ମାର୍କିନ୍‍ ବନ୍ଧୁ ଭାରତର ଲକ୍ଷ ଲକ୍ଷ ଜୀର୍ଣ୍ଣ ଶିଶୁଙ୍କ ପାଇଁ ଦୁଗ୍ଧ ପ୍ରେରଣ କରିଥିଲେ, ତାହା ଦେଶସେବିକାଙ୍କ ହାତରେ ପଡ଼ି ସେବିତ ହେଉଛି, ଏଥିରେ ସନ୍ଦେହ ନାଇଁ । ତେଣୁ ବିଷୟଟାକୁ ଊର୍ଦ୍ଧ୍ୱ ଅଧଃ ଚାରିଆଡ଼େ ବିଚାର କରି ବିପ୍ରଚରଣ ସ୍ତ୍ରୀଙ୍କୁ ସଭାସମିତି ଓ ଜନକଲ୍ୟାଣ ପାଇଁ ବସିଥିବା ସଂସ୍ଥାଗୁଡ଼ିକରେ ନେତୃତ୍ଵ ନେବା ପାଇଁ ଛାଡ଼ିଦେଇଛନ୍ତି ।

 

କଥାବାର୍ତ୍ତା ଏହିପରି ଚାଲିଥିଲା–“ହଇଓ, ଏ ଚାଳିଶ ଏକର ଜମି ପଡ଼ିଆ ପଡ଼ିଛି । କିଛି ଗୋଟାଏ ସଙ୍ଗଠନ ନାଁରେ ଏହାର ହେପାଜତ ହୋଇପାରିବନି ? ତମ ମାଇପିଙ୍କଆଡ଼ୁ ଗୋଟାଏ କିଛି ପ୍ରସ୍ତାବ ଜିଲ୍ଲା କିଲଟରଙ୍କ ପାଖକୁ ଯାଉ । “ବିପ୍ରଚରଣ ଖଣ୍ଡିଏ ବିଡ଼ି ଟାଣୁ ଟାଣୁ ଏ କଥା କହିଲେ ।

 

ରାଜରାଣୀ ନିଜର ମୁଣିଟିକୁ ଖୋଲି ଗୋଟାଏ ପ୍ରଚାରପତ୍ର ବାହାର କଲେ । ତାହା ହେଉଛି ବିନୋବାଜୀଙ୍କର ଆଗମନ ଓ ରହଣିର କାର୍ଯ୍ୟ ନିର୍ଘଣ୍ଟ । ସେହି ସ୍ଥଳକୁ ସେ ଆସିବେ ଦୁଇମାସ ପରେ । ବୁଦ୍ଧିମତି ରାଜରାଣୀ କଅଣ କରିବାକୁ ହେବ ସ୍ଥିର କରି ନେଲେ । ଆଖିରେ ବିତ୍ୟୁତ୍‍ ଝଳସିଲା । ମୁଁହରେ ହସ ଖେଳିଲା । ଛୋଟ ଦର୍ପଣଟିରେ ମୁହଁ ଦେଖିନେଲେ । ଯୌବନ କ୍ରାନ୍ତି ଡେଇଁଲଣି । ଦାନରେ ବହୁ ଅଂଶ ବ୍ୟୟିତ ହୋଇଛି । ଦୁଃଖ ନାହିଁ ।

 

କହିଲେ, “ଶୁଣ, ମୁଁ ତା’ର ବ୍ୟବସ୍ଥା କରିବି । ଆଜି ଗୋଟାଏ ମିଟିଂ ଅଛି କିଲଟର ସାହେବଙ୍କ ସାଙ୍ଗେ । ଆଉ ସବୁ ଲୋକ ଆସିବେ । ଜମି ଖୋଜା ଚାଲିଛି କେଉଁଠି ମେଳା ବସିବ । ଠିକ୍‍ ବେଳେ ମନେ କରି ଦେଇଛ । ମଲା, ମୋ ମନକୁ ଏ ସବୁ ବ୍ୟବସାୟ ବୃଦ୍ଧି କଅଣ ଆସୁଛି ?

 

ସତେ ଗୋ, ଆମର ଚାଳିଶି ଏକର ଜମି–ମାଆ ବସୁନ୍ଧରା ଉପରକୁ ଅନେଇଁ ପଡ଼ିଚି । ତା’ ଉପରେ କେଉଁ ମହାପୁରୁଷଙ୍କ ପାଦ ପଡ଼ିଲା ନାଇଁ–ଗାଡ଼ି ମଟର ତା ଛାତିକୁ ଛୁଇଁଲା ନାଇଁ–ହଜାର ହଜାର ଲୋକଙ୍କର ରୋଷ ବସିଲା ନାହିଁ । ଏ କେମିତି କଥା ? ମୁଁ କରିଦେବି । ଆଚ୍ଛା, ମତେ କଅଣ ଦେବ କହିଲ ?”

 

ପ୍ରଣୟ ମିଥ୍ୟା କଥା । କେତେ ବର୍ଷ ତଳେ ଏମିତି ଏକାଠି ବସି କଥା କହୁ କହୁ ରାଜରାଣୀ ବିପ୍ରଚରଣଙ୍କୁ ‘କଅଣ ଦବ ?’ କହି ଉତାଲା କରୁଥିଲେ । ସେଇ ଅଭ୍ୟାସ ରହିଯାଇଛି । କେହି କାହାକୁ କିଛି ଦେବାର ଶକ୍ତି କାହା ପାଖରେ ନ ଥିଲେ ବି. ପ୍ରଣୟ ରହିଛି, ସ୍ମୃତି ରହିଛି ।

 

“ଦେବି ? କଅଣ ଦେବି–ସବୁ ତ ନେଇଚ ! ଏଣିକି ଆହୁରି ଦେବା ପାଇଁ ଚେଷ୍ଟା କରିବି-। ପାରୁଛି କି ନାଇଁ କହି ପାରିବି ନାଇଁ ।”ଏତକ ରସିକତା କରି ରିଟାୟାର୍ଡ଼ ବିପ୍ରଚରଣ କହିଲେ-

 

ଖିଲେ ପାନ ମକଚି ମକଚି ରାଜରାଣୀ ପାଟି ଭିତରକୁ ପକେଇ ଦେଲେ । କହିଲେ–” ସାତଦିନ ଭିତରେ ସବୁ ଠିକ୍‍ ହେଇଯିବ । ଯଦି କେଉଁଆଡ଼ୁ ବିରୋଧ ଆସେ, ତେବେ ଭ୍ରୂ ନଚେଇ, ନାକକାନ୍ଦଣା କାନ୍ଦି, ଆମର ଯାହା କିଛି ଅସ୍ତ୍ର ଅଛି ତାହା ଫୋପାଡ଼ି ଏ କାର୍ଯ୍ୟ ସିଦ୍ଧି କରିବି ।”

 

ବିପ୍ରଚରଣ ଭାଗ୍ୟ ରେଖା ଗଣିଲେ । ରାଶିଫଳ ଦେଖିଲେ ।

 

X X X

 

ଦୁଇ ମାସ ପରେ...

 

ବିପ୍ରଚରଣଙ୍କର ଚାଳିଶି ଏକର ଧରିତ୍ରୀ ହସିଲା । ମ୍ୟୁନିସିପାଲଟି ରାସ୍ତା ତିଆରି କରିଛି–ପିଚୁ ଢଳା ରାସ୍ତା । ଚାରିଆଡ଼େ କଳକୂଅ । ସ୍ଥାନଟା ନାମିତ ହେଲା ‘ବିନୋବା ନଗର’ । ହଜାର ହଜାର ଲୋକଙ୍କର ସମାଗମ । ହଜାର ହଜାର ନଡ଼ିଆ ଚାଞ୍ଚରେ ଛାମୁଣ୍ଡିଆ ବନ୍ଧାଯାଇଛି ।

 

ପାଖରେ ପୋଖରୀଟିଏ ଖୋଳାଯାଉଛି । ଜଳର ଆଧାର । ପାଖଆଖ ଦୁଃଖୀ, ଶୋଷୀ ଜଳର ବ୍ୟବହାର କରିବେ ଏଇ ପୋଖରୀରୁ । ନିଜେ ବିନୋବାଜୀ ପ୍ରଥମେ ଚାଳୁଏ ପାଣି ଏଠାରେ ଗ୍ରହଣ କରି ଜଳାଶୟ ଉଦ୍‍ଘାଟନ କରିବେ ।

 

ଚାରିଆଡ଼େ ଆନନ୍ଦ । ବିପ୍ରଚରଣଙ୍କର ଆନନ୍ଦ କ୍ରମେ ବଢ଼ୁଛି । ଏତେ ବଢ଼ୁଛି ଯେ ସେ ଥରେ ଥରେ ଝୋଲମରା ହୋଇଯାଉଛନ୍ତି ।

 

ଶ୍ରୀମତୀ ରାଜରାଣୀ ମତ୍ସ୍ୟ ବିଭାଗକୁ ଆବେଦନ କରିଛନ୍ତି ଯେ ନୂଆ ପୋଖରୀଟିରେ ଏତିକି ବେଳୁ ଯାଅଁଳ ଛାଡ଼ିଦିଅନ୍ତୁ । ମାଛଗୁଡ଼ି ଅହିଂସ ଲୋକଙ୍କ ସମାଗମରେ ଶେଷକୁ ଅହିଂସ ହୋଇଯିବେ ।

 

ଘର ତୋଳା ଚାଲିଛି । ବିପ୍ରଚରଣ ଘରତୋଳା ପ୍ରସ୍ତାବକୁ ଟିକିଏ ମାଠିମୁଠି ଛାତଟାକୁ ଯେପରି ସିମେଣ୍ଟ ଚାଦର ଦେଇ ବନେଇବାକୁ ହେବ, ସେଇ ପ୍ରସ୍ତାବ ଦେଇଛନ୍ତି । ଫଳରେ କେତୋଟି ସୁନ୍ଦର ବୁଦୁବୁଦିକିଆ କ୍ୱାଟର ତିଆରି ସରିଲାଣି । ରାଜ୍ୟରୁ ବହୁ ସମ୍ଭ୍ରାନ୍ତ ଲୋକେ ଆସିବେ । ସେମାନଙ୍କର ଯୋଗ୍ୟ ଆବାସଗୁଡ଼ିଏ ନ ତୋଳିଲେ ହେବ କିପରି ?

 

ଏଇ ଚାଳିଶି ଏକର ଜମି ପାଖେ ପାଖେ ଯେଉଁ ବାବୁମାନେ ଜମି କିଣି ଏ ଯାଏ ପକେଇ ରଖିଥିଲେ, ସେମାନେ ବିପ୍ରଚାରଣଙ୍କ ବୁଦ୍ଧିକୁ କେଉଁ ଭାଷାରେ ତାରିଫ୍‍ କରିବେ ବୁଝିପାରିଲେ ନାହିଁ ।

 

ତାଙ୍କ ଭିତରୁ ସଦାଶିବ ମିଶ୍ରେ କହିଲେ–”ହଇଏ ବିପ୍ରଚରଣ, କି ବୁଦ୍ଧି ଟାଏ ନ ଖଟେଇଲ ? ବେଳ ଉଣ୍ଡି ବାଲିଆ ଜମି ତାଡ଼ି ପୋଖରୀ ଖୋଳେଇଲ, ରାସ୍ତା ପକେଇଲ, ଘର ତିଆରି କଲ, ପାଇଖାନା ବସାଇଲ, ପୁଣି ପୋଖରୀ ଭିତରେ ମାଛ ଖେଳେଇଲ । ଅଥଚ ହାତରୁ ଗୋଟିଏ ପଇସା ଲାଗିଲି ନାହିଁ । କି ଦୂରଦୃଷ୍ଟି ସତେ !”

 

ନିଧି ପଟ୍ଟନାୟକ କଥାର ଖିଅଟାକୁ ଲମ୍ବେଇ କହିଲେ–”ଆମ ପଟକୁ ରାସ୍ତା ଛୁଉଁଛି । ପୋଖରୀ ଟା ତ କୋଠ କରିଦେବା । କଳକୂଅ ତ ସବୁଆଡ଼େ ବସିଲାଣି । ଆଉ କଅଣ ସତେ ଡିଷ୍ଟ୍ରିକ୍ଟ ବୋର୍ଡ଼ କୂଅଗୁଡ଼ାକ ଉଠାଇ ନେବ ? ଯାହାହେଉ, ପାରିବାରପଣ ଦେଖାଇଲ ବିପ୍ରଚରଣ ।”

ସମସ୍ତେ ଏହିପରି କଥା କହିଲେ । ଛାତ୍ରବାସର ସାଙ୍ଗ ଭାଇ ଥାଳୀରୁ ମାଂସ ଖଣ୍ଡି ଉଠାଇ ଆଣିବାବେଳେ ଯେଉଁ ଦିଗ୍‍ବିଜୟ ଢଙ୍ଗ ବିପ୍ରଚରଣଙ୍କର ଆୟତ୍ତ ଥିଲା, ଆଜି ଶୁଖିଲାରେ ବାଳିଆ ପିଟି ସେ ଏବେ ମାଛତେଲରେ ମାଛ ଭାଜି ଦେଲେ । ଆଃ, ଖଣ୍ଡ ଖଣ୍ଡ ଭଜା ମାଛ–କି ଚିକ୍କଣ !

ବିନୋବାଜୀ ତାଙ୍କ ପ୍ରାର୍ଥନାନ୍ତିକ ଭାଷଣ ଶେଷ କରି ଅନ୍ୟ ଗାଁକୁ ଗଲେଣି । ମେଳା ମଉଳିଆ । ତପସ୍ୱୀ, ପରିବ୍ରାଜକ–ସେ କାହୁଁ ବୁଝିବେ ମଣିଷ ହିଁ ମଣିଷ ? ତା’ର ଦୃଦୟ ପରିବର୍ତ୍ତନ ଏତେ ସହଜ କଥା ନୁହେଁ ।

ଏବେ ସେଇ ଜମି ଉପରେ ସୁନ୍ଦର ରାସ୍ତା, ଉଦ୍ୟାନ, ପୁଷ୍କରିଣୀ ଶୋଭୁଛି । ଘର ବି ଭଡ଼ାରେ ମିଳୁଛି । ମାଛ ବଡ଼ ବଡ଼ ହେଲେଣି । ଗୋଟାଏ ଗୋଟାଏ ପାଞ୍ଚସେରିଆ ମିଳିବେ ।

ଏ ସବୁର ଅଧୀଶ୍ଵର ବିପ୍ରଚରଣ । ବିନୋବାଙ୍କର ପଦଧୂଳି ପଡ଼ି ଷ୍ଟେସନ ପାଖ ଜମି ପବିତ୍ରତର ହେଲା । ଗାଡ଼ି ଗାଡ଼ି ଗଙ୍ଗୋଦକ ଧାଡ଼ି ଧାଡ଼ି ତୁଳସୀ ବୃକ୍ଷ ରୋପଣ ଦରକାର ନାହିଁ ।

ଦରକାର ଥିଲା ଚାଇଁଆ ବୁଦ୍ଧି । ସେଇ ବୁଦ୍ଧିତକ ଏବେ ପ୍ରୟୋଗ କଲେ ଓ କରୁଛନ୍ତି ବହୁ ବିପ୍ରଚରଣ ।

ଶ୍ୟାମସୁନ୍ଦର ଥରେ ଦେଖାକରି କହିଲେ–“ହାରିଗଲି ଗୁରୁଦେବ, ନମସ୍ତେ ! ସେଦିନ କାହିଁକି ଯେ ତତଲା ବାଲି ଉପରେ ଛିଡ଼ା ହୋଇ ମା’ ଧରିତ୍ରୀକୁ ଦର୍ଶନ ଦେଉଥିଲ ଏବେ ବୁଝିଲି । ଆପଣଙ୍କ ଭଳି ଲୋକ ନ ଥିଲେ ପୃଥିବୀଟା ନିରସ ଜଣାପଡ଼ନ୍ତା ।”

 

ରାଜରାଣୀ ଘରୁ ବାହାରିଆସି ଅଣ୍ଟାରେ ପଣତ ଖୋସୁ ଖୋସୁ କହିଲେ–“ମୋର କଅଣ ଭାଗ ନାଇଁ–ଖାଲି ତାଙ୍କରି ? ନାରୀ ଆଦ୍ୟାଶକ୍ତି; ସେ ଶକ୍ତି ଦେଲା ବୋଲି ସିନା ତା’ ଶକ୍ତି ଆଗରେ କଲେକ୍ଟର, ମ୍ୟୁନିସିପାଲିଟି, ଡିଷ୍ଟ୍ରିକ୍ଟବୋର୍ଡ଼ ସବୁ କାବୁ ହୋଇଗଲେ ।”

 

ତେଣେ ପରିବ୍ରାଜକ ଗାଁକୁ ଗାଁ ବୁଲୁଛନ୍ତି । ସତ୍ୟ ସମାଚାର ପ୍ରଚାର କରୁଛନ୍ତି । ତାଙ୍କର କଣ୍ଠଧ୍ଵନି ଭାସି ଆସୁଛି–ନିର୍ମଳ, ନିରହଙ୍କାର । ତାହା କିନ୍ତୁ ମଣିଷର ହୃଦୟକୁ ଛୁଉଁ ନାହିଁ । ମଣିଷ ମଣିଷ ଭାବରେ ରହିଗଲା–ଅତି ଦୁର୍ବଳ–ଅତି କଦାକାର–ଅତି ଅମଣିଷ । ତାହାହିଁ କଅଣ ତା’ର ପ୍ରକୃତ ଓ ସତ୍ୟ ପରିଚୟ ନୁହେଁ ?

Image

 

Unknown

ଏ ନିଶା କାହିଁକି ?

 

ଲୋକେ ଦୁଃଖ ଭୁଲିବାକୁ ମଦ ପିଅନ୍ତି । କ୍ଲବ ଘରେ ଦଶଜଣଙ୍କ ସଙ୍ଗେ ମିଶି ହଇ–ହିଲୋଡ଼ କରିବାକୁ ସନ୍ଧ୍ୟାଟା ସେଇଠି ବିତାନ୍ତି । ଘରଜଞ୍ଜାଳରୁ ମୁକ୍ତ ହେବା ପାଇଁ ନାନା ପ୍ରକାର ସ୍ଵାଦର ଆୟୋଜନ କରନ୍ତି । ସମସ୍ତେ ଏ କଥା ଜାଣନ୍ତି । ସୁରାପାୟୀକୁ ସେଥିପାଇଁ ସମସ୍ତେ ଘୃଣା କରନ୍ତି ନାହିଁ । କେଉଁଠି ହେଲେ ଅନ୍ତରର ଅନ୍ତର ଭିତରେ ତା’ ପାଇଁ ଟିକିଏ ସ୍ନେହ ଥାଏ ।

 

ଯିଏ ନିଜକୁ ଭସାଇ ଦିଏ, ସେ ଭାବେନି ସେ କେତେ ଦୂର ଭାସିଯାଉଛି । କୂଳରେ ଛିଡ଼ା ହୋଇଥିବା ଦେଖଣାହାରୀ ବୁଝିପାରନ୍ତି ଲୋକଟା କେତେ ଦୂର ଭାସିଯାଇଛି ଓ କେବେ କେଉଁଠି ସେ ବୁଡ଼ିଯିବ ।

 

ଏଥର ନିର୍ବାଚନରେ ପ୍ରିକାଇଡିଂ ଅଫିସର ହୋଇ ଓଡ଼ିଶାର ଗାଁଗହଳକୁ ଯାଇପାରି ନାହିଁ । ପୂର୍ବଥରମାନଙ୍କର ବଳଦ ଏବେ ବି ଜମି କର୍ଷଣ କରୁଛନ୍ତି, ଶଗଡ଼ ବୁହାଉଛନ୍ତି–ବଳଦ ବଳଦରେ ରହିଛି । ଆଗେ ବରଗଛ ଥିଲା–ଝଙ୍କାଳିଆ ବରଗଛ । ଗାଁ ଗାଁକେ ଗାଁମୁଣ୍ଡ ପାଖରେ ବରଗଛ ଏବେ ବି ରହିଛି । ମହା ଆଶ୍ଵାସନାର ପ୍ରଚ୍ଛାୟମାନ ଏଇ ବନସ୍ପତି ତଳେ ଲୋକେ ଜାନିଯାତ୍ରାର ଆୟୋଜନ କରନ୍ତି । ସାଙ୍ଗମେଳରେ ବସନ୍ତି । ବରଗଛ ସେମାନଙ୍କୁ ଗୋବର୍ଦ୍ଧନ ଗିରି ଭଳି ଆଶ୍ରୟ ଦେଇଥାଏ ।

 

ଏଥର ନିର୍ବାଚନରେ ଏଇ ଝଙ୍କାଳିଆ ବରଗଛକୁ ସମସ୍ତେ ଭୁଲିଗଲେ । ତା’ ଦେହର ସୁନ୍ଦରମୁଣ୍ଡୀ ବାଉତି ଠାକୁରାଣୀଙ୍କୁ ବି ଭୁଲିଗଲେ ।

 

ତା’ ଜାଗାରେ ଏବେ ବସ୍ତିସାରା ଚାଳଘର । ଦରିଦ୍ର ଓଡ଼ିଆର ସୁରମ୍ୟ ପ୍ରାସାଦ ଏଇ ଚାଳଘର । କେତେ ଜଣଙ୍କର ବା ଏଇ ଚାଳଘର ଅଛି ? ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କର କିରଣକୁ ନିଜ ଅନ୍ତରରେ ଧାରଣ କରୁଥିବା ଚାଳଘରଗୁଡ଼ିକ ଆଜି ଓଡ଼ିଶାର ଗାଁରେ ଗାଁରେ ରହିଛି । ଭିତରେ ଓଡ଼ିଆ ଘରଣୀ ସଂଧ୍ୟା ଦୀପ ଧରି ନଇଁଯାଏ ତୁଳସୀ ଲତା ପାଖକୁ । ଦୁଇସନ ଲାଗେ ଲାଗେ ଘର ଜଳିଥିଲା । ଏଥର ବି ଜଳିବ । ପୋଡ଼ା କାଠ, ପୋଡ଼ା ଅଙ୍ଗାରରୁ ଜନ୍ମ ନେବ ନୂଆ ଚାଳଘର । ସାମ୍ୟବାଦ, ନୂଆ ସାମ୍ୟବାଦ ।

 

ସବୁ ଘର ଏମିତି ଜଳେ–ଜଳିବ । କାହାର ଭିତର ଜଳୁଛି–କାହାର ବା ବାହାର । ଯୋଜନା ଚାଲିଛି ତା ବାଟରେ, ଲୋକେ ଚାଲିଛନ୍ତି ତାଙ୍କ ବାଟରେ । ଚାଳଘର ରହିଛି । ଲୋକେ ବାହାରୁ ପଶିଗଲେ ଭିତରକୁ, ଆଗେ ତାଙ୍କୁ ଅଭ୍ୟର୍ଥନା କରିବ ଗୃହସ୍ଥର ଗୋରୁ ଗୋହାଳ–ତା ପାଖରେ ଛେଳି ମେଣ୍ଢା ଖୁଆଡ଼ । ପୁରୀକ୍ଷ, ମୁତ୍ର, ପଚାଖତ, କୁଟାଯେତେକ ଆବର୍ଜନାର ଦୁର୍ଗନ୍ଧ ଭାସିଆସିବ । ନାକରେ ଲୁଗା ଦେଇ ବି ଜଠର ଭିତରୁ ଯାହା ବାହାରିବାର ଉପକ୍ରମ କରିବ, ତାହାକୁ ସହି ନେଇ ଆଗନ୍ତୁକ ଦଉଡ଼ି ପଳେଇବ ଯୋଜନ ଦୂରକୁ ।

 

ଦୁଇ ଦୁଇଟା ନିର୍ବାଚନ ପରେ ମିଳିତ, ଅମିଳିତ, ସମ୍ମିଳିତ, ପ୍ରୀତ, ଅପ୍ରୀତ ସବୁ ପ୍ରକାର ମନ୍ତ୍ରୀତ୍ଵ ପରେ ଚାଳିଘର ରହିଛି–ରହିଥିବ । ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଓଡ଼ିଆ ସମସ୍ତଙ୍କ ଥାଳରେ ଭୋଟ ଦେଉଥିବ ।

 

ଏ ତ ଆମର ପରମ୍ପରା । ବେଦ, ଉପନିଷଦ, ପୁରାଣ ତ ଏଇସବୁ ବାଣୀ ଆମକୁ ଶୁଣାଉଛି–ସମସ୍ତଙ୍କୁ ସନ୍ତୁଷ୍ଟ କର–କାହା ମନରେ ଦୁଃଖ ଦିଅନାହିଁ ! ଭାରତ ବନ୍ଦ୍ୟ ଓଡ଼ିଆର ଏଇ ସମସ୍ତଙ୍କୁ ସନ୍ତୋଷ ଦେବାର ଇଚ୍ଛା ନିର୍ବାଚନ–ଥାଳରେ ଅଚାଣ୍ଡାଳ ବ୍ରାହ୍ମଣଙ୍କୁ ମାଂସ ପଲଉ ପରିବେଷଣ କରୁଛି ।

 

ଆଉ ରହିଲା ମଶାଲ । ଏ ତ ସବୁବେଳେ ସମାନଭାବରେ ଜଳେ ନାହିଁ । କେତେବେଳେ ପ୍ରବଳ, କେତେବେଳେ ଦୁର୍ବଳ, କେତେବେଳେ ଧିମେଇ ଧିମେଇ ମଶାଲ ଜଳେ ।

 

ମଶା ଜଳେ ତୈଳାକ୍ତ ଦେହରେ । ଧୀର ପବନ ସୋତ ତା’ର ଜ୍ୱଳନ ପାଇଁ ଦରକାର । ଗାଁବାଲା ମଶାଲକୁ ଚିହ୍ନନ୍ତି–ରାଣୀ ଆଉ ଦ୍ଵାରୀ ମୁହଁ ପାଖରେ ଯେତେବେଳେ ମଶାଲ ଖଣ୍ଡକ ଏପଟ ସେପଟ ହେଉଥାଏ ରାଣୀ ଗୀତ ବୋଲି ନାଚୁଥାନ୍ତି, ଦ୍ୱାରୀ ବି ରାଣୀଙ୍କ ପୁଷ୍ପାଙ୍ଗକୁ ଛୁଇଁଦେଇ ନାଚିଯାନ୍ତି । ସେତେବେଳେ ମଶାଲବାହକଙ୍କର ଶକ୍ତି ଥିବା ଦରକାର କେଉଁଆଡ଼କୁ ମଶାଲ ଦେଖାଇ ରାଣୀଙ୍କ ନୃତ୍ୟ ଓ ସୌନ୍ଦର୍ଯ୍ୟକୁ ଉଜ୍ଜ୍ୱଳ କରିବ, ଆଉ ଠିକ କେତେବେଳେ ଦ୍ଵାରୀର ମୁହଁ ପାଖରେ ମଶାଲ ହଲେଇବ ।

 

ଆଜି ରାଣୀ ଥାଇ ନଥିଲାପରି । ଦ୍ୱାରୀବହୁଳ ଏ ଓଡ଼ିଶାଟା କେବଳ ଦରବାରୀ କାନାଡ଼ା ଗାଇବାରେ ବ୍ୟସ୍ତ । ମଶାଲ ଦେଖେଇ ଦେଖେଇ କେତେ ବାଟ ବା ଆମେ ଯିବା ! ଯେ ଧରିଥିବ ସେ କିଛିକାଳପରେ ତେଲେଇଯିବ, ଆଉଯାହା ମୁହଁ ପାଖେ ମଶାଲ ଏପଟ ସେପଟ ହେଉଥିବ, ତା’ ମୁହଁର ଚର୍ବି ତରଳି ଯିବ–ବୋହିଆସିବ ଗୋଟିଏ ଧାରାରେ ।

 

ଧନୁଶରଧାରୀ ରାମଚନ୍ଦ୍ର, ଲକ୍ଷ୍ମଣ, ସୁର ଅସୁରଙ୍କ ଯୁଗ କାଳ ପ୍ରବାହରେ ଗଡ଼ି ଯାଇଛି । ତଥାପି ଓଡ଼ିଶାର ବଣ ଜଙ୍ଗଲ ଉହାଡ଼ରେ ଧନୁ ଅଛି, ଶର ବି ଅଛି–ଶରାହତ ହେବା ଭଳି ମଣିଷ ବି ଅଛନ୍ତି । ବୀର ହୁଙ୍କାରରେ ଧନୁଶର ଧରି କ୍ଷେପି ଆସିବାର ଭଙ୍ଗୀ ଆଜି ଓଡ଼ିଶାରେ ଘରେ ଘରେ ନ ହେଲେ ବି କେଉଁଠି କେଉଁଠି ଦେଖିବାକୁ ମିଳେ । ଗୁଳା ବାରୁଦର ପୂର୍ବପୁରୁଷ ଏକ ଧନୁଶର ଏବେ ବି ବ୍ୟବହୃତ ହେଉଛି । ପୁଷ୍ପ ଧନ୍ୱାଙ୍କର ଧନୁ ଦେହରୁ କେତେ ପୁଷ୍ପଶର ଖସି ଆସି ବାଜିଛି ରାଣୀ, ମହାରାଣୀ,ତିଳୋତ୍ତମା, ମେନକା, ଉର୍ବଶୀଙ୍କ ବକ୍ଷ ପଞ୍ଜରରେ ।

 

ଓଟ ପିଠିରେ କୁଜାହୋଇ ବସିବା ଅପେକ୍ଷା ସିଧାସଳଖ ରାଜରାସ୍ତା ଉପରେ ଚାଲିବା ଭଲ । ମରୁଭୂମିର ଓଟ ଆଜି ନଦୀମାତୃକ ଓଡ଼ିଶାରେ ପଦ ରଖିଯାଇଛି । ବିଦେଶୀ ଓଟ ଏକା ଥରକେ ଶହେ ଗ୍ୟାଲନ୍‍ ପାଣି ରଖେ ତା’ର ପାକସ୍ଥଳୀରେ । ସେଥିରୁ ଟିକିଏ ଟିକିଏ ପିଇ ତୃଷା ନିବାରଣ କରେ । ସେ କେତେବେଳେ ପିଏ, କେବେ ମରୁଭୂମି ସହିତ ଯୋଗାଯୋଗ ରଖେ ଜାଣିବା ସହଜ ନୁହେଁ । ଏହି ଓଟ ଆଜି କମାଏତମାନଙ୍କ ସହ ଓଡ଼ିଶାରେ ଘୂରି ବୁଲୁଛି ।

 

ନାରୀ ହିଁ ଏକମାତ୍ର ତାରକା । ଅଶାନ୍ତ ପ୍ରାଣରେ ଶାନ୍ତିର ପ୍ରଲେପ ଢାଳିବାପାଇଁ ଚନ୍ଦ୍ରର ଜ୍ୟୋତି ସେତେ ଉପାଦେୟ ନୁହେଁ । ଚନ୍ଦ୍ର ସବୁ ଧରାପକାଇ ଦିଏ । ଦୀପ୍ତ କରିବା ତା’ର ସ୍ୱଭାବ । ଏତେ ଦୀପ୍ତି ଆମର ଦରକାର ନାହିଁ । ଅଭିସାରିକା ପାଇଁ କ୍ଷୀଣ ଜ୍ୟୋତିର ନକ୍ଷତ୍ରମଣ୍ଡଳୀ ଆମର ବାଞ୍ଛନୀୟ । ପ୍ରମତ୍ତ ଆନନ୍ଦ ବିଭୋର ପୁରୁଷ ପ୍ରତି ଜ୍ୟୋସ୍ନା ହୁଏତ ଉତ୍ତେଜିତ ହୋଇପାରେ; କିନ୍ତୁ ସେ ନାରୀ ଦୟିତ ସହିତ ମିଳିତ ହେବାପାଇଁ ଧୀର ପଦକ୍ଷେପରେ ସଙ୍କେତ ସ୍ଥଳକୁ ଯାଇଛି, ତା’ ପାଇଁ ନୀଳ ପ୍ରଶାନ୍ତ ଆକାଶର କେତୋଟି ମୁହଁଲୁଚା, ଆଖିଝିପା, ଝିପିଝିପି–ହସା ତାରକା ଦରକାର-

 

କେତନରେ ତାରକା ଚିହ୍ନ ଧରି ନାରୀ ଚାଲିଛି ଆଜି ଦେଶସେବା କରିବା ପାଇଁ । ଏହାର ପୂର୍ବପୁରୁଷ ଚ୍ଛାଞ୍ଚୁଣୀମୁଠା ଦୁଃଖରେ ପଡ଼ିରହିଛି ଓଡ଼ିଶାର ଅଗଣିତ ଗୃହାଙ୍ଗନରେ । ସେ ଅଙ୍ଗନରେ ହୁଏତ ମଳିନତା ଆଉ ନାହିଁ ! ଚ୍ଛାଞ୍ଚୁଣୀ ଆଉ କାହାକୁ ସଫାକରିବ ? ଭିତରଟା ପରିଷ୍କାର ଥିବାରୁ ସିନା ବାହାରଟାକୁ ପରିଷ୍କୁତ କରିବା ପାଇଁ ଏତେ ଆୟୋଜନ ?

ଭାବୁଥିଲି, ସେମାନେ କେଉଁ ଦେଶରେ ଜନ୍ମନେଲେ, କନ୍ୟା ଥାଇ ବଧୂ ଭାବରେ କାହାର ଚିତ୍ତ ଶିଖରକୁ ଜ୍ୟୋସ୍ନା ପ୍ଲାବିତ କଲେ; କିନ୍ତୁ ଦେହ ରଖିଗଲେ ଓଡ଼ିଶା ଭୂଇଁରେ . . . ସେ ଦେହ, ଦେହ ନ ଥିଲା, ଥିଲା ମନ୍ଦିର । ସେ ମନ୍ଦିର ଉପରେ କମ୍ୟୁନିଷ୍ଟ ଇଂଜିନ୍‍, କଂଗ୍ରେସୀ ଚିତ୍ର ସୋସିଆଲିଷ୍ଟ ଟ୍ରକର ବଡ଼ି’ ମାଡ଼ିଗଲା । ଶତଚ୍ଛିନ୍ନ ଶିରାପ୍ରଶିରାରୁ ଆଦିମ ରକ୍ତସ୍ରୋତ ପାଇକଭୂମିର ଗୌରିକ ରାଜପଥ ଉପରେ ଢଳିଗଲା । ଓହୋ, ଆହା, କହି କେତେ କ୍ଷଣ ମୁଣ୍ଡକୁ ନୁଆଇଁବାକୁ ପଡ଼ିଲା । ତା’ପରେ ଇଂଜିନ୍‍ ଚାଲିଲା, ଟ୍ରକ୍‍ ଛୁଟିଲା, ଜିପ୍‍ ଦୈଡ଼ିଲା...ସବୁ ଉଚ୍ଛନ୍ନ ଗତିରେ ଚାଲିଲା, ଯେପରି କିଛି ଘଟିନାହିଁ ।

ସେମାନେ ଶହିଦ୍‍ ହେଲେ–କାହା ସଙ୍ଗେ ଲଢ଼ିବାକୁ ଆସିଥିଲେ ସେମାନେ ଜାଣନ୍ତି ନାହିଁ-। କିଏ ତାଙ୍କୁ ମାରିଲା ସେମାନେ ଜାଣିଲେ ନାହିଁ । ଅଥଚ ପ୍ରଭାତ ସୂର୍ଯ୍ୟ ତାଙ୍କୁ ଆଉ ଏକ ନୂଆ ଦିନର ଆସ୍ଵାଦ ଦେଇଥିଲା । ହସ ଖୁସିରେ ସେମାନେ ଅଧୀର ହୋଇ ଯାଇଥିଲେ ଓଡ଼ିଶାର ବଣ ପାହାଡ଼ର ପ୍ରକୃତି ଦେଖି ।

ଲୋକକ୍ଷୟ, ଅର୍ଥବ୍ୟୟ । ଲୋକର ଉଦ୍ଭଟ ପାଗଳାମି ଦେଖୁ ଦେଖୁ ସ୍ଥିର କରିନେଲି ଏଥର ଯିବାନାହିଁ ଭୋଟ କେନ୍ଦ୍ରକୁ । ପୂର୍ବରୁ ବିନୋଦିନୀ ଆସି ପୁଣି ଧିକ୍‍କାର ଦେବ; ପୂର୍ବର ଛାୟାମୂର୍ତ୍ତି ମୃଣାଳିନୀ ମୋ ଆଗରେ ଉଭା ହୋଇ ପଚାରିବ–ତୁମେ ତ ବେଶ୍‍ ସତେଜ ଅଛ, ବୁଢ଼ା ହୋଇନ ? ବୋଧହୁଏ ଜୀବନର କିଛି ପାଇଛ–ମାନେ କିଛି ଅନୁରାଗ, ସ୍ନେହ, ପ୍ରେମ, ଯାହା ତୁମକୁ ନୀଳିମ ରଖିଛି...ତୁମେ ବ୍ୟତିକ୍ରମ ।

 

ମୁଁ ହୁଏତ ଚିତ୍କାର କରି କହିଥାନ୍ତି...ମୁଁ ବ୍ୟତିକ୍ରମ ନୁହେଁ...ଯେଉଁମାନେ ଭୋଟ ଦେଇ ମରିଗଲି ସେମାନେ ବ୍ୟତିକ୍ରମ...କାହିକିଁ ବସିଲେ ନାହିଁ ? ଦାନ୍ତରେ ମାଟି ଖୋଳି, ସର୍ବାଙ୍ଗ ଯେତେବେଳେ ମରଣାନ୍ତକ ପୀଡ଼ାରେ ଛିଣ୍ଡି ଯାଇଥିଲା, ଅଥଚ ପାଖରେ ଡାକ୍ତର ନାହିଁ, ଡାକ୍ତରଖାନା ନାହିଁ ଯେ ତୁମକୁ ମରଣ ମୁହଁରୁ ବଞ୍ଚେଇବ,–ପୀଡ଼ା, ଅତ୍ୟାଚାର ଓ ଦହନରେ ଯେତେବେଳେ ମାଟିକୁ ହିଁ ଗ୍ରାସ କରୁଥିଲ, ସେତେବେଳେ ଭାବି ନ ଥିଲ କି ସବୁ ଝୁଟା, ସବୁ ରଙ୍ଗ ବେରଙ୍ଗ ?

 

ମରିଯାଇଛି ଭଲ ହୋଇଛି, କାରଣ ତମେ ହଠାତ୍‍ ମରିନାହଁ । ମୃତ୍ୟୁ ସହିତ କଥାବାର୍ତ୍ତା କରି ଗୋଟାଏ ଆପୋଷ ମୀମାଂସା କରି ମରିଛ । ନୁହେଁ କି ବିନୋଦିନୀ ? ଆଉ ମୃଣାଳିନୀ ତ ମତେ ଆରଥରକ ବରଗଛତଳେ କହିଦେଇ ଯାଇଥିଲା–ସବୁ ଝୁଟା, ମିଥ୍ୟା !

 

ଆଜି ତୁମ ଝୁଟା ଓ ମିଥ୍ୟାର ସଞ୍ଚୟ ସାର୍ଟିଫିକେଟ ଧରି ଚକ୍ରହାର ସୁଧ ବୁଦ୍ଧିରେ ଏ ଦେଶଟାକୁ ଆମେ ଚଳାଇ ନେଉଛୁ । ତମେ ମରି ଭଲ କରିଛ ବିନୁ ଆଉ ମୃଣାଳିନୀ ! ତମ ପରେ ପରେ ଆଉ ଯେଉଁମାନେ ମଲେ ବା ମରୁଛନ୍ତି ସେମାନେ ଦେଶସେବକମାନଙ୍କୁ ବାଛିବା ପାଇଁ ଯାଉ ଯାଉ ଅବା ଫେରୁ ଫେରୁ ମରୁଛନ୍ତି । ତାଙ୍କୁ ଶହିଦ୍‍ କୁହାଯାଉଛି । ତମେ ତ ରୋଗରେ ମଲ, ନ ଖାଇ ନ ପିଇ ମଲ, ଔଷଧ ବୁନ୍ଦାଏ ପାଟିରେ ନ ଦେଇ ମଲ; କିନ୍ତୁ ଏମାନଙ୍କର ମରଣ ଅପୂର୍ବ ।

 

ଏମାନଙ୍କ ଉପରେ ଚକ ମାଡ଼ିଯାଇଛି । ଛାତିଟା ଦିଖଣ୍ଡ ହେଇ ଫାଟିଯାଇଛି । ଓଡ଼ିଶାର କ୍ୟାପିଟାଲ ଏକାମ୍ର ରାଜନୀତିର ମୋଟା ଲୁହା ପାଣି ପାଇପ୍ ଫାଟିଗଲେ ଯେମିତି ଜଳସ୍ତମ୍ଭର ଫୁଆରା ଉଠେ, ସେମିତି ସ୍ତ୍ରୀ ପୁରୁଷର ଛାତି ଉପରେ କଂଗ୍ରେସୀ ଜିପ୍‍, କମ୍ୟୁନିଷ୍ଟ ଟ୍ରକ୍‍, ସୋସଲିଷ୍ଟ ବସ୍‍ ବା ଗଣତନ୍ତ୍ରୀ ଷ୍ଟେସନୱାଗନ୍‍ ଯେତେବେଳେ ମାଡ଼ିଯାଇଛି, ସେତେବେଳେ ରକ୍ତସ୍ତମ୍ଭର ଫଆର ଝରୁଛି । ମାଡ଼ିଯିବା ସେମାନଙ୍କର ଧର୍ମଝଡ଼ିପଡ଼ିବା ତୁମର ବିଳାସ !!

 

ଏ ଦୃଶ୍ୟ ବିନୋଦିନୀ ତମେ ଦେଖି ବି ଦେଖି ପାରିବନି । ମୁଁ ଜାଣେ ତୁମେ ଦୁହେଁ ମତେ ଭୋଟ କେନ୍ଦ୍ରରେ ଅପେକ୍ଷା କରିଥିବ ମୋଠୁ ଦି’ପଦ କଥା ଶୁଣିବା ବୋଲି । ମୁଁ ଭୟରେ ଗଲି ନାହିଁ । ମଣିଷକୁ ଜବାବ୍‍ ଦେଇପାରେ, ମାତ୍ର ଛାୟା ମୂର୍ତ୍ତିକୁ, ପ୍ରେତାତ୍ମାକୁ ଜବାବ୍‍ ଦେବା ପାଇଁ ମୁଁ ଭୟ କଲି ।

 

ଏକ ନିରୁପଦ୍ରୁତ ମଧ୍ୟାହ୍ନ । ଆକାଶରେ ମେଘର ସଞ୍ଚାର । ବୈଶାଖୀ ଉତ୍ତାପ ପରେ ଏ ଆସନ୍ନ ଧାରାପାତକୁ ମନେମନେ ମୁଁ ସ୍ଵାଗତ କରିଥାଏ । ଅଦୂର ସହର ଉପକଣ୍ଠରେ କୋଳାହଳ । ବାଜା ବାଜନା ମଧ୍ୟ ଦେଇ ନିର୍ବାଚନ ପ୍ରଚାରର ତୁମୁଳ ଗଣ୍ଡଗୋଳ ।

 

କେତେବେଳେ ସୁବିଦ୍ୟା ଆସି ପାଖରେ ଛିଡ଼ା ହେଇଚି ମୁଁ ଜାଣିପାରି ନାହିଁ । ସୁବିଦ୍ୟା କୂଳବଧୁ । ସ୍ଵାମୀ ତା’ର ବୁଦ୍ଧି ଜୀବୀ । ସମୟେ ସମୟେ ସେ ଆସେ । ତା’ର ସୁଖ ଦୁଃଖ କହିଯାଏ-

 

ଆଜି ତା’ର ମଳିନ ମୁହଁକୁ ଚାହିଁ ମୁଁ ଚମକି ପଡ଼ିଲି । ରୂପ ତା’ର ଅଛି–ଅଥଚ ଆଜିର ମଧ୍ୟାହ୍ନରେ ସେ ରୂପ ଅରୂପ ନୁହେଁ । କ୍ଳାନ୍ତି, ଶ୍ଳଥଭାବ ଓ ହତାଶର ଗୋଟାଏ ପ୍ରଲେପ ଯେପରି ତା’ର ସର୍ବାଙ୍ଗରେ ବୋଳିହୋଇଛି ।

 

ମୁଁ କିଛି କଥା କହିବା ପୂର୍ବରୁ ସେ କହିଲା–‘‘ଗୋଟାଏ ପ୍ରାଥନା ରଖିବେ ?”

 

“ପ୍ରାଥନା ?” –ମୁଁ ଉତ୍ତର ଦେଲି ବିସ୍ମୟରେ ।

 

“ହଁ, ମତେ ପାଞ୍ଚହଜାର ଟଙ୍କା ଦେବେ ? ଯାହା ଆମ ପାଖରେ ଥିଲା–ପ୍ରାୟ ବାରହଜାର ଟଙ୍କା ଖର୍ଚ୍ଚ କରି ଦେଇଛୁ । ଆଉ ଟଙ୍କା ନ ହେଲେ ଭୋଟରମାନଙ୍କୁ ବୁଝାଇ ହେବ ନାହିଁ । ଦୁଇମହଲ କୋଠା ବନ୍ଧକ ରଖନ୍ତୁ । ନିର୍ବାଚନ ପରେ ସାତଦିନ ଭିତରେ ଟଙ୍କା ଶୁଝିଦେବୁ ।”

 

ଆଗରୁ ଶୁଣିଥିଲେ ସନାତନ ବାବୁ ସ୍ଵାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛନ୍ତି । ସୁବିଦ୍ୟାର ସ୍ଵାମୀ ସବୁବେଳେ ସହରରେ ରହନ୍ତି । ଜନସଂପର୍କ ମୋଟେ ନାହିଁ–ସେବା, ତ୍ୟାଗ ଦୂରର କଥା । ନିଶା ଖାଇ ପାଗଳ ହେଲାଭଳି ନିର୍ବାଚନ–କ୍ଳବ ଘରେ ବୋତଲ ଧରିଛନ୍ତି । କୂଳବଧୁକୁ ନେଇ ଗାଁ ଗାଁରେ ବୁଲାଛନ୍ତି । ଗାଁ ଯୁବକମାନେ ଆଖିକଣରେ ଚାହିଁଦେଇ ସୁବିଦ୍ୟାକୁ ନାନା ପ୍ରଶ୍ନ ପଚାରୁଛନ୍ତି । ତା’ର ଖାଇବ ପାଇବ ଠିକ୍‍ ନାହିଁ । ଏକବସ୍ତ୍ରା ହୋଇ ସୁବିଦ୍ୟା ଘରେ ଘରେ ବୁଲୁଛି; ସ୍ଵାମୀ ପାଇଁ ଭୋଟ ପ୍ରାର୍ଥନା କରୁଛି । ସଂସାରରେ ତା’ର ବିଶୃଙ୍ଖଳା । ଯାହା ପାଣ୍ଠି ଗଚ୍ଛିତ ଥିଲା ଶେଷ ହେଲାଣି । ମୋ ପାଖକୁ ଆସିଛି ଟଙ୍କା ମାଗିବାକୁ । ମୁଁ କିଏ, ପାଞ୍ଚହଜାର ଟଙ୍କା କିଏ ?

 

–ଦେଖନ୍ତୁ ମୋ ଦେହରେ ମୁଣ୍ଡରେ ଆଉ ଗହଣା ନାହିଁ । ଟ୍ରଙ୍କ୍‍ ବାକ୍ସ ଖାଲି । ଘର ଖଣ୍ଡିକ ଯାହା ଅଛି । ଆପଣଙ୍କ ପାଖେ ନ ଥିଲେ ଆଉ କେଉଁଠୁ କରେଇ ଦିଅନ୍ତୁ । ଆପଣଙ୍କ ଚିହ୍ନା ଶୁଣା ଲୋକ କିଏ ଥିବେ । ଇଏ (ସନାତନବାବୁ) ପାଗଳଭଳି ଗାଁ ଗାଁରେ ବୁଲୁଛନ୍ତି । ମୁହଁରେ ଏତେ ଦାଢ଼ି, ଛାତି ହାଡ଼ ଦିଶିଲାଣି । ଦେହରେ ଜର ହେଲେ ଥରେ ଯେତେବେଳେ ଯୁଦ୍ଧକୁ ଓହ୍ଲାଇଆସିଛୁ ଫେରୁଛୁ କେତେକେ ? କଅଣ କହୁଛନ୍ତି ?

 

ମୁଁ ଆଉ କଅଣ କହିବି ମୁଁ ଜାଣିପାରୁ ନାହିଁ । ମଧ୍ୟାହ୍ନଟା ଫାଟି ପଡ଼ି ଜଳସ୍ନାତ ହୋଇଯାନ୍ତା କି ମୁଁ ଶୀତଳ ହୁଅନ୍ତି–ସୁବିଦ୍ୟା ବି ହୁଅନ୍ତା । ଆଉ ଯେତେ ଦୂରରେ ସବାତନବାବୁ ଥିଲେ ବି ତାଙ୍କ ଦେହରେ ପାଣି ଛିଟିକା ଲଗାନ୍ତି । ମୋର ଅବସନ୍ନ ମୁହଁକୁ ଚାହିଁ ସୁବିଦ୍ୟା ହତାଶ ହେଲା । ଆଜି ଭିତରେ ଟଙ୍କା ନ ପହଞ୍ଚିଲେ ଭୋଟର ଗୁଡ଼ାକ ଅନ୍ୟ ପାର୍ଟି ଆଡ଼କୁ ଆଉଜିବେ । କଥା ଦେଇଛନ୍ତି–ସଞ୍ଜବେଳକୁ ଟଙ୍କା ଦରକାର । ତାଙ୍କ ଓଠରେ ଏକମାତ୍ର ଅଛିଟଙ୍କା ।

 

ସୁବିଦ୍ୟା କେବେ ରାଜନୀତି କରି ନାହିଁ । ସନାତନ ବି କେବେ ରାଜନୀତିର ଧାର ଧାରେ ନାହିଁ । ଆଜି ସେ ଦେଶସେବା କରିବାକୁ ଯାଇଛି । ଟଙ୍କା ପାଣିପରି ଖର୍ଚ୍ଚ କରୁଛି । ଏ ଜଳସ୍ରୋତ ସହିତ ତା’ର ମନର ପଦ୍ମ ପଚି ସଢ଼ି ଭାସି ଯାଉଛି ଦୂରକୁ । ସୁବିଦ୍ୟା ସ୍ଵାମୀପାଇଁ ଗାଁ ଟୋକାଙ୍କ ନଜର ଭିତରେ ପଡ଼ି ଛଟପଟ ହେଉଛି । ଓଢ଼ଣା ଟାଣି ବି ଟାଣି ପାରୁନି । ତାହାହେଲେ ଭୋଟ ଆସିବ ନାଇଁ ଯେ !

 

ଏ ନିଶା କାହିଁକି–ମନେହେଲା ପଚାରିବାକୁ । କିନ୍ତୁ କାହାକୁ ପଚାରିବି ? ଗୋପବନ୍ଧୁ ଦେଶ ସେବା କରିଥିଲେ, ଆଚାର୍ଯ୍ୟ କରୁଛନ୍ତି...ଆଉ ସନାତନ ବାବୁ ବାହାରିଛନ୍ତି ଦେଶ ସେବକ ହେବେ । ଏକା ଓଡ଼ିଶା ଭୂଇଁରେ ସମସ୍ତେ–ଆଗ ପଛ ଯାହା ଆସିଛନ୍ତି ।

 

ସୁବିଦ୍ୟା ଧୀରେ ଗୋଡ଼ ଉଠେଇଲା । ତା’ର ପଥ ବହୁ ଦୂରକୁ ବିସ୍ତୃତ । ସେ କାନିଖଣ୍ଡିକ ଧରି ଦ୍ୱାରେ ଦ୍ଵାରେ ଭିକ୍ଷା ମାଗିବ ଭୋଟ ଆଉ ଟଙ୍କା । ଏ ଦୁଇଟାଯାକ ସେ ଏକା ସାଙ୍ଗରେ କେବେ ମାଗି ନ ଥିଲା । ଅଭିନବ ଅନୁଭୂତି !

 

ଶେଷରେ ସେ କହିଲେ–”ଯାଉଛି, କାବୁଲିବାଲା ପାଖକୁ । ସେ ନିଶ୍ଚୟ ଦେବ । ମାତ୍ର ଠିକ୍‍ ସମୟରେ ନ ଦେଲେ ସେ ଆମ ଇଜ୍ଜତ ରଖିବ ନାହିଁ ।”

 

ଭାବୁଥିଲି, ଇଜ୍ଜତ କେତେଜଣଙ୍କର ଅଛି ? ବଡ଼ ବଡ଼ ଆସନରେ ବସି ଯେଉଁମାନେ ଦେଶ ସେବା କରିବାକୁ ବ୍ରତ କରିଛନ୍ତି, ସେମାନଙ୍କର ଇଜ୍ଜତ କାହିଁ ?

 

ଏ ସଂସାର ତ ବେଇଜ୍ଜତର ସଂସାର । ଏବେ ଯେ ସୁବିଦ୍ୟା ଚାଲିଗଲା କାବୁଲି ପାଖକୁ, କେଉଁ ଆକର୍ଷଣରେ, କେଉଁ ନିଶାରେ ତା’ର କୂଳବଧୂତ୍ଵକୁ ଅପରିଚ୍ଛନ୍ନ କରି ସେ ଚାଲିଗଲା ? କାହିଁକି ଚନ୍ଦା, ଛନ୍ଦା, ବୃନ୍ଦା ଏକ ମୁହୂର୍ତ୍ତ ଭିତରେ ଜୀବନ ହରାଇଲେ ? ଏ କ’ଣ ସେଇ ଦେଶସେବାର ନମୁନା ? କାହିଁକି ଟ୍ରେନ୍‍ ଭିତରେ ହତ୍ୟା ? କାହିଁକି ଅସାମାଜିକ କାର୍ଯ୍ୟର ଏତେ ପ୍ରଚାର ? କାହିଁକି ଜିପ୍‍ ଟ୍ରକର ଚକ ତଳେ ସଜ ଫୁଟିଲା ଫୁଲଗୁଡ଼ିକ ରକ୍ତାକ୍ତ ହୋଇ ଝରିପଡ଼ୁଛନ୍ତି-? କିଏ ଏହାର ଉତ୍ତର ଦେବ ? କିଏ ମିଶିଲା ମାଟିରେ, ଆଉ କିଏ ଗୋଟେଇବ ହୀରା ଜହରତ୍-!

 

ମେଘ ବର୍ଷିଲା ନାହିଁ । ଅସହ୍ୟ ଉତ୍ତାପ । ବୋଧହୁଏ ତନ୍ଦ୍ରାଚ୍ଛନ୍ନ ହୋଇ ପଡ଼ିଥିଲି କିଛି ସମୟ ପାଇଁ ।

 

ବିନୋଦିନୀ ଆସିଥିଲା, ମୃଣାଳିନୀ ଆସିଥିଲା । ସେମାନେ ଖିଲି ଖିଲି ହସୁଥିଲେ । ମୁହଁରେ ପଣତ ଧରି ସେମାନେ ମୋ ଚାରିପଟେ ବୁଲୁଥିଲେ ।

 

ମୁଁ ନିର୍ଭୟରେ ପଚାରିଲି–”ତୁମେ ସବୁ ଏବେ ବି ପ୍ରେତ ରହିଛ ? ତୁମର ମୁକ୍ତି ହେଲା ନାହିଁ ?”

 

ସେମାନେ ପରସ୍ପରକୁ ଚାହିଁଲେ । ମୃଣାଳିନୀ କହିଲା, “ଓଡ଼ିଶା ଗୋଟାକଯାକ ପ୍ରେତ ରାଜ୍ୟ । ଏଠି ଆମର ସୁଖ ଶାନ୍ତି ରହିବ ବୋଲି ଯମ ଦେବତା ଆଉ କିଛିଦିନ ଏଠାରେ ରହିବାକୁ ଆମକୁ ଆଜ୍ଞା କରିଛନ୍ତି–ନିର୍ବାଚନର ଫଳ ଘୋଷଣା ହେବାଯାଏ । ଯେତକ ବଡ଼ ବଡ଼ ଗଛ ଓଡ଼ିଶାରେ ରହିଛି ତା’ରି ପତ୍ରଗହଳରେ କାନ ପତେଇ ଶୁଣୁଥିବୁ କିଏ ହାରିଲା କିଏ ଜିତିଲା । ତାଙ୍କ ମୁହଁକୁ ଚାହିଁବୁ, ତାଙ୍କ ଗୋଡ଼କୁ ଚାହିଁବୁ, ସେମାନେ କିମିତି ଗୋଡ଼ ପକେଇ ଚାଲୁଛନ୍ତି ତାଙ୍କ ନୂଆ କ୍ୱାଟରକୁ । କିମିତି ଏବଂ କେଉଁ କିସମର ମଟର ଗାଡ଼ି ଚଢ଼ି ବୁଲୁଛନ୍ତି । ହେଇଟି, ତମେ ଆମକୁ ଏତେ ଭଲ ପାଇଥିଲ । ଡରିଲ କାହିଁକି ମ ? ଏଥର ନିର୍ବାଚନ କେନ୍ଦ୍ରରେ ତୁମକୁ ନ ଦେଖି ତୁମ ପାଖକୁ ଆସିଥିଲୁ । ତମେ ଟିକିଏ ଏ ବିଷୟରେ ଚିନ୍ତା କର ବୋଲି ଆମକୁ ସୁଖ ଲାଗେ । ହଉ ଏବେ ଯାଉଛୁ । ଖରା ଆଉ ମେଘ ଭିତରେ ଚଳପ୍ରଚଳ କରିବାକୁ ଆମକୁ କଷ୍ଟ ଲାଗେ ।”

 

ଅନେକ ବେଳଯାଏ ମୁଁ ଶୋଇପଡ଼ିଥିଲି ଚୌକି ଉପରେ ବସି ବସି । ନିର୍ବେଦ ମନ ଓ ସୁସ୍ଥିର ଶରୀର । ମୁଁ ଜାଣେ ବିନୋଦିନୀ ଆଉ ମୃଣାଳିନୀ ମତେ ଛାଡ଼ିବେ ନାହିଁ । ପ୍ରତି ପାଞ୍ଚ ବର୍ଷରେ ଥରେ ମୋ ପାଖକୁ ଆସିବେ । ମତେ ଜେରା କରିବେ–ଓଡ଼ିଶା କେତେ ପ୍ରଗତି କଲାଣି–ଏଠି ଅପମୃତ୍ୟୁ ହେଉଛି କି ନାହିଁ–ଧନବାଦ୍‍ ଦରିଦ୍ରକୁ ଶୋଷଣ କରୁଛି କି ନାହିଁ–ବଡ଼ ଲୋକଙ୍କପାଇଁ ଔଷଧ ଗଚ୍ଛିତ ରହୁଛି କି ନାହିଁ–ଗରିବ ମଳିମୁଣ୍ଡିଆ ଔଷଧ ନାଁରେ ପାଣି ପିଉଛି କି ନାହିଁ–ସାମ୍ୟ ନୀତି କେତେ ଯାଏ ଖଟୁଛି–ଚାକିରିବାକିରୀରେ ନିରପେକ୍ଷ ବିଚାର ରହୁଛି କି ନାହିଁ...ଏମିତି କେତେ କଥା ।

 

ମାତ୍ର ମୁଁ କିଏ ଯେ ମତେ ଏମାନେ ପଚାରିବେ ? ମୁଁ ତ ନିଜେ ପାଣି ଔଷଧ ପିଏ, ପୀଡ଼ନ ମୋର ଶିରା ପ୍ରଶିରାରେ ସଞ୍ଚାରିତ ହେଉଛି । କଥା କ’ଣ କି, ସେମାନେ ମତେ ଭଲପାନ୍ତି–ଏଇ ପ୍ରେତ ରମଣୀମାନେ । ଏମାନଙ୍କ ସାଙ୍ଗକୁ ସୁବିଦ୍ୟା ବି ପ୍ରେତ ହୋଇଯିବ । କାବୁଲି କ୍ଷେପି ଆସିବ । ଅନେକ କିଛି ମହତ୍‍ ପଦାର୍ଥ ସୁବିଦ୍ୟାଠାରୁ ମାଗିନେବ ସେ । ସୁବିଦ୍ୟା ବାରଣ କରିପାରିବ ନାହିଁ ।

 

କେବଳ ସନାତନ ରହିଯିବ ଦେଶ ସେବା କରିବାକୁ–ରହୁ । ନିଶା ଲାଗିଛି; କିନ୍ତୁ କାହିଁକି ଏ ନିଶା ? ମୃଣାଳିନୀ କହିଥିଲା ଭଳି ସବୁ ଝୁଟା, ସବୁ ରଙ୍ଗ ବେରଙ୍ଗ । ତଥାପି ଏମାନେ ଜାଣିଲେ ନାହିଁ ?

 

ସଞ୍ଜବେଳକୁ ଅସରାଏ ବର୍ଷା ହୋଇଗଲା । ଟିକିଏ ଶାନ୍ତି ସାନ୍ତ୍ୱନା ଆସିଲା ପ୍ରାଣକୁ । ବେଶ୍‍ କେତେଗୁଡ଼ାଏ ପାଗଳ ଲୋକ ଖରାରେ ଦଉଡ଼ାଦଉଡ଼ି କଲେ ବଡ଼ ନିଃସ୍ଵାର୍ଥପର ଭାବରେ । ନିଜ ପାଇଁ ଚିନ୍ତା ନାହିଁ, କେବଳ ପରହିତାୟ ଦୁଃଖ ସହିଗଲେ । ଏମାନେ କ୍ଷଣଜନ୍ମା, ମାଟିର ପ୍ରକୃତ ସ୍ନିଗଧ ସତେଜ ଅଙ୍କୁର ।

 

ସୁବିଦ୍ୟା କଅଣ ଏଇ ମୁହଁସଞ୍ଜବେଳଟାରେ କାବୁଲି ପଛରେ ଗୋଡ଼ାଉଛି ? ଆଫଗାନ୍‍ଟା କଅଣ ବୁଝିବ କେତେ ମହତ୍‍ ପ୍ରବୃତ୍ତି ଚାଳିତ ହୋଇ ସନାତନ ଘରର ପ୍ରଦୀପ ସୁବିଦ୍ୟାକୁ କାବୁଲି ପାଖରେ ଛାଡ଼ି ଦେଇଛି ? ହୁଏତ ତାକୁ ସେ ପ୍ରଦୀପ୍ତ କରୁ ଅବା କାବୁଲିର ଗୋଟାଏ ହିଂସ୍ର ଫୁତ୍କାରରେ ସେ ପ୍ରଦୀପଟି ଲିଭିଯାଉ ।

 

ରାଜଧାନୀର ଶୂନ୍ୟ ସିଂହାସନଗୁଡ଼ାକ ଥରିଉଠୁଛନ୍ତି । ତୋରଣ ପୋତା ହେଉଛି, ପ୍ରତ୍ୟେକଟି ରାଜମାର୍ଗ ସମ୍ମୁଖରେ । ସୁସ୍ୱାଗତ ଅଭିନନ୍ଦିତ ବାଣୀରେ ଆକାଶ ଧରିତ୍ରୀ ପ୍ରକମ୍ପିତ ।

 

–ଆରେ ତମେମାନେ ବି ଏଠି ? ଧନ୍ୟ ତମେ ପ୍ରେତ ନାରୀଗଣ ! ଯାଅ ଭଲା ଟିକିଏ–ଦେଖ, ସୁବିଦ୍ୟା କୁଆଡ଼େ ଗଲା ? ସେ ଯେ ବାଟଘାଟ ଜାଣି ନାହିଁ–ପଡ଼ିଯିବ ଯେ ! ଯାଅ ଭଲା !

Image

 

ସହଯାତ୍ରିଣୀ

 

ଗୋଟିଏ ମାତ୍ର ସେକେଣ୍ଡ କ୍ଲାସ କମ୍ଫାର୍ଟମେଣ୍ଟ । ବାଧ୍ୟ ହୋଇ ସେଇ ଡବା ଭିତରକୁ ଉଠିଗଲି ।

ଆକାଶରେ ଭରାବାଦଲ । ଦିଗନ୍ତରେ ଚପଳା ଚମକୁଛି । ଆଶ୍ଵିନମାସ ବୋଲି ଜଣାପଡ଼ୁନି । ଶରତର ସୁନା ସୋରିଷିଆ ଖରା ବଦଳରେ ତୁହାଇ ତୁହାଇ ବର୍ଷା ଚାଲିଛି ।

ସେତିକିବେଳକୁ ଆହୁରି ବେଗରେ ବର୍ଷା ଆକାଶ ଫଟାଇ ଝରିଆସିଲା । ଖାଲି ବର୍ଷା….ବର୍ଷା ।

ଆସନ ନେଲି । କିଏ କିଏ ଏ ଡବାରେ ଯାଉଛନ୍ତି ଜାଣିବାପାଇଁ କୌତୁହଳ ନଥିଲା । କଅଣ ବା ମତେ ମିଳିବ । ମୋ ସୁଖ ଦୁଃଖରେ କିଏ କଅଣ ଭାଗ ନେଇପାରିବେ କି ?

ଝରକା ପଥ ଦେଇ ଦିଗନ୍ତକୁ ଚାହିଁ ରହଲି । କୃଷ୍ଣ ଦିଗନ୍ତରେ ଝଟକି ଯାଉଥିଲା ଦମିନୀ–ଲୀଳା । ନୀଳ ଧାନ୍ୟ–ଶୀର୍ଷ ଉପରେ ଶ୍ୟାମ ପଣତ ଖଣ୍ଡିକ କଡ଼ି ହୋଇ ଯାଇଥାଏ । ପ୍ରକୃତି ଆଜି ବିଭ୍ରାଟ ସୃଷ୍ଟି କରିଛି । ନ ହେଲେ ଅପରାହ୍ନର ସୂର୍ଯ୍ୟରୌଦ୍ର ଲହରୀ ମଥା ପିଟୁଥାନ୍ତା ନୀଳ ଶସ୍ୟ କେଦାର ଉପରେ ।

ଷ୍ଟେସନଟା ଏକପ୍ରକାର ଶୋଇ ରହିଥିଲା । ପାଣି ଛାଟରେ ଷ୍ଟେସନର ବିକାଳି ସବୁ ଅସ୍ତବ୍ୟସ୍ତ । ଏ ଯେଉଁ ଧାରାପାତ ଏଥିରେ କିଏ ବା କାହିଁକି ବାହାରିବ ଘରୁ ବିଦେଶକୁ ? କିଏ ବା କାହିଁକି ଯାତ୍ରୀ ସାଜି ପଥ ଅନ୍ୱେଷଣରେ ବାହାରିପଡ଼ିବ ?

“ଆଜି ଆପଣଙ୍କର ଏ ବେଶ ଯେ ? ନିଶ୍ଚୟ କେଉଁଠି ସଭାସମିତି ଅଛି ।”

ଚାହିଁ ଦେଖିଲି ଚିବୁକ ଉପରେ ଆଙ୍ଗୁଠି ରଖି ଟିପି ଟିପି ହସୁଛି ମାୟା ।

ସପ୍ରତିଭ ହେଲି । ମୋର ଉଚିତ ଥିଲା ଡବା ଭିତରେ ମୋର ସହଯାତ୍ରୀ କିଏ ରହିଛନ୍ତି ସେମାନଙ୍କୁ ଜାଣି ନେବା ।

ପ୍ରକୃତିପ୍ରେମୀ ଲୋକ ମଝିରେ ମଝିରେ ଏମିତି ବିଡ଼ମ୍ବନା ଭୋଗିଥାଏ ।

ମୋର ଚିତ୍ତଶିଖରରେ ପ୍ରୀତି–ପୁଷ୍ପ ଫୁଟିଯାଇଥିଲା । ମାୟାକୁ ଏମିତି ଅପ୍ରତ୍ୟାଶିତ ଭାବରେ ଦେଖିବି, ମୁଁ କଳ୍ପନା କରିନଥିଲି । ଯାତ୍ରା ପଥ ଉପରେ ଏମିତି କେତେ ହଜିଲା ରାଗିଣୀ ଧରାପଡ଼େ,ଖାଲି ହୋଇଯାଇଥିବା ତଟିନୀରେ ପ୍ରବାହ ଖେଳେ–ପୁଣି ସବୁ କେଉଁଆଡ଼େ ମିଲେଇଯାଏ ।

ମାୟା ସୁନ୍ଦରୀ । ଯେଉଁଠି ଦେଖା ଯାଉଛି ତା’ର ମୁହଁଟିକୁ ଚିବୁକଯାଏ–ସେଇ ଯେ ତ୍ରିଭୁଜ ଭଙ୍ଗିମା–ତାକୁ ମୁଁ ବାରମ୍ବାର ଚାହିଁ ରହିଛି । ଦୁଇଟି କୃଷ୍ଣ ଭ୍ରୂ କୁ ଲାଖି ସେ ଯେଉଁ ଚଷମାଟି ପିନ୍ଧିଥାଏ, ତାହା ତାକୁ ଆହୁରି ସୁଷମାମୟୀ କରିଥାଏ ।

ଭାରି ଭଲଲାଗେ ଏଇ ତରୁଣୀଟିକୁ । ଜୀବନର ଛିନ୍ନ ପତ୍ରରେ ତାକୁ ରଖି କଳ୍ପନା କରିବାକୁ ଭାରି ଭଲ ଲାଗେ ଅନାଡ଼ମ୍ୱର ବେଶ ପରିପାଟୀ ଭିତରେ ଗୋଟିଏ ସହଜ ସକରୁଣ ବ୍ୟକ୍ତିତ୍ଵ ଫୁଟିପଡ଼ୁ ଥାଏ ସବୁବେଳେ ।

 

ମୁଁ ପ୍ରୀତିମୟ ଦୃଷ୍ଟିରେ ମାୟାକୁ ଚାହିଁ ରହିଲି । ସେ ଚାହାଣି କେବଳ ମାୟାର ରୂପ ଉପରେ ଢେଉ ତୋଳୁ ନଥିଲା, ତା’ର ଅନ୍ତର ଭିତରକୁ ଯାଇ ଅନ୍ତରତମ ଦେବତାକୁ ସ୍ପର୍ଶ କରୁଥିଲା-

 

କହିଲି, “ମାୟା, ଅନେକ ଦିନ ପରେ ଦେଖା । ତାହାହେଲେ ଦେଖି ଚିହ୍ନି ପାରିଲ, ନାଁ ? ଭାବିଲି ଜୀବନ ଯାହାର ଏତେ କର୍ମମୟ, ପୁଣି ଦୁଃଖୀ ଆର୍ତ୍ତ ସେବାରେ ଯାହାର ପ୍ରାଣ ଉତ୍ସର୍ଗୀକୃତ, ସେ ପୁଣି ଲୋକ ଚିହ୍ନିପାରିବ ? ହଁ, ମାୟା, ଏ ଯେଉଁ ବେଶ କଥା ପଚାରିଲ, ତା’ ଠିକ୍‍ । ଖୋରଧାରେ ଏଇ ସନ୍ଧ୍ୟାରେ ରବୀନ୍ଦ୍ର ଜୟନ୍ତୀ ହେଉଛି । ଡାକିଛନ୍ତି, ଯାଉଛି । ରବୀନ୍ଦ୍ର ସଂସ୍କୃତିରେ ଧୋତି ପଞ୍ଜାବୀ ଚଳିବ–ସୁଟ୍‍ ପ୍ୟାଣ୍ଟ୍‍ ଚଳିବନି । କିନ୍ତୁ ତୁମେ ?”

 

ମାୟା ସେ ବର୍ଥରେ, ମୁଁ ତା’ ପାଖ ବର୍ଥରେ । ଗାଡ଼ି କେତେବେଳୁ ଛାଡ଼ିଦେଇଛି ।

 

ସହସା ମନହେଲା ମୁଁ ବଡ଼ ରିକ୍ତ, ମୁଁ ବଡ଼ ନିଃସଙ୍ଗ । ପ୍ରକୃତି ବି ଏଇ ସ୍ନାତ ଅବସ୍ଥାରେ ମନେହେଲା ନିଃସଙ୍ଗ । ହୁଏତ ପ୍ରକୃତି ତା’ର ରିକ୍ତ ଭାବକୁ ସହି ନେଇଯାଉଛି, ମୁଁ ପାରିବି । ଗୁରୁ ଗମ୍ଭୀର ତାନରେ ବର୍ଷା ଝରିଯାଉଛି । ମାୟାର ତନିମାକୁ ଲକ୍ଷ୍ୟକଲି । ଏ ରୂପର ଛନ୍ଦ ଅଛି, କିନ୍ତୁ ମୋହ ସୃଷ୍ଟି କରେନା ଏଭଳି ଛନ୍ଦ ।

 

ମନେହେଉଥିଲା ଆଗ ଆସନରେ ଆସୀନ ଏଇ ନାରୀର ଶୂନ୍ୟତା ଓ କାମନାକୁ ନିଜ ଭିତରକୁ ନେଇଯାଇ ତା’ର ପରିବର୍ତ୍ତେ ଗୋଟିଏ ସୁନ୍ଦର ମନୋମୟ ବାଞ୍ଛିତ ରୂପ ଦେଇଦିଅନ୍ତି । ମାତ୍ର ମୁଁ ଯେ ନିଜେ ଶୂନ୍ୟ ! ଏଇ ଶୂନ୍ୟ ବୋଧ ନେଇ ଏଇ କ୍ଳାନ୍ତି ନେଇ, ମୁଁ କିପରି ରବୀନ୍ଦ୍ର ସଭାରେ ଗାନ କରିବି–

 

“ଆମି ଯାବ, ଆମି ଯାବ,

କୋଥାୟ ସେ କୋନଦେଶ ଜଗତେ ଢାଳିବା ପ୍ରାଣ,

ଗାହିବ କରୁଣଗାନ ଉଦ୍‍ବେଗ ଅଧୀର ହିୟା,

ସୁଦୂର ସମୁଦ୍ରେ ଗୀୟା ସେ ପ୍ରାଣ ମିଶାବ ଆର

ସେ ଗାନ କରିବ ଶେଷ ।”

 

କିନ୍ତୁ ସେ ଗାନ ମତେ ଶେଷ କରିବାକୁ ହେବ । ମତେ କହିବାକୁ ହେବ । ବିଶ୍ୱାସଭରା କଣ୍ଠରେ ମତେ ଗାଇବାକୁ ହେବ–ଯଦିଓ ସନ୍ଧ୍ୟା ଆସିଛେ ମନ୍ଦ ମନ୍ଥରେ, ସବ ସଙ୍ଗୀତ ଗେଛେ ଇଙ୍ଗିତେ ଥମିଆ, ଯଦିଓ ସଙ୍ଗୀତ ନାଇ ଅନନ୍ତ ଅମ୍ବରେ, ଯଦିଓ କ୍ଳାନ୍ତି ଆସିଛେ ଅଙ୍ଗେ ନାମିଆ, ମହା ଆଶଙ୍କା ଜାଗିଛେ ମୌନ ମନ୍ତରେ ଦିଗ ଦିଗନ୍ତ ଅବଗୁଣ୍ଠନେ ଢାକା, ତବୁ ବିହଙ୍ଗ, ଓରେ ବିହଙ୍ଗ ମୋର ଏଖନି ଅନ୍ଧ, ବନ୍ଦ କୋରୋନା ପାଖା ।

 

–ସତକଥା, ଏ ପକ୍ଷ ଚାଳନା ବନ୍ଦ କରିବାକୁ ହେବନାହିଁ । ନିଃସଙ୍ଗ ହେଲେ ବି, ରିକ୍ତ ହେଲେ ବି, କଳାକାର ପକ୍ଷପୁରେ ସମୀର ତରଙ୍ଗରେ ପହଁରିବାକୁ ପଡ଼ିବ । ତାହାହିଁ ଜୀବନ...ମାୟା-!

 

–ଉଁ, କଅଣ କହୁଥିଲେ ?

 

ମୁଁ କହିଲି–ନାଁ, ସେମିତି କିଛି ନୁହେଁ ।

 

ମାୟା ଅଭିଯୋଗ କରି କହିଲା–ଏଇ ଆପଣମାନେ, ମାନେ ଲେଖକ, ଏମିତି କଥା କହୁ କହୁ ଅନ୍ୟମନସ୍କ ହୋଇଯାଆନ୍ତି କାହିଁକି ? ଆଜିକାଲି ଆପଣଙ୍କ ଲେଖାରେ ବୈଚିତ୍ର୍ୟ ରହୁନାହିଁ । ସତ ନୁହେଁ ?

 

ମୁଁ କହିଲି–ଖୁବ୍‍ ସତ । ମୁଁ ବି ତା’ ଅନୁଭବ କରେ । ତେବେ କଥା କ’ଣ କି, ମୋ ଆଖିର ରେଖା ଭିତରେ ଚଳନ୍ତି ମଣିଷଗୁଡ଼ିକ ଆଉ ବିଚିତ୍ର ବୋଲି ଜଣାପଡ଼ୁନାହାନ୍ତି । ସବୁ ଯେମିତି ଏକଘରକିଆ ପ୍ୟାଟର୍ଣ୍ଣ, ମଡ଼େଲ ! ସେଥିପାଇଁ ଏଇଭଳି ଯାନ୍ତ୍ରିକ ଜୀବଗୁଡ଼ିକୁ ପ୍ରକାଶ କରିବାରେ ବୈଚିତ୍ର୍ୟ ଆସୁନାହିଁ ।

 

ମୁଁ ଜାଣେ ମୋର ଲେଖା ପ୍ରତି ମାୟାର ପ୍ରୀତି ଅଛି । ଯେଉଁଠି ସୁବିଧା ମିଳିଛି ମତେ ସେ ଅଭିନନ୍ଦନ ଜଣାଇଛି ।

 

ଥରେ ବୁଲିଯାଇଥିଲି ତା’ର କର୍ମପରିସର ଭିତରକୁ । ଚାରିଆଡ଼େ ଆଖି ପକାଇ ସବୁ ଦେଖୁଥିଲି ଏବଂ କେତେଗୁଡ଼ିଏ ପ୍ରଶ୍ନ ତାକୁ ପଚାରିଥିଲି । ସବୁ ବୁଝି ଆଉ ଦେଖି ମତେ ମାୟା ସେତେବେଳେ ପଚାରିଥିଲା

 

“କଅଣ ଏ ଡାକ୍ତରଖାନା ବିଷୟରେ କିଛି ଲେଖିବେ କି ?”

 

ମୁଁ ଉତ୍ତର ଦେଇଥିଲି–ସବୁ ବିଷୟରେ ଲେଖିହେବ, ଯଦି ଲେଖକ ସେଥିରେ ପ୍ରାଣ ଆବିଷ୍କାର କରିପାରେ । ଗୋଟାଏ କୁକୁରର ଶବ ଉପରେ ଚମତ୍କାର ଲେଖା ସମ୍ଭବ, ଯଦି ତା’ର ଚାରିପଟ ଦୃଶ୍ୟରେ ପ୍ରାଣର ସନ୍ଧାନ ମିଳେ ।

 

ଏ କଥାରେ ସେଦିନ ମାୟା କ’ଣ ବୁଝିଥିଲା ମୁଁ ଜାଣିନାହିଁ । ତେବେ ତା’ର ମନଗହନ ତଳେ ମୋ ପ୍ରତି କାକୁତି ଝରିପଡ଼ିଥିଲା । ସେ ବୋଧହୁଏ ମୋତେ କହୁଥିଲା–‘ମତେ ତମ ଲେଖାର କେନ୍ଦ୍ର କରି । ମୁଁ ସହଜ ଏକ ତାରା ଭଳି ଫୁଟିପଡ଼େ ତମର ଦିଗନ୍ତ ରେଖା ତଳେ ।’

 

ମୁଁ ପାରିନାହିଁ । ମାୟାକୁ ଘେନି କୌଣସି ରଚନା ମୁଁ ସୃଷ୍ଟି କରିପାରିନାହିଁ ।

 

ଚିକିତ୍ସା ବ୍ୟବସାୟ କରି ବି ମାୟାର ସାହିତ୍ୟ ଓ କଳା ପ୍ରୀତି ପ୍ରଶଂସନୀୟ । ତା’ର ଶୋଇବା ଖଟ ଉପରେ ରାଶି ରାଶି ପତ୍ରିକା ପଡ଼ିଥାଏ । ସେ କେବଳ ଲେଖା ପଢ଼େ ନାହିଁ, ସେଇ ଲେଖା ଭିତରେ ଲେଖକକୁ କଳ୍ପନା କରେ । ତା’ର ରୂପକୁ ଦେଖେ । ଯେଉଁଠି ଦେଖେ ଲେଖକର ମନ ଓ ସୃଷ୍ଟି ଭିନ୍ନ, ସେଠି ସେ ସାଧୁବାଦ ଦିଏନି ।

 

“ଆପଣଙ୍କୁ ଭୁଲ୍‍ ବୁଝିଥିଲି ବହୁ ଦିନ ତଳେ... ମାନେ ଯେତେବେଳେ ଆପଣ...”

 

ମୁଁ ବୁଝିନେଲି । ବହୁତ ଦିନ ତଳର କଥା । ମାୟାର ବାପା ଏକ ବିଷମ ବ୍ୟାଧିରେ କ୍ୟାବିନ୍‍ରେ ରହି ଚିକିତ୍ସିତ ହେଉଥାନ୍ତି । ସେଇ କ୍ୟାବିନ୍‍ ପାଖ କ୍ୟାବିନ୍‍ରେ ଅସୁସ୍ଥ ସ୍ଵାମୀଙ୍କୁ ଘେନି ଆଉ ଜଣେ ତରୁଣୀ ରହିଥାନ୍ତି । ଏ ପରିବାର ସହିତ ମୋର ପରିଚୟ ଥିଲା । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଏକ ସପ୍ତାହ ସେଠାକୁ ଯିବା ଆସିବା କରିଥିଲି । ମାୟା ସେତେବେଳେ ମେଡ଼ିକାଲ କଲେଜ ଛାତ୍ରୀ । ମଣିଷ ସହିତ ମଣିଷର ସମ୍ପର୍କ ଘେନି ସହଜରେ ଓ ଅବିଚାରରେ ଯେ କୋଳାହଳ ପ୍ରାୟ ଉଠିଥାଏ, ହୁଏତ ମାୟା ସେ କୋଳାହଳକୁ ସମର୍ଥନ କରିଥିଲା ଏବଂ ସେଇ ଦୃଷ୍ଟିରେ ମୁଁ ହୋଇଯାଇଥିଲି ତା’ ପାଖେ ଖର୍ବ । ଆଜି ହୁଏତ ସେ ଅନୁତପ୍ତ–ପ୍ରାୟଶ୍ଚିତ୍ତ ଖୋଜୁଛି ।

 

ସମୟର ପ୍ରବାହରୁ ମୁଁ ଦୂରକୁ ଚାଲିଆସିଛି । ସେ ପରିବାର ବି ସମୟ ସ୍ରୋତରେ ଦୂରକୁ ଆଉଜି ଆସିଛନ୍ତି; କିନ୍ତୁ ଏ ହୃଦୟରେ ସେମାନଙ୍କର ମମତା ଓ ସେବାରସ୍ମୃତି ଅମଳିନ ରହିଛି । ଆଉ ମାୟା ବି କୈଶୋରିକାର ତଟ ଦେଶରୁ ପୂର୍ଣ୍ଣବର୍ଗ ତଟିନୀକୁ କରିଆସିଛି ।

 

ମୁଁ କହିଲି–ଏବେ ବି ଭୁଲ ବୁଝୁଛ ?

 

–ନାଁ ।

 

–କାହିଁକି ?

 

ମାୟା ବାହାରେ ଶୂନ୍ୟମଣ୍ଡଳକୁ ଚାହିଁ ଉତ୍ତର ଦେଲା–କେତେ ସହଜରେ ଲୋକ ଅନ୍ୟକୁ ଭୁଲ ବୁଝେ...ମାତ୍ର...ନାଃ, ଆତ୍ମଗ୍ଳାନିରେ ମୁଁ ନିଜେ ମରିଯାଇଛି ସେସବୁ ଭାବିଲାବେଳେ ।

 

ମୁଁ କହିଲି–ଗ୍ଳାନିର ପ୍ରଶ୍ନ ନାହିଁ ମାୟା, ତୁମେ ଯେ ମୋର ଦୃଷ୍ଟି ସହିତ ଦୃଷ୍ଟି ବିନିମୟ କରିପାରୁଛ ସେଇ ଯଥେଷ୍ଟ । ମୋର ପ୍ରାଣର ସ୍ପର୍ଶକାତର ଭାବକୁ ଜାଣିପାରିଛ, ତାହାହିଁ ଯଥେଷ୍ଟ । ଏତିକିରେ ଏ ଅନ୍ତରର ସୀମା ଅସୀମ ହୋଇ ଉଠୁଛି । ଏ ଅସୀମତାର ସ୍ଵାଦ ଅପୂର୍ବ !

 

ମୋ କୋଳ ଉପରେ ଢଳି ରହିଥିଲା ପୂଜା ସଂଖ୍ୟା ପତ୍ରିକାଟିଏ; ଷ୍ଟେସନ୍‍ ଷ୍ଟଲ୍‍ରୁ କିଣିଆଣିଥିଲି ।

 

ମାୟା ପଚାରିଲା–ନିଶ୍ଚୟ କିଛି ଲେଖିଛନ୍ତି ।

–ହଁ ।

–ନାଁ କଅଣ ଦେଇଛନ୍ତି ?

–ପ୍ରାନ୍ତର ।

ମାୟା ଉଚ୍ଛ୍ଵସିତ କଣ୍ଠରେ କହିଲା–ଚମତ୍କାର, ଆପଣ ଏମିତି ସୁନ୍ଦର ନାଁ କିମିତି ଦିଅନ୍ତି-?

ମୁଁ କହିଲି–‘ପ୍ରାନ୍ତର’ କଅଣ ଗୋଟାଏ ସୁନ୍ଦର ନାଁ ? ହୁଏତ ତାହା ଶୁଷ୍କ ନୀରସ ଧୂଳିଧୂସରିତ ପ୍ରାନ୍ତର ହୋଇଥିବ । ମୁଁ ଜାଣେ ଏ ପ୍ରାନ୍ତର ଶୁଷ୍କ । କେତେ ଅଶ୍ରୁ, କେତେ ସମ୍ୱେଦନା ଦେଇ ମୁଁ ଏ ଗଳ୍ପଟି ରଚନା କରିଛି ।

ମାୟା ଦେଖିବ ବୋଲି ପତ୍ରିକାଟି ମୋ ପାଖରୁ ନେଇଗଲା ।

ଚାରିଆଡ଼େ ବର୍ଷାର ନୃତ୍ୟ । ଚାହିଁ ଦେଖିଲି ଯାତ୍ରୀମାନେ କେଉଁ ପାଗଳ ବିଷୟରେ କଥାବାର୍ତ୍ତା ହେଉଛନ୍ତି । କିଏ କେଉଁଠି ଆତ୍ମହତ୍ୟା କଲା ସେ ବିଷୟରେ ଚର୍ଚ୍ଚା କରୁଛନ୍ତି ।

ପାଗଳ ଆଉ ଆତ୍ମହତ୍ୟା !

କିଛି ସମୟ କଟିଯାଇଛି । ମାୟା ‘ପ୍ରାନ୍ତର’ ଗଳ୍ପଟି ପଢ଼ି ସାରିଛି । ଦେଖିଲି ସେ ଦୂରକୁ ଦୃଷ୍ଟି ପ୍ରସାରିତ କରି ଅନାଇଁ ରହିଛି । ସେଇ ତ୍ରିଭୁଜଭଙ୍ଗୀର ମୁଖଟି ମତେ କାହିଁକି ବେଶି ଆକର୍ଷଣୀୟ ମନେହେଲା ସେତେବେଳେ ।

ଦିନେ ମାୟା ମତେ କହିଥିଲା ସେ ଏମିତି ରହିଯିବ । ଏମିତି ଅର୍ଥ, ନିଃସଙ୍ଗ ଜୀବନ ଧରି ସେ ପଥ ଚାଲିବ । ମୁଁ କାରଣ ପଚାରିଲିଥିଲି । ସେ କହିଥିଲା–ସେ ଭବିଷ୍ୟତକୁ ଦେଖି ପାରୁନି । କେଜାଣି କାହିଁକି ଆତଙ୍କିତ ହୋଇପଡ଼ୁଛି । ଯାହାକୁ ନୀଡ଼ ଭିତରକୁ ଡାକିଆଣିବ, ତା’ ମନ ପାଇପାରିବ ତ ?

ମନ ପାଇବା ନ ପାଇବାରେ ଚିନ୍ତିତ ହୋଇ ମାୟା ଆଜି ଦିନ ଗଡ଼ାଇ ଦେଇଛି । କିଶଳୟ ବିବର୍ଣ୍ଣ ହେବ । ବୃକ୍ଷ ଶାଖା ସାର ଶୂନ୍ୟ ହୋଇଯିବ । ଭାବିଲି, ମାୟା ଆଜି ଯେଉଁ ଦ୍ୱନ୍ଦ୍ୱରେ ପଡ଼ିଛି ତା’ର ସମାଧାନ ନାହିଁ ।

ରବୀନ୍ଦ୍ରଙ୍କର ବାଣୀ ମନେପଡ଼ିଲା–

‘ଛୁଟେଛେ ଘୋଡ଼ା

ଉଡ଼େଛେ ବାଲି

ଜୀବନ-ସୋତ

ଆକାଶେ ଢାଲି

ହୃଦୟ ତଲେ ବହ୍ନି ଜାଲି

ଚଲେଛି ନିଶିଦିନ,

ବରଷା ହାତେ ଭରସା ପ୍ରାଣେ

ସଜାଇ ନିରୁଦ୍ଦେଶ

ମରୁର ଝଡ଼ ଯେମନ ବହେ

ସକଳ ବାଧାହୀନ ।’

 

ମାୟାର ଦୃଷ୍ଟି ମୋ ଉପରେ । କହିଲା–ଆପଣଙ୍କର ଏ ପ୍ରାନ୍ତର ଗଳ୍ପଟି ବ୍ୟତିକ୍ରମ । ଅନେକ କଥା ଭାବିବାକୁ ଦିଏ । ସୁବିଦ୍ୟା ଆପଣଙ୍କର ମାନସୀ–ନାଁ ?

 

‘ପ୍ରାନ୍ତର’ ଗଳ୍ପର ନାୟିକା ସୁବିଦ୍ୟା ମୋର ମାନସୀ କି କଅଣ ଏକଥା ଉପଲବ୍‍ଧି କରିବାକୁ କେହି ଏ ସଂସାରରେ ନାହିଁ ବା କେହି ଜନ୍ମ ନେବେନି–ମୁଁ ଜାଣେ । ସେ ପ୍ରାନ୍ତର ଉପରେ ମୁଁ ବିଭତ୍ସ ପଶୁକୁ ଚଲେଇ ଦେଇଛି, ତା’ର ଦନ୍ତପନ୍ତିକୁ ମୁଁ ଶୋଣିତାକ୍ତ କରିଛି, ଆଉ ସେ ପଶୁର କବଳରୁ ରକ୍ଷା କରି ସୁବିଦ୍ୟାକୁ ଦେଇଛି ମୋ ବକ୍ଷ ଉପରେ ସ୍ଥାନ...ନାଁ...ଏ ଗଳ୍ପ ମାତ୍ର ।

 

ମୋର ପ୍ରଳାପର ଧ୍ଵନିକୁ ବୋଧହୁଏ ଶୁଣିପାରିଥିଲା ମାୟା ।

 

ବିବର୍ଣ୍ଣ ଦୁଇଟି ଚକ୍ଷୁକୁ ମୋ ଉପରେ ଢାଳି ସେ କହିଲା–ଆପଣ ସତ ଲେଖନ୍ତି ।

 

ମୁଁ ପ୍ରତିବାଦ କଲି ନାହିଁ । ଆଜି ମାୟକୁ କେନ୍ଦ୍ରକରି ମୁଁ ଲେଖା ଲେଖୁଛି । ସେଇ ଧାରାପାତ ଭିତରେ ଏ ସୃଷ୍ଟି ଚାଲିଛି । ସେ କ’ଣ ବୁଝିବ ପ୍ରତ୍ୟେକଟି ସୃଜନ ଭିତରେ ମୁଁ କିପରି ମରି ପୁଣି ଜନ୍ମ ନିଏ ?

 

ଏ ମରଣ ଆଉ ଏ ଜନ୍ମ ସାର୍ଥକ । ଏଥିରେ ଭୀତି ନାହିଁ ।

 

ଖୋର୍ଦ୍ଧାରୋଡ଼ରେ ଟ୍ରେନ୍‍ ରହିଲା । ମାୟାକୁ ପୂଜା ସଂଖ୍ୟାଟି ବଢ଼ାଇ ଦେଲି । ସେ ମୂକ ଓ ନିର୍ଜୀବ ଭାବରେ ପତ୍ରିକାଟି ଗ୍ରହଣ କରି ନମସ୍କାର କଲା ।

 

ସେ ଜାଣିଥିଲା, ଏକ ନଗଣ୍ୟ ଶିଳ୍ପୀ ଭାବରେ ମୁଁ କେଉଁଠି କେଉଁ ସୁତ୍ରକୁ ଛିଣ୍ଡାଇ ଯାଇପାରେ ନାହିଁ । ପ୍ରଲମ୍ବିତ ରହିଥିବ ସେ ରଜ୍ଜୁ–ଆକର୍ଷଣ କରୁଥିବ । ମୁଁ ଜାଣେ, ମାୟା ଛୁରି ହାତରେ ଜିଅନ୍ତା ମଣିଷର ଅଙ୍ଗ ବ୍ୟବଚ୍ଛେଦ କରୁଥିବାବେଳେ, ଅବା ପ୍ରସୂତିର ସହଜ ପ୍ରସବ ବିଧାନ କରୁଥିବାବେଳେ ତା’ର ମନେପଡ଼ିଯାଇଥିବ ମୋ ସହିତ ତା’ର ସହଯାତ୍ରୀଣୀର ଭୂମିକା । ଏ କ୍ଷଣମାତ୍ର ଭୂମିକାର ଚିରନ୍ତନତ୍ୱ ମୁଁ ସ୍ୱୀକାର କରେ–ସେ ନ କରୁ ।

 

ଏ କଅଣ କେବଳ ଭୂମିକା ? ରବୀନ୍ଦ୍ର ସଭାକୁ ଗଲାବେଳେ ପଥ ପାର୍ଶ୍ଵର ପ୍ରାନ୍ତର ଉପରେ ଦେଖୁଥିଲି କେତେ ସୁନ୍ଦର ଶ୍ୟାମ ଦୁର୍ବାର ବିସ୍ତୃତି, ତାହାହିଁ ମତେ ସାନ୍ତ୍ଵନା ଦେଇଥିଲା । ଏଇ ନିଳୀମାର ପ୍ରଶାନ୍ତ ଆମନ୍ତ୍ରଣ ମତେ ସବୁବେଳେ ଶାନ୍ତି ଦେଇଆସିଛି । ଘନ ଘନ ଏଇ ବିଶ୍ଵାସର ନିଃଶ୍ୱାସ ମୋ ବକ୍ଷ ଭିତରେ ସଂଚରି ଯାଇଥିଲା ଏବଂ ମୁଁ ଭାବୁଥିଲି–ମାୟା ମୋ ପାଖରେ ଆତ୍ମଗୋପନ କରି ନାହିଁ କି କରି ପାରିବ ନାହିଁ ।

 

ପାଣିଛିଟା ପଡ଼ୁଥିଲା ଦେହ ଉପରେ । ଭିତରେ ସ୍ମୃତିର ଶୀତଳ ସ୍ନାନ । ଏଇ ବୋଧହୁଏ ବିଶ୍ୱ କବିର କଥା–

 

‘ହୃଦୟେ ଆଜି ମୋର

କେମନ ଗେଲ ଖୁଲି

ଜଗତ୍‍ ଆସି ସେଥା

କରିଛେ କୋଲାକୁଲି ।’

Image

 

ଚଷମା

 

ନୂଆବର୍ଷ ଦିନ ନୂଆକରି ସୁପ୍ରିୟ ଚଷମା ପିନ୍ଧିଲେ । ଜୀବନରେ ସମସ୍ତଙ୍କ ପାଇଁ ଚଷମା ପିନ୍ଧିବା ଗୋଟିଏ ଐତିହାସିକ ଘଟଣା ଭାବରେ ଉଲ୍ଲେଖଯୋଗ୍ୟ ନୁହେଁ; କିନ୍ତୁ ସୁପ୍ରିୟଙ୍କର ଜୀବନରେ ଏହା ଏକ ଅବିସ୍ମରଣୀୟ ବେଦନାଦାୟକ ଘଟଣା ବୋଲି ସେ ଜ୍ଞାନ କଲେ ।

 

ଡାକ୍ତର ସାଟିଫିକେଟ ଧରି ସେ ପହଞ୍ଚିଲେ କରିମ୍‍ ଖାଁଙ୍କର ଚଷମା ଦୋକାନରେ । ଚଷମା ପିନ୍ଧିବାର ପ୍ରଥମ ପର୍ବ ଶେଷ ହୋଇଗଲା ଯେତେବେଳେ ଡାକ୍ତର ଲେଖିଦେଲେ ଯେ ସୁପ୍ରିୟଙ୍କର ଆଖି ଖରାପ ଓ ସେ ଗୋଟିଏ ନିର୍ଦ୍ଧିଷ୍ଟ ଧରଣର ଚଷମା ବ୍ୟବହାର କରିବେ ।

 

କରିମ ଖାଁ ଚଷମା ଦୋକାନ ମେଲାଇ ବସିଛି । କେହି ଜଣେ ତା’ର ଦୋକାନ ଉପରକୁ ଉଠିଆସିଲେ ତା’ର ଦୁଇଚକ୍ଷୁ ସହସ୍ର ହୋଇଯାଏ ।

 

ଧାଡ଼ି ଧାଡ଼ି ସଜା ହୋଇ ରହିଥିବା ପ୍ରଚକ୍ଷୁ କାଚଦିଆ କାଠ ବାକ୍ସ ଭିତରୁ ଅନାଇଁ ରହନ୍ତି ଗ୍ରାହକ ଆଡ଼େ । “ମତେ ନିଅ, ମତେ ପିନ୍ଧ,ମତେ ଲଗାଇଲେ ମୁହଁକୁ ସୁନ୍ଦର ଦିଶିବ” ଏଇଭଳି ନୀରବ ବାଣୀ ସତେ ଯେପରି ହଜାର ହଜାର ଚଷମା ହୃଦୟ ଭିତରୁ ଝରିପଡ଼େ ।

 

କରିମ୍‍ ଖାଁ ସୁପ୍ରିୟ ଆଡ଼କୁ ଅନାଇଁ ଅଭିବାଦନ ଜଣାଇଲା । ସୁପ୍ରିୟ ଦୋକାନ ଉପରକୁ ଉଠିଆସି ଦେଖିଲେ ଜଣେ ତରୁଣୀ ଗୋଟିକ ପରେ ଗୋଟିଏ ଚଷମା ନାକ ଉପରେ ଥୋଇ ପରୀକ୍ଷା କରୁଛନ୍ତି । ହାତରେ ଛୋଟ ଦର୍ପଣ ଖଣ୍ଡିଏ । ସେଥିରେ ତାଙ୍କର ସରସ ମୁଖଟି ପ୍ରତିଫଳିତ ହେଇଥିଲା ।

 

ଚୂର୍ଣ୍ଣକୁନ୍ତଳ ଉପରେ ହାତ ମାରି ତରୁଣୀ ପରୀକ୍ଷା କଲେ ଚଷମା ପିନ୍ଧି ମଧ୍ୟ କୁନ୍ତଳଶ୍ରୀରେ କିଛି ଅଭାବ ରହିଯିବକି ନାହିଁ । ନାସାର ଏକ ପାର୍ଶ୍ଵରେ ସେ ତିଳ ପରିମାଣ ସୌନ୍ଦର୍ଯ୍ୟ ଚିହ୍ନ ଅଛି ତାହା ଚଷମା ପିନ୍ଧିଲେ ଲୋକଚକ୍ଷୁ ଆକର୍ଷଣ କରି ପାରିବ ତ ? ପ୍ରତ୍ୟେକଟି ଭାବନା ମହିଳାଟିର ମୁଖରେ ଫୁଟି ଉଠୁଥାଏ ଏବଂ ଚଷମା ବଦଳା ପରେ ପରେତାହା ମଉଳି ଯାଉଥାଏ ।

 

ଅନ୍ୟ ଚୌକିରେ ଜଣେ ପ୍ରୌଢ଼ ଭଙ୍ଗା ଚଷମା ନାଡ଼କୁ ହଲେଇ କ’ଣ ପରୀକ୍ଷା କରୁଥାନ୍ତି । ସେ ନୂଆ ଚଷମା ପିନ୍ଧାଳୀ ନୁହନ୍ତି । ଭଙ୍ଗା ପରିବର୍ତ୍ତେ ସେ କୌଣସି ପ୍ରକାରେ ଖଣ୍ଡିଏ ହୋଇଗଲେ ସେ କାଲି ସକାଳେ କାମକୁ ବାହାରିବେ–ନଇଲେ ସେ ଅନ୍ଧ ।

 

ଛାଣ୍ଟକାଟ୍‍ ଜଣେ କଲେଜ ଛାତ୍ର ଖୋଜୁଥାନ୍ତି ସବୁଜ ବର୍ଣ୍ଣର ଗୋଟିଏ ଚଷମା । ନାନା ପ୍ରକାର ଓ ନାନା ବିଚିତ୍ର ଆକୃତିର ଚଷମା ଖୋଜି ସେଗୁଡ଼ିକ ଗୋଟିକ ପରେ ଗୋଟିଏ ନାସା ଉପରେ ରଖି ତାଙ୍କର ଲକ୍ଷ୍ୟସ୍ଥଳ ଭାବରେ ଚଷମା–କ୍ଷୁଧାର୍ତ୍ତା ରମଣୀଙ୍କୁ ହିଁ ଦୃଷ୍ଟି ଶକ୍ତି ପରୀକ୍ଷା କରିବାର ସାମଗ୍ରୀ କରୁଥିଲେ । ବିଚାରୀ ସବୁଜ ବର୍ଣ୍ଣର ଦୃଷ୍ଟିବାଣକୁ ସହଜରେ ଗ୍ରହଣ କରି ନ ପାରି ମହିଳାଟି ଇତସ୍ତତଃ ହେଉଥିଲେ ।

 

ଦୃଷ୍ଟି ଶକ୍ତି ପରୀକ୍ଷା ଚିକିତ୍ସକ ଚଷମା ପିନ୍ଧାଇବାରେ ବିଶେଷ କିଛି କର୍ତ୍ତବ୍ୟ କରନ୍ତି ନାହିଁ-। ଚଷମା ନିର୍ବାଚନ ଗୋଟିଏ ବିରାଟ ବ୍ୟାପାର । ସେଇ ନିର୍ବାଚନ କାର୍ଯ୍ୟଟିକୁ କରେ ମଣିଷର ଶିଳ୍ପ ଚେତନା । ସେଥିପାଇଁ ସୁପ୍ରିୟ ପ୍ରାୟ ଦୁଇଘଣ୍ଟା ହେଲା ଚଷମା–ମାଳାର ଚାରିପଟେ ଘୁରୁଛନ୍ତି-। କେଉଁଟି ତାଙ୍କୁ ସନ୍ତୋଷ ଦେଇପାରୁ ନାହିଁ ।

 

କରିମ ଖାଁ ବୁଢ଼ା ହେଲାଣି । ଚଷମା ପିନ୍ଧିବାକୁ ଆସୁଥିବା ହଜାର ହଜାର ବୃଦ୍ଧ, ପୌଢ଼, ଯୁବକ, କିଶୋର,ତରୁଣ,ତରୁଣୀଙ୍କର ମନସ୍ତତ୍ତ୍ୱ ତା’ ପାଖେ ଅଛପା ନାହିଁ । ସେ ଚଷମା ବାକ୍ସ ପାଞ୍ଚ ଦଶ ଖୋଲି ଦେଇ ବିଡ଼ିଧରେ ମୁରୁକି ହସେ, ମଝିରେ ମଝିରେ ବାଃ ବାଃ କହେ, କିମ୍ବା ‘ତୋଫା’ କହି ‘ଲିଜିଏ’ ପଦରେ ଚଷମା କିଣା ପର୍ବ ଶେଷ କରେ ।

 

କିନ୍ତୁ ଶେଷ ହେଉଛି କେଉଁଠି ? ସୁପ୍ରିୟ ଅଢ଼େଇ ଘଣ୍ଟା ପରେ ବିରକ୍ତ ହୋଇ କହିଲେ–ତମ ଦୋକାନରେ ଭଲ ଚଷମା ନାହିଁ । ମତେ କେଉଁଟା ଭଲ ଲାଗୁନାହିଁ ।

 

କରିମ୍‍ ଖାଁ କହିଲା–ବଡ଼ ଅବଶୋଷ୍‍ ବାତ୍‍ । ଆପଣଙ୍କର ଲେନ୍ସ ପାଇଁ ମୁଁ ଦାୟୀ ରହିଲି-। ଲେକିନ୍‍ ଚଷମାର ରଙ୍ଗ, ଡିଜାଇନ୍‍, ନାଡ଼ି ସରୁ କି ମୋଟା ଏସବୁ ଆପଣଙ୍କର ବାଛିବା କଥା-। ମୋ ଆଖି ଆପଣଙ୍କର ଆଖି ନୁହେଁ କି ଆଖି ଏ ବିବିଜୀଙ୍କ ଆଖି ନୁହେଁ ।

 

ସୁପ୍ରିୟ ନିଜ ଆଖି ଓ ଚଷମା ନେଇ ବ୍ୟସ୍ତ । ଆଜି ତାଙ୍କ ଆଖି ଉପରେ ଆଉ ଦୁଇଟା ଆଖି ବସିବ । ଯାହା ଅସ୍ପଷ୍ଟ ଓ ଅଦୃଶ୍ୟ ରହିଯାଇଥିଲା ତାହା ସ୍ପଷ୍ଟ ଓ ଦୃଶ୍ୟ ହେବ । ସେ ଜାଣି ନ ଥିଲେ ଯେ ତାଙ୍କରି ପାଖରେ ଚଷମା ନିର୍ବାଚନକାରିଣୀ ଜଣେ ମହିଳା ସେଇ ଏକା ବିରକ୍ତିରେ ଛଟପଟ ହେଉଛନ୍ତି ।

 

ବୟସ ତାଙ୍କର ଚାଳିଶି ପାର ହୋଇ ଯାଇଛି । କେଶଗୁଚ୍ଛରେ ଲାବଣ୍ୟ ନାହିଁ । ଆଖି ଦୁଇଟି ନିଷ୍ପ୍ରଭ । ମୁହଁଟି ଶ୍ରୀ ହରାଇଛି । ଶରୀରରେ ମେଦ ବୃଦ୍ଧ ଦେଖଣାହାରୀର ଆଖିକୁ ପୀଡ଼ା ଦେଉଛି ।

 

ଏହି ବିବିଜୀଙ୍କୁ ଦେଖି ସୁପ୍ରିୟ ଚମକି ପଡ଼ିଲେ । ମହିଳା ଗୋଟିଏ ଚଷମା ଫ୍ରେମ ଆଖି ଉପରେ ରଖି ଦୋକାନର ବିଦ୍ୟୁତ୍‍ ଆଲୋକକୁ ନିରୀକ୍ଷଣ କରୁଥିଲେ । କରିମ୍‍ ଖାଁର କଥାରେ ସେ ଚକ୍ଷୁଦୁଇଟି ନତକରି ଯାହା ଦେଖିଲେ ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଗଲେ ।

 

–କିଏ ? ସୁପ୍ରିୟ !

 

–କିଏ ? ରଜନୀ ? ରଜନୀଗନ୍ଧା !

 

ଜୀବନର ବିସ୍ତୃତ ଭୂମି ଅତିକ୍ରମ କରି ଅସ୍ତାୟମାନ ସୂର୍ଯ୍ୟକୁ ମୁହଁ ରଖି ଏହି ଦୁଇଟି ପ୍ରାଣୀ ଚଷମା ଦୋକାନରେ ଆଖିର ପ୍ରଭାକୁ ଯାନ୍ତ୍ରିକ ପ୍ରୟୋଗରେ ଉଜ୍ଵଳ କରିବାକୁ ଆପ୍ରାଣ ଚେଷ୍ଟା କରିବା ଭିତରେ ପରସ୍ପରକୁ ଦେଖି ଶିହରି ଉଠିଛନ୍ତି ।

 

କରିମ୍‍ ଖାଁ ବୁଝିପାରିଲା ଅବସ୍ଥାଟା ଭଲ ନୁହେଁ । ଏମାନଙ୍କ ଆଖି ସେତେ ଖରାପ ହୋଇନାହିଁ । ଚାହୁଁ ଚାହୁଁ ଚିହ୍ନି ପାରୁଛନ୍ତି ।

 

ସୁପ୍ରିୟ ଓ ରଜନୀ ନିଜ ନିଜ ହାତରେ ଧରିଥିବା ଫ୍ରେମ୍‍କୁ ହଠାତ୍‍ ନିର୍ବାଚନ କରି କହିଲେ–’ଏଇ ହେବ, କାଲି ସନ୍ଧ୍ୟାବେଳେ ଯେପରି ଲେନ୍‍ସ ଦିଆଯାଇଥିବ ।’

 

‘ବହୁତ୍‍ ଆଚ୍ଛା’ କହି କରିମ୍‍ ଖାଁ ସଲାମ ଦେଲା । ଆଖିରେ ତାର ତୃପ୍ତି, ମନରେ ଉଦାସ ରାଗିଣୀ ।

 

ରାଜପଥ ଉପରେ ସୁପ୍ରିୟ ଓ ରଜନୀଗନ୍ଧା । ବଡ଼ ଆକସ୍ମିକ ଏ ଦେଖା । କେହି କାହାକୁ କିଛି କହିପାରୁ ନାହାନ୍ତି । ରାସ୍ତାର ଆଲୋକମାଳା ଓ ଯାନବାହନର ଶବ୍ଦ ଦୁଇଟି ହୃଦୟରେ ଉତ୍ତୋଳିତ ହେଉଥିବା ଭାବଧାରାରେ ବିଲୁପ୍ତ ହୋଇ ଯାଇଛି ।

 

ସୁପ୍ରିୟ କହିଲେ–ନବବର୍ଷର ଅଭିବାଦନ ନିଅ; କିନ୍ତୁ ତୁମକୁ ଏପରି ଭାବରେ ଦେଖିବି ବୋଲି ମୁଁ କଳ୍ପନା କରି ନ ଥିଲି । ଜୀବନ ଏହିପରି । କେତେବେଳେ କିଏ କେଉଁଠି ଆସି ଦେଖାଦିଏ ଓ କିପରି ମିଳାଇଯାଏ, ଭାବି ହୁଏନା । କେମିତି ଅଛ ?

 

ରଜନୀର ଅନ୍ତର ଏକ୍ଷଣି ଏକ ମହାବର୍ତ୍ତ । କେତେ ସ୍ତୁତି, କେତେ ଭାବନା, କେତେ ମଧୁର କଥା ସେଥିରେ ରୂପ ପାଉଛି । ଏଇ ସୁପ୍ରିୟ, ଯାହାର ଉଚ୍ଛଳ ଯୌବନ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ରଜନୀଗନ୍ଧାକୁ ଉନ୍ମାଦ କରିଥିଲା, ବିଦ୍ୟାୟତନର ପ୍ରତ୍ୟେକ ପ୍ରକୋଷ୍ଠରେ ନେତ୍ର ମିଳନ ଭିତରେ ସୁପ୍ରିୟ ଓ ରଜନୀର ଶାଶ୍ୱତ ନୀଡ଼ ରଚନା କରିବାର ପରିକଳ୍ପନା ରୂପାୟିତ ହେଉଥିଲା । କିନ୍ତୁ ହେଲା କ’ଣ ?

 

କାଳର ବିଚାର ଅନ୍ୟ ପ୍ରକାର ହେଲା । ଦୁହେଁ କୂଳ ଛାଡ଼ି ଭିନ୍ନ ପୋତାଶ୍ରୟ ପାଇଁ ଭାସିଗଲେ । ଆଜି ଦୃଷ୍ଟି ଶକ୍ତିହୀନ ଦୁଇ ପ୍ରାଣୀ ଆଉ ଟିକିଏ ସ୍ପଷ୍ଟ କରି ଜୀବନକୁ ଦେଖିବା ଅଭିଳାଷରେ ଆସିଥିଲେ ଏଇ ଦୋକାନକୁ ।

 

ରଜନୀର ଆତ୍ମବିସ୍ତୃତି ଫେରି ଆସିବା ପରେ ସେ ଦେଖିଲେ ସୁପ୍ରିୟ ନିଜ ଆଖିରୁ ଅଶ୍ରୁ ପୋଛୁଛନ୍ତି । ଆଜି ଦିନକ ପାଇଁ ଆଖି ଦୁଇଟି ଜନ୍ମ ବେଳର ପ୍ରାକୃତିକ ଚକ୍ଷୁ ହୋଇ ରହିଛି । କାଲିକି ତା’ ଉପରେ ବସିବ ଚଷମା ଫ୍ରେମ ।

 

ସୁପ୍ରିୟ ପଚାରିଲେ–ମନେପଡ଼େ କିଛି ?

 

ରଜନୀ ଅଶ୍ରୁସିକ୍ତ କଣ୍ଠରେ କହିଲେ–ହଁ, ସବୁ ମନେପଡ଼େ । ଆଖିର ଦେଖା ମଳିନ ପଡ଼ିଯାଇଛି, ହୃଦୟ କିନ୍ତୁ ସତେଜ ଅଛି । ତୁମେ ସଂସାରରେ ସୁଖୀ ହୋଇଛ ତ ? ମତେ ଛାଡ଼ି ତୁମେ ଉଡ଼ିଗଲ । ଭାବିଲି, ଉଡ଼ିଯିବା ପୁରୁଷର ଧର୍ମ । କିନ୍ତୁ ପରେ ଯାହା ଶୁଣିଲି–ତୁମେ ସଂସାରରେ ସୁଖୀ ହୋଇପାରିନ ।

 

ସୁପ୍ରିୟ ଶିହରି ଉଠି କହିଲେ–ସୁଖୀ ଅସୁଖୀ ହେବ କଥା ଆଉ କାହିଁକି ଉଠାଉଛ ? ଆମର ଦେଖା ଆକସ୍ମିକ । ଆସ ଆଜି ନବବର୍ଷ ରାତ୍ରିଟି ଉଦ୍‍ଯାପନ କରିବା ଗଭୀରନିଶୀଥ ଯାଏ ପରସ୍ପରର ଗହଣରେ ।

 

ରଜନୀଗନ୍ଧା ସ୍ନେହ ବିଜଡ଼ିତ କଣ୍ଠରେ କହିଲେ–ଶୁଣ ସୁପ୍ରିୟ, ତୁମେ ଠିକ୍‍ ସେଇ ପୁରୁଣା ଦିନର ଅବୁଝା ସୁପ୍ରିୟ ଅଛ । ପଇଁଚାଳିଶ ବର୍ଷ ଅତିକ୍ରମ ପରେ ଆମେ ଆଖିରେ ଚଷମା ଦେବାକୁ ଆସି ଦେଖିଲୁ ପ୍ରଥମ ବିକଶିତ ଯୌବନର ହଜିଯାଇଥିବା ସାଥୀ ଆଜି ମିଳିଛି । କିନ୍ତୁ ହେଲେ କଅଣ ହେବ–ରାତ୍ରି ଉଦ୍‍ଯାପନ? ତୁମେ କ’ଣ ଭୁଲିଯାଇଛ ସୁପ୍ରିୟ ସମାଜ ଆଖିରେ ଏ ପର୍ଯ୍ୟନ୍ତ ଚଷମା ଉଠିନାହିଁ ! ସେଇଟା ଏବେ ବି ସହସ୍ର ଚକ୍ଷୁ ଧାରଣ କରେ–ଯାହାର ଦୀପ୍ତି ବଡ଼ ତେଜୀୟାନ୍‍ । ଏ ଦେଶର ସମାଜ ଆମକୁ ଏଥିପାଇଁ କ୍ଷମା କରିବ ନାହିଁ ।

 

–“ଆପଣଙ୍କ ଦୋକାନରେ ଶକ୍ତ ବାଡ଼ି ମିଳିବ ? ବର୍ଷେ ହେଲା ହାତ ଥରା ଆରମ୍ଭ ହୋଇଛି । ବିନା ବାଡ଼ିରେ ଚାଲି ହେଉନାହିଁ–ମିଳିବ ?”

 

ଯେଉଁ ଗ୍ରାହକ ଏକଥା ଦୋକାନୀକୁ ପଚାରିଲେ ସେ ଜଣେ ସ୍ଥବିର । ଦୋକାନ ଉପରକୁ ବଡ଼ କଷ୍ଟରେ ଉଠିଆସି ବସି ପଡ଼ିଲେ ଚୌକି ଉପରେ । କେଶଗୁଚ୍ଛ ଶୁଭ । ହାତ ଥରୁଛି । ପ୍ୟାଣ୍ଟ ଖଣ୍ଡିକ ଅଣ୍ଟା ପାଖରୁ ଅନବରତ ଖସିଯାଉଛି । ବେଲ୍ଟ ଖଣ୍ଡିକ ଜୀର୍ଣ୍ଣ । ଚଷମାର ମୋଟା କାଚ ଚକ୍‍ ଚକ୍‍ କରୁଛି ।

 

ହରିରାମ ଦୋକାନୀ ଆଠ ଦଶଟା ବିଭିନ୍ନ ପ୍ରକାର ବାଡ଼ି ଦେଖାଇ ପସନ୍ଦ ଅପେକ୍ଷାରେ ରହିଲା । ଆଗନ୍ତୁକ ଗ୍ରାହକ ଖଣ୍ଡିଏ ବାଡ଼ି ଥରା ହାତରେ ଉପରକୁ ଉଠାଇ ଶକ୍ତ ଚଟାଣ ଉପରେ ରଖି ଚୌକି ଛାଡ଼ି ଛିଡ଼ାହେଲେ । ହାତ ଆଉ ଥରିଲା ନାହିଁ । ବାଡ଼ିଟି ବଶମ୍ବଦ ସେବକ ଭାବରେ ବୃଦ୍ଧଙ୍କର ଜୀର୍ଣ୍ଣ ଶରୀରର ଭାରକୁ ଧାରଣ କଲା ।

 

ବୃଦ୍ଧ ଖୁସି ହୋଇ କହିଲେ–ହଁ, ଏଇଟା ହେବ । କେତେ ଦାମ ?

 

–ଏ ରିକସା, ଏଇଠି ରଖ । ବାବୁଙ୍କୁ ପଚାର ଖଣ୍ଡିଏ ଛୋଟ ବାଡ଼ି ଦେଇ ପାରିବେ କି ? ରିକ୍ସାରୁ ତଳକୁ ଓହ୍ଲାଇବାକୁ ବାଡ଼ି ଦରକାର । ମୁଁ ତ ରିକ୍ସା ଛଡ଼ା କୁଆଡ଼େ ଯାଇପାରୁ ନାହିଁ ।

 

ଦୋକାନୀ ହରିରାମ ଦୋକାନ ତଳକୁ ଆସି କହିଲା–ଅଛି ମାଆ । ଆପଣ କଅଣ ଦୋକାନ ଉପରକୁ ଆସିପାରିବେନି ?

 

ବୃଦ୍ଧା ଜୀର୍ଣ୍ଣ ହସ ହସି କହିଲେ–ନାଁ, ଆଉ ସମ୍ଭବ ନୁହେଁ । ତେବେ ଟିକିଏ ହାତ ଧରନ୍ତେ ଯଦି ମୁଁ ଯାଇପାରନ୍ତି ।

 

ଆଗରୁ ଦୋକାନରେ ଛିଡ଼ାହୋଇଥିବା ବୃଦ୍ଧ ଚାହିଁଥିଲେ । ସେ ଚାହାଣୀ ଶତ ଗିରିଗାତ୍ରକୁ ଛିନ୍ନଭିନ୍ନ କରିବା ପାଇଁ ଯେପରି ଶକ୍ତି ଧରୁଛି । କିନ୍ତୁ ହାୟ ଭାଗ୍ୟ, ବୃଦ୍ଧ ସେତେ ସ୍ପଷ୍ଟ କିଛି ଦେଖି ପାରିଲେ ନାହିଁ ।

 

ବୃଦ୍ଧ କହିଲେ–ଦେଖ ହରିରାମ, ମୁଁ ସେ ଭଦ୍ରମହିଲାଙ୍କୁ ରିକ୍ସାରୁ ହାତ ବଢ଼ାଇ ନେଇଆସେ । ସାଙ୍ଗେ ସାଙ୍ଗେ ପରୀକ୍ଷା ବି ହୋଇଯିବ, ତମ ବାଡ଼ିଟା କେତେ ଶକ୍ତ ଆଉ ମୋ ହାତର ଦମ୍ଭ ରହୁଛି କି ନାହିଁ ।

 

ବୃଦ୍ଧ ନୂଆ ବାଡ଼ି ଉପରେ ଶରୀର ଭାର କରି ଅତି କଷ୍ଟରେ ରିକ୍ସାରୁ ମହିଳାଙ୍କୁ ହାତ ଧରି ଓହ୍ଲାଇ ଆଣିଲେ ।

 

ଦୁଇ ହାତର ସ୍ପର୍ଶ ! ଦୁଇ ସ୍ତବିର ଓ କମ୍ପିତ ହସ୍ତର ସ୍ପର୍ଶ ! ! ସହସା ମନେ ହେଲା ଦୁଇଟି ଶରୀର ଓ ମନ ଯେପରି ଚମକିତ ଓ ଚକିତ ହୋଇଉଠିଲା ।

 

–କିଏ, ସୁପ୍ରିୟ ?

 

–କିଏ, ରଜନୀ...ରଜନୀଗନ୍ଧା ?

 

ଆଜି ବି ନବବର୍ଷର ସନ୍ଧ୍ୟା । ପ୍ରାସାଦେ ପ୍ରାସାଦେ ନବ ତରୁଣ ଓ ତରୁଣୀଙ୍କର ଆନନ୍ଦମୁଖରିତ ସଙ୍ଗୀତର ଝଙ୍କାର । ରାଜପଥ ଉପରେ ଉତ୍ସବମତ୍ତ ଜନତା ।

 

ଦୁଇ ଅନ୍ତର ଥରାଇ ଝରିଆସିଲା ଦୁଇଟି ଦୀର୍ଦ୍ଦଶ୍ୱାସ ।

 

–ସୁପ୍ରିୟ, ତମେ କିପରି ଅଛ ?

 

–ରଜନୀ, ମୋର ହାତ ଖୁବ ଥରୁଛି । ଖଣ୍ଡିଏ ବାଡ଼ି କିଣିବା ପାଇଁ ଆସିଥିଲି । ତମେ ତ’ ଦେଖୁଛି ଖଣ୍ଡିଏ ବାଡ଼ି କିଣିବ । କି ଅପୂର୍ବ ଯୋଗାଯୋଗ କହତ ? ତମେ କିପରି ଅଛ ରଜନୀ ?

 

–ସୁପ୍ରିୟ, ମୁଁ ଆଉ ଚାଲିପାରୁ ନାହିଁ । ରିକ୍ସା ନ ହେଲେ ଯିବା ଆସିବା ଅସମ୍ଭବ । ତମେ ତ ଚାଲୁଛ ! ତେବେ ରିକସାରୁ ଓହ୍ଲାଇବା ବେଳେ ଗୋଟିଏ ସ୍ଥବିରା ନାରୀକୁ କିଏ କାହିଁକି ହାତ ଧରି ନେଇଯିବ ? ସେଥିପାଇଁ ଖଣ୍ଡିଏ ଛୋଟ ବାଡ଼ି ମୋର ଦରକାର–ରିକ୍ସା ଉପରେ ଠେସ ଦେଇ ଅନ୍ତତଃ ଆସିବି । ଆଜି ସିନା ମୋର ସୌଭାଗ୍ୟ ଯେ ସୁପ୍ରିୟ ତୁମର ହାତ ମୋ ଆଡ଼କୁ ପ୍ରସାରିତ ହୋଇ ଆସିଲା, ଏଇ ହାତଟି ଯଦି ଚାଳିଶ ବର୍ଷ ପୂର୍ବରୁ ମୋ ପାଖକୁ ଆସିଥାନ୍ତା...ଛାଡ଼ ସୁପ୍ରିୟ; ତମେ ବସ ।

 

–ରଜନୀ, ଆଜି ବି ନବବର୍ଷ । ଚାଲ, ମୋର ଓ ତୁମର ଯଷ୍ଟି ଧାରଣ ଉତ୍ସବ ପାଳିବା । ଆମେ ପରସ୍ପର ଗହଣରେ ରହି ଗଭୀର ନଶୀଥ ଯାଏ ଏକା ରିକ୍ସା ଭିତରେ ବସି ଚାଲିବା ଯେଉଁଆଡ଼େ ମନ ଚାହିଁବ ।

 

ରଜନୀଗନ୍ଧାର ମୁହଁରେ ଆତଙ୍କ ଖେଳିଗଲା । ସେ କହିଲେ–ନାଇଁ ସୁପ୍ରିୟ, ଗୋଟିଏ ରିକ୍ସାରେ ଦୁଇଟା ବୁଢ଼ା ବୁଢ଼ୀର ଏକତ୍ର ସ୍ଥାନ ଦେଖି ତରୁଣ ତରୁଣୀଏ ହସିବେ, ହାତ ତାଳି ଦେବେ-। ସମାଜ ବି ଭାବିବ ସ୍ତିମିତ ପ୍ରଦୀପରେ ଦୁଇଟା ଅହେତୁକି ବୃଦ୍ଧ ବୃଦ୍ଧା ତୈଳ ଦାନ କରୁଛନ୍ତି-। ନାଁ ଏପରି କରିବା ନାହିଁ । ଏତିକି ଯେ ଦେଖା, ଏହାହିଁ ସଞ୍ଚିତ ରହୁ ଜୀବନର ଶେଷ ନିଶ୍ୱାସ ଯାଏ-। ମୋର ନବବର୍ଷର ଅଭିବାଦନ ନିଅ ।

 

ଅକ୍ସିଜେନ୍‍ ଚେମ୍ବରରେ ଡାକ୍ତର ବଡ଼ ଉତକ୍ଷିପ୍ତ । ତାଙ୍କର ରାଗ ବଡ଼ସାହେବ ଡାକ୍ତରଙ୍କ ଉପରେ । ଆଜି ନବବର୍ଷ ରାତ୍ରି । ମଣିଷ ଟିକିଏ ଆମୋଦ କରିବ ନା ଅକ୍ସିଜେନ୍‍ ଚେମ୍ବର ଭିତରେ ରହି ସଢ଼ୁଥିବ ? ଆଜିକାଲି ଲୋକଗୁଡ଼ାକ ମରଣକୁ ଏପରି ଡ଼ରନ୍ତି କାହିଁକି ? ରାଗରେ ତମ୍‍ ତମ୍‍ ହୋଇ ଡାକ୍ତର ସେନ୍‍ ଆଦେଶ ଦେଲେ–ନର୍ସ, ଲଗାଅ ଅକସିଜେନ କ୍ୟାପ । ବଞ୍ଚିବାର ଆଶା ନାହିଁ ଆଉ କାହିଁକି ବା ବଞ୍ଚିବ ? ବାଲ୍ୟ, ଯୌବନ, ପୌଗଣ୍ଡ, ପ୍ରୌଢ଼ ସବୁ ଅବସ୍ଥା ତ ଡେଇଁ ଭଦ୍ରବ୍ୟକ୍ତି ବୁଢ଼ା ହେଲେ, ତଥାପି ଶାନ୍ତିରେ ମରିବା ପାଇଁ ଇଚ୍ଛା ନୁହେଁ । ନର୍ସ ଦେଖ, ଚେଷ୍ଟାକର, ଏ ବୁଢ଼ାଜଣକ ଦେଶର ଜଣେ ଗଣ୍ୟମାନ୍ୟ ବ୍ୟକ୍ତି । ମନ୍ତ୍ରୀଙ୍କ ଫୋନରୁ ଆବାଜ୍ ଆସିଛି ଯେପରି ଚିକିତ୍ସାରେ ତ୍ରୁଟି ନ ହୁଏ ।

 

ବୃଦ୍ଧ ଶୋଇଛନ୍ତି । ଅନ୍ତିମ ନିଦ୍ରା ଆସି ନାହିଁ । କେବଳ ମାତ୍ର ସ୍ଫୁରିତ ଭ୍ରୁ; ତାହାହିଁ ଜଣାଉଛି ଜୀବନ–ପ୍ରଦୀପ ସ୍ତିମିତ ଶିଖାରେ ଜଳୁଛି ।

 

ନର୍ସ ବ୍ୟସ୍ତ ଭାବରେ କହିଲେ–ଡାକ୍ତର, ସିନେମା ସେକେଣ୍ଡ ସୋ ଆଜି ନଷ୍ଟ । ଆଚ୍ଛା କହନ୍ତୁ ତ, ଉତ୍ସବ ଦିନମାନଙ୍କରେ ଏମାନେ କାହିଁକି ମରିବାକୁ ହସ୍ପିଟାଲକୁ ଆସନ୍ତି ?

 

ଜଣେ ପିଅନଆସି ଖଣ୍ଡିଏ କାଗଜ ବଢ଼େଇ ଦେଲା, ଡକ୍ଟର ସେନ୍‍ଙ୍କୁ ।

 

ସେନ୍‍ ସାହେବଙ୍କ ଆଖି ରକ୍ତାକ୍ତ । ସେ ଚିତ୍କାର କଲେ–ନର୍ସ, ଆଉ ଜଣେ ରୋଗୀ ଆସୁଛନ୍ତି । ତାଙ୍କର ବି ଆକ୍ସିଜେନ ଦରକାର । ଏଥରକ ମନ୍ତ୍ରୀ ନୁହନ୍ତି, ଜନସାଧାରଣ ଦାବି କରୁଛନ୍ତି–ୟାଙ୍କର ଜୀବନ ରକ୍ଷା ପାଇଁ ସବୁପ୍ରକାର ଚିକିତ୍ସା କରାଯାଉ । ଏ ମହିଳା କେଉଁଠି ଜଣେ ମାନ୍ୟାସ୍ପଦା ସମାଜସେବୀ ମହିଳା । ତେଣୁ ନର୍ସ ତମର ସେକେଣ୍ଡ ସୋ ସିନେମା ତ ନଷ୍ଟ ହେଲା, ମୋର କଅଣ ନଷ୍ଟ ହେଲା ଜାଣ–ଡାର୍ଲିଂ ଲିଲିର ନିମନ୍ତ୍ରଣ ରକ୍ଷା ଆଉ ସମ୍ଭବ ନୁହେଁ । ହଉ ଯାଅ, ରୋଗିଣୀଙ୍କୁ ଆଣ । ଆଉ ଗୋଟାଏ ଅକ୍ସିଜେନ ସେଟ୍‍ ପ୍ରସ୍ତୁତ କର ।

 

ଜରାଜୀର୍ଣ୍ଣ ବ୍ୟାଧିଗ୍ରସ୍ତ ଦେହ । ମହିଳା ରୋଗିଣୀ ଅସ୍ତମିତ ହେବା ଉପରେ । ଯଥାବିଧି ଅକ୍ସିଜେନ ପ୍ରୟୋଗ କରାଗଲା ।

 

ଡାକ୍ତର ସେନ୍‍ କାହିଁକି କେଜାଣି କରୁଣ କଣ୍ଠରେ କହିଲେ–ଆହା, ବିଚରା ବୁଢ଼ାବୁଢ଼ୀ ପରସ୍ପରର ଅପରିଚିତ ହେଲେ ବି ଦୁଇ ଖଟିଆକୁ ଏକାଠି ଲଗେଇଦିଅ । ବୁଢ଼ାବୁଢ଼ୀ ଆଜି ନୂଆବର୍ଷ ରାତ୍ରିରେ ସ୍ୱର୍ଗଗାମୀ ହେବେ । ଲକ୍ଷଣ ଭଲ ନୁହେଁ । ଆସ ନର୍ସ, ଆଉ ବୋଧହୁଏ ଅଳ୍ପ କ୍ଷଣ । ଏମାନଙ୍କୁ ନବବର୍ଷର ଅଭିବାଦନ ଜଣାଅ ।

 

ଡାକ୍ତର ଓ ନର୍ସ ଦୁହେଁ କ୍ଷଣକ ପାଇଁ ଚକ୍ଷୁ ମୁଦ୍ରିତ କଲେ । ଇତି ମଧ୍ୟରେ ଚାରୋଟି ଚକ୍ଷୁ ଅନନ୍ତକାଳଯାଏ ଲିଭିଗଲା ।

 

ଡାକ୍ତର ସେନ୍‍ କହିଲେ–ଅପାରେଟସ ଖୋଲିଦିଅ ନର୍ସ । ହଁ, ରିପୋର୍ଟ ଲେଖିଦିଏ–ମୃତ–ନାଁ । କଅଣ ?

 

ନର୍ସ ଚାର୍ଟରୁ ନାଁ ପଢ଼ିଲେ–

 

ସୁପ୍ରିୟ

 

ରଜନୀଗନ୍ଧା ।

Image

 

ମୁହୂର୍ତ୍ତକର ଭାଷ୍ୟ

 

ଜୀବନର ଗୋଟିଏ ଗୋଟିଏ ମୁହୂର୍ତ୍ତ କେତେ ଭାଷ୍ୟ ରଚନା କରେ ଆମେ ଜାଣିପାରୁନା । ଆମ ଆଖି ସବୁବେଳେ ଥାଏ ବଡ଼ ଉପରେ–ଯେମିତିକା ଏ ସଂସାରରେ ବଡ଼ଟାହିଁ ସବୁ, ବଡ଼ହିଁ ବିରାଟ । କିନ୍ତୁ କ୍ଷୁଦ୍ର ମୁହୂର୍ତ୍ତଟିରେ କେତେ ଯେ ସୁନ୍ଦର ବିରାଟର ମହିମା ଝରିପଡ଼େ ତାହାର କଳନା ନାହିଁ ।

 

ଏବେ କଲିକତା ଯାଇଥିଲି । ଆମେ ଅନେକ ଯାଇଥିଲୁ ଦଳବାନ୍ଧି–ସାଂସ୍କୃତିକଦଳ । ଗାଡ଼ିରେ ଚଢ଼ି ଆମେ ନିଜ ନିଜକୁ ଚାହିଁଲୁ, ପୁଣି ଦୃଷ୍ଟି ଢାଲିଲୁ ଅନ୍ୟ ସମସ୍ତଙ୍କଆଡ଼େ । ବିଶ୍ୱକବିଙ୍କର କଥା ମନକୁ ଆସିଲା । ଗୋଟାଏ ମହାମାନବର ସାଗର ତୀର ଯେମିତି ଢେଉ ପିଟି ଆମକୁ କହୁଥାଏ–ଏଠି ସମସ୍ତେ ସମାନ, ସମସ୍ତେ ବନ୍ଧୁ ।

 

ଆମ ସାଙ୍ଗରେ ଆଧୁନିକ ଯୁବକ ଯୁବତୀ ଥାନ୍ତି, ଶିଳ୍ପୀ ଥାନ୍ତି ମନ ମିଳେଇ କଥା କହିବାଭଳି ଲୋକ ଥାଆନ୍ତି । ସେବା ଗୁଣରେ ଉଦ୍‍ବୁଦ୍ଧ ହୋଇ ଆମେ ହରିଜନ ବାଳିକା ସୁମତିକୁ ନେଇଥାଉ ଆମ ସାଙ୍ଗରେ । ବିଚାରୀ ନିଜ ଗୋଡ଼ରେ ଠିଆହୋଇ କେବେ ମହାନଗରୀ ଦେଖି ପାରିବ ନାହିଁ । ସେଥିପାଇଁ ସେ ଆମ ପୁଞ୍ଜିରେ ଭାଗ ବସାଇ ଆମକୁ ଆଶ୍ରୟ କରି ଚାଲୁଥାଏ ଆମ ସାଙ୍ଗରେ ।

 

ବୟସ ତା’ର ବାର ତେର । ବାପା ମ୍ୟୁନିସିପାଲିଟିର ଝାଡ଼ୁଦାର । ସେବିକା କଲ୍ୟାଣୀ ପଟ୍ଟନାୟକଙ୍କର ତତ୍ତ୍ଵାବଧାନରେ ଏ ଦଳ ଗଢ଼ା ହୋଇଥାଏ । ସୁମତି ସେଥିରେ ସ୍ଥାନ ପାଇଥାଏ ।

 

କଲିକତାର ଏକ ବିରାଟ ସୌଧରେ ଆମେ ରହିଲୁ । ଆଧୁନିକାମାନେ ପ୍ରସାଧନ କରନ୍ତି । ତାଙ୍କର ଅଙ୍ଗ ସଜେଇବାର ସାମଗ୍ରୀ ରହିଥାଏ ଟେବୁଲ୍‍ ଉପରେ । ଯୁବକମାନେ ଜୀବନର ଛନ୍ଦ ପାଇବା ଭଳି ମନେକରୁଥାନ୍ତି । ସବୁଆଡ଼େ ଆନନ୍ଦ, ସବୁଆଡ଼େ ଚହଳ ।

 

ଆମେ ଯାଇଥାଉ ଏକ ଉଦ୍ଦେଶ୍ୟ ନେଇ । ମହାନଗରୀର ଭଲ ଦୃଶ୍ୟ ଦେଖିବୁ । ପ୍ରଚୁର ଜନତା ମଝିରେ ପୁଣି ନିଜକୁ ହଜାଇଦେବୁ । ସେତିକି ନୁହେଁ, ନାଟକ ଅଭିନୟ କରିବୁ । ଆମ ଦେଶର ସଂସ୍କୃତିକୁ ସେ ଦେଶର ଭାଇ ଭଉଣୀଙ୍କ ଆଗରେ ବାଢ଼ିବସିବୁ ।

 

ମୋର ନଜର ଥାଏ ସୁମତି ଆଡ଼େ । ଯେ ସଂସ୍କାର ତାକୁ ଏତେଦିନ ସମାଜବିଚ୍ଛିନ୍ନ ରଖିଛି, ଏଠି ଆମ ଏଇ ଦଳ ଭିତରେ ସେତକ ସେ ଫେରି ପାଉଛି କି ନାହିଁ ?

 

ମୁଁ ଦେଖେ–ସେ ଆଡ଼େଇ ଆଡ଼େଇ ଚାଲେ । ଛୁଆଁ ଅଛୁଆଁ ଭାବ ତା’ର ଥାଏ । ପଂକ୍ତି ଭୋଜନରେ ବସିଲେ ବି ସେ ନିଜକୁ ମହାଅପରାଧିନୀ ବୋଲି ଭାବୁଥାଏ ।

 

ସୁମତିକୁ ଘେନି କାହାର କିଛି ଅଭିଯୋଗ ନ ଥାଏ । ସେ ନିଜ ଇଚ୍ଛାରେ ଅନ୍ୟମାନଙ୍କର ଅଇଁଠାପତ୍ର ଉଠାଇ ଆଣେ । ଛୋଟ ପିଲାମାନେ ଆବର୍ଜନା କଲେ, ସେ ପରିଷ୍କାର କରିଦିଏ ।

 

ଝାଡ଼ୁଦାର ଭଜହରି ଝିଅକୁ ଗୋଟିଏ ଟଙ୍କା ଦେଇ କଲିକତା ପଠାଇଥାଏ । ବାପର ସୁଆଗ, ଝିଅକୁ ଯାହା ଭଲ ଲାଗିବ ସେ କିଣି ଆଣିବ । ମାତ୍ର ଟଙ୍କାଟିରେ ମହାନଗରୀର କି ବସ୍ତୁ ସେ କିଣିବ ? ବୋଧହୁଏ କିଛି କିଣି ପାରିବନି ।

 

ସୁମତି ଯାହା କିଣିଲା ତାହା ପଇସାରେ କିଣି ହେବ ନାହିଁ । ସେ କଥା ପରେ । ଷ୍ଟେସନର ବିରାଟ ଜନଗହଳି ଭିତରେ ସୁମତିର ସବୁ କିଛି ହଜିଗଲା । ସେ ବିଲୀନ ହୋଇଗଲା । ଆଉ ସବୁ ନିଜକୁ ଧରି ରଖିଲେ–ଏତେ ଆପଣାକୁ ହଜେଇ ପାରିଲେ ନାହିଁ । ମାତ୍ର ସୁମତି ନିଜକୁ ସମ୍ପୂର୍ଣ୍ଣ ହଜାଇ ଦେଇ ଯେ ଆନନ୍ଦ ପାଇଲା ଆମର ତାହା ଦୁଷ୍ପ୍ରାପ୍ୟ । କଲିକତାର ରାସ୍ତା ପାର ହେବାବେଳେ ସୁମତିର ଭୟାର୍ତ୍ତ ଆଖି ଦୁଇଟାକୁ ମୁଁ ଦେଖେ । ଗୋଟାଏ ମୋଟର ସାଇକେଲ ଭାଙ୍ଗି ପଡ଼ିଥାଏ ରାସ୍ତା କଡ଼ରେ । ଆରୋହୀ ଜଖମ ହୋଇଥାଏ କି ନାହିଁ କହି ହେବ ନାହିଁ । ତେବେ ସେ ଭଙ୍ଗା ମଟରସାଇକେଲଟାକୁ ଦେଖି ସୁମତି ଥରିଯାଏ ।

 

ଆକ୍ସିଡ଼େଣ୍ଟରେ ବହୁ ଲୋକ ମରନ୍ତି ବୋଲି ସୁମତି ଜାଣିଲା । ପକେଟ କାଟି, ତଣ୍ଟି କାଟି, ଧନଦୌଲତ କାଢ଼ି ନେବାର କାହାଣୀ ସେ ଶୁଣିଲା ।

 

ବଡ଼ ନଗରରେ ଏଇଆ ତ ନିତିଦିନିଆ କାରବାର । ଏମିତି ଚମକି ଉଠିଲେ କଅଣ ଚଳିବ ? ଘରକୁ ନ ଫେରିବା ଯାଏ ବାପ ପୁଅ ପାଇଁ ଚିନ୍ତିତ, ଭାଇ ଭଉଣୀ ପାଇଁ ଚିନ୍ତିତ । ଆକସ୍ମିକ କଅଣ ସବୁ ଘଟିଯାଏ ।

 

ସୁମତି ଜାଣେ ତା’ର କୁଡ଼ିଆ ଭିତରେ ଆକ୍ସିଡ଼େଣ୍ଟ ହୁଏନାହିଁ । ମାଆ ବାପର ଦୁଃଖ ଭିତରେ ସେ ବଢ଼ିଛି । ଅଳିଆ ଆବର୍ଜନା ଭିତରେ ସେ ବୟସ ଛାଡ଼ି ବଢ଼ି ଆସୁଛି ।

 

ରିହର୍ସାଲ ଚାଲିଥାଏ । ଆଉ ଗୋଟାଏ ଦିନ ପରେ ଆମର ସାର୍ଥକ ନୃତ୍ୟାଭିନୟ ‘ଅଜନ୍ତାର ସ୍ୱପ୍ନ’ । ସମସ୍ତେ ବ୍ୟସ୍ତ । ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କର ଗହଣରେ କିପରି ଏ ନୃତ୍ୟ ନାଟିକାର ସଫଳ ପ୍ରକାଶ ହେବ ତାହାହିଁ ଚିନ୍ତାର ବିଷୟ ହୋଇଥାଏ ।

 

ପ୍ରତି ସନ୍ଧ୍ୟାରେ ଆମର ନୂପୁର–ନିକ୍ୱଣ ଦୂରକୁ ଶୁଣାଯାଏ । ଆମେ ଯେଉଁଠି ଥାଉ ତାହା ଅପେକ୍ଷାକୃତ ସହର–ତଳି ଅଞ୍ଚଳ । ସେଠାର ଦୋକାନୀ, ଶ୍ରମିକ, ପାଠାଗାରର ପାଠକ, ପଡ଼ିଆ ଉପର କ୍ରୀଡ଼ାରତ ଖେଳାଳି ଆମକୁ ପ୍ରାୟ ପଚାରନ୍ତି–କେବେ ଅଭିନୟ ହେବ ? କିଏ ଆସିବେ ସଭାପତି ହୋଇ ? ଟିକେଟ ହେବ କି ନାହିଁ ?

 

ଆମେ ମୁଗ୍ଧ ହୋଇଯାଉ ଏମାନଙ୍କ ବ୍ୟାକୁଳତା ଦେଖି । କଲିକତି ନାଚ ଗାଉଣା ଅଭିନୟ କେଡ଼େ ସୁନ୍ଦର, କେତେ ପ୍ରଗତିଶୀଳ, ଅଥଚ ଓଡ଼ିଶାର ଏଇ ସାଂସ୍କୃତିକ ଦଳର ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବାକୁ କଲିକତାର ନାଗରିକମାନଙ୍କର ଏତେ ଆଗ୍ରହ ?

 

ଅଭିନୟ ହେବା ଦିନର ସଞ୍ଜ ପ୍ରହର । ସାଜସଜା ଚାଲିଥାଏ । ବଙ୍ଗଳାର ବିଶିଷ୍ଟ ନେତୃସ୍ଥାନୀୟ ବ୍ୟକ୍ତି ସମାଗତ । ଉତ୍ସବମୁଖର ଏଇ ସନ୍ଧ୍ୟାଟିରେ ଉତ୍କଳୀୟ କୃଷ୍ଟିର ସାର୍ଥକ ପରିଚୟ ‘ଅଜନ୍ତାର ସ୍ୱପ୍ନ’ ପରିବେଷିତ ହେବ ।

 

କଲ୍ୟାଣୀ ପଟ୍ଟନାୟକ ଉତ୍ତେଜିତ ଅବସ୍ଥାରେ ପଶିଆସି ସମସ୍ତଙ୍କୁ ଶୁଣାଇଲେ–‘ସର୍ବନାଶ’ ।

 

ସମସ୍ତଙ୍କ ମୁହଁ କଳା ପଡ଼ିଗଲା । କଅଣ ସର୍ବନାଶ ? ଅଭିନୟ କଅଣ ବନ୍ଦ ହୋଇଯିବ-? ସଭାପତି ଆସିଲେନାହିଁ ? ଉଦ୍‍ଘାଟକ ଆସିଲେନାହିଁ ? ବରେଣ୍ୟ ଅତିଥି ମନା କରିଦେଲେ-? ସବୁ ସମ୍ଭବ । ବଡ଼ଲୋକଙ୍କର ବଡ଼ ବେଭାର–ତାଙ୍କୁ ବା’ ବତା ନାହିଁ ।

 

ମାତ୍ର ସେ କଥା ନୁହେଁ । କଲ୍ୟାଣୀ ପଟ୍ଟନାୟକ ଅସ୍ଥିର ହୋଇ ପଡ଼ିଲେ–କିଏ ବୁଦ୍ଧ ପାର୍ଟ ନେବ । ପ୍ରାୟ ଅଧଘଣ୍ଟା କାଳ କିଏ ଅର୍ଦ୍ଧସ୍ତିମିତ ନୟନରେ କଲ୍ୟାଣକରୁଣାକର ମୁଦ୍ରା ଧରି ବସିରହିବ ନିଶ୍ଚଳ ହୋଇ ପଦ୍ମାସନରେ ? ଦମୟନ୍ତୀ ପେଟ ଯନ୍ତ୍ରଣାରେ ଅସ୍ଥିର । ବୁଦ୍ଧ ଭୂମିକାରେ ଦମୟନ୍ତୀ ସାଜ ପୋଷାକରେ ଡାକ୍ତରଠାରୁ ଔଷଧ ଗ୍ରହଣ କରୁଛି । ସେ ପାରିବ ନାହିଁ ।

 

ତେବେ ସେ ଧ୍ୟାନଗମ୍ଭୀର ବୁଦ୍ଧଦେବଙ୍କର ମୁଖମଣ୍ଡଳ କାହାର ଅଛି–ଯେଉଁ ଆନନରୁ ଲାବଣ୍ୟ ଝରିପଡ଼ୁଥିବ–ଦୀର୍ଘ ନାସିକା, ଉନ୍ନତ କପାଳ ଓ ସ୍ଥିର ପଦ୍ମାସନ ଉପରେ ବସି ରହିଥିବା ସେଇ ବୁଦ୍ଧମୂର୍ତ୍ତି ।

 

ଭାଳେଣି ପଡ଼ିଲା–କିଏ ସେ ନେବ ସେ ପାର୍ଟ । କଥା କହିବାକୁ ନାହିଁ, କେବଳ ବସି ରହିବାର ସ୍ଥିରାଭିନୟ । ଗୋଟିଏ ଗୋଟିଏ ଅଜନ୍ତାର ମୂର୍ତ୍ତି, ଲାସ୍ୟ ଦୋଳନରେ ଝୁଲି ଝୁଲି ନାଚି ଆସିବେ ଓ ତାହାର ସହିତ ସଂହତି ରଖି ବୁଦ୍ଧଙ୍କର ଓଷ୍ପାଗ୍ରରୁ ଝରି ଆସିବ କରୁଣାବୋଳା ସ୍ମିତ ହାସ୍ୟ ନିର୍ଝର !

 

ଡିରେକଟରଙ୍କୁ ଡାକପଡ଼ିଲା । ନୃତ୍ୟଶିକ୍ଷକ ଚିନ୍ତାଗ୍ରସ୍ତ । ବୁଦ୍ଧ ନହେଲେ ନଚଳେ ।

 

ସୁମତି ଷ୍ଟେଜ୍‍ର ଗୋଟାଏ କଣରୁ ପହଁରାଧରି ଓଳେଇ ଆଣୁ ଆଣୁ ଟିକିଏ ଆଖି ବୁଜି ଥକା ମାରି ଆଣିଲା । ଗୋଡ଼ ଦୁଇଟା ଚକାମାଡ଼ି ପକାଇ ସେ ମୁହୁର୍ତ୍ତେ ବସିଯାଇଥାଏ । କାହାର ଗୋଚର ହେଲା ନାହିଁ ଏ ବସିବା ଢଙ୍ଗ ।

 

ମାତ୍ର ଜଣକର ଆଖି ମୁଗ୍‍ଧତାରେ ଝଲସି ଉଠିଲା । ସେ ଆଖି କଲ୍ୟାଣୀଙ୍କର । ସେ ପାଟି କରି ଉଠିଲେ–ପାଇଛି, ପାଇଛି, ବୁଦ୍ଧଙ୍କୁ ପାଇଛି । ସୁମତିକୁ ସଜେଇ ଦିଅ ।

 

ଝାଡ଼ୁଦାର ଝିଅ ଏକ ମୁହୂର୍ତ୍ତରେ ଭାଷ୍ୟ ରଚନା କରିଦେଲା–ବୁଦ୍ଧଂ ଶରଣଂ ଗଚ୍ଛାମି । ସଂଙ୍ଘ ଶରଣଂ ଗଚ୍ଛାମି ।

 

ଆଃ ! କିସ୍ତିମିତ ଆୟତ ନୟନରେଖା ! କି ସୁଠାମ ଗଣ୍ଡଦେଶର ଶ୍ରୀ ! ମଥା ଉପର ଜଟା–ଜାଲର ବିଧୃତ ଗୁମ୍ଫନ ଭଙ୍ଗୀ !

 

ଏ ନବୀନ ଭିକ୍ଷୁ ବୁଦ୍ଧଙ୍କର ସ୍ନିଗ୍ଧ ରୂପଶୋଭା ଦେଖି ବିଶିଷ୍ଟ ବରେଣ୍ୟ ଅତିଥିଶୀତ୍କାର ଭୋଗିଲେ । ଦର୍ଶକ ଘନ ଘନ ହାତତାଳି ଦେଲେ । ଅଜନ୍ତାର ସ୍ୱପ୍ନ ସୁମତିର କର–କରୁଣା–ମୁଦ୍ରାରେ ସାର୍ଥକ ହୋଇଗଲା ।

 

ଗୋଟିଏ ଟଙ୍କାର ପୁଞ୍ଜି ଯାହାର, ଯେଉଁ ହରିଜନ ବାଳିକାର, ତା ପାଖରେ ପୁରସ୍କାର ଆଜି ବହୁ ପ୍ରକାର । କାହିଁ ତଥାଗତ ବୁଦ୍ଧ, କାହିଁ ଚଣ୍ଡାଳିକା ସୁମତି ।

 

ଅଭିନୟ ଶେଷ ହେଲା ।

 

–“ହେଃ–ଉଠୁନୁ, କଅଣ ଏମିତି ବସିଥିବୁ କି ବୃଦ୍ଧ ହୋଇ ?” ସୁମତିକୁ ହଲାଇ ଦେଇ କେହି ଜଣେ ଏମିତି କହିଲେ ।

 

ବରେଣ୍ୟ ଅତିଥି ଆସିଲେ । ଜାଣିବାକୁ ପାଇଲେ ସେ ହରିଜନ ବାଳିକା । ଆନନ୍ଦରେ ତାଙ୍କର ଅନ୍ତର ଉଦ୍‍ବେଳିତ ହେଲା ।

 

ଦଣ୍ଡକ ପରେ ସମସ୍ତେ ଖାଇ ବସିଲେ । ଯେ ଯାହା ଭୂମିକା ନେଇ ଆଲୋଚନା କଲେ–କେଉଁଠି କାହାର ଭୁଲ୍‍ ତ୍ରୁଟି ଘଟିଲା, କିଏ କେଉଁଠି ନାଚୁ ନାଚୁ ଛନ୍ଦ ଲୟ ଭୁଲିଲା–ଏଇ ସବୁ କଥା ।

 

ସମସ୍ତେ ଉଠି ଆସିଲେ । ନିଜ ନିଜ କୋଠରିକୁ ଚାଲିଲେ । ପ୍ରଶଂସିତ ଅଭିନୟରେ ଆତ୍ମହରା କଳାକାରମାନେ ବୁଡ଼ିଗଲେ ନିଜ ନିଜ କଳାକୃତିର ସ୍ମୃତିରେ ।

 

ମାତ୍ର ଜଣେ ରହିଗଲା ବାସ୍ତବ ଜଗତରେ । ଯେ ମୁହୂର୍ତ୍ତକରେ ବୃଦ୍ଧ ସେ ଚିରକାଳକୁ ରହିଗଲା ହରିଜନ, ଅସ୍ପୃଶ୍ୟ, ଅପାଙ୍‍କ୍ତେୟ ।

 

ସୁମତି ବାସନ ମାଜୁଥିଲା । କପାଳର ତା’ର ଚିତାଟା ଲିଭି ନ ଥିଲା । କରପଦ୍ମର ଈଷତ୍‍ ରକ୍ତିମା ବି ରହିଯାଇଥିଲା ।

 

ଇସ୍‍, କଅଣ କଲା ମ ? ଏତେ ଗୁଡ଼ାଏ ଗୋବର–ଏକା ଥରକେ ବାସନଟା ଚିକ୍‍ ଚିକ୍‍ କଲା; କିନ୍ତୁ ସୁମତିର ହାତ ଦୁଇଟା କାଦୁଅ ପାଉଁଶ ବାଲୁ ବାଲୁ ।

 

ମଥାର ଖୋଷାଟା ତ୍ରିଶୂଳ ଭଳି ଗୋଟାଏ ବାଞ୍ଛିତ ଶ୍ରୀ ଧରି ଏବେ ବି ରହିଯାଇଛି । ସେଇଟାକୁ କେହି ଫିଟାଇ ଦେଇ ନାହାନ୍ତି ।

 

ସୁମତି ବାସନ ଧୋଇ ଅଇଁଠାପତ୍ର ପକାଇ ସାରି ଦେଖିଲା କେହି କୁଆଡ଼େ ନାହାନ୍ତି । ଡାଇନିଂ ହଲ୍‍ଟା ଖାଲି ।

 

ଦୂରରେ ଷ୍ଟେଜ୍‍ଟା ମୁକୁଳା ପଡ଼ିଛି–ତେବେ ବୃଦ୍ଧଙ୍କର ଗୁହାସ୍ଥିତ ଶିଳାଖଣ୍ଡ ଶୂନ୍ୟ ପଡ଼ିଛି-। ସୁମତି ସେଇଆଡ଼କୁ ଅନେଇଁ ରହିଲା । ଧୀରେ ହଲ୍‍ଟାର କବାଟ ଆଉଜେଇ ଆଣି ପୁଣି ସେ ଥରେ ଫେରି ଚାହିଁଲା ତା’ର ମୁହୂର୍ତ୍ତକର ଭାଷ୍ୟ ରଚନାର ସାର୍ଥକତାକୁ ।

Image

 

ହେ ପଥ ହେ ପାନ୍ଥ !

 

ଯେଉଁ ସନ୍ଧ୍ୟାରେ ପାଥେରପୁରୀ ଛାତ୍ରାବାସ ପାଖରେ ନବନିର୍ମିତ “ପାନ୍ଥ–ନିବାସ”କୁ ମନ୍ତ୍ରୀ ମହୋଦୟ ସହରର ଗଣ୍ୟମାଣ୍ୟ ବ୍ୟକ୍ତିଙ୍କ ଗହଣରେ ଲାଲ୍‍ ରିବନ କାଟି ଉଦ୍‍ଘାଟନ କରିଥିଲେ, ସେ ସନ୍ଧ୍ୟାଟି ମୋର ମନେଅଛି ।

 

ବହୁଦୀପ୍ତାଲୋକମାଳା ଭିତରେ ପାନ୍ଥ–ନିବାସ ଅମରାବତୀ ସାଜିଥିଲା । ଚାରିପଟେ ରାସ୍ତା ଉପରେ ଲୋକାରଣ୍ୟ । ନୂଆ ସୌଧ, ନୂଆ ଟେଲିଫୋନ୍‍, ନୂଆ ଆସବାବପତ୍ର ।

 

ଚା’ ଭୋଜି ଭିତରେ ପାନ୍ଥ–ନିବାସ ପ୍ରତିଷ୍ଠାର କାରଣ ସ୍ୱରୂପ ଅନେକ ଆଲୋଚନା ହୋଇଥିଲା । କିଏ କିଏ କହିଥିଲେ–ଏହାଦ୍ୱାରା ଟୁରିଜିମ୍‍ ବଢ଼ିଲା । ଲୋକେ ଦେଶବିଦେଶରୁ ଆସି ଆରାମରେ ଏଠି ରହିବେ । ଛବିଳଉତ୍କଳର ସୌମ୍ୟପ୍ରକୃତି ଦେଖି ଆତ୍ମବିଭୋର ହେବେ ।

 

କିଏ ବା ମନ୍ତବ୍ୟ ଦେଲେ ଆମେ, ଯେ କି ପୁରୀ ସହରର ଅଧିବାସୀ, ସ୍ତ୍ରୀଙ୍କ ସହିତ ଯେଉଁଦିନ ମନାମନି ହୋଇଯିବୁ, ସେଦିନ ଅଖିଆ ଅପିଆ ଏଇ ସୌଧକୁ ଚାଲିଆସି ଦିନଟାଏ ରହିଯିବା । ସ୍ତ୍ରୀ ଜାଣିବେ ଆମେ ଫେରାର । ଆମେ କିନ୍ତୁ ଦିବ୍ୟ ଭୋଜନ କରି ସନ୍ଧ୍ୟାବେଳକୁ ଘରକୁ ବାହୁଡ଼ିଯିବା । ଅଭିମାନବତୀର ଅଭିମାନ ଖସି ଯାଇଥିବ । ନରମି ଆସିଥିବ ତା’ର ମୁହଁର ଥନ ଥନ ଭାବ ।

 

ଆଉ କିଏ କହିଲେ–ସଦାଦିନିଆ ଡାଲିଭାତ ଖାଇ ଅରୁଚି ହେଲେ ଏଠାକୁ ଆସି କିଛି ମୁଖରୋଚକ ମାଂସ, ଡିମ୍ଵର ସଦ୍‍ବ୍ୟବହାର ହୋଇପାରିବ ।

 

ଏମିତି କିଏ କେତେ କଥା କହିଲେ । ଯେ ଯାହା ଦୃଷ୍ଟିକୋଣରୁ ମନ୍ତବ୍ୟ ବାଢ଼ିଲେ ପାନ୍ଥ–ନିବାସର ଉପଯୋଗିତା ଘେନି । ମୁଁ ସବୁ ଶୁଣୁଥାଏ । ସ୍ୱଭାବରେ ମୁଁ ବାକ୍‍କୁଣ୍ଠ । କାହାର ଆଲୋଚନାରେ ରଙ୍ଗ ମିଶାଇ ଗୋଟାଏ କିଛି କଳ୍ପିତ ଇନ୍ଦ୍ରଧନୁ ସୃଷ୍ଟି କରିବା ମୋର ପ୍ରକୃତି ବାହାର କଥା ।

 

ମୁଁ କେବଳ ଭାବୁଥାଏ, କିଏ ସେ ପଥିକ, ଯେ ଏ ନିବାସକୁ ଆପଣାର କରିନେବ ? କିଏ ସେ ଆତ୍ମଭୋଳା ପର୍ଯ୍ୟଟକ, ଯେ ଦିନେ ଦୁଇଦିନ ଏଠାରେ ରହି, ବିଶ୍ରାମ କରି, ସମ୍ମୁଖ ପାରାବାରର ଆଦିମ ତରଙ୍ଗଧ୍ଵନିକୁ କାନ ପତେଇ ଶୁଣିବ ? କିଏ ସେ ଛନ୍ନଛଡ଼ା ଜୀବନର ଲୋକ ଯେ ଏ ସଂସାରରେ ସବୁ ହରେଇ ଦେଇ ଆଉ କିଛି ରହିଗଲା ବୋଲି ହଜିଲା ନିଧିକୁ ଖୋଜି ଖୋଜି ଏଇ ପାନ୍ଥନିବାସକୁ ଚାଲିଆସିବ?

 

ହୁଏତ ସେଇ ଯେ ପଥିକ କାହିଁ କେତେ ଦୂରରୁ ଆସୁଛି, ସୁଦୂରର ଆକର୍ଷଣକୁ ହୃଦୟରେ ରଞ୍ଜିତ କରି ଚାଲିଆସୁଛି, ସେ ଏଇଠାରେ ଆତ୍ମସମାହିତ ହୋଇ ବସିରହିବ ସୂର୍ଯ୍ୟାସ୍ତର ବର୍ଣ୍ଣାଳୀ ଆଭାକୁ ତନୁ–ମନରେ ପ୍ରଲେପିତ କରି ।

 

କହି ହୁଏନା, କିଏ ଆସିବ କିଏ ନ ଆସିବ । ଏ ତ ଗୃହାଙ୍ଗନ ନୁହେଁ ଯେ କାହାର ପାଦପାତପାଇଁ ଚାହିଁ ରହିଥିବ ସୁଲକ୍ଷଣୀ ଗୃହଲକ୍ଷ୍ମୀ ବଧୁ; ଅଞ୍ଜଳି–ବଦ୍ଧ ପ୍ରେମ–ସୋହାଗ ପୁଷ୍ପ ଧରି ଉଭା ହୋଇଥିବ ପ୍ରିୟତମର ବନ୍ଦାପନା ଉଦ୍ଦେଶ୍ୟରେ ?

 

ଏଠି ଦୁଇଜଣ ଯବନ ଖାନ୍‍ସାମା–ଶ୍ମଶ୍ରୁଳ–ମ୍ୟାନେଜର ବଳିଷ୍ଠ ଚେହେରା–ସଦାବେଳେ ଖାତା ଧରି ବସିଥାନ୍ତି ଗୋଛାଏ ଚାବି ପାଖରେ ଥୋଇ । କେଉଁ କାମେରା ଖାଲି, କେଉଁଠି ଗୋଟାଏ ବେଡ଼୍‍ କାହାର ଦରକାର, ଡବଲ ବେଡ଼୍‍ରେ ସେ ଶୋଇଛନ୍ତି ତାଙ୍କ ମଧ୍ୟରୁ ଜଣଙ୍କର ସୀମନ୍ତରେ ସିନ୍ଦୁର ଧାର ଅଛି କି ନାହିଁ–ନ ଥିଲେ ସଂଶୟ ମିଶା ଚାହାଣୀ, ତା’ ପରେ ସେ ଚାହାଣୀ ମିଳେଇ ଯାଏ, ଆସେ ପ୍ରତ୍ୟୟ...ବୋଧହୁଏ ବ୍ରଦର ଏବଂ ସିଷ୍ଟର...ପୁଣି ରାତିରେ ରୁଟି କି ଦିନରେ ପରଟା, ବ୍ରେକ ଫାଷ୍ଟରେ କଫି କି ଲେମ୍ବୁଦିଆ ଚା–ଏଇଭଳି କର୍ମବ୍ୟସ୍ତତାରେ ପାନ୍ଥନିବାସର କର୍ମଚାରୀ ସଜାଗ ପ୍ରହରୀ ଭଳି ଉଭା ହୋଇ ରହିଥାନ୍ତି ।

 

ଏଇ ହେଲା ପାନ୍ଥ–ନିବାସ । ଏଠାରେ ନିବାସ ଅଛି ସତ, ମାତ୍ର କାହିଁ ପାନ୍ଥ, କେବେ ସେ ଆସିବେ ? ସତେ କ’ଣ ସେ ଦେଖି ପାରିବେ ଆଗରେ ପ୍ରସାରିତ ଏଇ ଅନନ୍ତ ନୀଳ ସିନ୍ଧୁକୁ ? ତା’ର ବିଚିକ୍ଷୁବ୍‍ଧ ଶିଶିରକଣା ଭିତରେ ସତେ କି ସେ ଦେଖିପାରିବେ ଜୀବନ–ମୃତ୍ୟୁ–ଲୀଳା ଭିତରେ କେଉଁଟି କାହା ପଛରେ ରହିଛି, ଅବା ସେ କଅଣ ଅନୁଭବ କରିପାରିବେ ମହାନଟ ମହାକାଳ କେତେ ପ୍ରକାରେ କଅଣ ସଂଘଟନ କରିଯାଇଛି ?

 

ସଭା ଶେଷ ହେଲା, ଜଳପାନ ସରିଲା । ଚତୁର୍ଥୀ ଚନ୍ଦ୍ର ଉଠିଲା ଦିକ୍ଚକ୍ରତଳେ । କ୍ଷୀଣ ରଜତକାନ୍ତିରେ ଖଚିତ ହୋଇଗଲା ସାଗରବେଳା । ବିଧୁର ରାଗିଣୀରେ ସେତିକି–ବେଳେ କେଉଁ ଅଦୃଶ୍ୟ ବଇଁଶିଆଳର ବାଂଶୁରୀ ଗୁଞ୍ଜନ କଲା ।

 

ମନ ମୋର ସରସତା ହଜାଇ ଦେଲା । ମତେ ଜଣାଗଲା, ଏଇ ଲୋକଗୁଡ଼ାକ ଯେ ଏ ସବୁ ଆୟୋଜନ କରି ଗୋଟାଏ କିଛି ବଡ଼ କୀର୍ତ୍ତି କଲେ ବୋଲି ଆତ୍ମପ୍ରସାଦ ଲଭୁଛନ୍ତି–ବଡ଼ ଦୟନୀୟ, ସରକାରୀ କଳର ଅନାବଶ୍ୟକ କଳ–କବ୍‍ଜା–ଫିମ୍ପିମାରି ଆସୁଥିବା କଣ୍ଟା, ବୋଲ୍‍ଟ–ପ୍ରାଣହୀନ, ରସହୀନ, ଅଥର୍ବ ।

 

ଏହାପରେ ଅନେକ ଦିନ କଟିଯାଇଛି । କର୍ମକ୍ଳାନ୍ତ ଜୀବନରୁ ତ୍ରାହି ପାଇବାପାଇଁ ଥରେ ଥରେ ମୁଁ ପାଗଳ ଭଳି ଏଇ ପାନ୍ଥ–ନିବାସର ଗୋଟାଏ କକ୍ଷ ଭିତରକୁ ପଶିଯାଇ ଶୂନ୍ୟ ଥିବା ଖଟିଆ ଉପରେ ଗଡ଼ିଯାଏ । ତୁଣ୍ଡରୁ ବାହାରିଯାଏ–ଆଃ... ।

 

ଆରାମ, ଶାନ୍ତି ମୁହୂର୍ତ୍ତକ ପାଇଁ ହେଉ ପଛକେ ସାଗରର ଏଇ ଆଦିମ ନୃତ୍ୟ ମତେ ଦେଖାଇଦିଏ ମଣିଷ ଜୀବନର ଅବିନଶ୍ୱରତା । ସେ ରହିଛି, କେବେ ପ୍ରଶାନ୍ତ, କେବେ ଉଦ୍‍ବେଳ, କେବେ ଏକାନ୍ତ ଘନ ନୀଳିମା, କେବେ ଜ୍ୟୋସ୍ନାଙ୍କିତ ରଜତଶୁଭ୍ର ।

 

ମ୍ୟାନେଜର ଦଉଡ଼ି ଆସନ୍ତି । ମୋର ଅତି ଆପଣାର ଶୁଭଚିନ୍ତକ ଭାବରେ କହନ୍ତି–କଅଣ ରାତିଟା ରହିବେ ? ବ୍ୟବସ୍ଥା କରିବି ?

 

ସେ ବ୍ୟବସ୍ଥା କଅଣ ମୁଁ ବୁଝେ । ପାଞ୍ଚ ଟଙ୍କାର ପାନୀୟ ଆହାର–ବଏ, ଚାକରମାନଙ୍କୁ ବକ୍ସିସ୍‍...ମନୋମତ ଡିସ୍‍ପାଇଁ ଏକଷ୍ଟ୍ରା ।

 

ମୁଁ ଗୋଟାଏ କ୍ଲାନ୍ତିର ହାଇମାରି କହେ, ଏ ବେଡ଼୍‍ଟା ବେଶ୍‍ ନରମ ଲାଗୁଛି–ଆଗ ଶୁଏ-। ତା’ପରେ ଯାହା ବ୍ୟବସ୍ଥା ପରେ ଦେଖାଯିବ । ଆପଣ ସେ ଝରକା ଖୋଲି ଦିଅନ୍ତୁ ।

 

ଖୋଲା ଝରକା ଭିତରେ ଚାହିଁ ଦେଖେ–ଅପୂର୍ବ !! ଗୋଧୂଳି ଆକାଶର ରଙ୍ଗ ସାଗରକୁ ମତୁଆଲା କରୁଛି । ମାତାଲ ସାଗର ଉଛୁଳି ଉଠୁଛି ବକ୍ଷରେ ସମାପ୍ତ ସୂର୍ଯ୍ୟର କିରଣ ଧରି ।

 

ଶାନ୍ତିରେ ଆଖି ବୁଜି ହୋଇ ଆସିଲା । ଧୀର ନମ୍ର ଚେତନା ଭିତରେ ଅନୁଭବ କଲି ମୁ ଆଉ ଏ ସଂସାରର ଜୀବ ହୋଇ ରହି ନାହିଁ । ମୁଁ ଭାସିଯାଉଛି ଊର୍ଦ୍ଧ୍ଵକୁ ଯେଉଁଠି ଜୀବନ ଓ ଅଜୀବନର ସୀମାନ୍ତ ସ୍ଥିର ନାହିଁ, ଉଷା ଓ ସନ୍ଧ୍ୟାର ସୀମାରେଖା ନାହିଁ ।

 

ନିଶା ଗର୍ଜ୍ଜୁଛି । ପାରାବାରର ତରଙ୍ଗ ଘୋଷ ହିଁ ଏକମାତ୍ର ଶବ୍ଦ । ସର୍ବମୟ ସୁସୁପ୍ତିରେ ଧରା ସଂଜ୍ଞାହୀନ । ଏତିକିବେଳେ ନୈଶ ଆକାଶର ଏକମାତ୍ର ଅଭିଯାତ୍ରୀ ବିହଙ୍ଗଟିର ସ୍ଵନ ମୋର ସୁପ୍ତ ଚେତନାକୁ ବୋଧହୁଏ ଉଦ୍ଦୀପ୍ତ କରିଦେଲା । ମୁଁ ଚମକି ଉଠି ଶଯ୍ୟାଧାରରେ ଜାଗ୍ରତ ରହି ଯାହା ଶୁଣିଲି ତାହା ଏହି–

 

ନାଁ, ଆଉ ଡେରି କର ନାହିଁ; ଏଇ ଶୁଭ ମୂହୁର୍ତ୍ତ । ମହାବିଶ୍ଵର ଏଇ ମହାମୂହୁର୍ତ୍ତଟିକୁ ଛାଡ଼ିଦେଲେ ଆମେ ସହଜରେ ପରପାରକୁ ଯାଇପାରିବା ନାହିଁ । ଆସ ଶ୍ରୀଲତା, ଆଗରେ ସିନ୍ଧୁ ପ୍ରତୀକ୍ଷା କରୁଛି । ଭୟ କରୁଛ କି ? କହିଥିଲ ତୁମେ ଶକ୍ତ ହେବ, ଦୁଇ ହାତରେ ମୃତ୍ୟୁକୁ ଆଲିଙ୍ଗନ କରିବ, ମତେ ଅନ୍ତିମ ଚୁମ୍ବନରେ ଆତ୍ମହରା କରି ମରଣକୁ ଆଶ୍ଳେଷ ଦେବ ଆସ !

 

ରମଣୀ କଣ୍ଠରୁ ଏଇ ଧ୍ଵନି ଆସିଲା–ମୁଁ ପ୍ରସ୍ତୁତ ପ୍ରିୟତମ । ତେବେ ମିଳାଇ ଯିବା ପୂର୍ବରୁ ମୁଁ ଥରେ ଦେଖିନିଏ ଏଇ ବିଶ୍ଵ–ପ୍ରକୃତିକୁ । ଆମର ଜନ୍ମ କେଉଁଠି, ପ୍ରତିପାଳିତ ହେଲୁ କେଉଁଠି, ପରସ୍ପରକୁ ହୃଦୟ ଦେଲୁ କେଉଁଠି, ଆଉ ଆଜି ଦୁହେଁ ହସି ହସି ମୃତ୍ୟୁକୁ ଆଲିଙ୍ଗନ କରିବାକୁ ଯାଉଚ୍ଛୁ କେଉଁଠି I ଦେଖ ବନ୍ଧୁ, ମୃତ୍ୟୁ ଆସୁଛି ଜାଣି ସୁଦ୍ଧା ମୁଁ ଗୋଟାଏ କିମିତି ପ୍ରମତ୍ତ ଆନନ୍ଦରେ ଅଧୀରା ହୋଇ ଉଠୁଛି । ମତେ ସ୍ପର୍ଶ କର । ମତେ ଚୁମ୍ବନ ଦିଅ ।

 

କିଛି ସମୟ ନିସ୍ତବ୍ଧ । ପୁଣି ପୁରୁଷ କଣ୍ଠର ବାଣୀ–ଶ୍ରୀଲତା, ଭାବିଥିଲି ଯେଉଁ ଯୁଗରେ ମଣିଷ ମହାଜାଗତିକ ବଳୟ ଭିତରକୁ ଯିବାପାଇଁ ଏତେ ସାଧ୍ୟ ସାଧନା କରୁଛି, ଯେଉଁ ଯୁଗରେ ବିଜ୍ଞାନର ଜ୍ୟୋତି ପୂର୍ବତନ ସମସ୍ତ ସଂସ୍କାରକୁ ନିଷ୍ପ୍ରଭ କରୁଛି, ସେଠି ଆମେ ଦୁଇଟା କଳାପ୍ରେମୀ ନରନାରୀ ଅମୃତମୟ ପ୍ରେମର ସ୍ନିଗ୍ଧ ଆବେଗକୁ ପ୍ରତି ଲୋମକୁପରେ ଅନୁଭବ କରି ସୁଦ୍ଧା ବଞ୍ଚିବାପାଇଁ କୈଣସି ପଥ ପାଇଲୁ ନାହିଁ । କାରଣ ତମେ ମୋଜାତିର ନୁହେଁ, ମୁଁ ତୁମ ଗୋତ୍ରର ନୁହେଁ । ଜାତି ଓ ଗୋତ୍ର–ଧଳା ଆଉ କଳା–ଏଇ ବୈଷମ୍ୟ ହିଁ ଆମ ଆଗରେ ଛିଡ଼ା ହେଲା ହିମାଳୟର ଦୁର୍ଗମତା ଘେନି ।

 

–ମୃତ୍ୟୁ ଆନନ୍ଦମୟ । ଆସ ଶ୍ରୀ, ଯାହା ଦେଖୁଛି ଜୀବନର ଏ କୃଚ୍ଛ୍ରତା ଘେନି ମଣିଷର ପଶୁ ରୂପକୁ ଅବଲୋକନ କରି ବଞ୍ଚିବା ଅପେକ୍ଷା ଏଇ ସର୍ବଦ୍ରଷ୍ଟା ବିରାଟ ମହୋଦଧିର ଜଳଧାରା ଭିତରେ ବିଲୀନ ହୋଇଯିବା ।

 

–ତମେ ସାଜିଛ ନିଜକୁ ବଧୂବେଶରେ, ମୁଁ ସାଜିଛି ବରବେଶ । ମିଳନହେବ ଶୀତସ୍ନିଗ୍‍ଧ ସାଗରର ଶେଷ ବାରିସ୍ତରରେ, ଯେଉଁଠି ସହସ୍ର ମଣିମାଣିକ୍ୟ ଅଜସ୍ର ରତ୍ନ ମୁକ୍ତା ଆମକୁ ସ୍ଵାଗତ କରିବାପାଇଁ ରତ୍ନାକରଗର୍ଭରେ ବନ୍ଦନା–ଡାଲା ସଜାଡ଼ୁ ଥିବେ ।

 

–ଶ୍ରୀ, ବୋଧହୁଏ ତୁମେ ମୃତ୍ୟୁ ପୂର୍ବରୁ କମ୍ପନ ଭୋଗୁଛ । ହଉ, ତୁମର ଅଳକ୍ତକ ଚରଣ–ଚାପରେ ଏ ଶିଶିରସ୍ନାତ ବେଳାଭୂମି ଅଙ୍କିତ ହେଉ । କାଲି ପ୍ରଭାତରେ ଏଥିରୁ କେତେକ ଲିଭିଯାଇଥିବ, କେତେକ ଅକ୍ଷତ ଥିବ । ଆମେ କିନ୍ତୁ ନ ଥିବା I ମହାକାଳ ଆମକୁ ସ୍ପର୍ଶ କରି ଯାଇଥିବ ।

 

–ଆସ, ଜଗତ ନୀରବ, ଆକାଶ ସ୍ତବ୍ଧ । ଦୁଇଟା ନଗଣ୍ୟ ଜୀବପାଇଁ କାହାର ନେତ୍ରରୁ ଅଶ୍ରୁ ବହିବ ନାହିଁ । ଯାହାର ଅଶ୍ରୁ ବହିଥାଆନ୍ତା, ସେଇ ବାପା ମାଆ–ତମର ଓ ମୋର–ଏତେ କଠୋର, ଏତେ ହୃଦୟହୀନ !!

 

–ଲୋକେ କହିବେ ଆମେ ସଂଗ୍ରାମବିମୁଖ–ପରାଜିତ ହୋଇଗଲୁ । ମାତ୍ର ଶ୍ରୀଲତା, କାହିଁକି କେଜାଣି ଏ ମୃତ୍ୟୁ–ଏଇ ସିନ୍ଧୁ ଯେ ବକ୍ଷ–ଦୋଳାରେ ଶେଷ ନିଃଶ୍ୱାସ ତ୍ୟାଗର ମୋହ ମୋତେ ଆଜି ଜୀବନର ପରପାରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛି । ସେ ନିର୍ଦ୍ଦେଶ ଅପ୍ରତିରୋଧୀ ।

 

–ଏ ଜୀବନରେ ତୁମକୁ ଲୌକିକ ଅର୍ଥରେ ପାଇଲି ନାହିଁ । ମୃତ୍ୟୁ ପରେ ତୁମେ ଅଲୌକିକ ରୂପରେ ଧରା ଦେବ । ତୁମ ପ୍ରତି ମୋର ବିଶ୍ଵଜୟୀ ପ୍ରେମର ଏହାହିଁ ଉତ୍ସର୍ଗ । ଆସ, କ୍ରମେ ସିନ୍ଦୁରା ଫାଟି ଆସୁଛି । ଆସ । ଜୟ ମୃତ୍ୟୁ, ଜୟ ମହାସମାପ୍ତି ! ନମସ୍କାର ପାନ୍ଥ–ନିବାସ ! ତୋରି କକ୍ଷ ଭିତରେ ଚାରୋଟି ଦିନ ଚାରୋଟି ରାତ୍ରି ଅଧିବାସ ! ହଉ, ଶୁଣ–

 

–ମୋର କଟୀ ବେଷ୍ଟନ କର ଶ୍ରୀଲତା । ପାଖାପାଖି ରହ । ମୃତ୍ୟୁ ସାମୟିକ ଯନ୍ତ୍ରଣା ଦେବ, ତେବେ ତାହା କିଛି ନୁହେଁ । ସେ ଯନ୍ତ୍ରଣାରେ ତୁମେ ଯେପରି ମତେ ଆଉ ମୋ ବାହୁ–ବନ୍ଧନକୁ ଛାଡ଼ି ନ ଦିଅ । ସୃଷ୍ଟିକର୍ତ୍ତାଙ୍କୁ ପ୍ରଣାମ କର । କହ–ଓଁ ସତ ତେ ଜଗତ୍‍କାରଣାୟ.....

 

ମହୋଦଧିର ଆଜି ପୂର୍ଣ୍ଣତମ ଜଳଶୀତ୍କାର–ଅପୂର୍ବ ସେ ଲୀଳା !!

 

–କିଏ ?

 

–ଆରେ ପାଗଳ ପାନ୍ଥ, ଏ କଅଣ ହେଉଛି ? ଉଠି ଆସ । ଜୀବନକୁ ପୁଣି ଫେରିଆସ-। ଭଉଣି, ଛି...ଛି...ଆରେ ଦୁର୍ବଳ ପାନ୍ଥ, ଦୁର୍ବଳ ତୁମର ପଥଚଲା । ଏ ବିଶ୍ଵ ତ ସୁମେରୁରୁ କୁମେରୁଯାଏ ବିସ୍ତୃତ । କେଉଁଠି ଟିକିଏ ସ୍ଥାନ ପାଇଲ ନାହିଁ ଦୁଇଟି ହାତକୁ ଛନ୍ଦି ଦେଇ ପ୍ରଭାତୀ ବିହଗୀର କାକଳିରେ ଆଉ ଝରା ଶେଫାଳି ସ୍ପର୍ଶରେ ବିଶ୍ଵଦେବତାଙ୍କୁ ପ୍ରଣାମ କରି ବର ଆଉ ବଧୂ ହୋଇଯିବା ପାଇଁ ?

 

–ଫେରିଆସ ପାନ୍ଥ । ତୁମ ପାଇଁ ମୃତ୍ୟୁ ଆସିବ ନାହିଁ । ଦୁର୍ଜୟ ବୀର ଆଗକୁ ଚାଲ । କହୁଥିଲ ତୁମେ ଦୁହେଁ କଳାପ୍ରେମୀ ? କଳାର ମୃତ୍ୟୁ ଅଛି କି ? ସମସ୍ତ ଜଞ୍ଜାଳ, ସମସ୍ତ ପୀଡ଼ନ, ସମସ୍ତ ଅବିଚାର ଭିତରେ ଶିଳ୍ପ ବଞ୍ଚିବ ଶିଳ୍ପୀକୁ ଘେନି । ଆସ ଶ୍ରୀଲତା, ଏହି ସୁନ୍ଦର ସୁକୁମାର ଦେହଟିକୁ ଭାବିଛ ସାଗର କଞ୍ଚୋଲରେ ଭସାଇ ଦେଵ ?

 

ଫେରିଆସ ପାନ୍ଥ, ଦୂରସୃତି ପଥ ଉପରେ ପୁଣି ଯାତ୍ରା ଆରମ୍ଭ କରିଦେବା । ମୋର କି ଆନନ୍ଦ ଯେ ମୁଁ ଶିଳ୍ପୀ–ଶିଳ୍ପକୁ ବଞ୍ଚାଇ ପାରିଛି । ଆରେ, ଚାରିଆଡ଼େ ଉଦ୍ୟତଖଡ଼୍‍ଗ ଧରି ରାହୁ ଗ୍ରାସ କରିବାକୁ ବସିଛି । ଏତିକିବେଳେ ସିନା ସୁନ୍ଦର ଆଉ ଶିବର କଳ୍ପନାରେ ରାହୁର କଣ୍ଠ ଚିପି ଧରିବାକୁ ହେବ–ତା ନ କରି ଆତ୍ମବିଲୁପ୍ତି !! ଛି...

 

ମୁଖାମୁଖି ମୃତ୍ୟୁର କବଳରୁ ଫେରାଇ ଆଣିଲି ଶେଖର ଓ ଶ୍ରୀଲତାକୁ । ତା’ପରେ ଉତ୍କଣ୍ଠାଜନିତ ଅବଶଭାଵ ମତେ ହିଁ ଗ୍ରାସ କଲା ।

 

ଶ୍ରୀଲତାକୁ ଚାହିଁଲି, ଶେଖରକୁ ଦେଖିଲି । ପାନ୍ଥ–ନିବାସକୁ ନୂଆକରି ନିରୀକ୍ଷଣ କଲି । ଜୀବନ ଆଉ ମରଣ ଭିତରେ କେତେ ବା ବ୍ୟବଧାନ ?

 

ମ୍ୟାନେଜର ବାବୁ ଅସ୍ତବ୍ୟସ୍ତରେ ଦଉଡ଼ି ଆସି ପଚାରିଲେ–କଅଣ ସକାଳୁ ସକାଳୁ ଗାଧୋଇ ଆସିଲେ ନାଁ କଅଣ ?

 

ମୁଁ ଧୀରେ କହିଲି–ଶ୍ରୀଲତା, ତୁମେ ଯାଅ, ଲୁଗା ବଦଳେଇ ନିଅ । ଆଉ ଶେଖର, ତୁମେ କଅଣ ଖାଇବ–ମାନେ ଦୁହେଁ କଅଣ ଖାଇବ ?

 

ମ୍ୟାନେଜର ବାବୁ ଜିଜ୍ଞାସୁ ଦୃଷ୍ଟିରେ ପଚାରିଲେ–ଆପଣଙ୍କ ସହିତ ଏମାନଙ୍କର ପରିଚୟ ଅଛି ନା କଅଣ ?

 

ମୁଁ ହସି କହିଲି–ଏବେ ନୁହେଁ, ବହୁ କାଳରୁ, ଜନ୍ମାବଧି । ଏମାନେ ହିଁ ପ୍ରକୃତ ପାନ୍ଥ । ତୁମର ପାନ୍ଥ–ନିବାସ ନିର୍ମାଣ ସାର୍ଥକ ହୋଇଛି ।

 

ଦେଖିଲି ପାନ୍ଥ–ନିବାସର ଏକ ସ୍ତମ୍ଭକୁ ଆଉଜି ବସିଛନ୍ତି ଶ୍ରୀଲତା ଓ ଶେଖର...ନିସ୍ତବ୍ଧ, ନିର୍ବାକ୍‍ ଏବଂ ଯାହା ଅତି ସୁନ୍ଦର ମହାନ ଦ୍ରଷ୍ଟାଭାବରେ ସେମାନେ ଦେଖୁଛନ୍ତି ସମ୍ମୁଖ ପ୍ରସାରିତ କଞ୍ଜୋଳତ ବାରିଧିକୁ, ଯାହାର ଗର୍ଭରେ ସେମାନେ ନିଃଶେଷ କରିଦେବାକୁ ଯାଉଥିଲେ ଏକ ମୁହୂର୍ତ୍ତକ ପୂର୍ବରୁ ନିଜ ନିଜର ସତ୍ତାକୁ ।

 

ସେମାନଙ୍କ ଦୁଇଟି କପାଳ ଉପରେ ଦେଖୁଥିଲି ଜୀବନ ଓ ମୃତ୍ୟୁର ଲୀଳା ଉତ୍ସବ । ଗୋଟିଏ ହାରିଗଲା–ସେଇଟି ମୃତ୍ୟୁ ! ଅନ୍ୟଟିର ଜୟ ହେଲା–ସେଇଟି ଜୀବନ–ମହାଜୀବନ ।

Image

 

ଯୁଗପୁରୁଷର କାହାଣୀ

 

–ଆସ ବାବା, ତମକୁ ଦେଖାଇଦିଏ ଶହେବର୍ଷଧରି ଆଲୁଅ ଆନ୍ଧର ଭିତରେ ଗୁଡ଼ାଏ ଲୋକ ଏକା ମାଆ ପଣତ ତଳେ କେମିତି ନିଜକୁ ତିଆର କରିଛନ୍ତି । ତମେ ତ ଏବର ଶୁତ୍ରତାରା; ଦେଖିନିଅ ତମ ପୂର୍ବେ ଏ ଗଗନ କେମିତି ଜ୍ୟୋତିର୍ମୟ ଥିଲା ।

 

–ଆପଣ କିଏ ?

 

–ମୁଁ ଯୁଗପୁରୁଷ । ଭଙ୍ଗା ଗଢ଼ାର କେତେ ବିଚିତ୍ର ଦୃଶ୍ୟ, କେତେ ସଙ୍ଗୀତର କଳତାନ ତଳେ ମୁଁ ଦେଖିଛି ଶୁଣିଛି ।

 

–ଏ କ’ଣ କରୁଛନ୍ତି ?

 

–ଏ ପ୍ରଣାମ କରୁଛନ୍ତି ତାଙ୍କ ଗୁରୁଦେବଙ୍କୁ । ଏ ଗୋଟିଏ ଗୋଟିଏ ଗୁରୁ ଶହେ ବର୍ଷର ନୀଳ ଦିଗନ୍ତ ତଳେ ଗୋଟିଏ ଗୋଟିଏ ଉଦ୍ଭାସିତ ଆତ୍ମା ।

 

ଯୁବକ ପଚାରିଲା–ଏମିତି କସରତ କରୁଛନ୍ତି କିଆଁ ? ଏ ଭଳି ଭଙ୍ଗୀର ପ୍ରଣାମ ଆଗେ ଥିଲା କି ?

 

–ଏ କସରତ ନୁହେଁ ବାବା, ଯାହାକୁ ତୁମେ ଏପରି କହୁଛ, ତାହା ସଭକ୍ତି ପ୍ରଣାମ–ପୂଜ୍ୟ ଗୁରୁଙ୍କ ପାଖେ ଅଣ୍ଟା ଭାଙ୍ଗି ଯୋଡ଼ହସ୍ତରେ ନମସ୍କାର । କଥା ନ କହିଲେ ବି ଗୁରୁ ଆଶୀର୍ବାଦ କିରନ୍ତି–ଶିଷ୍ୟ ଗ୍ରହଣ କରନ୍ତି । କିନ୍ତୁ ଏବେ ଆମେ ଯେଉଁ ନିମସ୍କାର କରୁଛୁ, କେତେ ତଫାତ୍‍ । ଆମ ହାତ ଖାଲି ନ ଥାଏ, ଯୋଡ଼ିବୁ କେମିତି ? ସିଗାରେଟ ଥାଏ, ପୁଣି କଳା ଚଷମାକୁ ହଲାଇ ହଲାଇ ଆମକୁ ବାଟ ଚାଲିବାକୁ ହୁଏ, ପ୍ରେମିକା ଉଦ୍ଦେଶ୍ୟରେ ଆଖି ଠାରି ଚାଲିଲାବେଳେ ଅନ୍ୟମନସ୍କ ରହିବାକୁ ପଡ଼େ-। ପୁଣି ସାଇକେଲରେ ଗଲାବେଳେ–ନାଁ ନମସ୍କାର ନୁହେଁ, କେବଳ ବିଧିରକ୍ଷା କରିବାକୁ ହାତଟାକୁ କୁରାଢ଼ୀ ଉଞ୍ଚେଇବା ଭଳି ଉଞ୍ଚେଇ ‘ହାଲୋ’ କହି ଦେଉ । ଅଧୁନାତନ ନମସ୍କାର ପ୍ରଣାଳୀ ତ ଏଇଆ !

 

ଯୁଗପୁରୁଷ ହସିଲେ । କହିଲେ–ହଁ, ଯୁଗ ବଦଳିଛି । ଦେଖିବ ସେ ପ୍ରାଚୀନ ଗୁରୁମାନଙ୍କୁ-? ଦେଖି–ପୂଜ୍ୟ ଆର୍ତ୍ତବଲ୍ଲଭ ମହାନ୍ତି, ନିରଞ୍ଜନ ନିୟୋଗୀ, କେ:ପି. ସିହ୍ନା, ବାବା କର୍ତ୍ତାର ସିଂ, ନିର୍ମଳଚନ୍ଦ୍ର ବାନାର୍ଜୀ, ଲକ୍ଷ୍ମୀକାନ୍ତ, ନାରାୟଣ ମିଶ୍ର, ଘନଶ୍ୟାମ ଦାସ ଏମିତି କେତେ... ଦେଖୁଛ-?

 

–ବାବା, କି ଗମ୍ଭୀର ! କି ପୁରୁଷ ଏମାନେ ! ଭୟ ଲାଗୁଛି–ଯୁବକ ଶିହରି ଉଠିଲେ ।

 

–ନାଁ, ଭୟର କଥା କିଛି ନାହିଁ । ୟାଙ୍କ ଆଗରେ ମଥା ନଇଁଯାଏ, କାରଣ ଏମାନେ ଜ୍ଞାନ–ଗର୍ଭ ଥିଲେ, ଛାତ୍ରବତ୍ସଳ ଥିଲେ, ଗମ୍ଭୀର ଥିଲେ, କୈଣସି ପ୍ରକାର ନୀଚତା ଏମାନଙ୍କୁ ସ୍ପର୍ଶ କରୁ ନ ଥିଲା । ଗୁରୁର ଯାହା ସତ୍ୟ, ଜ୍ଞାନ ତାହା ରହିଥିଲା ଏମାନଙ୍କ ପାଖରେ; ତେଣୁ ଏମାନଙ୍କ ଅଧ୍ୟାପନା ଶ୍ରେଣୀ ବଡ଼ ଆକର୍ଷାଣୀୟ ହୋଇଯାଏ । ମୃତ ବୈଜ୍ଞାନିକ, ଦାର୍ଶନିକ, କବି, ନାଟ୍ୟକାର ସମସ୍ତେ ସମାଧିରୁ ଫେରିଆସି ଜୀବନ୍ତ ହୋଇଯାନ୍ତି ଏମାନଙ୍କ ଅଧ୍ୟାପନା ଚାତୁରୀରେ ।

 

ଯୁବକ ହସିଲେ । କହିଲେ–ଦୁଃଖ ଲାଗୁଛି କହିବାକୁ, ହେ ଯୁଗପୁରୁଷ, ଆଜି ଏମାନେ ଅଚଳ । ଆଚ୍ଛା, ପୂର୍ବର ଏହି ଗୁରୁମାନେ କେଉଁ କେଉଁ ହୋଟେଲରେ ଖାଉଥିଲେ, କେଉଁ ସିନେମା ଦେଖୁଥିଲେ ?

 

–ହୋଟେଲ ? ସିନେମା ? ଛି, ଛି, କେଉଁ ଦୁଃଖରେ ସେମାନେ ହୋଟେଲକୁ ଯିବେ ?

 

–ଯୁବକ କହିଲେ–ପିଲାମାନଙ୍କୁ, ମାନେ ଛାତ୍ରମାନଙ୍କୁ ସାଙ୍ଗରେ ଧରି ସିନେମା ନ ଦେଖିଲେ କି ହୋଟେଲରେ ନ ଖୁଆଇଲେ କ୍ଲାସରେ ଡିସିପ୍ଲିନ୍‍ ରହିବ କେମିତି ? ପାଣ୍ଡିତ୍ୟ ଘରେ ତ ଶୂନ୍ୟ, ଅବଶ୍ୟ ସମସ୍ତେ ନୁହନ୍ତି ଯେ, ଅଧିକାଂଶ–ତେଣୁ କୌଣସି ମତେ ନିରୁପଦ୍ରୁତ ଜୀବିକାର୍ଜନ ପାଇଁ ଛାତ୍ରମାନଙ୍କୁ ବଶ କରିବାକୁ ହେବ ।

 

–ବାବା, ତମ କଥା ବେଶ୍‍ ଭଲ ଲାଗୁଛି । ଏବେ କଅଣ ଏଇଆସବୁ ଚାଲିଛି ?

 

–ହଁ, ଶୁଣନ୍ତୁ, ବଶ କରିବାକୁ ପଡ଼େ । ନାନା ଉପାୟ ଅଛି–ଅବଶ୍ୟ ସେମାନଙ୍କୁ ଦୋଷ ଦେଇ ହେବନି । ସମାଜର ଆବର୍ତ୍ତଟା ସେଇଆ ହୋଇଯାଇଛି । ଶିକ୍ଷାଦାନ ଜୀବିକା ହୋଇଯାଇଛି, ତେଣୁ ତଦୁର୍ଦ୍ଧ୍ଵ ‘ଆଉ କିଛି ନାହିଁ । ଅନୁରୋଧ କଲେ ସେମାନେ ପାଶ୍‍ କରାଇ ଦିଅନ୍ତି ।

 

–ସତେ ?

 

–ହଁ, ଏଇଟାତ ମାନବିକବୋଧ !

 

–ନିଶ୍ଚୟ ! ନିଶ୍ଚୟ !

 

–ପୁଣି ନିଜ ପ୍ରିୟ ଛାତ୍ରପାଇଁ ଅନ୍ୟ ପରୀକ୍ଷକଙ୍କୁ କହିପାରନ୍ତି ।

 

–ଏଇଟା କଅଣ ମୈତ୍ରୀ ?

 

–ନିଶ୍ଚୟ, ନିଶ୍ଚୟ, !

 

–ଆଉ ଯଦି ଶିକ୍ଷକଙ୍କର ରାଜନୀତି ଦଳ ସହିତ ଛାତ୍ର ପଟୁଆରରେ ଯାଉଥାଏ, ତେବେ ତ ହୋଇଗଲା, ଚିନ୍ତା ନାହିଁ ।

 

–ସତେ ? ବଡ଼ ଅଦ୍ଭୁତ ଲାଗୁଛି । ଶିକ୍ଷକମାନେ ରାଜନୀତି କରନ୍ତି ?

 

–କରିବେନି ? ମଣିଷ ଜୀବନ ସହିତ ରାଜନୀତି ଅଙ୍ଗାଙ୍ଗୀ ଜଡ଼ିତ, ଦୋଷ ତ ନାହିଁ ?

 

ଯୁଗପୁରୁଷ ଦୀର୍ଘ ଶ୍ଵାସ ପକାଇ କହିଲେ–ହୁଏତ ଦୋଷ ନାହିଁ ।

 

“ଧା ତିନି୍‍, ତିନ୍ଧା, ତେରେକେଟେ ତାକ୍‍, ତାକ୍‍ ।”

 

ଏ କଅଣ ଆଜ୍ଞା ?

 

ଯୁଗପୁରୁଷ କହିଲେ–ନାଚ, ପିଲାମାନେ ନଚୁଛନ୍ତି । ନାଟକ ହେବ, ପ୍ରସ୍ତୁତି ଚାଲିଛି । ଆର୍ତ୍ତବଲ୍ଲଭ ବସିଛନ୍ତି, ନାରାୟଣ ମିଶ୍ର ଆନନ୍ଦରେ ଗଦ ଗଦ, ଘନଶ୍ୟାମ ବିହୁଳ, ଲକ୍ଷ୍ମୀକାନ୍ତ ଚୌଧୁରୀ ଦିଗଦର୍ଶନ ଦେଉଛନ୍ତି । ନାଟକ ଐତିହାସିକ ଆଉ ପୌରାଣିକ । ବଡ଼ ଧୁମ୍‍ଧାମ୍‍ ।

 

–କିନ୍ତୁ ପୁଅଗୁଡ଼ାକ ନାଚୁଛନ୍ତି ଯେ ?

 

–ଆଉ କିଏ ନାଚନ୍ତେ ?

 

–ଝିଅ କାହାନ୍ତି ? ମେଳା ମେଳା ରାସ୍ତାରେ ବାଡ଼େଇ ହୋଇ ଯାଉଛନ୍ତି ।

 

–ସେତେବେଳେ ଏମିତି ନଥିଲା । ଗୋଟିଏ ଦୁଇଟି ସୁରକ୍ଷିତ ବ୍ୟୁହ ଭିତରେ ଆବଦ୍ଧ, ବନ୍ଧନୀ । ତେଣୁ ପୁଅମାନେ ନାଚୁଥିଲେ, ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିଲେ ।

 

–ଏଁ, ଛିଃ, ଛିଃ–ଯୁବକ ନାକ ଟେକିଲେ ।

 

–ଶୁଣ ବାବା, ଖୋଲି ଦେଉଛି ଯୁଗ ତୋରଣ । ଦେଖ ଆଲମ୍‍ଗିରିର ଅଭିନୟ, ଦେଖ ଦେବାସୁର ସଂଗ୍ରାମ, କେତେ କଅଣ । କଅଣ ଦେଖୁଛ ?

 

ଯୁବକ କହିଲେ–ଦେଖୁଛି ରାଜକିଶୋର ରାୟ, ଦୀନବନ୍ଧୁ ସାହୁ, ବିବୁଧେନ୍ଦୁ ମିଶ୍ର, ଅସୀତ୍‍ ଦାସ ପ୍ରଭୃତି ନାରୀ ଭୂମିକାରେ । କିନ୍ତୁ କ୍ଷମା କରିବେ, ଏମାନେ ବାସ୍ତବରେ ପୁଅ ନାଁ ଝିଅ-?

 

ଯୁଗପୁରୁଷ ହସିଲେ । କହିଲେ ଏମାନେ ପୁଅ, ଏବେ ପୌଢ଼ । କିନ୍ତୁ କି ଚମତ୍କାର ଅଭିନୟ କରୁଛନ୍ତି ଏମାନେ ।

 

–ବାସ୍ତବିକ ଅଦ୍ଭୁତ ! ଏବେ କିନ୍ତୁ ଝିଅମାନେ ଅଭିନୟ କରୁଛନ୍ତି । ସେଥିପାଇଁ ମହା ଭିଡ଼ । ବାପା ମାଆ ଆଗେଇ ଦେଉଛନ୍ତି ସେମାନଙ୍କୁ । ବିଭା ବଜାର ତ ପୁଣି ଗୋଟାଏ ଅଛି ? ଏ କଅଣ ? ଏମିତି ରୁଷି ବସିଛନ୍ତି କାହିଁକି ? ଆଗରେ ଖାଲି ଥାଳି ଗିନା ! ଖାଇବାକୁ ବସିଛନ୍ତି ବୋଧହୁଏ ?

 

ଯୁଗପୁରୁଷ ଉତ୍ତର ଦେଲେ–ଠିକ୍‍ କହିଛ ଯୁବକ, ସେମାନେ ରୁଷି ବସିଛନ୍ତି । କାରଣ ରାନ୍ଧୁଣୀ ଭୁଲରେ ଅରୁଆ ଭାତ ଜାଗାରେ ଉଷୁନା ରାନ୍ଧି ଦେଇଛନ୍ତି । ଏମାନେ ସମ୍ବଲପୁରଆଡ଼ ପଶ୍ଚିମ ଓଡ଼ିଶାର ଛାତ୍ର । ଅରୁଆ ଖାଇବାରେ ଅଭ୍ୟସ୍ତ । ତେଣୁ କ୍ଷୋଭ ପ୍ରକାଶ କରୁଛନ୍ତି ।

 

ଯୁବକ ହଠାତ୍‍ ଧ୍ଵନି ଦେଲେ–

 

–ତା’ହେଲେ ଉଷୁନା ଭାତ ମୁର୍ଦାବାଦ, ଅରୁଆ ଭାତ ଜିନ୍ଦାବାଦ ! ସମ୍ବଲପୁର ହୁଅ ଏକଜୁଟ୍‍ ! ପଶ୍ଚିମ ଓଡ଼ିଶା ବିଚ୍ଛିନ୍ନ ହେଉ ! ପଶ୍ଚିମ ଓଡ଼ିଶା ବିଚ୍ଛିନ୍ନ ହେଉ ! ଆମେ ଚାହୁଁ ଅରୁଆ ଭାତ ! ଇନ୍‍କିଲାବ୍‍ ଜିନ୍ଦାବାଦ !

 

–ଆରେ, ଆରେ, ଏ କଅଣ ?

 

–କ୍ଷମା କରିବେ, ଏଇଟା ଅଭ୍ୟାସ ହୋଇଯାଇଛି । ଟିକିଏ ବିପ୍ଳବର ସୁରାକ ପାଇଲେ ସ୍ଲୋଗାନ ଦଇ ଆମେ ଏମିତି ଗର୍ଜିଉଠୁ । ଏମାନେ ଧର୍ମଘଟ କଲେନି–ବସ୍‍, ଟ୍ରାମ୍‍ ପୋଡ଼ିଲେନି ?

 

–ଶୁଣ ବାବୁ, ଅଧୀର ହୁଅନି । ଧର୍ମଘଟ ବୋଲି କିଛି ଜାଣି ନଥିଲେ; କେବଳ ରୁଷି ବସିଲେ । ଅରୁଆ ଭାତ ରନ୍ଧା ହେଲା; ସେମାନେ ଆନନ୍ଦରେ ଖାଇଲେ । ସେତେବେଳେ କଟକ ସହର ଅରଣ୍ୟମୟ, ବସ୍‍ କାହିଁ ? କେତୁଟା ଘୋଡ଼ାଗାଡ଼ି । ଅବଶ୍ୟ ମହାତ୍ମାଗାନ୍ଧୀଙ୍କ ଡାକରେ ୧୯୪୭ ଅଗଷ୍ଟ ଆନ୍ଦୋଳନ । ଡକ୍ଟର ପରିଜା ପ୍ରିନ୍ସପାଲ୍‍, ପର୍କିନ୍‍ ସାହେବ ଆଇ.ଜି.ପୁଲିସ । ରେଭେନ୍ସା କଲେଜ ଅଫିସରେ ନିଆଁ । ପର୍କିନ୍‍ ସାହେବ ମିଲିଟାରୀ ପୁଲିସ ଧରି କମ୍ପାଉଣ୍ଡରେ ଛିଡ଼ା ହୋଇଛନ୍ତି ଶ୍ରୀ ପରିଜାଙ୍କ ଇସାରା ଅପେକ୍ଷାରେ; ଗୁଳି ଚାଲିବ ଯଦି ପରିଜାସାହେବ... ।

 

ପରିଚ୍ଚା ପାଗଳଭଳି ଚିତ୍କାର କରୁଛନ୍ତି–ନୋ, ପାର୍କିନ୍‍ ନୋ ! କଲେଜ ଜଳିଯାଉ ପଛକେ ନୋ ଫାୟାରିଙ୍ଗ......

 

ସ୍ୱର୍ଗୀୟ କରୁଣାକର କରଙ୍କ ବେକରେ ଫୁଲମାଳ–ଚାକିରୀ ଛାଡ଼ନ୍ତୁ । ନାରାୟଣ ମିଶ୍ର ନସରପସର ଦଉଡ଼ୁଛନ୍ତି ଲାବୋରେଟରୀ ଆଡ଼େ “ଆରେ ଚଣ୍ଡାଳ, ସବୁ ପୋଡ଼ରେ–କିନ୍ତୁ ଲାବୋରେଟରୀକୁ ରକ୍ଷା କର !”...ଆର୍ତ୍ତବାବୁ ଦାରୁଭୁତୋ ବୈଷ୍ଣବ ମୂର୍ତ୍ତି । ସମାନ୍ତରାଳ ଶାସନ ଚାଲିଛି ଇଷ୍ଟ୍‍ ଓ ଓଏଷ୍ଟ ଛାତ୍ରାବାସରେ । ...ଏଇ ବିକ୍ଷୋଭ, ମହାଭାରତୀୟ ବିକ୍ଷୋଭ । କିନ୍ତୁ ଛୋଟ ଛୋଟ କଥାରେ ସେତେବେଳେ ଯୁବକ୍ତି ଅପଚିତ ହେଉ ନଥିଲା ।

 

ଯୁବକ ହଠାତ୍‍ ଦେଖିଲେ ଗୋଟିଏ ଦୃଶ୍ୟ । “ଶୁଣମ, କବିତା ଲେଖିଛି–ତୁମକୁ ଉତ୍ସର୍ଗ କରିବି ।”ତରୁଣ କବି ଏକଥା କହିଲେ ଛାତ୍ରୀ ତରୁଣୀଙ୍କୁ ।

 

–କର ।

 

–ତୁମେ ହସ ।

 

–ହସୁଛି ତ ! ଦେଖ, ଆର୍ତ୍ତବାବୁ ସେବାଟେ ଆସୁଛନ୍ତି, ଦେଖିବେ ।

 

–ସେ ଜାଣନ୍ତି । କେବେ ଟିକିଏ କଥାବାର୍ତ୍ତା ?

 

–ଶେଷ ପିରିଅଡ଼ରେ । ସୁପ୍ରୀତି ସେତେବେଳେ ନ ଥିବେ ।

 

ଯୁଗପୁରୁଷ ରୁଷ ହସିଲେ–କଅଣ ଦେଖିଲ ?

 

–ପ୍ରଣୟ ।

 

–କିନ୍ତୁ ଏ ପ୍ରଣୟ ସେତେବେଳେ ଛାତ୍ରକୁ କରୁଥିଲା କବି, କାବ୍ୟକାର, ଉଚ୍ଚାକାଙ୍‍କ୍ଷୀ । ମୋଟେ ଦୁଇଜଣ ୧୯୮୩ ରେ, ଆଜି କେତେ ?

 

–ଅସଂଖ୍ୟ ଆଜ୍ଞା !

 

–ପ୍ରଣୟ ?

 

–ଖୁବ୍‍ ଶସ୍ତା !

 

–ଦୁର୍ଘଟଣା ?

 

–ଅନେକ !

 

–ୟାକୁ କହୁଛ ପ୍ରଗତି ?

 

–ନିଶ୍ଚୟ, ନିଶ୍ଚୟ, କାରଣ ନଗ୍ନତାହିଁ ପ୍ରଗତି । ଯେତିକି ପ୍ରେମ ନଗ୍ନ ହେବ, ସେତିକି ଆମେ ବିଶ୍ଵ ସହିତ ପାଦ ମିଶାଇ ଚାଲିବୁ ।

 

ଯୁଗପୁରୁଷ ଗମ୍ଭୀର ଭାବରେ କହିଲେ–ଶୁଣ ବନ୍ଧୁ, ରେଭେନ୍ସା କଲେଜ ଇତିହାସରେ ସେତେବେଳେର ଦୁଇ ତିନୋଟି ପ୍ରଣୟ ଉଚ୍ଛ୍ଵାସ ଆଜି ଐତିହାସିକ ହୋଇ ରହିଯାଇଛି । ନାରୀ କୋମଳ ତରୁଣକୁ କରିଛି ତା’ର ସୁଖ ପାଇବା ଦାନରେ କବି; ମୂଳରେ ସେଇ ଅଚିନ୍ତ୍ୟ ଅନନ୍ତ ରସ ଥିଲା । ଆବରଣଯୁକ୍ତ ସଂସ୍କାରପିହିତ ସେଇ ପ୍ରାଣ ବିନିମୟରେ ଉଚ୍ଚ ସୁଜନୀ ଶକ୍ତିର ଉଦ୍ଭବ ଘଟିଥିଲା ।

 

–କୁହନ୍ତୁ, କେହି ଈର୍ଷାତୁର ହେଉ ନ ଥିଲେ ?

 

–ହେଉଥିଲେ, ମାତ୍ର ତାହା ଶାନ୍ତ ଈର୍ଷା । ସେଥିରେ କ୍ଷୟ କରିବାର କିଛି ନଥିଲା ।

 

–ଏ କଅଣ ?

 

–କୁକୁର !

 

–ବାଃ, ଚମତ୍କାର ଲୋମଶ ପ୍ରାଣୀ !

 

–ହଁ, ପ୍ରିନ୍ସପାଲ ଡବ୍ଲିଉ .ଭି.ଡ଼ି.ଉଡ଼୍‍ଙ୍କର ।

 

–ଏ ଦୃଶ୍ୟ ଦେଖାଇବାର ଅଭିପ୍ରାୟ ?

 

–ପ୍ରିନ୍ସପାଲ କ୍ଷମା ମାରିଥିଲେ ।

 

–କଥାଟା କୁହନ୍ତୁ ନାଁ !

 

–ଶୁଣ, ସାହେବ ପ୍ରିନ୍ସପାଲ ସାଧାରଣଜ୍ଞାନ ପଢ଼ନ୍ତି । ପୁରୁଷ–ସିଂହ ସେ ଥିଲେ । ଥରେ ତାଙ୍କ ପୋଷାକୁକୁର ପଶି ଆସିଲା କ୍ଲାସକୁ । ପିଲାଏ ନାକ ବନ୍ଦ କଲେ । କୁକୁର ମଦ ପିଇଥିଲା–ତା’ର ସ୍ୱାସ୍ଥ୍ୟ ପାଇଁ । ପ୍ରିନ୍ସପାଲ ଜାଣିଲେ । କହିଲେ, “ଗୋ, ଗୋ, ତୋର ଆସିବାର ଯାଗା ଏହା ନୁହେଁ । ତୁ ଡ୍ରିଙ୍କ୍‍ କରିଛୁ ତୋର ସ୍ୱାସ୍ଥ୍ୟପାଇଁ । ପିଲାମାନେ, ମତେ କ୍ଷମା କରିବ–ତୁମକୁ ଅସୁବିଧାରେ ପକାଇଲି ।”

 

ଯୁବକ କହିଲେ–ଖୁବ୍‍ ଉଦାର ତ ?

 

ଯୁଗପୁରୁଷ କହିଲେ–ସେତେବେଳେର ଚଳଣୀ ତାହାହିଁ ଥିଲା । ସେ ଥିଲା ସୂର୍ଣ୍ଣଯୁଗ । ମାନବ ପ୍ରାଣରେ ସତ୍ୟ ଶିବ ସୁନ୍ଦରର ଆରାଧନାର ଘଣ୍ଟି ପ୍ରତିଧ୍ଵନିତ ହେଉଥିଲା । ହେବନି ? ଜାତିର ଜନକଙ୍କ ନେତୃତ୍ଵରେ ସଂଗ୍ରାମ ଚାଲିଥିଲା ଏ ଦେଶକୁ ବିଦେଶୀ ବନ୍ଧନରୁ ମୁକ୍ତ କରିବାପାଇଁ-। ମୁକ୍ତ ହେଲା ଦେଶ । ଏବେ କଅଣ ଘଟୁଛି ?

 

ଯୁଗପୁରୁଷ ଦେଖିଲେ ଯୁବକ ନାହାନ୍ତି । ଶତ ବର୍ଷର ଉଚ୍ଛ୍ୱାସମୟ ସଂସ୍କାର ଓ ଅତୀତ ସମୃଦ୍ଧି ଭିତରେ ସେ ଆତ୍ମଗୋପନ କରିଦେଲେ । ମହାକାଳର ଚକ୍ର ବିଘୁର୍ଣ୍ଣିତ । କିଏ କହିବ କେଉଁ ସମୟ, କେଉଁ ମୂଲ୍ୟବୋଧ, କେଉଁ ଜୀବନ, କେଉଁ କୀର୍ତ୍ତି ସତ୍ୟ ?

Image

 

କେରଳ–କାକଳି

 

ଡାକବଙ୍ଗଳା ବାରଣ୍ଡାରେ ବସିଥିଲି । ସୂର୍ଯ୍ୟ ବୁଡ଼ିଯାଉଥିଲେ । ଗୋଟି ଗୋଟି ହୋଇ ଚାଷୀମାନେ ସାତଜଣ ଆସିଲେ । ଆଗରୁ ମତେ ସହଧର୍ମିଣୀ କହିଥିଲେ, “ଦେଖ, ହୁଡ଼ିକରି କଥା କହିବ ନାହିଁ । ସେମାନଙ୍କୁ ବାପଲୋ ଧନଲୋ କହିବ । ଯେତେ ନରମ ହୋଇପାର ହେବ । ଦୁନିଆ ଯାହା ହେଲାଣି ନାଁ ଆମ ଗଣ୍ଡାକ ନ୍ୟାୟନୀତିରେ ନେଇଗଲେ ହେଲା । ପାଣିପଶା ଚାଉଳ କିଣି ଖାଇ ଖାଇ ନୟାନ୍ତ ହେଲଣି । ସେ ବି ସମୟରେ ମିଳୁନି । ତମେ ଯାହା କ୍ଷଣିକୋପୀ ନାଁ, ମତେ ଡର ମାଡୁ଼ଛି ।”

 

ଏଇ ମୋର ଗାଁ, ଜନ୍ମ ହୋଇଥିଲି ଛପନବର୍ଷ ପୂର୍ବରୁ । ଆମ୍ବଗଛ ତଳେ କେତେ ବୁଲିଛି, ମଶାଣି ପଦାରେ ଜୁଇ ଜଳିବାର ଦେଖିଛି । ସେ ଶିବ ମନ୍ଦିର ଏବେ ବି ଅଛି । କେତେ ମରିହଜି ଗଲେଣି । ସାଆନ୍ତ ବ୍ରାହ୍ମଣ ସାହିର ଏ ଯେଉଁ ଲୋକଗୁଡ଼ା ମୁଁ ଏବେ ଦେଖୁଛି, ତାଙ୍କୁ ଚିହ୍ନି ପାରୁନି । ୟାଙ୍କ ସହିତ ପୂର୍ବର ଧର୍ମବିଶ୍ଵାସୀ, ସରଳ, କଷ୍ଟସହିଷ୍ଣୁ ଓ ଅକପଟ ଲୋକଙ୍କର ନାଡ଼ି ନକ୍ଷତ୍ରର ସଂଯୋଗ ନାହିଁ ।

 

ଡାକବଙ୍ଗଳାଟି ରାସ୍ତା ତଳକୁ । ଗାଁ ଆହୁରି ତଳକୁ । ମୋ ଜନ୍ମବେଳ ଥିଲା ଦୀପରୁଖା, ସଲିତା ଆଉ ଜଡ଼ାତେଲ । ଜେଜେ ଶିବଭକ୍ତ । ଶିବଦର୍ଶନ ନ କଲେ ଜଳ ଛୁଅନ୍ତି ନାହିଁ । ଦେହ ଉଜ୍ଜ୍ଵଳ ବର୍ଣ୍ଣ । ସେ ଖୁବ୍‍ ବେଶୀ ବୟସରେ ମାଟିରେ ମିଶିଗଲେ । ଧୀରେ ଧୀରେ ଗାଁରେ କୁଷ୍ଠରୋଗ ବ୍ୟାପିଲା । ସେଥିରେ କେତେ କ୍ଷତକାୟ ହୋଇ ଚାଲିଗଲେ । ନୂଆ ଟୋକାଏ ଗାଁକୁ ଛାଡ଼ି ବିଦେଶ ଗଲେ । ମଝିରେ ମଝିରେ ଆସନ୍ତି, କଥା ଓ ଗାହାଣୀରେ ନୂଆ ଇଙ୍ଗିତ ଦିଅନ୍ତି ସହର ଜୀବନର । ଏବେ ବିଜୁଳି ଆଲୁଅ ରାସ୍ତା ଉପରେ ଜଳୁଛି । ଚାଉଳ କଳ, କରତକଳ ବସିଛି-। ଡାକବଙ୍ଗଳା ଆଗରେ ଚାହା ଦୋକାନ । ସଞ୍ଜରେ ଜନଗହଳି ହୁଏ । ଗୋଟିଏ ବସ୍‍ ସେତିକିବେଳେ ଯାଏ ।

 

ଗାଁ ମାଳୀ ଗୋଟିଏ ଭଙ୍ଗା ନାଗସାପରେ ତିନିଖଣ୍ଡ ମୂର୍ତ୍ତିକୁ ମୁଣ୍ଡ ଉପରେ ଥୋଇ ଆସି କହିଲା, “ସାଆନ୍ତେ ଜୁହାର । ଗାଁ ତ ଆଉ ମନେ ପଡୁ଼ନି । ଶୁଣିଲି ଆସିଛ ବୋଲି । ବାପା ଦାନ କରିଥିଲେ ଏହି ତମ୍ବା ସାପକୁ । ଲିଙ୍ଗ ଚାରିପଟେ ଠିକ୍‍ ଘେରି ରହିଥିଲା । ଥରେ ପୁରା କଳସୀଟିଏ ଜଳାଧାର ‘ହର ହର ବଂ ବଂ’ କହି ଧଳିଦେଲବେଳକୁ ଦେଖିଲି ସର୍ପ ତିନିଖଣ୍ଡ ହୋଇଗଲେ । ମାଟିରେ ଶୋଇପଡ଼ି ଡାକିଲି–‘ହେ ଦେବ ଦେବ ମହାଦେବ, ଏ କଅଣ ହେଲା,ଦୋଷ ଥିଲେ କ୍ଷମା କର ।’ ଏବେ ଆଣିଛି । ଏଇଠି କଂସାରୀ ଅଛନ୍ତି, ଯୋଡ଼ିଦେବେ ସର୍ପ ଦେବତାଙ୍କୁ । ଖାଲି ତମେ ବାପାଙ୍କ ନାଁ ରଖି କିଛି ଅର୍ଥ ଖରଚ କଲେ ହେଲା । ତମ ବାପା ତ ସ୍ଵର୍ଗପୁରରେ, ଜାଣିଲେ ଖୁସୀ ହେବେ ।”

 

ଚାଲିଗଲି କୌଶୋରୀୟ ଅତୀତ ଅବସ୍ଥାକୁ । ସତରେ ସେ କି ଯାନିଯାତ୍ରା ! ଶିବ ମନ୍ଦିର ଚାରିପଟେ କି ମେଳା ମଉତ୍ସବ ! ଆହା, ସେ ଧର୍ମଭାବ କୁଆଡ଼େ ଗଲା ? ମନେପଡୁ଼ଛି ଗାଁରେ ଥିଏଟର କରାଇଥିଲି । ମାସେ ହେବ ରିହର୍ସାଲ ହେଲା । ବଡ଼ବାବୁ ବୋଲି ସମସ୍ତେ ଡାକୁଥିଲେ । କହୁଥିଲେ ପେଟରେ ପେଟେ ପାଠ ମୁଁ ପୂରାଇଛି । କାର୍ତ୍ତକୀର୍ଯ୍ୟ ଡ୍ରାମା । ଗୋପାଳ, ମଥୁରା, ତନ୍ତୁବାୟ ମାଧବ, ହରିଜନ ସପନା, ବିପ୍ର ରାମଚନ୍ଦ୍ର, ଗୁଡ଼ିଆ ଉପେନ୍ଦ୍ର କେତେ ଯେ କିଏ ପାର୍ଟ ନେଇଥିଲେ । ସ୍ତ୍ରୀ ଭୂମିକାରେ ଗାଁର ଛନ ଛନ କିଶୋର ଟୋକାଏ ଯେଉଁ ଠାଣି ଆଉ ବାଣୀରେ ଡ୍ରାମା କଲେ ନାଁ ଦଶକୋଶ ଦୂରରୁ ଦେଖଣାହାରୀ ହାୟ ହାୟ କହିଲେ ।

 

ମୁଁ ଥିଲି ହିରୋ ଓ ଡିରେକ୍ଟର । ମାସେ କାଳ ଗର୍ଜି ଗର୍ଜି ଠିକ୍‍ ଦିନେ ଅଛି ଡ୍ରାମା ମୋ ତଣ୍ଟି ପଡ଼ିଗଲା । ଗାଁ ଯାକ ଆବାଳବୁଦ୍ଧବନିତା ବିପଦ ମଣିଲେ । ତଣ୍ଟି ଫିଟୁନି, ସ୍ଵର ବାହାରୁନି, ମୁଁ କିପରି ଅମିତ୍ରାକ୍ଷର ଛନ୍ଦକୁ ରୌଦ୍ର ରସରେ ବ୍ୟକ୍ତ କରିବି ? ବ୍ରାହ୍ମଣଶାସନ ମୋର ତଣ୍ଟି ଭଲ ହୋଇ ଯାଉ ବୋଲି ଯନ୍ତାଳ ଯାଚିଲେ । ଅଣଜାତିପାଟକମାନେ ଛେଳି ବଳି ଦେବେ ବୋଲି ଶରଣ ପଶିଲେ ଆର ଗାଁ ବାସେଳୀ ପାଖରେ । ଯୁବତୀମାନେ ଲୁହ ଗଡ଼ାଇଲେ–କାରଣ ସେମାନେ କବାଟ ରନ୍ଧ୍ରରୁ ଓ ଅଳ୍ପ ଉଚ୍ଚା କାନ୍ଥ ଉପରେ ନିଶୁଣି ଥୋଇ ଓ ଚଢ଼ି ଦେଖିଥିଲେ ମୋର ରିହର୍ସାଲ ଆଉ ମୋର କମନୀୟ ରୂପ । କେତେକ ତହିଁରୁ ଶିବସାକ୍ଷୀ ରଖି ମନେ ମନେ ବରି ନେଇଥିଲେ ପରେ ଜାଣିଲି । ବୈଦ୍ୟକୁ ଗାଁବାଲା ଡାକିଲେ । ସେ କିଛି ଔଷଧ ଦେଇ ପାରିଲେନି । ଶେଷକୁ ଗୁଡ଼ିଆ ଉପେନ୍ଦ୍ର କହିଲା..... ମୁଁ ଚେଷ୍ଟା କରିବି । ଘଣ୍ଟାଏ ପରେ ଫେରିଆସି ମତେ ଚିତ୍‍ କରି ଶୁଆଇଦେଲେ–ଅବଶ୍ୟ ମୋ ତଳେ ଆରାମପ୍ରଦ ବିଛଣା ଥାଏ । ମୋ ବେକ ଚାରିପଟେ ଗରମ ପରେଟା କେରଟା କନା ଭିତରେ ପୁରାଇ ବାନ୍ଧିଦେଲା ଆଉ ସମବେତ ଜନତାକୁ ସମ୍ବୋଧି କହିଲା–“ବୋଲ ଜୟ ବୁଦ୍ଧେଶ୍ଵରଙ୍କୁ ଜୟ, ବଡ଼ବାବୁଙ୍କ ତଣ୍ଟି ଫିଟିଯାଉ ।”

 

ଏ ରାତିକଥା । ସକାଳ ଦି’ ପ୍ରହର ହୋଇଗଲା । ମୁଁ ଶୋଇଥାଏ । ବୋଧହୁଏ ଖୁବ୍‍ କ୍ଲାନ୍ତ ଥିଲି । କାର୍ତ୍ତବୀର୍ଯ୍ୟ ଭୂମିକା ବଡ଼ ପ୍ରଚଣ୍ଡ । ଆଖି ଫିଟାଇ ଦେଖିଲି ସାଧୁସନ୍ନ୍ୟାସୀମାନଙ୍କୁ ଯେମିତି ପ୍ରଣାମ ଜଣାଇ ଭକ୍ତମାନେ ଛିଡ଼ା ହୋଇଥାନ୍ତି, ସେମିତି ଗ୍ରାମର ବହୁ ଯୁଗକ ଯୁବତୀ ଦଣ୍ଡାୟମାନ । ମୁଁ କଥା କହିଲି ସ୍ପଷ୍ଟ ଓ ସୁନ୍ଦର । ମୁଁ ସା, ରେ, ଗା, ମା, ପା, ଧା, ନି ସବୁ ସ୍ୱରକୁ ପରୀକ୍ଷା କଲି–ଶାନ୍ତଠାରୁ ରୌଦ୍ରରସ ପର୍ଯ୍ୟନ୍ତ ମିଶାଇ......ଠିକ୍‍ ହେଲା, ସ୍ଵାଭାବିକ ହେଲା । ଆଃ, ଆଜି ଏ ପୌଢ଼ ବୟସରେ ମନେପଡ଼ୁଛି ସତେକି ମୁଁ ଇଲେକ୍‍ସନ୍‍ରେ ଜିଣି ଯାଇ ମୋର ପ୍ରତିପକ୍ଷକୁ ଚିତ୍ପଟାଙ୍ଗ କରିଦେଇଚି । ମୋର ସମର୍ଥକ ଓ ସମର୍ଥିକାମାନେ ହରିବୋଲ ହୁଳହୁଳି ଦେଇ ମତେ କୋଳ କଲେ । ସେହି ରାତ୍ରିରେ କାର୍ତ୍ତବୀର୍ଯ୍ୟ ଭୂମିକାରେ ମୁଁ ଅଗଣିତ ଜନତାକୁ ସ୍ପନ୍ଦିତ କରିଥିଲି ।

 

ଫେରି ଆସିଲି ଚେତନା ସ୍ତରକୁ । କାରଣ ହଠାତ୍‍ ମଦ୍ୟାପାନର ଦୁର୍ଗନ୍ଧ ମୋ ନାକ ଫଟାଇଦେଲା । କାହାର ମୁହଁରୁ ଏ କଡ଼ା ଦୁର୍ଗନ୍ଧ ? ନିରାକାରବାବୁ, ଥିଲେ କମ୍ୟୁନିଷ୍ଟ, ଅଛନ୍ତି ବି, ମାତ୍ର ମୋହରିରଗିରୀ କରନ୍ତି ରାଜଧାନୀରେ । ଗାଁର ନମସ୍ୟ ବୁଦ୍ଧିଜୀବୀ । ସେ କହିଲେ–“ଆଜ୍ଞା, ଆପଣ ଆସିଛନ୍ତି, ଦର୍ଶନ କରିବାକୁ ଆସିଲି । ଆପଣଙ୍କର ପିତା ପ୍ରପିତାଗଣ ଏ ଚାଷୀମାନଙ୍କ ତୁଣ୍ଡରେ ମହାପ୍ରସାଦ ଦେଇଥିଲେ ବୋଲି ଏମାନେ ଧର୍ମକୁ ମାନିଛନ୍ତି । ନ ହେଲେ ଆପଣ କାଣିଚାଏ ପାଇବେନି । ଆପଣ ହାତରେ ଚାଷ କରୁନାହାନ୍ତି । ତେଣୁ ତାଙ୍କ ଦୟା ଉପରେ ରହିବାକୁ ହେବ ।”

 

ମୁଁ ମନେ ମନେ ବିରକ୍ତ ହେଲି । କହିଲି, ଦେଖ ନିରାକାର, ମୋ ବିଷୟରେ ତୁମର ମଥା ବ୍ୟଥା ଦରକାର ନାହିଁ । ତା’ ଛଡ଼ା ତୁମେ ଡ୍ରିଙ୍କ୍‍ କରିଛ–ଦୂରକୁ ଯାଅ । “ନିରାକାର କହିଲା–”ଏ ଯେଉଁ ନିନ୍ଦା କଲେ ଆପଣ ଯେ ମୁଁ ମଦ ପିଇଛି ତାହା ବଡ଼ ଅବାନ୍ତର କଥା । ସତ କହିବାକୁ ଗଲେ କିଏ ନ ପିଉଛି ? ଏଥିରୁ ମୁନ୍ଦିଏ ନ ହେଲେ ଗାଁର ହାନିଲାଭ ବୁଝିବାରେ ଯେ ପରିଶ୍ରମ ସହିବାକୁ ହେଉଛି ତାହା ସହି ହେବ କି ? ଏ ମଦ୍ୟ ସବୁ ସରଳ କରିଦିଏ ।”ମୁଁ ଆଶ୍ଚର୍ଯ୍ୟ ହେଲି । ଏ ଲୋକଟା ଏମିତି ନିର୍ଭୟରେ ଏସବୁ କିମିତି କଅଣ କହୁଛି ? ମୋର ଚାଷୀ ଗୋବିନ୍ଦ କହିଲା–“ଛାଡ଼ନ୍ତୁ ବାବୁ, ଏ ଗାଁରେ ଏମିତି କେହି ନାହିଁ ଯେ ନିଶା ନ ଧରିଛି । କଅଣ କରିବେ, ଚା’ ଟିକିଏ ପେଟରେ ପଡ଼ିଲେ ଯେମିତି ଭୋକ ମରିଯାଏ, ନିଶାପାଣି ସେମିତି ସବୁ ଦୁଃଖ ହରି ନିଏ ।”

 

ମୁଁ ମୁର୍ଖଭଳି କହିଲି–କି ଦୁଃଖ ?

 

ହଠାତ୍‍ ଗୋଟାଏ ଉଚ୍ଚ ଅଟ୍ଟହାସରେ ଗୁଡ଼ିଆ ଭୋବନି, ଯାହାର ବାପା ସହିତ ମୁଁ ପାଟି କରିଥିଲି, ସେ ଗୋଟାଏ ଲୁଙ୍ଗି ଫାଲ୍‍ଟାମାରି ମୋ ଆଗରେ ଛିଡ଼ା ହୋଇ କହିଲା–“ବାବୁ, ଦୁଃଖ ଆଉ କଅଣ ?” ଏତିକି କହିବାରୁ ଦମକାଏ ଗଞ୍ଜେଇ ଦୁର୍ଗନ୍ଧ ମୋ ନାକ ଫଟାଇ ଦେଲା । ମୁଁ କହିଲି, “ଭୋବନି, ତୁମେ ଗଞ୍ଜେଇ ଖାଇଛ ?” ସେ କହିଲା, ଗଞ୍ଜେଇଖିଆକୁ ନିୟମ ଆଉ ଧର୍ମରେ ପକାଇବାପାଇଁ ପ୍ରତି ରାତିରେ ତ୍ରିନାଥ ମେଳା କରୁଛି । ଡାକି ବଜେଇ ଖାଉଛୁ ।”

 

ମୁଁ କେବଳ ଭାବୁଥାଏ–ମୁଁ କେଉଁ ଗାଁକୁ ଆସିଲି ? ମୋର ଜନ୍ମସ୍ଥାନ ସତେ କଅଣ ଏଇଟା ? ଅତୀତରେ ଧର୍ମ କର୍ମର ଯେ ଅପୂର୍ବ ଭାବରେ ହୁରୀ ଖେଳୁଥିଲା, ଏ କ’ଣ ସେଇ ଗାଁ ? ଏଠି ସର୍ପଦେବତା କେବଳ ମାଠିଆଏ ପାଣିରେ ଭାଙ୍ଗିଯିବେନି ତ କଅଣ ରହିବେ ?

 

ମୋର ବୁଢ଼ା ପୁରୁଣା ଚାଷୀ ଚୈତନ୍ୟ କହିଲା–“ଏ ଦୁଇଜଣ ନିଶାଖୋର ଟାଉଟର ଏ ଗାଁକୁ ସାରିଦେଲେ । କାହା ନାଁରେ ଗୋଟାଏ ଦିଇଟା ମକଦ୍ଦମା ଏମାନେ ଚଳେଇ ନାହାନ୍ତି ? କହନ୍ତି ମନ୍ତ୍ରୀଙ୍କ ସାଙ୍ଗେ ବସି ଶାସନ ବିଷୟରେ କଥାବାର୍ତ୍ତା ହୁଅନ୍ତି; ହଉଥିବ !”

 

“ଓଃ କିଆଁ ଗୁଡ଼ାଏ ଟାଉଟର ଟାଉଟର ହଉଚ ହେ ନୈତନ୍ୟ–କିଏ ଟାଉଟର ନୁହେଁ ? କିଏ ଛୋଟ କିଏ ବଡ଼ । ଚୁପ୍‍କର, ଆଉ ସେମିତି କହିବ ନାହିଁ ।”

 

“ହେଃ......ହେଃ......ଆମ ବାବୁ ସାଆନ୍ତେ ଧାନ ଚାଉଳ ନେବାକୁ ଆସିଛନ୍ତି ଦର୍ଶନ କରିବାକୁ ଆସିଲି । ଚାଷୀମାନେ କେତେ ଦେବେ ବୋଲି କହୁଛନ୍ତି ?” ଏ ହେଉଛି ପୂର୍ବତନ ମାଳୀବଂଶର ସୁଯୋଗ୍ୟ ବଂଶଧର ଶିବସେବକ ନୀଳାମ୍ବର । କିନ୍ତୁ ଏ ଏମିତି ଢଳୁଛି କିଆଁ ?

 

ଚୈତନ୍ୟ କହିଲା–“ଆଜ୍ଞା ଏଇ ଅଫିମା ନୀଳା ଆମକୁ ବରାବର ଶିଖାଉଛି ଆପଣଙ୍କ ଭାଗ ନ ଦେବାକୁ । କଳିଗୋଳ ହେଲେ ସେ ଫାଇଦା ଉଠାଇବ । କିନ୍ତୁ ଆପଣଙ୍କ ମାଆ ବଞ୍ଚିଥିବାବେଳେ ଆମକୁ–ଆମ ସାତଜଣଙ୍କୁ–ଜଗନ୍ମାଥଙ୍କୁ ଛୁଆଇଁ କହିଥିଲେ–”ତମେମାନେ ମୋ ପୁଅ ବୋହୂ ଆଉ ପିଲାମାନଙ୍କୁ ହଇରାଣ କରିବ ନାହିଁ । ବିଲ ଧରିଛ–ନ୍ୟାୟ ନିତିରେ ତାଙ୍କ ଗଣ୍ଡାକ ତାଙ୍କୁ ଦେଇଦେବ ।”ଏବେ ଏ ସର୍ବନାଶିଆ ଟାଉଟର ଗାଁ ଗାଁରେ ମକଦ୍ଦମା କରି କାହା ଝିଅକୁ, କାହା ବୋହୂକୁ ଶିଖାଇ କଲିକତାରେ ବିକ୍ରିକରି ଦି’ପଇସା ରୋଜଗାର କରି ନିଶରେ ଘିଅ ବୋଳୁଛନ୍ତି । କହୁଛନ୍ତି କ’ଣ ନାଁ–ସେମାନେ ମନ୍ତ୍ରୀଙ୍କ ସାଙ୍ଗ । ଏଇ ଡାକବଙ୍ଗଳାରେ କଅଣ ନ ହୁଏ-? ପୁଲିସ ଆସନ୍ତି, ଫରେଷ୍ଟର ଆସନ୍ତି, ଭୋଜି ହୁଏ । ଚୋର ଧରାପଡ଼ୁ ନାହାନ୍ତି । ନିଜେ ଜୀବନ ନେଇଛି ବୋଲି ମିଛ କହି କେତେ ମାଇପିଙ୍କୁ ଗାଁରେ ମାରି ଆମ୍ବଗଛରେ ନଟକାଇ ଦେଉଛନ୍ତି-। ଖୁବ୍‍ ଅନାଚାର ଆଜ୍ଞା । ଭଗବାନ ସହିବେନି ।”

 

ବୁଢ଼ା ଚୈତନ୍ୟକୁ ଚାହିଁଲି । ତିନିଜଣ ଟାଉଟରଙ୍କୁ ଦେଖିଲି । ଆଶା ମୋର ରହିଲା ନାହିଁ ଭାଗଚାଷୀଙ୍କଠାରୁ ମୋ ଅଂଶ ଧାନ ଚାଉଳ ପାଇବି ବୋଲି । ତେବେ ଚୈତନ୍ୟ ଯେତେବେଳେ ମହାପ୍ରସାଦ, ଜଗନ୍ନାଥ ଆଉ ଧର୍ମ କଥା କହୁଛି, କେଜାଣି ବା କିଛି ପାଇବି !

 

ପୁରୁଣା ମଟର–ସାଇକେଲରେ ଆସିଗଲେ ଗ୍ରାମ ମାମଲତକାର ଏକ ରାଜନୈତିକ ଦଳର ଦଲାଲ । ମୁଁ ୟାଙ୍କୁ ଜାଣିଥିଲି । କହିଲି, “ଆସନ୍ତୁ ହରିବାବୁ, ଆଉ ଖବର କଅଣ ?”

 

ମଟର ସାଇକେଲ ଥୋଇ ଦେଇ ହରିବାବୁ କହିଲେ–”ଆପଣ ଆସିଛନ୍ତି ଶୁଣି ଆସିଲି । କାବିନେଟ୍‍ ମିଟିଂ ଥିଲା ରାଜଧାନୀରେ । ମୁଁ ଆମ ଅଞ୍ଚଳ ମନ୍ତ୍ରୀଙ୍କ ପାଖେ ନ ରହିଲେ ସେ ଭାବନ୍ତି ଯିମିତି ସେ ଅଥଳ ସମୁଦ୍ରରେ ବୁଡ଼ିଯାଇଛନ୍ତି–ସାହା କେହି ନାହିଁ । ସେ ବୁଡ଼ିଗଲେ ମୁଁ ଧରିପକାଏ, ସେ ଭାସନ୍ତି ।”

 

ମୁଁ କହିଲି–”କାହିଁକି, ମନ୍ତ୍ରୀଙ୍କର ସେକ୍ରେଟେରୀ ତ ଥିବେ ?”

 

ହରିବାବୁ ଆଖି ନଚାଇ କହିଲେ–”ହଇଏ, ସେକ୍ରେଟେରୀ କଅଣ କରିବେ ? ଭିଲେଜ ପଲିଟିକ୍ସରେ ଆମେ ଧୁରନ୍ଧର । ହଁ ବାବୁ, ଆସିଲେ ଯେ ଧାନ ଚାଉଳ ତ କିଛି ମିଳିବ ନାହିଁ । ଗରିବ ଚାଷୀ ଖାଇବାକୁ ପାଉନାହାନ୍ତି । ଜମି ଚଷୁଛନ୍ତି, ସେ ଆଉ କଅଣ ଦେବେ ? ନାଁ କଅଣ କହୁଛ ଚାଷୀଏ ?”

 

ଚାଷୀମାନେ ନୀରବ ।

 

ମୁଁ କହିଲି, “ଏମାନେ ମୋ ପୂର୍ବପୁରୁଷ ଅମଳରୁ ଚାଷୀ ଅଛନ୍ତି । ତାଙ୍କର ସତ୍ୟ ଆଉ ଧର୍ମ ଉପରେ ବିଶ୍ୱାସ ଅଛି ବୋଲି ମୋର ଧାରଣା ହୋଇଛି । ମୋର ପୌତୃକ ବିଲର ଅମଳରୁ ଯାହା ନ୍ୟାୟ ସେତିକି ଦିଅନ୍ତୁ ।”

 

ହରିବାବୁ କହିଲେ–”ଆଜ୍ଞା, ଏ ଗାଁ ଖଣ୍ଡକ ଆମ ଭାରତବର୍ଷରେ, ଆଉ କେରଳ ବି ଭାରତବର୍ଷରେ–ଅତଏବ...”

 

ମୁଁ କହିଲି–ଅତଏବ ?

 

–‘‘ଅତଏବ କେରଳ ଯାହା କରିଛି ଏଠି ବି ସେଇଆ ହେବ । ଆପଣ କିଛି ପାରିବେନି-। ମୁଁ ହେଡ଼କ୍ଵାଟର୍ସକୁ ଚିଠି ଦେଇଛି । ମୁଁ ନେତୃତ୍ଵ ନେଇଛି ।” ହରିର ମୁହଁରୁ ବି ମଦ ଗନ୍ଧ ବାହାରୁଥାଏ । ମତେ ବାନ୍ତି ଆସୁଥାଏ ।

 

ମୁଁ ତାତି ଉଠିଲିଣି । ଏ ହରିଆକୁ ଧକ୍କାଟାଏ ଦେଇ ତା’ର ମଟରସାଇକେଲ ସମେତ ୟାକୁ କଚାଡ଼ି ଦେବି କି ଭାବି କ୍ରୋଧରେ କଅଣ କହି ଆସୁଥିଲି, ଏତିକି ବେଳେ ସହଧର୍ମିଣୀ ସମସ୍ତଙ୍କ ଆଗକୁ ବାହାରି ଆସି କହିଲେ “ମୁଁ ବିଛଣାପତ୍ର ବାନ୍ଧି ସାରିଛି । ଚାଲ ଟିକିଏ ଶିବଦର୍ଶନ କରି ଫେରିଯିବା । ପୂର୍ବପୁରୁଷଙ୍କୁ ଆଜି ଶେଷଥର ପାଇଁ ତର୍ପଣ କରିଦେବା । ଏ ମାଟି, ଏ ବିଲ ହରିବାବୁଙ୍କ ଭଳି ମହାନ୍‍ ପୁରୁଷମାନଙ୍କର ଭୋଗ୍ୟ ହେଉ । ବୁଦ୍ଧେଶ୍ଵର ଏମାନଙ୍କୁ ଆହୁରି ବଡ଼ କରନ୍ତୁ ।”

 

ଘରର ବୋହୂଙ୍କୁ ସମସ୍ତେ ଏମିତି ହଠାତ୍‍ ଦେଖିବାମାତ୍ରେ ସେମାନଙ୍କ ଧମନୀରେ ସେଇ ଗ୍ରାମର ପୁରୁଷାନୁକ୍ରମିକ ସାମନ୍ତ ଘର ପ୍ରତି ଅତୀତ ଶ୍ରଦ୍ଧା ଓ ସଂଭ୍ରମ ଖେଳିଗଲା ।

 

ସାତଜଣ ଚାଷୀ ଛିଡ଼ା ହେଲେ । ଚୈତନ୍ୟ କହିଲା–‘‘ରଖ ହରିବାବୁ ତମ କେରଳ କଥା-। ତମେ କିଏ ହେ ଆମକୁ କହିବ ବାବୁଙ୍କ ନାଯ୍ୟ ଫସଲ ନ ଦେବାପାଇଁ ? ଟାଉଟରୀ କରି ସର୍ବନାଶ କଲ ଏ ଗାଁକୁ । ତମ କଥାରେ ଆମେ ଧର୍ମକୁ ମାନିବୁନି ? ଆଜି ମଲେ କାଲିକି ବାସିମଡ଼ା । ହଉ ମାଆ, ଘଣ୍ଟାଏ ରହ, ଆମେ ଶଗଡ଼ରେ ଧାନ ଚାଉଳ ବୋଝେଇ କରି ନେଇ ଆସୁଛୁ । ଧର୍ମ ବଡ଼ ମାଆ, ପେଟ ଦେଖେଇ ମାନିନେବୁ ପଛକେ ଆମ ଗରିବ ପିଲାପିଲିଙ୍କ ପାଇଁ, ହେଲେ ଅଧର୍ମ କରିବୁନି ।”

 

ସେମାନେ ଚାଲିଗଲେ । ଟାଉଟରମାନେ କି କୌଶଳ ଖଞ୍ଜିବେ କେଜାଣି ! ମୋ ଆଗରେ ପଡ଼ିରହିଥାଏ ଚନ୍ଦନ ପ୍ରଲେପ ଚିହ୍ନିତ ତିନିଖଣ୍ଡି ନାଗସର୍ପର କଳେବର । ସେଗୁଡ଼ିକୁ ହାତରେ ଧରି ନମସ୍କାର କରି ଯୋଡ଼ିଦେଲି । ସାପଟି ଯିମିତ ଫଣା ଟେକିଲା ! ଚୈତନ୍ୟ ଯାଉ ଯାଉ କହୁଥିଲା–ଧର୍ମ ବଡ଼ ମାଆ, ଧର୍ମ ବଡ଼ ।

Image